ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ନୋଟିସ: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

Published: Feb 11, 2022, 4:51 pm IST

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାୟିକାଙ୍କୁ ଜିଲ୍ଲାପାଳ ନୋଟିସ ପଠାଇଛନ୍ତି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲାପାଳ ନୋଟିସ ପଠାଯାଇଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ନୋଟିସ ହୋଇଥିବା ସୂଚନା ରହିଛି। ପ୍ରଚାର ବେଳେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଯାଜପୁର ଜିଲ୍ଲା ୨୭ ନମ୍ବର ଜୋନରେ ପ୍ରଚାର କରିବା ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଚାପ ପକାଉଥିବାର ଅଭିଯୋଗ ହୋଇଥିଲା। ଭୋଟ ନଦେଲେ କିଛି ସରକାରୀ ସୁବିଧା ମିଳିବ ନାହିଁ ବୋଲି ପ୍ରମିଳା କହୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପରେ ବିଞ୍ଝାରପୁର ଅଞ୍ଚଳରେ ତାଙ୍କୁ ଘୋର ବିରୋଧ କରାଯାଇଥିଲା। ତେଣୁ ଏହି ଘଟଣା ସାମନାକୁ ଆସିବା ପରେ ଯାଜପୁର ଜିଲ୍ଲାପାଳ ତାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।

କିନ୍ତୁ ଆଜି ସ୍ଥାନୀୟ ଲୋକ ଯାଜପୁର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ କରିଥିବା ମଧ୍ୟ ସୂଚନା ମିଳିଛି। ଆଜି ପ୍ରଚାରରେ ଯିବା ସମୟରେ ବିଞ୍ଝାରପୁର ପ୍ରୀତିପୁର ରଣାସାହିରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଲୋକମାନେ କଳାପତାକା ପଦର୍ଶନ କରିଥିଲେ ଓ ନାରାବାଜି ମଧ୍ୟ କରିଥିଲେ।

Related posts