Categories
ଆଜିର ଖବର ରାଜ୍ୟ ଖବର

ସରିଲା ବିଧାନସଭା ଅଧିବେଶନ

ଭୁବନେଶ୍ବର : ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୋଟିଏ ଦିନ ପୂର୍ବରୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ 5ଟି ବିଲ୍ ପାରିତ ହୋଇଛି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ବ୍ୟତୀତ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଶିଳ୍ପ ବିବାଦ ଓଡିଶା ସଂଶୋଧ ବିଲ୍, ଓଡିଶା ପୌର ବିଧି ସଂଶୋଧନ ବିଲ୍, ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ବିଧାନସଭାରେ ପାରିତହୋଇଛି । ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର 29 ତାରିଖରୁ ଆରମ୍ଭ ହୋଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜିର ବିଧାନସଭା ରଚିଲା ଏକ ଇତିହାସ, କୋରନା ଭୟରେ ବିଧାନସଭା ବାହାରେ ହେଲା ଗୃହ କାର୍ଯ୍ୟ

ଭୁବନେଶ୍ବର, ଆଜି ବିଧାନସଭା ସବୁଦିନ ପାଇଁ ଓଡିଶା ରାଜନୀତିରେ ଏକ ଇତିହାସ ରଚିଲା। ଏହାର କାରଣ ହେଲା ଆଜିର ବୈଠକ ବିଧାନସଭାରେ ନୁହେଁ ବସିଥିଲା ବାହାରେ। ଭୁବନେଶ୍ବରସ୍ଥିତ ଲୋକସେବା ଭବନରେ ନିର୍ମାଣ ହୋଇଥିବା ନୂଆ ରାଜ୍ୟ କନଭେସନ ହଲରେ ବସିଥିଲା ଏହି ବୈଠକ। କାରଣ ହେଲା କୋରନା ଭାଇରସ ଭୟ। ରାଜ୍ୟରେ ତୃତୀୟ କରୋନା ରୋଗୀ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥଲେ। ଏହାପରେ କର୍ମଚାରୀ ଜଣଙ୍କ ବିଧାନସଭାରେ କାମ କରିବା ସହିତ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।

ଏହି ଖବର ପ୍ରଘଟ ହେବା ପରେ ପ୍ରଥମେ ବିଧାନସଭାକୁ ବିଶୋଧନ କରାଯାଇଥିଲା। ଅଗ୍ନଶମ ପୋଲିସ ଏବଂ ମେଡିକାଲ କର୍ମଚାରୀମାନେ ମିଶି ବିଧାନସଭାକୁ ଜୀବାଣୁମୁକ୍ତ କରିଥିଲେ। ହେଲେ କଣ ହେଲା କେଜାଣି ବିଧାୟକମାନେ ବିଧାନସଭା ଗୃହକୁ ଆସିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ଫଳରେ ବାଚସ୍ପତି ଗୃହକାର୍ଯ୍ୟ କନଭେସନ ହଲରେ କରିବା ପାଇଁ ନିଷ୍ପତି କଲେ।

ଏଥିସହିତ ବାଚସ୍ପତି କେତେକ ଗାଇଡ ଲାଇନ ମଧ୍ୟ ଜାରୀ କଲେ। ସେଥିରେ ଥିଲା ମାତ୍ର 30 ପ୍ରତିଶତ ବିଧାୟକ ଗୃହ କାର୍ଯ୍ୟରେ ଯୋଗଦେବେ। ବିଧାୟକମାନେ ଠିକରେ ଆସିବା ପାଇଁ ପୋଲିସ ପ୍ରଶାସନ ସହଯୋଗ କରିବେ। ବିଧାୟକମାନେ ନିଜେ ସୁରକ୍ଷିତ ଭାବେ ଗୃହ ଭିତରକୁ ଆସିବେ। ଗୃହ ଭିତରେ ସାମାଜିକ ଦୂରତା ରଖିବା ପାଇଁ ଛାଡିଛାଡି ବିଧାୟକମାନେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ।

ଏହି ଘୋଷଣା ପରେ ବିଧାନସଭା କର୍ମଚାରୀମାନେ ସେହି ସ୍ଥାନକୁ ଜୀବାଣୁମୁକ୍ତ କରିବା ପାଇଁ କାର୍ଯ୍ୟ ଆରମ୍ଭ କଲେ। ଗତକାଲି ମେଡିକାଲ କର୍ମି, ଅଗ୍ନିଶମ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗରେ କନଭେସନ ହଲକୁ ବିଶୋଧନ କରାଯାଇଥିଲା। ସେହିପରି ବିଧାୟକମାନେ ବିନା ବାଧାରେ ଗୃହକାର୍ଯ୍ୟରେ ଯୋଗଦେବା ପାଇଁ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ସାଧାରଣ ଦିନ ପରି କନଭେସନ ହଲରେ ଦିନ ଠିକ 10ଟା 30 ମିନିଟରେ ଆରମ୍ଭ କରାଯାଇଥିଲା। ଗୃହଭିତରେ ସଦସ୍ୟମାନେ ଛାଡିଛାଡି ବସିଥିବାର ଦେଖିବାକୁ ମିଳିଥିଲା। ଏପରିକି ଅନେକ ବିଧାୟକ ମୁହଁରେ ମାସ୍କ ପିନ୍ଧି ଗୃହ ଭିତରକୁ ପ୍ରବେଶ କରିଥିଲେ। ପ୍ରଥମେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଜିଲୋଟିନ ମାଧ୍ୟମରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଆଗତ କରିଥିଲେ।  ଏହାପରେ 15 ମିନଟ ପାଇଁ ଚାହା ବିରତି ନିଆଯାଇଥିଲା।

ବିରତି ପରେ କରୋନା ଉପରେ କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ଏବଂ ବିରୋଧୀଦଳ ନେତା ପ୍ରଦୀପ ନାୟକ କିଛି ସମୟ ପାଇଁ ଗୃହରେ ଭାଷଣ ଦେଇଥିଲେ। ଏହାପରେ ଅର୍ଥମନ୍ତ୍ରୀ ବ୍ୟୟ ମଂଜୁରୀ ବିଲ୍ ପାଶ ପାଇଁ ଅନୁରୋଧ କରିବା ପରେ ତାହା ସର୍ବସମ୍ମତି କ୍ରମେ ପାଶ କରାଯାଇଥିଲା। ଗୋଟାଏ ଘଣ୍ଟା ମଧ୍ୟରେ ଗୃହ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯାଇଥିଲା। ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଠ ସମୟ ପାଇଁ ମଲୁତବି ଘୋଷଣା କରିଥିଲେ।

ଏହି ଗୃହ କାର୍ଯ୍ୟ ସମୟରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡି ଦିଆଯାଇ ନ ଥିଲା। ଏପରିକି କୌଣସି ସଚିବ ମଧ୍ୟ ଗୃହ ଭିତରକୁ ଆସି ନ ଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହ କାର୍ଯ୍ୟରେ ଯୋଗଦେଇ ନ ଥିଲେ। ବିଧାନସଭା ଇତିହାସରେ ଏହା ଥିଲା ଏକ ବିରଳ ଘଟଣା। କାରଣ ପୂର୍ବରୁ ଗୃହ ବାହାରେ କେବେ ବି ଗୃହ କାର୍ଯ୍ୟ ଅନୁଷ୍ଠିତ ହେବାର ପରିଲକ୍ଷିତ ହୋଇ ନାହିଁ। କେବଳ ଥରେ ଏକ ବିଶେଷ ଅଧିବେସନ ସୂଚନା ଭବନ ନିକଟରେ ଥିବା ବିଧାନ ସୌଧରେ କରାଯାଇଥିଲା।

Categories
ବିଶେଷ ଖବର

ବିଧାନସଭାର ବିତର୍କ: ଏକ ଅନୁଶୀଳନ

ପ୍ରଭୁକଲ୍ୟାଣ ମହାପାତ୍ର

ବିତର୍କ ମାଧ୍ୟମରେ ଶାସନ ପରିଚାଳନା କରିବା ହେଉଛି, ସଂସଦୀୟ ଗଣତନ୍ତ୍ରର ବିଶେଷତ୍ବ। ଏହି ଶାସନ ବ୍ୟବସ୍ଥାରେ ବିଧାନସଭାରେ ବିତର୍କ ଜରିଆରେ ହିଁ ପ୍ରଶାସନକୁ ଉପଯୁକ୍ତ ଦିଗ୍‌ଦର୍ଶନ ପ୍ରଦାନ କରାଯାଇଥାଏ। ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ ଲାଗି ସରକାର ବିଧାନସଭାରେ ପ୍ରଶଂସାଭାଜନ ହୋଇଥିବାବେଳେ  ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଶାସନକଳ ଗୃହେର କଠୋର ସମାଲୋଚନାର ଶରବ୍ୟ ହୋଇଥାଏ। ତେଣୁ ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ସ୍ବେଚ୍ଛାଚାରୀ ବା ଏକଛତ୍ରବାଦୀ ହେବାର ସମ୍ଭାବନା ଯଥେଷ୍ଟ କମ୍‌ ଥାଏ। ସେଥି ଯୋଗୁଁ ଏହି ଶାସନ ବ୍ୟବସ୍ଥାକୁ ପୃଥିବୀର ଅଧିକାଂଶ ରାଷ୍ଟ୍ର ଆପେଣଇ ନେଇଛନ୍ତି।

ତେବେ ଏହି ଧରଣର ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ଭାଗ୍ୟର ଚୂଡ଼ାନ୍ତ ମଧ୍ୟସ୍ଥି ହେଉଛି ବିଧାନସଭା। କାରର ଏହା ଶାସନକଳର ମଙ୍ଗକୁ ଜନକଲ୍ୟାଣ ଅଭିମୁଖୀ କରାଇଥାଏ। ତେଣୁ ଲୋକମାନଙ୍କ ଭାଗ୍ୟ ସହିତ ଅନ୍ତର୍ନିହିତ ଭାବେ ଜଡିତ ଗଣତନ୍ତ୍ର ଏହି ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ବିଧାନସଭାର ବିତର୍କ ଅତ୍ୟନ୍ତ ଉପାଦେୟ, ଗଠନମୂଳକ ତଥା କଲ୍ୟାଣକାରୀ ହେବା ଆବଶ୍ୟକ।

କିନ୍ତୁ ଗତ କିଛି ବର୍ଷ ଧରି ବିଧାନସଭା ବିତର୍କର ମାନ ବିଭିନ୍ନ କାରଣରୁ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏହି ଅବକ୍ଷୟର ଧାରା ଅବ୍ୟାହତ ରହିଲେ, ତାହା ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଅଚିରେ ଗୁରୁତର ବିପଦ ସୃଷ୍ଟି କରିବ ବୋଲି ବିଶାରଦମାନେ ଆଶଙ୍କା ପ୍ରକଟ କରୁଛନ୍ତି।

ବିଧାନସଭାର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ। ସେଗୁଡିକ ହେଉଛି – ଆଇନ ତିଆରି ବା ବିଧି ପ୍ରଣୟନ, ବଜେଟ୍‌ ଓ ଅର୍ଥ  ବିଲ୍‌ ଅନୁମୋଦନ, ମହତ୍ତ୍ବପୂର୍ଣ୍ଣ ଜନସମସ୍ୟା ଗୁଡିକ ଉପରେ ଆଲୋଚନା ଚଳାଇ ପ୍ରତିକାର ସାଧନ। ଉତ୍ତମ ଆଇନ ତିଆରି ଜରିଆରେ ଲୋକମାନଙ୍କୁ ସାମଗ୍ରିକ ଭାବେ ବିଶେଷ ସୁଫଳ ଯୋଗାଇ ଦିଆଯାଇଥାଏ। ଏଥିରେ ବ୍ୟତିକ୍ରମ ଘଟିଲେ ଅର୍ଥାତ୍‌ ତ୍ରୁଟିପୂର୍ଣ୍ଣ ଆଇନ ପ୍ରଣୀତ ହେଲେ ତା’ର କୁପରିଣାମ ସାଧାରଣ ଲୋକଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ।

ଅତୀତରେ ଗୋଟିଏ ଗୋଟିଏ ବିଲ୍‌ ଉପରେ ପାଞ୍ଚ/ସାତ ଦିନ ଧରି ଘମାଘୋଟ ଆଲୋଚନା ହେଉଥିଲା। ନିୟମାନୁସାରେ ବିଲଗୁଡିକ ବିଧାନସଭାରେ ଉପସ୍ଥାପନର ସାତ ଦିନ ପୂର୍ବରୁ ତା’ର ନକଲ ବିଧାୟକମାନଙ୍କୁ ଯୋଗାଇ ଦିଆଯାଉଥିଲା। ଫଳରେ ବିଧାୟକମାନେ ବିଲ୍‌ର ଭଲ ମନ୍ଦ ଦିଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରୁଥିଲେ ଏବଂ ଗୃହରେ ବିତର୍କ କାଳରେ ତହିଁରେ ଥିବା ତ୍ରୁଟିବିଚ୍ୟୁତି ବିଷୟ ଉଲ୍ଲେଖ କରି ସରକାରଙ୍କୁ ସମୁଚିତ ପରାମର୍ଶ ଦେଉଥିଲେ।

ଅପରପକ୍ଷେ ସରକାର ମଧ୍ୟ ସମସ୍ତ ସଂକୀର୍ଣ୍ଣତା ଉର୍ଦ୍ଧ୍ବରେ ବିଧାୟକମାନଙ୍କ ଉପାଦେୟ ପରାମର୍ଶଗୁଡିକ ଗ୍ରହଣ କରି ବିଲ୍‌ରେ ଆବଶ୍ୟକ ସଂଶୋଧନ ଆଣୁଥିଲେ। କିନ୍ତୁ ବର୍ତ୍ତମାନ ବିଧାନସଭାରେ ଆଇନ୍‌ ପ୍ରଣୟନ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅତ୍ୟନ୍ତ ତରବରିଆ ଭାବେ ସମ୍ପନ୍ନ ହେଉଥିବା ଦେଖାଯାଇଛି। ପରିଣାମ ସ୍ବରୂପ ତ୍ରୁଟିପୂର୍ଣ୍ଣ ବିଲ୍‌ଗୁଡିକ ଗୃହର ଅନୁମୋଦନ ଲାଭ କରୁଛି, ଯାହାର ସଂଶୋଧନ ଠିକ୍‌ ତା’ର ପରବର୍ତ୍ତୀ ଅଧିବେଶନରେ କରାଇବା ଜରୁରୀ ହୋଇ ପଡୁଛି।

ତେଣୁ ଅତୀତର ଆଇନଗୁଡିକରେ ଅପେକ୍ଷାକୃତ କମ୍‌ ପରିମାଣର ସଂଶୋଧନ ଦରକାର ହେଉଥିବାବେଳେ ବର୍ତ୍ତମାନର ଆଇନ ଅଧିକ ସଂଖ୍ୟକ ସଂଶୋଧନ ଆବଶ୍ୟକ କରୁଛି। କେବଳ ସେତିକି ନୁହେଁ, ବିଲ୍‌ ଉପରେ ବିଧାନସଭା ବିତର୍କ ସମୟ ମଧ୍ୟ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି। ବିଧି ପ୍ରଣୟନ ବିଧାନସଭାର ଅନ୍ୟତମ ମୁଖ୍ୟ କାର୍ଯ୍ୟ ହୋଇଥିବା ଯୋଗୁଁ ଆଇନ ତିଆରି ପାଇଁ ଗୃହରେ ଅଧିକ ସମୟ ଉପାଦେୟ ଚର୍ଚ୍ଚା ହେବା ଆବଶ୍ୟକ। ମାତ୍ର ବିଭିନ୍ନ କାରଣରୁ ଏବେ ବିଧାନସଭାରେ ଅତି ସ୍ବଳ୍ପ ସମୟ ପାଇଁ ବିଲ୍‌ ଉପରେ ଆଲୋଚନା ହେଉଛି।

ପ୍ରଥମ ଲୋକସଭା ଅଧିବେଶନରେ 48 ଦଶମିକ 74 ପ୍ରତିଶତ ସମୟ ବିଲ୍‌ ଉପରେ ବିତର୍କ ଲାଗି ବିନିଯୋଗ ହୋଇଥିବାବେଳେ 2005/06ରେ ଉଭୟ ଲୋକସଭା ଓ ରାଜ୍ୟ ସଭା ଅଧିବେଶନରେ ଯଥାକ୍ରମେ  20 ଏବଂ 23 ଶତାଂଶ ସମୟ ସେଥିନିମେନ୍ତ ଉପଯୋଗ ହୋଇଛି। ସେହିପରି ଓଡ଼ିଶା ବିଧାନସଭା ଅଧିବେଶନରେ ପ୍ରାୟ 10 ପ୍ରତିଶତ ସମୟ ଆଇନ ତିଆରି ପାଇଁ ବ୍ୟବହୃତ ହେଉଥିବା ଜଣାପଡିଛି।

ସେହିପରି ବଜେଟ୍‌ ଓ ଅର୍ଥ ବିଲ୍‌ଗୁଡିକ ଅନୁମୋଦନ କରିବା ହେଉଛି ବିଧାନସଭାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ପୂର୍ବରୁ ବଜେଟ୍‌ ବା ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ପ୍ରସ୍ତାବ ଉପରେ ବିଧାୟକମାନେ ଗଭୀରତମ ପ୍ରଦେଶକୁ ଯାଇ ଯେଭଳି ଚର୍ଚ୍ଚା ଚଳାଉଥିଲେ, ତହିଁରୁ ଭିନ୍ନ ଭିନ୍ନ ବିଷୟ ଉପରେ ସେମାନଙ୍କର ଗଭୀର ଜ୍ଞାନର ପରିଚୟ ମିଳୁଥିଲା। ମାତ୍ର ବର୍ତ୍ତମାନ ଗତାନୁଗତିକ ଧାରାରେ ଅପେକ୍ଷାକୃତ ଭାବରେ ବଜେଟ୍‌, ଅର୍ଥ ବିଲ୍ ଓ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଚର୍ଚ୍ଚା ହେବା ଫଳରେ ତହିଁରୁ ଜନସାଧାରଣଙ୍କୁ ଆବଶ୍ୟକ ସୁଫଳ ମିଳିପାରୁନାହିଁ।

ବିଧାନସଭା ବିତର୍କର ଗୁଣାତ୍ମକ ମାନ ହେଉଛି ଅନ୍ୟତମ ଭାବଗମ୍ଭୀର  ପ୍ରସଙ୍ଗ। ଗୋଟିଏ ଦିନର ବିଧାନସଭା ଅଧିବେଶନ ଲାଗି ସମ୍ପ୍ରତି ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ସାଧାରଣ ଟିକସଦାତାଙ୍କ ଅର୍ଥରେ ପରିଚାଳିତ ଅଧିବେଶନର ମୂଲ୍ୟବାନ ସମୟ ଯେପରି ଅପଚୟ ନ ହୁଏ, ସେଥିପ୍ରତି ସମେସ୍ତ ଯତ୍ନବାନ ହେବା  ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ବିଧାୟକମାନେ ଗୃହରେ ଉତ୍ତମ ଗୁଣବତ୍ତାର ବିତର୍କ ଚଳାଇବା ବାଞ୍ଛନୀୟ।

ସେଥିଯୋଗୁଁ ଅତୀତରେ ବିଧାୟକମାନେ ପୂର୍ବ ପ୍ରସ୍ତୁତ ହୋଇ ବିଧାନସଭାକୁ ଆସୁଥିଲେ ଏବଂ ଗୃହରେ ଉତ୍କୃଷ୍ଟ ମାନର ଆଲୋଚନା ଚଳାଉଥିଲେ। ଫଳରେ ସରକାର ଉପରେ ତା’ର ଗଭୀର ପ୍ରଭାବ ପଡୁଥିଲା ଏବଂ ସାଧାରଣେ ବିଧାନସଭାର ମର୍ଯ୍ୟାଦା ମଧ୍ୟ ବୃଦ୍ଧି ପାଉଥିଲା। କିନ୍ତୁ ବର୍ତ୍ତମାନ ଅନେକ ବିଧାୟକ ବିନା ପ୍ରାକ୍‌- ପ୍ରସ୍ତୁତିରେ ଗୃହକୁ ଆସୁଛନ୍ତି ଓ ଅପେକ୍ଷାକୃତ ଗୌଣ ପ୍ରସଙ୍ଗ ଉପରେ ହାଲୁକା ବିତର୍କ ଚଳାଉଛନ୍ତି। ତଦ୍ବାରା ଗୋଟିଏ ପକ୍ଷରେ ବିଧାନସଭା ବିତର୍କର ମାନ ନିମ୍ନଗାମୀ ହେଉଛି, ଅନ୍ୟପକ୍ଷରେ ସେହି ଚର୍ଚ୍ଚାର ବିଶେଷ ପ୍ରଭାବ ପ୍ରଶାସନ ଉପରେ ଉପଲବ୍ଧ ହେଉନାହିଁ। ପରିଣାମରେ ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ନିକଟରେ ବିଧାନସଭା ତା’ର ପୂର୍ବ ଗାରିମା ଅତୁଟ ରଖିପାରୁନାହିଁ।

ଏତଦ୍‌ଭିନ୍ନ ଆବଶ୍ୟକ ପୂର୍ବ-ପ୍ରସ୍ତୁତି ଅଭାବରୁ ବିଧାୟକମାନେ ଗୃହରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠାଇବା ଲାଗି ଅନେକ ସମୟ ଅପଚୟ କରୁଛନ୍ତି। ଫଳରେ ବିଧାନସଭାର ବହୁ ମୂଲ୍ୟବାନ ସମୟ ଅବାଞ୍ଚିତ ଭାବେ ନଷ୍ଟ ହେଉଛି ଏବଂ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅଧିବେନଶନ ଚାଲୁଥିଲେ ସୁଦ୍ଧା ତହିଁରୁ ଉପଯୁକ୍ତ ସୁଫଳ ମିଳିପାରୁନାହିଁ।

ବିଧାନସଭା କୌଣସି ସାଧାରଣ ସଭାସ୍ଥଳୀ ନୁହେଁ  ତେଣୁ ବିଧାୟକମାନେ ଏଠାରେ ଅଧିକ ସମୟ ପାଇଁ ବକ୍ତବ୍ୟ ପ୍ରଦାନର ବିଶେଷ ଅବକାଶ ନଥାଏ। ସ୍ବଳ୍ପ ସମୟ ଭିତରେ ଉପଯୁକ୍ତ ଭାବରେ ବକ୍ତବ୍ୟ ଉପସ୍ଥାପନ କରିବା ହେଉଛି ସୁସ୍ଥ ସଂସଦୀୟ ଗଣତାନ୍ତ୍ରିକ ପରମ୍ପରା। ସେଥିରେ ବ୍ୟତିକ୍ରମ ଘଟିଲେ, ବିଧାନସଭାର ମର୍ଯ୍ୟାଦାକ୍ଷୁର୍ଣ୍ଣ ହେବା ସହିତ ବିଧାୟକମାନଙ୍କ ଗୁରୁତ୍ବ ମଧ୍ୟ ହ୍ରାସ ପାଇବ, ଯାହାକି ସଂସଦୀୟ ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

ନ୍ୟାୟାଳୟର ସ୍ଥଗିତାବସ୍ଥା ହଟାଇବା ଲାଗି ଆଇନ୍‌ ମନ୍ତ୍ରୀଙ୍କ ସହିତ ପରାମର୍ଶ କରିବି – ବାଚସ୍ପତି

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ରାଜ୍ୟର ଏକ ତୃତୀୟାଂଶ ସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷାକମାନେ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଥିଯୋଗୁଁ ଗୁଣାତ୍ମକ ଶିକ୍ଷାଦାନ କର୍ମୀ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ବୋଲି ଉଲ୍ଲେଖ କରି ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ନ୍ୟାୟାଳୟର ସ୍ଥଗିତାବସ୍ଥା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି ବୋଲି ବର୍ଣ୍ଣନା କରି ସେ ଏହି ଅଦାଲତ ସମସ୍ୟାର ଆଶୁ ପ୍ରତିକାର ଲାଗି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବିଧାନସଭାର ଶୂନ୍ୟକାଳରେ ଏ ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ଶତପଥୀ କହିଲେ, ନ୍ୟାୟାଳୟରେ ମାମଲା ବିଚରାଧୀନ ଥିବା ଆଳରେ ସରକାର ସମସ୍ୟାକୁ ଏଡାଇଯିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ସେହି ଅଦାଲତି କଟକଣା ହଟାଇବା ପାଇଁ କୌଣସି ପ୍ରୟାସ କରୁନାହାଁନ୍ତି। ଫଳରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକପ୍ରକାର ଅଚଳାବସ୍ଥା ଉପୁଜିଛି। ନ୍ୟାୟାଳୟର ସ୍ଥଗିତାବସ୍ଥା ହଟାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦୃଢ ଦାବି କରିଥିଲେ।

ଉତ୍ତରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜଣାଇଥିଲେ ଯେ, ଶିକ୍ଷା ସମେତ ଅନେକ ବିଭାଗରେ ବିପୁଳ ସଂଖ୍ୟକ ମାମଲା ନ୍ୟାୟାଳୟମାନଙ୍କରେ ବିଚାର ଅପେକ୍ଷାରେ ପଡି ରହିଛି। ତେଣୁ ସମସ୍ୟାର ସମାଧାନ ଲାଗି ଆଇନ ମନ୍ତ୍ରୀଙ୍କ ସହିତ ପରାମର୍ଶ କରି ମୁଁ ଆବଶ୍ୟକ ରୁଲିଂ ପ୍ରଦାନ କରିବି। ଏହାପରେ ଏଥିରେ ଉପୁଜିଥିବା ବିବାଦର ଅବସାନ ଘଟିଥିଲା।

Categories
ବିଶେଷ ଖବର

ଭାଷା ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ନେଇ ଗୃହରେ ଉଦ୍‌ବେଗ

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ଲାଗି କେନ୍ଦ୍ରୀୟ ଅନୁଦାନ ନ ମିଳିବା ପ୍ରତିବାଦରେ ଆଜି ବିଧାନସଭାରେ କଂଗ୍ରେସ ବିଧାୟକମାନେ ହଙ୍ଗମା କରିଛନ୍ତି। ସେମାନେ ଅଭିଯୋଗ ବାଢିଛନ୍ତି ଯେ, ବିଭିନ୍ନ ପ୍ରାଦେଶିକ ଭାଷା ଓ ସଂସ୍କୃତିର ଉନ୍ନତି ଲାଗି କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସେଥିମଧ୍ୟରୁ ସିଂହଭାଗ ଅର୍ଥାତ୍‌ ୯୦ ପ୍ରତିଶତ ଅର୍ଥ ସଂସ୍କୃତ ଭାଷାର ବିକାଶ ନିମନ୍ତେ ବରାଦ ହୋଇଛି। ଜଣେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବାରେ ବିଜୁ ଜନତା ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୁଦ୍ଧା ପ୍ରତିଦାନରେ  ଓଡ଼ିଆ ଭାଷା ସଂସ୍କୃତିର ବିକାଶ ଲାଗି ଭାରତ ସରକାର କାଣି କଉଡିଟିଏ ମଧ୍ୟ ଦେଇନାହାନ୍ତି। ରାଜ୍ୟ ସରକାର ଏଥିନେଇ କେନ୍ଦ୍ର ଉପରେ କିଭଳି ଚାପ ପକାଇଛନ୍ତି, ତାହା ଜଣାଇବା ଲାଗି ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକମାନେ ଅଡି ବସିଥିଲେ। ଏହାପରେ ସେମାନେ ଗୃହର ମଧ୍ୟଭାଗ୍ୟକୁ ଯାଇ ହଟ୍ଟଗୋଳ ସୃଷ୍ଟି କରିଥିଲେ। ତେବେ ଓଡ଼ିଶା କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହେବା ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ଦେବେ ବୋଲି  ବାଚସ୍ପତିଙ୍କ ଆଶ୍ବାସନା କଂଗ୍ରେସ ସଭ୍ୟମାନଙ୍କୁ ଆଶ୍ବସ୍ତ କରିପାରିନଥିଲା। ସେମାନେ ଗୃହର ମଧ୍ୟଭାଗରେ ଛିଡା ହୋଇ ବିଭିନ୍ନ ନାରାବାଜି ଚଳାଇବା ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୧୨ଟା ୧୪ ମିନିଟ୍‌ରେ ଗୃହର କାର୍ଯ୍ୟ ୧୫ ମିନିଟ୍‌ ପାଇଁ ମୁଲତବୀ ରଖିଥିଲେ। ଏହାପରେ ୧୨ଟା ୨୯ ମିନିଟ୍‌ରେ ଉପ-ବାଚସ୍ପତି  ରଜନୀକାନ୍ତ ସିଂହ ଗୃହର କାର୍ଯ୍ୟ ୨୧ ମିନିଟ୍‌ ପାଇଁ ମୁଲତବୀ କରିଥିଲେ। ଶେଷରେ ବାଚସ୍ପତି ଜଣାଉଥିଲେ ଯେ, ଆସନ୍ତାକାଲି ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଏଥିନେଇ ବିବୃତ୍ତି ରଖିବେ। ଏହାପରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଘେନି ଗୃହରେ ଉପୁଜିଥିବା ଅସ୍ବାଭାବିକ ପରିସ୍ଥିତିର ପରିସମାପ୍ତି ଘଟିଥିଲା।

ଆଜି ବିଧାନସଭାର ଶୂନ୍ୟକାଳରେ ଓଡ଼ିଆ ଭାଷା ସଂସ୍କୃତି ଲାଗି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ବ୍ୟତୀତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ମହାନଦୀ ଗ୍ରୀନ୍‌ ମିଶନ, ବିଧାୟକମାନଙ୍କୁ କ୍ବାର୍ଟର ଯୋଗାଣ, ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ଲାଗି କ୍ଷତିପୂରଣ, ବେସରକାରୀ କଲେଜ ଅଧ୍ୟାପକମାନଙ୍କୁ ୨୧ ମାସର ବକେୟା ଦରମା ପ୍ରଦାନ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ସରଗରମ ଆଲୋଚନା ହୋଇଥିଲା।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏକ ବୈଧାନିକ ପ୍ରଶ୍ନ ଜରିଆରେ ଘରୋଇ କଲେଜ ଅଧ୍ୟାପକଙ୍କ ଆର୍ଥିକ ଦୁର୍ଦ୍ଦଶା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଦର୍ଶାଇଥିଲେ ଯେ, ଜଣେ ଘରୋଇ କଲେଜ ଅଧ୍ୟାପକ ଅବସର ନେବା ପରେ ମାତ୍ର ୫ ଲକ୍ଷ ଟଙ୍କା ପାଇଥିବାବେଳେ ସରକାରୀ କଲେଜ ଅଧ୍ୟାପକମାନେ ୧୫ ଲକ୍ଷ ଟଙ୍କା ହାସଲ କରୁଛନ୍ତି। ସେହିପରି ଘରୋଇ କଲେଜ ଅଧ୍ୟାପକମାନଙ୍କ ୨୧ ମାସର ବକେୟା ଦରମା ତୁରନ୍ତ ପ୍ରଦାନ ଲାଗି ସେ ଦୃଢ ଦାବି କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଉଲ୍ଲେଖ  କରିଥିଲେ ଯେ, ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ସରକାର ପଶ୍ଚିମ ଓଡ଼ିଶା ନ୍ୟାୟାଳୟର ମାମଲାଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ମାତ୍ର ସେଥିପାଇଁ ମାମଲା ଦାୟରକାରୀଙ୍କ ସମ୍ମତି ହାସଲ କରାଯାଇନାହିଁ। ଇତିମଧ୍ୟରେ ପଶ୍ଚିମ ଓଡ଼ିଶାର ଓକିଲମାନେ ଆନ୍ଦୋଳନରୁ ଓହରିଯାଇଥିବାରୁ ମାମଲା ସ୍ଥାନାନ୍ତର ନିର୍ଦ୍ଦେଶକୁ ସରକାର ପ୍ରତ୍ୟାହାର କରନ୍ତୁ।

ଏହାପରେ ଶ୍ରୀ ମିଶ୍ର ସେଥିନେଇ ଗୃହରେ ଆଇନମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ଫଳରେ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଥିଲେ ଯେ, ଆଇନ ବିଭାଗ ଏହି ସମସ୍ୟାକୁ ପରୀକ୍ଷା କରିବ ଏବଂ ସମ୍ପୃକ୍ତ ମନ୍ତ୍ରୀ ସେଥିନେଇ ଗୃହରେ ବିବୃତ୍ତି ରଖିବେ।

ସେହିପରି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ ବିଧାୟକମାନେ ସାତ ମାସ ଧରି କ୍ବାର୍ଟର ପାଇନଥିବା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବାରମ୍ବାର ନିବେଦନ ସତ୍ତ୍ବେ କ୍ବାର୍ଟର ପାଇବାକୁ ସମର୍ଥ ହୋଇନଥିବାରୁ ସେ ଏକ କବିତା ଆବୃତ୍ତି କରିଥିଲେ। ଫଳରେ ବାଚସ୍ପତି ଏଥିନେଇ ତାଙ୍କ ପ୍ରକୋଷ୍ଠରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଯେଉଁ ବିଧାୟକମାନେ କ୍ବାର୍ଟର ପାଇନାହାନ୍ତି, ସେମାନଙ୍କୁ  ତୁରନ୍ତ ଯୋଗାଇଦେବା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟ ପକ୍ଷରେ ଶାସକ ଦଳର ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ ଉଲ୍ଲେଖ କରିଥିଲେ ଯେ, ମହାନଦୀ ଗ୍ରୀନ୍‌ ମିଶନ ଯୋଜନାରେ ବ୍ୟାପକ ବନୀକରଣ ପାଇଁ ସ୍ଥିରୀକୃତ ହୋଇଛି, କିନ୍ତୁ ସେହି କାର୍ଯ୍ୟକ୍ରମ ମନରେଗା ମାଧ୍ୟମରେ ରୂପାୟିତ କରିବା ଲାଗି ନିଷ୍ପତ୍ତି ହୋଇଛି। ମାତ୍ର ଜଙ୍ଗଲ ବିଭାଗ ଏହି ବନୀକରଣ ପାଇଁ ସ୍ବତନ୍ତ୍ର ଭାବରେ ଅର୍ଥ ଆବଣ୍ଟନ ନକଲେ, ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ।

ସର୍ବୋପରି ବିଜେଡି ସଭ୍ୟ ବିଷ୍ଣୁବ୍ରତ ରାଉତରାୟ ଦର୍ଶାଇଥିଲେ ଯେ, ସାପକାମୁଡାଠାରୁ ଆରମ୍ଭ କରି ଘଡଘଡି ବିଜୁଳି ଆଘାତରେ ପର୍ଯ୍ୟନ୍ତ ମୃତ୍ୟୁ ପାଇଁ କ୍ଷତିପୂରରଣ ବ୍ୟବସ୍ଥାଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ପାଇଁ ସହାୟତାର ବ୍ୟବସ୍ଥା ନାହିଁ। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ଲାଗି ସରକାର ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।

Categories
ବିଶେଷ ଖବର

ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା

କେଦାର ମିଶ୍ର

ବିଜୁ ଜନତା ଗଠନ ହେବା ଦିନଠୁ ଏହା କ୍ଷମତାରେ ରହି ଆସିଛି। ୧୯୯୮ ରୁ ଆଜି ପର୍ଯ୍ୟନ୍ତ ଦଳର ଶୀର୍ଷ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ରହି ଆସିଛି। ତେବେ ବିଜେଡି ଭିତରେ ନବୀନଙ୍କ ନେତୃତ୍ଵ ଅନେକ ସମୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛି। ବନ୍ଧୁତା ଓ ବିଶ୍ଵାସଘାତକତାର ଦୀର୍ଘ ଅନୁଭୂତି ନବୀନ ବାବୁଙ୍କର ରହିଛି। ପାଞ୍ଚଥର ସରକାର ଗଢିବା ଭିତରେ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ଭିତରେ କିଛି ନେତା ଅସନ୍ତୁଷ୍ଟ ଓ ରୁଷ୍ଟ ହୋଇଛନ୍ତି। ଗୋଟେ ପୁରୁଣା ସିନେମାର ନାଁ ଅନୁସାରେ ଆମେ ଏମାନଙ୍କୁ ଅଶାନ୍ତ ଗ୍ରହ ବୋଲି କହିପାରିବା। ନବୀନଙ୍କୁ ବିରୋଧ କରିବାକୁ ଯାଇ ଏଇ ନେତାମାନେ ନିଜେ ସମାପ୍ତ ହୋଇ ଯାଇଛନ୍ତି। ବିଜେଡ଼ିରୁ ନବୀନଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ ଏମିତି ଜଣେ ବି ନେତା ନାହାନ୍ତି ଯିଏ ଅନ୍ୟ କେଉଁଠି ଉଧେଇ ପାରିଛନ୍ତି।

ପ୍ରଥମ ପର୍ଯ୍ୟାୟର ସରକାର ଗଠନ ବେଳେ ଏଇ ଧାରା ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ ହୋଇଥିଲା। ଅନଭିଜ୍ଞ ନବୀନଙ୍କୁ କ୍ଷମତାରେ ବସାଇ ବାସ୍ତବ କ୍ଷମତାକେନ୍ଦ୍ର ହେବାର ସ୍ଵପ୍ନ ଦେଖୁଥିବା ବିଜୟ ମହାପାତ୍ରଙ୍କୁ ସେ ଏମିତି ଏକ ଝଟକା ଦେଇଥିଲେ ଯେ, ବିଜୟ ଆଜି ମଧ୍ୟ ଉଠିବା ଅବସ୍ଥାକୁ ଆସିନାହାନ୍ତି। ତା ପରେ ପରେ ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ବ୍ରଜକିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ ପ୍ରମୁଖ ସେଇ ଅଶାନ୍ତ ଗ୍ରହର ଭୂମିକା ନେଇ କକ୍ଷଚ୍ୟୁତ ହୋଇଛନ୍ତି। ବିଜେଡି ଭିତରେ ଏଇ ନେତାମାନେ ଗୋଟେ ସମୟରେ ବେଶ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ। ୨୦୦୦ରେ ନବୀନ ବାବୁ ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାର କିଛି ବର୍ଷ ଭିତରେ ଏକଦା ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ଅନ୍ୟତମ କ୍ଷମତାକେନ୍ଦ୍ର ହେବା ଆରମ୍ଭ କଲେ। ଏଠି କହି ରଖିବା ଉଚିତ ହେବ ଯେ, ନବୀନଙ୍କ କ୍ଷମତା ବଳୟ ଭିତରେ ଯିଏ ବି ଦ୍ଵିତୀୟ କ୍ଷମତାକେନ୍ଦ୍ର ହେବାର ଚେଷ୍ଟା କରିଛି, ତାର ଡେଣା କଟିଛି।

ପ୍ୟାରୀ ବାବୁଙ୍କ ଭାଗ୍ୟରେ ମଧ୍ୟ ଠିକ ସେୟା ଘଟିଲା। ପ୍ରାୟ ଦଶ ବର୍ଷ ଧରି ଦ୍ଵିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବିଜେଡ଼ିରୁ ତଡା ଖାଇଲେ। ବିଜେଡ଼ିରୁ ବିତାଡିତ ହେବାପରେ ପ୍ୟାରୀଙ୍କ ରାଜନୈତିକ ଜୀବନ ଅନ୍ଧାର ହୋଇଗଲା ଓ ଏହାର ଅଳ୍ପଦିନ ପରେ ସେ ଆରପାରିକୁ ଚାଲିଗଲେ। ୨୦୧୪ ରୁ ୧୯ ଭିତରେ ଏଇ ଅଶାନ୍ତ ଗ୍ରହମାନଙ୍କର ସଂଖ୍ୟା ଟିକେ ଅଧିକ ଥିଲା। ୨୦୧୪ ନିର୍ବାଚନ ପରେ ପରେ ବିଜେଡ଼ିର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ଅଶାନ୍ତ ହେବା ଆରମ୍ଭ କରିଥିଲେ। କ୍ରମଶଃ ବୈଜୟନ୍ତଙ୍କ ସହ ନବୀନଙ୍କ ଦୂରତା ବଢିଲା ଓ ୨୦୧୭  ପଞ୍ଚାୟତ ନିର୍ବାଚନ ପରେ ବିଜେଡ଼ିରୁ ବୈଜୟନ୍ତଙ୍କ ନାଁ କଟିଲା। ତେବେ ଏହି ପାଳିରେ ସବୁଠୁ ବଡ ଅଶାନ୍ତ ଗ୍ରହର ଭୂମିକା ନେଇଥିଲେ ମନ୍ତ୍ରୀ ଦାମୋଦର ରାଉତ। ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରେ ରହି ମଧ୍ୟ ସରକାରକୁ ଅଡୁଆରେ ପକାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ଏହାର ପରିଣତି ତାଙ୍କୁ ଯଥାଶୀଘ୍ର ଭୋଗିବାକୁ ପଡିଥିଲା। ପ୍ରଥମେ ମନ୍ତ୍ରୀମଣ୍ଡଳରୁ ଓ ପରେ ଦଳରୁ ତଡା ଖାଇ ଦାମୋଦର ବାବୁ ଏବେ ପରାସ୍ତ ନେତାର ଭାଗ୍ୟ ନେଇ ଅଛନ୍ତି।

ବାରମ୍ଵାର ଦଳ ଭିତରେ ଅଶାନ୍ତି ଓ ଅସନ୍ତୋଷକୁ ସାମ୍ନା କରିଆସୁଥିବା ନବୀନ ଅସନ୍ତୁଷ୍ଟଙ୍କୁ “ସାଇଜ” କରିବାର କଳାରେ ଢେର ଅଭିଜ୍ଞତା ହାସଲ କରିଛନ୍ତି। ପଞ୍ଚମ ପାଳି ସରକାର ଗଢିବା ବେଳେ ବିଜେଡି ଭିତରେ ବୋଧହୁଏ ପ୍ରଥମ ଅଶାନ୍ତ ଗ୍ରହ ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପାଟି ଟିକେ ବେଶୀ ଶୁଭୁଛି। ମନ୍ତ୍ରୀ ହୋଇନଥିବାରୁ ବିଧାନସଭା ଭିତରେ ସରକାରକୁ ଅକଳରେ ପକାଇବାକୁ ମହାରଥୀ ବାରମ୍ବାର ପ୍ରୟାସ କରୁଛନ୍ତି। ସେଥିପାଇଁ ତାଙ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରୋକ୍ଷ ତାଗିଦ ମଧ୍ୟ କଲେଣି। ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ମହାରଥୀଙ୍କୁ ଯେମିତି ଛିଗୁଲାଇଛନ୍ତି, ସେଟା କଦାପି ତାଙ୍କର ବ୍ୟକ୍ତିଗତ ସାହସ ହୋଇନଥିବ। ମହାରଥୀଙ୍କୁ ଏହା ମାଧ୍ୟମରେ ଏକ ପ୍ରକାର ପରୋକ୍ଷ ଚେତାବନୀ ଦିଆଯାଇଛି।

ତେବେ ମହାରଥୀଙ୍କ ତୁଣ୍ଡକୁ ଲଗାମ ଦେବା ସରକାରୀ ଦଳ ପକ୍ଷରେ ସହଜ ହେବନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ମନ୍ତ୍ରୀ କରିବା ମଧ୍ୟ ନବୀନଙ୍କ ଲାଗି ଗୋଟେ ବଡ ବୋଝ ପାଲଟିଯିବ। ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକଙ୍କୁ ମାଡମାରିବା, ବେବିନା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେବା ଭଳି ପ୍ରସଙ୍ଗରେ ବିଜେଡି ମହାରଥୀଙ୍କ ଯୋଗୁଁ ଅପଦସ୍ତ ହୋଇଛି। ତେଣୁ ସ୍ଵାଭାବିକ ଭାବରେ ତାଙ୍କୁ ମନ୍ତ୍ରୀ କରିବାକୁ ନବୀନ ଚାହୁଁ ନାହାନ୍ତି। ହେଲେ କ୍ଷମତା ପାଇବାକୁ ବିଧାନସଭା ମାଧ୍ୟମରେ ଚାପ ପ୍ରୟୋଗର କୌଶଳ ମହାରଥୀ ଆପଣାର କରିଛନ୍ତି। ଏଇ ସମୟରେ ବିଜେଡ଼ିର ନୂଆ ଅଶାନ୍ତ ଗ୍ରହ ଭାବରେ  ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ।  ବୋଧହୁଏ ଏଇ ପାଳିର ସରକାରରେ ପ୍ରଦୀପ ମହାରଥି ଦାମୋଦର ରାଉତଙ୍କ ଶୂନ୍ୟସ୍ଥାନ ପୂରଣ କରିପାରନ୍ତି!!

Categories
ବିଶେଷ ଖବର ବ୍ୟବସାୟ

ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁଠୁ ?

କେଦାର ମିଶ୍ର

ଲୋକକଲ୍ୟାଣ ଓ ଜନମଙ୍ଗଳ ଯଦି ଆମ ସମ୍ବିଧାନର ମୌଳିକ ବିଚାର ବୋଲି ଆମେ ଗ୍ରହଣ କରୁ ତାହେଲେ, ଓଡିଶାର ଚଳିତ ବଜେଟ ସେ ଦୃଷ୍ଟିରୁ ଏକ  ଉଦାହରଣ ସୃଷ୍ଟି କରିଥିବା ବଜେଟ। ସାରା ଦେଶରେ ଯେତେବେଳେ କୃଷି କ୍ଷେତ୍ର ଲାଗି ସରକାରୀ ପୁଞ୍ଜି ଲଗାଣ କମିଯାଉଛି ସେହି ସମୟରେ ଓଡିଶା ଗତ ପାଞ୍ଚ ବର୍ଷରେ ନିଜର କୃଷି ବଜେଟକୁ ତିନିଗୁଣ ବୃଦ୍ଧି କରିଛି। ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଏହା ନିଶ୍ଚିତ ଭାବରେ ଏକ ଉପଯୋଗୀ ପଦକ୍ଷେପ। ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ, କୃଷି ଇତ୍ୟାଦି କ୍ଷେତ୍ର ଉପରେ ଏହି ବଜେଟରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା(୫୬୧୧କୋଟି), ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(୧୨୦୩କୋଟି),ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ(୧୭୭୭କୋଟି), ପ୍ରେରଣା ବୃତ୍ତି ଯୋଜନା(୧୪୨୫କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ(୧୩୬୫କୋଟି) ଇତ୍ୟାଦି ସିଧାସଳଖ ଲୋକଙ୍କ ଜୀବନ ଓ ଜୀବିକା ଲାଗି ଉଦ୍ଦିଷ୍ଟ। ଶିଳ୍ପ ଓ ବାଣିଜ୍ୟ ତୁଳନାରେ କୃଷି ତଥା ଶିକ୍ଷା କ୍ଷେତ୍ର ଉପରେ ବଜେଟ ବିଶେଷ ଗୁରୁତ୍ଵ ଦେଇଛି। ବଜାର ଅର୍ଥନୀତିର ପ୍ରାବଲ୍ୟ ସମୟରେ ଏମିତି ଏକ ନେହେରୁ ପରମ୍ପରାର ବଜେଟକୁ ଅର୍ଥନୀତିଜ୍ଞମାନେ “ବେକାର ବଜେଟ” ବୋଲି କହିବାର ସମ୍ଭାବନା ଅଧିକ। ଲୋକଙ୍କୁ ଦେବାକଥା ଏ ବଜେଟରେ ବହୁତ ଅଧିକ କୁହାଯାଇଛି। ତେବେ ନୂଆ ଅର୍ଥନୀତିରେ ଲୋକଙ୍କୁ ଦେବା ଅପେକ୍ଷା ଲୋକଙ୍କଠୁ ଅଧିକ ନେବା ଉପରେ ଗୁରୁତ୍ଵ ଆରୋପ କରାଯାଇଥାଏ। ଓଡିଶା ସରକାରଙ୍କ ଏ ବଜେଟ ଅନେକାଂଶରେ ଏକ ସମାଜବାଦୀ ବଜେଟ ବୋଲି କୁହାଯାଇପାରିବ।

ଆମ ରାଜ୍ୟରେ ବଜେଟ ବିଶ୍ଳେଷଣର ଦୁଇଟି ଧାରା ସବୁବେଳେ ରହି ଆସିଛି। ଗୋଟେ ରାଜନୈତିକ ଧାରା ଓ ଅନ୍ୟଟି ଅର୍ଥନୈତିକ ଧାରା। ରାଜନୀତିରେ ଶାସକ ଦଳ ନିଜ ବଜେଟକୁ କ୍ରାନ୍ତିକାରୀ କହନ୍ତି ଓ ବିରୋଧୀ ଏହା ଲୋକ ବିରୋଧୀ ବୋଲି କୁହନ୍ତି। ହେଲେ ଏଥର ବଜେଟକୁ ଲୋକ ବିରୋଧୀ ବୋଲି କହିବାକୁ ବିରୋଧୀ ମଧ୍ୟ ସାହସ କରିନାହାନ୍ତି। ବଜେଟ ଆରମ୍ବହରୁ ଶେଷ ପର୍ୟନ୍ତ ଏତେ ଗୁଡିଏ ଲୋକକଲ୍ୟାଣକାରୀ ଯୋଜନା ଅଛି ଯେ, ତାକୁ ଲୋକବିରୋଧୀ କହିଲେ ଲୋକହସା ହେବା ସାର ହେବ! ତେବେ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ବଜେଟକୁ ନେଇ ଅନେକ ପ୍ରଶ୍ନ ପଚରାଯାଇପାରିବ।ତେବେ ସେ ପ୍ରଶ୍ନ ବିରୋଧୀ ଦଳଙ୍କ ଭଳି ପଚାରିଲେ, ସେଟା ହାସ୍ୟାସ୍ପଦ ଇ ହେବ। ଯେମିତି ରାଜ୍ୟର ନିଜସ୍ଵ ଟିକସ ଆୟ ୨୪.୮୮% କୁ ଇ କେବଳ ରାଜ୍ୟର ଆୟ ଓ ବାକି ସବୁ ଋଣ ତଥା କେନ୍ଦ୍ରୀୟ ଅନୁଦାନ ବୋଲି ବିରୋଧୀ ଦଳ କହୁଛନ୍ତି। ଏହା ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ବାଚାଳ ଯୁକ୍ତି ବୋଲି କୁହାଯାଇପାରେ। କେନ୍ଦ୍ର ରୁ ବିଭିନ୍ନ ଟିକସ, କର, ସେସ ଓ ରୟାଲିଟି ବାବଦକୁ  ରାଜ୍ୟ ୨୯.୫୫% ଅର୍ଥ ପାଇବ ଓ ଏହା ରାଜ୍ୟର ରାଜସ୍ୱ ଅଧିକାର। ଏହା କେନ୍ଦ୍ରର ଅନୁଦାନ ନୁହେଁ। କେନ୍ଦ୍ରର ଅନୁଦାନ ରାଜ୍ୟ ଆୟରେ ମାତ୍ର ୧୯.୯୮%। ବଜେଟକୁ କେନ୍ଦ୍ର ଆଭିମୁଖି ବୋଲି କହିବା ହୁଏତ ରାଜନୈତିକ ଦୃଷ୍ଟିରୁ ଭଲ ଶୁଭିପାରେ, ତେବେ ତାହା ଅସତ୍ୟ।

ତେବେ ବଜେଟର ସବୁଠୁ ଚିନ୍ତାଜନକ ଦିଗଟି ହେଉଛି ବଜେଟର ପାଖାପାଖି ୪୦% ଅର୍ଥ କେବଳ ପ୍ରଶାସନିକ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ମୋଟ ୧ ଲକ୍ଷ ୩୯ ହଜାର କୋଟିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭,୩୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ୭୦,୬୦୦ କୋଟି ଟଙ୍କା ବିଭିନ୍ନ କାର୍ୟକ୍ରମରେ ଖର୍ଚ୍ଚ ହେବ। ଲୋକ କଲ୍ୟାଣ ଖର୍ଚ୍ଚ ତୁଳନାରେ ପ୍ରଶାସନିକ ଖର୍ଚ୍ଚକୁ କମ କରିବା ସରକାରଙ୍କର ଲକ୍ଷ୍ୟ ହେବ ଉଚିତ ନୁହଁ କି? ଯଦିଓ ଏ କଥା ମଧ୍ୟ ସତ୍ୟ ଯେ ୨୦୦୭-୦୮ ମସିହା ବେଳକୁ ରାଜ୍ୟରେ ଲୋକକଲ୍ୟାଣ ପାଇଁ ମାତ୍ର ୫,୧୦୫ କୋଟି ଟଙ୍କା ଥିବା ବେଳେ ଆଜି ତାହା ୬୨,୦୦୦ କୋଟିରେ ପହଞ୍ଚିଛି। ଅର୍ଥାତ ୧୨ ବର୍ଷରେ ଏହି ବ୍ୟୟ ବରାଦ ୧୨ ଗୁଣ ବଢିଛି। ରାଜ୍ୟର ରାଜସ୍ୱ ବଢିଛି ଓ ସମ୍ବଳ ଯୋଗାଡ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ନଚେତ ଏତେ ପରିମାଣରେ କାର୍ୟକ୍ରମ ଲାଗୁ କରିବା ସମ୍ଭବ ହୁଅନ୍ତା ନାହିଁ।

ଋଣ ଆଣିବାକୁ ନେଇ ମଧ୍ୟ ଗୁଡାଏ ବିଭ୍ରାନ୍ତିକର ତଥ୍ୟ ଦିଆ ଯାଉଛି। ୧୫.୬୮% ଋଣ ସେମିତି କିଛି ଉଦବେଗଜନକ ନୁହେଁ। ଋଣ ବିନା ଦେଶ ବା ରାଜ୍ୟର ଅର୍ଥନୀତି ଚାଲିବ ନାହିଁ। ତେବେ କମ ଋଣ କାଲେ କମ ସୁଧ ଦେବାକୁ ପଡିବ ଓ ସେଥିରୁ ବଳକା ଅର୍ଥ ଲୋକ କଲ୍ୟାଣ କାମରେ ଲାଗିପାରିବ। ତେବେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଋଣ ଭାର ଉତ୍କଟ ଅବସ୍ଥାରେ ନାହିଁ। ସରକାର ଚାହିଁଲେ ୨୫% ପର୍ୟନ୍ତ ଋଣ ଉଠାଇପାରିବେ।

ଏହି ବଜେଟକୁ ଲୋକଙ୍କ ବଜେଟ ବୋଲି କହିବାରେ କୌଣସି ଦ୍ଵିଧା ନାହିଁ। ତେବେ ସରକାର ସବୁବେଳେ ଦାତା ହୋଇ ରହିବା ଅପେକ୍ଷା ଲୋକଙ୍କ ଅର୍ଥନୈତିକ ମାନବୃଦ୍ଧି କରାଇବାରେ ସହାୟକ ଭୂମିକା ନେବା ଜରୁରୀ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୮-୮.୫% ରହୁଥିବାବେଳେ ଏଥିରୁ କର୍ମଯୋଗାଣ ସମ୍ଭବ ହେଉନାହିଁ। କର୍ମହୀନ ଅଭିବୃଦ୍ଧିରୁ ମୁକୁଳିବାର ବାଟ ରାଜ୍ୟ ସରକାରଙ୍କୁ ବାହାର କରିବାକୁ ପଡିବ ଓ ରାଜ୍ୟର ନିଜସ୍ଵ ରାଜସ୍ବକୁ ଅତି କମରେ ଆହୁରି ୧୦% ବଢାଇବାକୁ ପଡିବ।

Categories
ବିଶେଷ ଖବର

ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ମାତ୍ର!!

କେଦାର ମିଶ୍ର

ଗତକାଲି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପାରମ୍ପାରିକ ଭାବରେ ରାଜ୍ୟପାଳ ଗୃହକୁ ନିଜ ସରକାରର ଆଭିମୁଖ୍ୟ ବିଷୟରେ ସମ୍ବୋଧିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ  ତାଙ୍କର କାର୍ୟ ଆରମ୍ଭ କରିଛନ୍ତି। ତେବେ ବୈଧାନିକ ଭାବରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନିର୍ବାଚନ ପ୍ରସଙ୍ଗ ଗୃହରେ ଘୋଷଣା କାରିବା କଥା। ତାହା କରିନଥିବାରୁ ଏହାକୁ ନେଇ କଂଗ୍ରେସର ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳର   ସଂଖ୍ୟା କମ ଥିଲେ ମଧ୍ୟ, ବିରୋଧୀ ଭାବରେ କଂଗ୍ରେସର ସ୍ଵର ହିଁ ଆଜି ବିଧାନସଭାରେ ପ୍ରମୁଖ ଥିଲା। ରାଜ୍ୟସଭା ନିର୍ବାଚନରେ ବିଜେଡି ଠାରୁ ସମର୍ଥନ ନେଇ ବିଜେପି ନୈତିକ ଭାବରେ ବିରୋଧୀ ହେବାର ମର୍ୟାଦା ହରାଇ ଦେଇଛି। ବିଧାନସଭା ଭିତରେ ବିଜେପି ବିଧାୟକମାନେ ଏକ ପ୍ରକାର ନୀରବ ଓ ଶାସକ ଦଳର ସମର୍ଥକ ପରି ବସିରହିଥିଲେ। ସାଧାରଣତଃ ରାଜ୍ୟପାଳଙ୍କ ଉଦ୍ବୋଧନ ସମୟରେ ବିରୋଧିଦଳ ଗୁଡିକ ହୋ ହଲ୍ଲା କରିଥାନ୍ତି। ବିଜେପି ଏଥର ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରିନଥିଲା। କଂଗ୍ରେସ ରାଜ୍ୟପାଳଙ୍କ ଭାଷଣ ଶୁଣିଥିଲେ ମଧ୍ୟ, ନିଜର ପ୍ରତିବାଦକୁ ଜାହିର କରିବାରେ ସଫଳ ହୋଇଥିଲା।

ବିଜେପି ପାଇଁ ଏବେ ରାଜନୈତିକ ଦୃଷ୍ଟିରୁ ଏକ ପ୍ରକାର ଅସ୍ତିତ୍ଵ ସଙ୍କଟ ଦେଖା ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସହିତ ବିଜେପିର ଖୋଲା ବୁଝାମଣା ହୋଇଛି ବୋଲି ସ୍ଵୀକାର କରିବା ପରେ ବିଧାୟକ ଦଳ ଏବେ କେଉଁ ମୁହଁରେ ନିଜର ବିରୋଧ ଜାହିର କରିବ? ବିରୋଧୀ ଦଳ ନେତା ଭାବରେ ପ୍ରଦୀପ୍ତ ନାୟକଙ୍କ ନିର୍ବାଚନରୁ ଏ କଥା ଆହୁରି ସ୍ପଷ୍ଟ ହୋଇଯାଇଛି ଯେ, ଶାସକ ଦଳ ପ୍ରତି ବିଜେପି ନରମ ଆଭିମୁଖ୍ୟ ପୋଷଣ କରିବାକୁ ଯାଉଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜର ଉଗ୍ର ଆଚରଣ ପାଇଁ ପ୍ରସିଦ୍ଧ। ତେଣୁ ତାଙ୍କୁ ଜାଣିଶୁଣି ବିଧାୟକ ଦଳର ନେତା କରାଗଲା ନାହିଁ ବୋଲି କୁହାଯାଉଛି। କେଉଁଠି ନା କେଉଁଠି ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନିଜର ଦୁର୍ବଳତା ପ୍ରଦର୍ଶନ କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ବିଜେପି ଭବାନୀପାଟଣା ବିଧାୟକ ତଥା  ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା କରିଛି। ପ୍ରଦୀପ୍ତ ନାୟକ ସ୍ବଭାବତଃ ନରମ ଓ ଆକ୍ରାମକ ରାଜନୀତି ତାଙ୍କର ପରିଚୟ ନୁହେଁ। ବିଧାନସଭା ଅଧିବେଶନ ପୂର୍ବରୁ କିଛି ଟେଲିଭିଜନ ଚାନେଲର ବିତର୍କରେ ଭାଗ ନେଇ ପ୍ରଦୀପ୍ତ ନାୟକ ନିଜର  ନରମ ଆଭିମୁଖ୍ୟକୁ  ସ୍ପଷ୍ଟ କରିଛନ୍ତି। ବିରୋଧିଦଳ ନେତା ଭାବରେ ପ୍ରଦୀପ୍ତ ବାବୁ ଅତ୍ୟନ୍ତ ନରମପନ୍ଥୀ ଓ ଏହା ଶାସକ ଦଳକୁ ବେଶ ସୁହାଇବ।

ଅପରପକ୍ଷରେ ଆଜି କଂଗ୍ରେସର ଅଭିଜ୍ଞ ବିଧାୟକ ନରସିଂହ ମିଶ୍ର, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ପ୍ରମୁଖ ବେଶ ଆକ୍ରାମକ ଭୂମିକାରେ ରହିଥିଲେ। ବିଭିନ୍ନ ପ୍ରଶ୍ନ ଓ ପ୍ରତିବାଦ ଜରିଆରେ ବିଧାନସଭା ଭିତରେ କଂଗ୍ରେସ ନିଜର ବିରୋଧୀ ଭୂମିକାକୁ ସାବ୍ୟସ୍ତ କରିଥିଲା। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ କାଠଗଡାରେ ଛିଡା କରାଇବାରେ କଂଗ୍ରେସ ସଫଳ ହୋଇଥିଲା। ଆଗକୁ ବିଜେପି ତୁଳନାରେ କଂଗ୍ରେସକୁ ମନାଇବା ବାଚସ୍ପତି ଓ ଶାସକ ଦଳ ମୁଖ୍ୟ ସଚେତକଙ୍କ ପାଇଁ ବଡ ଆହ୍ଵାନ ହେବ ବୋଲି ଗତକାଲି ସ୍ପଷ୍ଟ ହୋଇ ଯାଇଛି। ବିଜେଡି ବିଜେପି ଭାଇ ଭାଇ ବୋଲି ଏକ ରାଜନୈତିକ ବାର୍ତ୍ତା ଦେବାରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ସମର୍ଥ ହୋଇଛନ୍ତି।

ଗୃହ ବାହାରେ ଅନୁଷ୍ଠିତ ବିଭିନ୍ନ ଟେଲିଭିଜନ ବିତର୍କରେ ମଧ୍ୟ କଂଗ୍ରେସ ବିଧାୟକମାନେ ନିଜର ଶାଣିତ ଯୁକ୍ତି ରଖିଛନ୍ତି। ଯଦିଓ ଅଖିଳ ଭାରତୀୟ କଂଗ୍ରେସ କମିଟି ମାସେ ପାଇଁ ଟେଲିଭିଜନ ବିତର୍କକୁ ବର୍ଜନ କରିଛି, ତଥାପି ଆଜି ମହମ୍ମଦ ମୁକିମଙ୍କ ପରି କିଛି ବିଧାୟକ ନିଜର ସ୍ପଷ୍ଟ ସରକାର ବିରୋଧୀ ମତ ରଖିଛନ୍ତି। ଗୃହ ବାହାରର ବିତର୍କରେ ବିଜେପି ବିଧାୟକମାନଙ୍କର ମାନସିକ ଦ୍ଵନ୍ଦ୍ଵ ବାରି ହୋଇ ପଡୁଥିଲା। ସେମାନେ ମୁଖ୍ୟ ବିରୋଧୀ ଦଳର ପ୍ରତିନିଧି ନା ଶାସକ ଦଳର ସହଯୋଗୀ, ସେକଥା ସେମାନେ  ସ୍ପଷ୍ଟ ଜାଣିନଥିବା ଭଳି ମନେ ହେଉଥିଲା। ତେବେ ଏହାରି ଭିତରେ କ୍ଷମତାସୀନ ବିଜେଡି ଦଳ ଏକ ପ୍ରକାର ଅଚିନ୍ତା ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ବିରୋଧୀ ଦଳ ବିଜେପିର ନୀରବତା ପରେ ଏବେ ବିଜେଡି ଲାଗି ବିଧାନସଭା ନିଷ୍କଣ୍ଟକ ଭୂମି ପାଳଟି ଯାଇଛି।

Categories
ବିଶେଷ ଖବର

ଓଡିଶା ବିଧାନସଭାରେ ବିରୋଧୀ ଦଳର ମୌଳିକ ଦାୟିତ୍ଵ ତୁଲାଇବାରେ ବିଜେପି ସଫଳ ହେବ କି?

କେଦାର ମିଶ୍ର

ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଓଡିଶାର ବିରୋଧୀ ରାଜନୀତି ଏକ ପ୍ରକାର ଶୂନ୍ୟସ୍ଥାନ ପାଲଟି ଯାଇଛି। ନିର୍ବାଚନ ପରବର୍ତ୍ତୀ ବିଜେଡି-ବିଜେପି ମଧୁଚନ୍ଦ୍ରିକା ଏବେ ସବୁଠୁ ଚିନ୍ତାର ବିଷୟ। ଦୀର୍ଘ ବର୍ଷର ବ୍ୟବଧାନ ପରେ କଂଗ୍ରେସ ବିଧାନସଭାରେ ମାତ୍ର ୯ ଟି ଆସନ ପାଇଛି। ତେବେ ମୁଖ୍ୟ ବିରୋଧୀ ଦଳ ଭୂମିକା ପାଇଥିବା ବିଜେପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଗତ ନିର୍ବାଚନ ସମୟରେ ବିଜେଡ଼ି ଓ ବିଜେପି ଭିତରେ ଯେଉଁ ପ୍ରଚଣ୍ଡ ବିରୋଧ ରହିଥିଲା, ସେଥିରୁ ଗୋଟେ କଥା ଲୋକ ଆଶା କରୁଥିଲେ ଯେ, ଏଥର ବିଧାନସଭାରେ ବିଜେପିର ଆକ୍ରାମକ ଭୂମିକା ରହିବ। ନୂଆ କରି ନିର୍ବାଚିତ ହୋଇଥିବା ବିଜେପିର ବଡ ଭାଗ ବିଧାୟକ ବିଧାନସଭାରେ ନିଜର ବିରୋଧୀ ଭୂମିକା ତୁଲାଇବାରେ ହୁଏତ ସଫଳ ହେବେ! ହେଲେ ନିର୍ବାଚନ ପରେ ପରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଭିତରେ ସମ୍ପର୍କ ଏତେ ମଧୁର ହୋଇ ଯାଇଛି ଯେ, ସେ ମାଧୁର୍ୟ ଦେଖି ଆମର ଗଣତନ୍ତ୍ର ଉପରେ ପୋକ ମାଡିଯିବାର ସମ୍ଭାବନା ଦେଖା ଦେଲାଣି। ନିର୍ବାଚନ ପରେ କେନ୍ଦ୍ରରେ ବିଜେଡ଼ି  ବିଜେପିର ଅତ୍ୟନ୍ତ ଅନୁଗତ ଭୂମିକା ନିଭାଉଥିବା ବେଳେ ରାଜ୍ୟରେ ବିଜେପି କିଂ କର୍ତ୍ତବ୍ୟ ବିମୂଢ ହୋଇ ବସି ରହିଛି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବପ୍ରୀତି ଦେଖି ରାଜ୍ୟ ବିଜେପି ନେତାମାନେ କି ପ୍ରକାର ପ୍ରତିକ୍ରିୟା ଦେବେ, ଭାବି ପାରୁନାହାନ୍ତି।

ସବୁଠୁ ମଜାର କଥା ହେଉଛି, ରାଜ୍ୟ ସଭା ଉପନିର୍ବାଚନରେ ବିଜେପି ଓଡିଶାରେ ପ୍ରାର୍ଥୀ ଦେଉଥିବା କଥା ଓଡିଶାର କୌଣସି ନେତାଙ୍କୁ ଜଣା ନଥିଲା। ଏପରିକି ଖୋଦ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏ ବିଷୟରେ କିଛି ଜାଣିନଥିଲେ ବୋଲି ବିଜେପିର ଜଣେ ତୁଙ୍ଗ ନେତା କହିଛନ୍ତି। ଅଶ୍ବିନୀ ବୈଷ୍ଣବ କିଏ ଓ ଦଳରେ ତାଙ୍କର ଭୂମିକା କଣ ହେବ, ବିଜେଡି ସହିତ ଏ ନେଇ ପ୍ରଧାନମନ୍ତ୍ରୀଙ୍କର କଣ ଆଲୋଚନା ହୋଇଛି, ସେ ବିଷୟରେ ରାଜ୍ୟ ବିଜେପି ଆଜି ମଧ୍ୟ ଅନ୍ଧାରରେ ରହିଛି। କେବଳ ଲୋକ ଦେଖାଣିଆ ଭାବରେ ବିଜେପି ନିଜର ଟାଣପଣ ଦେଖାଉଥିବା ବେଳେ ଅସଲ କ୍ଷେତ୍ରରେ ଏହା ବିଜେଡି ଆଗରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅସ୍ତ୍ରତ୍ୟାଗ କରି ଦେଇଛି। ରାଜ୍ୟ ସଭାରେ ଗୋଟିଏ ଆସନ ପାଇବାକୁ ଯାଇ ଓଡିଶାବାସୀଙ୍କ ଆଗରେ ବିଜେପି ନିଜର ମୁଖ୍ୟ ବିରୋଧୀ ହେବାର ଗରିମାକୁ ହରାଇଛି।

ବାସ୍ତବ କ୍ଷେତ୍ରରେ ନବୀନ ଓ ମୋଦୀଙ୍କ ଭିତରେ କଣ ବୁଝାମଣା ହୋଇଛି ଓ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବାର ରହସ୍ୟ କଣ, ସେକଥା ବିଜେପି ଓ ବିଜେଡ଼ିର ନେତାମାନେ କେବେହେଲେ ଜାଣି ପାରିବେ ନାହିଁ। ଅତ୍ୟନ୍ତ ଚତୁରତାର ସହିତ ନବୀନ ପଟ୍ଟନାୟକ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଦେଇ ଏହାର ବିରୋଧୀ ମୁହଁକୁ ବନ୍ଦ କରିଦେଇଛନ୍ତି। ଲୋକଙ୍କ ଭିତରେ ଗୋଟେ ବାର୍ତ୍ତା ପହଞ୍ଚି ସାରିଛି ଯେ, ବିଜେଡି ଓ ବିଜେପି ଭିତରେ ଭିତିରି ବୁଝାମଣା ରହିଛି। ବିଧାନସଭାରେ, ପାଟକୁରା ଓ ବିଜେପୁର ଉପ ନିର୍ବାଚନରେ କିମ୍ବା ଆଗାମୀ ପୌର ନିର୍ବାଚନରେ ବିଜେପି ନବୀନ ପଟ୍ଟନାୟକଙ୍କ ବିରୋଧରେ ଯେତେ ଗର୍ଜିଲେ ମଧ୍ୟ ଲୋକେ ଆଉ ତାଙ୍କୁ ବିଶ୍ବାସକୁ ନେବେ ନାହିଁ।

ଓଡିଶା ରାଜନୀତିର ସବୁଠୁ ଭୟଙ୍କର ସତ୍ୟ ଟି ହେଲା, ଗତ କୋଡିଏ ବର୍ଷ ଧରି ବିରୋଧୀ ପକ୍ଷ ଶାସକ ଦଳ ପାଖରେ ନିଜକୁ ବନ୍ଧା ପକେଇ ଦେଉଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଥାଇ ମଧ୍ୟ ଓଡିଶାରେ ବିଜେପି ବିଜେଡ଼ିର ଛତ୍ରଛାୟା ତଳେ ରହୁ ବୋଲି ଏହାର କେନ୍ଦ୍ରୀୟ ନେତୃତ୍ଵ ଚାହୁଁଛନ୍ତି। ନବୀନଙ୍କୁ ନିର୍ବାଚନ ଯୁଦ୍ଧରେ ପରାସ୍ତ କରିବା ସମ୍ଭବ ହେଉନଥିବାରୁ, ତାଙ୍କ ସହ ସନ୍ଧି କରି କିଛି ଫାଇଦା ଉଠାଇବାକୁ ବିଜେପି ଚେଷ୍ଟା କରୁଛି। ବିଜେଡି ଭିତରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଉପରେ ବିଜେପି ତୀକ୍ଷ୍ନ ନଜର ରଖିଛି। ତାମିଲନାଡୁ ରେ ଜୟଲଳିତାଙ୍କ ପରେ ଏଆଇଏଡିଏମକେ କୁ ବିଜେପି ପରୋକ୍ଷରେ ନିୟନ୍ତ୍ରିତ କଲାପରି, ହୁଏତ ଓଡିଶାରେ ସେମିତି ଏକ ସୁଯୋଗ ଆସିପାରେ ବୋଲି ବିଜେପି  ଭାବୁଥାଇପାରେ। ହେଲେ ଏ ପ୍ରକାର ଭାବନା ଅନେକଟା ବାଚାଳାମୀ ଓ ମିଛ ଆଶା ଉପରେ ହିଁ ପର୍ୟବସିତ।

ଆଜି ବିଜେପି ବିଧୟାକ ଦଳର ନେତା ଯିଏ ବି ନିର୍ବାଚିତ ହୁଅନ୍ତୁ, ବିଧାନସଭା ଭିତରେ ଓ ବାହାରେ ବିଜେଡ଼ିକୁ ଘେରିବା ଲାଗି ତାଙ୍କ ପାଖରେ ନୈତିକ ସାହସ ରହିବ ନାହିଁ। ରାଜ୍ୟର ସ୍ଵାର୍ଥ ଲାଗି ଆମେ କେନ୍ଦ୍ର ସରକାରକୁ ସହଯୋଗ କରୁଛୁ ବୋଲି ବିଜେଡି ପାଖରେ ଏକ ସହଜିଆ ଯୁକ୍ତି ରହିଛି। ଏହି ଯୁକ୍ତି ବିରୋଧୀ ଦଳ କରିପାରିବ ନାହିଁ। ବିଜେପିର ବିଜେଡି ପ୍ରତି କେନ୍ଦ୍ରରେ ନରମ ଓ ରାଜ୍ୟରେ ଗରମ ଆଭିମୁଖ୍ୟକୁ ସାଧାରଣ ଲୋକ ଏବେ ଟାହି ଟାପରା କଲେଣି।

ମୁଖ୍ୟ ବିରୋଧୀ ଦଳ ବିଜେପି ଏବେ ବିଜେଡ଼ିର ପକେଟରେ ରହିଥିବାରୁ ରାଜ୍ୟର ବିରୋଧୀ ରାଜନୀତି ବାସ୍ତବରେ କୋମାରେ ବୋଲି ବିଚାର କରିବାକୁ ହେବ!!

Categories
ବିଶେଷ ଖବର

ବିଜେପି ଭିତରେ ଆଉରଙ୍ଗଜେବ ଓ ବିଶ୍ଵାସଘାତକତାର ମହାନାଟକ; ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଆଭ୍ୟନ୍ତରୀଣ କନ୍ଦଳ

କେଦାର ମିଶ୍ର

“ଗୋଟେ କ୍ୟାଡର ଭିତ୍ତିକ ଦଳ”, “ଭିନ୍ନ ମତାଦର୍ଶର ଦଳ”…ଏମିତି କିଛି ବିଶେଷ ବିଶେଷଣ ସବୁବେଳେ ଭାରତୀୟ ଜନତା ପାର୍ଟି ଆଗରେ ଲଗାଇବାକୁ ଏହାର କର୍ମୀମାନେ ଭଲ ପାଆନ୍ତି। ଯାବତୀୟ ବୈଚାରିକ ମତଭେଦ ସତ୍ତ୍ୱେ ଏହି ଦଳର ସବୁଠୁ ବଡ ବିରୋଧୀ ମଧ୍ୟ ମାନିଥାନ୍ତି ଯେ ବିଜେପିରେ ଥିବା କର୍ମୀମାନେ ନିଜ ଦଳ ପ୍ରତି ଓ ଦଳର ବିଚାର ପ୍ରତି ଅନ୍ଧ ଭାବରେ ଅନୁରକ୍ତ। ହେଲେ ଏଇ ଅନ୍ଧ ଅନୁରକ୍ତିରୁ ସେମାନଙ୍କୁ ମିଳେ କଣ? ବିଜେପି ଆଜି ନିଜ କ୍ୟାଡର ପ୍ରତି ଅନୁରକ୍ତ କି? ଓଡିଶାର ସାଧାରଣ ନିର୍ବାଚନରେ ଦଳ ଯେଉଁ ପ୍ରକାର ଟିକଟ ଆବଣ୍ଟନ କରିଛି ତାକୁ ଦେଖି ଯେ କେହି ବି କହିବ ଯେ ଏ ଦଳ ନିଜର ଅନୁରକ୍ତ କର୍ମୀଙ୍କ ତୁଳନାରେ “ଉଡାପକ୍ଷୀ” ମାନଙ୍କ ଉପରେ ବେଶୀ ନିର୍ଭରଶୀଳ। ଏହି ଦଳରେ ଯୋଗଦାନ କରିବାର ଦୁଇ ଘଣ୍ଟା ଭିତରେ ଜଣେ ବ୍ୟକ୍ତିକୁ ଲୋକସଭା ଲଢିବାକୁ ଟିକଟ ଦିଆ ଯାଇପାରେ, ହେଲେ ଦଳ ପ୍ରତି ସମର୍ପିତ କର୍ମୀମାନେ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ମଧ୍ୟ ଦଳ ଭିତରେ ଅଲୋଡା ହୋଇ ପଡିରହନ୍ତି।

ଏହାର ଦୁଇଟି ଉଦାହରଣ ହେଉଛନ୍ତି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଟିକଟରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀ ସୁବାସ ଚୌହାନ ଓ ସଦ୍ୟ ଦଳ ଛାଡିଥିବା ଦଳର ଉପ ସଭାପତି ରାଜକିଶୋର ଦାସ। ଏ ଦୁହେଁ ଓଡିଶାର ବିଜେପିରେ ଗତ ତିରିଶ ବର୍ଷ ଧରି କାମ କରିଛନ୍ତି। ଯେତେବେଳେ ବିଜେପି ପ୍ରତି ଓଡିଶାରେ କୌଣସି ସମର୍ଥନ ନଥିଲା ଏଇ ନେତାମାନେ ଦଳରେ ପଡିରହି ଦଳକୁ ଆଗକୁ ବଢାଇବାରେ ସହଯୋଗ କରିଛନ୍ତି। ହେଲେ ଟିକଟ ଦେଲାବେଳକୁ ଏମାନଙ୍କ ନାଁକୁ ବିଚାର କରାଯାଏ ନାହିଁ। ବିଜେପିରେ ଯୋଗଦାନ କରିବାର ମାତ୍ର କେଇ ଘଣ୍ଟା ଭିତରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ଵାଇଁଙ୍କୁ ଟିକଟ ମିଳିଥିବା ବେଳେ ଗତ ଲୋକସଭା ନିର୍ବାଚନରେ ମାତ୍ର ଏଗାର ହଜାର ଭୋଟରେ ହାରିଥିବା ସୁବାସ ଚୌହାନଙ୍କୁ ଦଳ ଟିକଟ ଦେବାରୁ ବଞ୍ଚିତ କରିଛି।

ବରଗଡ ଲୋକସଭା ପାଇଁ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସୁବାସ ଚୌହାନ ତାଙ୍କର ଫେସବୁକ ୱାଲ ରେ ଏକ ପୋଷ୍ଟିଂ ଦେଇ ଲେଖିଛନ୍ତି-  “ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି। ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ। ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି। ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଅପମାନର ସୀମା ଟପିଗଲା। ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ଫଳ ଓଲଟା ହେଲା। ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ।”

ସୁବାସ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସବୁଠୁ ଅଧିକ ବିତର୍କର ଆବଶ୍ୟକତା ରଖେ। ବିଜେପିର ରାଜ୍ୟ ମାମଲାରେ ନିଜକୁ ଅଘୋଷିତ ମୁଖିଆ ବୋଲାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଟେଲିଭିଜନ ବୁମ  ଆଗରେ ନିଜର ବାହାଦୁରି ଦେଖାଉଥିବାବେଳେ ରାଜ୍ୟ ସଙ୍ଗଠନରେ ତାଙ୍କର ଗ୍ରହଣୀୟତା ନାହିଁ। ଧର୍ମେନ୍ଦ୍ର ସତରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି ପାରିବେ କି ? ନବୀନଙ୍କ ବିରୋଧରେ ଲଢିବା ବଡକଥା, ଧର୍ମେନ୍ଦ୍ର ଓଡିଶାରୁ ଲୋକସଭା ବା ବିଧାନସଭା ଲାଗି ଲଢିବାର ସତସାହସ ଦେଖାଇପାରିଛନ୍ତି କି ? କେବଳ ଦଳୀୟ ସଙ୍ଗଠନରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କୁ ଧରି ବିଜୁ ଜନତା ଦଳର ବିକଳ୍ପ ହେବାକୁ ଧର୍ମେନ୍ଦ୍ର ବାବୁ ଯେଉଁ ଦିବାସ୍ଵପ୍ନ ଦେଖୁଛନ୍ତି ତାହାରି ଉପରେ ସୁବାସ ଚୌହାନ କଡା ପ୍ରହାର କରିଛନ୍ତି।

ତାଙ୍କଠୁ ପାଦେ ଆଗକୁ ଯାଇ ରାଜକିଶୋର ଦାସ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆଉରଙ୍ଗଜେବ। ନିଜ ଅହଂକାର ଲାଗି ସେ ଦଳ ଭିତରେ ଥିବା ନିଜ ଭାଇମାନଙ୍କୁ ହତ୍ୟା କରିପାରିବେ ବୋଲି ରାଜକିଶୋର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖି ବିଜେପିର ଜଣେ ପୁରୁଣା କର୍ମୀ କହନ୍ତି- ଦଳ ଏବେ କଂଗ୍ରେସ ରାସ୍ତାରେ ଚାଲିବା ଆରମ୍ଭ କରିଛି। ମତ, ବିଚାର ଓ ଆଦର୍ଶ ବୋଲି ବିଜେପିରେ ଆଉ କିଛି ନାହିଁ।

ବିଜେପି ଓ ସଙ୍ଘକର୍ମୀଙ୍କ କ୍ଷୋଭ ଏବେ ଚରମ ସୀମାରେ ପହଞ୍ଚିଛି। ଓଡିଶା ରାଜନୀତିରେ ୧୯ ବର୍ଷର ବିଜେଡି ଶାସନ ବିରୋଧରେ ଜନମତ ସୃଷ୍ଟି କରିବାର ମିଶନରେ ବାହାରିଥିବା ବିଜେପି ଏବେ ନିଜ ଦଳ ଭିତରେ ବିଭୀଷଣ ଓ ଆଉରଙ୍ଗଜେବମାନଙ୍କ ସହ ଲଢେଇ ରେ ନିଜର ସବୁ ସମୟ ଓ ଶକ୍ତି ସାରୁଛି।

Categories
ବିଶେଷ ଖବର

ଓଡିଶାର 21 ଲୋକସଭା ଆସନପାଇଁ ଘୋଷଣା ହେଲା ତାରିଖ, ଏପ୍ରିଲ 11ରୁ 29 ତାରିଖ ମଧ୍ୟରେ ହେବ ଓଡିଶାର ନିର୍ବାଚନ।

ସମୀକ୍ଷା ବ୍ୟୁରୋ

ଏପ୍ରିଲ 11 ତାରିଖରେ ହେବ କଳାହାଣ୍ଡି  ଓ ବ୍ରହ୍ମପୁର ସମେତ 4ଟି ଲୋକସଭା ଆସନରେ ନିର୍ବାଚନ। ସେହିପରି ଏପ୍ରିଲ 18 ତାରିଖରେ ହେବ ବରଗଡ ଓ ସୁନ୍ଦରଗଡ ସମେତ ଆଉ ଦୁଇଟି ଲୋକସଭା ଆସନରେ ଭୋଟ ଗ୍ରହଣ। ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଥିବା ଭୋଟ ଗ୍ରହଣ ତାରିଖ ଅନୁସାରେ ଓଡିଶାରେ ଏପ୍ରିଲ 11 ତାରିଖ, ଏପ୍ରିଲ 18 ତାରିଖ,ଏପ୍ରିଲ 23 ତାରିଖ ଏବଂ ଏପ୍ରିଲ 29 ତାରିଖରେ ହେବ ଭୋଟ ଗ୍ରହଣ। ଭୋଟ ଗ୍ରହଣ ପାଇଁ ଘୋଷଣା ହୋଇଥିବା ଓଡିଶାର 21ଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାରିଖ ହେଲା..

ଏପ୍ରିଲ 11 ତାରିଖ

1-କଳାହାଣ୍ଡି

2-ନବରଂଗପୁର

3-ବ୍ରହ୍ମପୁର

4-କୋରାପୁଟ

ଏପ୍ରିଲ 18 ତାରିଖ

1-ବରଗଡ

2-ସୁନ୍ଦରଗଡ

3-ବଲାଙ୍ଗିର

4-କନ୍ଧମାଳ

5-ଆସିକା

ଏପ୍ରିଲ 23 ତାରିଖରେ

1-ସମ୍ବଲପୁର

2-କେଉଁଝର

3-ଢେଙ୍କାନାଳ

4-କଟକ

5-ପୁରୀ

6-ଭୁବନେଶ୍ବର

ଏପ୍ରିଲ 29 ତାରିଖ

1-ମୟୁରଭଂଜ

2-ବାଲେଶ୍ବର

3-ଭଦ୍ରକ

4-ଯାଜପୁର

5-କେନ୍ଦ୍ରାପଡା

6-ଜଗତସିଂହପୁର

ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ 29 ତାରିଖରେ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି।