Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପାଣ୍ଡିଆନ, ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କୁ ମିଳିବ Z, ଆଉ ୩ ନେତାଙ୍କୁ Y ସୁରକ୍ଷା, ରାଜ୍ୟ ସରକାର ନେଲେ ନିଷ୍ପତି

ଭୁବନେଶ୍ଵର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବିହିତ ପଦକ୍ଷେପ। ସେହି ଅନୁସାରେ ଆଜି ରାଜ୍ୟ ସରକାର ଜାରୀ କରିଛନ୍ତି ଏକ ବିଜ୍ଞପ୍ତି। ଏତିରେ   ଓଡ଼ିଶାର ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ Z ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ Y ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସିକ୍ୟୁରିଟି ଓ୍ଵିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର Z ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ Y ଶ୍ରେଣୀ ସୁରକ୍ଷା ଦିଆଯିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରୋଚକ ମୋଡରେ ସମ୍ବଲପୁର ଲୋକସଭା ନିର୍ବାଚନ, ଏନଏଚ ପ୍ରସଂଗ ନେଇ ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପ୍ରଣବ ଦାସ

ଭୁବନେଶ୍ବର: ଧୀରେ ଧୀରେ ଏକ ରୋଚକ ମୋଡକୁ ଯାଉଛି ସମ୍ବଲପୁର ଲୋକସଭା ନିର୍ବାଚନ। ସାରା ଓଡିଶାର ବର୍ତ୍ତମାନ ସମ୍ବଲପୁର ନିର୍ବାଚନ ଉପରେ ଆଖି। କାରଣ ହେଲା ଏହି ଆସନରେ ଦୁଇ ଦଳର ହେଭିୱେଟଙ୍କ ଲଢେଇ ହେଉଛି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିରୁ ପ୍ରଣବ ପ୍ରକାଶ ଦାସ।

ସେହି ଲଢେଇ ଭିତରେ ଆଜି ପ୍ରଣବ ପ୍ରକାଶ ଦାସ ସାମାଜିକ ଗଣମାଧ୍ୟମରେ ଏକ ବାଣ ଫୁଟାଇ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦୁଇଟି ଫଟୋ ପୋଷ୍ଟିଂ କରିଛନ୍ତି। ସେଥିରୁ ଗୋଟିଏ NH 55 ର ଅବସ୍ଥା ଥିବା ବେଳେ ଆଉ ଏକ ଫଟୋରେ ଚକଚକିଆ ବିଜୁ ଏକ୍ସପ୍ରେସ ୱେ ଫଟୋ ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ। ଫଟୋ – ୦୧ : ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ଫଟୋ – ୦୨ : ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଗିଡି ଗଲା ଧର୍ମେନ୍ଦ୍ରଙ୍କ ଗଣିତ, ବିଜେଡିରେ ସାମିଲ ହେଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତି ଦେବୀ

ଭୁବନେଶ୍ବର: ବର୍ତ୍ତମାନ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଣିତ ବିଗିଡି ଗଲା। କାରଣ ହେଲା ଆଜି ନବୀନ ନିବାସରେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହୋଇଛନ୍ତି।

ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ସମୟରେ ସାଂସଦ ତଥା ସମ୍ବଲପୁର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ।

ତେବେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ପରେ ସାଂସଦ ନୀତିଶ ଗଙ୍ଗଦେବ ସେହି ଅଞ୍ଚଳରେ ଆଉ ଦେଖିବାକୁ ମିଳୁ ନାହିଁ। ସେ ଏକ ପ୍ରକାରର ରାଜନୈତିକ ବନବାସ ଜୀବନ ବିତାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ହେଲେ ଏପଟେ ତାଙ୍କ ପତ୍ନୀ ଓ ପୁତ୍ର ବିଜେଡିରେ ସାମିଲ ହେବା ପରେ ଓଡିଶା ରାଜନୀତିରେ ଏକ ବଡ ସମୀକରଣ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିବା ପରେ ସେ ସାଂସଦ ନୀତିଶ ଗଙ୍ଗଦେବଙ୍କୁ ଏକ ପ୍ରକାରର କଣଠୋସା କରିଦେଇଛନ୍ତି। ଯାହାକୁ ନେଇ ତାଙ୍କ ପତ୍ନୀ ଅରୁନ୍ଧତୀ ସିଧା ଧର୍ମେନ୍ଦ୍ରଙ୍କ ନାଁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ନିଜର ସାମାଜିକ ଗଣମାଧ୍ୟମରେ ଅରୁନ୍ଧତି ଧର୍ମେନ୍ଦ୍ରଙ୍କୁ ଗାଳି ମଧ୍ୟ କରିବାକୁ ପଛାଇ ନାହାଁନ୍ତି।

ବର୍ତ୍ତମାନ ଅରୁନ୍ଧତୀ ବିଜେଡିରେ ଯୋଗଦେବା ପରେ ସେ ଧର୍ମେନ୍ଦ୍ର ବିରୋଧରେ ପ୍ରଚାର କରିବେ। ଏହାଦ୍ବାରା ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପଲା ନିଶ୍ଚିତ ଭାରି ହେବ ଏଥିରେ ସନ୍ଦେହ ନାହିଁ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଏସକେୱାଇ କୁ ରାଜନୀତି ଭିତରକୁ ଟାଣିଲେ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି କହିଲା ଏପରି କଥା

ଭୁବନେଶ୍ୱର: ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡିତ ହେଲେ ସେମାନଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ନିଶ୍ଚିତତା କିମ୍ବା ଗ୍ୟାରେଣ୍ଟି ଅଛି। ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ।

ଏଥି ସହିତ ବିଏସ୍‍କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି । ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍‍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଏବଂ ୧୬ଟି ରାଜ୍ୟରେ ୧୬୪ଟି ପ୍ରମୁଖ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି। ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି।

ବିଏସକେୱାଇ ଯୋଗୁଁ ଓଡ଼ିଶା ଲୋକଙ୍କର ଗୋଟିଏ ବର୍ଷରେ ୩୦୦୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି ଯାହାକୁ ସେମାନେ ନିଜର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରିପାରିବେ।

ଗତ ଏକ ବର୍ଷ ମଧ୍ୟରେ ବିଏସକେୱାଇ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଓଡ଼ିଶା ବାହାରେ ଚିକିତ୍ସା କରାଯାଇଛି । ବିଏସକେୱାଇ କାରଣରୁ ସେମାନେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୩୮୫ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

କିନ୍ତୁ ଓଡ଼ିଶା ବିଜେପି ବିଧାୟକ ଏବଂ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଯଦି ଓଡ଼ିଶାବାସୀ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡରୁ ଉପକୃତ ହେଉଛନ୍ତି, ତେବେ ଶ୍ରୀ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ପ୍ରାୟ ୩୬ ଲକ୍ଷ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶା ବାହାରୁ ଦେଢ଼ ଲକ୍ଷ ରୋଗୀ ଚିକିତ୍ସିତ ହୋଇଛନ୍ତି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କ’ଣ ଚାହୁଁଛନ୍ତି କି, ଏହି ଲକ୍ଷ ଲକ୍ଷ ଓଡିଆମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଯେଉଁ ଚିକିତ୍ସା ସୁବିଧା ପାଉଛନ୍ତି ତାହା ନପାଆନ୍ତୁ ବୋଲି? ଯଦି ଶ୍ରୀ ପ୍ରଧାନ ଭାବୁଛନ୍ତି ଯେ ବିଏସକେୱାଇ ଏକ ଖରାପ କାର୍ଯ୍ୟକ୍ରମ, ତେବେ ତାଙ୍କ ଦଳର ଇସ୍ତାହାରର ଏକ ନମ୍ବରରେ କୁହନ୍ତୁ ଯେ ସେମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡକୁ ବନ୍ଦ କରିଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସନ୍ଥକବିଙ୍କ ବାଣୀ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସବୁବେଳେ ପ୍ରେରଣାର ଉତ୍ସ: ଧର୍ମେନ୍ଦ୍ର ପ୍ରଧାନ

କନ୍ଦର୍ପ ବେହେରା
ରେଢାଖୋଲ: ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି। ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ; ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ସନ୍ଥକବି ଭୀମଭୋଇଙ୍କ ଏହି ଉକ୍ତି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି। ଭୀମଭୋଇଙ୍କ ରଚନା ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାହିତ୍ୟିକ ଓ ସାମାଜିକ ଜୀବନଧାରାକୁ ଗଭୀର ଭାବେ ପ୍ରଭାବିତ କରିଛି। ସାମାଜିକ ଜୀବନରେ ନବଚେତନା ଆଣିଛି। ସମାଜରୁ ଜାତିପ୍ରଥା, ଛୁଆଁଅଛୁଆଁ ଭେଦ ଭାବ ଦୂର କରିବା, ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଲେଖନୀ ଚାଳନା କରିଥିଲେ। ସନ୍ଥକବିଙ୍କ ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସବ୍‌କା ସାଥ୍‌, ସବ୍‌କା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି।

ଏହା ବାଦ୍ ଶ୍ରୀ ପ୍ରଧାନ ରେଢାଖୋଲର ଇଷ୍ଟ ଦେବତା ପଞ୍ଚଖଣ୍ଡାଙ୍କ ଦର୍ଶନ କରିବା ସହ ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ଉଭୟ ମନ୍ଦିରରେ କିଛି ସମୟ ବିତାଇ ପୂଜକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ଏଠାରେ ସୂଚନା ଥାଉକି, ଦେବଗଡ଼ ଓ ରେଢାଖୋଲର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ। ରେଢାଖୋଲରେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ ଶ୍ରୀ ପ୍ରଧାନ। ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିରେ ଶକ୍ତିହୀନ ହୋଇଗଲେ ଧର୍ମେନ୍ଦ୍ର, ଶୀର୍ଷ ନେତୃତ୍ବଙ୍କ ଶୁଭ ଦୃଷ୍ଟିରେ ଆଉ ନାହାଁନ୍ତି କି ?

ଭୁବନେଶ୍ବର: ଏକଦା ଓଡିଶା ବିଜେପିରେ ଦବଦବା ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନରେ ସଂପୂର୍ଣ୍ଣ ଶକ୍ତିହୀନ ହୋଇପଡିଛନ୍ତି। ଯାହାର ଗଣ୍ଡଗଣ୍ଡା ପ୍ରମାଣ ଏଥର ଦେଖିବାକୁ ମିଳିଛି। କାରଣ ଗତ ନିର୍ବାଚନରେ ଧର୍ମେନ୍ଦ୍ର ଯାହାକୁ ଚାହୁଁଥିଲେ ତାଙ୍କୁ ଟିକେଟ ଦେଇପାରୁ ଥିଲେ। ହେଲେ ଏଥର ତାଙ୍କ କଥା କେନ୍ଦ୍ରୀୟ ବିଜେପି ଟିମ ଅଣଦେଖା କରିଚାଲିଛନ୍ତି ବା ତାଙ୍କ ଅନୁରୋଧକୁ ଗୁରୁତ୍ବ ଦେଉ ନାହାଁନ୍ତି।

ଧର୍ମେନ୍ଦ୍ର ଗୁରୁତ୍ବହୀନ ହେବାର ବଡ ପ୍ରମାଣ ହେଲା ନିକଟରେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ଭୃଗୁ ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର। ଉଭୟ ଧର୍ମେନ୍ଦ୍ରଙ୍କର ଦ୍ବିତୀୟ ଅବତାର ଥିଲେ। ଧର୍ମେନ୍ଦ୍ରଙ୍କ ପୂର୍ଣ୍ଣପ୍ରାଣ ସମର୍ଥନ ଦେଇ ନିଜ ରାଜନୈତିକ ଜୀବନକୁ ବାଜି ଲଗେଇ ଦେଇଥିଲେ। ହେଲେ ଏଥର ସେହି ଦୁଇଜଣଙ୍କୁ ଧର୍ମେନ୍ଦ୍ର ଟିକେଟ ଦେବାରେ ବିଫଳ ହେଲେ। ଫଳରେ ଧର୍ମେନ୍ଦ୍ରଙ୍କ ଉପରେ ଅସନ୍ତୁଷ୍ଠ ହୋଇ ଉଭୟ ବିଜେପି ଛାଡିଲେ।

ସେହିପରି ବିଗତ ଦିନରେ ନିର୍ବାଚନ ରଣନୀତି ପାଇଁ ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ବସିଥିବା ବିଭିନ୍ନ ବୈଠକରେ ଧର୍ମେନ୍ଦ୍ର ଅନୁପସ୍ଥିତ। ବିଗତ ନିର୍ବାଚନରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଏମିତି କୌଣସି ବୈଠକ ନ ଥିଲା ଯେଉଁଥିରେ ଧର୍ମେନ୍ଦ୍ର ଉପସ୍ଥିତ ନାହାଁନ୍ତି। ହେଲେ ଏଥର ନିର୍ବାଚନରେ କେବଳ ସେ ସଦସ୍ୟଥିବା କମିଟ ବୈଠକ ଛାଡିଦେଲେ ଅନ୍ୟ କୌଣସି ଦଳିୟ ସଭାରେ ସେ ଉପସ୍ଥିତ ରହି ନାହାଁନ୍ତି। ସେତେବେଳୁ ସ୍ପଷ୍ଟ ହୋଇଗଲାଣି ଯେ, ଓଡିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିୟାରା ହ୍ରାସ ପାଇଛି।

ତେବେ ଭିନ୍ନ ଏକ ତଥ୍ୟ ଅନୁସାରେ ଜଣାପଡିଛି ଯେ, ତାଙ୍କର ପତିୟାରା ନ ଥିବା ସତ୍ବେ ସେ ଏଥର କେତୋଟି ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛନ୍ତି। ହେଲେ ସେମାନଙ୍କ ନାମ ଘୋଷଣା ହେବା ପରେ ସେହି ନିର୍ବାଚନ ମଣ୍ଡଳିରେ ବିଦ୍ରୋହ ସୃଷ୍ଟି ହୋଇଛି। ଯାହା ଧର୍ମେନ୍ଦ୍ରଙ୍କ ପାଇଁ ଆହୁରି ଅଡୁଆ ବଢିବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାର୍ଥୀ। ତେବେ ଧର୍ମେନ୍ଦ୍ର ପ୍ରାର୍ଥୀ ଦେଇଥିବା ଆସନରେ ଟିକେଟ ବଦଳାଇବା ପାଇଁ କୁଆଡେ ମନମୋହନ ସାମଲ ଦିଲ୍ଲୀ ନେତୃବୃନ୍ଦଙ୍କୁ ଅନୁରୋଧ କରିଛନ୍ତି।

ଗତ ନିର୍ବାଚନର ଫଳାଫଳ ଧର୍ମେନ୍ଦ୍ରଙ୍କ ପାଇଁ କାଳ ହୋଇଛି। ଗତ ନିର୍ବାଚନରେ କେନ୍ଦ୍ର ବିଜେପି ଓଡିଶାରୁ ଯଥେଷ୍ଠ ଭଲ ଆଶା ରଖିଥିଲା। ହେଲେ ତାହାକୁ ଠିକ ଭାବେ ପରିଚାଳନା କରିବା ଦିଗରେ ଧର୍ମେନ୍ଦ୍ର ବିଫଳ ହୋଇଥିଲେ। ଯାହାର ରିପୋର୍ଟ ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଶୀର୍ଷ ନେତୃତ୍ବଙ୍କୁ ବୁଝାଇ ଦେଇଥିଲେ। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ଅଂହଙ୍କାର ହିଁ ତାଙ୍କ ପତିୟାରା ହ୍ରାସ କରିଛି। ଏଥର ନିର୍ବାଚନରେ ଯଦି ଧର୍ମେନ୍ଦ୍ର ହାରିଯାଆନ୍ତି ତେବେ ଦଳ ଭିତରେ ସେ ସଂପୂର୍ଣ୍ଣ କଣଠୋସା ହୋଇଯିବେ ତାହା ଜଳଜଳ ହୋଇ ଦେଖାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ଜନସମାଗମ ଭିତରେ ମା ସମଲେଇଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କଲେ ବବି ଦାସ

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମା ସମଲେଇଙ୍କୁ ଦର୍ଶନ କରି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ସେଠାରେ ସେ ପୂଜା ଅର୍ଚ୍ଚନା କରିବା ପରେ ଏକ ସାଧାରଣ ସଭାରେ ଜନସମାଗମକୁ ସମ୍ବୋଧିତ କରିଛନ୍ତି।

ଏହି ଜନସମାଗମରେ ପ୍ରଣବ କହିଛନ୍ତି ଯେ, ସମ୍ବଲପୁର ଆସିବା ପରେ ଲାଗୁଛି ଏହା ମୋର ଘର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସମ୍ବଲପୁରର ବିକାଶ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଯାହାର ଏକ ବଡ ଉଦାହରଣ ହେଲା ମା ସମଲେଇ ପ୍ରକଳ୍ପ। ମୋତେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଲଢେଇ କରିବା ପାଇଁ ପଠାଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ।

ସେ ଆହୁରି କହିଛନ୍ତି ଯେ, ସମ୍ବଲପୁର ହେଉଛି ମୋର ପିୟୁଶି ଏଠାରେ ଥିଲେ। ମୋ ବାପାଙ୍କର ସମ୍ବଲପୁର ସହିତ ପ୍ରାୟ 70 ବର୍ଷର ସଂପର୍କ ରହିଛି। ସେଥିପାଇଁ ଆଜି ସମ୍ବଲପୁର ମୋର ଘରପରି ମନେହେଉଛି।ସମ୍ବଲପୁରରେ ପ୍ରଣବଙ୍କୁ ଯେପରି ସ୍ବାଗତ କରାଯାଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ସମ୍ବଲପୁରରେ ବର୍ତ୍ତମାନ ବିଗ ଫାଇଟ ହେବ। ଏଠାରେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଦୁଇ ପ୍ରମୁଖ ଦଳର ଦୁଇ ସିଂହ ମୁହାଁମୁହିଁ ଲଢେଇ କରିବେ। ଯାହା ଓଡିଶା ରାଜନୀତିରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସ୍କୃତ ଆମର ଅସ୍ମିତା, ସଭ୍ୟତା ଓ ସଂସ୍କୃତିର ମୂଳ ଆଧାର ବୋଲି ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତ ଭାଷା ବହୁ ଭାଷାର ଜନନୀ ଅଟେ। ସଂସ୍କୃତ ଭାଷା ଆମର ପ୍ରଗତିର ପରିଚୟ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ଭାଷା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଭାରତର ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା ପ୍ରାପ୍ତ କରି ଆତ୍ମନିର୍ଭର ହେବା ସହ ସମର୍ପଣ ଭାବନାର ସହିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱ ଦେଉଛି।

ମୋଦୀ ସରକାରରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସଂସ୍କୃତ, ବେଦ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଯୋଡାଯାଉଛି। ସଂସ୍କୃତ ଭାଷାର ଉନ୍ନତି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସଂସ୍କୃତ ଗବେଷଣାକୁ ପ୍ରୋତ୍ସାହନ, ସ୍କୁଲ ଓ କଲେଜରେ ସଂସ୍କୃତ ଛାତ୍ରବୃତ୍ତି ସହ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ ସଂସ୍କୃତ ସେଣ୍ଟର ପ୍ରତିଷ୍ଠା କରାଯାଉଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଓ ଅନ୍ୟ ଭାଷା ସହିତ ଯୋଡିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ସହଯୋଗରେ ବିଶେଷତଃ ପାଞ୍ଚଟି ପରିଯୋଜନା ଯଥା ଆୟୁର୍ବେଦ ଗୁରୁକୁଳମ, ଭାରତୀୟ ଜ୍ଞାନ ପ୍ରଣାଳି, ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ଇଣ୍ଡିଆନ୍ ନଲେଜ୍ ସିଷ୍ଟମ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ବୌଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୨୨ରେ ମହର୍ଷି ସନ୍ଦିପାନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଓ ସଂସ୍କୃତ ଶିକ୍ଷା ବୋର୍ଡର ସ୍ଥାପନା କରିଛନ୍ତି।

ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଆୟୁର୍ବେଦ ମଧ୍ୟରେ ଥିବା ଦୂରତାକୁ ପୂରଣ କରିବାରେ ବିଶ୍ୱବିଦ୍ୟାଳୟ ଅଭିନବ ପ୍ରୟାସ କରିଛି। ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିଥିବା ଏହି ବିଶ୍ୱବିଦ୍ୟାଳୟରେ ଅପାର ଆଇଡି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭଳି ଟେକ୍ନୋଲୋଜି ପୂର୍ବରୁ ଉପଲବ୍ଧ ହେବା ଖୁସିର ବିଷୟ। ବିଦ୍ୟାର୍ଥୀ ଓ୍ୱେଲଥ୍ କ୍ରିଏସନ ଏବଂ ଓ୍ୱେଲ ଫେୟାର ମଧ୍ୟରେ ସମନ୍ୱୟ ସ୍ଥାପିତ କରି ଏକବିଂଶ ଶତାବ୍ଦୀକୁ ଭାରତୀୟ ଶତାବ୍ଦୀ ରୂପରେ ପରିବର୍ତ୍ତିତ କରିବା ପାଇଁ ପ୍ରତିବଦ୍ଧ କରିବେ ବୋଲି ମୋର ବିଶ୍ୱାସ ରହିଥି। ଆମ ସମସ୍ତଙ୍କୁ ଭାରତୀୟ ଦର୍ଶନ ଏବଂ ଭାରତର ଜ୍ଞାନକୁ ସମଗ୍ର ଦୁନିଆର ନାଗରିକଙ୍କ ପାଖରେ ଅଧିକରୁ ଅଧିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ଆଜିର ଅବସରରେ ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ସମ୍ବଲପୁରରୁ ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନ ଠାରେ ସମ୍ବଲପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ କରିଛନ୍ତି।

ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ସମ୍ବଲପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲୀର ମାନ୍ୟବର ବିଧାୟକ ନାଉରି ନାୟକ ଉପସ୍ଥିତ ଥିବାବେଳେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଆଜି ଶୁଭାରମ୍ଭ ଟ୍ରେନ୍ ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିଛି। ଏହି ଟ୍ରେନ୍ ର ନିୟମିତ ଚଳାଚଳ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ଦିଆଯିବ। ହଟିଆ ଏବଂ ଗୋରଖପୁର ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାନଯାଇ ଏହି ଟ୍ରେନ୍ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।

ସମ୍ବଲପୁରକୁ ଏହି ଟ୍ରେନର ସମ୍ପ୍ରସାରଣ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଏକ ପରିବର୍ତ୍ତନକାରୀ ଯାତ୍ରା ସଂଯୋଗ ହେବ। ଏହି ଟ୍ରେନ ସମ୍ବଲପୁରରୁ ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଓଡ଼ିଶାର ବାସିନ୍ଦାଙ୍କ ପାଇଁ ବ୍ୟବସାୟ, ଶିକ୍ଷା, ତୀର୍ଥ ଯାତ୍ରା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ଏହା ଗୋରଖପୁର ଏବଂ ସମ୍ବଲପୁର ମଧ୍ୟରେ ସିଧାସଳଖ ସଂଯୋଗ ଥିବା ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ମଧ୍ୟ ବୃଦ୍ଧି କରିବ।

ସମ୍ପ୍ରସାରଣ ମାର୍ଗରେ ଏହି ଟ୍ରେନ ହଟିଆ ଓ ସମ୍ବଲପୁର ମଧ୍ୟରେ ରେଙ୍ଗାଲି, ଝାରସୁଗୁଡା ଏବଂ ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ରହିବ। ପ୍ରାରମ୍ଭରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଅତିଥି ପଣଙ୍କୁ ସ୍ୱାଗତ କରିବା ସହିତ ଏହି ଟ୍ରେନ ର ଉପକାରିତା ସମ୍ବନ୍ଧରେ ବର୍ଣନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱୟମ୍ ପ୍ଲସ ପ୍ଲାଟଫର୍ମ ସମସ୍ତଙ୍କୁ ଶିକ୍ଷା କ୍ଷେତ୍ରରେ ସୁଯୋଗ ପ୍ରଦାନ କରିବ। ବିଶେଷଭାବରେ ଡିଜିଟାଲ ବିପ୍ଳବରୁ ଉପକୃତ ହୋଇ ଜ୍ଞାନ ଅର୍ଥନୀତିରେ ପ୍ରବେଶ କରିନଥିବା ଯୁବଶକ୍ତିଙ୍କୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଉପଲବ୍ଧ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ ସ୍ୱୟମ୍ ପ୍ଲସ ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଯେ ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ଅନୁପାତ ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୬୫ ପ୍ରତିଶତ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି।  ଅର୍ଥାତ୍ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଯଥାକ୍ରମେ ୩୭ ନିୟୁତ ଏବଂ ୬୬ ନିୟୁତ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଡ଼ିହେବାର ଆକଳନ କରାଯାଇଛି। ସମସ୍ତ ଶିକ୍ଷାର୍ଥୀଙ୍କୁ ସର୍ବୋତ୍ତମ ଶିକ୍ଷାର ଉପଲବ୍ଧି କରାଇବା ଦିଗରେ ଡିଜିଟାଲ ପଦ୍ଧତିର ବହୁଳ ବ୍ୟବହାର ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। ଏ ଦିଗରେ ସ୍ୱୟମ୍ ହେଉଛି ଶିକ୍ଷା ମନ୍ତ୍ରଣାଳୟର ଏକ ବୃହତ ଓପନ୍ ଅଲାଇନ କୋର୍ସ(ଏମଓଓସି) ପ୍ଲାଟଫର୍ମ,  ଯାହା ବହୁ ସଂଖ୍ୟକ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷା ସୁଯୋଗ ପ୍ରଦାନ କରୁଛି।

ସେ କହିଛନ୍ତି ଯେ ଆମେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରିଥିବା ବେଳେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆପିଢିଙ୍କୁ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛୁ। ଆଗାମୀ ଦିନରେ ଆମର ଅର୍ଥନୀତି ୩୦ରୁ ୩୫ ଟ୍ରିଲିୟନ ଆମେରିକୀୟ ଡଲାର ହେବ। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବଢିଥିବା ବେଳେ ବିଶେଷ ଭାବରେ ଛାତ୍ରୀଙ୍କ ସଂଖ୍ୟା ବଢିଛି। ଷ୍ଟେମ ଶିକ୍ଷାରେ ୪୩ ପ୍ରତିଶତ ଛାତ୍ରୀ ବଢିଛନ୍ତି, ଯାହା ଦୁନିଆର ସବୁଠୁ ସର୍ବାଧିକ। ଆଗାମୀ ଦିନରେ ପାଠପଢା କଣ ହେବ, ଜ୍ଞାନ ଆବଶ୍ୟକତା କଣ ରହିବ, ପ୍ରତିଯୋଗିତା ପାଇଁ କଣ ଆବଶ୍ୟକତା ପଡିବ, ଏହା ଉପରେ ଚର୍ଚ୍ଚା କରିବା ଦରକାର।

ଆଗାମୀ ଦିନରେ ସେମିକଣ୍ଡକର ଓ ଏଆଇ ବଢିବ ଦିଗରେ ସ୍ୱୟମର ବିଶେଷ ଯୋଗଦାନ ରହିବ। ଯୁବପିଢ଼ିଙ୍କ ପାଇଁ ସେମି କଣ୍ଡକ୍ଟର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଭବିଷ୍ୟତ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ ହେବା ଦରକାର, ଯାହା ଦ୍ୱାରା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରାଯାଇପାରିବ, କାରଣ ଉଦ୍ଭାବନର କୌଣସି ଭାଷା ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୋକସଭା ପାଇଁ ଓଡିଶାର ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା ବିଜେପି, କେବଳ ଘୋଷଣାକୁ ଅପେକ୍ଷା

ଭୁବନେଶ୍ବର: ବର୍ତ୍ତମାନ କେବେ ନିର୍ବାଚନ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ କିଏ ଆଗୁଆ ଲୋକସଭା ପ୍ରାର୍ଥି ଘୋଷଣା କରିବ ସେ ନେଇ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦିତା। ଏହା ବିଶେଷ କରି ଜାତୀୟ ରାଜୈନିତକ ଦଳ ଭିତରେ ବେଶୀ ପରିଲକ୍ଷିତ ହୋଇଛି। ଓଡିଶା ଲୋକସଭା ପାଇଁ ଖୁବ ଶିଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହିସାରିଛି।

ଏହାପରେ ଅନ୍ୟତମ ଜାତୀୟ ଦଳ ବିଜେପି ମଧ୍ୟ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରୁଛି ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ବିଜେପି ଦେଶର ପ୍ରାୟ ଶହେଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। ସେହି ଅନୁସାରେ ବିଜେପି ଓଡିଶାର ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣାପଡିଛି।

ତେବେ ଓଡିଶାର କେଉଁ ପାଞ୍ଚଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ସେ ନେଇ ରାଜ୍ୟନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ବିଶେଷ କରି ବିଜେପି ନେତାମାନେ ବଡ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ଦିଲ୍ଲୀ ନେତାମାନେ ତାଙ୍କୁ ଟିକେଟ ଦେବେ ନା କାଟିବେ ସେ ନେଇ ସନ୍ଦେହ ମଧ୍ୟରେ ଅଛନ୍ତି। ବିଶେଷ କରି ଯେଉଁମାନେ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି ସେମାନଙ୍କର ଏବେ ନିଦ ହଜିଯାଇଛି।

କେବଳ ବିଜେପି ନେତା ନୁହଁନ୍ତି ଅନ୍ୟଦଳର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। କାରଣ ତାଙ୍କ ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେମାନେ ଅନେଇ ବସିଛନ୍ତି। ତାଙ୍କ ବିରୋଧରେ ଟାଣୁଆ ନେତାଙ୍କୁ ଟିକେଟ ମିଳୁଛି ନା ଦୁର୍ବଳ ପ୍ରାର୍ଥୀ ଲଢେଇ କରିବେ ଅପେକ୍ଷା କରିଛନ୍ତି। ସେହି ଅନୁସାରେ ସେମାନେ ତାଙ୍କର ହିସାବ କିତାବ କରିବେ। ସେହି ଅନୁସାରେ ନିର୍ବାଚନ ପାଣ୍ଠି ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ଓଡିଶାର ଯେଉଁ ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା ହେବ ସେଗୁଡିକ ହେଉଛି ଭୁବନେଶ୍ବର, ପୁରୀ, ବଲାଙ୍ଗିର, ସମ୍ବଲପୁର ଏବଂ ସୁନ୍ଦରଗଡ। ଆଉ ପ୍ରାର୍ଥୀମାନେ ହେଲେ ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର ଏବଂ ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହଦେଓ।

ସେହିପରି ସମ୍ବଲପୁର ଆସନଟି ବହୁ ଦିନ ହେଲା ଚର୍ଚ୍ଚାରେ ରହିଛି। କାରଣ ସେଠାରୁ ପ୍ରାର୍ଥୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ଧର୍ମେନ୍ଦ୍ର ବହୁ ପୂର୍ବରୁ ସମ୍ବଲପୁରରେ ଡେରା ପକାଇ ବସି ରହିଛନ୍ତି। ସେ ସେଠାରୁ ପ୍ରାର୍ଥୀ ହେବେ ବୋଲି ଚୁଡାନ୍ତ ହୋଇସାରିଛି। ସେହିପରି ସୁନ୍ଦରଗଡରୁ ଜୁଏଲ ଓରାମ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି ବୋଲି ଜଣାପଡିଛି।

ଏହି ପାଞ୍ଚଟି ଆସନ ବିଜେପିର ପ୍ରଥମ ପସନ୍ଦ ଆସନ ବୋଲି କୁହାଯାଉଛି। କାରଣ ଏହି ଆସନରେ ଦଳ ନିଶ୍ଚିତ ବିଜୟ ଲାଭ କରିବ ବୋଲି ଧରିନେଇଛି। ସେଥିପାଇଁ ବହୁ ପୂର୍ବରୁ ଏହି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏମାନଙ୍କ ବିରୋଧରେ ବିଜେଡି କେଉଁ ପ୍ରକାରର ପ୍ରାର୍ଥୀ ଦେବ ତାହାକୁ ନେଇ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (ଆଇମା) ର ୬୮ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ଜାତୀୟ ମ୍ୟାନେଜମେଣ୍ଟ ଦିବସ ଅବସରରେ  ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଶିଳ୍ପ ସମାଜକୁ ଆହ୍ୱାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ହେବ ଅନଷ୍ଟପେବୁଲ। ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଉତ୍କର୍ଷତା ହାସଲ କରିବ। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ଅଧିକ ଭରସା କରିବା ଏବଂ ପୁଞ୍ଜିନିବେଶ କରିବା ଆବଶ୍ୟକ। ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନ ପରି ଅନୁଷ୍ଠାନ ଗୁଡିକ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଜରୁରୀ। ଲୋକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସେମାନଙ୍କ ଭୂମିକା ପ୍ରତିପାଦିତ କରିବା ଦରକାର।

ସେ କହିଛନ୍ତି ଯେ ଆମର ସାମୂହିକ ବୁଦ୍ଧିମତାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯିବା ଉଚିତ୍। ଏହି କଥାକୁ  ଆମ ଭିତରେ ସୀମିତ ନ ରଖି ପରବର୍ତ୍ତୀ ପିଢ଼ି ପାଖରେ ମଧ୍ୟ ପହଞ୍ଚାଇବା ଦରକାର। ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏହା ଦ୍ୱାରା ବିପୁଳ ସୁଯୋଗ ସୃଷ୍ଟି ହେବ। ଏହି ସୁଯୋଗର ବ୍ୟବହାର କରିବା ସହ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଆମ ଆଗରେ ଚ୍ୟାଲେଞ୍ଜ ରହିଛି। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବିଚାରବିମର୍ଶ କରିବା ପାଇଁ ଶ୍ରୀ ପ୍ରଧାନ ଶିଳ୍ପ ସମାଜକୁ ପରାମର୍ଶ ଦେଇଥିଲେ।

ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ ପାଇଁ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ମ୍ୟାନେଜମେଣ୍ଟ, ସମାଜସେବା ଏବଂ ଥଟ୍ ଲିଡରସିପ୍ ନେତୃତ୍ୱ ପାଇଁ ପୁରସ୍କୃତ ହୋଇଥିବା ସମସ୍ତ ବିଶିଷ୍ଟ ଶିଳ୍ପପତିଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ  

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କରିବେ। ଏହାସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟର ଉନ୍ମୋଚନ ସହ ୪୨ଟି ଡାକଘର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ପ୍ରଧାନ ମଙ୍ଗଳବାର ଦିନ ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର – ଦର୍ଶନ ନଗର – ସମ୍ବଲପୁର ଆସ୍ଥା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିବେ। ସମ୍ବଲପୁର ଭେଦିକ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିବେ। ପରେ ମାଝିପାଲି ଠାରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡିହେବେ। ଏହି ଦିନ ପ୍ରଧାନମନ୍ତ୍ରୀ ସମ୍ବଲପୁର ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍(ଏଫ୪ଏସ) କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତିତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ ଓ  ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ ୬ ଗୋଟି ଡାକ ଟିକେଟ ଓ ଡାକ ଘର ଉନ୍ମୋଚନ କରିବେ। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଡାକ ଟିକେଟ୍ ଉନ୍ମୋଚିତ ହେବ। ଏହାସହ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୪୨ଟି ଡାକଘରର ଉଦଘାଟନ କରିବେ।

ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ। ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିକଟରେ ଲୋକାର୍ପିତ ହୋଇଥିବା ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖେଳ କରିଦେଇ ହସିଲେ ସାଂସଦ ଅପରାଜିତା, ସମ୍ବଲପୁର ପରେ ଭୁବନେଶ୍ବରକୁ ମଧ୍ୟ ଆସିବେ ମୋଦି

ଭୁବନେଶ୍ବର: ରାଜ୍ୟ ବିଜେପିରେ ଚାଲିଛି ଭିତିରିଆ ଟକ୍କରା ଟକ୍କରି। ଏକଥା ପଦାକୁ କେହି କହୁ ନ ଥିଲେ ମଧ୍ୟ ତାହା ସ୍ପଷ୍ଟ ବାରି ହୋଇପଡୁଛି। ଦଳରେ ଦୁଇ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଚା। ଏବେ ନୁହେଁ ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଉଭୟଙ୍କ ମଧ୍ୟରେ ଭଲ ପଡୁ ନାହିଁ ତାହା ସମସ୍ତଙ୍କୁ ଜଣା।

ବର୍ତ୍ତମାନ ସଦ୍ୟ ପ୍ରସଂଗକୁ ଆସିବା। ପ୍ରଥମେ ଫେବୃୟାରୀ ତିନି ତାରିଖରେ ସମ୍ବଲପୁର ଗସ୍ତରେ ମୋଦି ଆସିବେ ବୋଲି ଘୋଷଣା ହେଲା। ସେଠାରେ ସେ ଆଇଆଇଏମ ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହିତ ଦଳିୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ଧର୍ମେନ୍ଦ୍ର ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହେଉଛନ୍ତି। ସେଥିପାଇଁ ସେ ବହୁ ପରିଶ୍ରମ କରି ମୋଦିଙ୍କୁ ଆଣି ତାଙ୍କ ସପକ୍ଷରେ ପ୍ରଚାର କରାଇବେ। ଯାହାକୁ ନେଇ ସେ ବେଶ ଖୁସି ହୋଇପଡିଥିଲେ।

ହେଲେ ଏ କଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ହଜମ ହେଲା ନାହିଁ। ସେ କିପରି ମୋଦିଙ୍କୁ ଭୁବନେଶ୍ବର ଆଣିବେ ଆରମ୍ଭ କଲେ ପ୍ରଚେଷ୍ଠା। ସାଥ୍ ଦେଲେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରଭାରୀ ବୈଜୟନ୍ତ ପଣ୍ଡା। ଉଭୟଙ୍କ ପ୍ରଚେଷ୍ଠାରେ ଭୁବନେଶ୍ବରରେ ଏକ ମହିଳା ସମ୍ମିଳନୀରେ ଆୟୋଜନ ହେବାକୁ ନିଷ୍ପତି ହେଲା। ଆଉ ସେଥିରେ ମୋଦି ଯୋଗ ଦେବେ ବୋଲି ସ୍ବୀକୃତ ଦେଲେ।

ସେହି ଅନୁସାରେ ଓଡିଶା ବିଜେପି ସଭାପତି ମନମୋହନ ସାମଲ ପୁଣି ଥରେ ଘୋଷଣା କଲେ ଯେ, ମୋଦି ଫେବୃୟାରୀ 10 ତାରିଖରେ ମଧ୍ୟ ଓଡିଶା ଆସିବେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଜାତୀୟ ମହିଳା ସମ୍ମିଳନୀରେ ଯୋଗଦେବେ। ଏହାପରେ ଅପରାଜିତା କୁଆଡେ ଖୁସିରେ ହସିଲେ ବୋଲି କୁହାଯାଉଛି।

ଏହି ଖବର ପରେ ବିଜେପି ଦଳ ଭିତରେ ଆରମ୍ଭ ହେଲା ଟୁପୁରୁଟାପର। କାରଣ ଫେବୃୟାରୀ 10 ତାରିଖରେ କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର ହୋଇ ନ ଥିଲା। ହେଲେ ସମ୍ବଲପୁର ପରେ ଭୁବନେଶ୍ବର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ସମସ୍ତେ ଏହାର ଗୁଢ ରହସ୍ୟ ଜାଣିପାରିଲେ।ମ୍ୟାଡମ ଅପରାଜିତ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ଏହା ଏକ ବଡ ଖେଳ ବୋଲି ସମସ୍ତେ ଅନୁଭବ କଲେ।

ସମ୍ବଲପୁରରେ ସରକାରୀ ସହିତ ଦଳିୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ହେଲେ ଭୁବନେଶ୍ବରରେ ପୁରା ଦଳୀୟ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। କାରଣ ଭୁବନେଶ୍ବରରେ ଅନ୍ୟ କୌଣସି ସରକାରୀ କାର୍ଯ୍ୟକ୍ରମ ଅଛି ବୋଲି ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଆଉ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରଧା ସାଜିବେ ଉଭୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା। ତେବେ ଏଥିରେ ଧର୍ମେନ୍ଦ୍ରଙ୍କ ଯୋଗଦାନ ରହିବ କି ନାହିଁ ତାହା ଜଣାପଡି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଶିକ୍ଷକ ନିଯୁକ୍ତି ନେଇ ବିଜେଡି ବିଜେପି ମୁହାଁମୁହିଁ, ଧର୍ମେନ୍ଦ୍ରଙ୍କୁ କଡା ଜବାବ ଦେଲେ ପ୍ରଣବ ଦାସ

ଭୁବନେଶ୍ୱର: ନିଜ ମନ୍ତ୍ରଣାଳୟ ଅଧିନରେ ଥିବା ମିନି ରତ୍ନ ସଂସ୍ଥା ଇଡିସିଆଏଲ୍‍କୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମିଛ କହୁଛନ୍ତି। ଏଭଳି ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ତାହାପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍‍ କରି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଶ୍ରୀ ଦାସ ଟୁଇଟ୍‍ ଜରିଆରେ ସିଧାସଳଖ ଭାବେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଇଡିସିଆଇଏଲ୍‍ ସଂସ୍ଥା ଆପଣଙ୍କ ଅଧିନରେ ଆସୁଛି ନା ନାହିଁ ? ଏହି କେନ୍ଦ୍ରୀୟ ସଂସ୍ଥା ଭୁବନେଶ୍ୱର ଏମସ୍‍, ଭାରତୀୟ ସେନା, କୋଲ୍‍ ଇଣ୍ଡିଆ, ଏୟାରପୋର୍ଟ ଅଥରିଟୀ ଅଫ୍‍ ଇଣ୍ଡିଆ, ଗୁଇନ୍ଦା ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଆଦି ସଂସ୍ଥା ପାଇଁ ପରୀକ୍ଷା କରିଛି କି ନାହିଁ ? ଯଦି ଇଡିସିଆଇଏଲ୍‍ ଭୁଲ୍‍ କରିଥିଲା, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଏପରିକି ଏହି ସଂସ୍ଥାକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ ନାହିଁ ବୋଲି ପ୍ରଣବ ସିଧାସଳଖ ପଚାରିଛନ୍ତି।

ଟୁଇଟ୍‍ ଜରିଆରେ ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଇଡିସିଆଇଏଲ୍‍ ଭାରତୀୟ ସେନା ଏବଂ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ହଜାର ହଜାର ସଂଖ୍ୟାରେ ଜବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଆଜି ଆପଣ କେବଳ ନିଜ ସଂସ୍ଥାର ସ୍ୱଚ୍ଛତା ଏବଂ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡାରେ ଛିଡା କରାଇ ଦେଇଛନ୍ତି।

ନେସନାଲ ଟେଷ୍ଟି ଏଜେନ୍ସି କ’ଣ କରେ ତାହା ଗୋଟେ ଛୋଟ ପିଲାକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା କେବଳ ନିଯୁକ୍ତି ପରୀକ୍ଷା କରେନାହିଁ, ଏଣ୍ଟ୍ରାନ୍ସ ପରିଚାଳନା କରିଥାଏ।ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି। ଏହା ଠାରୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ।

ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି। ଏବେ ପୁଣି ଡାହା ମିଛ କହି ଓଡିଶାର ଯୁବପୀଢିର ଭବିଷ୍ୟତ ସହ ଖେଳୁଛନ୍ତି ଆଉ ସେମାନଙ୍କୁ ରାଜନୀତିର ମୋହରା ବନାଇବାକୁ ଚେଷ୍ଟା କରୁଛନ୍ତି। ଆଇନା ଆଗରେ ନିଜ ମୁହଁ ଦେଖିଲାବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ: ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି। ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ। ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ। ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ ବୋଲି ଶନିବାର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଭବନର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ। ଦେବଗଡର ମୁଳପୁଞ୍ଜି ଶିକ୍ଷା। ଏଠାରେ ପାଠପଢାର ବହୁତ ପୁରୁଣା ସଂସ୍କାର ଅଛି। ଜିଲ୍ଲାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ। ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି।

ଭାରତ ସରକାରଙ୍କ ସହଯୋଗରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି। ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱ ଦେଇଛନ୍ତି।

Categories
ଆଜିର ଖବର

ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟ୍ ୨୦୨୪ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷ ଯୁବଶକ୍ତି ଏବଂ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଭାରତ ସବୁ ପ୍ରକାର ସମସ୍ୟାର ସମାଧାନ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ବୋଲି ଗୁରୁବାର ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ “ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟ- ୨୦୨୪”ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାଇବ୍ରାଣ୍ଟ୍ ଗୁଜୁରାଟ ଗ୍ଲୋବାଲ ସମ୍ମିଟର ଦୁଇଟି ଅଧିବେଶନ ଯଥା “ଭବିଷ୍ୟତ ପାଇଁ ଶ୍ରମଶକ୍ତି ନିର୍ମାଣ: ଶିଳ୍ପବିପ୍ଳବ ୪.୦ ପାଇଁ ଦକ୍ଷତା ବିକାଶ” ଶୀର୍ଷକ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ । ଏହାବ୍ୟତିତ “ଦକ୍ଷତା ବିକାଶ ପାଇଁ ଗ୍ଲୋବାଲ ନେଟଓ୍ୱାର୍କକୁ ବିକଶିତ କରିବା” ନେଇ ଆୟୋଜିତ ଦ୍ୱିତୀୟ ଅଧିବେଶନରେ ଯୋଗଦେଇ ନିଜ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତରେ ଡେମେଗ୍ରାଫିକ ଡିଭିଡେଣ୍ଡ୍ ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନମାନ ଅଛି । ଏହା ମାଧ୍ୟମରେ ଆମ ଦେଶ ଭାରତ ସବୁ ପ୍ରକାର ସମାଧାନ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଏହାକୁ ସମର୍ଥନ ଦେଇଛି । ଆମକୁ ବିଶ୍ୱସ୍ତରୀୟ ଅପେକ୍ଷାକୁ ହାସଲ କରିବାକୁ ହେବ । ଦକ୍ଷତା ଏବଂ ଧନ୍ଦାମୂଳକ ଶିକ୍ଷା ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଆମ ଶିକ୍ଷା ପରିସଂସ୍ଥାନର ଏକ ଅଂଶବିଶେଷ ହେବ, ଯେଉଁ ବିଷୟକୁ ବିଷୟକୁ ପୂର୍ବରୁ ଏତେ ଗୁରୁତ୍ୱ ଦିଆଯାଉନଥିଲା ।

 

ଶିଳ୍ପ ଓ ନବସୃଜନ କ୍ଷେତ୍ରରେ ବ୍ୟାପକ ହେଉଥିବା ଶିଳ୍ପବିପ୍ଳବ ୪.୦ର ଉପଯୋଗ ପାଇଁ ଭାରତ କିପରି ଦୃଢ଼ ସ୍ଥିତିରେ ରହିଛି ତାହା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ସେ କହିଛନ୍ତି ଭାରତର ଷ୍ଟାର୍ଟଅପ୍ ଏବଂ ଇନୋଭେସନ ଦେଶକୁ ଜ୍ଞାନ ଏବଂ ଦକ୍ଷତା କେନ୍ଦ୍ରରେ ପରିଣତ କରିଛି । ଯେତେବେଳେ ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେତେବେଳେ ଭାରତ ଏହାର ଯୁବବର୍ଗଙ୍କ ଦ୍ୱାରା ସଶକ୍ତ ହୋଇଛି । ଆଗାମୀ ୨୫ରୁ ୩୦ ବର୍ଷ ମଧ୍ୟରେ କର୍ମକ୍ଷେତ୍ରରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଅଗ୍ରଣୀ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେଣୁ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବାକୁ ହେଲେ ସମସ୍ତଙ୍କୁ ବିଶେଷ କରି ଯୁବବର୍ଗଙ୍କୁ ଅଧିକ ଯୋଗଦାନ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଟ୍ ଜାତୀୟ ପ୍ରାଥମିକତା ଭିତ୍ତିରେ ଦେଶର ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ଦିଗରେ ଏକ ଉତ୍ତମ ପ୍ଲାଟଫର୍ମ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବା ପାଇଁ ଗୁଜରାଟର ବିକାଶ ମଡେଲ ଅନ୍ୟ ରାଜ୍ୟ ଗୁଡିକ ପାଇଁ ମାର୍ଗଦର୍ଶକ ସାଜିଛି । ଶିକ୍ଷା ଏବଂ ଦକ୍ଷତା ଇକୋସିଷ୍ଟମରେ ଜାତୀୟ ଶିକ୍ଷା ନୀତି ନେତୃତ୍ୱ ଦେଶର ଯୁବଶକ୍ତିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅଧିବେଶନରେ ବିଶିଷ୍ଟ ଶିଳ୍ପପତି, ଉଦ୍ୟୋଗୀ, ଗୁଜରାଟ ସରକାରଙ୍କ ଅଧିକାରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଟେକ୍ନୋଲୋଜି କମ୍ପାନୀ ନାମଟେକ୍ ପରିଦର୍ଶନ କରିବା ସହ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିକଶିତ ସ୍ମାର୍ଟ ଭବିଷ୍ୟତ ଦିଗରେ ଶିଳ୍ପ ପାଇଁ ଦକ୍ଷ ତାଲିମ ଦେବା ସହ ନୂଆ ନୂଆ ପ୍ରତିଭାଙ୍କୁ ସୃଷ୍ଟି କରିବା ପାଇଁ ନାମଟେକ୍ ଏବଂ ଆଇଟିଜ୍, ସିଙ୍ଗାପୁର ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ସହ ଆଇସିଏଚଆର, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ବୈଠକ

ଭୁବନେଶ୍ଵର: ଦେଶକୁ ସ୍ୱତନ୍ତ୍ରତା ଦେବାରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ (ଆଇସିଏଚଆର), ଓଡ଼ିଶାର ଇତିହାସ ଗବେଷକଗଣ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇସିଏଚଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଆଲୋଚନା କାଳରେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୁର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶଙ୍କ ଗୁଳିରେ ଶହୀଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ତାଙ୍କର ୫୭ ଜଣ ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରିବା ସହ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ କରିବା ପାଇଁ ଶ୍ରୀ ପ୍ରଧାନ କହିଥିଲେ।

ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ଏହି କ୍ରମରେ ଶ୍ରୀ ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ଶହୀଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’(Research Project) ଆରମ୍ଭ କରିବା ପାଇଁ ଆଇସିଏଚଆରର ଚେୟାରମ୍ୟାନ ପ୍ରଫେସର ରଘୁବେନ୍ଦ୍ର ତନଓ୍ୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସମ୍ବଲପୁରରେ ବ୍ରିଟିଶ ଶାସନ ବିରୋଧୀ ଲଢେଇର ସମୃଦ୍ଧ ଇତିହାସ ରହିଛି । ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନଙ୍କ ଠାରୁ ଆରମ୍ଭ କରି ଅନେକ ସଂଗ୍ରାମୀ ୧୮୫୭ ବିଦ୍ରୋହରେ ବୀରତ୍ୱର ସହ ଲଢ଼ିବା ସହ  ଜାତୀୟ ଆନ୍ଦୋଳନରେ ଭାଗ ନେଇ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ ।

ସମ୍ବଲପୁର ଅଞ୍ଚଳରେ ସୁରେନ୍ଦ୍ର ସାଏଙ୍କ ୧୮୨୭ରୁ ୧୮୪୦ ଏବଂ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଓଡ଼ିଶାର ପ୍ରତିରୋଧ ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଯେତେବେଳେ ୧୮୪୯ ମସିହାରେ ସମ୍ବଲପୁରକୁ ଇଂରେଜମାନେ “ଡକ୍ଟ୍ରିନ ଅଫ୍ ଲାପସ୍” ଅଧୀନରେ ଅକ୍ତିଆର କରିଥିଲେ ସେତେବେଳେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ୧୮୫୭ ମସିହାରେ ସମ୍ବଲପୁରର ବିଦ୍ରୋହ ମୁଖ୍ୟତଃ ଏକ ଜନଜାତି ବିଦ୍ରୋହ ଥିଲା ଯେଉଁଥିରେ ଘେଁସ, କୋଲାବିରା, , ପାହାଡ଼ଶ୍ରୀଗିଡ଼ା, ମଚିଦା, କୁଡ଼ାବଗା, ଲାଇଡା, ଲୋଇସିଂହା, ଲଖନପୁର, ଭେଡେନ, ପାଟକୁଲୁଣ୍ଡା ଆଦି ଜମିଦାର ଏବଂ ତାଙ୍କ ପରିବାର ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିଲେ । ଏହି ସମର୍ଥକମାନେ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ । ସେମାନେ ଏହି ଅଞ୍ଚଳର ଜନଜାତି ଓ ଜମିଦାରମାନଙ୍କୁ ଏକାଠି କରିଥିଲେ ଏବଂ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରି ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରିଥିଲେ ।

ଏହି ବିଦ୍ରୋହ ସମୟରେ ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂର କୁଦୋପାଲି ଘାଟିରେ ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଜଣ ସଂଗ୍ରାମୀଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଇଥିଲା ।  ଇଂରେଜମାନେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୀର ଛବିଳ ସାଏ, ଶ୍ରୀକୃଷ୍ଣ ବେହେରା, ବାମଣ୍ଡା ରାଜ୍ୟ କୁସାଲର କନ୍ଧ ଜମିଦାର, କୋଳବିରାର କରୁଣାକର ନାୟକଙ୍କ ପୁତ୍ର କୃଷ୍ଣଚନ୍ଦ୍ର ନାଏକ ଶହୀଦ ହୋଇଥିଲେ । ଏହାସହ  ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ୫ ଜଣ ଯୋଦ୍ଧା ବଳଭଦ୍ର ଦାସ, ପାତ୍ରପାଲିର ଗଉନ୍ତିଆ, କୁଦୋପାଲିର ବାଲକି ଗଣ୍ଡ, ବାଲମୁକୁନ୍ଦ କନ୍ଧ, ଚୁନ୍ଦି କୁଦ, ହାଡୁ ଗଣ୍ଡ ଏବଂ ବୁଦ୍ଧୁ ଗଣ୍ଡ ଏବଂ ଅନେକ ସଂଗ୍ରାମୀଗଣ ।

ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଏହି ବିଦ୍ରୋହରେ ଅନେକ ବୀର ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ନିଷ୍ଠୁର ଓ ବର୍ବରତା ଶକ୍ତି ବିରୋଧରେ ଲଢେଇ କରି ଦେଶ ପାଇଁ ବଳିଦାନ ଦେଇଥିଲେ । ତେବେ ଏହି ବୀର ସଂଗ୍ରାମୀଙ୍କ ବୀରଗାଥାର କାହାଣୀକୁ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ନଥିବାରୁ ଅନେକ ସଂଗ୍ରାମୀ ଇତିହାସ ପୃଷ୍ଠାରେ ଅଜଣା ଏବ ଅନାଲୋଚିତ । ତେଣୁ ପଶ୍ଚିମ ଓଡ଼ିଶାର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀରମାନଙ୍କ ଇତିହାସ ଓ ସେମାନଙ୍କ ଭୂମିକା ଏବଂ ଜାତୀୟ ଆନ୍ଦୋଳନ ଉପରେ ସେମାନଙ୍କ ଉପରେ ପଡିଥିବା ପ୍ରଭାବ ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବା ପାଇଁ ମତ ରଖିଥିଲେ  ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ଠାରେ ‘ରାଷ୍ଟ୍ରୀୟ କଳା ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସ୍କୁଲ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଓ କଳାତ୍ମକ ପ୍ରତିଭାକୁ ପ୍ରୋତ୍ସାହନ ଦେଇ ଭାରତର ସାଂସ୍କୃତିକ ବିବିଧତା ସହ ଯୋଡ଼ି ହେବା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କଳା ଉତ୍ସବ ଏକ ଅନନ୍ୟ ପ୍ରୟାସ। ମଙ୍ଗଳବାର ନୂଆଦିଲ୍ଲୀ ଠାରେ ନବମ ରାଷ୍ଟ୍ରୀୟ କଳା ଉତ୍ସବର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତର ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ସାମର୍ଥ୍ୟ ଉପରେ ସମଗ୍ର ଦେଶର ଭରସା ରହିଛି। ଆମର ପିଲା ମାନଙ୍କର ପ୍ରତିଭା ଓ ଦକ୍ଷତାକୁ ବଢାଇବା ପାଇଁ ସେମାନଙ୍କର ସର୍ବାଙ୍ଗୀନ ବିକାଶ ସହ ସେମାନଙ୍କୁ ଏକବିଂଶ ଶତାବ୍ଦୀର ଲିଡର ଭାବରେ ବିକଶିତ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ କଳା ଆଧାରିତ ଶିକ୍ଷା, ଖେଳକୁଦ, ଶିଳ୍ପ କଳା ଏବଂ ଅନ୍ୟାନ୍ୟ ସମସ୍ତ ନୂତନ ପ୍ରୟାସକୁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷାର ମୁଖ୍ୟ ସ୍ରୋତର ଅଂଶ ଭାବରେ ବିବେଚନା କରାଯାଇଛି।

୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ମିଶନ ଅଟେ। ନୂଆ ଶିକ୍ଷା ନୀତି ଆମର ଅମୃତ ପିଢିକୁ ରାଷ୍ଟ୍ର ଏବଂ ସମାଜର ଭାବନାରେ ବୃହତ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରସ୍ତୁତ କରୁଛି। ଆସନ୍ତା ବର୍ଷ ଠାରୁ ଶିକ୍ଷା ମନ୍ତ୍ରଣାଳୟ ଜାତୀୟ କଳା ମହୋତ୍ସବକୁ ଦେଶର ସବୁ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆଗକୁ ବଢିବ ଏବଂ ପିଲା ମାନଙ୍କର ଅଂଶଗ୍ରହଣକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଆଣିବା ପାଇଁ ବ୍ୟବସ୍ଥା କରିବ ବୋଲି ମୋର ବିଶ୍ୱାସ ରହିଛି। ଭାରତର ପ୍ରତ୍ୟେକ ପିଲାଙ୍କୁ ତାଙ୍କର ରୁଚି ଓ ପ୍ରତିଭା ଅନୁଯାୟୀ ଏକ ବ୍ୟାପକ ପ୍ଲାଟଫର୍ମ ପ୍ରଦାନ କରି ଆମେ ଏକ ବିକଶିତ ଭାରତ ଗଠନ କରିପାରିବା।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ବିଦ୍ୟାର୍ଥୀଙ୍କ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ୨୦୧୫ରେ କଳା ଉତ୍ସବ ଆରମ୍ଭ କରାଯାଇଥିଲା। ଚଳିତଥର ଜାନୁଆରୀ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଏହି ଉତ୍ସବରେ ଶାସ୍ତ୍ରୀୟ ସଙ୍ଗୀତ ଗାନ, ପାରମ୍ପରିକ ଲୋକସଙ୍ଗୀତ ଗାନ, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟୁ, ସ୍ଥାନୀୟ ଖେଳ ଏବଂ ଖେଳିବା ଓ ଏକକ ଅଭିନୟ ଆଦି ପ୍ରତିଯୋଗିତା କରାଯିବ। ଚଳିତବର୍ଷ ମୋଟ ୩୬ଟି ଟିମ୍ ଭାଗ ନେଇଛନ୍ତି। ଭାରତୀୟ କଳାର ଏହି ମହୋତ୍ସବରେ ଭାଗ ନେବା ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ପିଲାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ବାମରା: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ। ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦବୀ ଅନୁସାରେ ଡାକ୍ତର ନାହାନ୍ତି। ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି।

ଜଳ ଜୀବନ ମିଶନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି। ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି? ମୋଦି ସରକାର ପିଏମ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ପଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସି ମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି । ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ । ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ହିଁ ପଡ଼ିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିଜକୁ ଏକ ଆସ୍ଥାର କେନ୍ଦ୍ର ଭାବରେ ସ୍ଥାପିତ କରିପାରିଛନ୍ତି। ଆଜି ମୋଦିଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଗାଁ ଗାଁରେ ରକ୍ତ ପରୀକ୍ଷା, ସିକିଲ ସେଲ୍ ପରୀକ୍ଷା ଏବଂ ଡାଇବେଟିସ ପରୀକ୍ଷା କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଭଳି ସୁବିଧା ମୋଦି ସରକାର କରିଛନ୍ତି। ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ଲୋକମାନେ ଭରସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଥିବା ବେଳେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ମାନଙ୍କର ଯୋଗଦାନ ଜରୁରୀ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହୁଲପାଲିର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଆଶାକର୍ମୀ କୁନ୍ତଳା ସାହୁ, ଏସଏଚଜି ମହିଳା ଭାବେ କମ ସୁଧରେ ଋଣ ନେଇଥିବା ରଜନୀ ସାହୁ ଓ ବାମରାର ପିଏମ କିଷାନ ଯୋଜନାର ଲାଭାର୍ଥୀ ମୋତିରଞ୍ଜନ ପୃଷେଠଙ୍କ ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହେବା ସହ ଲାଭ ପାଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ।

Categories
ଆଜିର ଖବର

ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଲକ୍ଷ୍ନୌ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି ।

ପିଏମ ଶ୍ରୀ ସ୍କୁଲ କ୍ରିୟାନ୍ୱୟନ କରିବାରେ ୟୁପିର ଅଗ୍ରଣୀ ଭୂମିକା ପ୍ରଶଂସନୀୟ ।  ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉ କିମ୍ବା ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ଉତ୍ତର ପ୍ରଦେଶ ଏକ ଉଦାହରଣ । ଏହା ଦ୍ୱାରା ସମଗ୍ର ଦେଶର ଆତ୍ମବିଶ୍ୱାସ ବଢୁଛି । ପ୍ରଗତି ଆଜି ଉତ୍ତରପ୍ରଦେଶର ଚରିତ୍ର ହୋଇଛି । ୟୁପିରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନଙ୍କୁ ବିଶ୍ୱମାନର ଶିକ୍ଷା ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଡବଲ ଇଞ୍ଜିନ ସରକାରର ଦାୟିତ୍ୱ ଅଛି । ୟୁପି ମଡେଲ ଆଗାମୀ ଦିନରେ ସମଗ୍ର ଦେଶର ମଡେଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହେଉଛି । ଆଜି ଅଯୋଧ୍ୟା ଭାରତର ବିକାଶ ଏବଂ ସମୃଦ୍ଧିର କେନ୍ଦ୍ର ହୋଇଛି ।

ଲକ୍ଷ୍ନୌରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଭେଟିବା ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଦକ୍ଷତା ବୃଦ୍ଧି, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ୟୁପିକୁ ଜ୍ଞାନ ଭିତ୍ତିକ ଅର୍ଥନୀତିର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।