Categories
ଜାତୀୟ ଖବର ବିଶେଷ ଖବର

Panjab Election: ସିଦ୍ଧୁଙ୍କ ବିରୋଧରେ କ୍ୟାପଟେନ ଅମରିନ୍ଦର ସିଂ ଆଣିଲେ ମହା ଅଭିଯୋଗ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତିର ମୋଡ ସେତିକି ବଦଳିବାରେ ଲାଗିଛି। ବର୍ତ୍ତମାନ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂଙ୍କ ଏକ ବଡ ଖୁଲାସାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ତାହା ହେଲା ଅମରିନ୍ଦର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ ଅଭିଯୋଗ ଆଣିଛନ୍ତି।

ସେ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ତାହା ହେଲା ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଦ୍ଧୁଙ୍କୁ  ମନ୍ତ୍ରୀ କରିବା ପାଇଁ ପାକିସ୍ଥାନ ଚାପ ପ୍ରୟୋଗ କରିଥିଲା। ସେ ସିଧା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମ ନେଇଛନ୍ତି।

ଅମରିନ୍ଦର କହିଛନ୍ତି ଯେ, ତାଙ୍କୁ ରାଜ୍ୟ କ୍ୟାବିନେଟରେ ସ୍ଥାନିତ କରିବା ପାଇଁ ଇମ୍ରାନ ଏକ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଯଦି ସିଦ୍ଧୁଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରିପାରିବେ ତେବେ ମୁଁ ଖୁସି ହେବି। ସେ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ।

ଅମରିନ୍ଦର ଆହୁରି କହିଛନ୍ତି ଯେ, ଇମ୍ରାନ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ, ଯଦି ସେ ଭଲ କାମ ନ କରିବେ ତେବେ ତାଙ୍କୁ ବାହାର କରିପାରନ୍ତି। ଏହି ଅନୁରୋଧ ପାଇବା ପରେ କ୍ୟାପେଟନ ତାହାକୁ ଗ୍ରହଣ କରି ନ ଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ନବଜୋତ ସିଂ ସିଦ୍ଧୁ ହେଉଛନ୍ତି ଜଣେ ଅଯୋଗ୍ୟ ଲୋକ। ସେ କୌଣସି କାମକୁ ନୁହଁନ୍ତି। ତାଙ୍କୁ ପ୍ରଥମେ ମୁଁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲି। ହେଲେ ସେ ଗୋଟିଏ ଫାଇଲରେ ଦସ୍ତଖତ କରିବାକୁ ତିରିଶ ଦିନ ଲଗାଉଥିଲେ। ପ୍ରକୃତରେ ମନ୍ତ୍ରୀ ହେଲେ କଣ ଦାୟିତ୍ବ ସେ କଥା ସିଦ୍ଧୁ ଜାଣନ୍ତି ନାହିଁ ବୋଲି କ୍ୟାପେଟନ କହିଛନ୍ତି।

ଏହି ଘଟଣା ପରେ ପଂଜାବ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଣ ପାଇଁ ସିଦ୍ଧୁ ମନ୍ତ୍ରୀ ହୁଅନ୍ତୁ ବୋଲି ପାକିସ୍ଥାନ ଚାହୁଁଥିଲା। ପ୍ରକୃତ ବନ୍ଧୁଙ୍କ ପାଇଁ ଇମ୍ରାନ ଅନୁରୋଧ କରିଥିଲେ ନା ସେ ମନ୍ତ୍ରୀ ହେଲେ ଆଉ କିଛି କରିଥାଆନ୍ତେ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

ୟୁପି ନିର୍ବାଚନରେ ପିଡିତା, ନିର୍ଯ୍ୟାତିତା ମହିଳାଙ୍କୁ ଟିକେଟ ଦେଲା କଂଗ୍ରେସ, ଚାଲିଲା ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ 125 ଜଣିଆ ପ୍ରାର୍ଥୀଙ୍କ ତାଲିକା ଗୁରୁବାର ଦିନ କଂଗ୍ରେସ ପ୍ରକାଶ କରିଛି। ଏହି ତାଲିକାରେ 40 ପ୍ରତିଶତ ମହିଳା ଅଛନ୍ତି। ତେବେ ବହୁ ଚର୍ଚ୍ଚିତ ଉନ୍ନାଓ ଗଣବଳାତ୍କାର ମାମଲାରେ ପୀଡିତାଙ୍କ ମାଙ୍କୁ ମଧ୍ୟ କଂଗ୍ରେସ ଟିକେଟ୍ ଦେଇଛି।

ଉନ୍ନାଓ ଗଣବଳାତ୍କାର ମାମଲାର ଶିକାର ହୋଇଥିବା ପିଡିତାଙ୍କ ମା’ ଆଶା ସିଂଙ୍କୁ କଂଗ୍ରେସ ମନୋନୀତ କରିଛି। ଏହି ମାମଲାରେ କଂଗ୍ରେସ ଏବଂ ପ୍ରିୟଙ୍କା ଗାନ୍ଧୀ ନ୍ୟାୟ ପାଇଁ ଦାବି ଉଠାଇ ଉତ୍ତର ପ୍ରଦେଶର ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ। ଉନ୍ନାଓରୁ ଆଶା ସିଂଙ୍କୁ ଟିକେଟ ଦେବାବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ ଉନ୍ନାଓରେ ଯାହାର ଝିଅକୁ ଅନ୍ୟାୟ କରାଯାଇଥିଲା, ସେ ବର୍ତ୍ତମାନ ନ୍ୟାୟ ପ୍ରଦାନର ମୁଖ୍ୟ ହେବେ – ସେ ଲଢିବେ ଆଉ ଜିତିବେ।

ବିଶେଷ କଥା ହେଉଛି ଏହି ପ୍ରାର୍ଥୀଙ୍କ ତାଲିକାରେ ଉନ୍ନାଓ ପୀଡିତାର ମା ଆଶା ସିଂଙ୍କ ପରି ବିଜେପି ସରକାର ଦ୍ବାରା ନିର୍ଯ୍ୟାତିତା ବହୁ ମହିଳାଙ୍କୁ ଟିକେଟ ଦିଆଯାଇଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଜଣେ ମହିଳା ହେଉଛନ୍ତି ପୁନମ୍ ପାଣ୍ଡେ। ସେ ଆଶା ଭଉଣୀମାନଙ୍କ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଉ ଜଣେ ମହିଳା ସାଦାଫ ଜାଫର ଅଛନ୍ତି, ଯିଏ ବିଜେପି ଦେଶର ଏକତାକୁ ଭାଙ୍ଗି ଦେଇଥିବା CAA ବିରୋଧରେ କଡ଼ା ସଂଘର୍ଷ କରିଥିଲେ। ଉତ୍ତରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ​​ବିଜେପି ଗୁଣ୍ଡା ଦ୍ୱାରା ନିର୍ଯାତିତ ହୋଇଥିବା ଆଉ ଜଣେ ମହିଳା ହେଉଛନ୍ତି ରିତୁ ସିଂ। ଏମାନଙ୍କୁ କଂଗ୍ରେସ ଟିକେଟ ଦେଇଛି।

କଂଗ୍ରେସ ବିଧାନସଭା ଦଳର ନେତା ତଥା ବରିଷ୍ଠ ନେତା ପ୍ରମୋଦ ତିୱାରୀଙ୍କ ଝିଅ ଆରାଧନା ମିଶ୍ରଙ୍କୁ ନିଜ ଆସନ ପ୍ରତାପଗଡରୁ ଟିକେଟ କରୁଛନ୍ତି। ଲୁଇସ୍ ଫାରୁଖାବାଦରୁ, ନୋଏଡାରୁ ପଙ୍ଖୁଡି ପାଠକ, ଆହ୍ଲାବାଦ-ଦକ୍ଷିଣରୁ ଅଲ୍ପନା ନିଶାଦ, ଶାହାଜାହାନପୁରରୁ ପୁନମ ପାଣ୍ଡେ ଏବଂ ଲକ୍ଷ୍ମୌ ସେଣ୍ଟ୍ରାଲରୁ ସାଦାଫ ଜାଫର ଲଢେଇ କରୁଛନ୍ତି।

ପୁନମ ପାଣ୍ଡେ ଜଣେ ଆଶା କର୍ମୀ। ଗତ ବର୍ଷ ପୁନମ୍, ଅନ୍ୟ ଆଶା କର୍ମଚାରୀଙ୍କ ସହ ପାରିଶ୍ରମିକ ବୃଦ୍ଧି ଦାବି କରି ଲକ୍ଷ୍ମୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଅଭିମୁଖେ ଯାଉଥିବାବେଳେ ପୋଲିସ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ପୁନମ୍ ଅନ୍ୟ ଆଶା କର୍ମଚାରୀଙ୍କ ସହିତ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। କଂଗ୍ରେସ ବର୍ତ୍ତମାନ ତାଙ୍କୁ ଶାହାଜାହାନପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିବାକୁ ଟିକେଟ ଦେଇଛି।

ଏଥି ସହିତ ସାଦାଫ ଜାଫରଙ୍କୁ ଡିସେମ୍ବର 19, 2019 ରେ ଲକ୍ଷ୍ମୌରେ CAA-NRC ବିରୋଧରେ ଫେସବୁକ୍ ଲାଇଭ୍ କରୁଥିବା ସମୟରେ ଗିରଫ କରାଯାଇଥିଲା | ହତ୍ୟା ଉଦ୍ୟମ, ଦଙ୍ଗା, ଅପରାଧିକ ଷଡଯନ୍ତ୍ର, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। କଂଗ୍ରେସ ଏପରି ଟିକେଟ ବଣ୍ଟନକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ବିହାରରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଭୁବନେଶ୍ୱର : ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଆଜି ମୋଟ 243 ଆସନ ମଧ୍ୟରୁ 78ଟି ଆସନରେ ଭୋଟଗ୍ରହଣ କରାଯାଉଛି । ଅନ୍ତିମ ପର୍ଯ୍ୟାୟରେ 1204 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାକୁ ଓହ୍ଲାଇଥିବା ବେଳେ 2.34 କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେହିପରି ୱେଷ୍ଟ ଚମ୍ପାରଣର ବାଲ୍ମିକୀ ନଗର ଲୋକସଭା ଆସନ ପାଇଁ ମଧ୍ୟ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜିର ନିର୍ବାଚନରେ ଏନଡିଏର 12 ଜଣ ମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ବିହାର ବିଧାନସଭାର ବାଚସ୍ପତି ବିଜୟ କୁମାର ଚୌଧୁରୀ । ବିଜୟ କୁମାରଙ୍କ ବ୍ୟତୀତ ବିଜେନ୍ଦ୍ର ପ୍ରସାଦ ଯାଦବ, ନରେନ୍ଦ୍ର ନାରାୟଣ ଯାଦବ, ମହେଶ୍ୱର ହଜାରୀ, ରମେଶ ରିଶିଦେଓ, ଫିରୋଜ ଅହମଦ, ଲକ୍ଷ୍ମେଶ୍ୱର ରାୟ, ବୀମା ଭାରତୀ ଏବଂ ମଦନ ସାହଣୀ ଜେଡିୟୁ ପକ୍ଷରୁ ଲଢୁଛନ୍ତି । ଅନ୍ୟ ପକ୍ଷରେ ବିଜେପିର 5 ଜଣ ମନ୍ତ୍ରୀ  ନିର୍ବାଚନ ଲଢୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ : 18ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସୋମବାର ନିର୍ବାଚନ କମିଶନଙ୍କ ପକ୍ଷରୁ 7ଟି ରାଜ୍ୟର 18ଟି ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁନ୍‌ 19 ତାରିଖରେ 7ଟି ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରାଯାଇଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟର 4ଟି ଲେଖାଏଁ ଆସନ ରହିଛି । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର 3ଟି ଲେଖାଏଁ ଆସନ ରହିଥିବା ବେଳେ ଝାରଖଣ୍ଡର 2ଟି, ମଣିପୁର ଏବଂ ମେଘାଳୟର ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ।

ଜୁନ୍‌ 19 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ସହିତ ସମାନ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।

Categories
ବିଶେଷ ଖବର

ପ୍ରକୃତରେ ବିଜୟ ମହାପାତ୍ରଙ୍କ ଭାଗ୍ୟ ଖରାପ; କଣ ପାଇଁ ଭାଗ୍ୟ ସାଥ୍ ଦେଉ ନାହିଁ ଆସନ୍ତୁ ଜାଣିବା ସେ ସମ୍ପର୍କରେ ୮ଟି କାରଣ

ସମୀକ୍ଷା ବ୍ୟୁରୋ

ଶେଷରେ ବିଜୟ ମହାପାତ୍ର ତାଙ୍କ ନିଜ ଗଡରେ ହାରିବାକୁ ବାଧ୍ୟ ହୋଇଛନ୍ତି। ସମସ୍ତେ ଭାବିଥିଲେ ଯେ, ବିଜୟ ଜଣେ ଟାଣୁଆ ନେତା ନିଜର ଘରେ ସେ ଛିଡା ହୋଇଛନ୍ତି, ତେଣୁ ସେ ଜିତିଯିବେ। ହେଲେ ତାଙ୍କର ଜିତିବାରେ ତାଙ୍କ ଭାଗ୍ୟ ସାଥ୍ ଦେଉ ନାହିଁ। ଏବେ ନୁହେଁ ବିଗତ ୧୯ ବର୍ଷ ଧରି ସେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ପରିଗଣିତ ହେଉପାରି ନାହାଁନ୍ତି। ଆମେ ଏପରି ୧୦ଟି କାରଣ କହିବା ଯାହା ପ୍ରମାଣ ଦେବ ଯେ, ପ୍ରକୃତରେ ବିଜୟଙ୍କୁ ତାଙ୍କ ଭାଗ୍ୟ ସାଥ ଦେଉ ନାହିଁ।

କାରଣ-୧

ବିଜୟ ମହାପାତ୍ର ଜଣେ ଟାଣୁଆ ବିଜେପି ନେତା। ହେଲେ ଯେଉଁଦିନଠାରୁ ଦଳରେ ଧର୍ମେନ୍ଦ୍ରଙ୍କ ନେତୃତ୍ବ ବୃଦ୍ଧି ଘଟିଲା ସେହି ଦିନଠାରୁ ବିଜୟଙ୍କ ପତିଆରା କମିବାରେ ଲାଗିଲା।

କାରଣ-୨

ବିଜୟ ମହାପାତ୍ର ବିଜେପିରେ ରହି ମଧ୍ୟ ବିଭିନ୍ନ ସମୟରେ ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିଲା। ଶେଷରେ ପରିସ୍ଥିତ ଏପରି ହେଲା ଯେ ବିଜୟଙ୍କୁ ଦଳର ଗୋଟିଏ କୋଣରେ ଅଦରକାରୀ ବସ୍ତୁ ଭାବେ ପକାଇ ଦିଆଗଲା।

କାରଣ-୩

ଦିନକୁ ଦିନ ଧର୍ମେନ୍ଦ୍ରଙ୍କ ଦଳ ଭିତରେ ପତିଆରା ବୃଦ୍ଧି ସହିତ ବିଜୟଙ୍କ ପତିଆରା କମିବାରେ ଲାଗିଲା। ଶେଷରେ ଏପରି ପରିସ୍ଥିତି ହେଲା ଯେ ସେ ବିଜେପି ଛାଡିବାକୁ ବାଧ୍ୟ ହେଲେ।

କାରଣ-୪

ବିଜୟଙ୍କ ସହିତ ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ବିଜେପିରୁ ଇସ୍ତଫା ଦେଲେ। ଆଶା କରାଯାଉଥିଲା ଉଭୟ ବିଜେଡିରେ ଯୋଗ ଦେବେ। ହେଲେ ଶୁଣିବା କଥା ବିଜେଡି କୁଆଡେ ଦିଲ୍ଲୀପଙ୍କୁ ନେବାକୁ ରାଜି ହେଉଥିଲେ ହେଲେ ବିଜୟଙ୍କୁ ନୁହେଁ। ଫଳରେ ଉଭୟ ଦୀର୍ଘ ଦିନ ଧରି ଦଳ ବିହୀନ ଭାବେ ବସି ରହିଲେ।

କାରଣ-୫

ସାଧାରଣ ନିର୍ବାଚନ ପାଖେଇ ଆସିଲା ସିନା ବିଜୟ ଦିଲ୍ଲୀପ କେଉଁ ଦଳରେ ଯୋଗ ଦେବେ ତାହା ନିର୍ଦ୍ଧାରିତ ହେଲା ନାହିଁ। ଶେଷରେ ବିଜୟ ପୁଣି ଥରେ ବିଜେପିକୁ ଫେରି ଆସିଲେ ଆଉ ତାଙ୍କୁ ପାଟକୁରା ଟିକେଟ ଧରେଇ ଦିଆଗଲା। ହେଲେ ତାଙ୍କ ଚାରିପଟ ରାସ୍ତାକୁ ବନ୍ଦ କରି ଦିଆଗଲା।

କାରଣ-୬

ଟିକେଟ ପାଇବା ପରେ ବିଜୟଙ୍କ ହାଲତ ପୁଣି ଥରେ ଖରାପରୁ ଖରାପ ଆଡକୁ ଗତିକଲା। ଟିକେଟ ମିଳିବା ପରେ ଅନେକ ଭାବି ନେଲେ ଯେ, ଏଥର ବିଜୟଙ୍କ ଭାଗ୍ୟ ଉଦୟ ହେଲା, ସେ ବିଧାନସଭାରେ ବସିବେ। କିନ୍ତୁ ତାହା ହେଲା ନାହିଁ। ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହେଲା।

କାରଣ-୭

ସାଧାରଣ ନିର୍ବାଚନ ପରେ ପରେ ପାଟକୁରା ନିର୍ବାଚନ ହେଲେ ବିଜୟ ନିଶ୍ଚିତ ଜିତିବେ ବୋଲି ମଧ୍ୟ ଆଶା କରାଯାଉଥିଲା। ହେଲେ ତାହା ମଧ୍ୟ ଫସର ଫାଟିଗଲା। ଫନୀ ବାତ୍ୟା ଯୋଗୁଁ ପୁଣି ଥରେ ନିର୍ବାଚନ ବାତିଲ ହେଲା। ସେତେବେଳେକୁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଲେଣି। ଦ୍ବିତୀୟ ଥର ନିର୍ବାଚନ ବାତିଲ ହେବା ପରେ ସ୍ପଷ୍ଟ ହେଲା ଯେ ବିଜୟ ଆଉ ଜିତି ପାରିବେ ନାହିଁ।

କାରଣ-୮

ବିଜୟଙ୍କ ଘନିଷ୍ଠ ବନ୍ଧୁ ଦିଲ୍ଲୀପ ରାୟ ବିଜୟଙ୍କୁ ପ୍ରତିଶୃତି ଦେଇଥିଲେ ଯେ ବିଜେପିକୁ ନ ହେଲେ ମଧ୍ୟ ବିଜୟଙ୍କୁ ସମର୍ଥନ କରିବି। ହେଲେ ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀପଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଗଲା। ଯିଏ ସବୁବେଳେ ବିଜୟଙ୍କ ପାଖେ ପାଖେ ଥିଲେ ସେହି ଦିଲ୍ଲୀପଙ୍କୁ ନିର୍ବାଚନ ବେଳେ ଆଉ ଦେଖିବାକୁ ମିଳିଲା ନାହିଁ। ବିଜୟଙ୍କ ଭାଗ୍ୟ ଏପରି ହେଲା ଯେ, ତାଙ୍କର ବହୁ ବର୍ଷର ପୁରୁଣା ବନ୍ଧୁ ମଧ୍ୟ ତାଙ୍କୁ ହାତ ଛଡା କରିଦେଲେ।

ଏହା ହେଉଛି ଚଳିତ ନିର୍ବାଚନ ପୂର୍ବ ଓ ପରର ଘଟଣା। ହେଲେ ବିଜୟ ମହାପାତ୍ର 2000 ମସିହାରେ ବିଜେଡିରୁ ବିତାଡିତ ହେବା ପରଠାରୁ ତାଙ୍କର ରାଜନୈତିକ ପତିୟାରା ହ୍ରାସ ପାଇବାରେ ଲାଗିଛି। ଦୀର୍ଘ 19 ବର୍ଷ ଧରି ବିଜୟ ମହାପାତ୍ର ନିଜର ନାମ ଅନୁସାରେ ବିଜୟ ହୋଇପାରୁ ନାହିଁନ୍ତି। ତେଣୁ ଏହା ବିଜୟଙ୍କ ଭାଗ୍ୟର ବିଡମ୍ବନା ବ୍ୟତୀତ ଆଉ କିଛି ନୁହେଁ।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର

ସମୀକ୍ଷା ବ୍ୟୁରୋ

ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର। ଉଭୟ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଖାଲିପଡିଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ତରଫରୁ ରାଜ୍ୟସଭା ପାଇଁ ଦୁଇଜଣଙ୍କୁ ପ୍ରାର୍ଥୀ ଦିଆଯାଇଥିଲା। ଆଉ ଏକ ଆସନରେ ବିଜେପି ଦେଇଥିବା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଏହି ତିନୋଟି ଆସନରେ ବିଜେଡିରୁ ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପାଇଁ ନିର୍ବାଚିତ ହୋଇଛନ୍ତି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଥିବା ବେଳେ ସସ୍ମିତ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ପ୍ରମାଣ ପତ୍ର ପାଇବା ପରେ ଉଭୟ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ରାଜ୍ୟସଭାରେ ସେମାନେ ସଦସ୍ୟ ଭାବେ ଶପଥ ନେବେ।

Categories
ଆଜିର ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ

ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍‌ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।

Categories
ବିଶେଷ ଖବର

ନିର୍ବାଚନ ପରେ ନାରୀ ସଶକ୍ତିକରଣର ଲକ୍ଷ୍ୟ ; ମିଶନ ଶକ୍ତି ପାଇଁ ଅଧିକ ଶକ୍ତି ଓ ସମ୍ବଳ ଯୋଗାଇଛନ୍ତି ନବୀନ ସରକାର

ସାଗରିକା 

ନବୀନ ସରକାରଙ୍କ ପଞ୍ଚମ ପାଳିର ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ମହିଳା ଭୋଟ୍‌ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ମହିଳାଙ୍କ ବିକାଶ ଲାଗି ଅନେକ ଯୋଜନାର ପ୍ରସ୍ତାବ ରଖିଥିଲେ। ଚଳିତଥର ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଅଗ୍ରାଧିକାର ଦେଇଥିଲା ବିଜେଡ଼ି । ଲୋକସଭାରେ ଦଳ ନିଜ ତରଫରୁ ୩୩% ମହିଳାଙ୍କୁ ଟିକଟ ଦେଇଥିଲା।  ମହିଳା ସଶକ୍ତିକରଣ ଦିଗରେ ସରକାର ବିଶେଷ ଭୂମିକା ଗ୍ରହଣ କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ସଙ୍କେତ ଦେଇଥିଲେ।  ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଇ ବିଜେଡ଼ି ମହିଳା ସଶକ୍ତିକରଣ ଦିଗରେ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଥିଲା ।

ପୂର୍ବରୁ ତୃଣମୂଳସ୍ତରରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବେଶ୍‌ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଚଳିତ ନିର୍ବାଚନୀ ଇସ୍ତାହାରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦୦ କୋଟି ଟଙ୍କାର କାର୍ଯ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଏକ ବଳିଷ୍ଠ ଯୋଜନା । ଏହାଦ୍ବାରା ମହିଳା ମନକୁ ସାମାଜିକ ସ୍ତର ରେ ଉନ୍ନତି କରିବାର ସୁଯୋଗ ମିଳିଛି । ଏହାଦ୍ବାରା ଅନେକ ମହିଳା ଆର୍ଥିକ ସ୍ଵଚ୍ଛଳତା ପାଇ ପାରିଛନ୍ତି । ଏହାଦ୍ବାରା ପୂର୍ବରୁ ସମାଜ ରେ ମହିଳାଙ୍କୁ ନେଇ ରହିଥିବା ପାରମ୍ପରିକ  ମାନସିକତାରେ ସୁଧାର ଆସିଛି । ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଏହା ଜରିଆରେ ନାରୀମାନଙ୍କ ଆର୍ଥିକ ସ୍ଥିତି ସୁଧାରରେ ଏକ ବଡ଼ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି । ଏହା ଜରିଆରେ ବିଭିନ୍ନ ପ୍ରକାର ଋଣ କମ ସୁଧ ଅବା ବିନା ସୁଧରେ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର ଟ୍ରେନିଂ ଦିଆଗଲା । ତେବେ ନୀବନ ସରକାରଙ୍କ ପଞ୍ଚମ ପାଳି ର ପ୍ରଥମ କ୍ୟାବିନେଟ୍‌ ବୈଠକରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ନିମେନ୍ତ ୧୦୦୦ କୋଟି ଟଙ୍କାର କାର୍ଯ୍ୟକୁ ମଂଜୁର କରାଯାଇଛି ।

ନିର୍ବାଚନ ଆଗରୁ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରାୟ ସରକାରୀ କାମ ଗୁଡିକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସମ୍ପନ୍ନ କରାଇବାକୁ ସରକାର ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ସରକାର ବିଭିନ୍ନ ବିଭାଗ ମାଧ୍ୟମ ରେ ବିକ୍ରୟ କରିବାକୁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ମିଶନ ଶକ୍ତି ବିଭାଗ ମିଳିତ ଭାବେ  ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ସ୍କୁଲ ୟୁନିଫର୍ମ ଯୋଗାଇଦେବେ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଞ୍ଜି ବିକ୍ରୟ ଏବଂ ଛୋଟ ଛୋଟ ନର୍ସରୀ ପରିଚାଳନା କରିବେ । ମହୁମାଛି ପାଳିବେ । ଆଇସିଡିଏସ ଯୋଜନା ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ମାଣ୍ଡିଆ ଲଡ୍ଡୁର ବିତରଣ କରାଯିବ । ସେହିପରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟାନ୍ନ ଭୋଜନ ଲାଗି ଖାଦ୍ୟ ପ୍ରସ୍ତୁତି ଏବଂ  ନେବା ଆଣିବାରେ ସାହାଯ୍ୟ କରିବେ । ସେହିପରି ଶକ୍ତି ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସାରା ରାଜ୍ୟ ରେ ପଞ୍ଚାୟତ ସ୍ତର ରେ ବିଦ୍ୟୁତ ମିଟର ରିଡିଂରେ ସାହାଯ୍ୟ କରିବେ । ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଜଙ୍ଗଲ ସୃଷ୍ଟି ଏବଂ ଯତ୍ନ ନେବାର ସହାୟକ ହେବେ  । ସମନ୍ଵିତ ଜଙ୍ଗଲ ବିକାଶ ଯୋଜନାରେ ଜଙ୍ଗଲ ସୁରକ୍ଷା ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯିବ । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ  ଗ୍ରାମ ପଞ୍ଚାଯତ ସ୍ତର ରେ ମତ୍ସ୍ୟ ଚାଷ ଏବଂ ବ୍ୟୟଲର କୁକୁଡା ଚାଷ କରିବା ସହିତ ବିକ୍ରି କରି ପାରିବେ । ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଡାକ୍ତରଖାନା ଖାଦ୍ୟ ପ୍ରଦାନ , ମଶାରୀ ଏବଂ ସାନିଟାରୀ ନାପକିନର ବିତରଣ କରିପାରିବେ ।   ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ  ୧୦ ହଜାର କିଲୋମିଟର ଗ୍ରାମ୍ୟ ସଡକର ପର୍ଯ୍ୟାୟ ଅନୁସାର ରକ୍ଷଣାବେକ୍ଷଣ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।

ମିଶନ୍‌ଶକ୍ତିକୁ ସମୃଦ୍ଧ ତଥା ଦୃଢ କରିବା ଉପରେ ବିଶେଷ ପଦକ୍ଷେପ ନିଆଯାଇଛି । ତେବେ ଏହାର ମୂଳଲକ୍ଷ୍ୟ ଭିତରେ ରହିଛି ଅଧିକ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ ଡ଼ିଆଇଜି ରେ ପ୍ରୋତ୍ସାହନ ଦେବା,  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହ ଯୋଡିବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦେବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ର ବିକ୍ରି ରେ ସାହାଯ୍ୟ କରିବା ।

ନାରୀ ଶିକ୍ଷିତ ହେଲେ ଗୋଟେ ପରିବାର ଶିକ୍ଷିତ ହୁଏ, ସେହିପରି ନାରୀର ଉନ୍ନତିରେ ସାରା ସଂସାରର ଉନ୍ନତି । ମହିଳାମାନଙ୍କୁ ତୃଣମୂଳସ୍ତରରେ ସମୃଦ୍ଧ ତଥା ଦୃଢ କରିବା ଦିଗରେ ସରକାରଙ୍କ ଦ୍ବାରା ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ।

ReplyForward
Categories
ଆଜିର ଖବର

ନିର୍ବାଚନରେ ବିଜୟ ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଜଗନଙ୍କ ଧନ୍ୟବାଦ

ଚଳିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଅଦ୍ଭୂତପୂର୍ବ ସଫଳତା ପାଇଁ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ଏକ ସପ୍ତାହ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍‌ ଜଗନ ମୋହନ ରେଡ୍ଡୀ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇବା ସହିତ ଜଗନ କହିଛନ୍ତି ଆପଣ ମାନଙ୍କ ସହାୟତା ଦଳକୁ ବିଜୟୀ କରାଇଥିବା ବେଳେ ଆପଣ ମାନଙ୍କ ନିୟମିତ ସହାୟତା ଆବଶ୍ୟକ। ଜଗନଙ୍କ ଏହି ଟ୍ବିଟ୍‌ ଏକ ଘଣ୍ଟା ମଧ୍ୟରେ ୭ହଜାର ଥର ରିଟ୍ବିଟ୍‌ ହୋଇଥିଲା।

Categories
ବିଶେଷ ଖବର

ପଞ୍ଚମ ପାଳିରେ କଣ ରହିବ ନବୀନ ପଟ୍ଟନାୟକଙ୍କ ପ୍ରଥମ ଶହେ ଦିନର ଲକ୍ଷ୍ୟ !

କେଦାର ମିଶ୍ର

ଓଡିଶାର ରାଜନୈତିକ ଇତିହାସରେ ବାରମ୍ବାର ନୂଆ ଅଧ୍ୟାୟ ଯୋଡି ଚାଲିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ୨୯ ତାରିଖ ଦିନ ୧୧ଟାରେ ପଞ୍ଚମଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ। ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ବାବୁ ହେଉଛନ୍ତି ଜ୍ୟୋତି ବସୁ ଓ ପବନ କୁମାର ଚାମଲିଙ୍ଗ ଙ୍କ ପରେ ତୃତୀୟ ରାଜନେତା। ପ୍ରଥମ ଦୁଇ ପାଳି ବିଜେପି ସହ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ନବୀନ ବାବୁ ଗତ ତିନୋଟି ଯାକ ନିର୍ବାଚନରେ ନିଜ ଦଳକୁ ଦୁଇ ତୃତୀୟାଁଶ ଆସନରେ ଜିତାଇବାର ବିରଳ ଗୌରବ ପାଇଛନ୍ତି। ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପୋଷଣ କରିଛନ୍ତି ଓ ବିଜୁ ଜନତା ଦଳକୁ ୧୧୨ ଆସନରେ ବିଜୟୀ କରାଇଛନ୍ତି।

ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ନବୀନଙ୍କ ଲାଗି ବହୁ ଆହ୍ଵାନ ରହିଛି। ୨୦୦୦ ମସିହାରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାର ଠିକ ବର୍ଷକ ପୂର୍ବରୁ ମହାବାତ୍ୟାରେ ଓଡିଶା ଏକ ପ୍ରକାର ଉଜୁଡି ଯାଇଥିଲା। ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିବା ଗୋଟେ ରାଜ୍ୟର ଅର୍ଥନୀତିକୁ ସଜାଡିବାର ଗୁରୁ ଦାୟିତ୍ଵ ନବୀନ ତୁଲାଇ ଆସିଛନ୍ତି। ୨୦୧୯ ନିର୍ବାଚନ ସରିବା ପରେ ପରେ ଗତ ମଇ ୩ ତାରିଖ ଦିନ ପ୍ରବଳ ବାତ୍ୟା ମାଡରେ ପୁରୀ, ଭୁବନେଶ୍ୱର ଓ କଟକ ତଥା ଅନ୍ୟ ୬ ଟି ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପଞ୍ଚମ ପାଳିରେ ସରକାର ଗଢିବାକୁ ଯିବାବଳେ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବାର ଏକ ବଡ ଏଜେଣ୍ଡା ନବୀନ ବାବୁଙ୍କ ପାଖରେ ରହିଛି। ପଞ୍ଚମ ପାଳିର ନବୀନ ସରକାର ପାଇଁ ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ରହିବ ସେ ବିଷୟରେ ଏକ ଆକଳନ ଆମେ ପ୍ରସ୍ତୁତ କରୁଛୁ-

ପ୍ରଥମ ଦିନରେ “କାଳିଆ” ଯୋଜନା ଲାଗି ପଇସା

ନିର୍ବାଚନ ସମୟରେ ନୂଆ ସରକାର ଗଢା ହେବାର ପ୍ରଥମ ଦିନରେହିଁ “କାଳିଆ” ଯୋଜନା ପାଇଁ ଦ୍ଵିତୀୟ ତାଲିକାର ପଇସା କୃଷକଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସରକାର ଅତିରିକ୍ତ ବଜେଟରେ ଏଥିଲାଗି ଅର୍ଥ ବରାଦ କରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଆଳରେ ନିର୍ବାଚନ କମିଶନ ଏହି ଅର୍ଥକୁ ଅଟକ ରଖିଥିଲେ। ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତୁରନ୍ତ ଚାଷୀ ମାନଙ୍କୁ କାଳିଆ ପଇସା ଦେବାକୁ ଦାବୀ କରିଥିଲେ ମଧ୍ୟ କମିଶନ ତାହା କାର୍ଯ୍ୟକାରୀ କରି ନଥିଲେ। ତେଣୁ ପ୍ରତିଶ୍ରୁତି ମୁତାବକ ନୂଆ ସରକାରର ପ୍ରଥମ ଦିନରେ ଏହା କରାଯିବ ବୋଲି ଆଶା କରାଯାଉଛି।

ରଥଯାତ୍ରା ଆୟୋଜନ ଓ ଶ୍ରୀମନ୍ଦିର ସଂସ୍କାର

“ଫନୀ” ବାତ୍ୟାରେ ଐତିହାସିକ ପୁରୀ ସହର ପୂରା ଛାରଖାର ହୋଇଯାଇଛି। ସହରର ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ଏଯାଏ ସ୍ଵାଭାବିକ ହୋଇନାହିଁ। ମାସେ ପାଖାପାଖି ପୁରୀ ସହରବାସୀ ଅନ୍ଧାରରେ ରହିଛନ୍ତି। ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଭିତରେ ରଥଯାତ୍ରା କେମିତି ସଠିକ ଭାବରେ ଆୟୋଜନ କରାଯିବ ତାହା ଏବେ ସରକାରଙ୍କର ସବୁଠୁ ବଡ ଚିନ୍ତା ହେବାକୁ ଯାଉଛି। ପୁରୀରେ ତୀର୍ଥଯାତ୍ରୀ ଓ ପର୍ୟଟକ ରହିବାର ସବୁ ବ୍ୟବସ୍ଥା ଉଜୁଡି ଯାଇଛି। ହୋଟେଲ ଶିଳ୍ପ ପୂରା ଠପ। ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ପାନୀୟ ଜଳ ଓ ଲୋକଙ୍କ ରହିବା ବ୍ୟବସ୍ଥାକୁ ନେଇ ବିରାଟ କାମ ପଡିଛି। ତେଣୁ ନୂଆ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ଆୟୋଜନ ଉପରେ ସର୍ବାଗ୍ରେ ଗୁରୁତ୍ଵ ଦେବେ। ଏହା ସହିତ ମନ୍ଦିର ପରିଚାଳନା ଓ ସେବାୟତଙ୍କୁ ନେଇ ବାରମ୍ବାର ଉପୁଜୁଥିବା ଅସନ୍ତୋଷ ଓ ବିଶ୍ରୂଙ୍ଖଳା ଉପରେ ମଧ୍ୟ ସରକାରଙ୍କୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ପଡିବ। ତେବେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଓ ସେବାୟତଙ୍କ ସନ୍ତୋଷ ଭିତରେ ସମନ୍ଵୟ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ହେବ।

ବାତ୍ୟା ପରବର୍ତ୍ତୀ ଓଡିଶା ପୁନର୍ଗଠନ

ବାତ୍ୟାରେ ଉଜୁଡି ଯାଇଥିବା ଭୁବନେଶ୍ୱର, ପୁରୀ, କଟକ ଓ ଖୁର୍ଦ୍ଧା ସହର ସମେତ ଗ୍ରାମାଞ୍ଚଳର ପୁନର୍ଗଠନ ଲାଗି “ଓଡିଶା ନବନିର୍ମାଣ” ପ୍ରକଳ୍ପ ଉପରେ ସରକାର ଗୁରୁତ୍ଵ ଦେବେ। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ କ୍ଷେତ୍ରରେ ସରକାର “ଫନି” ରୁ ଅନେକ ଶିକ୍ଷା ପାଇଛନ୍ତି। ଭୂତଳ ବିଦ୍ୟୁତ କେବଲ ବିଛାଇବା ପ୍ରକ୍ରିୟା ଉପରେ ସରକାର ପ୍ରଥମ ଗୁରୁତ୍ଵ ଦେବେ। ହୁଏତ ପ୍ରାକୃତିକ ବିପର୍ୟୟ ମୁକାବିଲା ଲାଗି ଏକ ସ୍ଵତନ୍ତ୍ର ଏକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇପାରେ ବୋଲି ଶୁଣାଯାଉଛି। ବାତ୍ୟାରେ କଳିଙ୍ଗ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ଅଳ୍ପ ଦିନ ପରେ ଅଲିମ୍ପିକ୍ସ ହକି ଲାଗି ଚୟନ ମ୍ୟାଚ ଗୁଡିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେଣୁ ଭୁବନେଶ୍ବରକୁ ପୁଣିଥରେ ସଜାଡିବା ଓ କଳିଙ୍ଗ ଷ୍ଟାଡିୟମର ମରାମତି କାମ ସାରିବା ସରକାରଙ୍କ ସବୁଠୁ ବଡ ଦାୟିତ୍ଵ ହେବ।

ପୌର ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ହେବା କଥା। ଆଇନଗତ ଅସୁବିଧା କାରଣରୁ ଏହା ଅଟକି ରହିଛି। ବର୍ତ୍ତମାନର ପରିସ୍ଥିତିରେ ସରକାର ତୁରନ୍ତ ପୌର ନିର୍ବାଚନ କରାଇବାକୁ ଚାହିଁବେ। ରାଜ୍ୟରେ ବିଜେଡି ହାୱା ବରକରାର ରହିଥିବାରୁ ଏହାରି ଭିତରେ ପୌର ନିର୍ବାଚନ କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଇପାରେ। ଏହା ସହିତ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିରୁ ପାଟକୁରାରେ ବିଜୟ ଲାଗି  ବିଜୟ ମହାପାତ୍ରଙ୍କୁ ହରାଇବାକୁ ପଡିବ। ଆଗାମୀ ଦୁଇ ମାସ ଭିତରେ ପାଟକୁରା ବିଜେଡି ସରକାର ଲାଗି ପ୍ରଥମ ରାଜନୈତିକ ଆହ୍ଵାନ ହେବାକୁ ଯାଉଛି।

Categories
ବିଶେଷ ଖବର

ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଓ ଅବିଶ୍ବାସର ଉର୍ଦ୍ଧ୍ଵରେ ନ ରହିଲେ ଗଣତନ୍ତ୍ର ଅନ୍ଧକାରଆଡକୁ ଚାଲିଯିବ ନିଶ୍ଚୟ

କେଦାର ମିଶ୍ର

ଯେତେବେଳେ ପରାଜୟ ନିଶ୍ଚିତ ବୋଲି ଜଣାପଡେ, ସେତେବେଳେ ରାଜନୈତିକ ଦଳଗୁଡିକ ଭୋଟିଂ ମେସିନ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥାନ୍ତି- ଏହା ହେଉଛି ଆମ ଗଣମାଧ୍ୟମର ଏକ ସୁଚିନ୍ତିତ ସିଦ୍ଧାନ୍ତ। ନିଜ ପରାଜୟକୁ ସ୍ଵୀକାର କରିବା ପରିବର୍ତ୍ତେ ଭୋଟିଂ ମେସିନ କୁ ଦୋଷ ନଦେବାକୁ ଉପଦେଶ ଓ ପରାମର୍ଶ ମଧ୍ୟ  ଦିଆଯାଏ। ତେବେ ବିରୋଧୀ କଣ ସତରେ ଔଷଧ ରାଗରେ ତାଟିଆ କାମୁଡିବା ନ୍ୟାୟରେ କେବଳ ଭୋଟିଂ ମେସିନ ଓ ନିର୍ବାଚନ କମିଶନକୁ ଦୋଷ ଦେଉଛନ୍ତି। ଆଜି ଯେତେବେଳେ ଦେଶର ସବୁ ଗଣମାଧ୍ୟମ ଘୋଷଣା କରିସାରିଛନ୍ତି ଯେ, ନରେନ୍ଦ୍ର ମୋଦୀ ବିପୁଳ ଆସନ ପାଇ ଜୟଯୁକ୍ତ ହୋଇସାରିଛନ୍ତି, ସେତେବେଳେ ବିରୋଧୀ ହାରି ସାରିଛନ୍ତି ଓ ହାରିବାର ପ୍ରତିକ୍ରିୟାରେ ଭୋଟିଂ ମେସିନ ଉପରେ ରାଗ ଅଜାଡୁଛନ୍ତି ବୋଲି ମାନିନେବା ଛଡା ଆଉ ବା ବାଟ କଣ ଅଛି? ୨୩ ତାରିଖ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପିରେ ଭୋଜିଭାତ ଆରମ୍ଭ ହୋଇଗଲାଣି। କଂଗ୍ରେସ ଶିବିର ନୀରବ। ତୃତୀୟ ସାମ୍ମୁଖ୍ୟ ଏବେ ହଜିଯାଇଛି। ଏବେ ଲାଗୁଛି, ଆଉ ୨୩ ରେ ଫଳ ଘୋଷଣା କରିବାର ଆବଶ୍ୟକତା କଣ? ଏକଜିଟ ପୋଲ କହିଛି, ମୋଦୀ ଜିତିଛନ୍ତି ମାନେ, ସେ ଜିତିଛନ୍ତି। ଶୁଣିବାକୁ ମିଳୁଛି, ମଇ ୨୬ ରେ କୁଆଡେ ନରେନ୍ଦ୍ର ମୋଦୀ ନିଜର “ମନ କି ବାତ” କହିବେ ଓ ୨୮ ତାରିଖରେ ଶପଥ ନେବେ। ଫଳ ବାହାରିବା ପୂର୍ବରୁ ଫଳ ପ୍ରଘଟ ହୋଇ ସାରିଛି।

ଜଣେ ନାଗରିକ ଭାବରେ ଏହା ହିଁ ଆମ ଲାଗି ଚିନ୍ତାର ବିଷୟ। ଶାସନରେ ଥିବା ଦଳ ଯେତେବେଳେ ଫଳ ବାହାରିବା ଆଗରୁ ଫଳ ଜାଣିଯିବାର ସୂଚନା ଦିଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ଉଠିବା ସ୍ଵାଭାବିକ। ଯଦି ନିର୍ବାଚନ ପ୍ରକ୍ରିୟା ଏତେ ଗୋପନୀୟ, ତେବେ ଶାସକ ଦଳ ହଠାତ ଏକ୍ଜିଟ ପୋଲ କୁ ନେଇ ଏତେ ଉଲ୍ଲସିତ କେମିତି? ତା ସହିତ ଆଉ ଗୋଟେ କଥା ମଧ୍ୟ କହିବା ଉଚିତ, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତିବା ପରେ ମଧ୍ୟ କଂଗ୍ରେସ ଭୋଟିଂ ମେସିନ ଓ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇଛି। ଚଳିତ ନିର୍ବାଚନ ତାରିଖ ଘୋଷଣାରେ ଅହେତୁକ ବିଳମ୍ବ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ସେନାବାହିନୀର ନିର୍ବାଚନୀ ବ୍ୟବହାର କରିବା ଉପରେ କମିଶନଙ୍କ ନୀରବତା, ଅନେକଙ୍କୁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏପରିକି ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ପ୍ରତିବାଦ ଓ ଭିନ୍ନମତକୁ କମିଶନ ରେକର୍ଡ କରିନାହାନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପରେ ପ୍ରଧାନମନ୍ତ୍ରୀ ଉପଗ୍ରହ ନଷ୍ଟ କରିପାରୁଥିବା କ୍ଷେପଣାସ୍ତ ର ପ୍ରୟୋଗ କୁ ନେଇ ନିଜର ପ୍ରଥମ ନାଟକ ଆରମ୍ଭ କଲେ। ପାଞ୍ଚ ବର୍ଷ ଭିତରେ ଆମର ବୈଜ୍ଞାନିକ ସଫଳତା ବିଷୟରେ କହିବାକୁ ନିର୍ବାଚନ ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ସୁଯୋଗ ଦେଲା। ମାଗଣାରେ ଓ ଲୋକଙ୍କ ଖର୍ଚ୍ଚ ରେ ମୋଦୀ ନିଜ ଦଳର ପ୍ରଚାର କଲେ। ସେଇଠୁ ନିର୍ବାଚନ କମିଶନଙ୍କ ଧୃତରାଷ୍ଟ୍ର ଭୂମିକା ଆମେ ଦେଖି ଆସୁଛୁ। ଖୋଦ ପ୍ରଧାନମନ୍ତ୍ରୀ ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବେଳେ ତାଙ୍କୁ ନିର୍ବାଚନ କମିଶନ ହାତ ଯୋଡି ବସି ରହିଲେ। ଏହାର ପରିଣତିରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଘେରକୁ ଚାଲିଆସିଲା।

ଏକ୍ଜିଟ ପୋଲ ଘୋଷଣା ହେବା ପରେ ପରେ ହଠାତ ଅନେକ ଗୁଡିଏ ଭୋଟିଂ ମେସିନ ରାସ୍ତା ଘାଟରେ ବୁହା ହେଉଥିବାର ଦେଖିବାକୁ ମିଳିଲା। ଏହାର ସ୍ପଷ୍ଟୀକରଣ ଦେଇ କମିଶନ କହିଲେ, ସେ ସବୁ ଅବ୍ୟବହୃତ ମେସିନ। ତେବେ ଅବ୍ୟବହୃତ ମେସିନ କୁ କେମିତି ରଖାଯିବ ଓ ତାର ପରିବହନ କେମିତି କରାଯିବ, ତାହାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସଶସ୍ତ୍ର ପୋଲିସର ଷ୍ଟ୍ରଙ୍ଗ ରୁମରେ ଅବ୍ୟବହୃତ ମେସିନ ରହିବା କଥା। ବେସରକାରୀ ଗାଡିରେ ଏ ସବୁ ମେସିନ ହଠାତ ଆବିର୍ଭୂତ ହେଲେ କାହିଁକି? ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ମୋଦୀ ଯେହେତୁ ଜିତି ସାରିଛନ୍ତି, ଆଉ କାହାକୁ କିଛି ପ୍ରଶ୍ନ କରିବା ଆଉ ସମ୍ଭବ ନୁହେଁ। ବିଜେପିର ମୁଖପାତ୍ର ଅର୍ଣ୍ଣବ ଗୋସ୍ଵାମୀଙ୍କ “ରିପବ୍ଲିକ” ଚାନେଲ ଏବେ କହିଲାଣି, ସାରା ଭାରତ କୁଆଡେ ନିର୍ବାଚନ କମିଶନଙ୍କ ସାଙ୍ଗରେ ଠିଆ ହୋଇଛି। ତେବେ ଭାରତ କହିଲେ, ଭାରତରେ ବିରୋଧୀ ଦଳ ବି ଅଛନ୍ତି, ଏ କଥା ଭକ୍ତମାନଙ୍କୁ ଆଉ ବୁଝାଇ ହେବନାହିଁ।

ପୃଥିବୀର ସବୁଠୁ ଉନ୍ନତ ଦେଶ ଆମେରିକା ସମେତ ୟୁରୋପରେ ମଧ୍ୟ ବାଲାଟ କାଗଜରେ ଆଜି ମଧ୍ୟ ଭୋଟଦାନ ହେଉଛି। କେବଳ ଭାରତ ନିଜକୁ ଅତ୍ୟନ୍ତ ଚତୁର ଓ  କୁଶଳୀ ଭାବି ଆମ ନିର୍ବାଚନର ସବୁଠୁ ମୁଖ୍ୟ ବ୍ୟବସ୍ଥାକୁ ଭୟଙ୍କର ଅବିଶ୍ଵାସ ଓ ସନ୍ଦେହ ଘେରରେ ରଖିଛି। ଏଠି କହିରଖିବା ଉଚିତ ହେବ ଯେ, ବର୍ଷ ବର୍ଷ ଧରି ଭୋଟିଂ ମେସିନ ଉପରେ ଯେଉଁ ସନ୍ଦେହର କଳା ବାଦଲ ରହିଛି, ତାହାର ପ୍ରତିକ୍ରିୟା ଆଦୌ ଶୁଭଂକର ହେବନାହିଁ। ପ୍ରତ୍ୟେକ ନିର୍ବାଚିତ ସରକାର ସନ୍ଦେହ ଓ ଅବିଶ୍ବାସର ଘେରରେ ରହିବେ। ତୁରନ୍ତ ଯଦି ଏହାର ସମାଧାନ ସୂତ୍ର ନ ବାହାରେ, ଗୋଟେ ସମୟରେ ଏହା ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହୋଇ ଠିଆ ହେବ।

ଭୋଟ ଗଣତିର ଆଗୁଆ ସୂଚନା ପାଇଁ ଲଗ ଅନ କରନ୍ତୁ   https://thesamikhsya.com , ଆସନ୍ତାକାଲି ସକାଳ 8 ଟାରୁ

 

Categories
ଆଜିର ଖବର

ନିର୍ବାଚନ ପ୍ରକ୍ରିୟାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରଶଂସା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚଳିତ ବର୍ଷର ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। କଂଗ୍ରେସ ଏବଂ ଅନ୍ୟାନ୍ୟ ସମସ୍ତ ବିରୋଧୀ ଦଳ ନିର୍ବାଚନ କମିଶନ ପକ୍ଷପାତ କରୁଥିବାର ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ କମିଶନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଣବ ମୁଖାର୍ଜୀ। ଏନ୍‌ଡିଟିଭି ନିର୍ଦ୍ଦେଶକ ସୋନିଆ ସିଂଙ୍କ ପୁସ୍ତକ ‘ଡିଫାଇନିଙ୍ଗ ଇଣ୍ଡିଆ ଥ୍ରୋ ଦେୟାର ଆଇଜ୍‌’ ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ମୁଖାର୍ଜୀ। ଯଦି ସମାଜକୁ ସଶକ୍ତ କରିବାକୁ ଚାହିଁବା ତେବେ ଲକ୍ଷ୍ୟ ରଖିବାକୁ ପଡିବ ଏହା ଦେଶପ୍ରତି ସଠିକ୍‌ ଭାବରେ କାର୍ଯ୍ୟ କରୁଛି। ସେହିପରି ଭାବରେ ଏକ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ସଶକ୍ତ ନିର୍ବାଚନ ଆବଶ୍ୟକ ଏବଂ ଚଳିତ ଥରର ନିର୍ବାଚନ ଅତ୍ୟନ୍ତ ସୁନ୍ଦର ଭାବରେ ସମାପନ ହୋଇଛି ବୋଲି ମୁଖାର୍ଜୀ ମତ ରଖିଥିଲେ। ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିବାରେ ସଫଳ ହୋଇଛନ୍ତି। ଏମାନଙ୍କୁ ସମାଲୋଚନା କରାଯିବା ଅନୁଚିତ ବୋଲି ମୁଖାର୍ଜୀ କହିଛନ୍ତି।

Categories
ଆଜିର ଖବର

ଖରାଦିନ ନିର୍ବାଚନ ପାଇଁ ପ୍ରକୃଷ୍ଟ ସମୟ ନୁହେଁ : ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁ ମାର ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଅବସରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ମତଦାନ ସାବ୍ୟସ୍ତ ପରେ ଏକ ସାକ୍ଷାତକାର ଅବସରରେ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆବଶ୍ୟକ ବୋଲି ଗଣମାଧ୍ୟମ ଅଧିକାରୀଙ୍କୁ କହିଛନ୍ତି ନୀତିଶ। ନୀତିଶ କହିଛନ୍ତି, ଗ୍ରୀଷ୍ମ ଋତୁରେ ନିର୍ବାଚନ କରିବା ସଠିକ୍‌ ନିଷ୍ପତ୍ତି ନୁହେଁ। ଏହାକୁ ଫ୍ରେବୃୟାରୀ-ମାର୍ଚ୍ଚ କିମ୍ବା ଅକ୍ଟୋବର-ନଭେମ୍ବରକୁ ସ୍ଥାନାନ୍ତରିତ କରାଯିବା ଉଚିତ୍‌ ବୋଲି କୁମାର ମତ ଦେଇଛନ୍ତି। ସେହିପରି ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ମଧ୍ୟ ନାପସନ୍ଦ କରିଛନ୍ତି ନୀତିଶ। ସେ କହିଛନ୍ତି ନିର୍ବାଚନ ଦୁଇରୁ ତିନୋଟି ପର୍ଯ୍ୟାୟ ମଧ୍ୟରେ ଶେଷ ହେବା ଉଚିତ୍‌। ଶ୍ରୀ କୁମାର ପାଟନା ରାଜଭବନ ନିକଟସ୍ଥ ସରକାରୀ ସ୍କୁଲରେ ନିଜର ଭୋଟ ପ୍ରଦାନ ପରେ ଏହି ମନ୍ତବ୍ୟ ଦେଇଛନ୍ତି।

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ନବଜ୍ୟୋତି ସବୁଠୁ ଧନୀ ପ୍ରାର୍ଥୀ

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଏଡିଆର୍‌ ପକ୍ଷରୁ ଏ ସମ୍ପର୍କିତଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏହି ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ବ୍ୟକ୍ତି। ନବଜ୍ୟୋତିଙ୍କ ସମ୍ପତ୍ତିର ମୁଲ୍ୟ ୧୦୪ କୋଟି ଟଙ୍କା। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ଧନୀ ପ୍ରାର୍ଥୀ। ନିରଞ୍ଜନଙ୍କ ପାଖରେ ୬୦ କୋଟିରୁ ଅଧିକ ସମ୍ପତ୍ତି ଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ନବଜ୍ୟୋତି ତଳକୁ ରହିଛନ୍ତି ବାଲେଶ୍ୱରର ବିଜେଡ଼ି ପ୍ରାର୍ଥୀ ରବିନ୍ଦ୍ର ଜେନା। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା। ସେହିପରି କେନ୍ଦ୍ରାପଡ଼ାରୁ ଲଢ଼ୁଥିବା ବୈଜୟନ୍ତ ପଣ୍ଡାଙ୍କର ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ହୋଇଥିବାବେଳେ ତାଙ୍କ ତଳକୁ ରହିଛନ୍ତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଣବ ବଳବନ୍ତରାୟ। ଚିରଞ୍ଜିବୀ ବିଶ୍ୱାଳଙ୍କ ପାଖରେ ୩୩ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ପ୍ରଣବ ବଳବନ୍ତରାୟ ୧୭ କୋଟି ମୂଲ୍ୟ ସମ୍ପତ୍ତି ରହିଥିବା ନେଇ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

କେନ୍ଦ୍ରାପଡା ନିର୍ବାଚନର ଆଚମ୍ବିତ ସମୀକରଣ; କଂଗ୍ରେସ ବିଜେପି ଭାଇ ଭାଇ

କେଦାର ମିଶ୍ର

ତୃତୀୟ ପର୍ୟାୟ ନିର୍ବାଚନ ସରିଗଲା ପରେ ଏବେ ସାରା ରାଜ୍ୟର ଓ କିଛିକାଂଶରେ ପୂରା ଦେଶର ନଜର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ରହିଛି। ଏକଦା ଘନିଷ୍ଠ ବନ୍ଧୁ ଓ ଏବେ ପରଷ୍ପରର ପ୍ରବଳ ଶତ୍ରୁ ପାଲଟିଥିବା ବୈଜୟନ୍ତ ପଣ୍ଡା ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାର ସଂଘର୍ଷ ଏଠାରେ ଦେଖିବାକୁ ମିଳୁଛି। ଅନେକ ସମୟରେ ଆମକୁ ଏ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି- କେନ୍ଦ୍ରାପଡାରେ କିଏ ଜିତିବ? ସତେକି କେନ୍ଦ୍ରାପଡା ଏବେ ପୂରା ଓଡିଶାର ପ୍ରତୀକ ପାଲଟି ଯାଇଛି। ସାରା ରାଜ୍ୟ କେନ୍ଦ୍ରାପଡା ବିଷୟରେ ଯାହା ଭାବୁଛି, କେନ୍ଦ୍ରାପଡା ନିଜ ବିଷୟରେ ସେୟା ଭାବୁଛି କି? ଆମେ ସାଲେପୁରରେ ପହଞ୍ଚିବା ଆଗରୁ ଜଣେ ବାଟୋଇଙ୍କୁ ଏକଥା ପଚାରିଥିଲୁ। ତାଙ୍କର ଉତ୍ତର ଥିଲା- ମୁହଁ ବଦଳିଛି, ହେଲେ ଚିହ୍ନ ବଦଳିନାହିଁ, ତେଣୁ ଇଏ ଆଉ ଅନେକ ନିର୍ବାଚନ ପରି ନୂଆ ଏକ ନିର୍ବାଚନ। ଏକଥାର ଯାହା ଅର୍ଥ କରିବେ ଆପଣମାନେ କରନ୍ତୁ। ହେଲେ କେନ୍ଦ୍ରାପଡା କୁ ଜାଣିବାଲାଗି ଓ ଭୋଟରଙ୍କ ମନୋଭାବ ବୁଝିବାଲାଗି ଗୋଟେ ବଡ ସଙ୍କେତ ଆମକୁ ସେଇଠି ମିଳିଗଲା।

ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡା, ରାଜନଗର ଓ ଆଳି ଏମିତି ପାଞ୍ଚୋଟି ବିଧାନସଭା କ୍ଷେତ୍ର ବୁଲିବାର ସମୟ ଆମ ପାଖରେ ଥିଲା। ପାଟକୁରା ଓ ମହାକାଳପଡା ଆମେ ଯାଇପାରିଲୁ ନାହିଁ। ସବୁଠାରେ ଭୋଟରଙ୍କ ମୁହଁ ରେ ଗୋଟେ କଥା- କଡା ଟକ୍କର ହେବ। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରୁ ଯିଏ ବି ଜିତିବ, ତାଙ୍କ ପାଇଁ ବିଜୟ ଆଦୌ ସହଜ ନୁହେଁ। ଏକଦା ବିଜେଡ଼ିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡାରେ ବୈଜୟନ୍ତ ବିଜେଡି ଲାଗି ଏକ ମୁକାବିଲା ପରିସ୍ଥିତି ସୃଷ୍ଟି କରିଛନ୍ତି, ଯେଉଁଥିରେ ବିଜେଡ଼ିକୁ ନିଜର ସବୁ ଶକ୍ତି ଏଠାରେ ଖଟାଇବାକୁ ବାଧ୍ୟ କରିଛି।

ଭୋଟରଙ୍କ ମନୋଭାବରୁ ବିଲକୁଲ କହି ହେଉନାହିଁ ଯେ, ଏଠାରେ କାହା ସପକ୍ଷରେ ହାୱା ବୋହୁଛି। ବୈଜୟନ୍ତ ଭୋଟରଙ୍କ ପାଇଁ ବ୍ୟକ୍ତି ଭାବରେ ଚର୍ଚ୍ଚିତ, ହେଲେ ବିଜେପି କୁ ନେଇ ସେଠାରେ କୌଣସି ବିଶେଷ ଆଗ୍ରହ ନାଇଁ। ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରାପଡା ସଭା ପରଦିନ ଆମେ ପଚାରି ବୁଝୁଥିଲୁ ଯେ, କେନ୍ଦ୍ରାପଡା ନିଜର ରଙ୍ଗ ଗେରୁଆ କରିବାକୁ ଚାହେଁ କି? ଏହାର ସିଧାସଳଖ ଉତ୍ତର ହେଉଛି, ଏଠି ପ୍ରାର୍ଥୀ ଭଲଲୋକ, ହେଲେ ଦଳ ପସନ୍ଦ ନୁହେଁ। କେନ୍ଦ୍ରାପଡାର ଯେଉଁମାନେ ମୂଳ ବିଜେପି ଓ ସଂଘ ସଦସ୍ୟ ସେମାନେ ବୈଜୟନ୍ତଙ୍କ ପାଇଁ ଉଦାସୀନ ବା ନୀରବ। ବୈଜୟନ୍ତଙ୍କ ପ୍ରଚାର କିନ୍ତୁ ଭଲ ଜମୁଛି। ବୈଜୟନ୍ତଙ୍କ ସମର୍ଥକ ଓ ପ୍ରଶଂସକ ତାହେଲେ କିଏ? ବିଜେଡ଼ିର ଅଳ୍ପ କିଛି ଅସନ୍ତୁଷ୍ଟ ନେତା ଅଛନ୍ତି, ଯେଉଁ ମାନେ ତାଙ୍କର ସମର୍ଥକ। ତେବେ ସବୁଠୁ ବଡ ବୈଜୟନ୍ତ ସମର୍ଥକ ଏବେ ଏକ ଆଚମ୍ବିତ ଗୋଷ୍ଠୀରୁ ଆସିଛନ୍ତି। କଂଗ୍ରେସ ଦଳର ପ୍ରାୟ ନବେ ଭାଗ ସମର୍ଥକ ଏବେ ବୈଜୟନ୍ତଙ୍କ ପତାକା ଧରି ବୁଲୁଛନ୍ତି। ସାଲେପୁର କଂଗ୍ରେସ ବିଧାୟକ ତ ସହଜେ ବିଜେପିରେ ଅଛନ୍ତି, ହେଲେ ସେଠିକାର କଂଗ୍ରେସ ପ୍ରାର୍ଥୀ ମଧ୍ୟ ବୈଜୟନ୍ତଙ୍କୁ ଭିତିରି ସମର୍ଥନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଳି ବଜାରରେ ଆମକୁ ଜଣେ କଂଗ୍ରେସ କର୍ମୀ କହିଥିଲେ- ଆମ ପରିବାର ଦେବଶର୍ମାଙ୍କ ସମର୍ଥକ କିନ୍ତୁ ମୋ ଝିଅ ବୈଜୟନ୍ତଙ୍କ ଲାଗି ପ୍ରଚାର କରୁଛି। ଆମେ ବିଧାୟକଙ୍କୁ ହାତରେ ଓ ସାଂସଦଙ୍କୁ ଫୁଲରେ ଭୋଟ ଦେବୁ। ଗତ ଥର କଂଗ୍ରେସ ପାଖାପାଖି ଚାରି ଲକ୍ଷ ଭୋଟ ଏଠାରୁ ପାଇଥିଲା, ଏଥର ତାର ଅଧା ଭୋଟ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିବାର ସମ୍ଭାବନା ନାହିଁ। ଧରଣୀବାବୁଙ୍କ ପ୍ରଚାର ଏବେ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି। ଆଳି, ରାଜନଗର, କେନ୍ଦ୍ରାପଡା ଓ ସାଲେପୁରର ଏକ ବଡ କଂଗ୍ରେସ ଭୋଟ ଅଂଶ ବୈଜୟନ୍ତଙ୍କ ପାଖକୁ ଯିବ। ସାରା ଦେଶରେ କଂଗ୍ରେସ ଓ ବିଜେପି ଭିତରେ  ଅହି ନକୁଳ ସମ୍ପର୍କ ରଖିଥିବା ବେଳେ, କେନ୍ଦ୍ରାପଡାରେ ଏମାନେ ଭାଇ ଭାଇ ହୋଇ ଲଢୁଛନ୍ତି। ଗତ ନିର୍ବାଚନରେ ଆଳି, ରାଜନଗର ତଥା ସାଲେପୁର ଆସନ କଂଗ୍ରେସ ହାତକୁ ଯାଇଥିଲା। ଏଥର କେବଳ ରାଜନଗର ଆସନରେ କଂଗ୍ରେସ ସ୍ଥିତି ସାମାନ୍ୟ ଭଲ ରହିଛି। ତେବେ ସବୁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଭୋଟ ବୈଜୟନ୍ତଙ୍କ ପାଖକୁ ଯେମିତି ଆସେ, ସେମିତି ଏକ “ଡିଲ” ହୋଇଛି ବୋଲି ଅନେକ କଂଗ୍ରେସ ସମର୍ଥକ ଖୋଲାଖୋଲି ସ୍ଵୀକାର କରିଛନ୍ତି।

କେନ୍ଦ୍ରାପଡାରେ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡି ମିଶି ଏକ ଶକ୍ତିଶାଳୀ ବିଜେଡି ବିରୋଧୀ ଭୋଟବ୍ୟାଙ୍କ ହୁଏତ ତିଆରି ହୋଇଥାଇପାରେ। ଏହା ବିଜେଡ଼ିର ଦୁର୍ଗ ପତନରେ ସାହାଯ୍ୟ କରିବ କି? ଲୋକଙ୍କ ମତରେ ଆଜି ମଧ୍ୟ ମହାକାଳପଡା, ଆଳି ଓ ମାହାଙ୍ଗାରେ ବିଜେଡ଼ିର ବିଧାୟକମାନେ ଜିତିବା ସ୍ଥିତିରେ ଅଛନ୍ତି। କେନ୍ଦ୍ରାପଡା ଓ ରାଜନଗରରେ କଂଗ୍ରେସ ଓ ବିଜେଡି ଭିତରେ କଡା ମୁକାବିଲା ରହିଛି। କେବଳ ପାଟକୁରାରେ ବିଜେପି ଆଗୁଆ ରହିଛି, ଯାହାର ମୁଖ୍ୟ କାରଣ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ। ପାଟକୁରା ଓ ସାଲେପୁର ବ୍ୟତୀତ ବାକି ସବୁ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ସେହି ଦୃଷ୍ଟିରୁ ପାଞ୍ଚଟି ରୁ ଅତିକମରେ ତିନୋଟି ବିଧାନସଭା ଆସନରେ କଂଗ୍ରେସ ଭୋଟ ସମୂଳେ ବୈଜୟନ୍ତଙ୍କ ଖାତାକୁ ଯାଇପାରିବ କି? ଯଦି ତାହା ସମ୍ଭବ ହୁଏ, ତାହେଲେ କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବାର ସମ୍ଭାବନା ସୃଷ୍ଟି ହେବ, ନଚେତ ଆଜି ମଧ୍ୟ ବିଜେଡି ଲାଗି କେନ୍ଦ୍ରାପଡା ବିଜୟର ବାର୍ତ୍ତା ଦେବ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ପାଟକୁରା ପାଇଁ ବିଜ୍ଞପ୍ତି ପ୍ରକାଶ,ମେ ୧୯ରେ ନିର୍ବାଚନ

ପାଟକୁରାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ ୧୯ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ପାଟକୁରାରୁ ଦୁଇ ଥର ବିଧାୟକ ରହିଥିବା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଅକାଳ ବିୟୋଗ ପରେ ନିର୍ବାଚନ ଆୟୋଗ ନିର୍ବାଚନ ସ୍ଥଗିତ ରଖିଥିଲେ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେ ୧ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ ୧୯ ରବିବାର ଦିନ ପାଟକୁରାରେ ଭୋଟ ଗ୍ରହଣ ହେବ।

Categories
ବିଶେଷ ଖବର ମତାମତ

ସବୁଠୁ କମ ଭୋଟ ଦେଉଥିବା ସ୍ମାର୍ଟ ସିଟି ଭୁବନେଶ୍ବରକୁ ସଲାମ

ରଙ୍ଗାଚରଣ ପ୍ରଧାନ 

କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ।

ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ମିଳିଛି କ’ଣ ? ଦେଶକୁ ଲୁଟୁଥିବା ଶକ୍ତି ଓ ଟଙ୍କା ନେଇ ଟୁଇଟ୍ କରୁଥିବା ସେଲିବ୍ରିଟିମାନେ ଏକ ଅଯୁକ୍ତିକର ପ୍ରଚାର ଚଳାଇଛନ୍ତି ଯେ ଅଧିକ ଭୋଟିଂ ହେବା ଗଣତନ୍ତ୍ର ପାଇଁ ଭଲ । ତା’ମାନେ ଆମେ ମଲେଇ ଖାଉଥିବୁ ଆଉ ତମେ ପାଞ୍ଚ ବର୍ଷରେ ଥରେ ଆଙ୍ଗୁଠିରେ କାଳି ଲଗେଇ ଖୁସି ହୁଅ ଯେ ଆମେ ପୄଥିବୀର ସର୍ବବୄହତ ଗଣତନ୍ତ୍ର ।

ମୁଁ ଜାଣୁଛି ବହୁତ ବନ୍ଧୁ ମୋ ସହିତ ଅସହମତ ହେବେ । ସେମାନେ ମୋତେ ବୁଝେଇ ଦେଲେ ମୁଁ ଖୁସିରେ ମାନିଯିବି । ଯେଉଁମାନେ ରାଜନିତୀରେ ଆମ୍ବ କ’ଣ ଆମ୍ବଡା କ’ଣ ଜାଣି ନାହାନ୍ତି ସେମାନଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କଲେ ସେମାନେ କି ପ୍ରକାର ନିଷ୍ପତ୍ତି ନେଇ ଭୋଟ ଦେବେ ? ଜାମ୍ମୁ କାଶ୍ମୀର କଥା ଅଲଗା । ସେଠାରେ ଭୋଟ ପ୍ରତିଶତ ବଢିଲେ ଆମେ ବୁଝିବା ଯେ ସେଠିକାର ଲୋକଙ୍କ ମନରେ ବିଛିନ୍ନତାବାଦ ମନୋଭାବ କମୁଛି । କିନ୍ତୁ ଆମ ଭୁବନେଶ୍ବରରେ ତ ଲୋକଙ୍କ ମନରେ ବିଛିନ୍ନତାବାଦ ନାହିଁ ? ସେମାନଙ୍କୁ କାହିଁକି ବାଧ୍ୟ କରିବା ଭୋଟ ଦେବାକୁ ?

ସେମାନେ ଜାଣିଛନ୍ତି ଦେଶ ଚାଲୁଛି । ଆମେ ଭୋଟ ଦେବାକୁ ନଗଲେ ବି ଦେଶ ଏମିତି ଚାଲିବ । ଯେତେ ପରିବର୍ତନ କଲେ ବି ସେମିତି ଚାଲିବ । ପଡି ଉଠି କରି ହିସାବ ଏପଟ ସେପଟ କରି ୬ରୁ ୮% ବିକାଶ ବୄଦ୍ଧି ଦର ହାରରେ ଦେଶ ଚାଲିଛି । ଏତିକି ବିକାଶ ଦର ହାରରେ କିଛି ହବନି । ଦେଶର ପ୍ରକୄତ ବିକାଶ କରିବାକୁ ହେଲେ ଅତି କମରେ ଆମକୁ ବୄଦ୍ଧି ଦର ଲଗାତର ୧୦% ରେ ପହଞ୍ଚାଇବାକୁ ପଡିବ ଯାହା ଗତ ୨୦ ବର୍ଷରେ କେବଳ ଗୋଟିଏ ବର୍ଷ ହୋଇଛି । ଭୁଟାନ୍ ଆମଠାରୁ ଅଧିକ ଆର୍ଥିକ ଉନ୍ନତି କରିଛି । ବଙ୍ଗଳାଦେଶ, ଯାହାକୁ ଆମେ ୧୯୭୧ ମସିହାରେ ଜନ୍ମ ଦେଇଥିଲୁ, ସିଏ ବି ଅଧିକାଂଶ ଆର୍ଥିକ ମାପଦଣ୍ଡରେ ଆଜି ଆମଠାରୁ ଆଗରେ । ଆମକୁ କିନ୍ତୁ ଅମିତାଭ ବଚନମାନେ କହୁଛନ୍ତି ତମେ ଖାଲି ଭୋଟ ଦିଅ ।

ଦେଶରେ ସ୍ବାକ୍ଷର ସଂଖ୍ୟା ବଢିଛି । ମାତ୍ର ସେମାନଙ୍କ ମଧ୍ୟରୁ ଶିକ୍ଷିତଙ୍କ ସଂଖ୍ୟା କେତେ ? ଏହି ସ୍ବାକ୍ଷରମାନେ ହ୍ବାଟସପ୍ ପାଇଁ ଫିଟ୍ । ସେଥିପାଇଁ ଆଜି ନେହେରୁଙ୍କ ବାପା ମୋଇନୁଦ୍ଦିନ୍ ହେଇଗଲେ । ହ୍ବାଟସପ୍ ସ୍ବାକ୍ଷରଙ୍କ ମଧ୍ୟରେ ବାଦ ବିବାଦ ଚାଲିଲା ଯେ ଏଇଟା ସତ ନା ଫେକ୍ ନ୍ୟୁଜ୍ । କିନ୍ତୁ କେହି ବି ଜଣେ ଶିକ୍ଷିତ ବାହାରିକରି ପଚାରୁନି ଯେ ନେହେରୁଙ୍କ ବାପା ଯଦି ସତରେ ମୋଇନୁଦ୍ଦିନ୍ ହୋଇଥାନ୍ତି ସେଥିରେ ପ୍ରୋବ୍ଲେମ୍ କେଉଁଠି ? ଦେଶରେ ବହି ପଢୁଥିବା ଲୋକଙ୍କ ସଂଖ୍ୟା କମୁଛି । ପ୍ରେମଚନ୍ଦଙ୍କ ଅମର କୄତିକୁ କେତେ ଜଣ ପଢୁଛନ୍ତି ? ଆଉ କାହା କଥା କ’ଣ କହିବା, ଆମ ସାମ୍ବାଦିକମାନେ ଯେଉଁମାନଙ୍କୁ ବୄତ୍ତିର ଆବଶ୍ୟକତା ଯୋଗୁଁ ବହି ପଢିବା ନିହାତି ଦରକାର, ସେମାନେ ବି ପଢୁ ନାହାନ୍ତି । ସବୁ ନହେଲେ ବି ଅଧିକାଂଶ । ସେମାନଙ୍କ ପାଇଁ ଆଜିକାଲି ବହି ଅପେକ୍ଷା ବୁମ୍ ଅଧିକ ଜରୁରୀ । ସେମାନଙ୍କ ଉପରେ ପୁଣି ଦାୟିତ୍ବ ଦିଆଯାଇଛି ଆମକୁ ଅଫିସରୁ ଫେରିବା ପରେ ଜଣେଇବେ ଦେଶରେ କ’ଣ ସବୁ ଘଟୁଛି । ସେଇମାନଙ୍କୁ ଲଗେଇ ଗୋଟିଏ ମାସ ଭିତରେ ଏମିତି ଘୋ କରାଯାଉଛି ଯେ ସତେ ଯେପରି ଦେଶରେ ଆଉ କିଛି ସମସ୍ୟା ନାହିଁ କେବଳ ସେହି ଘୋ ଭିତର ସମସ୍ୟାଟି ହିଁ ସମସ୍ୟା ।

ଆଜି ସମ୍ବାଦ ଟୁଇଟ୍ କରିଛି –

” ଓଡିଶାରେ ତୄତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ।'”

ଠିକ୍ ତ ଲେଖିଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣୟ ହୁଏ । ଆମର ନୁହେଁ ? ଆମେ କାହିଁକି ଛୁଟି ଦିନଟାରେ ଭୋଟ ଦେବାକୁ ଯିବୁ ? ଆମେ ଭୋଟ ଦେଇଦେଲେ କ’ଣ ୧୨% ନହେଲେ ବି ୧୦% ବିକାଶ ବୄଦ୍ଧି ଦର ଆସିଯିବ ? ଆଉ ଦଳେ ପରିବର୍ତନର ଡାକରା ଦେଉଛନ୍ତି । କି ସୁନ୍ଦର ମାର୍କେଟିଂ ଆହା ! ଆହେ କି ପରିବର୍ତନ ହୋ ?
ପରିବର୍ତନ ହେଲେ ବିକାଶ ହେବ ଏବଂ ତାହାର ସମବଣ୍ଟନ ହେଇଯିବ ? କ’ଣ ରୋଡ୍ ତିଆରି ହେବାକୁ ବିକାଶ କୁହନ୍ତି ? ଏହି ପରିବର୍ତନ ଦ୍ବାରା ସ୍ବାକ୍ଷରମାନେ ଶିକ୍ଷିତ ହୋଇଯିବେ ? ଭୁତଳ ଜଳସ୍ତର କମିବା ବନ୍ଦ ହୋଇଯିବ ? ଓଡିଆ ଭାଷା ବଞ୍ଚିବା ପାଇଁ ଓଡିଆ ମାଧ୍ୟମ ସ୍କୁଲ ଚମକିବ ? କୄଷି ଏମିତି ଲାଭଜନକ ହେବ ଯେ ଚାକିରୀ ବଜାର ଉପରେ ପ୍ରେସର୍ କମିବ ? ଆମ କୄଷି ଉତ୍ପାଦନ ରପ୍ତାନୀଯୋଗ୍ୟ ହୋଇଯିବ ? ଏଠି ପରା ଭୋଟ ଆସିବାରୁ ଗୋଟେ ସରକାର କାଳିଆ ଯୋଜନା ଆରମ୍ଭ କଲା ତ ଆଉ ଗୋଟିଏ ସରକାର ପିଏମ୍-କିଷାନ୍ ଆରମ୍ଭ କଲାଣି । ଆପଣ କି ପରିବର୍ତନ କଥା କହୁଛନ୍ତି ଯେ ଭୁବନେଶ୍ବର ଲୋକେ ଛୁଟିଟା ବରବାଦ କରି ବୁଥ୍ ଆଗରେ ଲାଇନ୍ ଦେବେ ?

ସପ୍ତାହ ସାରା ଭୁବନେଶ୍ବରରେ କାମ କରୁଥିବା ପ୍ରାଇଭେଟ୍ ସଂସ୍ଥା କର୍ମଚାରି କେତେ ପ୍ରେସରରେ ରୁହନ୍ତି ତମକୁ ଜଣା ଅଛି ? ସବୁ ନିୟମ ଭୁବନେଶ୍ବର ବିଧାନସଭାରେ ତିଆରି ହୁଏ କିନ୍ତୁ ଭୁବନେଶ୍ବରରେ ଲାଗୁ ହୁଏନି । ଦିନସାରା ଏକସେଲ୍ ଓ ଓ୍ବାର୍ଡ ଫାଇଲ୍ ତିଆରି କରି କରି ସେମାନେ ସଂଧ୍ୟା ୭ଟା ପରେ ଯାଇ ଅଫିସରୁ ଫେରନ୍ତି । ଚାକିରୀ ନିରାପତ୍ତା ବୋଲି କିଛି ନାହିଁ । କୋଉଦିନ ଯେ ବସ୍ କହିଦବ ‘ରିଜାଇନ୍ କର’, ତାହାର କୌଣସି ଠିକଣା ନାହିଁ । ସପ୍ତାହସାରା ପ୍ରେସରରେ ରହି କାମ କରିବା ପରେ ଛୁଟି ଗୋଟେ କ’ଣ ଦେଇଦେଲ ଯେ କହୁଛ ଖରାରେ ଆସି ଭୋଟ ଦିଅ ? ଭଲ ଆଉ ! ଏମିତି ବି ଆମେ ଭାରତୀୟମାନେ ସବୁବେଳେ ମନଦୁଃଖରେ ରହୁଛୁ । ଗତବର୍ଷ ଜାତିସଂଘ କହିଛି ଯେ ୧୫୬ଟି ଦେଶ ଭିତରେ ଖୁସି ରହିବା କ୍ରମାଙ୍କରେ ଆମେ ପୁର୍ବ ବର୍ଷ ଅପେକ୍ଷା ୭ ପଏଣ୍ଟ ତଳକୁ ଖସି ପାକିସ୍ଥାନ ଓ ବଙ୍ଗଳାଦେଶ ତଳେ ୧୪୦ ନମ୍ବରରେ ଅଛୁ ।

ଭୁବନେଶ୍ବରରେ ଥାଇ ଭୋଟ ଦେବାକୁ ଆସି ନଥିବା ଲୋକମାନଙ୍କୁ କେତେକ ବନ୍ଧୁ ଆଜି ଦିନ ସାରା ସମାଲୋଚନା କରୁଛନ୍ତି । ତମେ ସବୁଥର ଭୋଟ ଦେଇ ଦେଶର କ’ଣ କରିଛ ସେକଥା ସେମାନେ କେବେ ତମକୁ ପଚାରିଛନ୍ତି ? ନାହିଁ ନା ? ତାହାଲେ ସେମାନେ ଭୋଟ ଦେଲେ କି ନ ଦେଲେ ସେଥିରେ ତମର କାହିଁକି ମୁଣ୍ଡ ବଥଉଛି ?

ସେମାନେ ଭୋଟ ଦେଉନାହାନ୍ତି ବୋଲି କ’ଣ ସେମାନେ ଇଣ୍ଡିଆନ୍ ନୁହନ୍ତି ନା ଇଣ୍ଡିଆକୁ ଭଲ ପାଉ ନାହାନ୍ତି ? ସରକାରମାନେ ଯେତେ ଟିକସ ମାଗୁଛନ୍ତି ସେମାନେ ଦଉଛନ୍ତି ନା ନାହିଁ ? ଆଉ ତାହେଲେ ?

କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ବୁଲି ଆସି ଥରେ ଦେଖନ୍ତୁ । ଆପଣ ଜାଣିବେ ଯେ ଭୋଟିଂ ପ୍ରତିଶତ ସହିତ ବିକାଶ ଓ ଗଣତନ୍ତ୍ରର କନେକସନ୍ କଟିଯାଇଛି ।

ନହେଲେ ଆପଣ କହୁନାହାନ୍ତି ? ପାଞ୍ଚବର୍ଷ ପୁର୍ବେ ଭୁବନେଶ୍ବର ସ୍ମାର୍ଟସିଟି ପ୍ରତିଯୋଗିତାରେ ଭାଗନେଇ ନମ୍ବର ଓନ୍ ହେଇଥିଲା ଯେ କେତେ ବାଣ ଫୁଟିଲା ତାର ସୀମା ନାହିଁ । ସାରା ଭାରତରେ ସମତେ ଓଠରେ ଆଙ୍ଗୁଠି ଦେଇ ଆମକୁ ଦେଖିଲେ । ସତ କହିଲେ ଗଲା ପାଞ୍ଚ ବର୍ଷରେ ଭୁବନେଶ୍ବରର କ’ଣ ପରିବର୍ତନ ହୋଇଛି । କହିଲେ ଏଇନେ ଇଏ ତାକୁ ଦୋଷ ଦବ ଓ ସିଏ ଆକୁ ଦୋଷ ଦେବ ।

କିନ୍ତୁ ଯାହା କୁହନ୍ତୁ ଭୁବନେଶ୍ବରବାସୀ ପ୍ରକୄତରେ ସ୍ମାର୍ଟ । ଭୋଟ ଗୁଡାଏ ଦେଇ ଦେଲେ ଅଧିକ ସ୍ମାର୍ଟ ହେଇଯିବେନି । ଭୋଟ ଗୁଡାଏ ଦେଇଦେଲେ ସେମାନେ ଅଧିକ ଦେଶପ୍ରେମୀ ହୋଇଯିବେନି । ଆର ମାସରେ ବିଶ୍ବ କପ୍ । ସମସ୍ତେ ଦେଖିବେ ।

Categories
ବିଶେଷ ଖବର

ଆମ ଉପରେ ହିଂସା ହେଲେ ନିନ୍ଦନୀୟ, କିନ୍ତୁ ଅନ୍ୟ ଉପରେ ହିଂସା, କେବଳ ଅଭିନୟ – ନିର୍ବାଚନୀ ହିଂସାକୁ ନେଇ ବିଜେପିର ଉଦ୍ଭଟ ଯୁକ୍ତି

କେଦାର ମିଶ୍ର

ତୃତୀୟ ପର୍ୟାୟ ନିର୍ବାଚନ ପୂର୍ବରୁ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ବଢି ଚାଲିଛି। ନିର୍ବାଚନ ତାରିଖର ୪୮ ଘଣ୍ଟା ଆଗରୁ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସ ଉପରେ ନିର୍ବାଚନ କମିଶନଙ୍କ ଅନୁସନ୍ଧାନକାରୀ ଦଳ ଚଢାଉ କରିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିପାଇଁ ମହାରଥୀଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ପୋଲିସର ତ୍ଵରିତ କାର୍ୟାନୁଷ୍ଠାନ ନିହାତି ଜରୁରୀ ଥିଲା। କିନ୍ତୁ ଗତ କିଛିଦିନ ଭିତରେ ଅନ୍ୟାନ୍ୟ ହିଂସାକାଣ୍ଡ ଓ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ରହସ୍ୟମୟ ଭାବରେ ନୀରବ। ସମ୍ବଲପୁର ଓ ଲକ୍ଷ୍ମୀପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ କମିଶନଙ୍କ ଦାୟିତ୍ଵ ନିର୍ବାହ କରୁଥିବା ଅଧିକାରୀଙ୍କୁ ଅତ୍ୟନ୍ତ ଅପମାନଜନକ ଭାଷାରେ ଧମକ ଚମକ ଦେଇଥିଲେ। ସମ୍ବଲପୁର ଠାରେ ପୋଲିସ ଅଧିକାରୀଙ୍କୁ “ନବୀନ ପଟ୍ଟନାୟକଙ୍କ କୁକୁର” ବୋଲି କହି ଗାଳି ଗୁଲଜ କରିବା ସହିତ ଧର୍ମେନ୍ଦ୍ର କମିଶନର ଅଧିକାରୀମାନଙ୍କୁ ହେଲିକପ୍ଟର ଯାଞ୍ଚ କରିବାକୁ ଦେଇନଥିଲେ। ସେଥି ପାଇଁ ଧର୍ମେନ୍ଦ୍ରଙ୍କ ବିରୋଧରେ କମିଶନ କି କାର୍ୟାନୁଷ୍ଠାନ ନେଇଛନ୍ତି, ତାହା ଜଣ ସାଧାରଣ ନିହାତି ଜାଣିବା ଉଚିତ।

ଇତି ମଧ୍ୟରେ ଭୁବନେଶ୍ଵର ଲୋକସଭା କ୍ଷେତ୍ର ଓ ଭୁବନେଶ୍ଵର ମଧ୍ୟ ବିଧାନସଭା କ୍ଷେତ୍ର ରେ ବ୍ୟାପକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭୁବନେଶ୍ଵର ଓଡିଶାର ରାଜଧାନୀ ସହର ଓ ଏଠାରେ ସାଧାରଣତଃ ହିଂସାମୁକ୍ତ ନିର୍ବାଚନର ଏକ ପରମ୍ପରା ରହି ଆସିଛି। ପ୍ରଥମଥର ଲାଗି ଏଠାରେ ବ୍ୟାପକ ହିଂସାର ଆରୋପ ପ୍ରତ୍ୟାରୋପ ସବୁଠୁ ଦୁଃଖ ର ଘଟଣା। ଲୋକସଭା ପ୍ରାର୍ଥୀ ଭାବରେ ଅପରାଜିତ ଷଡଙ୍ଗୀ, ଅରୂପ ପଟ୍ଟନାୟକ ଓ ଜନାର୍ଦ୍ଦନ ପତିଙ୍କ ଅପରାଧିକ ପୃଷ୍ଠଭୂମି ନାହିଁ। ଅପରାଜିତା ସଦ୍ୟ ପ୍ରଶାସନିକ ସେବାରୁ ଆସିଥିବା ବେଳେ ଅରୂପ ମୁମ୍ବାଇ ମହାନଗରର ପୋଲିସ କମିଶନର ଥିଲେ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜନାର୍ଦ୍ଦନ ପତି ମଧ୍ୟ ଜଣେ ଅତ୍ୟନ୍ତ ଭଦ୍ର ରାଜନେତା। ତା ସତ୍ତ୍ୱେ ଏହି ନିର୍ବାଚନ ମଣ୍ଡଳୀରେ ଏତେ ବ୍ୟାପକ ହିଂସାକାଣ୍ଡ ହେବାର କାରଣ କଣ?

ଗତ ପନ୍ଦର ଦିନ ଭିତରେ ଖୁର୍ଦ୍ଧାର ଜଣେ ବିଜେପି କର୍ମୀଙ୍କୁ ବିଧାୟକ ପ୍ରାର୍ଥୀଙ୍କ ଘର ପାଖରେ ହତ୍ୟା କରାଯାଇଥିବା ବେଳେ ଭୁବନେଶ୍ୱର ରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଅନେକ ଥର ବୋମାମାଡ ହୋଇଛି। ପରିଶେଷରେ ବିଜେଡି ପ୍ରାର୍ଥୀ ତଥା ମହାନଗର ନିଗମର ପ୍ରାକ୍ତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟି ସେ ଏବେ ଡାକ୍ତରଖାନାରେ ପଡିଛନ୍ତି। ହିଂସାକାଣ୍ଡରେ ଯିଏ ବି ସାମିଲ ଅଛି ସେମାନେ ଦଣ୍ଡିତ ହେବା ଉଚିତ। ଏ ପ୍ରସଙ୍ଗରେ ପୋଲିସ ନୀରବ ରହିଛି। ହେଲେ ଏହାକୁ କେନ୍ଦ୍ର କରି ବିଜେପିର ଓଡିଶା ଶାଖା ଗୋଟେ ଅଜବ ରାଜନୀତି ଆରମ୍ଭ କରିଛି। ଯେତେବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ ହେଉଛି ତାକୁ ନେଇ ଦଳ ପ୍ରଚୁର ଆକ୍ରମଣ କରୁଛି। ସବୁ କଥାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ବୟାନ ଦିଆ ଚାଲିଛି। ଏଠି କହି ରଖିବା ଉଚିତ ଯେ, ନିର୍ବାଚନ ସମୟରେ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନଥାଏ। ନିର୍ବାଚନ କମିଶନଙ୍କ ଅଧୀନରେ ଥିବା ପୋଲିସ ଓ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଏଜେଣ୍ଟ ବୋଲି କହିବାର ଅର୍ଥ ହେଉଛି, ନିର୍ବାଚନ କମିଶନ ହିଁ ସରକାରର ଏଜେଣ୍ଟ। ବିଜେପି ଏ କଥା ମାନୁଛି କି?

ନିର୍ବାଚନୀ ହିଂସାକୁ ନେଇ ବିଜେପିର ଯେଉଁ ରାଜନୈତିକ କାହାଣୀ, ତାହା ଆହୁରି ହାସ୍ୟାସ୍ପଦ। ଯେତେବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ ହେଉଛି ତାକୁ ନେଇ ଚୌକିଦାର ଅପରାଜିତା ଷଡଙ୍ଗୀ, ଚୌକିଦାର ବୈଜୟନ୍ତ ପଣ୍ଡା ଓ ଚୌକିଦାର ଧର୍ମେନ୍ଦ୍ର ପ୍ରଧାନ ମାନେ ହିଂସା ବିରୋଧରେ ପ୍ରବଚନ ଦେଉଛନ୍ତି। ହେଲେ ପ୍ରତିପକ୍ଷ ଉପରେ ଆକ୍ରମଣ ହେଲେ, ଏହା ଅଭିନୟ ଓ ନାଟକବାଜି ବୋଲି କୁହାଯାଉଛି। ଭୁବନେଶ୍ଵର ମଧ୍ୟ ର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମିଛ ଅଭିନୟ କରି ଡାକ୍ତରଖାନାରେ ପଡିଛନ୍ତି ବୋଲି ଏବେ ବିଜେପିର ମିଡିଆ ସେଲ ପ୍ରଚାର ଆରମ୍ଭ କରୁଛି। ସବୁଠୁ ମଜା କଥାହେଲା, ବିଜେପିର ମୁଖପାତ୍ର ଭାବେ କାମ କରୁଥିବା ଗୋଟେ ଟେଲିଭିଜନ ଚାନେଲ ମଧ୍ୟ ଏ କଥାକୁ ପ୍ରଚାର କରୁଛି। କେଉଁ ଆଧାରରେ ଜଣେ ପୀଡିତ ଓ ଆହତ ଲୋକକୁ ଅଭିନୟ କରୁଛି ବୋଲି କୁହାଯିବ, ତାହା ବୁଝା ପଡୁନାହିଁ!   ଯଦି ଅନନ୍ତ ଜେନାଙ୍କ ଉପରେ ବୋମାମାଡ ଏକ ମିଛ, ତାହେଲେ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ଆତ୍ମ-ପ୍ରାୟୋଜିତ ହୋଇନଥିବ ବୋଲି କିଏ କହିବ? ରାଜନୀତିରେ ମାନବୀୟ ସଂବେଦନା ଯଦି ରହିବା ନାହିଁ, ତାହେଲେ ସବୁ ରାଜନୈତିକ ଦଳ ଅସୁର ଭଳି ବ୍ୟବହାର କରିବେ।

ରାଜନୀତିରେ ନିର୍ବାଚନୀ ହିଂସା ସବୁଠୁ ନିନ୍ଦନୀୟ କଥା। ହେଲେ ଆମ ଉପରେ ଆକ୍ରମଣ ନିନ୍ଦନୀୟ ଓ ଅନ୍ୟର ଯନ୍ତ୍ରଣା ଅଭିନୟ ବୋଲି ବିଜେପି ଯାହା ପ୍ରଚାର କରୁଛି, ତାହା ଅମାନବୀୟ।

(ମୋବାଇଲରେ ଫଟାଫଟ୍ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ SANKHIPTA ଆପ, ସ୍କ୍ରିନକୁ ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ପାଟକୁରାରେ ନିର୍ବାଚନ ନେଇ ସିଇଓଙ୍କ ସୂଚନା : ବିଜେଡ଼ି ଦେବ ପ୍ରାର୍ଥୀ

ପାଟକୁରାରେ ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ ରହିଛି। ପାଟକୁରାରେ ବିଜେଡ଼ିର ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଯୋଗୁଁ ସେଇ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିଛି। ଏହି ନିର୍ବାଚନ ମଣ୍ଡଳୀକୁ ନେଇ ସିଇଓ ସୂଚନା ଦେଇଛନ୍ତି। ତେବେ ଏଇ ବିଧାନସଭା ଆସନରେ ବିଜେଡ଼ି ସାନି ପ୍ରାର୍ଥୀ ଦେବ। ଅନ୍ୟ କୌଣସି ଦଳଙ୍କୁ ପ୍ରାର୍ଥୀ ବଦଳାଇବାକୁ ସୁଯୋଗ ଦିଆଯିବ ନାହିଁ। ନିର୍ବାଚନ କେବେ ହେବ, ସେନେଇ ତାରିଖ ଘୋଷଣା କରାଯାଇନାହିଁ। ଏହି ନିର୍ବାଚନ ଆସନରେ ବିଜେପି ତରଫରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ଆସନରେ ବିଜେଡ଼ି ତରଫରୁ କିଏ ପ୍ରାର୍ଥୀ ହେବ, ତାହା ଆଗାମୀ ସମୟ କହିବ।

Categories
ଆଜିର ଖବର

ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ

ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ। ସ୍ଥଗିତ ନେଇ ରିଟର୍ଣ୍ଣିଂ ଅଫିସର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆସନରୁ ବିଜେପିର ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ତେବେ ଗତକାଲି ବିଜେଡ଼ି ପ୍ରାର୍ଥୀଙ୍କ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସେହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଇସିଆଇଙ୍କ ପରବର୍ତ୍ତୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି  ନିର୍ବାଚନକୁ ସ୍ଥଗିତ ରଖାଯାଇଛି।