Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢିବେ ଆମେରିକାର ଗଣିତ ଶିକ୍ଷକ: ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ଦଳର ପ୍ରାଥମିକ ନିର୍ବାଚନରେ ​​ଜିତିଯାଇଛନ୍ତି। ଏହା ପରେ ଏହି ଦୁଇ ନେତାଙ୍କ ମଧ୍ୟରେ ସଂଘର୍ଷ ହେବାର ସମ୍ଭାବନା ବଢିଯାଇଛି। ଏହି ସମୟରେ, ଟେକ୍ସାସର ଜଣେ ଗଣିତ ଶିକ୍ଷକ ସ୍ଵାଧୀନ ପ୍ରାର୍ଥୀ ଭାବରେ ତାଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି ଏବଂ ଆଇନ ଅନୁଯାୟୀ ତାଙ୍କ ନାମକୁ ‘ଲିଟରଲି ଏନିବଡି ଏଲ୍ସ’ ଭାବରେ ପରିବର୍ତ୍ତନ କରିଛନ୍ତି।

ସେ ବିଶ୍ବାସ କରନ୍ତି ଯେ, ଆମେରିକାର କିଛି ଭୋଟର ଚାହୁଁଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କେହି ଦ୍ୱିତୀୟ ଥର ପାଇଁ ହ୍ଵାଇଟ ହାଉସକୁ ଫେରନ୍ତୁ। ତାଙ୍କ ନାମ ପରିବର୍ତ୍ତନ କରିବା ପୂର୍ବରୁ, ଏହି ବ୍ୟକ୍ତି ଡଷ୍ଟିନ ଏବେ ନାମରେ ପରିଚିତ ଥିଲେ ଏବଂ ସେ ସପ୍ତମ ଶ୍ରେଣୀର ପିଲାମାନଙ୍କୁ ଗଣିତ ଶିକ୍ଷା ଦେଉଥିଲେ। କେବଳ ଏତିକି ନୁହେଁ ସେ ଆମେରିକୀୟ ସେନାର ମଧ୍ୟ ସେବା କରିଛନ୍ତି।

ଡଷ୍ଟିନ ଏବେ (ପ୍ରକୃତ ନାମ) କହିଛନ୍ତି ଯେ, “ବହୁତ ଦିନ ଧରି ଆମେରିକାର ଲୋକମାନେ ପାର୍ଟିର ବିଶ୍ୱସ୍ତତାକୁ ପ୍ରାଧାନ୍ୟ ଦେଇ ନିଜର ରାଜନୈତିକ ଦଳର ଶିକାର ହୋଇଛନ୍ତି। ଆସନ୍ତୁ ଏକାଠି ହୋଇ ୱାଶିଂଟନ୍ କୁ ଏକ ବାର୍ତ୍ତା ପଠାନ୍ତୁ ଏବଂ କୁହନ୍ତୁ, ଆପଣ ପ୍ରତିନିଧିତ୍ୱ କରିବେ କିମ୍ବା ଆପଣଙ୍କୁ ବଦଳାଯିବ। ଆମେରିକାକୁ ଋଣ ରାଜା ଏବଂ ୮୧ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାରେ ଅଟକି ରହିବା ଉଚିତ ନୁହେଁ।”

ସେ ଆହୁରି କହିଛନ୍ତି ଯେ, “ଲିଟରଲି ଏନିବଡି ଏଲ୍ସ ଏକ ବ୍ୟକ୍ତି ନୁହେଁ ଏକ ରାଲିର ସ୍ଲୋଗାନ ବ୍ୟତୀତ ଅନ୍ୟ କିଛି ନୁହେଁ। କୌଣସି ପ୍ରକାରେ ଏହି ଆନ୍ଦୋଳନରେ ଯୋଗ ଦିଅନ୍ତୁ। ଏହି ଅଭିଯାନ ଆଶା ଏବଂ ନବସୃଜନର ପ୍ରତୀକ ହେଉ।” ଦି ଗାର୍ଡିଆନ୍ ଖବରକାଗଜର ରିପୋର୍ଟ ଅନୁଯାୟୀ ସେ ନଭେମ୍ବରରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ ସେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି ଏବଂ ସେ ବିଶ୍ୱାସ କରନ୍ତି ଯେ, ଆମେରିକୀୟ ଲୋକମାନେ ଭଲ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ କେତେ ମଜବୁତ ଥିଲା ଭାରତ-ଆମେରିକା ସମ୍ପର୍କ? କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, କିଛି ପ୍ରସଙ୍ଗ ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଭାରତ-ଆମେରିକା ସମ୍ପର୍କ ଆହୁରି ଗଭୀର ହୋଇଛି। ଦିଲ୍ଲୀର ୯ମ ରାୟସିନା ସଂଳାପରେ ଯୋଗ ଦେଇ ଏସ ଜୟଶଙ୍କର କହିଛନ୍ତି ଯେ, ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଟ୍ରମ୍ପ ରାଷ୍ଟ୍ରପତି ଥିଲେ। ତାଙ୍କ ସହିତ ଆମର ବହୁତ ଭଲ ସମ୍ପର୍କ ଥିଲା। ସେ ଭ୍ରମଣରେ ଏଠାକୁ ଆସିଥିଲେ, ଆମ ପ୍ରଧାନମନ୍ତ୍ରୀ ସେଠାକୁ ଭ୍ରମଣରେ ଯାଇଥିଲେ। କିଛି ସମସ୍ୟା ଥିଲା କିନ୍ତୁ ସାମଗ୍ରିକ ଭାବରେ ଯଦି ମୁଁ ଏହାକୁ ଦେଖେ, ସେହି ଚାରି ବର୍ଷ ମଧ୍ୟରେ ଆମର ସମ୍ପର୍କ ଗଭୀର ହେଲା।”

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଟିକଟକ୍ ବିରୋଧରେ ଟ୍ରମ୍ଫଙ୍କ କଡା ଆଭିମୁଖ୍ୟ, କୌଣସି ଆମେରିକୀୟ କଂପାନୀ ତାହା ନ କିଣିବାକୁ ଦେଲେ ନିର୍ଦ୍ଦେଶ

ୱାସିଂଟନ, ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିପରି ରାଗ ତାହା ପ୍ରତିପାଦିତ ହୋଇ ଆସୁଛି। ଗତକାଲି ଟ୍ରମ୍ପ ଚୀନ କଂପାନୀ ଟିକଟିକ୍ ଆପକୁ କେହି ନ କିଣିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚୀନ ଦ୍ବାରା ନିର୍ମିତ ବିଭିନ୍ନ ଆପ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶେଷ କରି ଟିକଟିକ୍ ଆପ୍ ସବୁଠାରୁ ବିପଦ ଜନକ। ସେଥିପାଇଁ କୌଣସି ଆମେରିକୀୟ କଂପାନୀ ସେସବୁ କିଣିପାରିବେ ନାହିଁ। ଯଦି ସେପରି କିଛି ହୁଏ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

କୋରନା ଭାଇରସ ଚୀନରୁ ଆସିଥିବାରୁ ସେଥିପାଇଁ କେତେକ ଦେଶ ଚୀନ ନିର୍ମିତ ବିଭିନ୍ନ ଆପକୁ ନିଷିଧ କରିଛି। ବିଶେଷ କରି ଚାନ କଂପାନୀ ଡ୍ୟାନସବାଇଟ ନିର୍ମିତ ଟିକଟକ ଆପକୁ ଅନେକ ଦେଶ ନିଷିଧ କରିଛନ୍ତି। ଫଳରେ ଏହି କଂପାନୀ ଚୀନରୁ ହଟି ଆମେରିକାରେ ତାହା ବ୍ୟବସାୟ ଆରମ୍ଭ କରିବ ବୋଲି ଚିନ୍ତା କରିଥିଲା। ହେଲେ ବର୍ତ୍ତମାନ ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶନାମା ଦ୍ବାରା କଂପାନୀର ସମସ୍ତ ଯୋଜନା ଭଣ୍ଡୁର ହୋଇଯାଇଛି।

Categories
ବିଶେଷ ଖବର

କରୋନା ଲଢେଇରେ ଅସହାୟ ଜନତା ଓ ରାଜନେତାମାନଙ୍କର “ଡାଟା ଗେମ”

କେଦାର ମିଶ୍ର

ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ ସେଥିଲାଗି ଅନେକ ସାମ୍ବାଦିକଙ୍କର ଝଗଡା ମଧ୍ୟ ହେଲାଣି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଷ୍ଟ୍ରପତି ସାମ୍ବାଦିକଙ୍କୁ ତାଙ୍କ କଥା କହୁଛନ୍ତି ଓ ସାମ୍ବାଦିକ ତାଙ୍କ ନିଜ ଅଧିକାରରେ ରାଷ୍ଟ୍ରପତିଙ୍କ ମତକୁ ଖଣ୍ଡନ ମଧ୍ୟ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ଫଙ୍କ “ଡାଟା” କୁ ଦେଖିବା ବେଳେ ସାମ୍ବାଦିକମାନେ ଏମିତି ବ୍ୟବହାର କରୁଛନ୍ତି, ଯେମିତି ସେମାନେ ଜାଣନ୍ତି ଯେ ଏହା କେବଳ ଡାଟା ର ଖେଳ। ଏଥିରେ ସତ୍ୟତା ନାହିଁ।

ସଂଖ୍ୟା ଦୃଷ୍ଟିରୁ ଆମେରିକା ସର୍ବାଧିକ କରୋନା ପରୀକ୍ଷା କରିଛି। ପ୍ରତି ଦଶ ଲକ୍ଷ ଲୋକରେ ଆମେରିକାରେ ୧,୮୪,୦୦୭ ଲୋକଙ୍କର ପରୀକ୍ଷା ହେଉଛି। ଏ ଯାବତ ସର୍ବମୋଟ ୬୦.୯୯୩, ୭୨୨ ପରୀକ୍ଷା କରିବାରେ ଆମେରିକାର ରେକର୍ଡ ରହିଛି। ତେବେ ପ୍ରତି ଦଶ ଲକ୍ଷ ଜଣ ସଂଖ୍ୟାରେ ସର୍ବାଧିକ ପରୀକ୍ଷା କରିବାର ରେକର୍ଡ ୟୁଏଇ ବା ଆରବ ଏମିରେଟ୍ସ ପାଖରେ ରହିଛି। ଦଶ ଲକ୍ଷ ଜନସଙ୍ଖ୍ୟାର ୫,୨୭,୧୪୨ ପରୀକ୍ଷା ଏକ ବିରଳ ରେକର୍ଡ। ଦେଶର ୧୦୦ ରୁ ୫୨ ଜଣଙ୍କର ପରୀକ୍ଷା ସେଠାରେ ସମ୍ଭବ ହୋଇଛି। ଆରବ ପରେ ବାହାରିନ ୪,୯୮, ୫୬୮ ପରୀକ୍ଷା କରିଛି। ଋଷିଆର ପରୀକ୍ଷଣ ସଂଖ୍ୟା ମଧ୍ୟ ଆମେରିକା ଠୁ ଅଧିକ। ଋଷିଆ ପ୍ରତି ଦଶ ଲକ୍ଷ ଲୋକରେ ୨,୦୦୦, ୯୪ ପରୀକ୍ଷା କରୁଛି। ଅଧିକ ପରୀକ୍ଷା କରୁଥିବା ଆରବ ଦେଶ ସମୂହ, ୟୁରୋପ ଏବଂ ଋଷିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ କମ। ଆମେରିକାରେ ମୃତ୍ୟୁହାର ୩.୨୬ ହୋଇଥିବା ବେଳେ ଋଷିଆରେ ଏହା ମାତ୍ର ୧.୬୬%। ତେଣୁ ଡାଟା କୁ ନେଇ ଅଯଥାରେ ଛାତି ବାଡେଇ ହେବାର କୌଣସି ବିଶେଷ କାରଣ ନାହିଁ।

ତେବେ ଆମେରିକା ଓ ଋଷିଆ ଭଳି ଦେଶରେ ଡାଟା ବା ତଥ୍ୟକୁ ନେଇ ବିତର୍କ ଚାଲିଛି। ଭାରତରେ ତଥ୍ୟକୁ ନେଇ ବିତର୍କ କରିବା ଆମେ ଭୁଲିଯାଇଛୁ। ଆମେ ସବୁ ସରକାରୀ ତଥ୍ୟକୁ ମୁଣ୍ଡପାତି ଗ୍ରହଣ କରିନେବାକୁ ପ୍ରସ୍ତୁତ। ବର୍ତ୍ତମାନ ଭାରତ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି। ସର୍ବମୋଟ ସଂଖ୍ୟା ଦୃଷ୍ଟିରୁ ଆମ ଉପରେ ଆମେରିକା ଓ ବ୍ରାଜିଲ ରହିଥିଲେ ମଧ୍ୟ, ଗତ ତିନି ଦିନ ଧରି ପୃଥିବୀର ସର୍ବାଧିକ ସଂକ୍ରମିତ ଭାରତରୁ ବାହାରୁଛନ୍ତି। ଆମର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ହଜାର ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଦୈନିକ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ଆମର ପରୀକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଗତକାଲି ଦେଶରେ ୬,୬୧,୮୯୨ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହେ ତଳୁ ଦୈନିକ ୧୦ ଲକ୍ଷ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଦୈନିକ ୧୦ଲକ୍ଷ ପରୀକ୍ଷାରେ ପହଞ୍ଚିବାକୁ ଆମକୁ ଆହୁରି ଦୁଇ ସପ୍ତାହ ଲାଗିବ। ଶହେ ଲୋକରେ ଆଜି ମଧ୍ୟ ଆମେ ୧.୫ ଲୋକଙ୍କର ପରୀକ୍ଷା କରୁଛୁ। ତା ସତ୍ତ୍ୱେ ଆମର ସଙ୍କ୍ରମିତଙ୍କ ସଂଖ୍ୟା ପୃଥିବୀର ଏକ ନମ୍ବର।

ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ବହୁ ଅଧିକ ପରୀକ୍ଷା ହେବା ଜରୁରୀ। ଏ ପ୍ରକାର ହାରରେ ସଂକ୍ରମଣ ବଢିଲେ ବହୁ ଲୋକ ବିନା ପରୀକ୍ଷାରେ ସଂକ୍ରମଣ ବଢାଇ ଚାଲିବେ ଓ ଏମିତି ଅନେକ ଲୋକ ମୃତ୍ୟୁ ବରଣ କରିବେ ଯାହାର କୌଣସି ହିସାବ ରଖିବା ସମ୍ଭବ ହେବନାହିଁ। ସବୁଠୁ ବଡ ସଙ୍କଟ ହେଉଛି, ଭାରତରେ କୋଭିଡ ତଥ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବାର ସାହସ ବା ଅଧିକାର ଲୋକଙ୍କ ପାଖରେ ନାହିଁ। ଅନ୍ତତଃ ରାଷ୍ଟ୍ରପତି ଟ୍ରମ୍ଫ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ନିଜର ପକ୍ଷ ରଖୁଛନ୍ତି। ସମାଲୋଚନାର ସାମ୍ନା କରୁଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକ ପାଖିଆ ଭାଷଣ ଦେଇ ଚାଲିଛନ୍ତି। ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୫ ହଜାର ଲୋକଙ୍କର ପରୀକ୍ଷା କରିବାର ଅର୍ଥ ହେଉଛି, ମହାମାରୀ ଲାଗି ଖୋଲା ମଇଦାନ ତିଆରି କରିବା। ବିନା ପରୀକ୍ଷାରେ “ଲକ ଡାଉନ” ବା “ଅନଲକ” ର କିଛି ଅର୍ଥ ନାହିଁ। ଭାରତର ବିଭିନ୍ନ ରାଜ୍ୟଗୁଡିକ ଭିତରୁ ଦିଲ୍ଲୀ ସର୍ବାଧିକ ୫୪,୧୯୪ (ଦଶ ଲକ୍ଷ ଅନୁପାତରେ) , ପରୀକ୍ଷା କରିଛି। ବାକି ରାଜ୍ୟ ଗୁଡିକ ଏବେ ମଧ୍ୟ ୧୦ ରୁ ୨୦ ହଜାର ଭିତରେ ରହିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ୧୧,୬୬୦, ବିହାରରେ ମାତ୍ର ୫୪୨୯, ପଶ୍ଚିମ ବଙ୍ଗରେ ୯୮୭୨ ଓ ମଧ୍ୟପ୍ରଦେଶରେ ୯୮୭୮ ପରୀକ୍ଷା ହେଉଛି। ଦେଶର ଅଧାରୁ ଅଧିକ ଲୋକ ଏହି ସବୁ ରାଜ୍ୟରେ ବସବାସ କରନ୍ତି।

ବିନା ପରୀକ୍ଷାରେ “ଡାଟା ଗେମ” ଖେଳୁଥିବା ଆମର ରାଜନେତାମାନେ କୋଟି କୋଟି ଭାରତୀୟଙ୍କର ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ଏ ପ୍ରକାର ତଥଯର ହେରାଫେରିକୁ ନେଇ ଗଣମାଧ୍ୟମ ମଧ୍ୟ ମୁହଁ ରେ ତୁଣ୍ଡି ବାନ୍ଧି ବସିଛି।