Categories
ଆଜିର ଖବର

ଅପରାହ୍ମ ପାଞ୍ଚଟା ସୁଦ୍ଧା ରାଜ୍ୟରେ 61 ପ୍ରତିଶତ ମତଦାନ, ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ କମ ମତଦାନ

ଆଜି ଅପରାହ୍ନ 5ଟା ସୁଦ୍ଧା ରାଜ୍ୟରେ ମୋଟ 61 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ମତଦାନ ହାର କମ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ 38.29 ପ୍ରତିଶତ ଭୋଟଦାନ ହୋଇଛି। ସେହିପରି ଅନ୍ୟ ନିର୍ବାଚନ ମଣ୍ଡଳୀରେ ଭୋଟ ହାର ହେଲା..

ଜୟଦେବ-57.47 %

ଭୁବନେଶ୍ବର ମଧ୍ୟ-38.29 %

ଭୁବନେଶ୍ବର ଉତ୍ତର-37.36 %

ଏକ୍ରାମ ଭୁବନେଶ୍ବର-45.15 %

ଜଟଣୀ-59.01 %

ବେଗୁନିଆ-63.20 %

ଖୋର୍ଦ୍ଧା-59.70 %

Categories
ବିଶେଷ ଖବର

କନ୍ଧମାଳ, ବିଜେପି ଲାଗି ଏବେ କେବଳ ପୁରୁଣା ଦିନର ସ୍ମୃତି, କିନ୍ତୁ ବିଜେଡି ଲାଗି ସବୁଠୁ ସହଜ ଆସନ

କେଦାର ମିଶ୍ର

କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ ଏକ ପ୍ରକାର ଥମ ଥମ ହୋଇପଡିଥିଲେ। କନ୍ଧମାଳ, ଏକଦା ବିଜେପି ପାଇଁ ଥିଲା ସାମ୍ପ୍ରଦାୟିକତାର ପରୀକ୍ଷାଗାର। ଜାତି ଓ ପରିଚୟ ଆଧାରରେ ଆଦିବାସୀ ତଥା ଦଳିତଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟି କରି ବିଜେପି ଏଠାରୁ ବେଶ ରାଜନୈତିକ ଫାଇଦା ଉଠାଇଥିଲା। ସଂଘ ପରିବାରର ପରୀକ୍ଷାଗାର ଭାବରେ କନ୍ଧମାଳ ବହୁ ଦଙ୍ଗା ଓ ରକ୍ତପାତ ଦେଖିଛି। ୨୦୦୭-୦୮ ର ଭୟଙ୍କର କନ୍ଧମାଳ ଦଙ୍ଗାର ହିଂସା, ରକ୍ତପାତ, ଜଳାପୋଡା ଓ ଧର୍ଷଣର କଳଙ୍କିତ ସ୍ମୃତି କୁ ପଛରେ ପକାଇ କନ୍ଧମାଳ ଗତ ଦଶକରେ ଗୋଟେ ନୂଆ ଇତିହାସ ରଚନା କରିଛି। ସାମ୍ପ୍ରଦାୟିକତାର ବିଷ ବଳୟରୁ ମୁକୁଳି କନ୍ଧମାଳ ସୌହାର୍ଦ୍ଦ୍ୟ ଓ ଶାନ୍ତିର ରାସ୍ତାରେ ଚାଲିଛି। ଅନ୍ତତଃ ୨୦୧୪ ନିର୍ବାଚନ ପରଠୁ କନ୍ଧମାଳରେ ବିଜେପିର ଅବକ୍ଷୟ ଆରମ୍ଭ ହୋଇଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ନାରାୟଣ ସିଂ ୫୦.୨୮% ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସେଠାରୁ ମାତ୍ର ୧୨.୯୫% ଭୋଟ ପାଇଥିଲେ। ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ଵରୀ ୬୧.୫୪% ଭୋଟ ପାଇଥିଲେ। ଏହି ଉପ ନିର୍ବାଚନରେ ଯଦିଓ ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କ ଭୋଟ ପ୍ରତିଶତ ୧୦.୦୭% ବଢିଥିଲା, ସମାନୁପାତରେ ବିଜେଡ଼ିର ଭୋଟ ପ୍ରତିଶତ ମଧ୍ୟ ୧୧.୩୩% ବଢିଥିଲା।

କନ୍ଧମାଳ ଲୋକସଭା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ଆସନ ଯଥା ଭଞ୍ଜନଗର, ଘୁମୁସର ଉଦୟଗିରି, ବାଲିଗୁଡା, ଫୁଲବାଣୀ, କଣ୍ଟାମାଳ, ବୌଦ ଓ ଦଶପଲ୍ଲା ବିଧାନସଭା ଭିତରୁ କେବଳ ଜି.ଉଦୟଗିରିକୁ ବାଦ ଦେଲେ ବାକି ସବୁଠି ବିଜେଡି ବିଧାୟକ ଜିତିଥିଲେ। କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଗତଥର ଏକମାତ୍ର କଂଗ୍ରେସ ବିଧାୟକ ଭାବରେ ଏଠାରୁ ଜିତିଥିଲେ ମଧ୍ୟ କଂଗ୍ରେସ ଏଥର ତାଙ୍କୁ ଟିକଟ ଦେଇନାହିଁ। ଏଥର ନିର୍ବାଚନରେ କନ୍ଧମାଳର ସମୀକରଣ ବହୁ ବିଚିତ୍ର। ଉଭୟ ବିଜେପି ଓ ବିଜେଡି ଲୋକସଭା ପ୍ରାର୍ଥୀ କନ୍ଧମାଳ ବାହାର ଲୋକ ହୋଇଥିବା ବେଳେ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟଙ୍କ ସେତେ ବେଶୀ ପ୍ରଭାବ ନାହିଁ। ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦାନ କରିଥିବା ପୂର୍ବତନ ବାଲେଶ୍ଵର ସାଂସଦ ଐର ଖାରବେଳ ସ୍ଵାଇଁଙ୍କୁ ବିଜେପି ଏଠାରେ ଥଇଥାନ କରିଛି। କନ୍ଧମାଳ ସହିତ ଦୂର ଦୂର ପର୍ୟନ୍ତ ଖାରବେଳଙ୍କର କୌଣସି ସମ୍ପର୍କ ନଥିବା ବେଳେ ସ୍ଥାନୀୟ ବିଜେପି ସଙ୍ଗଠନରେ ମଧ୍ୟ ତାଙ୍କୁ ନେଇ ସଙ୍କଟ ରହିଛି।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟ ରାଜନୀତିରେ ନବାଗତ ଓ ତାଙ୍କର ପ୍ରଭାବ କେବଳ ବାଲିଗୁଡା ଅଞ୍ଚଳରେ ସୀମିତ। ଏ ପ୍ରକାର ଶୂନ୍ୟସ୍ଥାନ ଭିତରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜଗତସିଂପୁର ଜିଲ୍ଲାର ଲୋକ ହୋଇଥିଲେ ମଧ୍ୟ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଦିବାସୀ ଶିକ୍ଷାନୁଷ୍ଠାନ “କିସ’ ଜରିଆରେ ତାଙ୍କର ବିଶେଷ ପରିଚୟ ରହିଛି। କନ୍ଧମାଳର ପ୍ରାୟ ସବୁ ଗାଁ ରୁ କିଛି କିଛି ପିଲା “କିସ’ ରେ ପାଠ ପଢୁଛନ୍ତି ଓ ଏହା ହିଁ ଅଚ୍ୟୁତଙ୍କୁ କନ୍ଧମାଳରେ ଏକ ସହଜ ପରିଚିତି ଦେଇଛି। ବାକି ଦୁଇ ପ୍ରତିପକ୍ଷ ଦଳର ଲୋକ ଏଠାରେ ପ୍ରାୟ ଅପରିଚିତ ହୋଇଥିବାବେଳେ ଅଚ୍ୟୁତ ସାମନ୍ତଙ୍କର କନ୍ଧମାଳ ଜିଲ୍ଲାରେ ଖାସ ପରିଚୟ ରହିଛି। ଯାହା ବାଲିଗୁଡାର ସେ ବିଜେପି କର୍ମୀ କହୁଥିଲେ, କିଛି କଂଗ୍ରେସ କର୍ମୀଙ୍କ ମତ ମଧ୍ୟ ସେୟା। ଶ୍ରୀ ସାମନ୍ତ କନ୍ଧମାଳରେ ଏକ ପ୍ରକାର ସର୍ବଦଳୀୟ ପ୍ରାର୍ଥୀ ହୋଇପଡିଛନ୍ତି। ପ୍ରାଥମିକ ଭାବରେ ଶ୍ରୀ ସାମନ୍ତଙ୍କୁ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ଭିତରେ ଯେଉଁ ହିଚକିଚ ଥିଲା, ତାହା ଏବେ ଆଉ ନାହିଁ। ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଶ୍ରୀ ସାମନ୍ତଙ୍କୁ ଏକପ୍ରକାର ବୋନସ ବୋଲି କୁହାଯାଇପାରେ।

ତେବେ ବିଜେଡି ଓ ଶ୍ରୀ ସାମନ୍ତଙ୍କ ଲାଗି ସବୁଠୁ ବଡ ଆହ୍ଵାନ ବୌଦ ଜିଲ୍ଲାରେ ରହିଛି। କଣ୍ଟାମାଳ ବିଧାୟକ ମହୀଧର ରଣା ଲୋକଙ୍କ ରୋଷର ଶିକାର ହେଉଥିବାବେଳେ ବୌଦ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ପ୍ରତି ଲୋକ ସମର୍ଥନ ଢେର କମିଛି। ଉଭୟ ଆସନରେ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ପରିସ୍ଥିତି କୁ ଆହୁରି ଜଟିଳ କରିଛନ୍ତି। ଦଶପଲ୍ଲା ଆସନରେ ମଧ୍ୟ ବିଜେଡି ଅସନ୍ତୋଷର ସାମ୍ନା କରୁଛି। ଏହି ସବୁ ଆସନକୁ ଜିଣିବା ଏଥର ବିଜେଡି ଲାଗି ସବୁଠୁ କଷ୍ଟକର ହୋଇପଡିବ। କଣ୍ଟାମାଳ ଆସନ ବିଜେଡି ର ହାତଛଡା ହେବା ଏକପ୍ରକାର ସୁନିଶ୍ଚିତ ମନେ ହେଉଥିବାବେଳେ ପ୍ରଦୀପ ଅମାତଙ୍କୁ ବୌଦରେ ଜିଣିବା ଲାଗି ପ୍ରଚୁର ସଂଘର୍ଷ କରିବାକୁ ପଡିବ। ଏଠାରେ ସିପିଆଇ ର ପ୍ରାର୍ଥୀ ଅବକାଶ ସାହୁଙ୍କର ହରଭଙ୍ଗା ଅଞ୍ଚଳରେ ଯଥେଷ୍ଟ ଭଲ ସଂଗଠନ ରହିଛି। ସେ ବିଜେଡି ଭୋଟ ବିଭାଜିତ କରି ପାରନ୍ତି। ତେବେ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ୟା ଓ ସଙ୍କଟର କୌଣସି ପ୍ରଭାବ ଅଚ୍ୟୁତ ସାମନ୍ତଙ୍କ ଉପରେ ପଡୁନାହିଁ। ବିଜେଡ଼ିର ଯେଉଁ ଅଳ୍ପ କେତେଜଣ ସାଂସଦ ପ୍ରାର୍ଥୀଙ୍କ ବିଜୟ ସବୁଠୁ ସହଜ ବୋଲି କୁହାଯାଇପାରେ, ସେଥିରେ ଅଚ୍ୟୁତ ସାମନ୍ତଙ୍କ ନାମ ଏକ ନମ୍ବରରେ ଆସିବ।

Categories
ବିଶେଷ ଖବର

ହଜାର ସଂଖ୍ୟାରେ ଟିକଟରୁ ବଞ୍ଚିତ ନେତା ଯିବେ କୁଆଡେ ? କେଉଁ ଦଳରେ ହଜାର ହଜାର ଟିକଟ ବଣ୍ଟାହେବାର ସମ୍ଭାବନା ଅଛି ?

କେଦାର ମିଶ୍ର

ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ।  ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ କରୁଛି। କେବଳ ବିଜେଡ଼ିର ୨୯,୮୦୦ ନେତା ବିଜେଡ଼ିକୁ ଚାଲି ଆସିବେ ଓ ସେମାନେ ଆସିଲେ ବିଜେପିର ମିଶନ ୧୨୦ ସହଜ ହୋଇଯିବ ବୋଲି ବିଚାର ଚାଲିଛି। ତାହା ସହିତ କଂଗ୍ରେସ ରୁ ମଧ୍ୟ କିଛି ନେତା ଏବେ ବିଜେପିକୁ ଆସୁଛନ୍ତି। ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହାର ଅର୍ଥ ହେଉଛି, ଏବେ ବିଜେପି ଅସନ୍ତୁଷ୍ଟ ଓ ଦଳବଦଳକାରୀ ନେତାମାନଙ୍କର ସବୁଠୁ ବଡ ଧର୍ମଶାଳା।

ତେବେ ବୁଝିବା ଲୋକ ବୁଝନ୍ତି ଯେ, ବିଜେପି ଧର୍ମଶାଳାରେ ମଧ୍ୟ କୋଠରି ସଂଖ୍ୟା ସେହି ୧୪୭+୨୧=୧୬୮। ହଜାର ସଂଖ୍ୟାର  ଯେଉଁ ଉଦବାସ୍ତୁ ନେତା ଆସିବେ ସେମାନେ କେବଳ ଟୋପି ପିନ୍ଧି ନାଚିବାକୁ ଆସିବେନି। କିଛି ନେତା ହୁଏତ ନିଜ ପୁରୁଣା ଦଳ ପ୍ରତି ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଥିବେ। କିନ୍ତୁ ବଡ ଭାଗ ନେତାଙ୍କ ଏକମାତ୍ର ଆଶା ସେଇ ଟିକଟ ଖଣ୍ଡକ। ଏପଟେ ବିଜେପି ଭିତରେ ଆବେଦନକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ବିଜେଡି ଅଫିସରେ ଯଦି ତିରିଶ ହଜାର ଦରଖାସ୍ତ ପଡିଛି, ବିଜେପି ଅଫିସରେ ବି ସେଇ ପନ୍ଦର କୋଡିଏ ହଜାର ଦରଖାସ୍ତ ଅଛି। ଏଥିରୁ ଯେଉଁ ହତାଶ ଓ ଅସନ୍ତୁଷ୍ଟ ବାହାରିବେ ସେମାନେ ତ ପୁଣି କେଉଁଠିକି ଯିବେ ନା! ବାସ, ଗଣିତ ଏଇଠି ଜଟିଳ।

ଦଳ ବଦଳକାରୀଙ୍କ ଭରସାରେ ଯେଉଁ ଦଳ ରହେ ସେ ନିର୍ବାଚନରେ ସବୁଠୁ ଦୁର୍ବଳ ଦଳ ବୋଲି ଭାବିବାକୁ ପଡିବ। ତେବେ ଏହାର ବ୍ୟତିକ୍ରମ ଭାବରେ କେହି କେହି ୨୦୧୪ ସାଧାରଣ ନିର୍ବାଚନ କଥା ଉଠାଇପାରନ୍ତି। ୨୦୧୪ ରେ କଂଗ୍ରେସର ପାଖାପାଖି ଶହେ ଜଣ ପୁରୁଣା ସାଂସଦ ବିଜେପିକୁ ଆସିଥିଲେ ଓ ସେମାନେ ଜିତିକରି ବିଜେପି ର ବଡ ସମ୍ପତ୍ତି ହୋଇଥିଲେ। ଏବେ ସେକଥା ଓଡିଶାରେ ଘଟିବ କି? ବିଜେଡି ଲୋକସଭା ଓ ବିଧାନସଭା ପାଇଁ ଯେହେତୁ ନୂଆ ମୁହଁ ଦେବାକୁ ବଦ୍ଧ ପରିକର, ସେହି କାରଣରୁ ବିଜେଡିରେ ବଡ ଧରଣର ଅସନ୍ତୋଷ ଆସିପାରେ। ହେଲେ ଏ ପ୍ରକାର ଅସନ୍ତୋଷକୁ ବିଜେଡି ମୁକାବିଲା କରିବାରେ ସବୁବେଳେ ସମର୍ଥ ରହି ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ମୋଦୀ ହାୱା ଓ ପ୍ୟାରୀମୋହନ ମହାପାତ୍ରଙ୍କ ବ୍ରାହ୍ମାସ୍ତ୍ରକୁ ଏକା ସାଙ୍ଗରେ ମୁକାବିଲା କରିଥିଲା। ତେଣୁ ଆଜି, ତଥାକଥିତ ଦାମ-ବୈଜୟନ୍ତ ଆହ୍ଵାନ ଓ ବିଜେପିର ଉଗ୍ର ଜାତୀୟତାବାଦକୁ ଏକା ସାଙ୍ଗରେ ବିଜେଡି କେମିତି ସାମ୍ନା କରୁଛି, ତାହା ଦେଖିବା ପାଇଁ ଆମେ ସାମ୍ବାଦିକମାନେ ବେଶ ଉଦଗ୍ରୀବ।

ନିର୍ବାଚନ ଘୋଷଣା ହେବା ପରେ ଯେଉଁ ନେତାମାନେ ଦଳ ବଦଳ କରନ୍ତି, ସେମାନେ ଲୋକ ଚକ୍ଷୁରେ ଅପାରଗ ଓ ସେମାନେ ନିଜ ପୁରୁଣା ଦଳର ଉଚ୍ଚିଷ୍ଟ ଭାବରେ ବିବେଚିତ ହୁଅନ୍ତି। ଯେତେ ଟାଣୁଆ ନେତା ହେଲେ ମଧ୍ୟ ନୂଆ ଦଳରେ ପୁରୁଣା ଦଳର ନେତାଟି ଅଚିହ୍ନା ଓ ଅସ୍ପୃଶ୍ୟ ହୋଇ କିଛି ଦିନ ରହେ। ତୃଣମୂଳ ସ୍ତରରେ ଏ ସ୍ଥିତି ଆହୁରି ଗମ୍ଭୀର। ଦଳବଦଳକାରୀ ନେତାକୁ ନୂଆ ଦଳର କର୍ମୀ ପ୍ରତ୍ୟାଖ୍ୟାନ କରିବାର ବହୁ ଉଦାହରଣ ରହିଛି। ତେବେ ଦଳବଦଳକାରୀ ନେତାଙ୍କର ସ୍ତର ଯଦି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବଳଭଦ୍ର ମାଝୀ କିମ୍ବା ସୁକାନ୍ତ ନାୟକଙ୍କ ପରି ହୋଇଥାଏ, ସେଠି ପରିସ୍ଥିତି ଅଲଗା ହେବ କି? ଏହାର ଉତ୍ତରରେ ଆମେ କହିବୁ ଯେ, ଏ ସ୍ତରର ନେତା ନିଜ ନୂଆ ଦଳ ଲାଗି ସବୁଠୁ ବଡ ବୋଝ ହୋଇଥାନ୍ତି। ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କର୍ମକର୍ତ୍ତାମାନଙ୍କର ଏକ ବୈଠକର ଫଟୋ ବାହାରିଛି। ସେଥିରେ ବୈଜୟନ୍ତ ପଣ୍ଡା ହଠାତ କେନ୍ଦ୍ରୀୟ ଭୂମିକାରେ ଦୃଶ୍ୟମାନ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣଠେସା ହୋଇ ବସିଛନ୍ତି। ନୂଆ ନେତାଙ୍କୁ ନେଇ ପୁରୁଣା ନେତାଙ୍କ ଅସୁରକ୍ଷାର ଭାବନା ଅନେକ ସଙ୍କଟ ସୃଷ୍ଟି କରିଥାଏ। ଏଇ ନିର୍ବାଚନରେ ବିଜେପି ଲାଗି ଅସନ୍ତୁଷ୍ଟ ବିଜେଡି ନେତାମାନେ ସବୁଠୁ ବଡ ବୋଝ ହେବାକୁ ଯାଉଛନ୍ତି। ଯେଉଁ ଅସନ୍ତୁଷ୍ଟ ବିଜେଡି ନେତାମାନେ ବୈଜୟନ୍ତ ଓ ଦାମଙ୍କ ମାର୍ଫତରେ ବିଜେପିକୁ ଆସିବେ, ସେମାନେ ବିଜେପିର ପୁରୁଣା ନେତାଙ୍କ ଲାଗି କଣ୍ଟା ହୋଇକି ରହିବେ। ତେଣୁ ଦଳବଦଳକାରୀଙ୍କ ଉପରେ ଆସ୍ଥା ରଖି ବିଜେପିର ନିର୍ବାଚନ ଜିତିବା ସ୍ଵପ୍ନ, କେବଳ ଆକାଶ କଇଆଁ ହୋଇ ରହି ନ ଯାଏ ଯେମିତି!!

Categories
ଆଜିର ଖବର

ନିର୍ବାଚନ ରଣାଙ୍ଗନରେ ଜାନକୀଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ !

ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏ ସମ୍ପର୍କରେ ପରୋକ୍ଷରେ ମତ ମଧ୍ୟ ଦେଇଛନ୍ତି। ଜାନକୀଙ୍କ ନିର୍ବାଚନମଣ୍ଡଳୀ ବେଗୁନିଆରୁ କଂଗ୍ରେସ ଆଶାୟୀ ଅଛନ୍ତି ପୃଥ୍ୱୀବଲ୍ଲଭ। ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପୃଥ୍ୱୀ କହିଛନ୍ତି। ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି। ଚୂଡ଼ାନ୍ତ ନିଷ୍ପତ୍ତି ନଆସିଲେ ସେ ଏ ସମ୍ପର୍କରେ ବିଶେଷ କିଛି କହିପାରିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କଂଗ୍ରେସ ଉଭୟ ଦଳକୁ  କଡ଼ା ଟକ୍କର ଦେବ ବୋଲି କହିଛନ୍ତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ତେବେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ନେଇ ସମ୍ଭାବନା ତ ନିଶ୍ଚୟ ରହିଛି। କଂଗ୍ରେସରୁ ଜାନକୀଙ୍କ ପୁତ୍ର ପାର୍ଥୀ ହେଲେ ଏହାର ଫାଇଦା ଦଳକୁ ନିଶ୍ଚୟ ମିଳିବ ବୋଲି କୁହାଯାଇପାରେ ।

Categories
ବିଶେଷ ଖବର

ଓଡିଶାର 21 ଲୋକସଭା ଆସନପାଇଁ ଘୋଷଣା ହେଲା ତାରିଖ, ଏପ୍ରିଲ 11ରୁ 29 ତାରିଖ ମଧ୍ୟରେ ହେବ ଓଡିଶାର ନିର୍ବାଚନ।

ସମୀକ୍ଷା ବ୍ୟୁରୋ

ଏପ୍ରିଲ 11 ତାରିଖରେ ହେବ କଳାହାଣ୍ଡି  ଓ ବ୍ରହ୍ମପୁର ସମେତ 4ଟି ଲୋକସଭା ଆସନରେ ନିର୍ବାଚନ। ସେହିପରି ଏପ୍ରିଲ 18 ତାରିଖରେ ହେବ ବରଗଡ ଓ ସୁନ୍ଦରଗଡ ସମେତ ଆଉ ଦୁଇଟି ଲୋକସଭା ଆସନରେ ଭୋଟ ଗ୍ରହଣ। ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଥିବା ଭୋଟ ଗ୍ରହଣ ତାରିଖ ଅନୁସାରେ ଓଡିଶାରେ ଏପ୍ରିଲ 11 ତାରିଖ, ଏପ୍ରିଲ 18 ତାରିଖ,ଏପ୍ରିଲ 23 ତାରିଖ ଏବଂ ଏପ୍ରିଲ 29 ତାରିଖରେ ହେବ ଭୋଟ ଗ୍ରହଣ। ଭୋଟ ଗ୍ରହଣ ପାଇଁ ଘୋଷଣା ହୋଇଥିବା ଓଡିଶାର 21ଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାରିଖ ହେଲା..

ଏପ୍ରିଲ 11 ତାରିଖ

1-କଳାହାଣ୍ଡି

2-ନବରଂଗପୁର

3-ବ୍ରହ୍ମପୁର

4-କୋରାପୁଟ

ଏପ୍ରିଲ 18 ତାରିଖ

1-ବରଗଡ

2-ସୁନ୍ଦରଗଡ

3-ବଲାଙ୍ଗିର

4-କନ୍ଧମାଳ

5-ଆସିକା

ଏପ୍ରିଲ 23 ତାରିଖରେ

1-ସମ୍ବଲପୁର

2-କେଉଁଝର

3-ଢେଙ୍କାନାଳ

4-କଟକ

5-ପୁରୀ

6-ଭୁବନେଶ୍ବର

ଏପ୍ରିଲ 29 ତାରିଖ

1-ମୟୁରଭଂଜ

2-ବାଲେଶ୍ବର

3-ଭଦ୍ରକ

4-ଯାଜପୁର

5-କେନ୍ଦ୍ରାପଡା

6-ଜଗତସିଂହପୁର

ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ 29 ତାରିଖରେ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି।

Categories
ବିଶେଷ ଖବର

ଏପ୍ରିଲ ଦ୍ବିତୀୟ ସପ୍ତାହରେ ଓଡିଶାରେ ନିର୍ବାଚନ ହେବାର ସମ୍ଭାବନା, ମାର୍ଚ୍ଚ 8 ପରେ ଘୋଷଣା ହେବ ତାରିଖ।

ସମୀକ୍ଷା ବ୍ୟୁରୋ

କେବ ହେବ ନିର୍ବାଚନ, ଏହାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଆସନ୍ତା 8 ତାରିଖରେ କିମ୍ବା ଏହା ପରେ ସ୍ପଷ୍ଟ ହେବ। ନିର୍ବାଚନ କମିଶନର ସେଥିପାଇଁ ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଯାହା ଜଣାପଡୁଛି ଓଡିଶାରେ ପୂର୍ବପରି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିଷ୍ପତି ହୋଇଛି। ରାଜ୍ୟରେ ଏହି ନିର୍ବାଚନ ଏପ୍ରିଲ ଦ୍ବିତୀୟ ଓ ତୃତୀୟ ସପ୍ତାହରେ କରାଯିବ ବୋଲି ଜଣାପଡିଛି। ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ଓଡିଶାରେ ଆସନ୍ତା ଏପ୍ରିଲ୍‌ 10 ଓ 17 ତାରିଖରେ ନିର୍ବାଚନ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାର ଜଣାପଡିଛି। କାରଣ ଏପ୍ରିଲ  13 ତାରିଖରେ ରାମନବମୀ ଏବଂ 14 ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଛି। ଏହି ଦୁଇଦିନକୁ ଓଡିଶା ଜନସାଧାରଣ ମହା ଆଡମ୍ବର ସହକାରେ ପାଳନ କରୁଥିବାରୁ ଏହା ପୂର୍ବରୁ ଏବଂ ପରେ ନିର୍ବାଚନ କରାଯିବ ଉଚିତ ବୋଲି ତର୍ଯ୍ୟମା କରାଯାଇ ଏପରି ନିଷ୍ପତି ହୋଇଥିବାର ଜଣାପଡିଛି। ସାରା ଭାରତରେ ପ୍ରାୟ 12ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବା ପାଇଁ ନିଷ୍ପତି ହୋଇଥିବାର ଜଣାପଡିଛି।  ଯେଉଁଦିନ ନିର୍ବାଚନ ତାରିଖ ଘୋଷଣା କରିବେ ସେହି ଦିନ ହିଁ ଆଚରଣ ବିଧି ଲାଗୁ କରାଯାଇ ସମସ୍ତ କଟକଣା ଲାଗୁ କରାଯିବ। ଏହାପରେ ସମସ୍ତ ରାଜନୈତିକ ଦଳକୁ ଅତିକମ୍ ରେ 35 ଦିନ ନିର୍ବାଚନ ପ୍ରସ୍ତୁତି ଏବଂ ପ୍ରଚାର ପାଇଁ ସମୟ ଦିଆଯିବ।

ଗତ 15 ତାରିଖରେ ତିନିଦିନିଆ ଓଡିଶା ଗସ୍ତରେ ନିର୍ବାଚନ କମିଶନର ଅଶୋକ ଲାଭାସା ଆସିଥିଲେ। ଏହି ସମୟରେ ସେ ଓଡିଶାର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ସହିତ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଆଲୋଚନାକୁ ଆଧାର କରି ସେ ଓଡିଶାର ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ରିପୋର୍ଟ ଦେଇଥିବାର ଜଣାପଡିଛି। ସେତେବେଳେ ନିର୍ବାଚନ କମିଶନର ଓଡିଶାର ବରିଷ୍ଠ ଅଧିକାରୀଙ୍କୁ 20 ତାରିଖ ସୁଦ୍ଧା ବଦଳି କରିବା ପାଇଁ ମଧ୍ୟ କହିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ବଡ ଧରଣର ଅଦଳ ବଦଳ ମଧ୍ୟ କରିସାରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଆଇନି ଶୃଙ୍ଖଳା ପରିସ୍ଥିତି ସଂପର୍କରେ କମିଶନର ପୋଲିସ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ଗତ 2014 ନିର୍ବାଚନ ସମୟରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଯାହା ଥିଲା ସେଥିରେ ଅନେକ ସୁଧାର ଆସିଛି ବୋଲି କମିଶନରଙ୍କୁ ଅବଗତ କରାଯାଇଛି। ସେଥିପାଇଁ ଓଡିଶାରେ ନିର୍ବାଚନ ସୁରୁଖୁରରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅବଗତ କରାଇଛନ୍ତି। ଏହାସତ୍ବେ ଗତ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ ଆଧାର କରି ମୁଖ୍ୟ କମିସନର ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ନିଷ୍ପତି କରିଥିବା ଜଣାପଡିଛି।

ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଏକ ନୂଆ ନିୟମ ଆସୁଥିବାର ଜଣାଯାଇଛି । ତାହା ହେଉଛି ପ୍ରାର୍ଥୀ ବା ପ୍ରାର୍ଥିନୀ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ପରେ, ତାହା ଆୟକର ବିଭାଗ ଯାଞ୍ଚ କରିବା ପାଇଁ ପଠାଯିବ। ଏଥିସହ ଏଥର ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କ ଭାରତରେ ଥିବା ସଂପତ୍ତି ସହିତ ବିଦେଶରେ ଥିବା ସଂପତ୍ତି ତାଲିକା ମଧ୍ୟ ସଂଲଗ୍ନ କରିବାକୁ ବାଧ୍ୟତା ମୂଳକ କରାଯିବ। ସେସବୁ ଆୟକର ବିଭାଗ ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହୁଏ ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି କରାଯାଇଛି। ଏପରିକି ତାଙ୍କର ସଦସ୍ୟ ପଦକୁ ରଦ୍ଦ କରିଦିଆଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଓଡିଶାର ସମସ୍ତ ବୁଥରେ ଭିଭିପିଏଟି ଲଗାଯିବ । ଫଳରେ ଭୋଟର କାହାକୁ ଭୋଟଦେଲେ ତାହା ଏହି ମେସିନରୁ ବାହାରିଥିବା ରସିଦରୁ ଅବଗତ ହୋଇପାରିବେ। ଓଡିଶାର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ ବୋଲି ଜଣାପଡିଛି। ଆଉ ସେସବୁ ଭୁବନେଶ୍ବରର ମୁଖ୍ୟ ନିର୍ବାଚନ ଅଧିକାରୀ ତଦାରଖ କରି ପଦକ୍ଷେପ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମୁଖ୍ୟତଃ ପ୍ରାର୍ଥୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ଦଳ ଦ୍ବାରା ତଦାରଖ କରିବାକୁ ମଧ୍ୟ ଯୋଜନା କରାଯାଇଛି।

ଗତ 2014 ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ 5ରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ସେତେବେଳେ ଏହି ନିର୍ବାଚନ ଏପ୍ରିଲ 7 ତାରିଖରୁ ଆରମ୍ଭ ହୋଇ ମେ 12 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଓଡିଶାର ଭୋଟ ଗ୍ରହଣ ଏପ୍ରିଲ 10 ଓ 17 ତାରିଖରେ କରାଯାଇଥିଲା। ମେ 16 ତାରିଖରେ ଭୋଟ ଗଣତି କରାଯାଇ,ଫଳାଫଳ ପ୍ରକାଶ କରାଯାଇଥିଲା। ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଯେଉଁ ଭୋଟ ଗ୍ରହଣ ତାରିଖ ଥିଲା, ତାହା ହେଲା..

ବିହାର- ଏପ୍ରିଲ୍ 10,17,24,30 ଏବଂ ମେ 7 ଓ 12 ତାରିଖ

ଓଡିଶା- ଏପ୍ରିଲ୍‌ 10 ଓ 17 ତାରିଖ

ପଶ୍ଚିମ ବଂଗ- ଏପ୍ରିଲ୍‌ 17, 24,30 ଏବଂ ମେ 7 ଓ 12 ତାରିଖ

ଝାଡଖଣ୍ଡ- ଏପ୍ରିଲ 10,17 ଓ 24 ତାରିଖ ଥିଲା।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ 7 ତାରିଖରେ ଦୁଇଟି ରାଜ୍ୟର 6 ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍‌ 9 ତାରିଖରେ 5ଟି ରାଜ୍ୟର 7ଟି ନିର୍ବାଚନ ମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍‌ 10 ତାରିଖରେ 14ଟି ରାଜ୍ୟର 92ଟି ନିର୍ବାଚନ ମଣ୍ଡଳୀ, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ 12 ତାରିଖରେ 3ଟି ରାଜ୍ୟର 5ଟି ନିର୍ବାଚନ ମଣ୍ଡଳୀ, ପଞ୍ଚମ ପର୍ଯ୍ୟାୟ ଏପ୍ରିଲ 17 ତାରିଖରେ 13 ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର 122ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରାଯାଇଥିଲା। ସେହିପରି ଏପ୍ରିଲ 24 ତାରିଖ ଷଷ୍ଠ ପର୍ଯ୍ୟାୟରେ 12 ଟି ରାଜ୍ୟର 117ଟି ନିର୍ବାଚନ ମଣ୍ଡଳୀ, ଏପ୍ରିଲ 30 ତାରିଖ ସପ୍ତମ ପର୍ଯ୍ୟାୟରେ 9ଟି ରାଜ୍ୟର 89 ନିର୍ବାଚନ ମଣ୍ଡଳୀ,ମେ 7 ତାରିଖ ଅଷ୍ଟମ ପର୍ଯ୍ୟାୟରେ 7ଟି ରାଜ୍ୟର 64 ନିର୍ବାଚନ ମଣ୍ଡଳୀ, ନବମ ପର୍ଯ୍ୟାୟ ମେ 12 ତାରିଖରେ 3ଟି ରାଜ୍ୟର 41ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଡିଜିଟାଲ ମିଡିଆର ବହୁଳ ବ୍ୟବହାର କରିବେ। ସେଥିପାଇଁ ନିର୍ବାଚନ କମିଶନର ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଆଇଟି ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦେବେ ବୋଲି ଜଣାପଡିଛି। ଏହି ଆଇଟି ଦଳ ସବୁ ରାଜ୍ୟରେ ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବେ ବୋଲି ନିଷ୍ପତି ହୋଇଛି।