Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ବାମରା: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ। ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦବୀ ଅନୁସାରେ ଡାକ୍ତର ନାହାନ୍ତି। ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି।

ଜଳ ଜୀବନ ମିଶନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି। ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି? ମୋଦି ସରକାର ପିଏମ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ପଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସି ମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି । ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ । ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ହିଁ ପଡ଼ିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିଜକୁ ଏକ ଆସ୍ଥାର କେନ୍ଦ୍ର ଭାବରେ ସ୍ଥାପିତ କରିପାରିଛନ୍ତି। ଆଜି ମୋଦିଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଗାଁ ଗାଁରେ ରକ୍ତ ପରୀକ୍ଷା, ସିକିଲ ସେଲ୍ ପରୀକ୍ଷା ଏବଂ ଡାଇବେଟିସ ପରୀକ୍ଷା କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଭଳି ସୁବିଧା ମୋଦି ସରକାର କରିଛନ୍ତି। ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ଲୋକମାନେ ଭରସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଥିବା ବେଳେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ମାନଙ୍କର ଯୋଗଦାନ ଜରୁରୀ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହୁଲପାଲିର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଆଶାକର୍ମୀ କୁନ୍ତଳା ସାହୁ, ଏସଏଚଜି ମହିଳା ଭାବେ କମ ସୁଧରେ ଋଣ ନେଇଥିବା ରଜନୀ ସାହୁ ଓ ବାମରାର ପିଏମ କିଷାନ ଯୋଜନାର ଲାଭାର୍ଥୀ ମୋତିରଞ୍ଜନ ପୃଷେଠଙ୍କ ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହେବା ସହ ଲାଭ ପାଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ।

Categories
ଆଜିର ଖବର

ଉତ୍ତରପ୍ରଦେଶରେ ପିଏମ୍ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଲକ୍ଷ୍ନୌ: ବିଦ୍ୟାଳୟ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବା ଦିଗରେ ପିଏମ ଶ୍ରୀ ସ୍କୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁରୁବାର ଉତ୍ତରପ୍ରଦେଶରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପିଏମ ଶ୍ରୀ ସ୍କୁଲ ଲୋକାର୍ପଣ ଅବସରରେ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ୯୨୮ଟି ବିଦ୍ୟାଳୟ ଏବଂ ୮୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟକୁ ପିଏମ ଶ୍ରୀ ସ୍କୁଲରେ ବିକଶିତ କରାଯାଇଛି । ବିଦ୍ୟାଳୟରେ ଉତ୍ତମ ଓ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ବିଶ୍ୱମାନର ଶିକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଏଜେଣ୍ଡା । ଏହି ମର୍ମରେ ଉତ୍ତରପ୍ରଦେଶରେ ପିଏମ ଶ୍ରୀ ଅନ୍ତର୍ଗତ ୧୦୦୦ରୁ ଅଧିକ ବିଦ୍ୟାଳୟର ଉନ୍ନତି ଏବଂ ଆଧୁନିକୀକରଣ କରାଯାଇଛି ।

ପିଏମ ଶ୍ରୀ ସ୍କୁଲ କ୍ରିୟାନ୍ୱୟନ କରିବାରେ ୟୁପିର ଅଗ୍ରଣୀ ଭୂମିକା ପ୍ରଶଂସନୀୟ ।  ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉ କିମ୍ବା ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଗୁଡିକୁ କାର୍ଯ୍ୟକାରୀ କରିବା ଦିଗରେ ଉତ୍ତର ପ୍ରଦେଶ ଏକ ଉଦାହରଣ । ଏହା ଦ୍ୱାରା ସମଗ୍ର ଦେଶର ଆତ୍ମବିଶ୍ୱାସ ବଢୁଛି । ପ୍ରଗତି ଆଜି ଉତ୍ତରପ୍ରଦେଶର ଚରିତ୍ର ହୋଇଛି । ୟୁପିରେ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନଙ୍କୁ ବିଶ୍ୱମାନର ଶିକ୍ଷା ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଡବଲ ଇଞ୍ଜିନ ସରକାରର ଦାୟିତ୍ୱ ଅଛି । ୟୁପି ମଡେଲ ଆଗାମୀ ଦିନରେ ସମଗ୍ର ଦେଶର ମଡେଲ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହେଉଛି । ଆଜି ଅଯୋଧ୍ୟା ଭାରତର ବିକାଶ ଏବଂ ସମୃଦ୍ଧିର କେନ୍ଦ୍ର ହୋଇଛି ।

ଲକ୍ଷ୍ନୌରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ଭେଟିବା ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଦକ୍ଷତା ବୃଦ୍ଧି, ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ୟୁପିକୁ ଜ୍ଞାନ ଭିତ୍ତିକ ଅର୍ଥନୀତିର କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ କାହିଁକି ଛିଡା ହେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳରେ ହାରିବା ଭୟ ଅଛି କି ?

ଭୁବନେଶ୍ୱର:ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଏକ ସଭାରେ ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ସେ ସମ୍ବଲପୁରରୁ ଛିଡା ହେବେ। ସେହିପରି ପୂର୍ବରୁ ସେ କହିଥିଲେ ଯେ, ସେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ ଇଛାପ୍ରକାଶ କରି ତାଙ୍କୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ସେ ସମ୍ବଲପୁର ଆସନକୁ କାହିଁକି ବାଛିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଘର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚେର ହୋଇଥିବାବେଳେ ସେ ସମ୍ବଲପୁରରୁ କାହିଁକି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାହାହିଁ ତାଙ୍କ କର୍ମୀ ମହଲରେ ସଂଶୟ ସୃଷ୍ଟି କରିଛି। ଦିନ ଥିଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ଅନ୍ୟର ଦୟାରେ ରାଜ୍ୟନୀତି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି।

ଏପରି ହେବାର କାରଣ ହେଉଛି, ଗତ ନିର୍ବାଚନରେ ଶାସକ ବିଜେଡି ଯେଉଁ ଅଯୋଗ୍ୟ ନେତାମାନଙ୍କୁ ଦଳରୁ ଫିଙ୍ଗି ଦେଇଥିଲେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଉଁଟି ଆଣି ନିଜର ତୋଷାମଦକାରୀ ଗୋଷ୍ଠୀ ତିଆରି କରିଛନ୍ତି। ଏହି ଗୋଷ୍ଠୀ ଇତି ମଧ୍ୟରେ ନିଜକୁ କେନ୍ଦ୍ରମନ୍ତ୍ରୀ ବିବେଚନା କରି ବିଜେପିର ନିଷ୍ଠାପର କର୍ମୀ ଓ ସଂଘର ପ୍ରଚାରକମାନଙ୍କୁ ଦୁର୍ବ୍ୟବାର କରିବାରେ ଲାଗିଛନ୍ତି। ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଦୃଢ଼ ସମର୍ଥକମାନଙ୍କ ଆସ୍ଥା ହରାଇଛନ୍ତି।

ନିକଟରେ ବିଜେପରି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ସର୍ଭେର ରିପୋର୍ଟ ଅନୁସାରେ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ଢେଙ୍କନାଳ ସଦର, କାମାକ୍ଷାନଗର, ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲୋକପ୍ରିୟତା ଆଦୌ ନାହିଁ।

ଏହିସବୁ ବିଧାନସଭା କ୍ଷେତ୍ରରେ ସେ ଦଳୀୟ ସଂଗଠନରେ ଯେଉଁ ବିଭେଦ ସୃଷ୍ଟି କରିଚନ୍ତି ତାର ସେ ପରାଭବ ପାଇବେ। ସେ ଢେଙ୍କାନାଳରୁ ଲୋକସଭା ପ୍ରାର୍ଥୀ ହେଲେ ପରାଜିତ ହେବ ନିଶ୍ଚିତ ବୋଲି ଏହି ରପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜର ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି।

ଢେଙ୍କାନାଳ ଲୋକସଭା ସର୍ଭେ ରିପୋର୍ଟ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ କେନ୍ଦ୍ରୀୟ ସଂଗଠନକୁ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗୋଶାଳା ଛକରୁ ଏନଏସଡିସି ଦ୍ୱାରା ୩ଟି ଅତ୍ୟାଧୁନିକ କୌଶଳ ରଥ (Skills on Wheels)ର ଶୁଭାରମ୍ଭ କରିଛନ୍ତି। ଏ ରଥ ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଡ଼ିବ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖିଥିବା ବେଳେ ଦେଶ ପ୍ରଗତିର ପଥରେ ଅଗ୍ରସର ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ଚାହିଦା ବଢୁଛି। ମୋଦି ସରକାରରେ ଦେଶରେ ଡିଜିଟାଲ କାରବାରର ନୂଆ ରୂପରେଖ ପରିବର୍ତ୍ତନ ହୋଇଛି। ବିଶ୍ୱର ଉତ୍ପାଦନର କାରଖାନା ଭାରତ ହେବା ପାଇଁ ଯାଉଛି। ଭାରତର ଯୁବଶକ୍ତିଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ଦକ୍ଷ କରିବା ପାଇଁ ପଡିବ। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଶୁଭାରମ୍ଭ ହୋଇଥିବା ରଥ ସମ୍ବଲପୁର ସମେତ ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯିବ। ନିର୍ଦ୍ଦିଷ୍ଟ ସମୟ ଅବଧିରେ ପଞ୍ଜିକରଣ କରିଥିବା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂ ଦିଆଯିବ। ଆତ୍ମନିର୍ଭର ହେବା ପାଇଁ ଉଦ୍ୟମିତାର ପ୍ରଶିକ୍ଷଣ ଦିଆଯିବ। ଗାଁ ବିଶେଷ ଭାବରେ ଗରିବ ଯୁବକ ଯୁବତୀ ମାନଙ୍କ ଦକ୍ଷତା ବଢାଇବା ଦିଗରେ ଏହି ରଥ କାମ କରିବ।

ଆଗାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କୁ ବହୁତ ଲାଭ ଦେବ। କମ ସମୟ ମଧ୍ୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାରେ ସ୍କିଲ୍ ଇଣ୍ଡିଆ ମିଶନକୁ ବଡ ଗତି ଦେବ। ଯେଉଁ ସମୟରେ ୨ କୋଟି ଲକ୍ଷପତି ଓ ନମୋ ଡ୍ରୋନ୍ ଦିଦି ଦେଶରେ ମହିଳାଙ୍କୁ ସଶକ୍ତିକରଣ କରିବାର ନୂଆ ପଥ ଦେଖାଇଛି, ସେହି ସମୟରେ ଏହି ରଥ ସ୍ଥାନୀୟ ଗ୍ରାମୀଣ ଯୁବକ ଯୁବତୀ, ବିଶେଷ କରି ଝିଅ ଓ ମହିଳାମାନଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍ ଦେଇ ସଶକ୍ତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ହୈ ତ ମୁମକିନ୍ ହୈ। ଏହି ଦକ୍ଷତା ରଥ ଆମ ଯୁବପିଢ଼ିଙ୍କୁ କୁଶଳ କରିବା ଭଳି ସମସ୍ତ ସୂଚନା ପ୍ରଦାନ କରିବ। ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅତ୍ୟାଧୁନିକ କୌଶଳ ରଥ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। ଏହା ଯୁବବର୍ଗଙ୍କ ପାଇଁ ଆର୍ଥିକ ସାକ୍ଷରତା, ଡିଜିଟାଲ ସାକ୍ଷରତା, ରିଟେଲ ଦକ୍ଷତା ଏବଂ ଉଦ୍ୟମିତା ଆଦିର ଏକ ବଡ଼ ପ୍ଲାଟଫର୍ମ ଭାବେ କାମ କରିବ। ଏହି କୌଶଳ ରଥ ଉପକ୍ରମ ଯୁବ ସଶକ୍ତୀକରଣ ପ୍ରତି ମୋଦି ଗ୍ୟାରେଣ୍ଟିର ସବୁଠୁ ବଡ଼ ପ୍ରମାଣ। ଆଗାମୀ ଦିନରେ ଗାଁ ଗାଁରେ ଏଭଳି ରଥ ଚଳାଇବାର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଛକରେ ଜି.ଚିନି ରାଓ ବାବୁଙ୍କ ଦୋକାନରେ ଚା’ ପିଇବା ସହ ଡିଜିଟାଲ କାରବାରକୁ କଲେ ପ୍ରଶଂସା କରିଥିଲେ। ମୋଦି ସରକାରରେ ଭାରତ ଡିଜିଟାଲ କାରବାରରେ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଜୀବନଶୈଳୀ ସହଜ କରିଥିବା ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୀର ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

କୁଦୋପାଲି/ସମ୍ବଲପୁର: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ। ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର ଭାବରେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୀର ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସ ପାଳନ କରୁଥିବାରୁ ସ୍ଥାନୀୟ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି।

ସେହିଭଳି ଭାବେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା।  ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି… ଉଲି… ଉଲି…, ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି”। ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ। ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ। କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଭୂମିର ସୁରକ୍ଷା ପାଇଁ ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ ଓ ହଟେ ସିଂହଙ୍କ ଅବଦାନ ଅତୁଳନୀୟ । ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା ।  ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆଜି ଆମ ଦେଶ ଭାରତ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଭାରତର ଯୁବକଙ୍କ ପରିଶ୍ରମ ବଳରୁ ଆମ ଦେଶ ଗୌରବର ଅର୍ଜନ କରିଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କୁ ସ୍ମୃତିଚାରଣ କରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ମଶାଲ ଜାଳିଥିଲେ । ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସେ କହିଥିଲେ ଓଡ଼ିଆ ଜାତି ସାହସୀ । ପାଇକ ବିଦ୍ରୋହ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଆ  ଜାତି କେବେ ପରାଧୀନତାକୁ ସ୍ୱୀକାର କରିନାହିଁ । ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ଦେଶକୁ ନିର୍ମାଣ କରିବାକୁ ହେବେ ଜାତିପ୍ରେମର ଆବଶ୍ୟକତା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି। ନୂଆ ନୂଆ ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ପିଏମ ଶ୍ରୀ ସ୍କୁଲ ବିକଶିତ କରାଯାଉଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି ବୋଲି ଦିନିକିଆ ଜମ୍ମୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକ ମାନଙ୍କୁ ପ୍ରାଥମିକତା ଉପରେ ଆଲୋଚନା କରିଥିଲେ । ଏହା ସହ ସବକା ସାଥ୍- ସବକା ବିକାଶ, ସବକା ପ୍ରୟାସ-ସବକା ବିକାଶର ମଡେଲ ଉପରେ ଆଲୋକପାତ କରିବା ସହ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା, ଭାରତୀୟତାରୁ ପ୍ରେରିତ ହେବା ଓ ଆତ୍ମବିଶ୍ୱାସ ବଢାଇବା ଉପରେ ମତ ରଖିଥିଲେ । ୨୦୧୪ ପରେ ବ୍ୟାପକ ସଂସ୍କାର କାରଣରୁ ପଲିସି ପାରାଲେସିସର ଯୁଗରୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ପରିଣତ ହୋଇଛି ।  ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ମଡେଲ ସମସ୍ତଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ଜମ୍ମୁ କାଶ୍ମୀରରେ ଥିବା ଅପାର ସମ୍ଭାବନା ଏବଂ ସ୍ୱତନ୍ତ୍ରତା ଉପରେ ଦୀର୍ଘ ସମୟ ଧରି ଗବେଷଣା କରିବା ପାଇଁ ଆଇଆଇଟି ଜମ୍ମୁକୁ ପରାମର୍ଶ ଦେଇଥିଲେ । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସହଯୋଗ ବଳରେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବା ।

ଶ୍ରୀ ପ୍ରଧାନ  ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଜି ଯେତେବେଳେ ବିଦ୍ୟାର୍ଥୀମାନେ ସମାଜ ଜୀବନରେ ଦାୟିତ୍ୱ ନେବେ, ସେମାନେ ଜାମ୍ମୁ କାଶ୍ମୀରର ଐତିହ୍ୟକୁ ସାଙ୍ଗରେ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଉଲ୍ଲେଖନୀୟ, ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଜମ୍ମୁ ସ୍ଥିତ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନଙ୍କ ଗଡରେ ପାଣ୍ଡିଆନଙ୍କ ଗର୍ଜନ, ଜାଣୁଶୁଣି ଧର୍ମେନ୍ଦ୍ରଙ୍କ ଅଞ୍ଚଳକୁ ଯାଇ ତାଙ୍କୁ କରୁଛନ୍ତି ଟାର୍ଗେଟ

ଭୁବନେଶ୍ବର: ଏବେ ଓଡିଶାର ରାଜନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରୀରେ ଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ଗୁମାସ୍ତା କହି ଉପହାସ କରୁଥିଲେ। ହେଲେ ସେତେବେଳେ ପାଣ୍ଡିଆନ କିଛି କହିପାରୁ ନ ଥିଲେ। ଏବେ ସେ ଉଡନ୍ତା ବିହଙ୍ଗ। ସେହି ରାଗ ସୁଝାଇବା ପାଇଁ ବର୍ତ୍ତମାନ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଗଡରେ ପଶି ଗର୍ଜନ ଆରମ୍ଭ କରିଦେଇଛନ୍ତି।

ଗତକାଲି ସେ ଧାମନଗର ଯାଇ ସେଠାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ଧାମନଗର ଧର୍ମେନ୍ଦ୍ରଙ୍କ ଗଡ ହୋଇ ନ ଥିଲେ ମଧ୍ୟ ସେଠାରେ ସେ ନିକଟରେ ହୋଇଥିବା ଉପନିର୍ବାଚନର ମଙ୍ଗ ଧରିଥିଲେ। ସେତେବେଳେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର ବେଳେ କେତେଥର ଯାଇଥିଲେ ଆଉ ଜିତିବା ପରେ ସେ ଆଉ ସେହି ଅଞ୍ଚଳକୁ ଚାହିଁଲେ ନାହିଁ କି ଆସିଲେ ନାହିଁ। ସେହି କଥା ଲୋକଙ୍କୁ ଜଣାଇ, ଧର୍ମେନ୍ଦ୍ରଙ୍କ ମୁଖା ଖୋଲିବାକୁ ପାଣ୍ଡିଆନ ଜାଣିଶୁଣି ଧାମନଗର ଗସ୍ତରେ ଯାଇଥିଲେ।

ସେଠାରେ ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ, ଉପନିର୍ବାଚନରେ ବିଜେପିର ଯିଏ ମଙ୍ଗ ଧରିଥିଲେ ସେହି ଲୋକଙ୍କୁ ଚିହ୍ନଚ ନା ନାହିଁ। ଲୋକେ ହଁ କଲେ, ତାପରେ ପାଣ୍ଡିଆନ କହିଲେ ସେହି ଲୋକ ନିର୍ବାଚନ ପ୍ରଚାର ପାଇଁ ଏଠାକୁ ପାଞ୍ଚଥର ଆସିଥିଲେ, ହେଲେ ଜିତିବା ପରେ ଆଉ ଆପଣମାନଙ୍କ ପାଖକୁ ଆସିଲେ ନାହିଁ। ସେହି ଲୋକଙ୍କୁ ଆଉ ଟିକିଏ ଭଲକରି ଚିହ୍ନ ବୋଲି ପାଣ୍ଡିଆନ କହିଥିଲେ।

ଆଜି ସେହିପରି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଘରେ ଗର୍ଜନ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆଜି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଅଞ୍ଚଳ ଅନୁଗୁଳ ଜିଲ୍ଲା ଗସ୍ତ କରି ଗଡସନ୍ତୀଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଏହି ଗର୍ଜ୍ଜନ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ରରେ ଦୀର୍ଘ ଦିନ ଧରି ସେ ମନ୍ତ୍ରୀ ହୋଇ ରହିଛନ୍ତି। କିନ୍ତୁ ଏ ଅଞ୍ଚଳ ପାଇଁ ତାଙ୍କର କଣ ଅବଦାନ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ପାଣ୍ଡିଆନ କହିଛନ୍ତି ଯେ, ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ସବୁ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ସେ କାହିଁକି କଲେ ନାହିଁ। ସେହିଭଳି ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି। ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି। ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ।  କାହିଁକି ଏଠାରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେ ନାହିଁ ବୋଲି ଲୋକଙ୍କୁ ପଚାରିଥିଲେ ପାଣ୍ଡିଆନ।

ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲାକୁ ଆସିଛନ୍ତି। ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା। କିନ୍ତୁ କେନ୍ଦ୍ରମନ୍ତ୍ରୀ ତାହା କରିନାହାନ୍ତି। ଜୁନ ମାସରେ ଥରୁଟିଏ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଅନୁଗୁଳ ଜିଲ୍ଲା ଆସିଥିଲି। ଏହାପରେ ୧୦୦ କୋଟି ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଛନ୍ତି।

ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ଆହ୍ବାନ ଦେଇଛନ୍ତି। କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମେନ୍ଦ୍ରଙ୍କୁ ଏପରି ଟାର୍ଗେଟ ବର୍ତ୍ତମାନ ରାଜ୍ୟ ରାଜନୀତିକୁ ବେଶ ଗରମ କରି ରଖିଛି। ଯାହା ଜଣାପଡୁଛି ଆଗାମୀ ଦିନରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଉପରେ ସେ ଆହୁରି କଠିନ ହେବେ। ଆହୁରି ସମାଲୋଚନା କରିବେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Categories
ବିଶେଷ ଖବର

ଧର୍ମେନ୍ଦ୍ରଙ୍କ ସମେତ ବିଜେପିର ଏହି ୧୯ ଜଣ ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିବେ, ଆସନ ମଧ୍ୟ ସ୍ଥିର!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ସବୁ ଦିଗରୁ ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସବୁ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି ଚଳାଇଛି। ବିଶେଷ କରି ରାଜ୍ୟସଭାର ପ୍ରାୟ ୨୦ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ବିଜେପି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ସଙ୍କେତ ଦେଇଛି। ପ୍ରାୟ ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ଲୋକସଭା ଆସନ ସ୍ଥିର ହୋଇସାରିଛି ଏବଂ ସେଗୁଡିକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସମେତ ଅନ୍ୟ ପ୍ରମୁଖ ଚେହେରାମାନେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତି ଚଳାଇଛି। ବିଜେପିର ଯୋଜନା ହେଉଛି ଯେ ଲୋକସଭା ନିର୍ବାଚନରେ ବଡ଼ ବଡ଼ ନେତାଙ୍କୁ ପ୍ରାର୍ଥୀ କଲେ ସେହି ଆସନ ଜିତିବା କେବଳ ସହଜ ହେବ ନାହିଁ ବରଂ ଏହାର ସିଧାସଳଖ ପ୍ରଭାବ ଏହାର ଆଖପାଖ ଆସନ ଉପରେ ମଧ୍ୟ ପଡ଼ିବ।

ଏହି କାରଣରୁ ବିଜେପି ନିଜର ବଡ଼ ବଡ଼ ଚେହେରାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯାଉଛି। ଏହା ପୂର୍ବରୁ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଏହି ପରୀକ୍ଷଣ କରିସାରିଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିଥିଲା। ଏହି କ୍ରମରେ ବିଜେପି ଲୋକସଭା ନିର୍ବାଚନରେ ରାଜ୍ୟସଭା ସାଂସଦଙ୍କୁ ନେଇ ମଧ୍ୟ ଏହି ଫର୍ମୁଲା ଲାଗୁ କରିବାକୁ ଯାଉଛି।

କିଏ କେଉଁଠୁ ନିର୍ବାଚନ ଲଢ଼ିପାରିବେ!

ନେତାଙ୍କ ନାମ- ଲୋକସଭା ଆସନ- ରାଜ୍ୟ

୧- ଧର୍ମେନ୍ଦ୍ର ପ୍ରଧାନ- ସମ୍ବଲପୁର- ଓଡ଼ିଶା

୨- ପୀୟୂଷ ଗୋୟଲ- ମୁମ୍ବାଇ ଦକ୍ଷିଣ କିମ୍ବା ମିରଟ- ମହାରାଷ୍ଟ୍ର/ଉତ୍ତର ପ୍ରଦେଶ

୩- ଅନୀଲ ଜୈନ- ଫିରୋଜାବାଦ କିମ୍ବା ମିରଟ- ଉତ୍ତର ପ୍ରଦେଶ

୪- ନିର୍ମଳା ସୀତାରମଣ- ଚେନ୍ନାଇ- ତାମିଲନାଡୁ

୫- ଭୁପେନ୍ଦ୍ର ଯାଦବ- ଅଲୱାର- ରାଜସ୍ଥାନ

୬- ଅରୁଣ ସିଂହ- ମଥୁରା କିମ୍ବା ଗାଜିଆବାଦ- ଉତ୍ତର ପ୍ରଦେଶ

୭- ହରଦୀପ ସିଂ ପୁରୀ- ଅମୃତସର- ପଞ୍ଜାବ

୮- ଜିଭିଏଲ୍ ନରସିଂହ- ବିଜୟୱାଡା ଆନ୍ଧ୍ରପ୍ରଦେଶ

୯- ବିଏଲ୍ ବର୍ମା- ବଦାୟୁନ୍ ଉତ୍ତର ପ୍ରଦେଶ

୧୦- ସୁରେନ୍ଦ୍ର ସିଂହ ନାଗର- ଫରିଦାବାଦ ହରିୟାନା

୧୧- ନୀରଜ ଶେଖର- ବଲିଆ- ଉତ୍ତର ପ୍ରଦେଶ

୧୨- ସୁଧାଂଶୁ ତ୍ରିବେଦୀ- କାନପୁର କିମ୍ବା ରାଏବରେଲି- ଉତ୍ତର ପ୍ରଦେଶ

୧୩- ମନସୁଖ ଭାଇ ମାଣ୍ଡଭିଆ- ଭାବନଗର- ଗୁଜରାଟ

୧୪- ରାଜୀବ ଚନ୍ଦ୍ରଶେଖର- ଉତ୍ତର ବେଙ୍ଗାଲୁରୁ କିମ୍ବା କେରଳର କୌଣସି ଆସନ।

୧୫- ସରୋଜ ପାଣ୍ଡେ- ଦୁର୍ଗ- ଛତିଶଗଡ଼

୧୬- ଭି ମୁରଲୀଧରନ ତ୍ରିଭେନ୍ଦ୍ରମ- କେରଳ

୧୭- ରାକେଶ ସିହ୍ନା- ବେଗୁସରାଇ- ବିହାର

୧୮- ଜ୍ୟୋତିରାଦିତ୍ୟ ସିନ୍ଧିଆ- ଗୁନା ନା ଗ୍ୱାଲିୟର ମଧ୍ୟପ୍ରଦେଶ

୧୯- ଏଲ୍ ମୁରୁଗାନ୍- ତାମିଲନାଡୁର ଯେ କୌଣସି ଆସନରୁ ନିର୍ବାଚନ ଲଢ଼ିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଟାର୍ଗେଟ ପରେ ଧର୍ମେନ୍ଦ୍ରଙ୍କ ଶିବିର ବାଉଳା, କଣ ଜବାବ ଦେବେ ପାଉ ନାହାଁନ୍ତି ରାସ୍ତା

ଭୁବନେଶ୍ବର: ଆଜି ବିଜେଡି ନେତା ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଧାମନଗର ମାଟି ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ଖୋଦ ଧର୍ମେନ୍ଦ୍ର ବାଉଳା ହୋଇ ସାରିଲେଣି। ତାଙ୍କ ଶିବିର ମଧ୍ୟ ଜବାବ ଦେବା ପାଇଁ କୌଣସି ରାସ୍ତା ପାଇପାରୁ ନାହାଁନ୍ତି। କାରଣ ଧାମନଗରରେ ବିଜେପି ଜିତିବା ପରେ ସେ ସେଠାକୁ ଆଉ ଯାଇ ନାହାଁନ୍ତି। ଯାହା ପାଣ୍ଡିଆନ ଖୋଲାମଖୁଲା ଧାମନଗରରେ ଏ କଥା ଜଣେଇ ଦେଇଛନ୍ତି।

ପାଣ୍ଡିଆନ କହିଥିଲେ ଯେ, ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତାପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି।

ପାଣ୍ଡିଆନ କହିଥିଲେ ଯେ, ଉପନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇ ଦେବେ। ଧାମନଗର ଭିନ୍ନ ଏକ ନିର୍ବାଚନ ମଣ୍ଡଳୀ ପାଲଟି ଯିବ। ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି?  ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି।

ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ। କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁକେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା। ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ,  କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ। ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକ ସାଧାରଣ ସଭାରେ କହିଛନ୍ତି ପାଣ୍ଡିଆନ।

ତେବେ ଏହି ଖବର ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଶିବିର ଜାଣିବା ପରେ ବାଉଳା ହୋଇ ପଡିଛନ୍ତି। କାରଣ ହେଲା ଧାମନଗର ଉପନିର୍ବାଚନରେ ଧର୍ମେନ୍ଦ୍ର ବାରମ୍ବାର ସେଠାକୁ ଯାଇଥିଲେ। ହେଲେ ଜିତିବା ପରେ ସେ ଆଉ ସେଠାକୁ ଯାଇ ନାହାଁନ୍ତି। ତେଣୁ ଏହାକୁ ତ ଧର୍ମେନ୍ଦ୍ର କେବେ ବି ମିଛ ବୋଲି କହିପାରିବେ ନାହିଁ। ହେଲେ ଏହାର ଉତ୍ତର କଣ ଦିଆଯିବ ସେ ନେଇ ତାଙ୍କ ଟିମ କୌଣସି ରାସ୍ତା ପାଉ ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ବୀର ବାଲ୍ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ବୀର ବାଲ ଦିବସ’ ଅବସରରେ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ବୀର ବାଲ୍ ଦିବସ ଭାରତୀୟତାର ରକ୍ଷା ପାଇଁ କିଛି କରିବାର ସଂକଳ୍ପର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନର ରକ୍ଷା ପାଇଁ ଭାରତର ବୀର ସାହିବଜାଦାଙ୍କ ବଳିଦାନ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ପ୍ରେରଣା । ଆଜିର ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଅଭିଭାଷଣ ଆମ ସମସ୍ତଙ୍କୁ, ବିଶେଷ ଭାବରେ ଦେଶର ଯୁବପିଢ଼ିଙ୍କୁ ଆମ ଦେଶର ଐତିହ୍ୟକୁ ନେଇ ଗର୍ବ କରିବା ପାଇଁ ପ୍ରେରଣା ଯୋଗାଇବ।

ଯୁବା ସାମର୍ଥ୍ୟକୁ ଦେଶରେ ପୁନଃ ପରିଚିତ କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଭାରତ ହେଉଛି ନଚିକେତା, ଅଭିମନ୍ୟୁ, ଏକଲବ୍ୟ, ଧ୍ରୁବ, ଖୁଦିରାମ ବୋଷ, ବାଜି ରାଉତ, କନକଲତା ବରୁଆ, ରାଣୀ ଗାଇଦିନଲ୍ୟୁଙ୍କ ଭଳି ଯୁବପିଢ଼ିଙ୍କ ଦେଶ। ଏହି ମାନେ ବାଲ୍ୟକାଳରେ ମାତୃଭୂମି ପାଇଁ ସବୁ କିଛି ତ୍ୟାଗ କରିବା ପୂର୍ବରୁ ନିଜ କଥା ଚିନ୍ତା କରିନଥିଲେ। ଏହି ବୀରମାନଙ୍କ ବଳିଦାନ ଦେଶ ପାଇଁ ପ୍ରେରଣା। ଆମର ଅମୃତପିଢି ଆମ ଦେଶର ବୃହତ ଯୁବ ପରମ୍ପରାରୁ ପ୍ରେରଣା ନେବେ ଏବଂ ଗୋଟିଏ ସମୟର ମୂଲ୍ୟକୁ ଅପଚୟ ନକରି ବିକଶିତ ଭାରତ ସଂକଳ୍ପ ପୂରଣ କରିବା ପାଇଁ ଅଗ୍ରସର ହେବେ ବୋଲି ସେ କହିଛନ୍ତି।

ଏହି ଶୁଭଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ଶ୍ରୀ ବଙ୍ଗଳା ସାହିବ ଜୀଙ୍କ ଦର୍ଶନ କରିବା ସହ ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଗୁରୁଦ୍ୱାରରେ ଲଙ୍ଗର ସେବା କରି ସୋଭାଗ୍ୟଶାଳୀ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ

ପରଜଙ୍ଗ/ଢେଙ୍କାନାଳ: ଖେଳରେ ସ୍ପିରିଟ୍ ଅଛି। ଖେଳରେ ହାର୍ ଜିତ୍ ଅଛି। ଖେଳରେ ହାରିଲେ ଆଗକୁ ବଢିବାର ପ୍ରେରଣା ମିଳେ ବୋଲି ସୋମବାର ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ସ୍ଥିତ ପିଏମ ଶ୍ରୀ ଜବାହର ନବଦୋୟ ବିଦ୍ୟାଳୟରେ ୧୪. ୩୨ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶୁଭ ଦେବା ସହ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଚାରି ଦଶନ୍ଧି ଧରି ଢେଙ୍କାନାଳ ଜିଲ୍ଲାରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ମାନଙ୍କୁ ତିଆରି କରିବାରେ ଏହି ନବୋଦୟ ବିଦ୍ୟାଳୟର ଯୋଗଦାନ ଅତୁଳନୀୟ।

ଢେଙ୍କାନାଳ ଜିଲ୍ଲାର ବଣମଲ୍ଲୀଙ୍କୁ ପାରିଜାତ ପୁଷ୍ପ ଭଳି ପରିବର୍ତ୍ତନ କରିବାରେ ସ୍କୁଲର ଯଥେଷ୍ଟ ଅବଦାନ ରହିଛି। ଏହି ସ୍କୁଲରେ ଏସଏସସି, ଏସଟି, ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ବହୁସଂଖ୍ୟକ ଛାତ୍ରୀ ବିଶେଷତଃ ଗ୍ରାମାଞ୍ଚଳର ପିଲାମାନେ ପାଠ ପଢୁଛନ୍ତି। ଏହି ସ୍କୁଲରୁ ପାଠ ପଢି ଗରିବ ଓ ସାଧାରଣ ଘରର ପିଲାମାନେ ଅଧିକାଂଶରେ ଡକ୍ଟର, ଇଞ୍ଜିନିୟର, ପ୍ରଫେସର, ପ୍ରାଧ୍ୟାପକ, ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ସିଏ ହୋଇଛନ୍ତି। ଏହି ସ୍କୁଲରେ ଫାଇନାନ୍ସିଆଲ ମାର୍କେଟ୍ ମ୍ୟାନେଜମେଣ୍ଟ ଉପରେ ଶିକ୍ଷାଦାନ ଦିଆଯାଉଛି। ସ୍କୁଲର ପିଲାମାନେ ଜୀବନରେ ଜୀବନରେ ଉତ୍କର୍ଷତା ହାସଲ କରିଛନ୍ତି।

ଆଜି ଏଠାରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ବହୁମୁଖୀ ସଭାଗାର ପ୍ରାୟ ୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ। ଏହାବ୍ୟତିତ ନିର୍ମାଣ ହେବାକୁ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ଓ ଆନୁଷଙ୍ଗିକ ସୁବିଧା ରହିବ। ଏଠାରେ ଏକ ଓପନ ଜିମ, ଆଥଲେଟିକ୍ସ ଟ୍ରାକ ଏବଂ ଫିଲ୍ଡ ଓ ଦର୍ଶକ ଗ୍ୟାଲେରୀର ବି ଉନ୍ନତିକରଣ କରାଯାଉଛି।

ଏହି ନବୋଦୟ ସ୍କୁଲରେ ଛାତ୍ରୀଙ୍କ ସଂଖ୍ୟା ବଢୁଥିବା କାରଣରୁ ଆଉ ଏକ ଛାତ୍ରୀ ନିବାସର ନିର୍ମାଣ ମଧ୍ୟ ନିର୍ମାଣ କରାଯାଉଛି। ଏହି ସମସ୍ତ ପ୍ରକଳ୍ପର ସର୍ବମୋଟ ମୂଲ୍ୟ ୧୪.୩୨ କୋଟି ହେବ। ଆଗାମୀ ଦିନରେ ଏହି ଅତ୍ୟାଧୁନିକ ସୁବିଧା ଗୁଡିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବାରେ ସହାୟକ ହେବ। ଶିଳାନ୍ୟାସ ହେଇଥିବା ବହୁମୁଖୀ ସଭାଗାରକୁ ‘ଶହୀଦ ବାଜି ରାଉତ ସଭାଗାର’ ନାମରେ ନାମିତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ଖେଳ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଭାରତରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସହଯୋଗରେ ମୋଟ ୭୪୦ ଟି ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି। ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ଦେଉଛି। ଓଡ଼ିଶାରେ ପ୍ରାୟ ୫ ହଜାର ୪୨୭ ଟି ସ୍କୁଲରେ ପାଖାପାଖି ୨୭ ହଜାର ୮୬୮ ଟି ଫୁଟବଲ ବିତରଣ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଢେଙ୍କାନାଳରେ ୧୭୮ଟି ସ୍କୁଲରେ ୮୭୦ଟି ଫୁଟବଲ ବିତରଣ କରାଯିବ। କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି। ଖେଳରେ ସ୍ପିରିଟ, ଶୃଙ୍ଖଳା ଅଛି। ଖେଳରେ ହାର ଜିତ ଥାଏ ଏବଂ ହାରିଲେ ହିଁ ପ୍ରେରଣା ମିଳିଥାଏ। ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ କରିବା ପାଇଁ ୮ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯିବ । ସେ ଗୁଡିକ ହେଲା ଭାଷା, ଗଣିତ, ବିଜ୍ଞାନ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, କାରିଗରୀ ତଥା ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷା ପଢାଯିବ। ଯେତେବେଳେ ୨୦୩୬ ଅଲିମ୍ପିକ୍ସ ପାଇଁ ଆମ ଦେଶ ପ୍ରସ୍ତୁତି ଆରମ୍ଭ କରିଛି, ସେ ଦୃଷ୍ଟିରୁ ଫୁଟବଲ୍ କାର୍ଯ୍ୟକ୍ରମ ଉପଯୋଗୀ ହେବ।

ଢେଙ୍କାନାଳ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ଲାଷ୍ଟିକ ଇଟା, ମାଟି ପରୀକ୍ଷା, ଟେରାକୋଟା ସାମଗ୍ରୀ, ଏଆଇର ମେକାନିକ୍ ମଡେଲ୍ ସମେତ ଅଭିନବ କୌଶଳକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ଉପରେ ସେ କହିଥିଲେ ଦେଶର ଯୁବପିଢିଙ୍କ ମଧ୍ୟରେ ସୃଜନଶୀଳତା ସହ ଷ୍ଟାର୍ଟଅପକୁ ବଢାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଆରମ୍ଭ ହୋଇଛି । ଏଆଇ ସ୍କିଲ୍ ମାଧ୍ୟମରେ ରୋଜଗାରର ମାର୍ଗ ଅନ୍ୱେଷଣ କରାଯାଉଛି । ଆଜି ଆୟୋଜିତ ଏହି ପ୍ରଦର୍ଶନୀ ସେ ଦିଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶୀଳତାର ପରାକାଷ୍ଠା ଦର୍ଶାଉଛି । ଏଥିପାଇଁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିବେଶକୁ ସଫା ରଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ଲାଷ୍ଟିକ ଇଟା ଓ ମାଟି ପରୀକ୍ଷାର ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଉରକେଲାରେ ଡାଇରିଆ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକମାନେ ଚିକିତ୍ସାଧୀନ ଥିବା କୁହାଯାଉଛି । ପାଣି ସଂକ୍ରମିତ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଫଳସ୍ୱରୂପ ଅଧିକରୁ ଅଧିକ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେଉଛି । ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଉରକେଲାକୁ କେନ୍ଦ୍ରୀୟ ସହାୟତା ପଠାଇ ସଂକ୍ରମଣକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

ଅନୁରୂପ ଭାବରେ ଏହି ଘଟଣାରେ ପତ୍ର ଲେଖିବା ପୂର୍ବରୁ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଥିଲେ ଯେ ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକମାନେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।

ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ । ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

‘ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୩’ର ପ୍ରତିଯୋଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୩(ଏସ୍‌ଆଇଏଚ୍) ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ମତ ବିନିମୟ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସ୍ମାର୍ଟ ଇଣ୍ଡିଆ ହାକାଥନର କଳ୍ପନା ହୋଇଥିଲା। ଦେଶର ନୂଆପିଢିର ସୃଜନଶୀଳତାକୁ ଭାରତର ବିକାଶରେ ଯୋଡିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଏହି ନେତୃତ୍ୱ ନେଉଛନ୍ତି। ଚଳିତ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣରେ ୨ ଲକ୍ଷ ୬୭ ହଜାର ପ୍ରତିଯୋଗୀ ଅଛନ୍ତି। ୫୧ ହଜାର ନୂଆ ଆଇଡିଆକୁ ନେଇ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। ୨୦୧୭ରେ ଏହି ହକାଥନ ଆରମ୍ଭ ବେଳେ ମାତ୍ର ୭ ହଜାର ୫୩୧ଟି ଟିମ୍ ଥିବା ବେଳେ ଏହି ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଁ ୪୪ ହଜାର ୬୧୭ରେ ପହଞ୍ଚିଛି।

ଦେଶରେ ଦୀର୍ଘ ୩୪ ବର୍ଷ ପରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଆମ ଦେଶ ନୂଆ ନୂଆ ଉଚ୍ଚତାକୁ ଯାଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଗାମୀ ଦିନରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । ସର୍ବାଧିକ ଯୁବଶକ୍ତିର ଦେଶ ଭାରତ ନିଜ ପାଇଁ ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ଭାବୁଥିବା ଦେଶ । ଆଗାମୀ ଦିନରେ ଭାରତକୁ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଉଦ୍ୟମିତା, ନବସୃଜନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଆମ ଦେଶ ଆଗକୁ ବଢୁଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ରେ କେନ୍ଦ୍ରମନ୍ତ୍ରୀ

କଟକ: ଆଜିକୁ ଦେଢ଼ ଶହ ବର୍ଷ ତଳେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାରେ ଶିକ୍ଷା ବିକାଶରେ ବିଶେଷତଃ ନାରୀଶିକ୍ଷାର ବିକାଶର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାର ସାକାର ରୂପ ହେଉଛି ରେଭେନ୍ସା ବାଳିକା ବିଦ୍ୟାଳୟ’ । ସମଗ୍ର ଭାରତବର୍ଷରେ ସମାଜ ନେତୃତ୍ୱରେ ଓଡିଶାରେ ନାରୀଶକ୍ତି କଳ୍ପନାର ଏହି ସ୍କୁଲ ସବୁଠୁ ବଡ ପ୍ରମାଣ ବୋଲି ଶନିବାର କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ନବଜାଗରଣର ଅଭ୍ୟୁଦୋୟ ହୋଇଥିବା ସ୍ଥାନରେ ୧୮୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ୱତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ୱର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦି, ଡକ୍ଟର ନିରୁପମା ରଥ, ରଜନୀ ଦେବୀ, ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ, ଡକ୍ଟର ଅର୍ଚ୍ଚନା ନାୟକଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି। ଏହି ସ୍କୁଲରେ ତାଙ୍କ ମାଆ ମଧ୍ୟ ପାଠ ପଢୁଥିଲେ। ଯିଏ ମୋତେ ଜନ୍ମ ଦେଇଛନ୍ତି, ସେ ପଢିଥିବା ସ୍କୁଲକୁ ଆସିବାର ଅପେକ୍ଷା ଓ ଆକାଂକ୍ଷା ପୂରଣ ହୋଇଥିବାରୁ ନିଜକୁ କୃତଜ୍ଞ ମନେକରୁଛି। ଆଜିର ଦିନ ମୋ ଜୀବନର ଅବିସ୍ମରଣୀୟ ଦିନ ହୋଇ ରହିବ। ଏହି ଶିକ୍ଷାନୁଷ୍ଠାନ ଓଡ଼ିଆ ସ୍ୱାଭିମାନର ପ୍ରୟୋଗଶାଳା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାର ମାତ୍ର କିଛି ବର୍ଷ ପୂର୍ବରୁ ଅର୍ଥାତ୍ ୧୮୬୬ ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। କୁହାଯାଏ, ଏ ଦୁର୍ଭିକ୍ଷ ଏତେ ଭୟାବହ ଥିଲା ଯେ ଏଥିରେ ତତ୍କାଳୀନ ଓଡ଼ିଶାର ଏକ-ତୃତୀୟାଂଶ ଜନସଂଖ୍ୟା ଲୋପ ପାଇଯାଇଥିଲା । ଏଭଳି ସମୟରେ ସମାଜ ଦୋ’ ଛକିରେ ଥିବା ବେଳେ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା ଓଡ଼ିଆ ଜାତିର ସାହାସକୁ ଦର୍ଶାଉଛି। ତେବେ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ଅବସ୍ଥାରେ ଯେଉଁ ସମସ୍ୟା ଓଡ଼ିଆ ଜାତିର ମେରୁଦଣ୍ଡ ଦୋହଲାଇ ଦେଇଥିଲା। ଆଜି ଓଡ଼ିଆ ସ୍ୱାଭିମାନର ମେରୁଦଣ୍ଡ ବି ସେହି ଅବସ୍ଥାରେ ଅଛି। ତେଣୁ ୧୮୬୯ରେ ପ୍ରତିଷ୍ଠିତ ରେଭେନ୍ସା ବାଳିକା ବିଦ୍ୟାଳୟର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ଆଜି ଆଉ ଥରେ ଓଡ଼ିଆ ମାନଙ୍କୁ ଏକାଠି ହେବା ପାଇଁ ପଡିବ ଓ ୨୦୩୬ ସୁଦ୍ଧା ଆମ ରାଜ୍ୟ ଓଡ଼ିଶାର ହୃତଗୌରବକୁ ଫେରାଇ ଆଣିବାର ବଜ୍ର ଶପଥ ନେବା ପାଇଁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ହଜାର ହଜାର ବର୍ଷର ସହର କଟକର ଚିନ୍ତା ବାଇମୁଣ୍ଡି କରିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ସମାଜ’ ହେଉ କିମ୍ବା ଉତ୍କଳ କେଶରୀ ଡକ୍ଟର ମହତାବଙ୍କ ‘ପ୍ରଜାତନ୍ତ୍ର’ – ଓଡ଼ିଆ ଭାଷା ଆନ୍ଦୋଳନ ଠାରୁ ଓଡ଼ିଆ ନବଜାଗରଣ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ କଟକରୁ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରିକା ଗୁଡ଼ିକର ଅବଦାନ ଅନେକ ରହିଛି। ତେବେ ଦିନେ ଓଡ଼ିଶାରେ ନବଜାଗରଣର ବହ୍ନି ଜଳାଇଥିବା ଖବର କାଗଜରେ ଆଜି ଦିନରେ କିଏ ଜଣେ ନିର୍ବାଚନ ଲଢ଼ିବ କି ନାହିଁ ହେଡଲାଇନ ହେବା, ଓଡିଶାରେପ୍ରସଙ୍ଗ ହେବା ଉଚିତ୍ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଏହି ଭୂମିରେ ପାଳନ ହେଉଥିବା ବାଲିଯାତ୍ରା ଓଡ଼ିଆ ଜାତିର ପୁରୁଷାର୍ଥର ବଡ଼ ପରିଚୟ ଦେଉଛି। ବାଲିଯାତ୍ରା ଭଳି ଓଡ଼ିଶାର ଅନେକ ପର୍ବପର୍ବଣୀ ପରିପୂର୍ଣ୍ଣ, ସ୍ୱୟଂସମ୍ପୂର୍ଣ୍ଣ। ଏଥିପାଇଁ ଏହାର କୌଣସି ପରିଚୟ କିମ୍ବା ମାନ୍ୟତା ଦରକାର ନାହିଁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ରେଭେନ୍ସା ବାଳିକା ବିଦ୍ୟାଳୟ ‘ରେଭେନ୍ସା’ ନାମରେ କାହିଁକି ନାମିତ? ଓଡ଼ିଆ ଜାତି ପାଇଁ କୁଳବୃଦ୍ଧ ମଧୁବାବୁ, ପଣ୍ଡିତ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ରାଧାନାଥ ରାୟ ବଡ ହେବେ ନା ପରାଧୀନତାର ପ୍ରତୀକ ବଡ ହେବ? ଏହାକୁ ସମାଜ ବିଚାର କରିବାର ଆବଶ୍ୟକତା ରହିଛି। ଏକବିଂଶ ଶତାବ୍ଦୀରେ ଓଡ଼ିଆ ସ୍ୱାଭିମାନ, ଓଡ଼ିଆ ଅସ୍ମିତା ଆଜି କେଉଁ ଜାଗାରେ ଅଛି, ଆମେ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର।

ପୁରୀ ଶ୍ରୀମନ୍ଦିର ଓ ମାଆ କଟକ ଚଣ୍ଡିଙ୍କ ପରି ରେଭେନ୍ସା ବାଳିକା ସ୍କୁଲ ଏକ ପବିତ୍ର ଅନୁଷ୍ଠାନ। ଏକବିଂଶ ଶତାବ୍ଦୀରେ ଆଜି ଏହି ସ୍କୁଲକୁ ଆଧାର କରି ଓଡ଼ିଶାର ସ୍ଥାନ ନାରୀ ଶିକ୍ଷାରେ କଣ ଥିଲା, ତାହା ଉପରେ ଗବେଷଣା କରିବାର ଆବଶ୍ୟକତା ରହିଛି। ଏହାକୁ ଆଗାମୀ ଦିନରେ ଆଇସିଏଚଆର ସହଯୋଗରେ ମ୍ୟୁଜିୟମର ରୂପ ଦେବା ପାଇଁ ଉଦ୍ୟମ ହେବ। ସେହିପରି ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ବେଳେ ୨୦୩୬ରେ ଓ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ୨୦୪୭ରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ, ଓଡିଶା ରାଜନୀତିରେ ହଟଚମଟ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ୨୦୨୪ ନିର୍ବାଚନ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ର କିଛି ତଥ୍ୟ ଅଧାରରେ କହିଲେ ନା କର୍ମିମାନେ ଖୁସି ହେବା ପାଇଁ କହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି।

ଧର୍ମେନ୍ଦ୍ର ସାକ୍ଷାତ ଦେବା ବେଳେ ଓଡିଶା ରାଜନୀତି ସଂପର୍କରେ କହିଥିଲେ। ସେଥିରେ ସେ କହିଥିଲେ ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓଡିଶାରୁ ୨୧ ଟି ଆସନରୁ ୧୫ଟି ଆସନରେ ବିଜୟଲାଭ କରିବ।

ସେ ପୁଣି କହିଛନ୍ତି ଯେ, ଗତ ୨୦୧୪ରେ ଲୋକସଭାରେ ୨୨ ପ୍ରତିଶତ ପାଇଥିଲୁ, ୧୯ରେ ବଢି ଏହା ୩୮ ପ୍ରତିଶତ ହେଲା। ସେହି ଅନୁସାରେ ୨୦୨୪ ରେ ବିଜେପି ୪୫ ପ୍ରତିଶତରୁ ଅଧିକ ଭୋଟ ପାଇବ। ସେହି ହିସାବରେ ଏଥର ବିଜେପି ଲୋକସଭାରେ ୧୫ ଟି ଆସନ ଜିତିବ ବୋଲି ସେ କହିଛନ୍ତି।

ଏହି ସାକ୍ଷାତକାରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ରାଜ୍ୟରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଓଡିଶାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେବେ ଏକ ସର୍ଭେ ଅନୁସାରେ ଓଡିଶାରେ ବର୍ତ୍ତମାନ 80 ପ୍ରତିଶତ ବିଜେପିର ସଫଳତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ନିର୍ବାଚନ ମଣ୍ଡଳି ଅନୁସାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଛି ବୋଲି ଏହି ସର୍ଭେରେ ପ୍ରକାଶ ପାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପୂର୍ବରୁ ନୂଆଦିଲ୍ଲୀରେ ବିଜେପି ସଭାପତି ମନମୋହନ ସାମଲ ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ରାଜ୍ୟର ଲୋକମାନେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ସେଥିପାଇଁ ସେମାନଙ୍କର ବିକଳ୍ପ ଭାବେ ବିଜେପି ହିଁ ରହିଛି ବୋଲି ମନମୋହନ କହିଥିଲେ।

ତେବେ ଏଥର ନିର୍ବାଚନ ନୁହେଁ, ବିଗତ ନିର୍ବାଚନଗୁଡିକ ପୂର୍ବରୁ ବିଜେପି ଏହିପରି ଦମ୍ଭୋକ୍ତି ପ୍ରକାଶ କରିଆସିଛି। ଓଡିଶାରେ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ବିଜେପି ଜିତିବ ବୋଲି କହୁଥିଲେ ମଧ୍ୟ ଫଳାଫଳ ଆସିବେ ପରେ ହାରିଯାଇଛି। ସେହିପରି ସାଧାରଣ ନିର୍ବାଚନରେ ମଧ୍ୟ ଏଥର ବିଜେପି ଆସିବ, ସରକାର ଗଠନ କରିବ ବୋଲି କହୁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରୁ ନାହିଁ। ତେବେ ଏଥର ମଧ୍ୟ ସେହିପରି ଧର୍ମେନ୍ଦ୍ର ଏବଂ ବିଜେପି ନେତାଙ୍କ ଏହି ଭବିଷ୍ୟବାଣୀ କେତେ ସଫଳ ହେବ ତାହାକୁ ବର୍ତ୍ତମାନ ଆକଳନ କରିବା ସମ୍ଭବ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ କେବଳ ଡିଗ୍ରୀ ରହିବା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମକୁ ଭାରତରେ ଜ୍ଞାନ ଓ ଦକ୍ଷତାର ଏକ ସୁପର ହାଇୱେ ନିର୍ମାଣ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ  ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ବଜାଜ ଫାଇନାନ୍ସ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଏକ ସାର୍ଟିଫିକେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଏମଓୟୁ ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ଯୁବବର୍ଗଙ୍କୁ ସଶକ୍ତ କରିବ। ବିଶ୍ୱସ୍ତରୀୟ ଦକ୍ଷତା ଦେଇ ଭବିଷ୍ୟତ ପାଇଁ ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ସହ ଆର୍ଥିକ କ୍ଷେତ୍ରରେ ବ୍ୟାପକ ଦକ୍ଷତା ସୃଷ୍ଟି କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ପାଇଁ ଥିବା ଦୂରଦୃଷ୍ଟି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଲୋକଙ୍କର ଦକ୍ଷତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ସହ ଯୋଡିଲେ ହିଁ ଦେଶ ଆଗକୁ ବଢିବ। ଆଜି ଦେଶରେ ଡିପିଆଇ ବା ଡିଜିଟାଲ ପବ୍ଲିକ ଇନଟ୍ରେଷ୍ଟ କାରଣରୁ ଦେଶ ଆଗକୁ ବଢୁଛି। ଭାରତର ଆର୍ଥିକ କ୍ଷେତ୍ର ମଜଭୂତ୍ ହେଉଛି। ଏକ ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ସୃଜନଶୀଳ ଚିନ୍ତାଧାରା ସହ ବିକଶିତ ଭାରତ ଗଠନରେ ଦକ୍ଷତା ବିକାଶ ଓ ଆର୍ଥିକ କ୍ଷେତ୍ରର ଯୋଗଦାନକୁ ଏକାଠି କରିବା ପାଇଁ ହେବ।  ବିଶ୍ୱସ୍ତରୀୟ ଦକ୍ଷତା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦେଶର ଯୁବବର୍ଗ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା। ଏହା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ପ୍ରାୟ ଚାରି ଦଶନ୍ଧିର ଏ ଦୁର୍ଦ୍ଦଶା ଆଜି ବି ଆମକୁ ମର୍ମାହତ କରୁଛି।

ରେଙ୍ଗାଳି ଯୋଜନାରେ ୧୯୭୩ ମସିହାରେ ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି  ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ବ୍ରାହ୍ମଣୀରେ ଅନେକ ପାଣି ବହିଗଲାଣି । ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।

ବିସ୍ଥାପିତଙ୍କ ହକ୍ ପାଇଁ ଗଡ଼ଜାତ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏକଦା ଆନ୍ଦୋଳନର ଡାକରା ଦେଇଥିଲେ । ତାଙ୍କ ଅବର୍ତ୍ତମାନରେ ଅନୁରୂପ ବଳିଷ୍ଠ ନେତୃତ୍ୱର ଅଭାବରୁ କ୍ଷତିଗ୍ରସ୍ତଙ୍କୁ ଆଉ ନ୍ୟାୟ ମିଳିଲା ନାହିଁ, ଯାହା ଦୁଃଖର ବିଷୟ। ଗରିବ, ଖଟିଖିଆ, ଚାଷୀ, ପଛୁଆ ବର୍ଗ, ତଥା ଦଳିତ ଓ ଆଦିବାସୀ ଜନସାଧାରଣ ବର୍ଗର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ବିସ୍ଥାପିତ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ସମ୍ବଳ ନ ଥିବାରୁ ଆଜି ନିଜକୁ ଉପେକ୍ଷିତ ଓ ଅପମାନିତ ମଣୁଛନ୍ତି । ଏପରିକି ଗଡ଼ଜାତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଏହା ଚରମ  ପ୍ରତିଫଳନ ବୋଲି ମଧ୍ୟ ବିଚାରୁଛନ୍ତି ।

ପାଲଲହଡ଼ା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ବାସଚ୍ୟୁତ ଜନସାଧାରଣଙ୍କ ଦୁରବସ୍ଥା ଆଜି ସୀମା ଟପିବାକୁ ବସିଲାଣି । ସଂଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଳି ଜଳଭଣ୍ଡାର ସଂଲଗ୍ନ ପାଳଲହଡା ଦ୍ଵିତୀୟ ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ ଜଳ ସତ୍ୟାଗ୍ରହ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଉକ୍ତ ଜଳଭଣ୍ଡାରରେ ସେମାନେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣପୂର୍ବକ ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, ବିସ୍ଥାପିତଙ୍କ ୭ ଦଫା ଗୁଡିକ ହେଲା ଉଚ୍ଚକ୍ଷମତା ସମ୍ପୂର୍ଣ୍ଣ କମିଟିର ସୁପାରିଶ କ୍ରମେ ଏକର ପ୍ରତି ୫୦ ହଜାର ଅନୁକମ୍ପା ମୂଳକ ବନ୍ଧିତ କ୍ଷତିପୂରଣ ଟଙ୍କା ତୁରନ୍ତ ପ୍ରଦାନ କରିବା । ସ୍ଥାୟୀ ପଟ୍ଟା ପ୍ରଦାନ, ଖଣି ଖାଦାନ ଅଂଚଳରେ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି, ସମସ୍ତ ବିସ୍ଥାପିତଙ୍କୁ ଗରିବ ଶ୍ରେଣୀ ଭୂକ୍ତ କରାଯାଇ ସେମାନଙ୍କୁ ରାସନ କାର୍ଡ ଏବଂ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା, ରେଙ୍ଗାଳି ପାଓ୍ବାର ହାଉସର ଉତ୍ପାଦିତ ବିଦ୍ୟୁତରୁ ସମସ୍ତ ବିସ୍ଥାପିତଙ୍କୁ ଆଜୀବନ ମାଗଣା ବିଦ୍ୟୁତ ଲାଇନ ଯୋଗାଇବା ସହ ଚକଧର ସମାକୋଇ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ରହିଛି । ଏହାବ୍ୟତିତ ବିସ୍ଥାପିତ ହିନ୍ଦୁ ଦେବାଦେବୀ ଓ ସେବକ ପୂଜାରୀଙ୍କ ଚିହ୍ନଟ ପଞ୍ଜିକରଣ, ମନ୍ଦିରର ପୁନରୁଦ୍ଧାର, ଉନ୍ନତି କରଣ ପାଇଁ ସେମାନେ ଦାବି ରଖିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁର: ଏକବିଂଶ ଶତାବ୍ଦୀର ଆଧୁନିକ ଦୁନିଆକୁ ଧ୍ୟାନରେ ରଖି ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାକୁ ପ୍ରାଧାନ୍ୟ ସହ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ଏବଂ ସବୁ ବିଷୟକୁ ଯୋଡି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଅଙ୍ଗ ହୋଇଛି ବୋଲି ଶନିବାର ସମ୍ବଲପୁର ସ୍ଥିତ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ଭାରତ ସମେତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଆଜି ଆମ ସମସ୍ତଙ୍କ ସାମ୍ନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂଆ ଦୁନିଆ ଛିଡା ହୋଇଛି। ପରିବେଶ ସୁରକ୍ଷା ଭଳି ଗୁରୁ ଦାୟିତ୍ୱ ଆଜିର ଯୁବପିଢିଙ୍କ ହାତରେ ନ୍ୟସ୍ତ ରହିଛି। ତେଣୁ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ପିଢି ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି। ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ କ୍ରିଟିକାଲ ଥିଙ୍କିଂ ବଢାଇବା ସହ ସେମାନଙ୍କୁ ତର୍କ ଓ ଗବେଷଣା କରିବାର କ୍ଷମତା ବୃଦ୍ଧି କରାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ମାତୃଭାଷା ଶିକ୍ଷାଦାନକୁ ଅଭ୍ୟାସରେ ପରିଣତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ପାର୍ଥକ୍ୟ ଉପରେ ଗବେଷଣା କରିବା ଦରକାର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଶିକ୍ଷା ନୀତିରେ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତି ଦେବା ପାଇଁ ଆଗାମୀ ଶିକ୍ଷା ବର୍ଷରୁ ବର୍ଷକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇ ଥର କରାଯିବ। ଏହି ଦୁଇଟି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ପରୀକ୍ଷାରେ ଭଲ ନମ୍ବର ଆଣିଥିବେ, ସେହି ଅନୁସାରେ ସେମାନଙ୍କୁ ମାର୍କିଂ କରାଯିବ। ଏହାବ୍ୟତିତ ପିଲାଙ୍କ ପାଇଁ ନୂତନ ପାଠ୍ୟ ପୁସ୍ତକ ବିକଶିତ କରାଯିବା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦକ୍ଷତାକୁ ପାଠ୍ୟକ୍ରମ ଖସଡାରେ ଅନ୍ତର୍ଭୃକ୍ତ କରାଯିବା ସହ ଆଗାମୀ ଦିନରେ ସେମାନଙ୍କୁ ସେହି ସ୍କିଲର ଅଭ୍ୟାସ କରାଯିବ।

ପ୍ରଧାନମନ୍ତ୍ରୀ ଯେତେବେଳେ ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି ଆଜିର ପିଲାଙ୍କୁ ରୋଜଗାର କରିବା ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ଭଳି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ଏବଂ ଉଦ୍ୟମିତା ମନୋବୃତ୍ତି କରାଇବା ପାଇଁ ପଡିବ। ରାମ ରାଜ୍ୟ ତଥା ଦେଶରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ପଡିବ। ଆଜି ଜନ୍ମ ହେଉଥିବା ପିଲାଙ୍କର ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ଯତ୍ନ ନେବାକୁ ପଡିବ।  ମର୍ଯ୍ୟାଦାପୁରୁଷ ଶ୍ରୀରାମ ଲଙ୍କା ବିଜୟ କରିବା ପାଇଁ ଯେଉଁଭଳି ଭାବେ ରାମସେତୁ ନିର୍ମାଣ କରିଥିଲେ ଏବଂ ଏହାକୁ ନିର୍ମାଣ କରିବାରେ ଗୁଣ୍ଡୁଚିମୂଷା ନିଜର ବାଲି ଝାଡିଥିଲା ସେହଭଳି ଭାବେ ଆମେ ‘ବିକଶିତ ଭାରତ’ ପାଇଁ ପରିଶ୍ରମ କରିବା ସହ ନିଜ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମାଜ ସହ ତୃଣମୂଳ ସ୍ତରରେ ଯୋଡି ହୋଇ ପୂର୍ବଜ ମାନଙ୍କ ସଂଗ୍ରାମକୁ ମନେପକାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦୁନିଆର ସବୁଠୁ ପୁରୁଣା ଗ୍ରନ୍ଥ ବେଦର ମାହାତ୍ମ୍ୟ ଉପରେ ପିଲାଙ୍କୁ ଅଧ୍ୟୟନ କରାଇବା ପାଇଁ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲକୁ ପରାମର୍ଶ ଦେବା ସହ ସମାଜର ଏକ କ୍ୟାଟାଲିଷ୍ଟ ହେବାକୁ ଆହ୍ୱାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ମାଲଗୁଣ୍ଡ/ସମ୍ବଲପୁର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୫ ବର୍ଷରେ ‘ବିକଶିତ ଭାରତ’ ଗଠନ ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ବିକଶିତ ଭାରତ ଗଢିବା ପାଇଁ ହେଲେ ଆମେ ସମସ୍ତେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ରଖିବା। ନିଜ ନିଜ କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ତଥା ସମସ୍ତଙ୍କୁ ଏହି ଆହ୍ୱାନରେ ଯୋଡି ବିକଶିତ ଭାରତର ସଂକଳ୍ପକୁ ସାକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର ମାଲଗୁଣ୍ଡ ଠାରେ “ବିକଶିତ ଭାରତ ସଂକଳ୍ପ ଯାତ୍ରା”ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଶିଖରକୁ ନେବା ସହ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ମୋଦିଙ୍କ ଗ୍ୟାରେଣ୍ଟି ଜନତାଙ୍କ ଆସ୍ଥାଭାଜନ ହୋଇଥିବା ବେଳେ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ‘ବିକଶିତ ଭାରତ’ ପାଇଁ ଯୋଗଦାନ ରଖିବା ଦରକାର। ସମସ୍ତଙ୍କୁ ସାଙ୍ଗରେ ନେଇ ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ, ବ୍ଲକରୁ ସହର ପର୍ଯ୍ୟନ୍ତ ତଥା ସହରରୁ ଜିଲ୍ଲା ଏବଂ ରାଜ୍ୟ ସହ ଦେଶକୁ ସାମଗ୍ରିକ ଭାବରେ ମଜଭୂତ କରିବାକୁ ହେବ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ମୋଦି ଗ୍ୟାରେଣ୍ଟି ଗାଡି ଭାରତବର୍ଷର ଅନେକ ପଞ୍ଚାୟତରେ ପହଞ୍ଚିଲାଣି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୯ ପର୍ଯ୍ୟନ୍ତ ମାଗଣା ଚାଉଳ, ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ବିଜୁଳି, ଜନଧନ ଜରିଆରେ ବ୍ୟାଙ୍କଖାତାକୁ ଟଙ୍କା ଦେବାର ଗ୍ୟାରେଣ୍ଟି ମୋଦି ଦେଇଛନ୍ତି। ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି।

ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତ ବର୍ଗର ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱାଭିମାନ ସହକାରେ ବଞ୍ଚିବାର ସ୍ୱପ୍ନକୁ ସାକାର କରିବା। ଏହା ସହ କେନ୍ଦ୍ରମନ୍ତ୍ରୀ ଲୋକମାନଙ୍କୁ ନମୋ ଆପ୍, ମାଇ ଭାରତ ସଂଗଠନରେ ଯୋଡିହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମବେତ ଜନତାଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସଂକଳ୍ପ କରାଇଥିଲେ। ମୋଦି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କୁ ଭେଟି ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

ନୂଆଦିଲ୍ଲୀ: ପ୍ରାଚୀନ କାଳରେ ସଂସ୍କୃତ ଭାଷା ଜ୍ଞାନ ବିଜ୍ଞାନର ପ୍ରବାହର ମାଧ୍ୟମ ଥିଲା। ଆଜିର ସମୟରେ ସଂସ୍କୃତ ଅଧ୍ୟୟନରେ ନୂତନ ଦୃଷ୍ଟିଭଙ୍ଗୀ ଆସିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ହିଁ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତର ପ୍ରଚାର ପ୍ରସାରରେ ନୂଆ ଉପକ୍ରମ ଯୋଡିହେଉଛି । ତିନୋଟି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁନଃ ସଂରଚନା କରି ମୋଦିଜୀ ଭାରତର ମୂଳ ବିଦ୍ୟା ଭଣ୍ଡାରକୁ ସଂରକ୍ଷିତ କରିବା ପାଇଁ ପ୍ରୟାସକୁ ଅଧିକ ଗତି ଦେଇଛନ୍ତି ।

ସଭ୍ୟତାର ସବୁଠୁ ପୁରୁଣା ଗ୍ରନ୍ଥ ବେଦ ସଂସ୍କୃତରେ ଲେଖାଯାଇଥିଲା । ବେଦ କେବଳ ଏକ ଗ୍ରନ୍ଥ ନୁହେଁ ବଂର ସର୍ବବିଦ୍ୟାର ମହାଗ୍ରନ୍ଥ । ଏହି ସବୁ ବିଷୟକୁ ସର୍ବଜନବିଦିତ କରିବାର ମାଧ୍ୟମ ହେଉଛି ସଂସ୍କୃତ । ଆଜିର ସମୟରେ ସଂସ୍କୃତକୁ ନୂଆ ଦୃଷ୍ଟିକୋଣରେ ପଢିବା, ପଢାଇବା ଏବଂ ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏହି ଶିକ୍ଷା ନୀତିର ଉଦ୍ଦେଶ୍ୟ ଅନୁସାରେ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାରତୀୟ ଜ୍ଞାନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ସଂସ୍କୃତ ସମେତ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ କରିବ ତଥା ଭାରତୀୟତା ମୂଲ୍ୟବୋଧ ଏବଂ ବେଦରେ ସମାହିତ ଅନନ୍ତ ଜ୍ଞାନକୁ ସର୍ବବିଦିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୃତଜ୍ଞତା ଜ୍ଞାପନ କରିବା ସହ ପଦକ ଓ ଉପାଧି ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର। ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି। ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି। କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ। ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ। ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ – ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ।

ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।