Categories
ବିଶେଷ ଖବର

ଓଡିଶା ବିଜେପିର “ମିଶନ ୧୨୦+” ରୁ “ମିଶନ ଆତ୍ମହତ୍ୟା”- ବିଜେଡି ପାଇଁ ବିଜୟପଥ ପରିଷ୍କାର କରୁଛି କି ବିଜେପି ?

କେଦାର ମିଶ୍ର

ଜଣେ ବ୍ୟକ୍ତିର ଅହଂକାର ପାଖରେ ଓଡିଶା ଶାଖାର ଭାରତୀୟ ଜନତା ପାର୍ଟି ନିଜକୁ ବନ୍ଧା ପକାଇଦେଇଛି ଓ ସେହି ଲୋକର ଅହଂକାରକୁ ରାଜ୍ୟ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏକ ନିର୍ଦ୍ଦିଷ୍ଟ ନେତୃତ୍ୱ ପ୍ରୋତ୍ସାହିତ କରୁଛନ୍ତି ବୋଲି ଆଜି ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନ ସିଧାସଳଖ ଅଭିଯୋଗ କରିଛନ୍ତି। ଟିକଟ ବଣ୍ଟନ ମାମଲାରେ ପଶ୍ଚିମ ଓଡିଶାର ସଂଘ ଦାୟିତ୍ବରେ ଥିବା ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ବିଜେପି ଭିତରେ ଥିବା ସଂଘର ପୁରୁଣା କର୍ମକର୍ତ୍ତାଙ୍କ ବିରୋଧରେ ଷଡଯନ୍ତ୍ର ରଚନା କରୁଥିବାର ଗୁରୁତର ଅଭିଯୋଗ ଶ୍ରୀ ଚୌହାନ ଆଣିଛନ୍ତି। ସଂପୃକ୍ତ ଅଧ୍ୟାପକ ଓ ସଂଘ କର୍ମକର୍ତ୍ତାଜଣକ ନିଜର ଦୁର୍ନୀତି ପାଇଁ ବେଶ ଜଣାଶୁଣା ହୋଇଥିବାବେଳେ ତାଙ୍କୁ ଏବେ ବିଜେପିର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବାଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଇଛି। ସେହି ଅଧ୍ୟାପକ ଜଣକ ଜଣେ ଅହଙ୍କାରୀ କେନ୍ଦ୍ରମନ୍ତ୍ରୀଙ୍କ ହାତବାରିସି ସାଜି ରାଜ୍ୟ ସଙ୍ଗଠନକୁ ତଳି ତଳାନ୍ତ କରି ଚାଲିଛନ୍ତି ବୋଲି କୁହାଯାଉଛି। ଆଜି ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସମୀକ୍ଷା ଡଟ କମ କୁ ଏକ ସ୍ଵତନ୍ତ୍ର ସାକ୍ଷାତ୍କାର ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ଦଳ ପାଇଁ ଯେଉଁମାନେ ନିଜର ଜୀବନ ସମର୍ପିତ କରିଥିଲେ ସେମାନେ ଆଜି ଦଳ ଭିତରେ ପ୍ରଚୁର ନିର୍ଯାତନା ଓ ଉପେକ୍ଷା ଭୋଗୁଛନ୍ତି।

ଦଳ ଏବେ ଜଣେ ବ୍ୟକ୍ତିର ଅହଂକାର ଆଗରେ ମୁଣ୍ଡ ଝୁଙ୍କାଇ ଠିଆ ହୋଇଛି ବୋଲି ଶ୍ରୀ ଚୌହାନ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଦଳର ବହୁ ପୁରୁଣା କର୍ମକର୍ତ୍ତା ସମର୍ଥନ କରିଛନ୍ତି। ଶ୍ରୀ ଚୌହାନଙ୍କ ପରି ବହୁ ପୁରୁଖା ବିଜେପି କର୍ମୀ ଏବେ ଦଳ ବିରୋଧରେ ଓ ସଂଘ ଭିତରେ ଚାଲିଥିବା ପ୍ରିୟା ପ୍ରୀତି ତୋଷଣ ବିରୋଧରେ ମୁହଁ ଖୋଲିଛନ୍ତି।  ଏବେ ସୋସିଆଲ ମିଡିଆରେ ସଂଘ ପରିବାରର ବହୁ ପୁରୁଣା କର୍ମୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ୨୦୧୯ ନିର୍ବାଚନରେ ଦଳର ଯେଉଁ ୧୨୦+ ମିଶନ ଥିଲା ତାହା କେବଳ ବାହାନା ମାତ୍ର। ଏବେ ଦଳ ଆତ୍ମହତ୍ୟା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ବୋଲି ଏମାନେ କହିଛନ୍ତି।

ଦଳର ପୁରୁଣା କର୍ମୀ ଓ ନେତା ଏବେ ବିଜେପିର ହାତ ଛାଡୁଥିବା ବେଳେ ବିଜେପି ଅଧିକରୁ ଅଧିକ ଅମଲାଙ୍କ ଉପରେ  ନିର୍ଭର କରୁଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାତାରାତି ବିଜେପିରେ ଯୋଗ ଦେଇ ଟିକଟ ପାଇବା ଦଳର କି ଉପକାରରେ ଲାଗିବ ବୋଲି ଏବେ ପ୍ରଶ୍ନ ଉଠା ଯାଉଛି। ସରକାରରେ ଥିବାବେଳେ ସବୁ ସୁଖ ସୁବିଧା ଉପଭୋଗ କରିଥିବା ଅମଲାମାନେ ଦଳୀୟ ସଂଗଠନ ଉପରେ କେବଳ ବୋଝ ହେବେ ବୋଲି କର୍ମୀମାନେ ଯାହା କହୁଛନ୍ତି, ତାହାର ଯଥେଷ୍ଟ ସତ୍ୟତା ରହିଛି। ଗୋଟେ ପକ୍ଷରେ ବିଜେପି ଓଡିଶାର ବିଜେଡି ସରକାର କୁ ଅମଲାଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ସରକାର ବୋଲି ଆକ୍ଷେପ କରୁଛି, କିନ୍ତୁ ଅପର ପକ୍ଷରେ ଦଳ ଡାକିହାକି ଦଳ ବାହାରୁ ଅମଲା ଓ ବାବୁମାନଙ୍କୁ ଟିକଟ ବାଣ୍ଟୁଛି। ଏହା ବିଜେପିର ଚରମ ଅପାରଗତା ଓ ନିଜ ସଂଗଠନ ଉପରେ ଦଳର ଯେ ଆସ୍ଥା ନାହିଁ, ସେକଥା ପ୍ରମାଣିତ ହୋଇ ଯାଉଛି।

ବିଜେପିର ଟିକଟ ବଣ୍ଟନ ପ୍ରକ୍ରିୟାରୁ ଏମିତି ମନେ ହେଉଛି ଯେ, ସତେକି ବିଜେପି ବିଜେଡି ପାଖରେ ନିଜକୁ ସମର୍ପଣ କରି ଦେଇଛି। କେବଳ ଟେଲିଭିଜନ ପର୍ଦ୍ଦାରେ ନବୀନଙ୍କ ବିରୋଧରେ ଗର୍ଜନ ତର୍ଜନ କରିବା ବ୍ୟତୀତ ବିଜେପି ବାକି ସବୁ କ୍ଷେତ୍ରରେ ନବୀନଙ୍କୁ ସୁହାଇଲା ଭଳି କାମ କରୁଛି ବୋଲି ଏବେ ଅଭିଯୋଗ ଆସିଲାଣି। ପଶ୍ଚିମ ଓଡିଶା ଲାଗି ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଏହା ଏକ ପ୍ରକାର “ନିର୍ବାଚନ ଫିକ୍ସିଙ୍ଗ” ବୋଲି ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି। ଉପରେ ଉପରେ ନବୀନ ବିରୋଧୀ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ମାନଙ୍କୁ କେବଳ ନାଟକ ପାଇଁ ବ୍ୟବହାର କରାଯାଉଛି। ଠିକଣା ସମୟରେ ଏମାନଙ୍କୁ ମଧ୍ୟ ଫୋପାଡି ଦିଆଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇତି ମଧ୍ୟରେ ଜାତୀୟ ସ୍ତରର ରାଜନୀତି ଦ୍ରୁତ ଗତିରେ ବଦଳୁଛି। ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସ ବିରୋଧରେ ଯେତେ ପ୍ରଚାର କଲେ ମଧ୍ୟ ଏହି କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ୨୦୧୪ର ସମକକ୍ଷ ହେବନାହିଁ। ତେଣୁ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ନବୀନଙ୍କ ବିଜୁ ଜନତା ଦଳ ଉପରେ ମୋଦୀ ସରକାରର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ। ନବୀନଙ୍କ ନିର୍ବାଚନୀ କୌଶଳ ଓ ଲୋକପ୍ରିୟତା ଆଗରେ ରାଜ୍ୟ ବିଜେପି ସ୍ପର୍ଦ୍ଧା ର ସହିତ ଠିଆ ହୋଇ ପାରୁନାହିଁ। ତେଣୁ ଜାଣିଶୁଣି ବିଜେପି ନିଜକୁ ଦୁର୍ବଳ କରୁଛି ବୋଲି ଏକ ଭିନ୍ନମତ ଏବେ ଗଢି ଉଠୁଛି। ଦୁର୍ବଳ ପ୍ରାର୍ଥୀ ଚୟନ କରି ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଭଳି ଲୋକସଭା ଆସନକୁ ଦଳ ଆରମ୍ଭରୁ ହାତଛଡା କରି ସାରିଛି।

ବିଜେପି ବୋଧେ ଏହି ନିର୍ବାଚନକୁ ଆଉ ଗୁରୁତ୍ଵ ଦେଇ ଲଢିବାକୁ ଚାହୁନି ବୋଲି ବିଜେପିର ବହୁ ପୁରୁଣା କର୍ମକର୍ତ୍ତା ଏବେ ପ୍ରଶ୍ନ  ଉଠାଇବା ଆରମ୍ଭ କଲେଣି।

Categories
ବିଶେଷ ଖବର

ଆଡଭାନୀଙ୍କୁ ବାଧ୍ୟତାମୂଳକ ଅବସର ଦେଲା ବିଜେପି, ତାଙ୍କ ଆସନରେ ଛିଡା ହେବେ ଅମିତ ସାହା; ଘୋଷଣା ହୋଇଥିବା ୧୮୪ଟି ଆସନରେ କିଛି ବଡ ପରିବର୍ତ୍ତନ ନାହିଁ

ସମୀକ୍ଷା ବ୍ୟୁରୋ

ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ ଶିଖି ନାହିଁ।

ତେବେ ୨୦୧୩ମସିହା ଜୁନ ୯ତାରିଖରେ ମୋଦିଙ୍କୁ ଗୁଜୁରାଟରୁ ଆଣି ଯେତେବେଳେ ଦଳର ସର୍ବଭାରତୀୟ ପ୍ରଚାର କମିଟର ଅଧ୍ୟକ୍ଷ କରାଗଲା ସେତେବେଳେ ଆଡଭାନୀଙ୍କୁ ଦଳରେ କଣଠୋସା କରିବା ଆରମ୍ଭ ହେଲା। ଏହାପରେ ୯୧ବର୍ଷିୟ ଏହି ବରିଷ୍ଠ ନେତାଙ୍କୁ ଚୁପ ବସାଇବାରେ ସଫଳ ହୋଇଥିଲେ ମୋଦି ସାହା ମେଣ୍ଟ। ଆଡଭାନୀଙ୍କୁ ମାର୍ଗ ଦର୍ଶକ ଭାବେ ଏକ ଗୁରୁତ୍ବହୀନ ପଦବୀରେ ବସାଇ ମନ୍ତ୍ରୀ ପଦ କାଟି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଡଭାନୀ ଯେଉଁ ସାଂସଦ ପଦଟିକୁ ବଜାଇ ରଖିଥିଲେ ତାହା ମଧ୍ୟ ଏହି ମୋଦିସାହା ମେଣ୍ଟ ଛଡାଇ ନେଲେ। ଏକଦା ଅଟଳ ବିହାରୀ ବାଜେପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ଦେଶରେ ବିଜେପି ସଂଗଠନର ମୂଳଦୂଆ ପକାଇଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ବଦଳି ଯାଇଛି। ଖଣ୍ଡିଏ ଟିକେଟ ମଧ୍ୟ ପାଇବାରେ ବିଫଳ ହୋଇଛନ୍ତି ଏହି ଲୌହ ପୁରୁଷ।

ବିଜେପି ଚୟନ କମିଟର ମୁଖ୍ୟ ଜେ.ପି ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳର ୧୮୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ଆଡଭାନୀଙ୍କୁ ଛାଡିଦେଲେ ଆଉ କିଛି ବଡ ପରିବର୍ତ୍ତନ କରାଯାଇ ନାହିଁ। କାରଣ ପ୍ରାୟତଃ ସମସ୍ତ ଆସନରେ ଦଳ ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବାରଣାସୀରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବାକୁ ଯାଉଥିବା ବେଳେ ରାଜନାଥ ସିଂ ତାଙ୍କର ସେହି ପୁରୁଣା ଆସନ ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି। ଦଳର ବରିଷ୍ଟ ନେତା ନୀତିନ ଗଡକରୀ ସେହିପରି ତାଙ୍କର ପୂର୍ବ ଆସନ ନାଗପୁରରୁ ଲଢିବେ। ଏଥର ସେ ପୂର୍ବ ଅପେକ୍ଷା ଅଧିକ ଭୋଟରେ ଜିତିବେ ବୋଲି ଟିକେଟ ପାଇବା ପରେ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥୀରୁ ପ୍ରତିଦ୍ବନ୍ଦିତା କରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବା ପାଇଁ ଦଳ ତାଙ୍କୁ ସେଠାରେ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ପଶ୍ଚିମ ବଂଗର ତାଙ୍କର ଆସନସୋଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ଏଥର ସେ ତ୍ରୁଣମୂଳ କଂଗ୍ରେସ ମୁନମୁନ ସେନଙ୍କୁ ମୁକାବିଲା କରିବେ। ହେମାମାଳିନୀ ତାଙ୍କର ପୂର୍ବ ପରି ମଥୁରା ଆସନରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେପି ଘୋଷଣା କରିଛି। ବିହାରରେ ବିଜେପିର ବର୍ତ୍ତମାନ ସମସ୍ତ ୧୭ଜଣ ସାଂସଦଙ୍କୁ ପୁଣି ଥରେ ଟିକେଟ ଦେଇଛି। ହେଲେ ତାଙ୍କର ନାମ ବିହାରରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୂର୍ବତ୍ତନ ଆର୍ମି ଚିଫ ତଥା କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଗାଜିଆବାଦରୁ ପ୍ରତିଦ୍ବନ୍ଦିତା କରିବେ। କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମଧ୍ୟ ସେହିପରି ଗୌତମବୁଦ୍ଧ ନଗର ଆସନ ପାଇଁ ଟିକେଟ ଦିଆଯାଇଛି।