Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ଗତକାଲି ଓଡିଶାର ପ୍ରତିଷ୍ଠିତ ନାଟ୍ୟକାର ବିନୋଦ ପଶାୟତଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଆଜି ତାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି।

ସେ ଲେଖିଛନ୍ତି ଯେ, ” ସମ୍ବଲପୁର ମାଟିର ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶ୍ରୀ ବିନୋଦ କୁମାର ପଶାୟତଙ୍କୁ ଭେଟି ସମ୍ବର୍ଦ୍ଧିତ କରିବାର ସୌଭାଗ୍ୟ ମିଳିଲା। ଶ୍ରୀ ପଶାୟତଙ୍କ ଓଜସ୍ବୀ ସାହିତ୍ୟ ସର୍ଜନା ସାରା ଦେଶରେ ଆମ ମାଟିର ଯଶକୁ ବଢ଼ାଇଛି। ସେ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ତାଙ୍କ ରଚନା ଆମ ସମାଜକୁ ଆହୁରି ପ୍ରେରଣା ଯୋଗାଉ, ମା’ ସମଲେଶ୍ୱରୀଙ୍କ ନିକଟରେ ଏତିକି ପ୍ରାର୍ଥନା।’

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଦଶପଲ୍ଲା ପୌରପାଳିକାର ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଇଂ ପୁନମ ପ୍ରିୟଦର୍ଶିନୀ।

ଦଳରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀଙ୍କୁ ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଇଂ ପୁନମ ପ୍ରିୟଦର୍ଶୀନୀଙ୍କ ଯୋଗଦାନ ଫଳରେ ବିଶେଷକରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାହୁ, ଶ୍ରୀ ବେହେରା ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଇଂ ପୁନମ ପ୍ରିୟଦର୍ଶିନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସ୍ୱାଧୀନ ଭାବେ ଲଢ଼ି ମଧ୍ୟ ବିଜେଡ଼ିକୁ କେବେ ବିରୋଧୀ କରି ନାହିଁ।

ନବୀନ ପଟ୍ଟନାୟକ ଓ ବିଜୁ ବାବୁଙ୍କୁ ଆଦର୍ଶ ଭାବି ନିର୍ବାଚନ ଲଢ଼ିଛି। ନବୀନ ବାବୁଙ୍କ ହାତମୁଠା ଟାଣ କରିବି। ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରୟାସ କରିବି। ଦଶପଲ୍ଲା ପୌରପାଳିକାକୁ ଆହୁରି ଆଗକୁ ନେବାକୁ ପ୍ରୟାସ କରିବି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ କହିଥିଲେ।

Categories
ଆଜିର ଖବର

ଖୋର୍ଦ୍ଧା ସହିତ ପାଞ୍ଚ ଜଣ ଏସପି, ଦୁଇ ଜିଲ୍ଲାପାଳ ଓ ଆଇଜିଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶାର ପାଞ୍ଚ ଜଣ ଏସପି, ଦୁଇଜଣ ଜିଲ୍ଲାପାଳ ଏବଂ ଜଣେ ଆଇଜିଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କୁ ସମସ୍ତ ନିର୍ବାଚନ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ନିର୍ବାଚନ କମିଶନର ଏହି ନିଷ୍ପତି କରିଛି। ଏ ନେଇ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଯେଉଁ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଆସିଛି ସେମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପରୁଳ ପତୱରୀଙ୍କ ନାମ ରହିଛି। ସେହିପରି ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଅନୁଗୁଳ ସୁଧାଂଶୁ ମିଶ୍ର, ବ୍ରହ୍ମପୁର ଶ୍ରବଣ ବିବେକ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ ଏସପି କେ ଭି ସିଂ।

ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ ସିଂଙ୍କୁ ବଦଳି କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଚିଠା ଭୋଟର ତାଲିକା, ଜାଣନ୍ତୁ ଭୁଲ ଥିଲେ କିପରି କରିବେ ସଂଶୋଧନ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ନିତାନ୍ତ ପ୍ରୟୋଜନ ବୋଲି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୧ ଅକ୍ବୋବର୨୦୨୪ ତାରିଖକୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁରହିଛି। ଆସନ୍ତା ୨୭ ଅକ୍ବୋବର ୨୦୨୩ ତାରିଖ ଶୁକ୍ରବାର ଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ୫ ଜାନୁୟାରୀ ୨୦୨୪ ତାରିଖ ଶୁକ୍ରବାର ଦିନ ପ୍ରକାଶ ପାଇବ ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି।

ଚିଠା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଓ ଜିଲ୍ଲାସ୍ତରରେ ରାଜନୈତିକ ଦଳମାନେ ଭୋଟର ପଞ୍ଜିକରଣ ଅଧିକାରୀଙ୍କଠାରୁ ଚିଠା ଭୋଟର ତାଲିକାର ଏକକିତା ଲେଖାଏଁ ନକଲ କପି ପାଇ ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି।

ପ୍ରକାଶିତ ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ  ୨୭ ଅକ୍ବୋବର ୨୦୨୩ ତାରିଖଠାରୁ ୦୯ ଡିସେମ୍ବର ୨୦୨୩ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଆସନ୍ତା ୨୬ ଡିସେମ୍ବର ୨୦୨୩ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବୈଠକରେ ସୂଚନା ଦେଇଛନ୍ତି।

୧୮-୧୯ ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଆସନ୍ତା ନଭେମ୍ବର ମାସରେ ଦୁଇ ଗୋଟି ରବିବାର ଯଥା- ନଭେମ୍ବର ୫ ତାରିଖ ଓ ନଭେମ୍ବର ୧୯ ତାରିଖ ଏବଂ ଦୁଇ ଗୋଟି ଶନିବାର ଯଥା-ନଭେମ୍ବର ୧୧ ତାରିଖ ଓ ନଭେମ୍ବର ୨୫ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରିଛନ୍ତି।

ଏହି ୪ ଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଯୋଗ୍ୟ ଭୋଟରମାନଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବାରେ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଯୋଗୁ (ବୁଥପ୍ରତି ସର୍ବାଧିକ ୧୫୦୦ ଭୋଟର) ନିର୍ବାଚନ ଆୟୋଗ ୨୧୬ ଗୋଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ସୃଷ୍ଟି କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ଭୋଟ ଗ୍ରହଣ କେନ୍ଦ୍ର ହେଉଛି ୩୭୮୦୯ ଏବଂ ଏହା ପୂର୍ବରୁ ୩୭୬୦୬ ଥିଲା। ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍‌ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମୃତ ଭୋଟରଙ୍କ ତାଲିକା ବିଏଲ୍‌ଓଙ୍କ ଜରିଆରେ ପ୍ରଦାନ କଲେ ସେଗୁଡ଼ିକୁ ଯାଞ୍ଚ କରାଯାଇ ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ ବାଦ
ଦିଆଯିବ।

ଏତଦ୍‌ବ୍ୟତୀତ ଭୋଟରମାନେ ଘରେ ବସି ମୋବାଇଲ୍‌ ମାଧ୍ୟମରେ ଭୋଟର ତାଲିକାରେ ସେମାନଙ୍କ ନାମ ଅଛି କି ନାହିଁ ଜାଣି ପାରିବେ। ନିର୍ବାଚନ ଆୟୋଗଙ୍କ େୱବ୍‌ସାଇଟ୍‌କୁ ଯାଇ ଭୋଟର ହେଲପ୍‌ଲାଇନ୍‌ ଆପ୍‌କୁ ବ୍ୟବହାର କରି ଫଟୋ ପରିଚୟ ପତ୍ରରେ ଥିବା ନମ୍ବରକୁ ବ୍ୟବହାର କଲେ ଭୋଟରଙ୍କ ସଂପୂର୍ଣ୍ଣ ବିବରଣୀ ପାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି।

ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ବହୁଜନ ସମାଜ ପାର୍ଟିର ଓଡ଼ିଶା ଶାଖା ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାର୍କସିଷ୍ଟ)ର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ ଓ ପ୍ରକାଶ ମିଶ୍ର, ଆମ୍‌ ଆଦ୍‌ମୀ ପାର୍ଟିର ସାଧାରଣ ସଂପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଓ ଅବିଶ୍ବାସର ଉର୍ଦ୍ଧ୍ଵରେ ନ ରହିଲେ ଗଣତନ୍ତ୍ର ଅନ୍ଧକାରଆଡକୁ ଚାଲିଯିବ ନିଶ୍ଚୟ

କେଦାର ମିଶ୍ର

ଯେତେବେଳେ ପରାଜୟ ନିଶ୍ଚିତ ବୋଲି ଜଣାପଡେ, ସେତେବେଳେ ରାଜନୈତିକ ଦଳଗୁଡିକ ଭୋଟିଂ ମେସିନ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥାନ୍ତି- ଏହା ହେଉଛି ଆମ ଗଣମାଧ୍ୟମର ଏକ ସୁଚିନ୍ତିତ ସିଦ୍ଧାନ୍ତ। ନିଜ ପରାଜୟକୁ ସ୍ଵୀକାର କରିବା ପରିବର୍ତ୍ତେ ଭୋଟିଂ ମେସିନ କୁ ଦୋଷ ନଦେବାକୁ ଉପଦେଶ ଓ ପରାମର୍ଶ ମଧ୍ୟ  ଦିଆଯାଏ। ତେବେ ବିରୋଧୀ କଣ ସତରେ ଔଷଧ ରାଗରେ ତାଟିଆ କାମୁଡିବା ନ୍ୟାୟରେ କେବଳ ଭୋଟିଂ ମେସିନ ଓ ନିର୍ବାଚନ କମିଶନକୁ ଦୋଷ ଦେଉଛନ୍ତି। ଆଜି ଯେତେବେଳେ ଦେଶର ସବୁ ଗଣମାଧ୍ୟମ ଘୋଷଣା କରିସାରିଛନ୍ତି ଯେ, ନରେନ୍ଦ୍ର ମୋଦୀ ବିପୁଳ ଆସନ ପାଇ ଜୟଯୁକ୍ତ ହୋଇସାରିଛନ୍ତି, ସେତେବେଳେ ବିରୋଧୀ ହାରି ସାରିଛନ୍ତି ଓ ହାରିବାର ପ୍ରତିକ୍ରିୟାରେ ଭୋଟିଂ ମେସିନ ଉପରେ ରାଗ ଅଜାଡୁଛନ୍ତି ବୋଲି ମାନିନେବା ଛଡା ଆଉ ବା ବାଟ କଣ ଅଛି? ୨୩ ତାରିଖ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଜେପିରେ ଭୋଜିଭାତ ଆରମ୍ଭ ହୋଇଗଲାଣି। କଂଗ୍ରେସ ଶିବିର ନୀରବ। ତୃତୀୟ ସାମ୍ମୁଖ୍ୟ ଏବେ ହଜିଯାଇଛି। ଏବେ ଲାଗୁଛି, ଆଉ ୨୩ ରେ ଫଳ ଘୋଷଣା କରିବାର ଆବଶ୍ୟକତା କଣ? ଏକଜିଟ ପୋଲ କହିଛି, ମୋଦୀ ଜିତିଛନ୍ତି ମାନେ, ସେ ଜିତିଛନ୍ତି। ଶୁଣିବାକୁ ମିଳୁଛି, ମଇ ୨୬ ରେ କୁଆଡେ ନରେନ୍ଦ୍ର ମୋଦୀ ନିଜର “ମନ କି ବାତ” କହିବେ ଓ ୨୮ ତାରିଖରେ ଶପଥ ନେବେ। ଫଳ ବାହାରିବା ପୂର୍ବରୁ ଫଳ ପ୍ରଘଟ ହୋଇ ସାରିଛି।

ଜଣେ ନାଗରିକ ଭାବରେ ଏହା ହିଁ ଆମ ଲାଗି ଚିନ୍ତାର ବିଷୟ। ଶାସନରେ ଥିବା ଦଳ ଯେତେବେଳେ ଫଳ ବାହାରିବା ଆଗରୁ ଫଳ ଜାଣିଯିବାର ସୂଚନା ଦିଏ, ସେଠି ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ଉଠିବା ସ୍ଵାଭାବିକ। ଯଦି ନିର୍ବାଚନ ପ୍ରକ୍ରିୟା ଏତେ ଗୋପନୀୟ, ତେବେ ଶାସକ ଦଳ ହଠାତ ଏକ୍ଜିଟ ପୋଲ କୁ ନେଇ ଏତେ ଉଲ୍ଲସିତ କେମିତି? ତା ସହିତ ଆଉ ଗୋଟେ କଥା ମଧ୍ୟ କହିବା ଉଚିତ, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଜିତିବା ପରେ ମଧ୍ୟ କଂଗ୍ରେସ ଭୋଟିଂ ମେସିନ ଓ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଉପରେ ପ୍ରଶ୍ନ ଉଠାଇଛି। ଚଳିତ ନିର୍ବାଚନ ତାରିଖ ଘୋଷଣାରେ ଅହେତୁକ ବିଳମ୍ବ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ସେନାବାହିନୀର ନିର୍ବାଚନୀ ବ୍ୟବହାର କରିବା ଉପରେ କମିଶନଙ୍କ ନୀରବତା, ଅନେକଙ୍କୁ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏପରିକି ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ପ୍ରତିବାଦ ଓ ଭିନ୍ନମତକୁ କମିଶନ ରେକର୍ଡ କରିନାହାନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପରେ ପ୍ରଧାନମନ୍ତ୍ରୀ ଉପଗ୍ରହ ନଷ୍ଟ କରିପାରୁଥିବା କ୍ଷେପଣାସ୍ତ ର ପ୍ରୟୋଗ କୁ ନେଇ ନିଜର ପ୍ରଥମ ନାଟକ ଆରମ୍ଭ କଲେ। ପାଞ୍ଚ ବର୍ଷ ଭିତରେ ଆମର ବୈଜ୍ଞାନିକ ସଫଳତା ବିଷୟରେ କହିବାକୁ ନିର୍ବାଚନ ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ସୁଯୋଗ ଦେଲା। ମାଗଣାରେ ଓ ଲୋକଙ୍କ ଖର୍ଚ୍ଚ ରେ ମୋଦୀ ନିଜ ଦଳର ପ୍ରଚାର କଲେ। ସେଇଠୁ ନିର୍ବାଚନ କମିଶନଙ୍କ ଧୃତରାଷ୍ଟ୍ର ଭୂମିକା ଆମେ ଦେଖି ଆସୁଛୁ। ଖୋଦ ପ୍ରଧାନମନ୍ତ୍ରୀ ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବେଳେ ତାଙ୍କୁ ନିର୍ବାଚନ କମିଶନ ହାତ ଯୋଡି ବସି ରହିଲେ। ଏହାର ପରିଣତିରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟା ସନ୍ଦେହ ଘେରକୁ ଚାଲିଆସିଲା।

ଏକ୍ଜିଟ ପୋଲ ଘୋଷଣା ହେବା ପରେ ପରେ ହଠାତ ଅନେକ ଗୁଡିଏ ଭୋଟିଂ ମେସିନ ରାସ୍ତା ଘାଟରେ ବୁହା ହେଉଥିବାର ଦେଖିବାକୁ ମିଳିଲା। ଏହାର ସ୍ପଷ୍ଟୀକରଣ ଦେଇ କମିଶନ କହିଲେ, ସେ ସବୁ ଅବ୍ୟବହୃତ ମେସିନ। ତେବେ ଅବ୍ୟବହୃତ ମେସିନ କୁ କେମିତି ରଖାଯିବ ଓ ତାର ପରିବହନ କେମିତି କରାଯିବ, ତାହାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସଶସ୍ତ୍ର ପୋଲିସର ଷ୍ଟ୍ରଙ୍ଗ ରୁମରେ ଅବ୍ୟବହୃତ ମେସିନ ରହିବା କଥା। ବେସରକାରୀ ଗାଡିରେ ଏ ସବୁ ମେସିନ ହଠାତ ଆବିର୍ଭୂତ ହେଲେ କାହିଁକି? ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ମୋଦୀ ଯେହେତୁ ଜିତି ସାରିଛନ୍ତି, ଆଉ କାହାକୁ କିଛି ପ୍ରଶ୍ନ କରିବା ଆଉ ସମ୍ଭବ ନୁହେଁ। ବିଜେପିର ମୁଖପାତ୍ର ଅର୍ଣ୍ଣବ ଗୋସ୍ଵାମୀଙ୍କ “ରିପବ୍ଲିକ” ଚାନେଲ ଏବେ କହିଲାଣି, ସାରା ଭାରତ କୁଆଡେ ନିର୍ବାଚନ କମିଶନଙ୍କ ସାଙ୍ଗରେ ଠିଆ ହୋଇଛି। ତେବେ ଭାରତ କହିଲେ, ଭାରତରେ ବିରୋଧୀ ଦଳ ବି ଅଛନ୍ତି, ଏ କଥା ଭକ୍ତମାନଙ୍କୁ ଆଉ ବୁଝାଇ ହେବନାହିଁ।

ପୃଥିବୀର ସବୁଠୁ ଉନ୍ନତ ଦେଶ ଆମେରିକା ସମେତ ୟୁରୋପରେ ମଧ୍ୟ ବାଲାଟ କାଗଜରେ ଆଜି ମଧ୍ୟ ଭୋଟଦାନ ହେଉଛି। କେବଳ ଭାରତ ନିଜକୁ ଅତ୍ୟନ୍ତ ଚତୁର ଓ  କୁଶଳୀ ଭାବି ଆମ ନିର୍ବାଚନର ସବୁଠୁ ମୁଖ୍ୟ ବ୍ୟବସ୍ଥାକୁ ଭୟଙ୍କର ଅବିଶ୍ଵାସ ଓ ସନ୍ଦେହ ଘେରରେ ରଖିଛି। ଏଠି କହିରଖିବା ଉଚିତ ହେବ ଯେ, ବର୍ଷ ବର୍ଷ ଧରି ଭୋଟିଂ ମେସିନ ଉପରେ ଯେଉଁ ସନ୍ଦେହର କଳା ବାଦଲ ରହିଛି, ତାହାର ପ୍ରତିକ୍ରିୟା ଆଦୌ ଶୁଭଂକର ହେବନାହିଁ। ପ୍ରତ୍ୟେକ ନିର୍ବାଚିତ ସରକାର ସନ୍ଦେହ ଓ ଅବିଶ୍ବାସର ଘେରରେ ରହିବେ। ତୁରନ୍ତ ଯଦି ଏହାର ସମାଧାନ ସୂତ୍ର ନ ବାହାରେ, ଗୋଟେ ସମୟରେ ଏହା ଆମର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହୋଇ ଠିଆ ହେବ।

ଭୋଟ ଗଣତିର ଆଗୁଆ ସୂଚନା ପାଇଁ ଲଗ ଅନ କରନ୍ତୁ   https://thesamikhsya.com , ଆସନ୍ତାକାଲି ସକାଳ 8 ଟାରୁ

 

Categories
ବିଶେଷ ଖବର

ବିଜେଡି ଓଡିଶାରେ ନିର୍ବାଚନ ଜିଣି ସାରିଛି , ଚତୁର୍ଥ ପର୍ଯ୍ୟାୟ ଏବେ କେବଳ ଅତିରିକ୍ତ ବୋନସ ମାତ୍ର !

ସମୀକ୍ଷା ବ୍ୟୁରୋ

ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା କେତୋଟି ଗୋପନୀୟ ସୂତ୍ରରୁ ଯାହା ଜଣା ପଡୁଛି, ପ୍ରଥମ ତିନୋଟି ପର୍ୟାୟରେ ବିଜେଡି ସରକାର ଗଢିବା ଲାଗି ଆବଶ୍ୟକ ହେଉଥିବା ୭୪ ସଂଖ୍ୟା ଟପି ସାରିଛି। ଚତୁର୍ଥ ପର୍ଯ୍ୟାୟରେ ଆଉ ଯେତିକି ଆସନ ମିଳିବ ତାହା ବିଜେଡି ପାଇଁ କେବଳ ଅତିରିକ୍ତ ବୋନସ ବୋଲି କୁହା ଯାଇପାରେ।

ଏକଥା କହିଲା ବେଳେ ଅନ୍ୟ ଦଳର ସମର୍ଥକ ଓ ଭକ୍ତଙ୍କର ସ୍ଵାଭାବିକ ପ୍ରତିକ୍ରିୟା କଣ ହେବ ଆମେ ଜାଣୁ। କିନ୍ତୁ ସତ୍ୟ କୁ ଅଣଦେଖା  କରି ସାମ୍ବାଦିକତା କରିବା  ଆମର ଧର୍ମ ନୁହେଁ। ଏହି ନିର୍ବାଚନ ସ୍ଥିତାବସ୍ଥା ସପକ୍ଷରେ ଏକ ନିର୍ବାଚନ, ଏହି ସତ୍ୟ କୁ ଆମକୁ ସ୍ଵୀକାର କରିବାକୁ ପଡିବ। ଏକଥା ସର୍ବ ସାଧାରଣରେ ଲେଖିଲା ବେଳେ ଆମେ ଏଥି ପ୍ରତି ମଧ୍ୟ ସତର୍କ ଯେ, ନିର୍ବାଚନ ସମ୍ପର୍କିତ କୌଣସି ବି ଭବିଷ୍ୟତବାଣୀ ୧୦୦% ସତ୍ୟ ହୋଇ ନପାରେ। ତଥାପି ଆମେ ଆମ ସୂତ୍ରକୁ ନେଇ ବେଶ ବିଶ୍ଵସ୍ତ ତଥା ଆଶ୍ଵସ୍ତ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି କୁ ୪୫ ରୁ ୫୦ ଆସନ ମିଳିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଏହା ୨୫-୨୮ ଆସନ ହାସଲ କରିବାରେ ସମର୍ଥ ହୋଇଛି। ବିଜେପି ଓ କଂଗ୍ରେସ ଭିତରେ ଦ୍ଵିତୀୟ ସ୍ଥାନ ଲାଗି କଡା ମୁକାବିଲା ଅଛି। ତେବେ କଂଗ୍ରେସ ଓ ବିଜେପି ବିଜେଡ଼ିର ପାଖାପାଖି ହୋଇ ପାରିବେ ବୋଲି ଆଶା କରା ଯାଉନାହିଁ।

ଆଉ ଗୋଟେ କଥା ଏଥି ସ୍ପଷ୍ଟ କରିଦେବା ଠିକ ହେବ। ଏଥର ଓଡିଶାରେ ବିଜେପିର ଭୋଟ ହାର ଅତି କମରେ ୭ ରୁ ୧୦ % ବଢିପାରେ। ତେବେ ଏହି ଅଭିବୃଦ୍ଧି ଆସନ ଜିଣିବାରେ ସହାୟକ ହେବନାହିଁ। କଂଗ୍ରେସ ଆଜି ମଧ୍ୟ ନିଜର ୧୫% ଭୋଟ ଆଧାରକୁ ଅକ୍ଷୁଣ୍ଣ ରଖିଛି। ତାହା ହିଁ ବିଜପି ଲାଗି ଚିନ୍ତାର କାରଣ। ଏ ପର୍ୟନ୍ତ ବିଜେଡ଼ିର ଭୋଟ ଆଧାର ଉପରେ ବିଜେପି ହାତ ମାରି ପାରିନାହିଁ। ଯାହାର ପରିଣତି ସ୍ଵରୂପ ପ୍ରଥମ ଦୁଇଟି ପର୍ୟାୟରେ ବିଜେଡି ଅନେକ ବିଧାନସଭା ଆସନ ପୋଛି ନେଇଛି। ଏପରିକି କଳାହାଣ୍ଡି ଓ ନବରଂଗପୁର ଲୋକସଭା କ୍ଷେତ୍ର, ଯେଉଁଠି ବିଜେପି ଓ କଂଗ୍ରେସର ସ୍ଥିତି ନିର୍ବାଚନ ପୂର୍ବରୁ ବେଶ ସୁଦୃଢ ଲାଗୁଥିଲା, ସେଠାରେ ମଧ୍ୟ ବିଜେଡ଼ିର ପ୍ରଦର୍ଶନ ଯଥେଷ୍ଟ ଭଲ ହୋଇଛି ବୋଲି ରିପୋର୍ଟ ମିଳୁଛି। କଳାହାଣ୍ଡିରେ ୫ ଟି ଆସନ ବିଜେଡ଼ିକୁ ଓ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ଓ ବିଜେପି ହାତକୁ ଯାଇଛି ବୋଲି ଅନୁମାନ କରାଯାଉଛି। ନବରଙ୍ଗପୁରରେ ମଧ୍ୟ ସ୍ଥିତି ଆପାତତଃ ସମାନ ରହିଛି। ମାଲକାନଗିରିରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ମୁକାବିଲା ଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନ କଂଗ୍ରେସ ପାଇଛି ବୋଲି କୁହା ଯାଉଛି। ବାକି ସବୁ ଆସନରେ ବିଜେଡ଼ିର ପ୍ରଦର୍ଶନ ଭଲ ରହିଛି।

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବାର ରିପୋର୍ଟ ଆସୁଛି। ବଲାଙ୍ଗିରର ଲୋଇସିଂହା ଓ ପାଟଣାଗଡ ଆସନ ବିଜେପି ପାଉଛି ବୋଲି ସୂଚନା ମିଳୁଥିବା ବେଳେ କଣ୍ଟାବାଞ୍ଜିରେ ପୁରୁଖା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଅଗ୍ରଣୀ ରହିଛନ୍ତି।

ଆମେ କେବଳ କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ବିଷୟରେ ଏଠାରେ ସୂଚନା ଦେଇ ମଇ ୨୩ ର ଫଳାଫଳ ବିଷୟରେ ଏକ ସଙ୍କେତ ପ୍ରଦାନ କରୁଛୁ। ଆମର ପାଠକ ଆସନ୍ତା ୨୩ ତାରିଖରେ ଆମର ଅନୁମାନ ଓ ସତ୍ୟତାର ଏକ ତୁଳନା କରିବାର ସୁଯୋଗ ନିଶ୍ଚୟ ପାଇବେ। ଆମର ଅନୁମାନ କୁ ନେଇ ଆପଣଙ୍କର ତାଳି ଓ ଗାଳି, ଉଭୟକୁ ଆମର ସ୍ବାଗତ।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାକାଣ୍ଡ ବୃଦ୍ଧି, ପୋଲିସର ମୁଣ୍ଡବିନ୍ଧା

ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିଲେ ମଧ୍ୟ କୌଣସି ରାଜନୈତିକ ହିଂସାକାଣ୍ଡ ଘଟି ନ ଥିଲା। ହେଲେ ତୃତୀୟ ପର୍ଯ୍ୟାୟରେ ରାଡନୈତିକ ହିଂସାକାଣ୍ଡ ଜୋରଧରିଛି। ଗତକାଲି ରାତିରେ ପିପିଲିରେ ପ୍ରଦୀପ ମହାରାଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାର୍ଡ ଚଢଉ କରିବା ପରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ସେହିପରି ଭୁବନେଶ୍ବରର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଗତକାଲି ଅପରାହ୍ନରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ ଆସିଛି। ପରେ ପରେ ରାତିରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମା ଫିଙ୍ଗା ଯାଇଛି। ଫଳରେ ଅନନ୍ତ ଏବଂ ତାଙ୍କର ସମର୍ଥକମାନେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେହିପରି କେଉଁଝର ଘଷିପୁରା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଥିବାର ଜଣାପଡିଛି। ସେଠାରେ ବଦ୍ରିପାତ୍ରଙ୍କ ପୁଅ ଓ ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

Categories
ବିଶେଷ ଖବର

ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ ଥିଲେ ବେଦପ୍ରକାଶ ଅଗ୍ରୱାଲା, ୮୩ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ଥିଲେ ସକ୍ରିୟ

ସମୀକ୍ଷା ବ୍ୟୁରୋ

ବେଦପ୍ରକାଶ ଅଗ୍ରୱାଲା। ନିର୍ବାଚନ ଯୁଦ୍ଧରେ ଲଢେଇ କରି ଜିତିବାର ଆଶା ରଖିଥିଲେ , ହେଲେ ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ। ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜ୍ୟର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲା। ଏହି ଖବର ଜଣାପଡିବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। କାରଣ ସେ ସାଧାରଣ ଜୀବନରେ ଯେପରି ସରଳ ଓ ଆମାୟିକ ଥିଲେ ରାଜନୀତିରେ ମଧ୍ୟ ବେଶ୍ ଦୃଢ ଥିଲେ। ବେଦପ୍ରକାଶ ଦୀର୍ଘ ଦିନ ଧରି ଅସୁସ୍ଥତା ସତ୍ବେ ସେ ନିର୍ବାଚନ ମଇଦାନରେ ଲଢେଇ କରିବାରେ ସକ୍ଷମ ଥିଲେ। ସେଇଥି ପାଇଁ ବିଜେଡି ତାଙ୍କୁ ଏଥର ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ବିଧାନସଭା ପ୍ରାର୍ଥୀ କରିଛି। ସାମାନ୍ୟ ଭଲ ହେବା ପରେ ସେ ହସପିଟାଲରୁ ଯାଇ ନିଜର ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ସବୁକିଛି ଓଲଟ ପାଲଟ ହୋଇଯାଇଛି। ତାଙ୍କର ମୃତ୍ୟୁ ପରେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ହୋଇ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ ବେଦପ୍ରକାଶ ଅଗ୍ରୱାଲା। ସେହିସମୟରେ ସେ କେନ୍ଦ୍ରାପଡା ଆସନରୁ ୪ ଥର ବିଧାୟକ ଭାବେ ଜିତି ଥିଲେ। ଏହାପରେ କେନ୍ଦ୍ରପଡା ଆସନ ସୀମା ସଂରକ୍ଷିତ ହେବା ପରେ ସେ ପାଟକୁରାକୁ ନିଜ ନିର୍ବାଚନ ମଣ୍ଡଳି ଭାବେ ବାଛିଥିଲେ। ପାଟକୁରାରୁ ସେ ୨୦୦୯ ଏବଂ ୨୦୧୪ ମସିହା ନିର୍ବାଚନରେ ଜିତି ଦୁଇ ଥର ବିଧାୟକ ମଧ୍ୟ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଅର୍ଥମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଏପରିକି ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ବେଦ ପ୍ରକାଶ ଅଗ୍ରୱାଲା। ସେ ନିଜ ନିର୍ବାଚନ ମଣ୍ଡଳିରେ ରହି ଲୋକଙ୍କ ସେବାକୁ ବେଶୀ ଗୁରୁତ୍ବ ଦେଇଆସୁଥିଲେ। ପରିଣତ ବୟସରେ ମଧ୍ୟ ତାଙ୍କ ଉପରେ ନବୀନ ଭରସା କରିଥିଲେ। ଯାହା ଦ୍ବାରା ତାଙ୍କୁ ପାଟକୁରାରୁ ଟିକେଟ ଦେବା ସହିତ ବିଜୁ ଜନତା ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲେ। ବେଦପ୍ରକାଶ ଚଳିତ ନିର୍ବାଚନ ପାଇଁ ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିଛନ୍ତି। ହେଲେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କର ଧର୍ମପତ୍ନୀ ତାଙ୍କ ପୁଅଙ୍କୁ ଟିକେଟ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ନବୀନ ବେଦପ୍ରକାଶଙ୍କୁ ହିଁ ଟିକେଟ ଦେଇ ନିର୍ବାଚନ ମଇଦାନରେ ଲଢେଇ କରିବା ପାଇଁ କହିଥିଲେ। ବହୁ କଷ୍ଟରେ ବେଦପ୍ରକାଶ ନିଜେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଲୋକଙ୍କୁ ଭୋଟ ଭିକ୍ଷା ମଧ୍ୟ କରିଛନ୍ତି। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ଭୁବନେଶ୍ବର ହସପିଟାଲରେ ଭର୍ତ୍ତି ହୋଇଥିଲେ।

ସମସ୍ତଙ୍କର ଆଶା ଥିଲା ସେ ସୁସ୍ଥ୍ୟ ହୋଇ ଫେରିବେ ଆଉ ନିର୍ବାଚନ ଲଢିବେ। ହେଲେ ସେ ଆଶା ହିଁ ଆଶାରେ ରହିଗଲା। ବର୍ତ୍ତମାନ ପାଟକୁରା ଆସନରେ ବେଦୁଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର। ଏକଦା ବିଜୟ ବେଦୁ ଗୋଟିଏ ଦଳରେ ରହି କାର୍ଯ୍ୟ କରୁଥିଲେ। ଆଉ ସେତେବେଳେ କେନ୍ଦ୍ରାପଡାରୁ ଏହି ଦୁଇ ନେତା ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରାପଡା ସବୁବେଳେ ଓଡିଶା ରାଜନୀତିକୁ ପ୍ରଭାବିତ କରିଥାଏ। ଏଥର ମଧ୍ୟ କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଉପରେ ସାରା ରାଜ୍ୟ ଏପରିକି ଦିଲ୍ଲୀ ଦରବାରର ମଧ୍ୟ ନଜରରେ ରହିଛି। କାରଣ ଏଠାରେ ଲୋକସଭା ପାଇଁ ହେଭିୱେଟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ଅନୁଭବ ମହାନ୍ତିଙ୍କ ଲଢେଇ ହେଉଛି। ସେହିପରି କେନ୍ଦ୍ରାପଡାର ପାଟକୁରା ମଧ୍ୟ ସାରା ରାଜ୍ୟର ନଜର ରହଥିଲା। କାରଣ ହେଲା ସେଠାରେ ବେଦୁଙ୍କ ସହିତ ବିଜେପିର ହେଭିୱେଟ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ବେଦପ୍ରକାଶଙ୍କ ଦେହାନ୍ତ ପରେ ସେହି ନିର୍ବାଚନ ମଣ୍ଡଳିର ରାଜନୈତିକ ରୂପରେଖ ସଂପୂର୍ଣ୍ଣ ବଦଳିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ସଂବିତ ପାତ୍ରଙ୍କ ଶ୍ରୀଜଗନ୍ନାଥ ରାଜନୀତି, ଓଡିଶା ଓ ଓଡିଆଙ୍କ ଲାଗି ଏକ ସାମାଜିକ ସଙ୍କଟର ପ୍ରଶ୍ନ

କେଦାର ମିଶ୍ର

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି ,ମୋଦିଜୀ ପଠାଇଛନ୍ତି।

ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଆମେ ଗଢି ତୋଳିବୁ।

ପୁରୀ ବ୍ରହ୍ମଗିରି ରାସ୍ତାରେ ଏମିତି ସ୍ଲୋଗାନ ଲେଖାଥିବା କିଛି ପୋଷ୍ଟର ଓ ବ୍ୟାନର ଲାଗିଛି। ଏ ପୋଷ୍ଟରର ନାୟକ ହେଉଛନ୍ତି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀମାନ ସଂବିତ ପାତ୍ର । ଯେବଠୁ ସଂବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା ହେଲାଣି, ସେବଠୁ ସଂବିତ ପାତ୍ର ଆମ ସମସ୍ତଙ୍କ ଲାଗି ମନୋରଞ୍ଜନର ଏକ ମାଗଣା ପ୍ୟାକେଜ ଭାବରେ କାମ କରି ଚାଲିଛନ୍ତି। କେଉଁଠି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧରି ନିର୍ବାଚନ ପ୍ରଚାର କଲେଣି ତ ଆଉ କେଉଁଠି ରାସ୍ତାରେ ଗଡିଲେଣି। ମୁଣ୍ଡିଆ ମାରି ମାରି ତାଙ୍କ କପାଳ ଏକ ପ୍ରକାର ଘୋରି ହୋଇଗଲାଣି। ପୁରୀ ସଦର ନିର୍ବାଚନ ମଣ୍ଡଳୀର ଜମାରସୁଆଁ ଗାଁରେ ଜଣେ ବୟସ୍କ ଭୋଟର ଆମକୁ କହିଥିଲେ, ସେ ଲୋକଟି (ସଂବିତ ପାତ୍ର) ବଡ ବିକଳ ହେଉଛନ୍ତି। ତେବେ ସମ୍ବିତଙ୍କ ଏ ପ୍ରକାର ନାଟକର ବହୁ ସମର୍ଥକ ମଧ୍ୟ ଅଛନ୍ତି। ଯେଉଁମାନେ ଜାତୀୟ ଟେଲିଭିଜନରେ ସମ୍ବିତଙ୍କ ବିତର୍କ ଦେଖିଛନ୍ତି, ସେମାନଙ୍କ ଲାଗି ସଂବିତ ଏକ ପ୍ରକାର ହିରୋ। ସମ୍ବିତଙ୍କ ପ୍ରଚାର କୌଶଳର ଏକ ମୁଖ୍ୟ ଉପାଦାନ ହେଉଛି ଧର୍ମ। ତାଙ୍କର ପ୍ରାୟ ବ୍ୟାନରରେ ଲେଖା ହୋଇଛି ଯେ “ପୁରୀ କୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଗଢି ତୋଳାଯିବ।“ ଏ ପ୍ରକାର ସ୍ଲୋଗାନ ଓ ପ୍ରତିଶୃତି ଦେଖିଲାପରେ ପ୍ରଥମ ପ୍ରଶ୍ନ ମନକୁ ଆସୁଛି- ଆଧ୍ୟାତ୍ମିକତା କଣ ଏକ ରାଜ୍ୟ ନା ଦେଶ ? ଆଧ୍ୟାତ୍ମିକତାର ଏକ ରାଜଧାନୀ ପୁଣି କଣ ? ପୁରୀ ଯଦି ଆଧ୍ୟାତ୍ମିକତା ର ରାଜଧାନୀ ହୁଏ ବାରାଣାସି ବା ଦ୍ଵାରକା କଣ ଆଧ୍ୟାତ୍ମିକତାର ଜିଲା ବା ତହସିଲ ହେବେ କି ?

ରାଜନୀତିରେ ସବୁ ଉଦ୍ଭଟତାକୁ ବାସ୍ତବ ବୋଲି ଉପସ୍ଥାପନ କରାଯାଇପାରେ। ସଂବିତ ପାତ୍ର ତାଙ୍କ ପ୍ରଚାରରେ ସେୟା କରିଚାଲିଛନ୍ତି। ତାଙ୍କ କଥାରେ ଆନ୍ତରିକତା କମ, ନାଟକୀୟତା ବେଶୀ। ପୁରୀ ଜିଲ୍ଲାର ଅନେକ ଗାଁ ଅଛି, ଯେଉଁଠି ପାତ୍ରଙ୍କୁ କେହି ଦେଖିନାହାନ୍ତି। କିନ୍ତୁ ପାତ୍ରଙ୍କ ପ୍ରଚାରତନ୍ତ୍ର ଏମିତି କହୁଛି, ଯେମିତି ସେ ପୁରୀର ଘରେ ଘରେ ପହଞ୍ଚି ସାରିଛନ୍ତି। ଓଡିଆରେ ଆମର ଗୋଟେ କଥା ଅଛି- କିଛି ବଡକୁହା ଅଛନ୍ତି, ଯେଉଁମାନେ କୁଆ ଉଡିଗଲେ, ଛୁଆ ଉଡିଗଲା ବୋଲି କହନ୍ତି। ସଂବିତ ସେ ପ୍ରକାର କଳାରେ ବେଶ ଧୁରନ୍ଧର। ପୁରୀ ଜିଲାର ରାଜନୀତିରେ ଭାରତୀୟ ଜନତା ପାର୍ଟିର ପ୍ରଭାବ ଆଜି ମଧ୍ୟ ସୀମିତ। ହେଲେ ପ୍ରଚାର ଓ ହୋ ହଲ୍ଲା ଜରିଆରେ ବିଜେପି ପୁରୀର ସହରୀ ମଧ୍ୟବିତ୍ତ ଓ ବିଜେଡ଼ିର ଅସନ୍ତୁଷ୍ଟଙ୍କ ପ୍ରିୟଭାଜନ ହେବା ଆରମ୍ଭ କରିଛି। ଇତି ମଧ୍ୟରେ ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ବିଜେପିର ଲୋକପ୍ରିୟତା କିଛିଟା ବଢିଛି। ବ୍ରହ୍ମଗିରିରେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିରେ ଯୋଗ ଦେଇଥିବାରୁ ସ୍ଵାଭାବିକ ଭାବରେ କଂଗ୍ରେସ ଭୋଟ ଏବେ ବିଜେପି ହାତକୁ ଆସିଛି। ଲୁଲୁଙ୍କ ପ୍ରତି ରହିଥିବା ଭଲପାଇବାର ଲାଭ ବିଜେପିକୁ ଏଠାରେ ମିଳୁଛି। ଏଥିରେ ବିଜେପିର ପ୍ରଭାବ ବା ସଂବିତ ପାତ୍ରଙ୍କ ବ୍ୟକ୍ତିତ୍ବର ବିଶେଷ ଅବଦାନ ନାହିଁ।

ତେବେ ଆରମ୍ଭରୁ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ, ଏବେ ସେଇ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ। ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ନିର୍ବାଚନରେ କୌଣସି ଧାର୍ମିକ ପ୍ରସଙ୍ଗ ଓ ସଙ୍କେତର ବ୍ୟବହାର କାରାଯାଇପାରିବ ନାହିଁ।  କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ସଂବିତ ନିଜ ପ୍ରଚାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଓ ନାମକୁ ବ୍ୟବହାର କରୁଛନ୍ତି। “ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି, ମୋଦିଜୀ ପଠାଇଛନ୍ତି” ବୋଲି କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମର ରାଜନୈତିକ ବ୍ୟବହାର କରିବା। ଏ ପ୍ରସଙ୍ଗରେ ବହୁ ବିଳମ୍ବରେ ନିର୍ବାଚନ କମିଶନ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ଧାର୍ମିକତା ର ଅପପ୍ରୟୋଗ ସମ୍ବିତଙ୍କ ଲାଗି ନୂଆ ନୁହଁ। ଅନ୍ୟ ଧର୍ମ ପ୍ରତି ହିଂସ୍ର ଓ ଅସୂୟାମୂଳକ ଟିପ୍ପଣୀ ଦେବାର ଏକ କଳଙ୍କିତ ଇତିହାସ ତାଙ୍କ ନାମରେ ରହିଛି। ଭାରତୀୟ ଜନତା ପାର୍ଟିର ଜାତୀୟ ପ୍ରବକ୍ତା ଭାବରେ ଅନ୍ୟ ଧର୍ମକୁ ନିନ୍ଦିତ କରିବା ଓ ବିଶେଷ କରି ଇସଲାମ ବିରୋଧରେ ଘୃଣା ସୃଷ୍ଟି କଲାପରି ବହୁ ମନ୍ତବ୍ୟ ଶ୍ରୀ ପାତ୍ର ଦେଇଥାନ୍ତି। ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ଶବ୍ଦ ପ୍ରୟୋଗ କରିବାରେ ମଧ୍ୟ ତାଙ୍କର ଦକ୍ଷତା ବେଶ ଜଣାଶୁଣା।

ସଂବିତ ନାଟକବାଜିରେ ବେଶ ପାରଙ୍ଗମ ହୋଇଥିବାବେଳେ ତାଙ୍କର ଦୁଇ ପ୍ରତିଯୋଗୀ ବିଜେଡ଼ିର ପିନାକୀ ମିଶ୍ର ଓ କଂଗ୍ରେସର ସତ୍ୟ ନାୟକ, ନିଜ ଉଚ୍ଚାରଣରେ ଅତ୍ୟନ୍ତ ମାର୍ଜିତ। ଏ ଦୁହିଙ୍କୁ ନାଟକ କରିବାର କଳା କୌଶଳ ଜଣାନାହିଁ। ଧର୍ମକୁ ନେଇ ପିନାକୀ ବା ସତ୍ୟ ସଂବିତ ପାତ୍ରଙ୍କ ସ୍ତରକୁ ଖସି ପାରିବେ ନାହିଁ। ତେବେ ଭୋଟ ରାଜନୀତିରେ ଧର୍ମ ଓ ଶ୍ରୀ ଜଗନ୍ନାଥଙ୍କୁ ଯିଏ ବି ଟାଣିଛି, ସେ ଓଡିଶାବାସୀଙ୍କର ପ୍ରତ୍ୟାଖ୍ୟାନ ସହିବାକୁ ବାଧ୍ୟ ହୋଇଛି। ସର୍ବ ଧର୍ମ ଓ ସବୁ ପନ୍ଥାର ମହା ସମନ୍ଵୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭୋଟ ମାଗିବାର ମାଧ୍ୟମ ବୋଲି ମନେ କରିବାର ଭୁଲ ଯୋଗୁଁ, ସଂବିତ ପାତ୍ର ଓ ତାଙ୍କର ବିଜେପିକୁ ଯଥେଷ୍ଟ ଅଧିକ ମୂଲ୍ୟ ଦେବାକୁ ପଡିପାରେ!!

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ଡବଲ ଇଞ୍ଜିନର ସରକାର, ସମ୍ବିଧାନ ଓ ଗଣତନ୍ତ୍ର ବିରୋଧରେ ଆଉ ଏକ ଷଡଯନ୍ତ୍ର

କେଦାର ମିଶ୍ର

ନିର୍ବାଚନ ସମୟରେ ନୂଆ ନୂଆ ପଦ ଗଢିବାର ଅଭ୍ୟାସ ରାଜନୈତିକ ଦଳମାନଙ୍କର ରହିଛି। ତେବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଆସିବା ପରେ ଏମିତି ପଦ ଗଠନ, ଗୋଟେ ପ୍ରକାର ଫେସନରେ ପରିଣତ ହୋଇଛି। ଯେମିତି “ଅଛେ ଦିନ” । ଯେମିତି ପ୍ରତି ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା। ଯେମିତି ନୋଟବନ୍ଦୀରେ କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ। କିମ୍ବା ଗୁଜରାଟ ମଡେଲ। ଶୁଣିବା ଲାଗି ଏସବୁ ବହୁତ ଭଲ ଶବ୍ଦ। ହେଲେ ବାସ୍ତବ କ୍ଷେତ୍ରରେ ଏହାର କୌଣସି ଉପଯୋଗ ନାଇଁ। ଏବେ ଯେଉଁ ସବୁ ରାଜ୍ୟରେ ବିଜେପି ବା ବିଜେପି ସମର୍ଥିତ ସରକାର ନାହିଁ, ସେଠି ବିଜେପି କହୁଛି, ବିକାଶ ଲାଗି ଡବଲ ଇଞ୍ଜିନର ସରକାର ଦରକାର । ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର। ବିକାଶ ହେବାକୁ ହେଲେ ଏହା ଏକମାତ୍ର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଇ ଚାଲିଛନ୍ତି। ଏ ପ୍ରକାର ଭାଷଣ ଦେଲାବେଳେ ନିଜର ଇତିହାସ ବୋଧେ ନରେନ୍ଦ୍ର ମୋଦୀଙ୍କର ମନେ ନାହିଁ ! ୨୦୧୪ ରେ ମୋଦୀ ଯେଉଁ ଗୁଜରାଟ ମଡେଲ ଦେଖାଇ ଭୋଟ ମାଗୁଥିଲେ ସେ ଗୁଜରାଟ ମଡ଼େଲର ସରକାର ଡବଲ ଇଞ୍ଜିନ ବାଲା ଥିଲା ନା ଗୋଟିଏ ଇଞ୍ଜିନରେ ଚାଲୁଥିଲା? କେନ୍ଦ୍ରର କଂଗ୍ରେସ ସରକାର ବିରୋଧରେ ନରେନ୍ଦ୍ର ମୋଦୀ ଯେଉଁ ଗୁଜରାଟ ମଡେଲ ତିଆରି କରିଥିଲେ ତାହା ଛଳନା ଥିଲା କି ?

ଆମର ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ଯେ କୌଣସି ଦଳରୁ ଆସିଲେ ମଧ୍ୟ ସମ୍ବିଧାନର ନିୟମ ଅନୁଯାୟୀ ପରସ୍ପରକୁ ସହଯୋଗ କରିବାକୁ ସେମାନେ ବାଧ୍ୟ। ଯଦି କେହି କହୁଛି ଯେ ଦୁଇଟି ଯାକ ସରକାର ଗୋଟିଏ ଦଳର ହେଲେ ଯାଇ ବାସ୍ତବ ବିକାଶ ହେବ, ସେ ମିଛ କହୁଛି ନଚେତ ସମ୍ବିଧାନର ଅବମାନନା କରୁଛି। ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତି ଏ ଦୁଇଟାରୁ କୌଣସି ଗୋଟିଏ କରିବା ଆମ ଗଣତନ୍ତ୍ର ପାଇଁ ବିପଦ। ଓଡିଶା ଆସି ପ୍ରଧାନମନ୍ତ୍ରୀ ବାରମ୍ବାର ଡବଲ ଇଞ୍ଜିନର ସରକାର କଥା କହୁଛନ୍ତି। ତେବେ କଣ ସେ ଡବଲ ଇଞ୍ଜିନ ଓ ସେଥିରେ ଆମର ସଙ୍ଘୀୟ ଗଣତନ୍ତ୍ର ପ୍ରତି କି ବିପଦ ସୃଷ୍ଟି ହେବ, ତାକୁ ନେଇ ବ୍ୟାପକ ଚର୍ଚ୍ଚା ହେବା ଉଚିତ।

ତେବେ ଡବଲ ଇଞ୍ଜିନର ବିତର୍କରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପ୍ରମୁଖ ପ୍ରସଙ୍ଗ ଯୋଡିଛନ୍ତି। ସରକାରର ଡବଲ ଇଞ୍ଜିନ କହିଲେ ଗୋଟିଏ ପଟେ ସରକାର ଓ ଅପର ପକ୍ଷରେ ସଶକ୍ତ ମହିଳା ସଂଗଠନ ବୋଲି ସେ କହିଛନ୍ତି। ଏହା ସହିତ ଗତକାଲି ଦଶପଲ୍ଲାଠାରେ ନିର୍ବାଚନୀ ସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ପଚାରିଛନ୍ତି ଯେ, ବିଜେପିର ଗୋଟେ ଇଞ୍ଜିନ ଆସି ଖାଲି ବଡ ବଡ କଥା କହୁଛନ୍ତି, ହେଲେ ତାଙ୍କର ଅନ୍ୟ ଇଞ୍ଜିନ ଟି କିଏ? ଏଠି ବିଜେପି ରାଜ୍ୟ ନେତୃତ୍ୱ ଉପରେ ନବୀନ ସିଧାସଳଖ ପ୍ରହାର କରିଛନ୍ତି। ଓଡିଶା ଇଞ୍ଜିନର ସଜ୍ଞା ଓ ସ୍ଵରୂପ ବିଷୟରେ ବିଜେପି ଲୋକଙ୍କୁ ଜବାବ ଦେଉ ବୋଲି ଗୋଟେ ଧାରଣା ଲୋକଙ୍କ ଭିତରେ ନବୀନ ବାବୁ ଛାଡି ଦେଇଛନ୍ତି। ଏବେ ବିଜେପି ଭିତରେ ମାଳ ମାଳ ଅସନ୍ତୁଷ୍ଟ ନେତାଙ୍କ ଭିଡ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ନିଜକୁ ଅଘୋଷିତ ନେତା ବୋଲି ଦେଖେଇ ହେଉଥିଲେ ମଧ୍ୟ ତାଙ୍କୁ ନେତା ବୋଲି ମାନିବାକୁ କେହି ପ୍ରସ୍ତୁତ ନୁହନ୍ତି। ଇତି ମଧ୍ୟରେ ବିଜେଡ଼ିର ଅନେକ ଘରଭଙ୍ଗା ନେତା ବିଜେପିରେ ପ୍ରବେଶ କରିଛନ୍ତି। ସେମାନେ ଏବେ ବିଜେପି ନେତୃତ୍ୱ ହାତେଇବାକୁ ହମ ହମ ହେଉଛନ୍ତି। ବିଜେପିରେ ଏବେ ବହୁତ ନେତା, ହେଲେ ନେତୃତ୍ୱ କେବଳ ହାୱା ହାତରେ ରହିଛି। ବିନା ସ୍ପଷ୍ଟ ନେତୃତ୍ବରେ ବିଜେପି ଏଠି ନିର୍ବାଚନ ଜିତିଯିବ ବୋଲି ଭାବୁଛି। ବିଜେପି ନେତା ଓ ସମର୍ଥକମାନେ ସ୍ଵୀକାର କରୁଛନ୍ତି ଯେ, ଓଡିଶାରେ ଜିତିବା ଭଳି ସଂଗଠନ ଓ ଶକ୍ତି ବିଜେପିର ନାହିଁ। କେବଳ ମୋଦୀ ହାୱା ମାଧ୍ୟମରେ ବିଜେପି କିଛି ଲୋକସଭା ଆସନ ପାଇଯିବ ବୋଲି ସେମାନେ ଭାବୁଛନ୍ତି।

ଏଠି କହିରଖିବା ଉଚିତ ହେବ ଯେ, ୨୦୧୪ ରେ ସାରା ଦେଶରେ ଯେଉଁ ମୋଦୀ ହାୱା ଥିଲା ତାହା ଏଥର ବିଲକୁଲ ନାହିଁ। ବରଂ ହିନ୍ଦୀ କ୍ଷେତ୍ରରେ ଏବେ ବିଜେପିର ବିପର୍ଯୟ ଆରମ୍ଭ ହୋଇଯାଇଛି। ସେଥିରେ ମୋଦୀ ହାୱା ଓଡିଶାରେ କାମ ଦେବ ବୋଲି ଭାବିବା ସତ୍ୟର ଅପଳାପ ହେବ। ଗତଥର ମଧ୍ୟ ବଲାଙ୍ଗୀର, ବାଲେଶ୍ଵର, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଆସନରେ ବିଜେପି ଜିତୁଛି ବୋଲି ପ୍ରବଳ ହାୱା ସୃଷ୍ଟି ହୋଇଥିଲା, ଯାହାକି ଫଳ ବାହାରିଲା ବେଳକୁ ଫୁସକି ଯାଇଥିଲା। ଏଥର ସେ ପ୍ରକାର ହାୱା ସତରେ କାମ ଦେଉଛି କି ନାଇଁ, ତାହା ଆସନ୍ତା ମଇ ୨୩ ତାରିଖରେ ଜଣା ପଡିବ। ନବୀନ ପଟ୍ଟନାୟକ ଏବେ ଡବଲ ଇଞ୍ଜିନ ବିତର୍କକୁ ଡେଇଁପଡି ବିଜେପିର ସବୁଠୁ ବଡ କ୍ଷତକୁ ଚାହାଲି ଦେଇଛନ୍ତି। ବିନା ଡବଲ ଇଞ୍ଜିନର ସରକାରରେ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡିକ ବିକାଶର ଉଚ୍ଚତା ରେ ପହଞ୍ଚିପାରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅଧସ୍ତନ ହେବା ଅପେକ୍ଷା ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଜ୍ୟ ସରକାର ରାଜ୍ୟର ବିକାଶରେ ବେଶୀ ସହାୟକ ହୋଇ ପାରିବେ। ତାମିଲନାଡୁ ଓ କେରଳରେ ଦୀର୍ଘ ବର୍ଷ ଧରି ଗୋଟିଏ ଇଞ୍ଜିନର ସରକାର ରହିଛି ଓ ସେ ସରକାର ଭଲ କାମ କରିଛି। ବରଂ ଏବେ ବିଜେପି ଶାସିତ ରାଜ୍ୟ ଗୁଡିକ ଅନେକାଂଶରେ ବିକାଶ ସୂଚକାଙ୍କରେ ପଛୁଆ ରହିଛନ୍ତି। ତେଣୁ ବିକାଶ ଲାଗି ଡବଲ ଇଞ୍ଜିନର ସରକାର କେବଳ ଏକ ଛଳନା।

ଲୋକେ ଠିକ ଜାଣନ୍ତି, କେଉଁ ଇଞ୍ଜିନ ଲଗାଇ ସେମାନେ ନିଜର ସରକାରକୁ ଚଳାଇବେ।

Categories
ବିଶେଷ ଖବର

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ହାରଜିତର ବିଚିତ୍ର ଗଣିତ

କେଦାର ମିଶ୍ର

ଓଡିଶାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ତଥା ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ମନପସନ୍ଦ ପ୍ରତିନିଧି ବାଛି ସାରିଛନ୍ତି। ଏବେ ପରୀକ୍ଷା ସରିଛି, ମଇ ୨୩ ତାରିଖରେ ଫଳ ବାହାରିବ। ତେବେ ନିର୍ବାଚନ ପରେ ପରେ ରାଜନୈତିକ ଦଳ ଗୁଡିକ ନିଜ ନିଜର ସଫଳତାର କାହାଣୀ କହିବା ଆରମ୍ଭ କରନ୍ତି। ପ୍ରଥମ ପର୍ଯ୍ୟାୟର ଫଳାଫଳ ବିଜେଡି, କଂଗ୍ରେସ ଓ ବିଜେଡି ନିଜ ନିଜ ପକ୍ଷରେ ଘୋଷଣା କରି ସାରିଛନ୍ତି। ବିଜୁ ଜନତା ଦଳ ୪ ଟି ଯାକ ଲୋକସଭା ଓ ୨୫ ଟି ବିଧାନସଭା ଆସନ ଜିଣିବ ବୋଲି କହିଛି। କଂଗ୍ରେସ ତିନୋଟି ଲୋକସଭା ଓ ୨୦ ବିଧାନସଭାର ଆକଳନ ନିଜ ପକ୍ଷରେ ରଖିଛି। ସବୁଠୁ ବିଚିତ୍ର ଗଣିତ ରଖିଛି ଭାରତୀୟ ଜନତା ପାର୍ଟି। ଦଳର ଉପ ସଭାପତି  ସମୀର ମହାନ୍ତି କହିଛନ୍ତି, ଲୋକସଭାର ଚାରୋଟି ଯାକ ଆସନ ଆମେ ଜିତିବୁ ଓ ବିଧାନସଭାରେ ପ୍ରାୟ ଅଧା ଆସନ ଜିଣିବୁ। ତା ଅର୍ଥ ହେଉଛି ବିଧାନସଭାରେ ବିଜେପି ୨୮ ରୁ ୧୪/୧୫ ଆସନ ଆଶା କରୁଛି। ଏଥିରୁ ଆମେ ବୁଝିବା ଉଚିତ ହେବ ଯେ ବିଜେପି ଏବେ ଆଉ ନିଜର ମିଶନ ୧୨୦+ କୁ ଭୁଲି ଯାଇଛି ? ସେହିପରି ବିଧାନସଭା ଆସନରେ ହାରିଲେ ଲୋକସଭାରେ ଜିତିବାର ସମ୍ଭାବନା ବହୁତ କମ ଥାଏ ବୋଲି ବିଜେପି ଜାଣିଥିବ ନିଶ୍ଚୟ!

ନିର୍ବାଚନ ପରେ ହାର ଜିତ କୁ ନେଇ ରାଜନୈତିକ ଦଳମାନେ ଯେଉଁ ଆକଳନ ପ୍ରସ୍ତୁତ କରିଥାନ୍ତି, ତାହା ଉପରେ କେହି ବିଶ୍ଵାସ କରନ୍ତି ନାଇଁ। ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ଦଳର ଆକଳନ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଉପରେ ବେଶ ପ୍ରଭାବ ପକାଇବ। ହାର ଜିତ ର ସତ୍ୟତା ଅପେକ୍ଷା ତାକୁ ନେଇ କଲ୍ପନା ଜଳ୍ପନା ଗୋଟେ ବଡ ଭୂମିକା ନେଇଥାଏ। ପ୍ରଥମ ପର୍ଯ୍ୟାୟର ମାନସିକ ଚାପ ଦ୍ଵିତୀୟ ପର୍ଯ୍ୟାୟକୁ ସମ୍ପ୍ରସାରିତ ହୋଇଥାଏ। ତେଣୁ ବିଜୟର ଅଙ୍କ ପ୍ରସ୍ତୁତ କଲାବେଳେ ରାଜନୈତିକ ଦଳ ଗୁଡିକ ନିଜ ଅଙ୍କକୁ ସଠିକ ଭାବରେ ପରଖିନେବା ଉଚିତ। ରାଜନୈତିକ ଦଳ ଗୁଡିକ ଯାହା ଆକଳନ କରନ୍ତି, ତାର ସତ୍ୟାସତ୍ୟ ଜାଣିବାକୁ ଆମେ ସାମ୍ବାଦିକମାନେ ଆହୁରି ଅନ୍ୟାନ୍ୟ ସୂତ୍ର ଉପରେ ଭରସା ରଖିଥାଉ। ଯଦିଓ ଫଳ ବାହାରିବା ପର୍ୟନ୍ତ କୌଣସି ବି ଭବିଷ୍ୟତବାଣୀ କରିବା ଠିକ ନୁହଁ, ତଥାପି ଏ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଆମକୁ ମିଳିସାରିଛି।

ବିଭିନ୍ନ ଦଳର ନିଜସ୍ଵ ଘୋଷଣା, ସେମାନଙ୍କ କହିବାରେ ରହିଥିବା ଆତ୍ମବିଶ୍ଵାସ ଓ ଅନ୍ୟାନ୍ୟ ସୂତ୍ରର ସୂଚନାକୁ ମିଶେଇ ଆମେ ଭବିଷ୍ୟତର ଏକ ସଙ୍କେତ ପାଇ ଯାଇପାରିବା। ଏଠି ଗୋଟେ କାଳ୍ପନିକ ସ୍ଥିତି କଥା ବିଚାର କରନ୍ତୁ- ଯଦି ବିଜେପି ଚାରୋଟି ଲୋକସଭା ଆସନରେ ଜିତିବାର ଆତ୍ମବିଶ୍ଵାସ ରଖିଥାନ୍ତା, ତାହେଲେ ଦଳର ସୋସିଆଲ ମିଡିଆ ଓ ଟ୍ରୋଲ ଆଉ କାହାକୁ ବସେଇ ଉଠେଇ ଦିଅନ୍ତେ ନାହିଁ। ପ୍ରଥମ ପର୍ୟାୟ ଭୋଟ ଗ୍ରହଣ ପରେ ବିଜେପି ଅଧିକ କିଛି ଲୋକସଭା ଆସନ ପାଇବ ବୋଲି ଭାବୁଛି। ବିଧାନସଭାରେ ବିଜେପିର ବିଜୟକୁ ନେଇ ଦଳର ଦମ୍ଭ ସେତେ ବେଶୀ ଦିଶୁନାହିଁ।“ ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ପଦ୍ମ” ବୋଲି କେତୋଟି ସ୍ଥାନରେ ଯେଉଁ ଜନରବ ଶୁଣାଯାଉଛି, ତାହା ବିଜେପିକୁ ବିଧାନସଭା କ୍ଷେତ୍ରରେ ଏକ ପ୍ରକାର ସଚେତନ କରି ଦେଇଛି। ସେଥିଲାଗି ବୋଧେ ବିଜେପି କହୁଛି ସେମାନେ ୨୮ ରୁ ୧୪ ବିଧାନସଭା ଆସନ ପାଇ ପାରନ୍ତି।

ଅପର ପକ୍ଷରେ ବିଜେଡି ନିଜ ଆକଳନକୁ ନେଇ ଅଧିକ ଆକ୍ରାମକ ଲାଗୁଛି। ପାରମ୍ପାରିକ ଭାବରେ ଏହି ଚାରୋଟି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେବା କଥା। କିନ୍ତୁ କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି ତିନୋଟି ଯାକ ଆସନରେ ଏବେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଥିବାର ସୂଚନା ମିଳୁଛି। କେବଳ ନବରଙ୍ଗପୁର ଆସନରେ ଏହାର ପ୍ରାର୍ଥୀ ପ୍ରଦୀପ ମାଝୀ କିଛିଟା ସମ୍ଭାବନା ବଜାୟ ରଖିଛନ୍ତି। କଳାହାଣ୍ଡିରେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲାର ସଙ୍କେତ ରହିଛି। କଳାହାଣ୍ଡିର ବିଧାନସଭା ଆସନ ଗୁଡିକର ସ୍ଥିତି ଏତେ ବିଭାଜିତ ଯେ ସେଥିରେ ଯିଏ ବି ବିଜୟୀ ହେବ ତାଙ୍କର ଭୋଟ ବ୍ୟବଧାନ କମ ରହିବା ସ୍ଵାଭାବିକ।

ଗତ ନିର୍ବାଚନ ପରି ଏଥର ମଧ୍ୟ ମହିଳା ଭୋଟର ବହୁ ସଂଖ୍ୟାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଧକ ସଂଖ୍ୟକ ଭୋଟଦାନ ହେବା ଓ ମହିଳା ଭୋଟର ଅଧିକ ଆସିବା, ବିଜେଡି କୁ ସୁହାଇପାରେ। ତେଣୁ ଦଳ ତରଫରୁ ୨୮ ରୁ ୨୫ ର ଦାବୀ ପ୍ରସ୍ତୁତ କରାଯାଉଛି। ତେବେ ଗତ ଥର ବିଜେଡି ଏ ସବୁ କ୍ଷେତ୍ରରେ ଯେତିକି ଆସନ ପାଇଥିଲା, ଏଥର ମଧ୍ୟ ସ୍ଥିତାବସ୍ଥା ବଜାୟ ରହିପାରେ। ତେବେ ଲୋକସଭା ଆସନରେ କଳାହାଣ୍ଡି ଓ ନବରଙ୍ଗପୁର ବିଜେଡି ଲାଗି ସହଜ ମନେ ହେଉନାହିଁ।

 

Categories
ବିଶେଷ ଖବର

ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ; ଜୟ, ବିଜୟ, ଅପରାଜିତା ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ଚଳାଇଛନ୍ତି ଷଡଯନ୍ତ୍ର

ସମୀକ୍ଷା ବ୍ୟୁରୋ

ରାଜନୈତିକ ପଶାପାଲିରେ ଦିନକୁ ଦିନ ଅଜବ କଥା ସବୁ ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯେଉଁ ଖବର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହା ଅତି ସାଂଘାତିକ। ଖବରଟି ହେଲା ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ କରୁଛନ୍ତି ଷଢଯନ୍ତ୍ର। ଏହି ଖବରଟି କେତେ ସତ ତାହା କହିବା ମୁସ୍କିଲ, ହେଲେ ଯଦି ସତ ତାହା ହେଲେ ବଡ ସାଂଘାତିକ। ବିଜେପିର ଏହି ପ୍ରଭାବଶାଳୀ ଗୋଷ୍ଠୀର ଭୟ ରହିଛି ଯେ, ଏହି ଚାରିଜଣ କ୍ଷମତାକୁ ଆସିଲେ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ହୋଇଯିବେ। ଏପରିକି ଲୋକମାନେ ଓ କର୍ମୀମାନେ ମଧ୍ୟ ସେମାନଙ୍କ ପଟକୁ ଢଳିଯିବେ। ଏହି ଆଶଙ୍କାରେ ସେହି ନିର୍ଦ୍ଦିଷ୍ଠ ଗୋଷ୍ଠୀର ଉପଦେଷ୍ଠାଠାରୁ ଆରମ୍ଭ କରି ଚେଲାଚାମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ସେମାନଙ୍କୁ ହରାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମୀମାନଙ୍କୁ କୁଆଡେ ଏହି କାମରେ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଯାହା ପଇସା ଖର୍ଚ୍ଚ ହେବ ତାହା ମଧ୍ୟ ଭରଣା କରିବା ପାଇଁ କୁଆଡେ ପ୍ରତିଶୃତି ଦିଆଯାଇଥିବା ଚର୍ଚ୍ଚା ଚାଲିଛି।

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯିଏକି ବିଜେପିରେ ଯୋଗଦେଇ ନିର୍ବାଚନ ମଇଦାନରେ ଛିଡା ହୋଇଛନ୍ତି, ସେ ହେଉଛନ୍ତି କୁଆଡେ ଏହି ଗୋଷ୍ଠୀର ପ୍ରଥମ ଟାର୍ଗେଟ। କାରଣ ହେଲା ଏହି ଗୋଷ୍ଠୀ ଭଲଭାବରେ ଜାଣିଛନ୍ତି ଯେ, ବୈଜୟନ୍ତ ଥରେ କ୍ଷମତାକୁ ଆସିଗଲେ ସେ ଅଧିକ ଶକ୍ତିଶାଳୀ ହୋଇଯିବେ। ଦିଲ୍ଲୀ ତଥା କେନ୍ଦ୍ର ବିଜେପିରେ ବୈଜୟନ୍ତଙ୍କ ବେଶ୍ ଦବଦବା ରହିଛି। ସେ ସିଧା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ କଥା ହୋଇପାରୁଛନ୍ତି। ବୈଜୟନ୍ତଙ୍କ ବିଜେପି ପ୍ରବେଶକୁ ଏହି ଗୋଷ୍ଠୀ ପ୍ରଥମରୁ ବିରୋଧ କରୁଥିଲେ। ହେଲେ ପରବର୍ତ୍ତି ସମୟରେ ବୈଜୟନ୍ତଙ୍କ ନିଜସ୍ବ ନେଟୱାର୍କ ଦ୍ବାରା ସେ ବିଜେପିରେ ଯୋଗଦେବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମଧ୍ୟ ହାତେଇ ପାରିଛନ୍ତି। ଏହାକୁ ନେଇ ସେହି ଗୋଷ୍ଠୀ କୁଆଡେ ଉତକ୍ଷିପ୍ତ।

ସେହିପରି ଏହି ଗୋଷ୍ଠୀ ବିଜୟ ମହାପାତ୍ର କିପରି ହାରିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। କାରଣ ଏହି ଗୋଷ୍ଠୀ ମଧ୍ୟ ନିଶ୍ଚିତ ଯେ, ବିଜୟ ଯଦି କ୍ଷମତାକୁ ଆସନ୍ତି ତାଙ୍କର କାଟତି ମଧ୍ୟ ଦଳରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବରୁ ସେ ଦଳ ଭିତରେ ଥିଲେ ମଧ୍ୟ ତାଙ୍କୁ ପଙ୍ଗୁ କରିଦିଆଯାଇଥିଲା। ହେଲେ ସେ ଏକ ଅଭୟ ଶକ୍ତି ନେଇ ପୁଣିଥରେ ଦଳକୁ ଫେରିଛନ୍ତି ବୋଲି ଏହି ଗୋଷ୍ଠୀର ଧାରଣା। ତେଣୁ ସେ ଯଦି କ୍ଷମତା ପ୍ରାପ୍ତ ହୁଅନ୍ତି ତେବେ ତାଙ୍କର ଯେଉଁ ଲୋକପ୍ରିୟତା ରହିଛି ସେଥିରେ କର୍ମିମାନେ ତାଙ୍କ ଆଡକୁ ଢଳିବାର ମଧ୍ୟ ସମ୍ଭବାନା ରହିଛି। ତେଣୁ ସେ କିପରି ହାରିବେ ଏ ନେଇ ଏହି ଗୋଷ୍ଠୀ ଗୋଟି ଚାଳନା କରି ଚାଲିଛନ୍ତି।

ଆଉ ଜଣେ ହେଲେ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଏହି ଗୋଷ୍ଠୀର ବଡ ଟାର୍ଗେଟରେ। କାରଣ ଅପରିଜାତିଙ୍କ ମଧ୍ୟ ଦିଲ୍ଲୀ ଦରବାରରେ ଏବଂ କେନ୍ଦ୍ରୀୟ ନେତାଙ୍କ ପାଖରେ ପହଁଚ ରହିଛି। ସେ ବର୍ତ୍ତମାନ ନୂଆଦିଲ୍ଲୀ ନେତାଙ୍କ ଆର୍ଶିବାଦରେ ଦଳରେ ଯୋଗ ଦେଇଛନ୍ତି। ଅପରାଜିତା ମଧ୍ୟ ଅନେକ ସମୟରେ ମୋଦୀଙ୍କ ପାଇଁ ସେ ରାଜନୀତିକୁ ଆସିଛନ୍ତି ବୋଲି କୁହନ୍ତି। ଅର୍ଥାତ ରାଜ୍ୟ ନେତାମାନେ ତାଙ୍କ ଆସିବାରେ ହାତ ନାହିଁ ବୋଲି ପରୋକ୍ଷରେ କହିଦେଇଛନ୍ତି। ସେ ଯଦି ଜିତିଯାଆନ୍ତି ତେବେ କେନ୍ଦ୍ରୀୟ ପ୍ରଶାସନ ଏବଂ କେନ୍ଦ୍ରୀୟ ନେତାଙ୍କ ସୁସଂପର୍କ,ତାଙ୍କୁ ଅଧିକ କ୍ଷମତାଶାଳୀ କରିଦେବ। ତେଣୁ ଅପରାଜିତା କିପରି ହାରିବେ ସେ ନେଇ ଏହି ଗୋଷ୍ଠୀର ନେତା କୁଆଡେ ରାତି ଅଧିଆ କାମରେ ଲାଗିପଡିଛନ୍ତି। ଭୁବନେଶ୍ବରର ଲୋକସଭା ଅଧିନସ୍ଥ ବିଧାନସଭାରେ କିଏ ପ୍ରାର୍ଥୀ ହେବ ତାହା ଖୋଦ ଅପରାଜିତା ନିର୍ଦ୍ଧାରଣ କରିଛନ୍ତି। ଯାହା ସେହି ଗୋଷ୍ଠୀକୁ ଖୁବ ଜୋରରେ ବାଧିଛି। ପୁରୀରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଗୋଷ୍ଠୀର ଟ୍ୟାର୍ଗଟରେ। ହେଲେ ଏହାଙ୍କ ପଛରେ ଏହି ଗୋଷ୍ଠୀ ସେତେ ସକ୍ରିୟ ନାହିଁନ୍ତି। କାରଣ ପୁରୀରେ ସମ୍ବିତଙ୍କ ଭବିଷ୍ୟତ କଣ ହେବ ଏମାନେ ଠଉରେଇ ସାରିଛନ୍ତି। ସେଥିପାଇଁ ଏହାଙ୍କ ପଛରେ ସେପରି ଜୋରଦାର ଷଢଯନ୍ତ୍ର କରାଯାଇ ନାହିଁ।

ଏହି ଖବରକୁ ନେଇ ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ହେଲେ ବିଜେପିର କୈଣସି ନେତା ଖୋଲାଖୋଲି କିଛି କହିବାକୁ ଶକ୍ତି ନ ଥିଲେ ମଧ୍ୟ ଭିତିରେ ଭିତରେ ଏହାକୁ ନେଇ ବେଶ୍ ଆଲୋଚନା ଚାଲିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ନବୀନ, କହିଲେ ମୋ ସ୍ବାସ୍ଥ୍ୟ ଖରାପ ବୋଲି ସେ ହିଁ କରିଥିଲେ ଅପପ୍ରଚାର, ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ

ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଯେଉଁ ଅପପ୍ରଚାର ହୋଇଥିଲା, ତାହାର ଗୁମର ଖୋଲିଛନ୍ତି ଖୋଦ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ନବୀନ ବୈଜୟନ୍ତଙ୍କ ଷଢଯନ୍ତର ଖୁଲାସା କରିଛନ୍ତି। ନବୀନ କହିଛନ୍ତି ଯେ, ପୂର୍ବେ ମୋର ଦେହ ଖରାପ ଅଛି ବୋଲି ଗଣମାଧ୍ୟମରେ ଯେଉଁ ପ୍ରଚାର କରାଯାଇଥିଲା, ତାହାର ମୂଳରେ ଥିଲେ ବୈଜୟନ୍ତ ପଣ୍ଡା। ନବୀନଙ୍କ ଏପରି ଖୁଲାସା ପରେ ବର୍ତ୍ତମାନ ରାଜ୍ୟ ରାଜନିତୀରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। କାରଣ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଅପପ୍ରଚାର କରି ତାଙ୍କର ଗୁରୁତ୍ବକୁ ହ୍ରାସ କରିବା ପାଇଁ ସେତେବେଳେ ବୈଜୟନ୍ତ ଚାହୁଁଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ଏନଡିଟିଭିର ସାମ୍ବାଦିକ ଶ୍ରୀନିବାସ ଜୈନ ନବୀନ ନିବାସରେ ନବୀନଙ୍କ ସାକ୍ଷାତକାର ନେଇଛନ୍ତି। ଆଉ ସେ ଏପରି ସମୟରେ ନେଇଛନ୍ତି ଯେତେବେଳେ ନବୀନ ବ୍ୟାୟମ କରୁଥିଲେ। ଶ୍ରୀନିବାସ ପଚାରିଛନ୍ତି ଯେ, ସେ ଏପରି ବ୍ୟାୟମ ପ୍ରକୃତରେ କରନ୍ତି ନା ଆଜି କ୍ୟାମେରା ପାଇଁ ଏପରି କରୁଛନ୍ତି। ଏହାର ଉତ୍ତରରେ ନବୀନ କହିଥିଲେ ଯେ ନା ସେ ପ୍ରାୟ ଏପରି ବ୍ୟାୟମ ବହୁ ବର୍ଷ ଧରି କରିଆସୁଛନ୍ତି। ଏହାପରେ ଶ୍ରୀନିବାସଙ୍କ ପ୍ରଶ୍ନ ଥିଲା ଯେ, ତେବେ ହଠାତ ଗଣମାଧ୍ୟମରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଏକ ପ୍ରଚାର କରାଯାଇଥିଲା। ତାହାର ଉତ୍ତରରେ ନବୀନ ଖୋଲାଖୋଲି ବୈଜୟନ୍ତଙ୍କ ଷଢଯନ୍ତ୍ର ବୋଲି କହିଥିଲେ।

ଗତ 2017 ମସିହା ଫେବୃୟାରୀ 17 ତାରିଖରେ ଏକ ଡିଜିଟାଲ ମିଡିଆରେ ପ୍ରକାଶ ପାଇଲା ଯେ, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଆଉ ଚଳପ୍ରଚଳ କରିପାରୁ ନାହାଁନ୍ତି। ନୂଆଦିଲ୍ଲୀ ଯାଇ ଚିକିତ୍ସା କରିବା ପାଇଁ ବନ୍ଦୋବସ୍ତ ଚାଲିଛି। ଏହି ଖବର ପ୍ରକାଶିତ ହେବା ପରେ ତାକୁ ଆଧାର କରି ବୈଜୟନ୍ତଙ୍କ ଗଣମାଧ୍ୟମ ସେତେବେଳେ ଏହି ଖବରକୁ ବାରମ୍ବାର ପ୍ରସାରଣ କରିଥିଲା। ଏପରିକି ଏହି ଚ୍ୟାନେଲରେ ରିପୋର୍ଟରଙ୍କ ଲାଇଭ ଏପରି ନିଆଯାଇଥିଲା ଯେ, ଲାଗିଲା ସତେ ଯେମିତି ନବୀନଙ୍କ ସ୍ବାସ୍ଥ୍ୟ ବହୁ ଗୁରୁତର ହୋଇପଡିଛି। ଏପରି ଖବର ପରେ ଖୋଦ ନବୀନ ବାହାରକୁ ଆସି ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ।

ସେତେବେଳେ ଏହି ଖବର ବୈଜୟନ୍ତଙ୍କ ଚ୍ୟାନେଲରେ ବାରମ୍ବାର ପ୍ରସାରଣ ହେବାର ଯେଉଁମାନେ ଦେଖିଛନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ। କାରଣ ଥିଲା ସତରେ ଯଦି ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ତେବେ ଅନ୍ୟ ନ୍ୟୁଜ ଚ୍ୟାନେଲ ମଧ୍ୟ ଏହାକୁ ପ୍ରସାରଣ କରୁଥିବେ। ହେଲେ ସେତେବେଳେ କେବଳ ବୈଜୟନ୍ତଙ୍କ ଚ୍ୟାନେଲକୁ ଛାଡିଦେଲେ ଅନ୍ୟମାନେ ଏହି ଖବର ନେଉ ନ ଥିଲେ। ଫଳରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଖବର ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ତନାଘନା କରି ବୈଜୟନ୍ତ ପଣ୍ଡାଙ୍କ ଉପରେ ହିଁ ସନ୍ଦେହ କରିଥିଲା। ବୈଜୟନ୍ତଙ୍କ ହାବଭାବ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସେହି ଦିନଠାରୁ ଅନୁଧ୍ୟାନ କରିଆସୁଥିଲେ। ପ୍ରମାଣ ଥାଉ କି ନ ଥାଉ ବୈଜୟନ୍ତଙ୍କ ଏପରି କାରାସାଦୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ନବୀନଙ୍କ ପରେ ସେ ବିଜେଡିର ମଙ୍ଗ ଧରିବେ। ଏହା ଖୋଦ ନବୀନ ଜାଣିବା ପରେ ଟାଣୁଆ ବୈଜୟନ୍ତଙ୍କ ଟାଣ ପଣ ଭାଙ୍ଗି ଦଳରୁ ବହିସ୍କାର କରିଦେଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA, ଏହି ଆପ୍ ଡାଇନଲୋଡ ପରେ ଟିପରେ ସ୍କ୍ରନକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ସତ, ନବୀନ ସରକାର ବିରୋଧରେ କୌଣସି କ୍ରୋଧ ବା ଆକ୍ରୋଶ ନାହିଁ, କିନ୍ତୁ ଅନେକ ସ୍ଥାନୀୟ ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ରହିଛି

କେଦାର ମିଶ୍ର

ଗତ ୨ଏପ୍ରିଲରୁ ୬ ଏପ୍ରିଲ ପର୍ୟନ୍ତ ଓଡିଶାର ବ୍ରହ୍ମପୁର, ଆସ୍କା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାୟ ୩୦ରୁ ଅଧିକ ବିଧାନସଭା କ୍ଷେତ୍ର ବୁଲିବାର ସୁଯୋଗ ମିଳିଥିଲା। ଖଲିକୋଟ, କବିସୂର୍ୟ ନଗର, ଆସ୍କା, ହିଞ୍ଜିଳି, ସୋରୋଡା, ବାଲିଗୁଡା, ଦଶପଲ୍ଲା, ଜି ଉଦୟଗିରି, କଣ୍ଟାମାଳ, ବୌଦ, ଦଶପଲ୍ଲା, ଫୁଲବାଣୀ, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, କୋରାପୁଟ, ଜୟପୁର, ନବରଙ୍ଗପୁର, ଝରିଗାଁ, ଡାବୁ ଗାଁ, ଧରମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଟିଟିଲାଗଡ, ବଲାଙ୍ଗୀର ଓ ସୋନପୁର ବିଧାନସଭା ମଣ୍ଡଳୀ ବୁଲିବା ସମୟରେ ଲୋକଙ୍କ ପ୍ରତିକ୍ରିୟାକୁ ନେଇ ଧାରାବାହିକ ଭାବରେ ଆମେ ଲେଖୁଛୁ। ତେବେ ଏତେ ବାଟ ବୁଲିବା ଭିତରେ ଗୋଟେ କଥା ମାନିବାକୁ ପଡିବ ଯେ, ୧୯ ବର୍ଷ ଶାସନ କଲାପରେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ମୋହ ତୁଟିନାହିଁ। କୋରାପୁଟ-ଲକ୍ଷ୍ମୀପୁର ରାସ୍ତାରେ ଥିବା କୁମ୍ଭୀକୋଟା ଗାଁର ଦଳେ ବୟସ୍କ ଲୋକ ଏକା ସାଙ୍ଗରେ ଆମକୁ କହିଥିଲେ, “ନବୀନ ବାବୁଟା ଭଲ ଲୋକ ଆଜ୍ଞା, ହେଲେ ଆମ ଏମଏଲଏ ଟି ଭଲ ଲୋକ ନୁହଁ। ଗଲା ଚାରୋଟି ଯାକ ନିର୍ବାଚନରେ ଆମେ ତାଙ୍କୁ ଭୋଟ ଦେଇଛୁ, ହେଲେ ୧୯ ବର୍ଷ ଭିତରେ ସେ ଲୋକ ଆମ ଗାଁକୁ ଥରେ ବି ଆସିନାହାନ୍ତି।“

ଏ ପ୍ରକାର ମନ୍ତବ୍ୟ ଅନେକ ଜାଗାରେ ଶୁଣିବାକୁ ମିଳିଛି। ଲୋକେ ନବୀନ ସରକାର ପ୍ରତି ଯେତିକି ସନ୍ତୁଷ୍ଟ, ନବୀନଙ୍କ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଲୋକଙ୍କ ମନରେ ସେତିକି କ୍ଷୋଭ ରହିଛି। ଓଡିଶା ସରକାର ବଦଳିବା ଦରକାର ବୋଲି ବିରୋଧୀ ଦଳ ଗୁଡିକ କହୁଥିବା ବେଳେ ଲୋକ କିନ୍ତୁ ନବୀନଙ୍କ ଉପରେ ମାତ୍ରାଧିକ ସନ୍ତୁଷ୍ଟ ଥିବା ଦେଖିବାକୁ ମିଳୁଛି। ଆମେ ଭେଟିଥିବା ୫୦୦ ରୁ ଅଧିକ ଲୋକଙ୍କ ଭିତରୁ କେହି ଜଣେବି ନବୀନଙ୍କୁ ଅବିଶ୍ଵାସ କରିବା ଭଳି ମନ୍ତବ୍ୟ ଦେଇନଥିଲେ। ହେଲେ ଖଲିକୋଟ ଠୁ ଆରମ୍ଭ କରି ସୋନପୁର ପର୍ଯନ୍ତ ସବୁଠି ଶାସକ ଦଳର ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କ  ନାଁରେ ଲୋକଙ୍କ ଆକ୍ରୋଶ ରହିଛି। ହୁଏତ ନବୀନଙ୍କ ପ୍ରତି ରହିଥିବା ଶୁଭେଛାର ଲାଭ ଏ ବିଧାୟକମାନେ ଉଠାଇବେ, ନଚେତ ଏମାନଙ୍କ ହାରିବା ଏକ ପ୍ରକାର ଥୟ ବୋଲି କୁହାଯାଇପାରେ।

ଖଲିକୋଟ ବିଜେଡି ଅଫିସ ଆଗରେ ଆମକୁ ପ୍ରଚାରରେ ବାହାରିଥିବା ଜଣେ କର୍ମୀ କହିଥିଲେ, “ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କୁ ଲୋକ ପସନ୍ଦ କରୁନାହାନ୍ତି। କାରଣ ସେ ଲୋକଙ୍କ ସହ ମିଶୁନାହାନ୍ତି।“ କନ୍ଧମାଳରେ ଏଥର ନୂଆ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପ୍ରତି ବିପୁଳ ସମର୍ଥନ ଦେଖିବାକୁ ମିଳୁଥିବା ବେଳେ ବିଧାୟକ ପ୍ରାର୍ଥୀମାନଙ୍କୁ ନେଇ ଅନେକଟା ଅସନ୍ତୋଷ ବାରି ହୋଇପଡୁଛି। ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ବିରୋଧରେ ତାଙ୍କ ଦଳର ଅନେକ କର୍ମୀ ବିଦ୍ରୋହ କରୁଥିବାର ଖବର ମିଳୁଛି। ସମାନ କଥା ନବରଙ୍ଗପୁରରେ ଦେଖିବାକୁ ମିଳିଛି। ପାପଡାହାଣ୍ଡି ବଜାରରେ ଜଗମୋହନ ରାଓ ନାମକ ଜଣେ ଭୋଟର କହିଲେ, ସେ ସବୁବେଳେ ବିଜେଡି କୁ ଭୋଟ ଦେଇଥାନ୍ତି। ହେଲେ ଝରିଗାଁ ବିଧାୟକ ତଥା ମନ୍ତ୍ରୀ ଗତ କିଛି ବର୍ଷ ହେଲା ଭୁବନେଶ୍ବରିଆ ହୋଇ ଯାଇଛନ୍ତି!

ଆମର ଜନମତ ସଂଗ୍ରହ ବେଳେ କଂଗ୍ରେସର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଭବାନୀପାଟଣା ବିଧାନସଭା ଲାଗି ବିଜେପିର ପ୍ରାର୍ଥୀ ପ୍ରଦୀପ୍ତ ନାୟକଙ୍କ ପ୍ରତି ସବୁ ଦଳର ସମର୍ଥକଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା। ନବରଙ୍ଗପୁରରେ ଲୋକେ ପ୍ରଦୀପ ମାଝିଙ୍କ ପ୍ରତି ବେଶ ଆସ୍ଥାବାନ ଲାଗୁଥିବା ବେଳେ, ବିଜେଡ଼ିର ନିର୍ବାଚନ ପରିଚାଳନା ଦକ୍ଷତା ଆଗରେ ସେ ଯେ ତିଷ୍ଠି ପାରିବେ ନାହିଁ, ଏ ପ୍ରକାର ସନ୍ଦେହ ଲୋକଙ୍କ ମନରେ ଆସୁଛି। ଭବାନୀପାଟଣା କୁ ଘେରି ରହିଥିବା ଜୁନାଗଡ, ଧରମଗଡ, ଲାଞ୍ଜିଗଡ ଓ ନର୍ଲା କ୍ଷେତ୍ରରେ ବିଜେପିର ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡାଙ୍କ ପ୍ରତି ଲୋକଙ୍କର ପ୍ରବଳ ବିରକ୍ତି ରହିଛି। ତେବେ ଏ ପ୍ରକାର ବିରୋଧ ସତ୍ତ୍ୱେ କଳାହାଣ୍ଡି ରେ ଏକ ପ୍ରକାର ବିଜେପି ହାୱା ଦେଖିବାକୁ ମିଳୁଛି। କଳାହାଣ୍ଡିର ତ୍ରିମୁଖୀ ଲଢେଇରେ କଂଗ୍ରେସର  ଭକ୍ତ ଚରଣ ଦାସ ଗୋଟେ ସମୟରେ ଆଗୁଆ ଥିଲେ, ହେଲେ ସମୟ କ୍ରମେ ତାଙ୍କ ପ୍ରତି ଲୋକ ସମର୍ଥନ କମୁଛି ବୋଲି, ଖୋଦ କଂଗ୍ରେସ କର୍ମୀମାନେ ସ୍ଵୀକାର କରିଛନ୍ତି। ଓଡିଶାର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ବିପକ୍ଷରେ ସୋନପୁର ସହର ଓ ତରଭା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ରହିଛି। ତେବେ ଡୁଙ୍ଗୁରିପାଲି ଓ  ବିନିକା ଅଞ୍ଚଳରୁ ବେଶ ଭଲ ଭୋଟ ଗୋଟାଇପାରିବାର ଦକ୍ଷତା ରଖିଥିବା ଶ୍ରୀ ପୂଜାରୀ ସୋନପୁର ଅଞ୍ଚଳକୁ ଏକ ପ୍ରକାର ବିଜେପି ହାତକୁ ଟେକି ଦେଇଛନ୍ତି। ସ୍ଥାନୀୟ ନେତାଙ୍କ ପ୍ରତି ରହିଥିବା ଲୋକ ଅସନ୍ତୋଷର ପ୍ରଭାବ ଅନେକ ସମୟରେ ବିଜେପିର ଶକ୍ତି ବୃଦ୍ଧିରେ ସହାୟକ ହେଉଛି।

ଏ ପ୍ରକାର ପ୍ରତିକ୍ରିୟାର ପୃଷ୍ଠଭୂମିରେ ବିଜେଡି ଲାଗି ଏହା ମୁଣ୍ଡ ବିନ୍ଧାର କାରଣ ହେବ କି? ଏହାର ଉତ୍ତର ହେଉଛି ନା। କାରଣ ବିଜେପି ଓ କଂଗ୍ରେସ ଭାସମାନ ଭୋଟ ଉପରେ ନିର୍ଭର କରୁଥିବା ବେଳେ ପ୍ରତି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିର ନିର୍ଦ୍ଦିଷ୍ଟ ଭୋଟ ଆଧାର ରହିଛି। ରାଜ୍ୟର ମହିଳା ଭୋଟର ଆଜି ମଧ୍ୟ ନବୀନଙ୍କ ପ୍ରତି ଆସ୍ଥାବାନ। । ସେହିପରି ବିଜେଡି ନିର୍ବାଚନ ପରିଚାଳନାର ଭିତିରି ରହସ୍ୟ ଭେଦ କରିବାରେ ଆଜି ମଧ୍ୟ କଂଗ୍ରେସ ଓ ବିଜେପି ଅସମର୍ଥ। ତେଣୁ ସ୍ଥାନୀୟ ସ୍ତରରେ ରହିଥିବା ଅସନ୍ତୋଷକୁ ଠିକଣା ସମୟରେ ବିଜେଡି ମୁକାବିଲା କରିପାରିବ ବୋଲି ଅନେକ ଭୋଟର ଭାବୁଛନ୍ତି। ତେଣୁ ନବୀନଙ୍କ କାନ୍ଧରେ ସବାର ହୋଇ ଆଜି ମଧ୍ୟ ବିଜେଡ଼ିର ଅନେକ ଅକର୍ମା ନେତା ସହଜ ବିଜୟ ପାଇଯାଇପାରନ୍ତି।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ପ୍ଲୋଷ୍ଟୋରରୁ ଡାଉନଲୋଡ କରନ୍ତୁ SANKHIPTA , ଡାଉନଲୋଡ ପରେ ମୋବାଇଲ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର)

Categories
ବିଶେଷ ଖବର

ଓଡିଶାର 21 ଲୋକସଭା ଆସନପାଇଁ ଘୋଷଣା ହେଲା ତାରିଖ, ଏପ୍ରିଲ 11ରୁ 29 ତାରିଖ ମଧ୍ୟରେ ହେବ ଓଡିଶାର ନିର୍ବାଚନ।

ସମୀକ୍ଷା ବ୍ୟୁରୋ

ଏପ୍ରିଲ 11 ତାରିଖରେ ହେବ କଳାହାଣ୍ଡି  ଓ ବ୍ରହ୍ମପୁର ସମେତ 4ଟି ଲୋକସଭା ଆସନରେ ନିର୍ବାଚନ। ସେହିପରି ଏପ୍ରିଲ 18 ତାରିଖରେ ହେବ ବରଗଡ ଓ ସୁନ୍ଦରଗଡ ସମେତ ଆଉ ଦୁଇଟି ଲୋକସଭା ଆସନରେ ଭୋଟ ଗ୍ରହଣ। ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଥିବା ଭୋଟ ଗ୍ରହଣ ତାରିଖ ଅନୁସାରେ ଓଡିଶାରେ ଏପ୍ରିଲ 11 ତାରିଖ, ଏପ୍ରିଲ 18 ତାରିଖ,ଏପ୍ରିଲ 23 ତାରିଖ ଏବଂ ଏପ୍ରିଲ 29 ତାରିଖରେ ହେବ ଭୋଟ ଗ୍ରହଣ। ଭୋଟ ଗ୍ରହଣ ପାଇଁ ଘୋଷଣା ହୋଇଥିବା ଓଡିଶାର 21ଟି ଲୋକସଭା ନିର୍ବାଚନ ମଣ୍ଡଳୀର ତାରିଖ ହେଲା..

ଏପ୍ରିଲ 11 ତାରିଖ

1-କଳାହାଣ୍ଡି

2-ନବରଂଗପୁର

3-ବ୍ରହ୍ମପୁର

4-କୋରାପୁଟ

ଏପ୍ରିଲ 18 ତାରିଖ

1-ବରଗଡ

2-ସୁନ୍ଦରଗଡ

3-ବଲାଙ୍ଗିର

4-କନ୍ଧମାଳ

5-ଆସିକା

ଏପ୍ରିଲ 23 ତାରିଖରେ

1-ସମ୍ବଲପୁର

2-କେଉଁଝର

3-ଢେଙ୍କାନାଳ

4-କଟକ

5-ପୁରୀ

6-ଭୁବନେଶ୍ବର

ଏପ୍ରିଲ 29 ତାରିଖ

1-ମୟୁରଭଂଜ

2-ବାଲେଶ୍ବର

3-ଭଦ୍ରକ

4-ଯାଜପୁର

5-କେନ୍ଦ୍ରାପଡା

6-ଜଗତସିଂହପୁର

ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମେ 29 ତାରିଖରେ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି।

Categories
ବିଶେଷ ଖବର

ଏପ୍ରିଲ ଦ୍ବିତୀୟ ସପ୍ତାହରେ ଓଡିଶାରେ ନିର୍ବାଚନ ହେବାର ସମ୍ଭାବନା, ମାର୍ଚ୍ଚ 8 ପରେ ଘୋଷଣା ହେବ ତାରିଖ।

ସମୀକ୍ଷା ବ୍ୟୁରୋ

କେବ ହେବ ନିର୍ବାଚନ, ଏହାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଆସନ୍ତା 8 ତାରିଖରେ କିମ୍ବା ଏହା ପରେ ସ୍ପଷ୍ଟ ହେବ। ନିର୍ବାଚନ କମିଶନର ସେଥିପାଇଁ ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଯାହା ଜଣାପଡୁଛି ଓଡିଶାରେ ପୂର୍ବପରି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ନିଷ୍ପତି ହୋଇଛି। ରାଜ୍ୟରେ ଏହି ନିର୍ବାଚନ ଏପ୍ରିଲ ଦ୍ବିତୀୟ ଓ ତୃତୀୟ ସପ୍ତାହରେ କରାଯିବ ବୋଲି ଜଣାପଡିଛି। ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ଓଡିଶାରେ ଆସନ୍ତା ଏପ୍ରିଲ୍‌ 10 ଓ 17 ତାରିଖରେ ନିର୍ବାଚନ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାର ଜଣାପଡିଛି। କାରଣ ଏପ୍ରିଲ  13 ତାରିଖରେ ରାମନବମୀ ଏବଂ 14 ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଛି। ଏହି ଦୁଇଦିନକୁ ଓଡିଶା ଜନସାଧାରଣ ମହା ଆଡମ୍ବର ସହକାରେ ପାଳନ କରୁଥିବାରୁ ଏହା ପୂର୍ବରୁ ଏବଂ ପରେ ନିର୍ବାଚନ କରାଯିବ ଉଚିତ ବୋଲି ତର୍ଯ୍ୟମା କରାଯାଇ ଏପରି ନିଷ୍ପତି ହୋଇଥିବାର ଜଣାପଡିଛି। ସାରା ଭାରତରେ ପ୍ରାୟ 12ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବା ପାଇଁ ନିଷ୍ପତି ହୋଇଥିବାର ଜଣାପଡିଛି।  ଯେଉଁଦିନ ନିର୍ବାଚନ ତାରିଖ ଘୋଷଣା କରିବେ ସେହି ଦିନ ହିଁ ଆଚରଣ ବିଧି ଲାଗୁ କରାଯାଇ ସମସ୍ତ କଟକଣା ଲାଗୁ କରାଯିବ। ଏହାପରେ ସମସ୍ତ ରାଜନୈତିକ ଦଳକୁ ଅତିକମ୍ ରେ 35 ଦିନ ନିର୍ବାଚନ ପ୍ରସ୍ତୁତି ଏବଂ ପ୍ରଚାର ପାଇଁ ସମୟ ଦିଆଯିବ।

ଗତ 15 ତାରିଖରେ ତିନିଦିନିଆ ଓଡିଶା ଗସ୍ତରେ ନିର୍ବାଚନ କମିଶନର ଅଶୋକ ଲାଭାସା ଆସିଥିଲେ। ଏହି ସମୟରେ ସେ ଓଡିଶାର ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ସହିତ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଆଲୋଚନାକୁ ଆଧାର କରି ସେ ଓଡିଶାର ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ରିପୋର୍ଟ ଦେଇଥିବାର ଜଣାପଡିଛି। ସେତେବେଳେ ନିର୍ବାଚନ କମିଶନର ଓଡିଶାର ବରିଷ୍ଠ ଅଧିକାରୀଙ୍କୁ 20 ତାରିଖ ସୁଦ୍ଧା ବଦଳି କରିବା ପାଇଁ ମଧ୍ୟ କହିଥିଲେ। ସେହି ଅନୁସାରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ବଡ ଧରଣର ଅଦଳ ବଦଳ ମଧ୍ୟ କରିସାରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଆଇନି ଶୃଙ୍ଖଳା ପରିସ୍ଥିତି ସଂପର୍କରେ କମିଶନର ପୋଲିସ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ଗତ 2014 ନିର୍ବାଚନ ସମୟରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଯାହା ଥିଲା ସେଥିରେ ଅନେକ ସୁଧାର ଆସିଛି ବୋଲି କମିଶନରଙ୍କୁ ଅବଗତ କରାଯାଇଛି। ସେଥିପାଇଁ ଓଡିଶାରେ ନିର୍ବାଚନ ସୁରୁଖୁରରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅବଗତ କରାଇଛନ୍ତି। ଏହାସତ୍ବେ ଗତ ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ ଆଧାର କରି ମୁଖ୍ୟ କମିସନର ଓଡିଶାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ନିଷ୍ପତି କରିଥିବା ଜଣାପଡିଛି।

ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଏକ ନୂଆ ନିୟମ ଆସୁଥିବାର ଜଣାଯାଇଛି । ତାହା ହେଉଛି ପ୍ରାର୍ଥୀ ବା ପ୍ରାର୍ଥିନୀ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ପରେ, ତାହା ଆୟକର ବିଭାଗ ଯାଞ୍ଚ କରିବା ପାଇଁ ପଠାଯିବ। ଏଥିସହ ଏଥର ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କ ଭାରତରେ ଥିବା ସଂପତ୍ତି ସହିତ ବିଦେଶରେ ଥିବା ସଂପତ୍ତି ତାଲିକା ମଧ୍ୟ ସଂଲଗ୍ନ କରିବାକୁ ବାଧ୍ୟତା ମୂଳକ କରାଯିବ। ସେସବୁ ଆୟକର ବିଭାଗ ଯାଞ୍ଚ କରିବା ପରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହୁଏ ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି କରାଯାଇଛି। ଏପରିକି ତାଙ୍କର ସଦସ୍ୟ ପଦକୁ ରଦ୍ଦ କରିଦିଆଯିବ ବୋଲି ମଧ୍ୟ ନିଷ୍ପତି କରାଯାଇଛି। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଓଡିଶାର ସମସ୍ତ ବୁଥରେ ଭିଭିପିଏଟି ଲଗାଯିବ । ଫଳରେ ଭୋଟର କାହାକୁ ଭୋଟଦେଲେ ତାହା ଏହି ମେସିନରୁ ବାହାରିଥିବା ରସିଦରୁ ଅବଗତ ହୋଇପାରିବେ। ଓଡିଶାର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ ବୋଲି ଜଣାପଡିଛି। ଆଉ ସେସବୁ ଭୁବନେଶ୍ବରର ମୁଖ୍ୟ ନିର୍ବାଚନ ଅଧିକାରୀ ତଦାରଖ କରି ପଦକ୍ଷେପ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମୁଖ୍ୟତଃ ପ୍ରାର୍ଥୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀ ଦଳ ଦ୍ବାରା ତଦାରଖ କରିବାକୁ ମଧ୍ୟ ଯୋଜନା କରାଯାଇଛି।

ଗତ 2014 ସାଧାରଣ ନିର୍ବାଚନ ପାଇଁ ମାର୍ଚ୍ଚ 5ରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ସେତେବେଳେ ଏହି ନିର୍ବାଚନ ଏପ୍ରିଲ 7 ତାରିଖରୁ ଆରମ୍ଭ ହୋଇ ମେ 12 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଓଡିଶାର ଭୋଟ ଗ୍ରହଣ ଏପ୍ରିଲ 10 ଓ 17 ତାରିଖରେ କରାଯାଇଥିଲା। ମେ 16 ତାରିଖରେ ଭୋଟ ଗଣତି କରାଯାଇ,ଫଳାଫଳ ପ୍ରକାଶ କରାଯାଇଥିଲା। ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଯେଉଁ ଭୋଟ ଗ୍ରହଣ ତାରିଖ ଥିଲା, ତାହା ହେଲା..

ବିହାର- ଏପ୍ରିଲ୍ 10,17,24,30 ଏବଂ ମେ 7 ଓ 12 ତାରିଖ

ଓଡିଶା- ଏପ୍ରିଲ୍‌ 10 ଓ 17 ତାରିଖ

ପଶ୍ଚିମ ବଂଗ- ଏପ୍ରିଲ୍‌ 17, 24,30 ଏବଂ ମେ 7 ଓ 12 ତାରିଖ

ଝାଡଖଣ୍ଡ- ଏପ୍ରିଲ 10,17 ଓ 24 ତାରିଖ ଥିଲା।

ପ୍ରଥମ ପର୍ଯ୍ୟାୟ ଏପ୍ରିଲ 7 ତାରିଖରେ ଦୁଇଟି ରାଜ୍ୟର 6 ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍‌ 9 ତାରିଖରେ 5ଟି ରାଜ୍ୟର 7ଟି ନିର୍ବାଚନ ମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍‌ 10 ତାରିଖରେ 14ଟି ରାଜ୍ୟର 92ଟି ନିର୍ବାଚନ ମଣ୍ଡଳୀ, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ 12 ତାରିଖରେ 3ଟି ରାଜ୍ୟର 5ଟି ନିର୍ବାଚନ ମଣ୍ଡଳୀ, ପଞ୍ଚମ ପର୍ଯ୍ୟାୟ ଏପ୍ରିଲ 17 ତାରିଖରେ 13 ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର 122ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରାଯାଇଥିଲା। ସେହିପରି ଏପ୍ରିଲ 24 ତାରିଖ ଷଷ୍ଠ ପର୍ଯ୍ୟାୟରେ 12 ଟି ରାଜ୍ୟର 117ଟି ନିର୍ବାଚନ ମଣ୍ଡଳୀ, ଏପ୍ରିଲ 30 ତାରିଖ ସପ୍ତମ ପର୍ଯ୍ୟାୟରେ 9ଟି ରାଜ୍ୟର 89 ନିର୍ବାଚନ ମଣ୍ଡଳୀ,ମେ 7 ତାରିଖ ଅଷ୍ଟମ ପର୍ଯ୍ୟାୟରେ 7ଟି ରାଜ୍ୟର 64 ନିର୍ବାଚନ ମଣ୍ଡଳୀ, ନବମ ପର୍ଯ୍ୟାୟ ମେ 12 ତାରିଖରେ 3ଟି ରାଜ୍ୟର 41ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଡିଜିଟାଲ ମିଡିଆର ବହୁଳ ବ୍ୟବହାର କରିବେ। ସେଥିପାଇଁ ନିର୍ବାଚନ କମିଶନର ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ଆଇଟି ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦେବେ ବୋଲି ଜଣାପଡିଛି। ଏହି ଆଇଟି ଦଳ ସବୁ ରାଜ୍ୟରେ ଡିଜିଟାଲ ପ୍ରଚାରକୁ ନିୟନ୍ତ୍ରଣ କରିବା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବେ ବୋଲି ନିଷ୍ପତି ହୋଇଛି।