Categories
ଆଜିର ଖବର ଜାତୀୟ ଖବର

ଦଳବଦଳ: ଚର୍ଚ୍ଚାରେ ଦଳୀୟ ହ୍ୱୀପ

ନୂଆଦିଲ୍ଲୀ: ଦଳବଦଳ ବିରୋଧୀ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁ ଦଳରେ ଜନପ୍ରତିନିଧିମାନେ ସଂସଦ କିମ୍ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେହି ଦଳକୁ ଛାଡ଼ିଲେ ଦଳବଦଳ କୁହାଯାଏ। ଭାରତରେ ଏହି ଆଇନ ମୂଳତଃ ସମ୍ବିଧାନର ଅଂଶ ନ ଥିଲା ବୋଲି ଜଣାପଡ଼ିଛି। ବଡ଼ ଧରଣର ଦଳବଦଳକୁ ରୋକିବା ପାଇଁ ୧୯୮୫ମସିହାରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦଶମ ଅନୁସୂଚୀ ବା ଦଳବଦଳ ନିରୋଧୀ ଆଇନ ପ୍ରଣୟନ କରାଯାଇଥିଲା।

ଏହା ଅଧୀନରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ (କ) ସ୍ୱେଚ୍ଛାକୃତ ଭାବରେ ନିଜ ଦଳର ସଦସ୍ୟତା ତ୍ୟାଗ କରିବା କିମ୍ବା (ଖ) ଦଳ ବିରୋଧରେ ଭୋଟ ଦେବା ପାଇଁ ଗୃହର ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରାଯାଇପାରିବ। ତେବେ ବିଧାୟକଙ୍କ ଗୋଷ୍ଠୀର ଅନ୍ୟ କୌଣସି ଦଳ ସହ ମିଶ୍ରଣକୁ ଛାଡ଼ କରାଯାଇଛି।

ଆସ୍ଥା ଭୋଟ ସମୟରେ ଦଳବଦଳର ଏହି ମାମଲାଗୁଡ଼ିକ ବିରୋଧରେ ଉଭୟ ଧାରା ୨(୧)(କ) ଏବଂ ୨(୧)(ବି) ଅନୁଯାୟୀ ମାମଲା ରୁଜୁ ହୋଇପାରନ୍ତା। ତେଣୁ ଫ୍ଲୋର ଟେଷ୍ଟ ପୂର୍ବରୁ ପ୍ରାୟ ସବୁଦଳ ନିଜ ନିଜ ବିଧାୟକଙ୍କ ପାଇଁ ହ୍ୱିପ୍ ଜାରି କରିଥାନ୍ତି। ସଂସଦୀୟ ଗଣତନ୍ତ୍ରରେ ହ୍ଵିପ୍ ହେଉଛି ଦଳର ନିର୍ଦ୍ଦେଶ ପାଳନ କରିବା ପାଇଁ ଗୃହରେ ଥିବା ଏହାର ସଦସ୍ୟମାନଙ୍କୁ ଏକ ଲିଖିତ ନିର୍ଦ୍ଦେଶ। ଏହା ଅଧୀନରେ ସଦସ୍ୟମାନଙ୍କୁ ଗୃହରେ ପ୍ରସ୍ତାବ ସପକ୍ଷରେ କିମ୍ବା ବିପକ୍ଷରେ ଭୋଟ ଦେବାକୁ ପଡ଼ିପାରେ। ଜନପ୍ରତିନିଧିମାନେ ହ୍ଵିପରେ ବାନ୍ଧି ରହିଛନ୍ତି ଏବଂ ଏହାର ଅବମାନନା ସେମାନଙ୍କୁ ଦଳବଦଳ ବିରୋଧୀ ଆଇନ ପରିସରଭୁକ୍ତ କରିପାରେ।

ଏହା ଅନୁଭବ କରାଯାଇଛି ଯେ ହ୍ୱିପ୍ ଦ୍ୱାରା ପରିଚାଳିତ ଦଳବଦଳ ବିରୋଧୀ ଆଇନ ବିଧାୟକମାନଙ୍କୁ ସେମାନଙ୍କର ମୁକ୍ତ ଭୋଟ ବ୍ୟବହାର କରିବାର ସୁଯୋଗ ଦେବା ପରିବର୍ତ୍ତେ ସେମାନଙ୍କ ଦଳ ସହିତ ବାନ୍ଧି ରଖିଛି। ସବୁ ଦିଗରୁ ଆସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ହେଉଛି କ୍ରସ୍ ଭୋଟିଂକୁ ଆସ୍ଥା ଭୋଟ କିମ୍ବା ଆର୍ଥିକ ପ୍ରସଙ୍ଗ ସମ୍ବନ୍ଧୀୟ ସଂକଳ୍ପରେ ଦଣ୍ଡିତ କରାଯିବା ଉଚିତ। ଦଳବଦଳ ବିରୋଧୀ ଆଇନ ବିଧାୟକମାନଙ୍କୁ ମୁକ୍ତ ଭୋଟ ଦେବାର ସୁଯୋଗ ଦେବା ପରିବର୍ତ୍ତେ ସେମାନଙ୍କ ଦଳ ସହ ବାନ୍ଧି ରଖିଛି ବୋଲି ସାଧାରଣରେ ଅନୁଭବ କରାଯାଉଛି। ସେମାନଙ୍କୁ କେବେ ଦଣ୍ଡ ଦିଆଯିବ?

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ବିଜେପି ପାଲଟିଲା ଦଳ ଛଡ଼ାଙ୍କ ଆଡ୍ଡା: ୧୦ ବର୍ଷରେ ୬୦୦ ନେତା ସାମିଲ, ୭ଟି ରାଜ୍ୟରେ ତାଙ୍କର କମାଣ୍ଡ ରହିଛି

ନୂଆଦିଲ୍ଲୀ: ୨୦୧୪ ପରେ ସବୁଠାରୁ ଅଧିକ ନେତା ବିଜେପିକୁ ଯାଇଛନ୍ତି। ଏଡିଆର୍ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ବିଧାୟକ-ସାଂସଦ ସ୍ତରର ମାତ୍ର ୪୨୬ ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି।

ଭାରତରେ ନିର୍ବାଚନ ଋତୁ ଆରମ୍ଭ ହେବା ମାତ୍ରେ ଦଳବଦଳ ଖେଳ ଆରମ୍ଭ ହୋଇଯାଇଛି। ଗତ ୭ ଦିନ ମଧ୍ୟରେ ୪ଟି ରାଜ୍ୟର ଦୁଇ ଡଜନରୁ ଅଧିକ ନେତା ଦଳ ବଦଳାଇଛନ୍ତି। ଯେଉଁମାନେ ଦଳ ବଦଳାଇଛନ୍ତି ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମେୟର ସ୍ତରର ନେତା ରହିଛନ୍ତି।

ବର୍ତ୍ତମାନ ମହାରାଷ୍ଟ୍ରରୁ ଦଳବଦଳ ଖେଳ ଆରମ୍ଭ ହୋଇଛି, ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି। ରାଜସ୍ଥାନ କଂଗ୍ରେସ ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବ୍ୟ ମଧ୍ୟ ପଦ୍ମ ଦଳରେ ଯୋଗ ଦେଇଛନ୍ତି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଦଳ ବଦଳାଇବାକୁ ନେଇ ଆଲୋଚନା ହୋଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ୟୁ-ଟର୍ଣ୍ଣ ନେଇଥିଲେ। ତେବେ କମଲନାଥଙ୍କ ଘନିଷ୍ଠ ସହଯୋଗୀ ତଥା ଜବଲପୁର ମେୟର ଜଗତ ବାହାଦୁର ଅନୁ ନିଶ୍ଚିତଭାବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ଭାରତରେ ଦଳବଦଳର ଏକ ପରିସଂଖ୍ୟାନ

୧୯୬୦-୭୦ମସିହାରେ ହରିୟାଣାରେ ଭାରତରେ ଦଳବଦଳ ଖେଳ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ରାଜନୈତିକ ରୋଗ ସମଗ୍ର ଭାରତରେ ବ୍ୟାପିଯାଇଥିଲା। ୨୦୧୪ ପରେ ନେତାଙ୍କ ଦଳବଦଳ ମାମଲାରେ ଯଥେଷ୍ଟ ବୃଦ୍ଧି ଘଟିଥିଲା।

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ଅନୁଯାୟୀ, ୨୦୧୪-୨୧ ଦଳବଦଳ ଖେଳରେ ସାଂସଦ ଓ ବିଧାୟକ ସ୍ତରରେ ୧୦ରୁ ଅଧିକ ନେତା ଦଳ ବଦଳ କରିଛନ୍ତି।

Categories
ଆଞ୍ଚଳିକ

କରୋନା ଯୋଦ୍ଧାଙ୍କୁ ସାଂସଦ ଓ ବିଧାୟକଙ୍କ ସମ୍ବର୍ଦ୍ଧନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର :କରୋନା ଲଢ଼େଇରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତିବିଶେଷ ନିଜକୁ ସାମିଲ କରିଛନ୍ତି । ଏହିଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧାଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସମ୍ମାନିତ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ସାମାଜିକ କାର୍ଯ୍ୟ ପାଇଁ ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏନ୍‌. ଧନଞ୍ଜୟ ରାଓ, ବିଜୟ ସାମଲ, ଅକ୍ଷୟ ପତି, ଶ୍ରୀକାନ୍ତ ସାବତଙ୍କୁ ସାଂସଦ ଏବଂ ବିଧାୟକ କାର୍ଯ୍ୟାଳୟରେ ଆଜି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସଂଜିବ ପାଣିଗ୍ରାହୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ମଦନ ଦଳାଇ, ଏସ୍‌କେ ସ୍ୱାଇଁ ଉପସ୍ଥିତ ଥିଲେ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜେଲରେ ନିଜ ଯୌନାଙ୍ଗ କାଟିଲା ହତ୍ୟା ଅପରାଧୀ

ଗ୍ବାଲିୟର : ମଧ୍ୟପ୍ରଦେଶରେ ଜଣେ ହତ୍ୟା ଅପରାଧୀ ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି । ହତ୍ୟା ଅପରାଧରେ ଜେଲ୍‌ରେ ରହିଥିବା ଏହି ଅପରାଧୀ ଜଣକ ନିଜ ଯୌନାଙ୍ଗ କାଟିଛନ୍ତି । ହତ୍ୟା ଅପରାଧରେ ଆଜୀବନ କାରାବାସରେ ରହିଥିବା ଏହି ବ୍ୟକ୍ତି ଜଣକ ନଜକୁ ଶିବ ଭକ୍ତ ବୋଲି କହିବା ସହିତ ଭଗବାନଙ୍କ ଉଦ୍ଦେଶ୍ୟରେ ଏହାକୁ ଅର୍ପଣ କରିଥିବା କହିଛନ୍ତି । ଏକ ଧାରୁବ ଚାମଚ ସାହାଯ୍ୟରେ ଏହି ବ୍ୟକ୍ତି ଜଣକ ନିଜ ଯୌନାଙ୍ଗ କାଟିଛନ୍ତି । ଗ୍ବାଲିୟର ସେଣ୍ଟ୍ରାଲ ଜେଲ୍‌ରେ ରହିଥିବା 25 ବର୍ଷୀୟ ବିଷ୍ଣୁ ସିଂ ବୁଧବାର ସକାଳେ ଏହି କାଣ୍ଡ ଘଟାଇଥିବା ବେଳେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ । ତେବେ ଯୌନାଙ୍ଗଟିକୁ ଯୋଡିବାରେ ଡାକ୍ତର ମାନେ ବିଫଳ ହୋଇଥିଲେ । ବର୍ତ୍ତମାନ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟା ବସ୍ଥା ସ୍ଥିର ରହିଥିବା କହିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ମନୋଜ ସାହୁ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ କେୟାର ଫଣ୍ଡକୁ ଏକ ମାସର ଦରମା ପ୍ରଦାନ କରିବେ ସମସ୍ତ ବିଜେପି ବିଧାୟକ ଓ ସାଂସଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯିବା ପରେ ସହାୟତାର ସୁଆ ଛୁଟିଛି । ବଲିଉଡ୍‌ କଳାକାର ଅକ୍ଷୟ କୁମାର 25 କୋଟିର ସହାୟତା ପ୍ରଦାନ କରିଥିବା ବେଳେ ସମସ୍ତ ବିଜେପି ବିଧାୟକ ଓ ସାଂସଦ ଏକ ମାସର ଦରମା ପ୍ରଦାନ କରିବାକୁ ଯାଉଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ସାଂସଦ ନିଜର ସଂସଦୀୟ ପାଣ୍ଠିରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନଡ୍ଡା କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ ଶିବରାଜ ଚୌହାନ

ଭୋପାଳ : ମଧ୍ୟପ୍ରଦେଶ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କମଲନାଥ ସରକାର ଭାଙ୍ଗିବା ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ଆଶଙ୍କା ରହିଥିଲା । ତେବେ ସୋମବାର ଦିନ ସନ୍ଧ୍ୟାରେ ଶିବରାଜ ସିଂ ଚୌହାନଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଆଜି ଶିବରାଜ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅଶୋଭନୀୟ ଆଚରଣ ପାଇଁ 7 କଂଗ୍ରେସ ସାଂସଦ ନିଲମ୍ବିତ!

ନୂଆଦିଲ୍ଲୀ : 7 କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦରେ ଅଶୋଭନୀୟ ଆଚରଣ ପାଇଁ 7 କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଟି ଏନ୍‌ ପ୍ରତାପନ୍‌, ଡିନ୍‌ କୁରିଆକୋସ୍‌, ଆର୍‌ ଉନ୍ନିଥନ୍‌, ମନିକମ ଟାଗୋର୍‌, ବେନ୍ନି ବେହାନ ଏବଂ ଗୁରଜିତ ସିଂ ଔଜ୍‌ଲାଙ୍କୁ ଲୋକସଭାରୁ ନିଲମ୍ବନ କରାଯାଇଛି । ଚଳିତ ବଜେଟ୍‌ ଅଧିବେଶନର ସମସ୍ତ ଦିନ ଗୁଡିକ ପାଇଁ ଏହି ସାଂସଦ ମାନଙ୍କୁ ନିଲମ୍ବନ କରାଯାଇଛି । (ଏଜେନ୍ସି)

Categories
ଆଞ୍ଚଳିକ ରାଜ୍ୟ ଖବର

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କ ପରଲୋକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,31/12 : ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ବାମୀଙ୍କର ଆଜି ପରଲୋକ ହୋଇଛି। 91 ବର୍ଷ ବୟସରେ ଖରିଆର ରୋଡ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ 4 ଏପ୍ରିଲ୍‌ 2012ରୁ 3 ଏପ୍ରିଲ 2018 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ।

Categories
ଆଜିର ଖବର

ହତ୍ୟା ଧମକ ପରେ ପୋଲିସ୍‌ ନିକଟରେ ଅଭିଯୋଗ କଲେ ଗମ୍ଭୀର

ନୂଆଦିଲ୍ଲୀ,21/12 : କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି । ଦିଲ୍ଲୀର ସାଂସଦ ଗମ୍ଭୀରଙ୍କୁ ଧମକ ମିଳିବା ପରେ ସେ ଦିଲ୍ଲୀ ପୋଲିସକୁ ପତ୍ର ଲେଖିଛନ୍ତି । ଏକ ଅନ୍ତର୍ଜାତୀୟ ନମ୍ବରରୁ ଗମ୍ଭୀରଙ୍କୁ କଲ୍‌ ଆସିଥିବା ବେଳେ ତାଙ୍କୁ ଏବଂ ପରିବାର ସଦସ୍ୟଙ୍କୁ ହତ୍ୟାର ଧମକ ଦିଆଯାଇଥିଲା । ପରିବାରର ସୁରକ୍ଷା ପାଇଁ ଗମ୍ଭୀର ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ପୂର୍ବ ଦିଲ୍ଲୀର ସାଂସଦ ରହିଥିବା ଗମ୍ଭୀର ସହଦ୍ରାର ଡିସିପିଙ୍କୁ ଏହି ପତ୍ର ଲେଖିଛନ୍ତି । ଏହା ସହିତ ଦିଲ୍ଲମୀ ପୋଲିସକୁ ଏକ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ଗମ୍ଭୀର ପତ୍ର ଜରିଆରେ ଅନୁରୋଧ କରିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

Categories
ବିଶେଷ ଖବର

ନନାଙ୍କ ସଂସ୍କୃତ ଓ ଭକ୍ତଙ୍କ ଭାଗବତ; ଏହାରି ଭିତରେ ବ୍ରାହ୍ମଣର ଯଜମାନି ପାଲଟି ଯାଉଛି ଆମର ଗଣତନ୍ତ୍ର

କେଦାର ମିଶ୍ର 

ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ।

ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ।

ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା।

ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ।

ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ।

ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି।

ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି।

ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି।

ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!!

ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ ବିଷୟରେ ଏମିତି ବ୍ରହ୍ମଜ୍ଞାନ ହଠାତ ଉଦୟ ହେଲା କାହିଁକି? ସବୁଠୁ ମଜାର କଥା ହେଲା, ସେ ମନ୍ତ୍ରୀ ହେବାର ଲବି ଆରମ୍ଭ ହେଲା ବେଳକୁ ତାଙ୍କର ଦାରିଦ୍ର୍ୟ ଓ ସରଲା ଜୀବନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। (ଦୁଇଥର ବିଧାୟକ ହୋଇ ଦରମା ଓ ପେନସନ ପାଇ କି ପ୍ରକାର ଦାରିଦ୍ର୍ୟ!) ଏବେ ତାଙ୍କର ସଂସ୍କୃତ ବ୍ୟବହାର କୁ ନେଇ ଚର୍ଚ୍ଚା ଚାଲିଛି। ହଠାତ ସେ ସଂସ୍କୃତ ଭାଷାର ରାଷ୍ଟ୍ରଦୂତ ଭାବରେ ସାମ୍ବାଦିକଙ୍କ ଦ୍ଵାରା ପୂଜିତ ହେବା ଆରମ୍ଭ କରିଛନ୍ତି।

ଯେଉଁ ସାମ୍ବାଦିକମାନେ ସଂସ୍କୃତର ଗୋଟିଏ ଶବ୍ଦ ବୁଝିପାରନ୍ତି ନାହିଁ, ସେମାନେ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ଜ୍ଞାନକୁ ନେଇ ଗଦଗଦ ହୋଇ ପଡ଼ୁଛନ୍ତି। ଓଡିଶାର ଦୁଇଟି ଟେଲିଭିଜନ ଚାନେଲ ଏବେ ପ୍ରତାପ ବାବୁଙ୍କୁ ( ଏ ନନା ଶବ୍ଦଟି କେବେ,କେଉଁଠି, କେମିତି ପ୍ରତାପ ଷଡଙ୍ଗୀଙ୍କ ନାଁ ଆଗରେ ଯୋଡିହେଲା, ତାହା ମଧ୍ୟ ବିଶେଷ ଅନୁସନ୍ଧାନର ବିଷୟ) ମହାପୁରୁଷ କରିବାର ପୂର୍ଣ୍ଣକାଳୀନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେମାନେ ଏବେ ପୂର୍ଣ୍ଣ ପ୍ରତାପଗତ ପ୍ରାଣ!!

ହଁ, ଏବେ ପଣ୍ଡିତ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ପାଖକୁ ଫେରିବା। ପ୍ରତାପ ବାବୁ ମନ୍ତ୍ରୀ ଭାବରେ ହିନ୍ଦୀରେ ଓ ଲୋକସଭା ସଦସ୍ୟ ଭାବରେ ସଂସ୍କୃତରେ ଶପଥ ନେଲେ। ହିନ୍ଦୀ ଅବା ସଂସ୍କୃତ ତାଙ୍କର ମାତୃଭାଷା କି? ଆମ ଜାଣିବାରେ ୧୩୦ କୋଟି ଲୋକଙ୍କର ଭାରତରେ ମାତ୍ର ୨୪,୮୨୧ ଜଣ ଲୋକ ନିଜ ମାତୃଭାଷା ସଂସ୍କୃତ ବୋଲି ୨୦୧୧ ଜନଗଣନା ସମୟରେ କହିଥିଲେ। ପ୍ରତାପ ବାବୁ କଣ ସେଇ ମାନଙ୍କ ଭିତରୁ ଅନ୍ୟତମ? ଲୋକସଭାରେ ସେ ଯେଉଁ ଭାଷାରେ ଶପଥ ନେଲେ ତାହା ତାଙ୍କର ମାତୃଭାଷା ନଥିଲା କିମ୍ବା ତାଙ୍କୁ ନିର୍ବାଚିତ କରିଥିବା ଲୋକଙ୍କର ମଧ୍ୟ ଭାଷା ନଥିଲା। ତାହେଲେ ସେ ସଂସ୍କୃତକୁ ନିଜର ଭାଷା ଭାବରେ ବାଛିଲେ କାହିଁକି? ଉଦ୍ଦେଶ୍ୟମୂଳକ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିଦୁତ୍ଵ ମୁଖା ଭାବରେ ବ୍ୟବହାର କରାଯାଉଛି। ସଂସ୍କୃତ ଓ ସଂସ୍କୃତ ଆଧାରିତ ବ୍ରାହ୍ମଣବାଦକୁ ଲୋକସଭା ଭିତରେ ଅଧିକ ପ୍ରାଧାନ୍ୟ ଦେବାର ଏହା ଏକ ସୁଚିନ୍ତିତ ରଣନୀତି।

ପ୍ରତାପ ଷଡଙ୍ଗୀ ନିଜର ଓଡିଆ ପରିଚୟ ଅପେକ୍ଷା ନିଜର ସଂସ୍କୃତ ପରିଚୟକୁ ନେଇ ଏତେ ଉତ୍ସାହିତ କାହିଁକି? ଏ ପ୍ରଶ୍ନ ପଚାରିବା ଗଣମାଧ୍ୟମର ଦାୟିତ୍ଵ। ହେଲେ ଗଣମାଧ୍ୟମ ତାଙ୍କର ସଂସ୍କୃତ ଶୁଣି ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି। ପ୍ରତାପ ନନାଙ୍କ(ନନା କହିଲେ କି ଅର୍ଥ ବହନ କରେ ତାକୁ ନେଇ ବହୁ ଆଞ୍ଚଳିକ ମତ ରହିଛି। ପୁରୀ ଓ ଗଞ୍ଜାମରେ ନନା ହେଉଛନ୍ତି ବାପା, ଉତ୍ତର ଓଡିଶାରେ ନନା ହେଉଛନ୍ତି ବଡଭାଇ, ପଶ୍ଚିମ ଓଡିଶାରେ ଏହା ପିଉସୀ ଅଥବା ଆଈ) ବାଷ୍ପୀୟ ଶକଟ ଜାତୀୟ ସଂସ୍କୃତ(ୟାର ଅର୍ଥ କିଛି ବୁଝିଲେ? ଦେଶୀ ଓଡିଆରେ କହିଲେ ରେଳଗାଡି ପରିକା ଦଉଡୁଥିବା ସଂସ୍କୃତ) ବୁଝିବାର ସାମର୍ଥ୍ୟ ଆମର କେତେଜଣ ସାମ୍ବାଦିକଙ୍କର ରହିଛି ସେମାନେ ହାତ ଟେକିବେ କି?

ବ୍ୟକ୍ତିଗତ ଭାବରେ ମୁଁ ସଂସ୍କୃତ ପଢିପାରେ, ବୁଝିପାରେ, ଟିକେ ଟିକେ କହି ମଧ୍ୟ ପାରେ। ପ୍ରତାପ ବାବୁଙ୍କର ସଂସ୍କୃତ ସାକ୍ଷାତ୍କାରଟିକୁ ମୁଁ ଶୁଣିବାକୁ ଚେଷ୍ଟା କରୁଥିଲି। ସେ ଏତେ ତୀବ୍ର ଗତିରେ ସଂସ୍କୃତ କହୁଥିଲେ ଯେ, ସେଥିରେ ମୋତେ ଗୋଟିଏ ଶବ୍ଦକୁ ବୁଝିବା କାଠିକର ହେଉଥିଲା। ତେଣୁ ଯାହା ବୁଝି ନହୁଏ ତାହା ସଂସ୍କୃତ ବୋଲି ଆମେ କହିପାରିବା କି? ଲୋକ ଜୀବନରେ ଯେଉଁ ଭାଷାର କୌଣସି ବ୍ୟବହାର ଆଉ ନାହିଁ, ତାକୁ ଲୋକସଭାରେ ଭାଷା ବୋଲି ବାହାଷ୍ଫୋଟ ମାରିବାର ମାନେ କଣ? ତେବେ ଏହି ଘଟଣାର ପରବର୍ତ୍ତୀ ପ୍ରତିକ୍ରିୟା ଆମେ ଉତ୍ତର ପ୍ରଦେଶରେ ଦେଖୁଛୁ। ଉତ୍ତର ପ୍ରଦେଶ ସରକାର କହିଲେଣି, ଏଣିକି ସବୁ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ମଧ୍ୟ ପ୍ରକାଶ ପାଇବା। ଏଇ ସମଗ୍ର ଘଟଣାକ୍ରମ ର ମଞ୍ଜକଥାଟି ଏଇଆ । ଦେବତା ଓ ବ୍ରାହ୍ମଣଙ୍କର ପ୍ରାୟ ମରିଆସୁଥିବା ଓ ଏ ଦେଶର ମାତ୍ର ୦.୦୦୧% ଲୋକ ଜାଣିଥିବା ଏକ ଭାଷାକୁ ଲୋକତନ୍ତ୍ରର ଭାଷା ଭାବରେ ପ୍ରତିଷ୍ଠା କରିବାର ଏ ଉଦ୍ୟମ ପଛରେ କେତେ ବଡ ଷଡଯନ୍ତ୍ର ରହିଛି, ତାକୁ ବୁଝିଲା ବେଳକୁ ନେଡି ଗୁଡ କହୁଣୀକି ବୋହି ସାରିଥିବ!

ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ Sankhipta ଆପ୍

Categories
ଆଜିର ଖବର

ସପ୍ତଦଶ ଲୋକସଭାର କନିଷ୍ଠ ସଦସ୍ୟ ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର ଆସନରୁ ବିଜୁ ଜନତା ଦଳର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁ ଦେଶର କନିଷ୍ଠତମ ସାଂସଦ ହେବାର ଗୌରବ ହାସଲ କରିଛନ୍ତି। ୨୫ ବର୍ଷ ବୟସ୍କା ଏହି ଇଞ୍ଜିନିୟରିଂ ସ୍ନାତକ ଜଣକ ବିଜେପିର ଅନନ୍ତ ନାୟକଙ୍କୁ ପରାସ୍ତ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି। ୨୫ ବର୍ଷ ୧୧ ମାସ ଏବଂ ୯ ଦିନର ଏହି ଯୁବତୀ ଜଣକ ବିଜେପିର ଅନନ୍ତ ନାୟକଙ୍କୁ ୬୬ ହଜାର ୨୦୩ ଭୋଟରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହେବା ସହିତ ଦେଶର କନିଷ୍ଠ ସାଂସଦ ହେବାର ଗୌରବ ହାସଲ କରିଛନ୍ତି। ଖଣିଜ ପଦାର୍ଥରେ ଭରପୁର କେନ୍ଦୁଝରରୁ ଆସିଥିବା ମୁର୍ମୁ ବେକାରୀ ସମସ୍ୟା ଦୂରୀକରଣ ତାଙ୍କର ପ୍ରାଥମିକ ଲକ୍ଷ୍ୟ ବୋଲି କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳରେ ଶିଳ୍ପ ସ୍ଥାପନର ସୁଯୋଗ ମିଳିଲେ ଏହାକୁ ହାତଛଡା କରିବି ନାହିଁ ବୋଲି ମୁର୍ମୁ କହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଗତ ଦୁଇଥର ଧରି ବିଜୟୀ ହୋଇଛି।

Categories
ଆଜିର ଖବର

ସଂସଦ ରଣନୀତି ପାଇଁ ନବ ନିର୍ବାଚିତ ସାଂସଦଙ୍କ ସହିତ ନବୀନଙ୍କ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସମସ୍ତ ନବ ନିର୍ବାଚିତ ସାଂସଦ। ନିର୍ବାଚନ ପରବର୍ତ୍ତୀ ପ୍ରଥମ ଥର ପାଇଁ ବିଜେଡି ସଂସଦୀୟ ଦଳର ବୈଠକ ବସିଛି। ନବୀନ ନିବାସରେ ସମସ୍ତ ନବ ନିର୍ବାଚିତ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ସଂସଦରେ ଏହି ନେତାଙ୍କର ଭୂମିକା ନେଇ ଏହି ବୈଠକରେ ଆଲୋଚନା ହୋଇଛି। ସମସ୍ତ ନବ ନିର୍ବାଚିତ ୧୨ ଜଣ ସାଂସଦ ଏହି ବୈଠକରେ ଉପସ୍ଥିତ ଥିଲେ। ନବୀନଙ୍କ ସହିତ ଏହି ବୈଠକରେ ଭର୍ତ୍ତୂହରି ମହତାବ, ଅଚ୍ୟୁତ ସାମନ୍ତ ଏବଂ ଅନୁଭବ ମହାନ୍ତି ଉପସ୍ଥିତ ଅଛନ୍ତି। ଏମାନଙ୍କ ବ୍ୟତିତ ଚନ୍ଦ୍ରାଣୀ ମୁର୍ମୁ, ପିନାକୀ ମିଶ୍ର ଏବଂ ମଞ୍ଜୁଲତା ମଣ୍ଡଳ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଏହା ସହିତ ନିଜର ସଂସଦୀୟ କ୍ଷେତ୍ରରେ କିପରି ବିକାଶ ମୂଳକ କାର୍ଯ୍ୟ କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି।

Categories
ଆଜିର ଖବର

ଡିଏମ୍‌କେ ସାଂସଦ ବାସନ୍ତୀ ଷ୍ଟାନ୍‌ଲେ ମୃତ

ପୂବର୍ତନ ଡିଏମ୍‌କେ ସାଂସଦ ବାସନ୍ତୀ ଷ୍ଟାନ୍‌ଲେଙ୍କ ପ୍ରାଣହାନି ଘଟିଛି। ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ଡିଏମ୍‌କେର ରାଜ୍ୟସଭା ସାଂସଦ ରହିଥିଲେ ଷ୍ଟାନ୍‌ଲେ। ୫୬ ବର୍ଷୀୟା ଷ୍ଟାନ୍‌ଲେ ଶନିବାର ବିଳମ୍ବିତ ରାତ୍ରରେ ପ୍ରାଣ ହରାଇଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ। ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ ରବିବାର ଟ୍ବିଟ୍ଟର ଜରିଆରେ ଷ୍ଟାନ୍‌ଲେଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ବାସନ୍ତୀ ସର୍ବଦା ଦଳର ଜଣେ ପ୍ରମୁଖ କର୍ମୀ ରହି ଆସିଥିଲେ ଏବଂ ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ଷ୍ଟାଲିନ କହିଛନ୍ତି। ରବିବାର ଷ୍ଟାନ୍‌ଲେଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏମ୍‌ କେ ଷ୍ଟାଲିନ୍‌ଙ୍କ ସମେତ ଅନେକ ଡିଏମ୍‌କେ ନେତା ଉପସ୍ଥିତ ଥିଲେ।

Categories
ଆଜିର ଖବର

ଆୟକର ବିଭାଗ ଚଢାଉ : ୨୮୧ କୋଟିର ହଓ୍ବାଲା ଅର୍ଥ ଜବତ

ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଥିଲା। ଯାହ ଦ୍ବାରା ୨୮୧ କୋଟି ଟଙ୍କାର ହଓ୍ବଲା ନେଟ୍ଓ୍ବର୍କ ଅର୍ଥ ମିଳିଥିବା ବେଳେ ୧୪ କୋଟି ଟଙ୍କାର ନଗଦ ଅର୍ଥ ମିଳିଥିଲା। ଆଜି ପୁନର୍ବାର ଜାରି ରହିଥିବା ଏହି ରେଡ୍‌ରୁ ଆଉ ୨୦ କୋଟି ଟଙ୍କା ଜବତ କରାଯାଇଛି। ଏକ ଗାଡିରେ ଦିଲ୍ଲୀର ଏକ ରାଜନୈତିକ ଦଳର ମୁଖ୍ୟାଳୟକୁ ଏହି ଅର୍ଥ ନିଆଯାଉଥିଲା ବୋଲି ଆୟକର ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହା ସହିତ ଏହି ଚଢାଉରେ ୨୫୨ ବୋତଲ ମଦ ଜବତ କରାଯାଇଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮୦ ରୁ ଅଧିକ କମ୍ପାନୀର ୨୩୦କୋଟି ଟଙ୍କାର ତଥ୍ୟ ହାସଲ ହୋଇଥିବା ବେଳେ  ଦିଲ୍ଲୀର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅନେକ ବେନାମୀ ସମ୍ପତ୍ତି ଠାବ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଆୟକର ବିଭାଗ ରବିବାର ଦିନ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ ଏବଂ ଗୋଆର ପ୍ରାୟ ୫୦ ଟି ସ୍ଥାନର ଏକକାଳୀନ ଚଢାଉ କରିଥିଲେ। ଏହି ରେଡରେ ଏମପି ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅନେକ ନିକଟତରଙ୍କ ଅଫିସ ଏବଂ ଘରେ ରେଡ କରାଯାଇଥିଲା। ଏହା ମଧ୍ୟରେ କମଲନାଥଙ୍କ ପୁତୁରା ରତୁଲ୍‌ ପୁରୀ, ପ୍ରବୀଣ କକ୍କଡ ଏବଂ ରାଜେନ୍ଦ୍ର କୁମାର ମିଗ୍‌ଲାନୀ ଅନ୍ତର୍ଭୁକ୍ତ। କମଲନାଥ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରି କହିଥିଲେ ଯେ ସାଧାରଣ ନିର୍ବାଚନ ସମୟରେ ଏହିପରି ପଦକ୍ଷେପ ହେବ ବୋଲି ଆମେ ଜାଣିଥିଲୁ, ଅନ୍ୟପଟେ ବିଜେପି କହିଛି ଯେ କମଳନାଥ ନିଜର ସହଯୋଗୀଙ୍କୁ ସଂରକ୍ଷଣ ଦେଉଥିବା ଗମ୍ଭୀର ଅଭିଯୋଗ ଲଗାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ବିଶେଷ ଖବର

୭ଟି ଲୋକସଭା ଆସନ ୨୦ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

କଂଗ୍ରେସ ପକ୍ଷରୁ ଚଳିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ଆସନ ତାଲିକାରେ ରହିଛି ପୁରୀ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ବର।

ଲୋକସଭା ପ୍ରାର୍ଥୀ-

୧-ପୁରୀ- ସତ୍ୟପ୍ରକାଶ ନାୟକ

୨-କେନ୍ଦୁଝର-ଫକୀର ମୋହନ ନାୟକ

୩-କେନ୍ଦ୍ରାପଡା- ଧରଣୀଧର ନାୟକ

୪-ଜଗତସିଂହପୁର- ପ୍ରତିମା ମଲ୍ଲିକ

୫-ଢେଙ୍କାନାଳ- କାମାକ୍ଷା ପ୍ରସାଦ ସିଂ ଦେଓ

୬-ଭଦ୍ରକ- ମଧୁମିତା ସେେଠୀ

୭-ବାଲେଶ୍ବର- ନବଜ୍ୟେତି ପଟ୍ଟନାୟକ

ବିଧାୟକ ପ୍ରାର୍ଥୀ-

୧-ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ

୨-ପାଟଣା-ଶ୍ରୀ ଗୋପେଶ୍ୱର ନାୟକ

୩-ଯଶିପୁର- ଶ୍ରୀ ମହେନ୍ଦ୍ର ନାୟକ

୪-ଉଦଳା- ଶ୍ରୀ ବେଣୁଧର ମହାପାତ୍ର

୫-ବାରିପଦା- ଶ୍ରୀ ଦଶରଥ ସିଂହ

୬-ଭୋଗରାଇ- ଶ୍ରୀ ସତ୍ୟଶିବ ଦାସ

୭-ବସ୍ତା- ଶ୍ରୀ ବିଜୟ ନାୟକ

୮-ରେମୁଣା- ଶ୍ରୀ ପ୍ରତାପ ସେଠୀ

୯-ବାସୁଦେବପୁର- ଶ୍ରୀ ଅଶୋକ କୁମାର ଦାସ

୧୦-ଧାମନଗର- ଶ୍ରୀ ବିଦ୍ୟାଧର ଜେନା

୧୧-ବିଝାଂରପୁର- ଶ୍ରୀ ମନୋରଂଜନ ଦାସ

୧୨-ବରି- ଶ୍ରୀ ଉମେଶ ଜେନା

୧୩-ସୁକିନ୍ଦା- ଶରତ ରାଉତ

୧୪-ପରଜଙ୍ଗ- ଜସସ୍ୱିନୀ ରାଉତ

୧୫-ନିଆଳି- ମମତା ଭୋଇ

୧୬-ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

୧୭-ପାଟକୁରା- ଜୟନ୍ତ ମହାନ୍ତି

୧୮-ତିର୍ତୋଲ- ବିଭୁପ୍ରସାଦ ତରାଇ

୧୯-ପୁରୀ-ଅରୋ ପ୍ରସାଦ ମିଶ୍ର

୨୦-ନୟାଗଡ-ମନୋଜ କୁମାର ସାହୁ

 

 

Categories
ବିଶେଷ ଖବର

ସଂସଦକୁ ନିର୍ବାଚିତ ହୋଇ ଯାଉଥିବା ଆମର ତାରକା ଅଭିନେତା ଓ ଅଭିନେତ୍ରୀମାନେ ସତରେ କିଛି କରନ୍ତି କି?

ଦିଲ୍ଲୀପ ସାବତ

ସିନେମା କଳାକାରମାନେ ଲୋକପ୍ରିୟତାକୁ ହାସଲ କରି ରାଜନୀତିରେ ଯୋଗ ଦେଇଥାନ୍ତି। ଅଭିନୟର ଏକ ଲମ୍ବା ଅଧ୍ୟାୟ ଅତିକ୍ରମ କଲାପରେ ଦର୍ଶକଙ୍କ ପାଖରେ ରାଜନୈତିକ ଏକ ଲୋକପ୍ରିୟ ସିନେତାରକାମାନଙ୍କ ରାଜନୀତିରେ ସଂପୃକ୍ତିସୁସ୍ଥ ଓ ସଫଳ ପଦ ମର୍ଯ୍ୟାଦା ହାସଲ ଦିଗରେ ସହାୟକ ହୋଇଥାଏ। ହେଲେ ସଂସଦରେ ତଥାକଥିତ ତାରକା ସାଂସଦମାନଙ୍କ ଉପସ୍ଥାନ ଓ ସକ୍ରିୟତା ନେଇ ନିକଟରେ ସଂସଦୀୟ କାର୍ଯ୍ୟାବଳୀ ଉପରେ ତଥ୍ୟ ଭିତ୍ତିକ ଗବେଷଣା ଓ ପର୍ଯ୍ୟବେକ୍ଷଣ ରଖୁଥିବା ସଂସ୍ଥା ପିଆରଏସ୍ ଲେଜିସଲେଟିଭର ଏକ ଅନୁସନ୍ଧାନଧର୍ମୀ ରିପୋର୍ଟରୁ ଜଣାଯାଇଛି।

ଲୋକସଭାରେ ଜଣେ ସଦସ୍ୟଙ୍କ ହାରାହାରି ଉପସ୍ଥାନ ୮୨। ସେହିପରି ବରିଷ୍ଠଙ୍କ ସଦନ କୁହାଯାଉଥିବା ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୯ ପ୍ରତିଶତ। ଯଦି ଏହାକୁ ମାପକ ଭାବେ ଗ୍ରହଣ କରାଯାଏ ତେବେ ଉଭୟ ଗୃହର ସଦସ୍ୟ ହୋଇଥିବା ତଥାକଥିତ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭାରେ କେବଳ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ତାରକା ସାଂସଦଙ୍କ ଉପସ୍ଥାନ ଜାତୀୟ ହାରାହାରି ଅର୍ଥାତ୍ ୮୨ ପ୍ରତିଶତ ଠାରୁ କମ୍। ତେବେ ଖୁସିର କଥା ପଞ୍ଜାବର ଚଣ୍ଡୀଗଡ଼ ଲୋକସଭା ନିର୍ବାଚନରୁ ବିଜୟ ଲାଭ କରିଥିବା ବିଜେପି ସାଂସଦ ତଥା ବରିଷ୍ଠ ସିନେକଳାକାର କିରଣ ଖେରଙ୍କ ଉପସ୍ଥାନ ହେଉଛି ୮୫ ପ୍ରତିଶତ। ତାଙ୍କ ଉପସ୍ଥିତି ଦର୍ଶାଉଛି ଯେ,ସେ କେବଳ ଜାତୀୟ ହାର ଠାରୁ ଅନ୍ୟ ତାରକା ସାଂସଦଙ୍କ ଉପସ୍ଥାନ ଠାରୁ ସବୁଠାରୁ ଉପରେ ରହିଛନ୍ତି। ସେହିପରି ବିଜେପି ସାଂସଦ ତଥା ବେଶ୍ ପରିଚିତ ଅଭିନେତା ପରେଶ ରାୱଲ ତୃତୀୟ ସ୍ଥାନରେ ରହିଥିବାବେଳେ ବିଜେପିର ବିହାରୀ ଓ ଭୋଜପୁରୀ ଅଭିନେତା ମନୋଜ ତିୱାରୀ ଓ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ବର୍ଷିଆନ ଅଭିନେତ୍ରୀ ଶତାବ୍ଦୀ ରାୟ ଏହି ଦୁଇଜଣ ୭୬ ପ୍ରତିଶତ ଉପସ୍ଥାନ ରହି ମିଳିତ ଭାବରେ ଦ୍ୱିତୀୟ ସ୍ଥାନ ପାଇଛନ୍ତି।

ତେବେ ବିହାରରୁ ବିଜେପି ଟିକେଟରୁ ଜିତିଥିବା ବରିଷ୍ଠ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନାଙ୍କ ଉପସ୍ଥାନ ୬୮ ପ୍ରତିଶତ। ଉତ୍ତରପ୍ରଦେଶର ମଥୁରାରୁ ବିଜେପି ଟିକେଟରେ ଜିତିଥିବା ସମସ୍ତଙ୍କର ଅତି ପରିଚିତ ଡ୍ରିମଗାର୍ଲ ଭାବେ ଜଣାଶୁଣା ହେମାମାଳିନୀଙ୍କ ଉପସ୍ଥାନ ହେଉଛି ମାତ୍ର ୩୭ ପ୍ରତିଶତ। ଯଦିଓ ସେ ସଂସଦରେ ଦଶଟି ବିତର୍କରେ ଭାଗ ନେଇ ୧୧୩ଟି ପ୍ରଶ୍ନ ପଚାରିଛନ୍ତି। ଜାତୀୟ ସ୍ତରର ନେତାମାନଙ୍କ ତଥ୍ୟ ଉପସ୍ଥାପନ ବେଳେ ଆମ ଓଡ଼ିଶା କଥା ବିଚାର କରାଯାଉ। ଓଡ଼ିଶାରେ ବେଶ ନାଁ କରିଥିବା ସିନେ ତାରକା ତଥା ବ୍ରହ୍ମପୁରରୁ ଲଗାତର ଭାବେ ବିଜେଡ଼ି ଟିକେଟରୁ ଜିତୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକସଭାରେ ଉପସ୍ଥାନ ହେଉଛି ୬୮ ପ୍ରତିଶତ। ସେ ୨୦୯ଟି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ୩୧ଟି ବିତର୍କରେ ଯୋଗଦେଇଛନ୍ତି। ସେହିପରି ଓଡ଼ିଶାର ଅନ୍ୟଜଣେ ବିଶିଷ୍ଟ ଅଭିନେତା ଓଲିଉଡ ତାରକା ଅନୁଭବ ମହାନ୍ତି ରାଜ୍ୟସଭାକୁ ନିର୍ବାଚିତ ହୋଇ ୭୦ ପ୍ରତିଶତ ତାଙ୍କ ଉପସ୍ଥିତି ଥିବାର ଏହି ରିପୋର୍ଟ ଦର୍ଶାଇଛି।

ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ଅପେକ୍ଷା ରାଜ୍ୟ ସଭାରେ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୪ରୁ ରାଜ୍ୟସଭା ସଦସ୍ୟ ହୋଇଥିବା ତୃଣମୂଳ କଂଗ୍ରେସର ବିଶିଷ୍ଟ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉପସ୍ଥାନ ହେଉଛି ମାତ୍ର ୧୦ ପ୍ରତିଶତ। ସବୁଠାରୁ ଚିନ୍ତାଜନକ ଚିତ୍ରଟି ହେଉଛି ମିଥୁନଦା କୌଣସି ଗୋଟିଏ ବିତର୍କରେ ଭାଗ ନେଇନାହାନ୍ତି କି ଗୋଟିଏ ପ୍ରଶ୍ନ ବି ପଚାରି ନାହାଁନ୍ତି। କେବଳ ମିଥୁନ ଦା ନୁହଁନ୍ତି ୨୦୧୨ରୁ ରାଜ୍ୟସଭା ସଭ୍ୟ ହୋଇଥିବା ଭାରତର ବିଶିଷ୍ଟ ଅଭିନେତ୍ରୀ ରେଖା ଗଣେଶନଙ୍କ ଉପସ୍ଥାନ ହେଉଛି ମାତ୍ର ୫ ପ୍ରତିଶତ। ସେ ନାଁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ନାଁ କୌଣସି ଗୋଟିଏ ବିତର୍କରେ ଭାଗ ନେଇଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ସମାଜବାଦୀ ପାର୍ଟିରୁ ନିର୍ବାଚିତ ହୋଇଥିବା ଜୟାବଚ୍ଚନଙ୍କ ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୪ ପ୍ରତିଶତ। ସେହିପରି ବଙ୍ଗୀୟ ଅଭିନେତା ତାପସ ପାଲ ଓ ଅଭିନେତ୍ରୀ ମୁନମୁନ୍‌ ସେନଙ୍କ ଉପସ୍ଥାନ ହେଉଛି ୭୦ ପ୍ରତିଶତ।

  ସମଗ୍ର ପୃଥିବୀରେ ଭାରତ ହେଉଛି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତର ଶାସନ ବ୍ୟବସ୍ଥା ଲୋକସଭା ଓ ରାଜ୍ୟସଭାକୁ ନେଇ ପରିଚାଳିତ ହୁଏ। ଜଣେ ଜଣେ ସାଂସଦଙ୍କ ପାଇଁ ସରକାରଙ୍କ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ବେତନଭତ୍ତା ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ବ୍ୟୟିତ ହୋଇଥାଏ। ସେହିପରି ସେମାନଙ୍କ ସାଂସଦ ପାଣ୍ଠି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଏ। ଅନେକ କ୍ଷେତ୍ରରେ ସେମାନଙ୍କ ହାତ ପାଣ୍ଠି ନିର୍ଦ୍ଦିଷ୍ଟ ସମୟ ଭିତରେ ଖର୍ଚ୍ଚ ନ ହୋଇ ଫେରିଯିବାର ଅଭିଯୋଗ ହୁଏ। ଯେଉଁଠି ପାଣ୍ଠି ଅଭାବରୁ ଜନସାଧାରଣଙ୍କର ଅନେକ ସର୍ବନିମ୍ନ ଆବଶ୍ୟକତା ମେଣ୍ଟିନଥାଏ। ପାନୀୟଜଳସଡ଼କ,ଶିକ୍ଷା ବ୍ୟବସ୍ଥାଡାକ୍ତରୀସେବା ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରଭାବିତ ହୁଏ। ପ୍ରଶ୍ନ ଉଠୁଛି ଯେରାଜନୈତିକ ଦଳମାନେ ଏହି ତାରକା ସାଂସଦମାନଙ୍କ ପାଇଁ କଣ ପାଇଁ ଅଲଗା ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଏହି ତଥାକଥିତ ତାରକାମାନେ ନିଜ ଚଳଚ୍ଚିତ୍ରର ଅଭିନୟ ଯାଦୁପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାନ୍ତି। କିନ୍ତୁ ସେମାନେ ଯଦି ସଂସଦରେ ସେମାନଙ୍କ ସୁଖଦୁଃଖ ଅଭିଯୋଗ କରିବାତ ଦୂରର କଥା ସର୍ବନିମ୍ନ ଉପସ୍ଥାନ ଠାରୁ ଯଦି ପଛେଇ ଥାଆନ୍ତି ତାହାଲେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହାଠାରୁ ଦୁର୍ଭାଗ୍ୟ ଜନକ ପ୍ରସଙ୍ଗ ଆଉ କିଛି ନଥାଇପାରେ।

ଅପର୍ଯ୍ୟାପ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ତାରକାମୟ ବ୍ୟକ୍ତିତ୍ୱ ବହୁତ କିଛି ଥାଇପାରେ ସତ କିନ୍ତୁ ସେମାନଙ୍କୁ ନିର୍ବାଚିତ କରି ଭାରତ ରାଜନୈତିକ ଦଳମାନେ ଖୁସି ମନେକରିପାରୁଥାନ୍ତି ସତ କିନ୍ତୁ ସେମାନେ ଯେଉଁମାନଙ୍କ ସ୍ୱାର୍ଥ ପାଇଁ ନିର୍ବାଚିତ ଯଦି ସେମାନଙ୍କ ଭଲମନ୍ଦ ସଂସଦରେ ଉପସ୍ଥାପନ କରି ସେମାନଙ୍କ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା ନକରି ପାରନ୍ତି ତାହେଲେ ସେମାନଙ୍କ ନିର୍ବାଚିତ ହେବାର ଆବଶ୍ୟକତା କଣ ପାଇଁଆମରି ମାନଙ୍କ ଝାଳବୁହା ଧନର ଟିକସରୁ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ଭରଣ ହୋଇଥାଏ। ଆମରି ମାନଙ୍କ ଦୁଃଖ ଦୁର୍ଦ୍ଦଶାଅଭାବଆବଶ୍ୟକୀୟତାର ଚିତ୍ର ସେମାନେ ଆମରି ମାନଙ୍କ ପ୍ରତିନିଧି ଅଥଚ ଆମ ମାନଙ୍କ ପାଇଁ ନିର୍ବାଚିତମନୋନୀତ ହୋଇ ସେମାନେ ଯଦି ସଂସଦରେ ପାଦଟି ପକେଇ ପାରୁନାହାନ୍ତି ବା ସରକାରଙ୍କ ତର୍କବିତର୍କରେ ଆଲୋଚନାରେ ଭାଗ ନେଇପାରୁନାହାନ୍ତି ତାହାଲେ ସେମାନଙ୍କୁ ସଂସଦକୁ ପଠଉଥିବା ରାଜନୈତିକ ଦଳମାନେ ଥରଟିଏ ଚିନ୍ତା କରନ୍ତୁ ଆଉ ସେମାନେ ନିଜ ବିବେକକୁ ମଧ୍ୟ ଏହି ପ୍ରଶ୍ନଟି ପଚାରନ୍ତୁ ଯେସେମାନେ ସାମଗ୍ରିକ ଭାବେ ଜଣେ ନେତା ନହେଲେ ଆମମାନଙ୍କର ଜନପ୍ରତିନିଧି ତଏ ବିଚାର ସେମାନଙ୍କର। ସେମାନଙ୍କ ଜନପ୍ରତିନିଧି ଭାବରେ ସକ୍ରିୟତା ଓ ସଂସଦୀୟ କାର୍ଯ୍ୟକ୍ରମରେ ଯୋଗଦାନ ଦ୍ୱାରା କେବଳ ଆମ ମାନଙ୍କର ନୁହେଁ ଦେଶର ମଙ୍ଗଳ ସାଧନା ହେବ ଏବଂ ସେମାନଙ୍କର ଦୀର୍ଘଦିନର ଅଭିଜ୍ଞତା ଏବଂ ବିଜ୍ଞତାର ସଦୁପଯୋଗ ମଧ୍ୟ ହୋଇପାରିବ।

Categories
ବିଶେଷ ଖବର

ଓଡିଶା ବିଜେପିର “ମିଶନ ୧୨୦+” ରୁ “ମିଶନ ଆତ୍ମହତ୍ୟା”- ବିଜେଡି ପାଇଁ ବିଜୟପଥ ପରିଷ୍କାର କରୁଛି କି ବିଜେପି ?

କେଦାର ମିଶ୍ର

ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନ ସିଧାସଳଖ ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ମାମଲାରେ ପଶ୍ଚିମ ଓଡିଶାର ସଂଘ ଦାୟିତ୍ବରେ ଥିବା ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ବିଜେପି ଭିତରେ ଥିବା ସଂଘର ପୁରୁଣା କର୍ମକର୍ତ୍ତାଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବାର ଗୁରୁତର ଅଭିଯୋଗ ଶ୍ରୀ ଚୌହାନ ଆଣିଛନ୍ତି। ସଂପୃକ୍ତ ଅଧ୍ୟାପକ ଓ ସଂଘ କର୍ମକର୍ତ୍ତାଜଣକ ନିଜର ଦୁର୍ନୀତି ପାଇଁ ବେଶ ଜଣାଶୁଣା ହୋଇଥିବାବେଳେ ତାଙ୍କୁ ଏବେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି। ସେହି ଅଧ୍ୟାପକ ଜଣକ ଜଣେ ଅହଙ୍କାରୀ କେନ୍ଦ୍ରମନ୍ତ୍ରୀଙ୍କ ହାତବାରିସି ସାଜି ରାଜ୍ୟ ସଙ୍ଗଠନକୁ ତଳି ତଳାନ୍ତ କରି ଚାଲିଛନ୍ତି ବୋଲି କୁହାଯାଉଛି। ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସମୀକ୍ଷା ଡଟ କମ କୁ ଏକ ସ୍ଵତନ୍ତ୍ର ସାକ୍ଷାତ୍କାର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ନିଜର ଜୀବନ ସମର୍ପିତ କରିଥିଲେ ସେମାନେ ଆଜି ଦଳ ଭିତରେ ପ୍ରଚୁର ନିର୍ଯାତନା ଓ ଉପେକ୍ଷା ଭୋଗୁଛନ୍ତି।

ଦଳ ଏବେ ଜଣେ ବ୍ୟକ୍ତିର ଅହଂକାର ଆଗରେ ମୁଣ୍ଡ ଝୁଙ୍କାଇ ଠିଆ ହୋଇଛି ବୋଲି ଶ୍ରୀ ଚୌହାନ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦଳର ବହୁ ପୁରୁଣା କର୍ମକର୍ତ୍ତା ସମର୍ଥନ କରିଛନ୍ତି। ଶ୍ରୀ ଚୌହାନଙ୍କ ପରି ବହୁ ପୁରୁଖା ବିଜେପି କର୍ମୀ ଏବେ ଦଳ ବିରୋଧରେ ଓ ସଂଘ ଭିତରେ ଚାଲିଥିବା ପ୍ରିୟା ପ୍ରୀତି ତୋଷଣ ବିରୋଧରେ ମୁହଁ ଖୋଲିଛନ୍ତି।  ଏବେ ସୋସିଆଲ ମିଡିଆରେ ସଂଘ ପରିବାରର ବହୁ ପୁରୁଣା କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଦଳର ଯେଉଁ ୧୨୦+ ମିଶନ ଥିଲା ତାହା କେବଳ ବାହାନା ମାତ୍ର। ଏବେ ଦଳ ଆତ୍ମହତ୍ୟା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ବୋଲି ଏମାନେ କହିଛନ୍ତି।

ଦଳର ପୁରୁଣା କର୍ମୀ ଓ ନେତା ଏବେ ବିଜେପିର ହାତ ଛାଡୁଥିବା ବେଳେ ବିଜେପି ଅଧିକରୁ ଅଧିକ ଅମଲାଙ୍କ ଉପରେ  ନିର୍ଭର କରୁଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାତାରାତି ବିଜେପିରେ ଯୋଗ ଦେଇ ଟିକଟ ପାଇବା ଦଳର କି ଉପକାରରେ ଲାଗିବ ବୋଲି ଏବେ ପ୍ରଶ୍ନ ଉଠା ଯାଉଛି। ସରକାରରେ ଥିବାବେଳେ ସବୁ ସୁଖ ସୁବିଧା ଉପଭୋଗ କରିଥିବା ଅମଲାମାନେ ଦଳୀୟ ସଂଗଠନ ଉପରେ କେବଳ ବୋଝ ହେବେ ବୋଲି କର୍ମୀମାନେ ଯାହା କହୁଛନ୍ତି, ତାହାର ଯଥେଷ୍ଟ ସତ୍ୟତା ରହିଛି। ଗୋଟେ ପକ୍ଷରେ ବିଜେପି ଓଡିଶାର ବିଜେଡି ସରକାର କୁ ଅମଲାଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ସରକାର ବୋଲି ଆକ୍ଷେପ କରୁଛି, କିନ୍ତୁ ଅପର ପକ୍ଷରେ ଦଳ ଡାକିହାକି ଦଳ ବାହାରୁ ଅମଲା ଓ ବାବୁମାନଙ୍କୁ ଟିକଟ ବାଣ୍ଟୁଛି। ଏହା ବିଜେପିର ଚରମ ଅପାରଗତା ଓ ନିଜ ସଂଗଠନ ଉପରେ ଦଳର ଯେ ଆସ୍ଥା ନାହିଁ, ସେକଥା ପ୍ରମାଣିତ ହୋଇ ଯାଉଛି।

ବିଜେପିର ଟିକଟ ବଣ୍ଟନ ପ୍ରକ୍ରିୟାରୁ ଏମିତି ମନେ ହେଉଛି ଯେ, ସତେକି ବିଜେପି ବିଜେଡି ପାଖରେ ନିଜକୁ ସମର୍ପଣ କରି ଦେଇଛି। କେବଳ ଟେଲିଭିଜନ ପର୍ଦ୍ଦାରେ ନବୀନଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ବ୍ୟତୀତ ବିଜେପି ବାକି ସବୁ କ୍ଷେତ୍ରରେ ନବୀନଙ୍କୁ ସୁହାଇଲା ଭଳି କାମ କରୁଛି ବୋଲି ଏବେ ଅଭିଯୋଗ ଆସିଲାଣି। ପଶ୍ଚିମ ଓଡିଶା ଲାଗି ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଏହା ଏକ ପ୍ରକାର “ନିର୍ବାଚନ ଫିକ୍ସିଙ୍ଗ” ବୋଲି ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି। ଉପରେ ଉପରେ ନବୀନ ବିରୋଧୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ମାନଙ୍କୁ କେବଳ ନାଟକ ପାଇଁ ବ୍ୟବହାର କରାଯାଉଛି। ଠିକଣା ସମୟରେ ଏମାନଙ୍କୁ ମଧ୍ୟ ଫୋପାଡି ଦିଆଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇତି ମଧ୍ୟରେ ଜାତୀୟ ସ୍ତରର ରାଜନୀତି ଦ୍ରୁତ ଗତିରେ ବଦଳୁଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସ ବିରୋଧରେ ଯେତେ ପ୍ରଚାର କଲେ ମଧ୍ୟ ଏହି କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ୨୦୧୪ର ସମକକ୍ଷ ହେବନାହିଁ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ନବୀନଙ୍କ ବିଜୁ ଜନତା ଦଳ ଉପରେ ମୋଦୀ ସରକାରର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ନବୀନଙ୍କ ନିର୍ବାଚନୀ କୌଶଳ ଓ ଲୋକପ୍ରିୟତା ଆଗରେ ରାଜ୍ୟ ବିଜେପି ସ୍ପର୍ଦ୍ଧା ର ସହିତ ଠିଆ ହୋଇ ପାରୁନାହିଁ। ତେଣୁ ଜାଣିଶୁଣି ବିଜେପି ନିଜକୁ ଦୁର୍ବଳ କରୁଛି ବୋଲି ଏକ ଭିନ୍ନମତ ଏବେ ଗଢି ଉଠୁଛି। ଦୁର୍ବଳ ପ୍ରାର୍ଥୀ ଚୟନ କରି ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଭଳି ଲୋକସଭା ଆସନକୁ ଦଳ ଆରମ୍ଭରୁ ହାତଛଡା କରି ସାରିଛି।

ବିଜେପି ବୋଧେ ଏହି ନିର୍ବାଚନକୁ ଆଉ ଗୁରୁତ୍ଵ ଦେଇ ଲଢିବାକୁ ଚାହୁନି ବୋଲି ବିଜେପିର ବହୁ ପୁରୁଣା କର୍ମକର୍ତ୍ତା ଏବେ ପ୍ରଶ୍ନ  ଉଠାଇବା ଆରମ୍ଭ କଲେଣି।

Categories
ବିଶେଷ ଖବର

ଆଡଭାନୀଙ୍କୁ ବାଧ୍ୟତାମୂଳକ ଅବସର ଦେଲା ବିଜେପି, ତାଙ୍କ ଆସନରେ ଛିଡା ହେବେ ଅମିତ ସାହା; ଘୋଷଣା ହୋଇଥିବା ୧୮୪ଟି ଆସନରେ କିଛି ବଡ ପରିବର୍ତ୍ତନ ନାହିଁ

ସମୀକ୍ଷା ବ୍ୟୁରୋ

ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ ଶିଖି ନାହିଁ।

ତେବେ ୨୦୧୩ମସିହା ଜୁନ ୯ତାରିଖରେ ମୋଦିଙ୍କୁ ଗୁଜୁରାଟରୁ ଆଣି ଯେତେବେଳେ ଦଳର ସର୍ବଭାରତୀୟ ପ୍ରଚାର କମିଟର ଅଧ୍ୟକ୍ଷ କରାଗଲା ସେତେବେଳେ ଆଡଭାନୀଙ୍କୁ ଦଳରେ କଣଠୋସା କରିବା ଆରମ୍ଭ ହେଲା। ଏହାପରେ ୯୧ବର୍ଷିୟ ଏହି ବରିଷ୍ଠ ନେତାଙ୍କୁ ଚୁପ ବସାଇବାରେ ସଫଳ ହୋଇଥିଲେ ମୋଦି ସାହା ମେଣ୍ଟ। ଆଡଭାନୀଙ୍କୁ ମାର୍ଗ ଦର୍ଶକ ଭାବେ ଏକ ଗୁରୁତ୍ବହୀନ ପଦବୀରେ ବସାଇ ମନ୍ତ୍ରୀ ପଦ କାଟି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଡଭାନୀ ଯେଉଁ ସାଂସଦ ପଦଟିକୁ ବଜାଇ ରଖିଥିଲେ ତାହା ମଧ୍ୟ ଏହି ମୋଦିସାହା ମେଣ୍ଟ ଛଡାଇ ନେଲେ। ଏକଦା ଅଟଳ ବିହାରୀ ବାଜେପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ଦେଶରେ ବିଜେପି ସଂଗଠନର ମୂଳଦୂଆ ପକାଇଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ବଦଳି ଯାଇଛି। ଖଣ୍ଡିଏ ଟିକେଟ ମଧ୍ୟ ପାଇବାରେ ବିଫଳ ହୋଇଛନ୍ତି ଏହି ଲୌହ ପୁରୁଷ।

ବିଜେପି ଚୟନ କମିଟର ମୁଖ୍ୟ ଜେ.ପି ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳର ୧୮୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ଆଡଭାନୀଙ୍କୁ ଛାଡିଦେଲେ ଆଉ କିଛି ବଡ ପରିବର୍ତ୍ତନ କରାଯାଇ ନାହିଁ। କାରଣ ପ୍ରାୟତଃ ସମସ୍ତ ଆସନରେ ଦଳ ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବାରଣାସୀରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବାକୁ ଯାଉଥିବା ବେଳେ ରାଜନାଥ ସିଂ ତାଙ୍କର ସେହି ପୁରୁଣା ଆସନ ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି। ଦଳର ବରିଷ୍ଟ ନେତା ନୀତିନ ଗଡକରୀ ସେହିପରି ତାଙ୍କର ପୂର୍ବ ଆସନ ନାଗପୁରରୁ ଲଢିବେ। ଏଥର ସେ ପୂର୍ବ ଅପେକ୍ଷା ଅଧିକ ଭୋଟରେ ଜିତିବେ ବୋଲି ଟିକେଟ ପାଇବା ପରେ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥୀରୁ ପ୍ରତିଦ୍ବନ୍ଦିତା କରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବା ପାଇଁ ଦଳ ତାଙ୍କୁ ସେଠାରେ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ପଶ୍ଚିମ ବଂଗର ତାଙ୍କର ଆସନସୋଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ଏଥର ସେ ତ୍ରୁଣମୂଳ କଂଗ୍ରେସ ମୁନମୁନ ସେନଙ୍କୁ ମୁକାବିଲା କରିବେ। ହେମାମାଳିନୀ ତାଙ୍କର ପୂର୍ବ ପରି ମଥୁରା ଆସନରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେପି ଘୋଷଣା କରିଛି। ବିହାରରେ ବିଜେପିର ବର୍ତ୍ତମାନ ସମସ୍ତ ୧୭ଜଣ ସାଂସଦଙ୍କୁ ପୁଣି ଥରେ ଟିକେଟ ଦେଇଛି। ହେଲେ ତାଙ୍କର ନାମ ବିହାରରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୂର୍ବତ୍ତନ ଆର୍ମି ଚିଫ ତଥା କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଗାଜିଆବାଦରୁ ପ୍ରତିଦ୍ବନ୍ଦିତା କରିବେ। କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମଧ୍ୟ ସେହିପରି ଗୌତମବୁଦ୍ଧ ନଗର ଆସନ ପାଇଁ ଟିକେଟ ଦିଆଯାଇଛି।

Categories
ବିଶେଷ ଖବର

ଦଳବଦଳ କରି ଅନାମଧେୟ ନେତା ରାତାରାତି ନାମଜାଦା ହେବା ପଛରେ ଗଣମାଧ୍ୟମର ଭୂମିକାକୁ ଆମେ ଷଡଯନ୍ତ୍ର ବୋଲି କହି ପାରିବା କି ?

କେଦାର ମିଶ୍ର

ଋଷଭ ନନ୍ଦ କିଏ?

ପ୍ରମୋଦ ପଟ୍ଟନାୟକ କିଏ?

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ। ଆଗରୁ ଲୋକ ସମର୍ଥନ ଥିବା ସତ୍ତ୍ୱେ ଯଦି ଦଳ ଟିକଟ ଦେଉନଥିଲା, ତାହେଲେ ସଂପୃକ୍ତ ନେତା ସ୍ଵାଧୀନ ଭାବରେ ନିର୍ବାଚନ ଲଢି ନିଜର ପତିଆରା ପ୍ରଦର୍ଶନ କରୁଥିଲେ।

ଗତ ଚାରୋଟି ବିଧାନସଭାର ବିଜୟୀ ସଦସ୍ୟଙ୍କ ତାଲିକା ଦେଖିଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ, ସ୍ଵାଧୀନ ଭାବରେ ନିର୍ବାଚନ ଲଢି ସଫଳ ହେଉଥିବା ନେତାଙ୍କ ସଂଖ୍ୟା ଏବେ ଯଥେଷ୍ଟ କମ। ଗତ ବିଧାନସଭାରେ କେବଳ ଜର୍ଜ ତିର୍କୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ସ୍ଵାଧୀନ ସଦସ୍ୟ ଜିତି ନଥିଲେ। ୧୯୯୦ରେ ପ୍ରଚଣ୍ଡ ବିଜୁ ପଟ୍ଟନାୟକ ହାୱା ସତ୍ତ୍ୱେ ପଂଚାନନ ମିଶ୍ର ନାମକ ଜଣେ ଯୁବକ ବିନିକା ବିଧାନସଭା ଆସନରୁ ସେତେବେଳେ ଅଶି ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଆସିଥିଲେ। ସ୍ଵାଧୀନ ଭାବରେ ଲଢିକି ହେଉ ବା ଅତି ଛୋଟ ରାଜନୈତିକ ଦଳର ପ୍ରତିନିଧି ଭାବରେ ଏକଦା ଓଡିଶାରୁ ଗୋଟେ ବଡ ରାଜନୈତିକ ଶକ୍ତି ଉଭା ହେଉଥିଲେ। ସାମ୍ୟବାଦୀ ନେତା ପ୍ରସନ୍ନ କୁମାର ପଣ୍ଡା, ବାଳଗୋପାଳ ମିଶ୍ର, ଅରୁଣ ଦେ, ଶମ୍ଭୁନାଥ ନାୟକ, ରାଧାକାନ୍ତ ସେଠି, ଜର୍ଜ ତିର୍କୀଙ୍କ ଭଳି ନିଜ ଦମ୍ଭରେ ନିର୍ବାଚନ ଲଢି ଜିତିପାରିବାର ତାକତ ଥିବା ନେତା ଏବେ ଆଉ ଆମ ପାଖରେ ନାହାନ୍ତି। ଏହାର କାରଣ ଦୁଇ ପ୍ରକାର। ପ୍ରଥମତଃ ବର୍ତ୍ତମାନ ସମୟରେ ନିର୍ବାଚନ ଖର୍ଚ୍ଚ ବହୁ ପରିମାଣରେ ବଢି ଯାଇଛି, ଯାହାକୁ ଜଣେ ସାଧାରଣ ରାଜନେତା ବହନ କରିପାରିବ ନାହିଁ। ଦ୍ବିତୀୟରେ ଲୋକଙ୍କୁ ସଂଗଠିତ କରି ରାଜନୈତିକ ଆଧାର ସୃଷ୍ଟି କରିବା ଭଳି ଶକ୍ତି ନୂଆ ପ୍ରଜନ୍ମର ରାଜନେତାଙ୍କ ପାଖରେ ନାହିଁ। ସମସ୍ତେ ଏଠି ହାୱା ସହିତ ବହି ଯିବାକୁ ପ୍ରସ୍ତୁତ। ତେଣୁ ରାଜନୀତିରେ ଜଣେ ନବୀନ ପଟ୍ଟନାୟକକି ନରେନ୍ଦ୍ର ମୋଦୀ କି ରାହୁଲ ଗାନ୍ଧୀଙ୍କ ଛାଇରେ ବାକି ସମସ୍ତେ ଲିଲିପୁଟ ହେବାକୁ ବାଧ୍ୟ।

ଏହି କ୍ରମରେ ଏବେ ପ୍ରତିଦିନ ଶହ ଶହ ଲିଲିପୁଟ ଆମ ଗଣମାଧ୍ୟମରେ ନିଜର ଖେଳ କସରତ ଦେଖାଉଛନ୍ତି। ଏ ପ୍ରକାର ଲିଲିପୁଟ ସବୁ ଦଳରେ ଅଛନ୍ତି। ଏଇ ଲିଲିପୁଟମାନେ ମଧ୍ୟ ଦୁଇ ପ୍ରକାର ଉତ୍ସରୁ ଆସିଥାନ୍ତି। ଗୋଟେ ଦଳରେ ଥାଇ ଏମାନେ ଯେତେବେଳେ ସେ ଦଳ ଭିତରେ ଅପ୍ରାସଙ୍ଗିକ ହୋଇ ପଡନ୍ତି, ସେତେବେଳେ ତାଙ୍କର ବିବେକ ହଠାତ ଜାଗ୍ରତ ହୁଏ ଓ ଦଳର ନେତାଙ୍କୁ ଗାଳି କରି ସେମାନେ ଦଳ ଛାଡନ୍ତି। ଆଉ ଦଳେ ଅଛନ୍ତି, ଯେଉଁମାନଙ୍କର ଏକମାତ୍ର ପରିଚୟ ହେଉଛି, ସେମାନେ କାହାର ଗୋଟେ ପୁଅ, ଝିଅ, ଭାଇ, ପୁତୁରା, ସ୍ତ୍ରୀ କିମ୍ବା ସମ୍ପର୍କୀୟ। ଟିକଟ ବଣ୍ଟନ ବେଳେ ଆମେ ଦାମୋଦର ରାଉତଙ୍କ ପୁଅ ଓ ଝିଅ, ଯୋଗେନ୍ଦ୍ର ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ପ୍ରଶାନ୍ତ ନନ୍ଦ ପ୍ରମୁଖଙ୍କ ପୁଅଇତ୍ୟାଦିଙ୍କ ବିଷୟରେ ବହୁତ ଚର୍ଚ୍ଚା କରୁଛେ। ଏ ପ୍ରକାର ପରାଙ୍ଗପୁଷ୍ଟଙ୍କ ବିଷୟରେ ଗଣମାଧ୍ୟମ ଅଧିକରୁ ଅଧିକ ଜାଗା ଛାଡି ଦେଉଛି।

ସବୁଦଳ କେଉଁଠି ନା କେଉଁଠି ପାରିବାରିକ ରାଜନୀତି ବିରୋଧରେ କହୁଥିବାବେଳେ ସବୁ ଦଳ ଏବେ ପାରିବାରିକ ଜମିଦାରୀ ପାଲଟି ଯାଉଛନ୍ତି। ପରିବାରବାଦ ଓ ବ୍ୟକ୍ତି ରାଜନୀତି ବିରୋଧରେ ସବୁଠୁ ଅଧିକ ପ୍ରବଚନ ଦେଉଥିବା ଭାରତୀୟ ଜନତା ପାର୍ଟି ଏବେ ପୁଅ-ପୁତୁରାଙ୍କ ଦଳ ଭାବରେ ବେଶ ଅଗ୍ରଗତି କଲାଣି। ଏବେ ବିଜେଡି ଟିକଟରୁ ବଞ୍ଚିତ କେବଳ ଲୋକସଭା ବା ବିଧାନସଭା ସଦସ୍ୟ ନୁହନ୍ତି, ତାଙ୍କ ପରିବାର ଲୋକେ ମଧ୍ୟ ବିଜେପିରେ ଜାଗା ପାଇବେ। ଯେଉଁ ବିଜେଡି ନେତା ନିଜ ପୁଅ ଝିଅଙ୍କୁ ବିଜେଡିରେ ସଫଳ କରାଇପାରିଲେ ନାହିଁ,ସେମାନେ ବିଜେପିକୁ ନିଜ ପରିବାରକୁ ପଠାଇବେ। ସମାନ କଥା ବିଜେପିରେ କି କଂଗ୍ରେସରେ ମଧ୍ୟ ଘଟିବ। କେବଳ ଟିକେଟ ଆବଣ୍ଟନ ହଟ ଚମଟରୁ ଏ ପ୍ରକାର ପାରିବାରିକ ଓ ଅନାବଶ୍ୟକ ଭାଟଗିରି କରିବାରେ ଆମର ସମୟ ଯିବ।

ଏ ପ୍ରସଙ୍ଗରେ ଗଣମାଧ୍ୟମ ଯଦି ନିଜର ଆତ୍ମସମୀକ୍ଷା ନ କରିବ ତାହେଲେ ଲୋକ ଆମକୁ ଭାଟ ବା ଯୋକର ବୋଲି ଭାବିବାକୁ ବାଧ୍ୟ ହେବେ!

Categories
ଆଜିର ଖବର

ପ୍ରଥମ ପର୍ୟାୟ ଭୋଟ ପାଇଁ ବିଜେଡ଼ି ଲୋକସଭା ପ୍ରାର୍ଥୀ ଘୋଷିତ

ପ୍ରଥମ ପର୍ଯ୍ୟାୟରେ ବିଜେଡି ତରଫରୁ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ବ୍ରହ୍ମପୁର ରୁ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ରୁ ରମେଶ ଚନ୍ଦ୍ର ମାଝି, କଳାହାଣ୍ଡି ରୁ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ କୋରାପୁଟ ରୁ କୌଶଲ୍ୟା ହିକକାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି।