Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିବା କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।

କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେଥିନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ୍ ତାରକା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଏହି ବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି। ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଞ୍ଚମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କର ଏହି ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ।

କିଶୋର କ୍ରମାଗତ ଭାବରେ ସାରା ଋତୁରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛନ୍ତି ଏବଂ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି I

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଓଡିଆ ହକି ଖେଳାଳୀ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଏସୀୟ କ୍ରୀଡାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଓଡିଆ ଖେଳାଳୀ ଅମିତ ରୋହିତ ଦାସ। ସେଥିପାଇଁ ଭାରତ ହାସଲ କରିପାରିଛି ସ୍ବର୍ଣ୍ଣ। ଏହି ଖୁସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କୁ ଅଶେଷ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ତାଙ୍କୁ କେବଳ ଓଡିଶା ନୁହେଁ ସମଗ୍ର ଭାରତରେ ଯୁବକମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।

ସେ କହିଛନ୍ତି, “ଅମିତ ରୋହିଦାସଙ୍କ ଉଲ୍ଲେଖନୀୟ ସଫଳତା ପ୍ରଶଂସନୀୟ। ସେ ଆମ ରାଜ୍ୟ ରାଜ୍ୟର ତଥା ବାହାର ଖେଳାଳୀଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଁ ଗର୍ବିତ।”

ଓଡିଶାର ସୁନ୍ଦରଗଡର ହକି ସମୃଦ୍ଧ ଅଞ୍ଚଳର ମାଟିର ପୁତ୍ର ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଗର୍ବର ସହିତ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ରାଜ୍ୟ ଖବର

ସ୍ବର୍ଣ୍ଣ ଜିତିବା ପରେ ଭାରତୀୟ ହକି ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏସୀୟ କ୍ରୀଡାରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ଜିତିବା ପରେ ଚାରିଆଡେ ଖୁସିର ଲହରି ଖେଳିଯାଇଛି। ତେବେ ଏଥିରେ ଅଧିକ ଖୁସି ହୋଇଛି ଓଡିଶା। କାରଣ ଓଡିଶା ହେଉଛି ଭାରତୀୟ ହକି ର ପ୍ରାୟୋଜକ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହିତ ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରସ୍କାର ନେବା ପରେ ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହିତ ଫୋନରେ କଥା ହୋଇ ଏହି ଅଭିନନ୍ଦନ ଜଣାଇଛନ୍ତି।

ତେବେ ଏହି ଖୁସିରେ ମୁଖ୍ୟମନ୍ତ୍ରୀ ଖେଳାଳୀ ତଥା ସହାୟକଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ପ୍ରତି ଖେଳାଳୀ ଏବଂ ସହାୟକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଭାରତୀୟ ଖେଳାଳୀ ଏହି ଏସୀୟ କ୍ରୀଡାରେ ଜିତିବା ସହିତ ଅଲମ୍ପିକ୍ସରେ ଭାଗ ନେବା ପାଇଁ ମଧ୍ୟ ମନୋନିତ ହୋଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା କିଶୋରଙ୍କ ପାଇଁ ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଚୀନ୍‌ର ହାଙ୍ଗଜୋରେ ଚାଲିଥିବା ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା ଓଡିଶାର ଜାଭେଲିନ୍ ତାରକା ଆଥଲେଟ୍ କିଶୋର କୁମାର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧.୫ କୋଟି ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛନ୍ତି।

ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ସହିତ କିଶୋର ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ରୌପ୍ୟ ପଦକ ସହିତ କିଶୋର ରାଜ୍ୟ ତଥା ଦେଶ ପାଇଁ ଏକ ଐତିହାସିକ କିର୍ତ୍ତୀ ସୃଷ୍ଟି କରି ଦେଶ ପାଇଁ ପୁରସ୍କାର ଆଣିଛନ୍ତି। ତାଙ୍କର ନାମ ଦେଶର କ୍ରୀଡ଼ା ଇତିହାସରେ ସବୁଦିନ ପାଇଁ ଲେଖା ରହିବେ ବୋଲି ନବୀନ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସୁଟିଂରେ ଭାରତକୁ ଆଉ ୨ ଟି ପଦକ, ସିଫ୍ତ କୌର ଜିତିଲେ ସ୍ୱର୍ଣ୍ଣ, ଆଶିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ପାଇଁ ଅଧିକ ପଦକ ଜିତିବାକୁ ଚେଷ୍ଟା କରିବ। ଆଜି ବ୍ୟକ୍ତିଗତ ଏବଂ ଟିମ ଇଭେଣ୍ଟରେ ୨ ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟରମାନେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି। ଟିମ ଇଭେଣ୍ଟରେ ପୂର୍ବରୁ ରୌପ୍ୟ ପଦକ ଜିତିଥିବା ସିଫ୍ତ କୌର ଶର୍ମା ଏବଂ ଆଶି ଚୋକ୍ସି ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏପର୍ଯ୍ୟନ୍ତ ଭାରତ ଆଜି ଚାରିଟି ପଦକ ଜିତିଛି। ଭାରତ ଏସିଆନ୍ ଗେମ୍ସରେ ଏପର୍ଯ୍ୟନ୍ତ ମୋଟ ୧୮ ଟି ପଦକ ଜିତିଛି। ଯେଉଁଥିରେ ୫ ଟି ସ୍ୱର୍ଣ୍ଣ ପଦକ ଅଛି।