Categories
ବିଶେଷ ଖବର

ଓଡିଶା ବିଜେପିର “ମିଶନ ୧୨୦+” ରୁ “ମିଶନ ଆତ୍ମହତ୍ୟା”- ବିଜେଡି ପାଇଁ ବିଜୟପଥ ପରିଷ୍କାର କରୁଛି କି ବିଜେପି ?

କେଦାର ମିଶ୍ର

ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନ ସିଧାସଳଖ ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ମାମଲାରେ ପଶ୍ଚିମ ଓଡିଶାର ସଂଘ ଦାୟିତ୍ବରେ ଥିବା ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ବିଜେପି ଭିତରେ ଥିବା ସଂଘର ପୁରୁଣା କର୍ମକର୍ତ୍ତାଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବାର ଗୁରୁତର ଅଭିଯୋଗ ଶ୍ରୀ ଚୌହାନ ଆଣିଛନ୍ତି। ସଂପୃକ୍ତ ଅଧ୍ୟାପକ ଓ ସଂଘ କର୍ମକର୍ତ୍ତାଜଣକ ନିଜର ଦୁର୍ନୀତି ପାଇଁ ବେଶ ଜଣାଶୁଣା ହୋଇଥିବାବେଳେ ତାଙ୍କୁ ଏବେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି। ସେହି ଅଧ୍ୟାପକ ଜଣକ ଜଣେ ଅହଙ୍କାରୀ କେନ୍ଦ୍ରମନ୍ତ୍ରୀଙ୍କ ହାତବାରିସି ସାଜି ରାଜ୍ୟ ସଙ୍ଗଠନକୁ ତଳି ତଳାନ୍ତ କରି ଚାଲିଛନ୍ତି ବୋଲି କୁହାଯାଉଛି। ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସମୀକ୍ଷା ଡଟ କମ କୁ ଏକ ସ୍ଵତନ୍ତ୍ର ସାକ୍ଷାତ୍କାର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ନିଜର ଜୀବନ ସମର୍ପିତ କରିଥିଲେ ସେମାନେ ଆଜି ଦଳ ଭିତରେ ପ୍ରଚୁର ନିର୍ଯାତନା ଓ ଉପେକ୍ଷା ଭୋଗୁଛନ୍ତି।

ଦଳ ଏବେ ଜଣେ ବ୍ୟକ୍ତିର ଅହଂକାର ଆଗରେ ମୁଣ୍ଡ ଝୁଙ୍କାଇ ଠିଆ ହୋଇଛି ବୋଲି ଶ୍ରୀ ଚୌହାନ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦଳର ବହୁ ପୁରୁଣା କର୍ମକର୍ତ୍ତା ସମର୍ଥନ କରିଛନ୍ତି। ଶ୍ରୀ ଚୌହାନଙ୍କ ପରି ବହୁ ପୁରୁଖା ବିଜେପି କର୍ମୀ ଏବେ ଦଳ ବିରୋଧରେ ଓ ସଂଘ ଭିତରେ ଚାଲିଥିବା ପ୍ରିୟା ପ୍ରୀତି ତୋଷଣ ବିରୋଧରେ ମୁହଁ ଖୋଲିଛନ୍ତି।  ଏବେ ସୋସିଆଲ ମିଡିଆରେ ସଂଘ ପରିବାରର ବହୁ ପୁରୁଣା କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଦଳର ଯେଉଁ ୧୨୦+ ମିଶନ ଥିଲା ତାହା କେବଳ ବାହାନା ମାତ୍ର। ଏବେ ଦଳ ଆତ୍ମହତ୍ୟା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ବୋଲି ଏମାନେ କହିଛନ୍ତି।

ଦଳର ପୁରୁଣା କର୍ମୀ ଓ ନେତା ଏବେ ବିଜେପିର ହାତ ଛାଡୁଥିବା ବେଳେ ବିଜେପି ଅଧିକରୁ ଅଧିକ ଅମଲାଙ୍କ ଉପରେ  ନିର୍ଭର କରୁଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାତାରାତି ବିଜେପିରେ ଯୋଗ ଦେଇ ଟିକଟ ପାଇବା ଦଳର କି ଉପକାରରେ ଲାଗିବ ବୋଲି ଏବେ ପ୍ରଶ୍ନ ଉଠା ଯାଉଛି। ସରକାରରେ ଥିବାବେଳେ ସବୁ ସୁଖ ସୁବିଧା ଉପଭୋଗ କରିଥିବା ଅମଲାମାନେ ଦଳୀୟ ସଂଗଠନ ଉପରେ କେବଳ ବୋଝ ହେବେ ବୋଲି କର୍ମୀମାନେ ଯାହା କହୁଛନ୍ତି, ତାହାର ଯଥେଷ୍ଟ ସତ୍ୟତା ରହିଛି। ଗୋଟେ ପକ୍ଷରେ ବିଜେପି ଓଡିଶାର ବିଜେଡି ସରକାର କୁ ଅମଲାଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ସରକାର ବୋଲି ଆକ୍ଷେପ କରୁଛି, କିନ୍ତୁ ଅପର ପକ୍ଷରେ ଦଳ ଡାକିହାକି ଦଳ ବାହାରୁ ଅମଲା ଓ ବାବୁମାନଙ୍କୁ ଟିକଟ ବାଣ୍ଟୁଛି। ଏହା ବିଜେପିର ଚରମ ଅପାରଗତା ଓ ନିଜ ସଂଗଠନ ଉପରେ ଦଳର ଯେ ଆସ୍ଥା ନାହିଁ, ସେକଥା ପ୍ରମାଣିତ ହୋଇ ଯାଉଛି।

ବିଜେପିର ଟିକଟ ବଣ୍ଟନ ପ୍ରକ୍ରିୟାରୁ ଏମିତି ମନେ ହେଉଛି ଯେ, ସତେକି ବିଜେପି ବିଜେଡି ପାଖରେ ନିଜକୁ ସମର୍ପଣ କରି ଦେଇଛି। କେବଳ ଟେଲିଭିଜନ ପର୍ଦ୍ଦାରେ ନବୀନଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ବ୍ୟତୀତ ବିଜେପି ବାକି ସବୁ କ୍ଷେତ୍ରରେ ନବୀନଙ୍କୁ ସୁହାଇଲା ଭଳି କାମ କରୁଛି ବୋଲି ଏବେ ଅଭିଯୋଗ ଆସିଲାଣି। ପଶ୍ଚିମ ଓଡିଶା ଲାଗି ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଏହା ଏକ ପ୍ରକାର “ନିର୍ବାଚନ ଫିକ୍ସିଙ୍ଗ” ବୋଲି ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି। ଉପରେ ଉପରେ ନବୀନ ବିରୋଧୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ମାନଙ୍କୁ କେବଳ ନାଟକ ପାଇଁ ବ୍ୟବହାର କରାଯାଉଛି। ଠିକଣା ସମୟରେ ଏମାନଙ୍କୁ ମଧ୍ୟ ଫୋପାଡି ଦିଆଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇତି ମଧ୍ୟରେ ଜାତୀୟ ସ୍ତରର ରାଜନୀତି ଦ୍ରୁତ ଗତିରେ ବଦଳୁଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସ ବିରୋଧରେ ଯେତେ ପ୍ରଚାର କଲେ ମଧ୍ୟ ଏହି କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ୨୦୧୪ର ସମକକ୍ଷ ହେବନାହିଁ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ନବୀନଙ୍କ ବିଜୁ ଜନତା ଦଳ ଉପରେ ମୋଦୀ ସରକାରର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ନବୀନଙ୍କ ନିର୍ବାଚନୀ କୌଶଳ ଓ ଲୋକପ୍ରିୟତା ଆଗରେ ରାଜ୍ୟ ବିଜେପି ସ୍ପର୍ଦ୍ଧା ର ସହିତ ଠିଆ ହୋଇ ପାରୁନାହିଁ। ତେଣୁ ଜାଣିଶୁଣି ବିଜେପି ନିଜକୁ ଦୁର୍ବଳ କରୁଛି ବୋଲି ଏକ ଭିନ୍ନମତ ଏବେ ଗଢି ଉଠୁଛି। ଦୁର୍ବଳ ପ୍ରାର୍ଥୀ ଚୟନ କରି ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଭଳି ଲୋକସଭା ଆସନକୁ ଦଳ ଆରମ୍ଭରୁ ହାତଛଡା କରି ସାରିଛି।

ବିଜେପି ବୋଧେ ଏହି ନିର୍ବାଚନକୁ ଆଉ ଗୁରୁତ୍ଵ ଦେଇ ଲଢିବାକୁ ଚାହୁନି ବୋଲି ବିଜେପିର ବହୁ ପୁରୁଣା କର୍ମକର୍ତ୍ତା ଏବେ ପ୍ରଶ୍ନ  ଉଠାଇବା ଆରମ୍ଭ କଲେଣି।

Categories
ବିଶେଷ ଖବର

ବିଜେପି ଭିତରେ ଆଉରଙ୍ଗଜେବ ଓ ବିଶ୍ଵାସଘାତକତାର ମହାନାଟକ; ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ବିଜେପିର ଆଭ୍ୟନ୍ତରୀଣ କନ୍ଦଳ

କେଦାର ମିଶ୍ର

“ଗୋଟେ କ୍ୟାଡର ଭିତ୍ତିକ ଦଳ”, “ଭିନ୍ନ ମତାଦର୍ଶର ଦଳ”…ଏମିତି କିଛି ବିଶେଷ ବିଶେଷଣ ସବୁବେଳେ ଭାରତୀୟ ଜନତା ପାର୍ଟି ଆଗରେ ଲଗାଇବାକୁ ଏହାର କର୍ମୀମାନେ ଭଲ ପାଆନ୍ତି। ଯାବତୀୟ ବୈଚାରିକ ମତଭେଦ ସତ୍ତ୍ୱେ ଏହି ଦଳର ସବୁଠୁ ବଡ ବିରୋଧୀ ମଧ୍ୟ ମାନିଥାନ୍ତି ଯେ ବିଜେପିରେ ଥିବା କର୍ମୀମାନେ ନିଜ ଦଳ ପ୍ରତି ଓ ଦଳର ବିଚାର ପ୍ରତି ଅନ୍ଧ ଭାବରେ ଅନୁରକ୍ତ। ହେଲେ ଏଇ ଅନ୍ଧ ଅନୁରକ୍ତିରୁ ସେମାନଙ୍କୁ ମିଳେ କଣ? ବିଜେପି ଆଜି ନିଜ କ୍ୟାଡର ପ୍ରତି ଅନୁରକ୍ତ କି? ଓଡିଶାର ସାଧାରଣ ନିର୍ବାଚନରେ ଦଳ ଯେଉଁ ପ୍ରକାର ଟିକଟ ଆବଣ୍ଟନ କରିଛି ତାକୁ ଦେଖି ଯେ କେହି ବି କହିବ ଯେ ଏ ଦଳ ନିଜର ଅନୁରକ୍ତ କର୍ମୀଙ୍କ ତୁଳନାରେ “ଉଡାପକ୍ଷୀ” ମାନଙ୍କ ଉପରେ ବେଶୀ ନିର୍ଭରଶୀଳ। ଏହି ଦଳରେ ଯୋଗଦାନ କରିବାର ଦୁଇ ଘଣ୍ଟା ଭିତରେ ଜଣେ ବ୍ୟକ୍ତିକୁ ଲୋକସଭା ଲଢିବାକୁ ଟିକଟ ଦିଆ ଯାଇପାରେ, ହେଲେ ଦଳ ପ୍ରତି ସମର୍ପିତ କର୍ମୀମାନେ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ମଧ୍ୟ ଦଳ ଭିତରେ ଅଲୋଡା ହୋଇ ପଡିରହନ୍ତି।

ଏହାର ଦୁଇଟି ଉଦାହରଣ ହେଉଛନ୍ତି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଟିକଟରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀ ସୁବାସ ଚୌହାନ ଓ ସଦ୍ୟ ଦଳ ଛାଡିଥିବା ଦଳର ଉପ ସଭାପତି ରାଜକିଶୋର ଦାସ। ଏ ଦୁହେଁ ଓଡିଶାର ବିଜେପିରେ ଗତ ତିରିଶ ବର୍ଷ ଧରି କାମ କରିଛନ୍ତି। ଯେତେବେଳେ ବିଜେପି ପ୍ରତି ଓଡିଶାରେ କୌଣସି ସମର୍ଥନ ନଥିଲା ଏଇ ନେତାମାନେ ଦଳରେ ପଡିରହି ଦଳକୁ ଆଗକୁ ବଢାଇବାରେ ସହଯୋଗ କରିଛନ୍ତି। ହେଲେ ଟିକଟ ଦେଲାବେଳକୁ ଏମାନଙ୍କ ନାଁକୁ ବିଚାର କରାଯାଏ ନାହିଁ। ବିଜେପିରେ ଯୋଗଦାନ କରିବାର ମାତ୍ର କେଇ ଘଣ୍ଟା ଭିତରେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଓ ଖାରବେଳ ସ୍ଵାଇଁଙ୍କୁ ଟିକଟ ମିଳିଥିବା ବେଳେ ଗତ ଲୋକସଭା ନିର୍ବାଚନରେ ମାତ୍ର ଏଗାର ହଜାର ଭୋଟରେ ହାରିଥିବା ସୁବାସ ଚୌହାନଙ୍କୁ ଦଳ ଟିକଟ ଦେବାରୁ ବଞ୍ଚିତ କରିଛି।

ବରଗଡ ଲୋକସଭା ପାଇଁ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସୁବାସ ଚୌହାନ ତାଙ୍କର ଫେସବୁକ ୱାଲ ରେ ଏକ ପୋଷ୍ଟିଂ ଦେଇ ଲେଖିଛନ୍ତି-  “ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି। ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ। ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି। ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା। ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। ଅପମାନର ସୀମା ଟପିଗଲା। ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା। କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି। କିନ୍ତୁ ଫଳ ଓଲଟା ହେଲା। ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ।”

ସୁବାସ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସବୁଠୁ ଅଧିକ ବିତର୍କର ଆବଶ୍ୟକତା ରଖେ। ବିଜେପିର ରାଜ୍ୟ ମାମଲାରେ ନିଜକୁ ଅଘୋଷିତ ମୁଖିଆ ବୋଲାଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଟେଲିଭିଜନ ବୁମ  ଆଗରେ ନିଜର ବାହାଦୁରି ଦେଖାଉଥିବାବେଳେ ରାଜ୍ୟ ସଙ୍ଗଠନରେ ତାଙ୍କର ଗ୍ରହଣୀୟତା ନାହିଁ। ଧର୍ମେନ୍ଦ୍ର ସତରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି ପାରିବେ କି ? ନବୀନଙ୍କ ବିରୋଧରେ ଲଢିବା ବଡକଥା, ଧର୍ମେନ୍ଦ୍ର ଓଡିଶାରୁ ଲୋକସଭା ବା ବିଧାନସଭା ଲାଗି ଲଢିବାର ସତସାହସ ଦେଖାଇପାରିଛନ୍ତି କି ? କେବଳ ଦଳୀୟ ସଙ୍ଗଠନରେ ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତାଙ୍କୁ ଧରି ବିଜୁ ଜନତା ଦଳର ବିକଳ୍ପ ହେବାକୁ ଧର୍ମେନ୍ଦ୍ର ବାବୁ ଯେଉଁ ଦିବାସ୍ଵପ୍ନ ଦେଖୁଛନ୍ତି ତାହାରି ଉପରେ ସୁବାସ ଚୌହାନ କଡା ପ୍ରହାର କରିଛନ୍ତି।

ତାଙ୍କଠୁ ପାଦେ ଆଗକୁ ଯାଇ ରାଜକିଶୋର ଦାସ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆଉରଙ୍ଗଜେବ। ନିଜ ଅହଂକାର ଲାଗି ସେ ଦଳ ଭିତରେ ଥିବା ନିଜ ଭାଇମାନଙ୍କୁ ହତ୍ୟା କରିପାରିବେ ବୋଲି ରାଜକିଶୋର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖି ବିଜେପିର ଜଣେ ପୁରୁଣା କର୍ମୀ କହନ୍ତି- ଦଳ ଏବେ କଂଗ୍ରେସ ରାସ୍ତାରେ ଚାଲିବା ଆରମ୍ଭ କରିଛି। ମତ, ବିଚାର ଓ ଆଦର୍ଶ ବୋଲି ବିଜେପିରେ ଆଉ କିଛି ନାହିଁ।

ବିଜେପି ଓ ସଙ୍ଘକର୍ମୀଙ୍କ କ୍ଷୋଭ ଏବେ ଚରମ ସୀମାରେ ପହଞ୍ଚିଛି। ଓଡିଶା ରାଜନୀତିରେ ୧୯ ବର୍ଷର ବିଜେଡି ଶାସନ ବିରୋଧରେ ଜନମତ ସୃଷ୍ଟି କରିବାର ମିଶନରେ ବାହାରିଥିବା ବିଜେପି ଏବେ ନିଜ ଦଳ ଭିତରେ ବିଭୀଷଣ ଓ ଆଉରଙ୍ଗଜେବମାନଙ୍କ ସହ ଲଢେଇ ରେ ନିଜର ସବୁ ସମୟ ଓ ଶକ୍ତି ସାରୁଛି।

Categories
ଆଜିର ଖବର

ନିର୍ବାଚନ ଲଢିବାକୁ ମନା କଲେ ସୁବାସ : ବିଜେପିରୁ ଧର୍ମେନ୍ଦ୍ରଙ୍କୁ ଲଢିବାକୁ ଦେଲେ ପରାମର୍ଶ

ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି।  ସୁବାସ ଚୌହାନ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ସଂଗଠନରେ ରହି ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତେବେ ବିଜେପୁରରୁ ଲଢିବାକୁ ସୁବାସ ଚୌହାନଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହି ଆସନରୁ ଲଢିବାକୁ ମନା କରିଛନ୍ତି। ଚଳିତ ଥର ବିଜେପୁରର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢିବାକୁ ସେ କହିଛନ୍ତି।