Categories
ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମୁଖ୍ୟମନ୍ତ୍ରୀ ଦିବଗଂତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ନିବେଦିତା ପ୍ରଧାନ, କୁମର ବେହେରା ଓ ରମେଶ ସୋରେନ ଏବଂ ଦିବଙ୍ଗତ ପୁଲିସ କର୍ମୀ ଦେବାଶିଷ ବିଶ୍ବାଳ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।

ଏହି ପ୍ରସ୍ତାବକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଏହାପରେ ଏକ ମିନିଟ ପାଇଁ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା। ବାଚସ୍ପତି ଦିବଗଂତ ନେତାଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହା ପୂର୍ବରୁ ଆଜି ବାଚସ୍ପତି ଭାବେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଗୃହରେ ଉପବାଚସ୍ପତି ଘୋଷଣା କରିଥିଲେ। ଏହାପରେ ସେ ବସିଥିବା ଆସନରୁ ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ହେବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କିଛି ସମୟ ପରେ ସେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ଆସନରେ ବସିଲେ ପ୍ରମିଳା ମଲ୍ଲିକ, କଲେ ଗୃହ ପରିଚାଳନା

ଭୁବନେଶ୍ବର: ଆଜି ବାଚସ୍ପତି ଭାବେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ଆଜି ସକାଳେ ପ୍ରମିଳା ନିର୍ବାଚିତ ହୋଇଛନ୍ତି ବୋଲି ଗୃହରେ ଉପବାଚସ୍ପତି ଘୋଷଣା କରିଥିଲେ।

ଏହାପରେ ସେ ବସିଥିବା ଆସନରୁ ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ହେବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କିଛି ସମୟ ପରେ ସେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଆଜି ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ଆଜି ପୂର୍ବାହ୍ନରେ ସେ ଏବଂ ବିଜେଡିର ବରିଷ୍ଠ ନେତାଙ୍କ ସହିତ ଯାଇ ବିଧାନସଭା ସଚିବଙ୍କ ପାଖରେ ଏହା ଦାଖଲ କରିଛନ୍ତି।

ତାଙ୍କ ସହିତ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହିତ ବହୁ ବିଧାୟକ ଓ ବିଧାୟିକା ଯୋଗ ଦେଇଥିଲେ।

ଆସନ୍ତାକାଲି ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ କୌଣସି ଦଳର ସଂଖ୍ୟା ନ ଥିବାରୁ ପ୍ରମିଳା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହାପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ବାଚସ୍ପତି ପଦ ପାଇଁ ଦାଖଲ କରିବେ ପ୍ରାର୍ଥୀପତ୍ର

ଭୁବନେଶ୍ବର: କିଛି ସମୟ ତଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ। ବିଜେଡି ପ୍ରମିଳାଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆସନ୍ତାକାଲି ରହିଛି ଏହି ନିର୍ବାଚନ। ତେବେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ ବୋଲି ଜଣାପଡିଛି।

ଏପଟେ ସେ ରାଜସ୍ବ ମନ୍ତ୍ରୀରୁ ଇସ୍ତଫା ଦେବା ପରେ ପରବର୍ତ୍ତି ମନ୍ତ୍ରୀ କିଏ ହେବ ସେ ନେଇ ପ୍ରକାଶ ପାଇଛି କଳ୍ପନା ଜଳ୍ପନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗର ଦାୟିତ୍ବ ଆଉ କାହାକୁ ଦେବେ ନା ମନ୍ତ୍ରୀମଣ୍ଡଳର ଅଦଳବଦଳ କରିବେ ସେ ନେଇ ଚର୍ଚ୍ଚା ଜାରୀ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ।

ତେବେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ପାଇଁ କେବଳ ବିଜେଡି ପାଖରେ ରହୁିଥିବାରୁ ଅନ୍ୟ କୌଣସି ଦଳ ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ। ଫଳରେ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ। ଆସନ୍ତାକାଲି ସେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମିଳା ମଲ୍ଲିକ, କହିଲେ ଏପରି କଥା

ଭୁବନେଶ୍ବର: ଓଡିଶା ବିଧାନସଭାର ବାଚସ୍ପତି ପାଇଁ ବିଜେଡିର ପ୍ରାର୍ଥୀ ଭାବେ ପ୍ରମିଳା ମଲ୍ଲିକଙ୍କ ନାମ ଘୋଷଣା ପରେ ସେ ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଦଳ ମୋତେ ପ୍ରାର୍ଥୀ କରିଛି। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣିତ କରିଛନ୍ତି ଯେ ମହିଳାମାନେ କେତେ ଦକ୍ଷ।

ତେବେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଁ ସମସ୍ତଙ୍କ ମନ ନେଇ କାମ କରିବି। ନିରପକ୍ଷ ଭାବେ ସମସ୍ତଙ୍କୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବି ବୋଲି ପ୍ରମିଳା କହିଛନ୍ତି।

ଏହା ବହୁ ଗୁରୁତ୍ବପୂର୍ଣ୍ଣ ପଦ। ଆଗକୁ ନିଶ୍ଚିତ ଭଲ ହେବ ବୋଲି ପ୍ରମିଳା କହିଛନ୍ତି। ତେବେ ଗୃହରେ ଜୟନାରାୟଣ ମିଶ୍ର ଏବଂ ନରସିଂହ ମିଶ୍ରଙ୍କ ପରି ସଦସ୍ୟଙ୍କୁ କିପରି ପରିଚାଳନା କରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ, ନିରପକ୍ଷ ଭାବେ ସବୁଦଳକୁ ନେଇ ଗୃହ ପରିଚାଳନା କରିବି ବୋଲି ପ୍ରମିଳା କହିଛନ୍ତି।

ଆସନ୍ତାକାଲି ପ୍ରମିଳା ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଆସନ୍ତାକାଲି ବିଧାନସଭାରେ ହେବ ବାଚସ୍ପତି ନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ଭାବେ ପ୍ରମିଳା ନାମାଙ୍କନ ଦାଖଲ କରିବେ। ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ। ଏହା ଫଳରେ ସେ ଓଡିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ହେବେ।

ଯାଜପୁର ଜିଲ୍ଲା ବିଂଝାରପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ପ୍ରମିଳା ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେ ପ୍ରଥମେ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ପୂର୍ବରୁ ସେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ମଧ୍ୟ କରିଆସିଛନ୍ତି।

ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ବର୍ତ୍ତମାନ ଉପବାଚସ୍ପତି ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଡ ନିଷ୍ପତି: ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ଗ୍ରୁପ ଡି କର୍ମଚାରୀ ନେବେ ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ

ଭୁବନେଶ୍ବର: ଗତ ୨୯ ମଇ, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ।

ଏହି ନିଷ୍ପତ୍ତି ଅନୁପାଳନପୂର୍ବକ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ନିମନ୍ତେ ଉକ୍ତ ବିଷୟ ସମ୍ବନ୍ଧୀୟ ପାଠ୍ୟକ୍ରମ ବିକଶିତ କରାଯାଉଛି। ଗ୍ରୁପ୍‌-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ, ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ୍‌-ଏ ସ୍ତରର କର୍ମଚାରୀମାନେ ମଧ୍ୟ ସମସ୍ତ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବେ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDAM), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସ୍‌ଆର୍‌ସି ଶ୍ରୀ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଓସ୍‌ଡମା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶ୍ରୀ ବୀରେନ୍ଦ୍ର କୋରକରା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସମ୍ବଲପୁରଙ୍କ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ମାନସ ରଞ୍ଜନ ପୂଜାରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ତାଲିମ୍‌, ଦକ୍ଷତା ବୃଦ୍ଧି ଏବଂ ପାଠ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବୈଷୟିକ ସହାୟତା ପ୍ରଦାନ କରିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବିଭାଗ ସ୍ତରୀୟ ସରକାରୀ (ଗ୍ରୁପ-ଏ, ଗ୍ରୁପ୍‌-ବି, ଗ୍ରୁପ-ସି ଏବଂ ଗ୍ରୁପ୍‌-ଡି) କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ। ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପାଠ୍ୟକ୍ରମକୁ ମୁକ୍ତ ଏବଂ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନ୍‌-ଲାଇନ୍‌ରେ ମାଧ୍ୟମରେ ଏହି ଚାରିଗୋଟିର ଡିଜାଇନ୍‌ ଏବଂ ବିକାଶ କରାଯାଇଛି।

ଏଥି ସହ ଶିକ୍ଷାର୍ଥୀମାନଙ୍କର ଡାଟାବେସ୍‌ ବିକାଶ, ସେମାନଙ୍କର ଅଗ୍ରଗତିକୁ ନିରୀକ୍ଷଣ କରିବା ଏବଂ ଅନଲାଇନ୍‌ ପାଠ୍ୟକ୍ରମର ସମାପ୍ତି ପରେ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଏକ େୱବ୍‌ ଆଧାରିତ ଆପ୍ଲିକେଶନ ବିକଶିତ କରାଯାଇଛି। ଅନଲାଇନ୍‌ ପାଠ୍ୟକ୍ରମକୁ ଅଧିକ ପ୍ରଭାବୀ ଏବଂ ଆଗ୍ରହପୂର୍ଣ୍ଣ କରିବା ନିମନ୍ତେ ଦୃଶ୍ୟ-ଶ୍ରାବ୍ୟ ପରି ଶିକ୍ଷଣ ସାମଗ୍ରୀ ଏବଂ ମଲ୍‌ଟିମିଡିଆ ଶିକ୍ଷଣ ପ୍ୟାକେଜ୍‌ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିତ୍ତିକ ମୂଲ୍ୟାୟନ ପାଇଁ ଅଧିକାରୀମାନଙ୍କର ମୂଲ୍ୟାଙ୍କନ, ପ୍ରମାଣପତ୍ର ଏବଂ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ତାଲିମ୍‌ଗୁଡିକ ପାଇଁ ମନୋନୀତ ଶିକ୍ଷାନୁଷ୍ଠାନରୁ ବିପର୍ଯ୍ୟୟ ପରିଚାଳନାରେ ଦକ୍ଷତା ତଥା ଅଭିଜ୍ଞତା ଥିବା ଶିକ୍ଷକ ଏବଂ ଅଭିଜ୍ଞତାସଂପନ୍ନ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଚୟନ କରାଯିବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଣିକି ରାଜ୍ୟର ସମସ୍ତ ତହସିଲରେ ସ୍ଥାପନ ହେବ ଭର୍ଚୁୟାଲ କୋର୍ଟ, ବଜେଟରେ ହେଲା ବ୍ୟବସ୍ଥା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ୨୦୨୩-୨୪ ମସିହା ବଜେଟର ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଲେ ଯେ ଓଡ଼ିଶାର ପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବହୁ ଲୋକାଭିମୁଖୀ ପଦକ୍ଷେପ ନିଆ ଯାଇଥିବାବେଳେ ଦିଆଯାଉଥିବା ସେବାଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଯାଇପାରୁଛି। ଏ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଛି।

ଭୂରାଜସ୍ୱ ପ୍ରଶାସନରେ ସମୁଦାୟ ଭାବରେ ୧୫୮୬.୭୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ମଧ୍ୟରୁ ୧୧୬୪.୭୧ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ ୪୨୨.୦୧ କୋଟି ଟଙ୍କା ପ୍ରୋଗ୍ରାମ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜବୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି । ପଞ୍ଜୀକରଣ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ପରି ପରିବର୍ତ୍ତନଶୀଳ ପଦକ୍ଷେପ ଆରମ୍ଭ କରାଯାଇଛି।

ସେହିଭଳି ସୁବିଧାରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ କାର୍ଯ୍ୟାଳୟରେ ଅନଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ରେଜିଷ୍ଟ୍ରେସନ୍‌ ଅଫିସରେ ଏହି ଆଇଟି ପଦକ୍ଷେପ ନିମନ୍ତେ ୨୯.୨୮ କୋଟିର ବ୍ୟୟ ଅଟକଳ କରାଯାଇଛି। ସରକାରୀ ଜମିର ସୁରକ୍ଷା ହେଉଛି ବିଭାଗର ଏକ ଉଚ୍ଚ ପ୍ରାଥମିକତା ଏବଂ ସେଥି ନିମନ୍ତେ ୨୦ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

୫-‘ଟି’ ଓ ‘ମୋ ସରକାର’ ନିମନ୍ତେ ୫୦ ଲକ୍ଷ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସେବାଗୁଡିକୁ ଲୋକମାନଙ୍କୁ ଜଣାଇବା ଉଦ୍ଦେଶ୍ୟରେ ୯୨.୨୦ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ରାଜସ୍ୱ ନିରୀକ୍ଷକଙ୍କ ତାଲିମ ନିମନ୍ତେ ୫୦ ଲକ୍ଷର ବ୍ୟୟ ଅଟକଳ କରାଯାଇଛି ଓ ମାନବ ସମ୍ବଳ ନିଯୁକ୍ତ କରିବା ପ୍ରକ୍ରିୟା ନିମିତ୍ତ ୩୨ ଲକ୍ଷର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି।

ସର୍ଭେ ଓ ମ୍ୟାପ ପ୍ରକାଶନ ନିମନ୍ତେ ୨୦ ଲକ୍ଷର ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ଜମିଦାରୀ ଉଚ୍ଛେଦ ନିମନ୍ତେ ଜମି ମାଲିକଙ୍କୁ କ୍ଷତିପୂରଣ ହିସାବରେ ୫୫.୭୫ ଲକ୍ଷର ବ୍ୟବସ୍ତା କରାଯାଇଛି। ଜନଗଣନା ନିମନ୍ତେ ସେଣ୍ଟ୍ରାଲ ସ୍କିମ ମାଧ୍ୟମରେ ୫୫ କୋଟିର ବ୍ୟୟ ବରାଦ କରାଯାଇଛି।

ଏହି ଅବସରରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ୫-‘ଟି’ ଚାର୍ଟର୍‌ ଏବଂ ‘ମୋ ସରକାର’ ପ୍ରବର୍ତ୍ତନ ପରେ ରାଜସ୍ୱ ବିଭାଗ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତି ହ୍ରାସ କରିବା ତଥା ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟ ପରିଦର୍ଶନ କରିବାର ଆବଶ୍ୟକତାକୁ କମ୍‌ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛି। ବିଭାଗ ପ୍ରଦାନ କରୁଥିବା ବହୁବିଧ ସେବାଗୁଡ଼ିକ ମଧ୍ୟରୁ କେବଳ ବୈଧାନିକ ଆବଶ୍ୟକତାକୁ ଛାଡି ଅଧିକାଂଶ ସେବା ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ଉପଲବ୍ଧ ଅଟେ।

ଜମିଜମା ରେକର୍ଡ ସେବା କ୍ଷେତ୍ରରେ ଧାର୍ଯ୍ୟ ସମୟସୀମାକୁ ପ୍ରକ୍ରିୟା ପୁନର୍ବିନ୍ୟାସ ଏବଂ ପ୍ରଚଳିତ ନିୟମରେ ସଂଶୋଧନ ଦ୍ୱାରା ହ୍ରାସ କରାଯାଇଛି। ସେହିଭଳି, ଜାତି ଓ ବିବିଧ ପ୍ରମାଣପତ୍ରର ସେବାରେ, ORTPS ଅଧିନିୟମ ଅନୁଯାୟୀ ଥିବା ସମୟସୀମାକୁ ହ୍ରାସ କରାଯାଇଛି ଉଦାହରଣ ସ୍ୱରୂପ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ରର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି ।

ଆବେଦନ ପ୍ରକ୍ରିୟାର ପୁନର୍ବିନ୍ୟାସ, କେତେକ କ୍ଷେତ୍ରରେ ରାଜସ୍ୱ ନିରୀକ୍ଷକଙ୍କ ଅନୁସନ୍ଧାନର ଆବଶ୍ୟକତାକୁ ହ୍ରାସ ଏବଂ ଏକ ଉପଲବ୍ଧ ଅନଲାଇନ ଆବେଦନ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ବିବିଧ ଏବଂ ଜାତିଗତ ପ୍ରମାଣପତ୍ରର ଶୀଘ୍ର ମିଳିବା ସମ୍ଭବ ହୋଇପାରିଛି।

ବିନା ମୂଲ୍ୟରେ ଏବଂ ସ୍ୱ-ଘୋଷଣା ଉପରେ ଆଧାର କରି ବିବିଧ ଏବଂ ଜାତି ପ୍ରମାଣପତ୍ର ବିତରଣ କରିବାକୁ ବିଭାଗ ବିହିତ ପଦକ୍ଷେପ ନେଇଛି। ଗତ ୩ ବର୍ଷରେ ୫-‘ଟି’ ଚାର୍ଟର ପ୍ରବର୍ତ୍ତନ ପରେ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୫୦ ଲକ୍ଷ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ନଭେମ୍ବର ୨୦୨୨ ମାସରୁ ୮୦ ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି ଏବଂ ପ୍ରାୟ ୩,୦୦୦ ମାମଲା ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଶୁଣାଣି ପରେ ଫଇସଲା ହୋଇଛି । ଏପ୍ରିଲ୍‌ ୨୦୨୩ ସୁଦ୍ଧା ସମସ୍ତ ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ କ୍ଷେତ୍ର କାର୍ଯ୍ୟାଳୟର ଭିତ୍ତିଭୂମି ଏହି ବିଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଏଗୁଡିକର ଭିତ୍ତିଭୂମିକୁ ମଜଭୁତ କରିବାକୁ ବଜେଟରେ ୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ରାଜସ୍ୱ କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ୫୯.୭୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ରେକର୍ଡ ରୁମରେ ଆସବାବପତ୍ର ପାଇଁ ୫ କୋଟି ଟଙ୍କାର ବଜେଟ କରାଯାଇଛି।

ତ୍ୱରିତ ଏବଂ ସଠିକ୍‌ ଜମିଜମା ରେକର୍ଡ ସେବା ପାଇଁ ବିଭାଗ ହାଇଟେକ୍‌ ସର୍ଭେକୁ ତ୍ୱରାନ୍ୱିତ କରୁଛି। ଦେବଗଡ ଜିଲ୍ଲାରେ ହାଇ-ଟେକ୍‌ ସର୍ଭେ ଶେଷ ହୋଇଛି ଏବଂ ଏହାକୁ ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ତ୍ୱରାନ୍ୱିତ କରାଯାଉଛି।

ଜିଲ୍ଲା ରାଜସ୍ୱ ଓ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ସମୀକ୍ଷା ମାଧ୍ୟମରେ, ଜାତୀୟ ରାଜପଥ, ରେଳବାଇ ଏବଂ ଜଳସେଚନ ନେଟ୍‌ୱାର୍କ ପରି ବିଭିନ୍ନ ପ୍ରକଳ୍ପଗୁଡିକର ପ୍ରଗତି ତ୍ୱରାନ୍ୱିତ କରାଯାଉଅଛି। ବିସ୍ଥାପିତ ପରିବାରର ସ୍ୱାର୍ଥକୁ ଆଖି ଆଗରେ ରଖି ଭୂମି ଅଧିଗ୍ରହଣକୁ ଶୃଙ୍ଖଳିତ କରିବା ପାଇଁ RFCTLARR ଅଧିନିୟମରେ ସଂଶୋଧନ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ନିକୁଞ୍ଜବିହାରୀ ଧଳ କହିଲେ ଯେ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ଏବଂ ବିପଦ ହ୍ରାସ ପାଇଁ ୨୦୨୩-୨୪ ବର୍ଷ ନିମନ୍ତେ ରାଜ୍ୟ ବଜେଟରେ ୩୭୬୪.୨୮ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।

ଏଥିରେ ରିଲିଫ୍‌, ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର ଓ ପୁନଃନିର୍ମାଣ ତଥା ବିପର୍ଯ୍ୟୟ ମୁକାବିଲା, ଭିତ୍ତିଭୂମି ନିର୍ମାଣ ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ଅର୍ଥର ବରାଦ କରାଯାଇଅଛି।

ରିଲିଫ୍‌ ଏବଂ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ୯୪୩.୨୦ କୋଟି ଟଙ୍କା, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ନିମନ୍ତେ ୭୦୭.୪୦ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ବାହିନୀର ଦକ୍ଷତା ବୃଦ୍ଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ନିମନ୍ତେ ୨୩୫.୮୦ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ନିମନ୍ତେ ୪୭୧.୬୦ କୋଟି ଟଙ୍କା, ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମନ୍ତେ ୧୩୪୨.୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏତଦ୍‌ ବ୍ୟତୀତ ଯୋଜନା ବ୍ୟୟ ବାବଦକୁ ୩୦.୦୦ କୋଟି ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୩୪.୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫେବୃଆରୀ ୧୫ ମଧ୍ୟରେ ପଡା ଗ୍ରାମ ରାଜସ୍ୱ ଗ୍ରାମକୁ ହେବ ପରିବର୍ତ୍ତନ, ରାଜସ୍ବ ବିଭାଗର ନିଷ୍ପତି

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପଡା ଗ୍ରାମରୁ ନୂତନ ଗ୍ରାମ, ନୂଆ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟ ଓ ମୋ ସରକାରର ଅନ୍ତର୍ଗତ ସମସ୍ତ ସେବା ପ୍ରଦାନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସମସ୍ତ ଡିଭିଜନର ଡିଭିଜନର ରାଜସ୍ୱ ଆୟୁକ୍ତ, ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ବିଭାଗୀୟ ଅଧିକାରୀ ପଡା ଗ୍ରାମରୁ ନୂତନ ଗ୍ରାମ ସୃଷ୍ଟି ପାଇଁ ନିର୍ଗମନ ହୋଇଥିବା ବିଭିନ୍ନ ବିଜ୍ଞପ୍ତି ଉପରେ ଆଲୋକପାତ କରିଥିଲେ। ୨୦୨୧ ମସିହାରେ ହୋଇଥିବା ବିଜ୍ଞପ୍ତିରେ ପଡା ଗ୍ରାମରେ ୨୫୦ ରୁ କମ ଲୋକ ଥିଲେ ମଧ୍ୟ ରାଜସ୍ୱ ଗ୍ରାମ ଓ ପଡା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବାର ବ୍ୟବସ୍ଥା ରହିଛି।

ସେହିପରି ପଡା ଗ୍ରାମଟି ରାଜସ୍ୱ ଗ୍ରାମର ୫୦୦ ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ, ପଡା ଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ, ସେହି ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ହେବାପାଇଁ ଜିଲ୍ଲାପାଳ ପ୍ରସ୍ତାବ ପଠାଇପାରିବେ। ପଡାଗ୍ରାମଟିର ଲୋକସଂଖ୍ୟା ୨୫୦ ରୁ ଅଧିକ ହୋଇ ରାଜସ୍ୱ ଗ୍ରାମରୁ ଦୂରତା ୫୦୦ ମିଟରରୁ ଅଧିକ ହେଲେ, ସେହି ପଡ଼ା ଗ୍ରାମ ମଧ୍ୟ ରାଜସ୍ୱ ଗ୍ରାମ ହୋଇପାରିବ। ପଡା ଗ୍ରାମ ରାଜସ୍ୱ ଗ୍ରାମ ହେଲା ପରେ ମଧ୍ୟ ପଡା ଗ୍ରାମର ବାସିନ୍ଦାମାନେ ଆବଶ୍ୟକ ସ୍ଥଳେ ପୁରୁଣା ରାଜସ୍ୱ ଗ୍ରାମର ଗୋଚର ଓ ସର୍ବସାଧାରଣ ଜାଗା ଯଥା ଶ୍ମଶାନ ଆଦି ବ୍ୟବହାର କରିପାରିବେ।

ମନ୍ତ୍ରୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହିପରି ନୂତନ ଗ୍ରାମର ପ୍ରସ୍ତାବ ଫେବୃଆରୀ ୧୫ ତାରିଖ ସୁଦ୍ଧା ଭୁ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନୂତନ ଭାବେ ସୃଷ୍ଟି ହୋଇଥିବା ଗ୍ରାମରେ ଥିବା ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ ତୁରନ୍ତ ଭୂଲେଖ ପୋର୍ଟାଲରେ ଅଦ୍ୟତନ କରିବା ପାଇଁ ନିର୍ଦ୍ଦେଶ ଦଆଯାଇଛି।

ଲୋକମାନେ ଯେପରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନ ଆସି ଉଭୟ ସମୟ ଓ ଅର୍ଥର ଅପଚୟ ନ କରି ଇ-ପାଉତି ମାଧ୍ୟମରେ ଖଜଣା ଦେଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନ୍ତ୍ରୀ ମହୋଦୟା ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ସହାୟକ ରାଜସ୍ୱ ନିରୀକ୍ଷକ ଓ ଅମିନମାନଙ୍କୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ନିଯୁକ୍ତିପତ୍ର ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ପ୍ରତ୍ୟେକ ଦିନ ମୋ ସରକାର ମାଧ୍ୟମରେ ଲୋକଙ୍କ ସହ କଥା ହୋଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କଠୁ ଉତ୍କୋଚ ନେଲେ, ଲୋକଙ୍କୁ ଖରାପ ବ୍ୟବହାର କଲେ ଓ କାର୍ଯ୍ୟରେ ଅବହେଳା କଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ମାନନୀୟ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ କଡା ତାଗିଦ କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକଙ୍କୁ ବାଲୁଗାଁ ଏନଏଏସି ତରଫରୁ ଅଭିନନ୍ଦନ

ବାଲୁଗାଁ: ବିଜୁ ଜନତା ଦଳ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦଳର ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦେଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏଏସି ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏନଏଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏକ ଶୁଭେଚ୍ଛା ବାର୍ତ୍ତାରେ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟ ଦକ୍ଷତାକୁ ବେଶ୍ ପ୍ରଶଂସା କରିଛନ୍ତି।

ଗତ ଏନଏଏସି ନିର୍ବାଚନ ବେଳେ ପ୍ରମିଳା ମଲ୍ଲିକ ବାଲୁଗାଁ ପର୍ଯ୍ୟବେକ୍ଷକ ଭାବେ ବିଜେଡି ଦାୟିତ୍ବ ପ୍ରଦାନ କରଥିଲା। ଫଳରେ ସେ ବାଲୁଗାଁରେ ଦୀର୍ଘଦିନ ରହି ନିର୍ବାଚନ ପରିଚାଳନା କରିଥିଲେ। ତାଙ୍କର ଦକ୍ଷ ନିର୍ବାଚନ ପରିଚାଳନା ପାଇଁ ବାଲୁଗାଁରେ ଦଳ ଭଲ ପ୍ରଦର୍ଶନ କରିବା ସହିତ ଏନଏଏସି ଅଧ୍ୟକ୍ଷା ପଦ ମଧ୍ୟ ହାତେଇଥିଲା। ଖୁବ ଶିଘ୍ର ବାଲୁଗାଁ ବିଜେଡି ତରଫରୁ ତାଙ୍କୁ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ବିଶେଷ ଖବର

ସର୍ବେକ୍ଷଣ ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା: କହିଲେ, ବିରୋଧୀ ଶୂନ୍ୟ ହେବ ଓଡିଶା

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ରେ ଓଡିଶା ବିରୋଧୀ ଶୂନ୍ୟ ହେବ। ବର୍ତ୍ତମାନ ସରକାରୀ ଦଳ ବିଜୁ ଜନତା ଦଳ ବିଧାନସଭାର ସମସ୍ତ ଆସନ ଏବଂ ଲୋକସଭାର ସମସ୍ତ ଆସନ ହାତେଇବ। ଜାତୀୟ ଗଣମାଧ୍ୟମ ସର୍ବେକ୍ଷଣର ରିପୋର୍ଟକୁ ନେଇ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ଏଭଳି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ବିଜେଡ଼ି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ।

ଲୋକଙ୍କ ସମସ୍ୟା ସହ ବିଜେଡି ସବୁବେଳେ ଯୋଡ଼ି ହୋଇଛି। ଏଠାରେ ବିରୋଧୀଙ୍କ କୌଣସି ପ୍ରଭାବ ରହିବ ନାହିଁ। ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁଭଳି ଭାବେ ବିଜେଡି ପ୍ରଦର୍ଶନ କରିଛି, ସେହିଭଳି ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ। ବିଜେଡିର ଭୋଟ ପରିମାଣ ବଢ଼ିଛି। କିନ୍ତୁ ବିଜେପିକୁ କଂଗ୍ରେସ ଭୋଟ ଯାଇଛି।

କେନ୍ଦ୍ରମନ୍ତ୍ରୀମାନଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁଁ ଏହାର ପ୍ରଭାବ ପଡିବ କି ବୋଲି ପ୍ରଶ୍ନରେ ଉତ୍ତରରେ ସେ କହିଛନ୍ତି କି କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତରେ ବିଜେପି ପାଇଁ କିଛି ଲାଭ ହେବ ନାହିଁ। ସେମାନେ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସମସ୍ୟା ସୃଷ୍ଟି କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ‘ଇଣ୍ଡିଆ ଟିଭି-ମାଟ୍ରାଇଜ୍‌ ନିଉଜ୍‌ କମ୍ୟୁନିକେସନ୍‌’ ପକ୍ଷରୁ ଏକ ସର୍ଭେକ୍ଷଣ’ କରାଯାଇଛି। ବର୍ତ୍ତମାନ ଯଦି ଲୋକସଭା ନିର୍ବାଚନ ହୁଏ, ତେବେ କେଉଁ ଦଳକୁ କେତେ ଆସନ ମିଳିବ, ସେ ନେଇ ସର୍ବେକ୍ଷଣ କରାଯାଇଛି।

ସର୍ବେକ୍ଷଣ ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) କୁ ୫୪୩ ଟି ଆସନରୁ ୩୬୨ ଆସନ ମିଳିବ ଏବଂ କଂଗ୍ରେସ ନେତୃତ୍ଵାଧୀନ ୟୁପିଏକୁ ମାତ୍ର ୯୭ ଟି ଆସନ ମିଳିପାରେ। ସେହିପରି ଅନ୍ୟାନ୍ୟ ଦଳଗୁଡିକ ୮୪ ଟି ଆସନ ଅକ୍ତିଆର କରିପାରନ୍ତି।

ତେବେ ଓଡିଶାର ଲୋକସଭା ଆସନ ସର୍ବେକ୍ଷଣରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଶାସକ ଦଳ ବିଜେଡ଼ି ଠାରୁ ବିଜେପି ଭଲ ପ୍ରଦର୍ଶନ କରୁଛି। ଓଡ଼ିଶାର ମୋଟ ୨୧ ଟି ଲୋକସଭା ଆସନରୁ ବିଜେପିକୁ ୧୧ ଟି ଆସନ ମିଳିପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ବିଜେଡ଼ିକୁ ୮ ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ ମାତ୍ର ୨ ଟି ଆସନ ମିଳିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ନୋଟିସ: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକାଙ୍କୁ ଜିଲ୍ଲାପାଳ ନୋଟିସ ପଠାଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲାପାଳ ନୋଟିସ ପଠାଯାଇଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ନୋଟିସ ହୋଇଥିବା ସୂଚନା ରହିଛି। ପ୍ରଚାର ବେଳେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୨୭ ନମ୍ବର ଜୋନରେ ପ୍ରଚାର କରିବା ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଚାପ ପକାଉଥିବାର ଅଭିଯୋଗ ହୋଇଥିଲା। ଭୋଟ ନଦେଲେ କିଛି ସରକାରୀ ସୁବିଧା ମିଳିବ ନାହିଁ ବୋଲି ପ୍ରମିଳା କହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ବିଞ୍ଝାରପୁର ଅଞ୍ଚଳରେ ତାଙ୍କୁ ଘୋର ବିରୋଧ କରାଯାଇଥିଲା। ତେଣୁ ଏହି ଘଟଣା ସାମନାକୁ ଆସିବା ପରେ ଯାଜପୁର ଜିଲ୍ଲାପାଳ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।

କିନ୍ତୁ ଆଜି ସ୍ଥାନୀୟ ଲୋକ ଯାଜପୁର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ କରିଥିବା ମଧ୍ୟ ସୂଚନା ମିଳିଛି। ଆଜି ପ୍ରଚାରରେ ଯିବା ସମୟରେ ବିଞ୍ଝାରପୁର ପ୍ରୀତିପୁର ରଣାସାହିରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଲୋକମାନେ କଳାପତାକା ପଦର୍ଶନ କରିଥିଲେ ଓ ନାରାବାଜି ମଧ୍ୟ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ସମ୍ଭାଳି ହେଲା ନାହିଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି। ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।

ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ କିମ୍ବା ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।