Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଗର୍ଜିଲେ ମଲ୍ଲିକାର୍ଜୁନ ଖଡ଼ଗେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ

ଭୁବନେଶ୍ବର: ଆଜି ରାଜ୍ୟ କଂଗ୍ରେସ ତରଫରୁ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ପିଏମଜି ଛକରେ ଆୟୋଜିତ ଏକ ବିଶାଳ ରାଲିକୁ ସେ କରିଛନ୍ତି ସମ୍ବୋଧିତ। ଦୀର୍ଘ ସମୟ ଧରି ଦେଇଥିବା ଭାଷଣରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେ ରାଜ୍ୟର ବିଜେଡି ସରକାର ଏବଂ କେନ୍ଦ୍ରର ବିଜେପି ସରକାର ମଧ୍ୟରେ ଥିବା ସଂପର୍କକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ କରି କଣ ଲାଭ ପାଇଛନ୍ତି। ଓଡିଶାର ମୋଦୀ ସରକାର କଣ ଆଖିଦୃଶିଆ କାମ କରିଛନ୍ତି। ଯଦି ନାହିଁ ତେବେ ସେ କାହିଁକି ଏପରି କେନ୍ଦ୍ରକୁ ସମର୍ଥନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, କଂଗ୍ରେସ ସରକାର ଥିବା ବେଳେ ଓଡିଶାକୁ ରାଉରକେଲା ଇସ୍ପାତ ପ୍ରକଳ୍ପ ଭେଟି ଦେଇଛନ୍ତି, ପାରାଦ୍ବୀପ ବନ୍ଦର ଦେଇଛନ୍ତି, ଆଇଏଏନସି ଚିଲିକା ଦେଇଛନ୍ତି, ହାଲ କାରଖାନା ଦେଇଛନ୍ତି, ମଞ୍ଚେଶ୍ବରରେ ରେଳକାରଖାନା ଦେଇଛନ୍ତି। ହେଲେ ମୋଦୀ ସରକାରଙ୍କ ସମୟରେ ଓଡିଶାର ଯେପରି ଉନ୍ନତି ହେବା କଥା ତାହା ହୋଇଛି କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ମୋଦୀଙ୍କୁ ସମାଲୋଚନା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସବୁବେଳେ ଡବଲ ଇଂଜିନୀ ସରକାର ବୋଲି କହୁଛନ୍ତି। ସେ ଜାଣନ୍ତି ନାହିଁ ଯେ, ସେ ଡବଲ ଇଂଜିନି ମଧ୍ୟ ଫେଲ ମାରିଯାଉଛି। ସେହିପରି ମୋଦୀ ଗ୍ୟାରେଣ୍ଟି କଣ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ମୋଦୀ ଗ୍ୟାରିଣ୍ଟି ହେଲା ବେକାରୀଙ୍କୁ ଚାକିରୀ ନ ଦେବା। କଳାଧନ ଆଣି ଲୋକଙ୍କ ଆକାଉଣ୍ଟରେ ନ ରଖିବା।

ଖଡଗେ କହିଥିଲେ ଯେ, ଆପଣଙ୍କ ମାନଙ୍କ ପାଇଁ ଏହା ହେଉଛି ଶେଷ ନିର୍ବାଚନ। କାରଣ ଏହାପରେ ଦେଶର ସାଧାରଣ ନିର୍ବାଚନକୁ ମୋଦୀ ହରଣଚାଳ କରିନେବେ। ଋଷିଆରେ ପୁତିନ କରିବା ପରି କେବଳ ନାମକୁ ମାତ୍ର ନିର୍ବାଚନ ହେବ ଆଉ ଜିତିବେ ମୋଦି। ସେଥିପାଇଁ ଏହି ନିର୍ବାଚନରେ ଆପଣମାନେ ଏହି ସରକାରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଶାସନକୁ ଆଣିବାକୁ ପଡିବ ବୋଲି ଖଡଗେ କହିଥିଲେ।

ସେହିପରି ବିଜେଡି ବିଜେପି ସଂପର୍କକୁ ନେଇ ଖଡଗେ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇସାରିଛି। ପୂର୍ବରୁ ନବୀନଙ୍କ ବାପା ବିଜୁ ପଟ୍ଟନାୟକ ନେହୁରଙ୍କ ସହିତ ସଂପର୍କ ରଖି ଓଡିଶା ପାଇଁ ବେଶ ଭଲ କାମ କରିଛନ୍ତି। ହେଲେ ନବୀନବାବୁ ମୋଦିଙ୍କ ସହିତ ସଂପର୍କ ରଖି କଣ ଲାଭ ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ସମାବେଶରେ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତା ଯୋଗଦେଇଥିଲେ। ସମାବେଶ ପରେ କଂଗ୍ରେସ ନେତାମାନଙ୍କ ସହିତ ଖଡଗେ ଆଲୋଚନା କରି ଆଜି ସେ ନୂଆଦିଲ୍ଲୀ ଫେରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ

ଭୁବନେଶ୍ବର: ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବରର ପିଏମଜି ଛକରେ ତାଙ୍କର ବିରାଟ ସାଧାରଣ ସଭାର ଆୟୋଜନ ହେବ। ସେଠାରେ ଓଡିଶା ବଞ୍ଚାଅ ଆନ୍ଦୋଳନରେ ଖଡଗେ ସାମିଲ ହେବେ।

ଆଜି ସେ ଦିନ 11ଟା 45 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ତାଙ୍କୁ ସ୍ବାଗତ କରାଯାଇ ସଭାସ୍ଥଳକୁ ଅଣାଯିବ। ସେଠାରେ ଖଡଗେ କଂଗ୍ରେସ କର୍ମିଙ୍କୁ ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ କଂଗ୍ରେସ ଭବନରେ କର୍ମିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ, ଓଡିଶା କଂଗ୍ରେସ ଉଠୁଛି ପଡୁଛି

ଭୁବନେଶ୍ୱର: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା ୨୯ ତାରିଖରେ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବେ। ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଶ୍ରୀଯୁକ୍ତ ଖଡ୍‌ଗେ ତଳସ୍ତରରୁ ଜଣେ ସାଧାରଣ କଂଗ୍ରେସ କର୍ମୀଭାବେ ଜୀବନ ଆରମ୍ଭ କରି ନିଜର ଚେଷ୍ଟା, ନିଷ୍ଠା ଓ ସମର୍ପଣ ପାଇଁ ଏବେ ସେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରିଛନ୍ତି।

ସେ ଜଣେ ଅନୁଭବୀ ନେତା ଭାବେ ଦେଶକୁ ଅତି ନିକଟରୁ ଦେଖିଥିବାବେଳେ ଓଡ଼ିଶାର ଅବସ୍ଥାକୁ ମଧ୍ୟ ଭଲଭାବେ ବୁଝିଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ୫୨% ଲୋକ ଆଜିବି ଗରିବ। ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜୀକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି।

ଆଜି ବି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। ଅପରପକ୍ଷରେ ଓଡ଼ିଆ ଜାତିକୁ ଧ୍ୱଂସ କରିବାକୁ ରୀତିମତ ଷଡଯନ୍ତ୍ର ରଚାଯାଉଛି। ଏପରିକି ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେବାପାଇଁ ମସୁଧା ଚାଲିଛି, ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ। ଓଡ଼ିଶାରେ ଓଡ଼ିଆଙ୍କ ହକ୍ ରହିଛି। ଏହି ହକ୍ ଉପରେ ଆକ୍ରମଣ ହେଲେ ଓଡ଼ିଶା କଂଗ୍ରେସ କେବେ ଚୁପ୍ ହୋଇ ବସିବ ନାହିଁ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ଅଧ୍ୟକ୍ଷ ତଥା ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ଯେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ସୀମା ଟପିଛି। ବିଜେଡି-ବିଜେପି ଅଘୋଷିତ ମେଂଟ ଏବେ ସାର୍ବଜନୀନ ହୋଇଛି। ଏମାନଙ୍କର ଦୌରାତ୍ମ୍ୟରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ‘ଓଡ଼ିଶା ବଂଚାଅ’ ସମାବେଶରେ ଯୋଗଦେବାକୁ ଖଡ୍‌ଗେଜୀ ଓଡ଼ିଶା ଆସୁଛନ୍ତି।

ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପିସିସିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ଅଷ୍ଟାଦଶ ଲୋକସଭା ଓ ସପ୍ତଦଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି ସଭାପତିଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ଦୁଇଟି ଦିଗରୁ ମହତ୍ୱପୂର୍ଣ୍ଣ। ସେ ଆହୁରି କହିଥିଲେ ଯେ ଉଭୟ ବିଜେଡି ଓ ବିଜେପିଙ୍କ ଚୋରା ପୀରତି ଧରାପଡ଼ିଯାଇଛି।

୧୦ ବର୍ଷ ମିଶି ସରକାର କରିବା ପରେ ଲିଭ୍‌ଇନ୍ ରିଲେସନ୍‌ସିପ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଜେଡି ୨୪ ବର୍ଷ ପରେ ନୂଆ-ଓଡ଼ିଶା ଗଢିବା କଥା କହୁଛି ତେବେ ୨୩ବର୍ଷ ପୂର୍ବରୁ ଗଢିପାରିଲେନି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଉଭୟଙ୍କ ଚିତ୍ର ଓ ଚରିତ୍ରକୁ ରାଜ୍ୟବାସୀ ବୁଝି ଗଲେଣି ଏବେ ବିଜେଡି ଓ ବିଜେପିକୁ ହଟାଇବାର ସମୟ ଆସିଛି।

ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି କହିଥିଲେ ଯେ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପାଇଁ ହେଉଥିବା ଲଢେଇକୁ ଶକ୍ତିଶାଳୀ କରିବ ‘ଓଡ଼ିଶା ବଂଚାଅ’ ସମାବେଶ। ଏହି ସମ୍ମିଳନୀରେ ଏଆଇସିସିର ସମ୍ପାଦକ ତଥା ଓଡ଼ିଶାର ସହପ୍ରଭାରୀ ଶ୍ରୀ ସାହାନାୱାଜ ଚୌଧୁରୀ ଏବଂ ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ କଂଗ୍ରେସ ବିରୋଧ କରୁଛି: ଖଡଗେ

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ସମ୍ପାଦକଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ କଂଗ୍ରେସ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ବିରୋଧ କରୁଛି। ଖଡଗେ କହିଛନ୍ତି ଯେ ଯେଉଁ ଦେଶରେ ସଂସଦୀୟ ଶାସନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେଠାରେ ଏକକାଳୀନ ନିର୍ବାଚନ ପାଇଁ କୌଣସି ସ୍ଥାନ ନାହିଁ। ଏହା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।

ବାସ୍ତବରେ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏଥିରେ ୮ ଜଣ ସଦସ୍ୟ ଅଛନ୍ତି। ୧୮ ଅକ୍ଟୋବର ୨୦୨୩ରେ କମିଟି ଏହି ମାମଲାରେ କଂଗ୍ରେସଠାରୁ ପରାମର୍ଶ ମାଗିଥିଲା। ଜାନୁଆରୀ ୧୭ତାରିଖରେ ଖଡଗେ କମିଟି ସମ୍ପାଦକ ନୀତିନ ଚନ୍ଦ୍ରାଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖି ଜବାବ ଦେଇଛନ୍ତି। ଏଥିରେ ୧୭ ପଏଣ୍ଟ ରହିଛି। ଗଣତନ୍ତ୍ର ବଜାୟ ରଖିବାକୁ ହେଲେ ଏକାସାଙ୍ଗରେ ନିର୍ବାଚନ କରାଇବା ଓ ହାଇପାୱାର କମିଟିକୁ ଭଙ୍ଗ କରିବା ଜରୁରୀ ବୋଲି କଂଗ୍ରେସ କହିଛି।

ଖଡଗେଙ୍କ ଚିଠିର ୬ଟି ଗୁରୁତ୍ୱପୂର୍ଣ୍ଣ କଥା

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ପକ୍ଷପାତିତା କରୁଛି। କାରଣ ବିରୋଧୀ ଦଳର କୌଣସି ପ୍ରତିନିଧି ନାହାନ୍ତି।

ଏକାସାଙ୍ଗରେ ନିର୍ବାଚନ ପାଇଁ ସରକାର ନିଜର ମତ ପ୍ରକାଶ କରିସାରିଛନ୍ତି। ସେମାନେ ଦେଶରେ ଏଭଳି ନିର୍ବାଚନ କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଏହାକୁ ନେଇ କମିଟି ଗଠନ କରିବା କେବଳ ଏକ ପ୍ରଦର୍ଶନ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ୨୦୧୮ରେ ସେ ସଂସଦରେ କହିଥିଲେ ଯେ ବାରମ୍ବାର ନିର୍ବାଚନ ବିକାଶ କାର୍ଯ୍ୟକୁ ବନ୍ଦ କରିଦେଇଥାଏ। କଂଗ୍ରେସ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦି କାମ କରିବା ପରିବର୍ତ୍ତେ ନିର୍ବାଚନ ରଖୁଥିବାରୁ ବିକାଶ ହୋଇପାରୁନାହିଁ।

ଏକାସାଙ୍ଗରେ ନିର୍ବାଚନ ହେଲେ ଖର୍ଚ୍ଚ ବଞ୍ଚିବ ବୋଲି କମିଟି ଯୁକ୍ତି ବାଢ଼ିଛି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ୨୦୧୪ ଲୋକସଭା ନିର୍ବାଚନରେ ୩୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହା କି ଯଥେଷ୍ଟ ବୋଲି କମିଟି ଦାବି କରିଛି। ଅପରପକ୍ଷରେ ୨୦୧୬ରୁ ୨୦୨୨ ମଧ୍ୟରେ ବିଜେପିକୁ ୧୦,୧୨୨ କୋଟି ଟଙ୍କା ଦାନ ମିଳିଥିବାବେଳେ ସେଥିମଧ୍ୟରୁ ୫,୨୭୧.୯୭ କୋଟି ଟଙ୍କା ବେନାମୀ ବଣ୍ଡ ଥିଲା। ଯଦି କମିଟି ଓ ସରକାର ପ୍ରକୃତରେ ନିର୍ବାଚନ ଖର୍ଚ୍ଚକୁ ନେଇ ଗମ୍ଭୀର, ତେବେ ଇଲେକ୍ଟୋରାଲ ବଣ୍ଡ ପ୍ରକ୍ରିୟାକୁ ସ୍ୱଚ୍ଛ କରନ୍ତୁ।

ଆଚରଣ ବିଧି ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଭାବିତ କରୁଛି ବୋଲି ଯେଉଁ ଯୁକ୍ତି କରାଯାଉଛି ତାହା ମଧ୍ୟ ଭିତ୍ତିହୀନ। ନିର୍ବାଚନ ସମୟରେ ବିଦ୍ୟମାନ ଯୋଜନା ଓ ପ୍ରକଳ୍ପ ଜାରି ରହିଛି।
ଏକକାଳୀନ ନିର୍ବାଚନ କରାଇବା ପାଇଁ ଅନେକ ବିଧାନସଭା ଭଙ୍ଗ କରିବାକୁ ପଡ଼ିବ, ଯାହା ଏବେବି ସେମାନଙ୍କ କାର୍ଯ୍ୟକାଳର ଅଧା (ବା ତା’ଠାରୁ କମ୍) ଅଟେ। ସେହି ସବୁ ରାଜ୍ୟର ଭୋଟରଙ୍କ ପାଇଁ ଏହା ଏକ ଠକେଇ ହେବ।

ସେପ୍ଟେମ୍ବର ୨୦୨୩ରେ ସରକାର ଏହି କମିଟି ଗଠନ କରିଥିଲେ

ସେପ୍ଟେମ୍ବର ୨ତାରିଖରେ କେନ୍ଦ୍ର ସରକାର ଏହି କମିଟି ଗଠନ କରିଥିଲେ। କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ଥିଲେ।

କମିଟି ଏହାର ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ଦେଶର ରାଜନୈତିକ ଦଳଗୁଡ଼ିକର ମତାମତ ନେବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମିଟି ଦେଶର ୪୬ଟି ରାଜନୈତିକ ଦଳକୁ ଚିଠି ଲେଖି ସେମାନଙ୍କ ମତାମତ ଲୋଡ଼ିଛି। ଏଥିରେ ୬ଟି ଜାତୀୟ ଦଳ, ୩୩ଟି ରାଜ୍ୟ ଦଳ ଓ ୭ଟି ଅଣସ୍ୱୀକୃତିପ୍ରାପ୍ତ ଦଳ ରହିଛି।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ?

ବର୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବା। ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ ଦେବେ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା। ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା।