Categories
ଆଜିର ଖବର ଜାତୀୟ ଖବର

ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ନନ୍ଦ କିଶୋର ଯାଦବ

ପାଟନା: ବିହାର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ବିଜେପିର ବରିଷ୍ଠ ନେତା ନନ୍ଦ କିଶୋର ଯାଦବ ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ଏହି ସୂଚନା ଦେଇକ୍ଷ। ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୋମବାର ଦିନ ଅବିଶ୍ୱାସପ୍ରସ୍ତାବରେ ପରାଜୟର ସମ୍ମୁଖୀନ ହେବାକୁ ଥିବା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ର ଅବଧ ବିହାରୀ ଚୌଧୁରୀଙ୍କୁ ହଟାଇବା କାରଣରୁ ଏହି ପଦବୀ ଖାଲି ପଡିଛି।

ବିଧାନସଭା ସଚିବାଳୟ ଅନୁଯାୟୀ ଗୁରୁବାର ଦିନ ବିଧାନସଭା ବାଚସ୍ପତି ପଦ ପାଇଁ ଭୋଟ୍ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ଏବଂ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ନବବର୍ଷ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେବ ବୋଲି କାମନା କରିବା ସହ ରାଜ୍ୟପାଳଙ୍କ ଶୁଭକାମନା କରିଛନ୍ତି । ବାଚସ୍ପତି ଡ. ପାତ୍ର ବିଧାନସଭାର ସମସ୍ତ ଅଧିକାରୀବୃନ୍ଦ ନବବର୍ଷ ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସମସ୍ତ ଅଧିକାରୀ ବାଚସ୍ପତିଙ୍କୁ ସାକ୍ଷାତ କରି ତାଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଆହୂତ ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଲେ ବାଚସ୍ପତି ଡ. ପାତ୍ର

ଭୁବନେଶ୍ୱର:  ସଂପ୍ରତି ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ଏହାର ସ୍ଥିତି, ସଫଳ ମୁକାବିଲା ଓ ଲକ୍‌ ଡାଉନ୍‌ବେଳେ ବିଧାୟୀ କାର୍ଯ୍ୟ ପରିଚାଳନା ସଂପର୍କରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ପ୍ରକାଶ ବିର୍ଲା ଆଜି ସମସ୍ତ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କୋଭିଡି୍‌-୧୯ ମୁକାବିଲା ଦିଗରେ ସମସ୍ତ ସାଂସଦ ଓ ବିଧାୟକମାନଙ୍କର ସକରାତ୍ମକ ସହଯୋଗ କାମନା କରିଥିଲେ। ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶାରେ କରୋନା ସଂକ୍ରମଣ, କୋଭିଡ୍‌-୧୯ ସ୍ୱତନ୍ତ୍ର ହସ୍‌ପିଟାଲ୍‌ ପ୍ରତିଷ୍ଠା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଓଡ଼ିଶାରେ ଲକ୍‌ ଡାଉନ୍‌, କ୍ୱରାଣ୍ଟାଇନ୍‌, ଆଇସୋଲେସନ୍‌, ସାମାଜିକ ଦୂରତ୍ୱ, ହାତଧୁଆ ଆଦି କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସେ କହିଥିଲେ। ସଂକ୍ରମିତ ଅଞ୍ଚଳଗୁଡ଼ିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ମନ୍ତ୍ରୀମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କ୍ଷମତାପନ୍ନ କମିଟି ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ବିଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ପଂଜୀକରଣ ବାଧ୍ୟତାମୂଳକ କରାଯିବା ସହିତ ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ କ୍ୱରାଣ୍ଟାଇନ୍‌ ବ୍ୟବସ୍ଥା ଲାଗୁ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ଓ ଗହମ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ୩ ମାସ ପାଇଁ ରାସନ୍‌ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ପ୍ରବକ୍ତା ଓ ଅନ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ କରୋନା ସଂକ୍ରମଣ ସଂପର୍କିତ ସୂଚନା ଦୈନିକ ପ୍ରଦାନ କରାଯାଉଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ।

ବିଧାୟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଧାନ ସୌଧକୁ ସାନିଟାଇଜ୍‌ କରାଯିବା ସହ ଷୋଡଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଲୋକସେବା ଭବନର ସମ୍ମେଳନ କକ୍ଷରେ ମାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଓ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଜରିଆରେ ବାଚନିକ ଭୋଟରେ ପାରିତ ହୋଇଛି ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଥିଲେ।

ଲୋକସଭା ବାଚସ୍ପତି ଶ୍ରୀ ବିର୍ଲାଙ୍କ ପରାମର୍ଶ କ୍ରମେ ଓଡ଼ିଶା ବିଧାନସଭାରେ ଏକ ନିୟନ୍ତ୍ରଣ କକ୍ଷ ଯଥାଶୀଘ୍ର ସ୍ଥାପନ କରାଯିବ। ନିଜ ନିର୍ବାଚନ ମଣ୍ଡଳୀର ଲୋକମାନେ ଅନ୍ୟ ରାଜ୍ୟରେ ଅସୁବିଧାରେ ଥିଲେ ସେମାନଙ୍କ ସବିଶେଷ ବିବରଣୀ ବିଧାୟକ/ବିଧାୟିକାମାନେ ଏହି କକ୍ଷକୁ ପ୍ରଦାନ କଲେ ବିଧାନସଭା ପକ୍ଷରୁ ଏହି ସୂଚନା ଲୋକସଭା ବାଚସ୍ପତି, ସଂପୃକ୍ତ ରାଜ୍ୟର ବାଚସ୍ପତି ଓ ସରକାରଙ୍କ ଦୃଷ୍ଟିକୁ ଅଣାଯିବ, ଯଦ୍ଦ୍ୱାରା ଏହି ସମସ୍ୟାର ସମାଧାନ ସହଜ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ପରିସରରେ ପାନ, ଗୁଟଖା, ସୁପାରି ଆଦି ସେବନ କରି ଛେପ ପକାଇଲେ ଆର୍ଥିକ ଜରିମାନା ଆଦାୟ ହେବ । ୨୦ ତାରିଖଠାରୁ ସମସ୍ତ ଗ୍ରୁପ୍‌-ଏ ଅଧିକାରୀ ଏବଂ ଗ୍ରୁପ୍‌-ବି, ସି, ଡି ବର୍ଗର ୫୦ ପ୍ରତିଶତ ଅଧିକାରୀ/କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ଆଦେଶନାମା ପ୍ରକାଶ ପାଇଛି । ଏହି ଭିଡ଼ିଓ କନ୍‌ଫରେନ୍‌ସିଂବେଳେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଏନ୍‌ଆଇସିର ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ବୈଷୟିକ ନିର୍ଦ୍ଦେଶକ ଅଶୋକ କୁମାର ବେହେରା ଓ ବିଧାନସଭାର ଯୁଗ୍ମ ସଚିବ ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ସଙ୍କଟ : ଆସ୍ଥା ଭୋଟକୁ ନେଇ ସସପେନ୍ସ ଜାରି

ଭୋପାଳ : ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ସମୟରେ ବାଚସ୍ପତି ନୀରବତା ଅବଲମ୍ବନ କରିଛନ୍ତି । ଆସ୍ଥା ଭୋଟ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ ବୋଲି କହିବା ସହିତ ଏହା ଉପରେ ଲାଗି ରହିଥିବା ସସ୍‌ପେନ୍ସ ରଖିଛନ୍ତି ବାଚସ୍ପତି ନର୍ମଦା ପ୍ରସାଦ । ରବିବାର ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଏକ ଭିଡିଓ ମେସେଜ୍‌ ଜରିଆରେ ଇସ୍ତଫା ଗ୍ରହଣ କରିବା ପାଇଁ କୁହାଯିବା ପରେ ଆସନ୍ତା କାଲି ଆସ୍ଥା ଭୋଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଯଦି ବିଧାୟକ ମାନଙ୍କ ଇସ୍ତଫା ଗୃହୀତ ହୁଏ ତେବେ କଂଗ୍ରେସ ସରକାର ପାଇଁ ସଙ୍କଟ ବଢିଯିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏରେ ପରିବର୍ତ୍ତନ ରାଜ୍ୟ ସରକାରଙ୍କ କ୍ଷମତାର ବାହାରେ : ସି ପି ଯୋଶୀ

ଜୟପୁର : ସିଏଏକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍‌ ପ୍ରଣୟନ କରାଯାଇଥିବା ବେଳେ ଏହାକୁ ରାଜସ୍ଥାନ ବାଚସ୍ପତି ବିରୋଧ କରିଛନ୍ତି । ଭାରତ ଏକ ସଂଘୀୟ ରାଷ୍ଟ୍ର ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଇନ୍‌କୁ ମାନିବା ଉଚିତ୍‌ । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ସରକାର ଏହାକୁ ମାନିବା ଉଚିତ୍‌ । ନାଗରିକତା ସଦାସର୍ବଦା କେନ୍ଦ୍ରର ଅଧିକାର ରାଜ୍ୟ ସରକାରଙ୍କ ଏଥିରେ କୌଣସି ସମ୍ପର୍କ ନାହିଁ ବୋଲି ଯୋଶୀ ଜୟପୁରରେ ଏକ କାର୍ଯ୍ୟକ୍ରମ ଅବସରରେ ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନରେ ସିଏଏ ବିରୋଧରେ ଏକ ବିଲ୍‌ ପାଶ୍‌ କରାଯାଇଛି । (ଏଜେନ୍ସି)

Categories
ବିଶେଷ ଖବର

ରବି ରାୟ, ଭାରତୀୟ ରାଜନୀତିର ବିକଳ୍ପ ନାୟକ: ଏକ ଶ୍ରଦ୍ଧାଞ୍ଜଳି

କେଦାର ମିଶ୍ର

ରବି ରାୟ (୨୬ ନଭେମ୍ବର ୧୯୨୬-୬ ମାର୍ଚ୍ଚ ୨୦୧୭) ଭାରତୀୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚରିତ୍ର। ଷାଠିଏ ଦଶକରୁ ଆଜି ପର୍ଯ୍ୟନ୍ତ ଭାରତର ରାଜନୀତିରେ ଏକ ବିକଳ୍ପଧାରାର ରାଜନୀତି ସହ ସମ୍ପୃକ୍ତ ରହି ସେ ଉଦାହରଣ ପ୍ରସ୍ତୁତ କରି ଯାଇଛନ୍ତି। ଭାରତୀୟ ସମାଜବାଦୀ ରାଜନୀତିରେ ରାମ ମନୋହର ଲୋହିଆ ପରବର୍ତ୍ତୀ ପ୍ରଜନ୍ମର ସେ ଥିଲେ ଅନ୍ୟତମ ଶକ୍ତିଶାଳୀ ନେତା। ୧୯୬୭ରେ ଚତୁର୍ଥ ଲୋକସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ସେ ଲୋହିଆଙ୍କର ସହଯୋଗୀ ଭାବରେ ଦଳର ଉପନେତା ଭାବରେ ନିଜର ସଂସଦୀୟ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ରାଜନୀତିକୁ ଆଜିର ପୃଷ୍ଠଭୂମିରେ ଆଉ ଥରେ ବିଶ୍ଲେଷଣ କଲେ, ଆମକୁ ଅନେକାଂଶରେ ବିସ୍ମିତ ହେବାକୁ ପଡ଼େ। ତାଙ୍କର ଗୁରୁ ଆଚାର୍ଯ୍ୟ ରାମ ମନୋହର ଲୋହିଆଙ୍କ ବିଚାର ଉପରେ ସେ  ସାରାଜୀବନ ଏକନିଷ୍ଠ ସାଧନା ଅବ୍ୟାହତ ରଖିଛନ୍ତି। ବହୁ ସାଥୀ ଆସିଛନ୍ତି ଓ ଯାଇଛନ୍ତି। କିନ୍ତୁ ରବି ରାୟ ଅବିଚଳିତ ଭାବରେ ସମାଜବାଦର ତତ୍ତ୍ବକୁ ନିଜ ଜୀବନର ଅଂଶ ଭାବରେ ଗ୍ରହଣ କରିନେଇଛନ୍ତି। ଓଡ଼ିଶାର ଯେଉଁ ଦୁଇଜଣ ସମାଜବାଦୀଙ୍କୁ ସାରା ଭାରତରେ ବୁଦ୍ଧିଜୀବୀ ସମ୍ମାନ କରନ୍ତି, ସେ ଦୁଇଜଣ ହେଲେ କିଶନ ପଟ୍ଟନାୟକ ଓ ରବି ରାୟ। ବୈଚାରିକ ଦୃଷ୍ଟିରୁ କିଶନ ବାବୁ ସମାଜବାଦର ନିରନ୍ତର ବିଶ୍ଲେଷଣ କରିଥିବାବେଳେ ରବିବାବୁ ସଂସଦୀୟ ରାଜନୀତିରେ ତା’ର ପ୍ରୟୋଗ କରିଛନ୍ତି। ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ, ଲୋକସଭାର ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ସମାଜବାଦର ତତ୍ତ୍ବକୁ ସେ ପ୍ରୟୋଗ କରିବାର ପ୍ରୟାସ କରିଛନ୍ତି। ତାଙ୍କ ରାଜନୀତିର ଭିତ୍ତି ରେ ଗାନ୍ଧିବାଦ ଓ ଲୋହିଆବାଦର ଏକ ମିଶ୍ରଣ ରହିଥିଲା। ତେବେ ଆରମ୍ଭରୁ ନେହେରୁଙ୍କ ବିରୋଧୀ ଓ ଅଣକଂଗ୍ରେସ ରାଜନୀତିର ସୂତ୍ରଧର ଭାବରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ତାଙ୍କ ରାଜନୀତିର ଭିତ୍ତି ହେଉଛି ଲୋହିଆଙ୍କ ସପ୍ତକ୍ରାନ୍ତି। ଆଜିର ପିଢି ହୁଏତ ଏହି ସପ୍ତକ୍ରାନ୍ତି ବିଷୟରେ କିଛି ବି ଜାଣନ୍ତି ନାହିଁ। ଲୋହିଆ କହିଥିଲେ, ଧନୀ, ଗରିବ ଭିତରେ ପାର୍ଥକ୍ୟ ଦୂର ହେବ। ନର ଓ ନାରୀଙ୍କ ଭିତରେ ରହିଥିବା ଅସମାନତା ଦୂର ହେବ। ବର୍ଣ୍ଣବୈଷମ୍ୟ ଦୂର ହେବ। ଦଳିତଙ୍କ ଉତ୍ଥାନ ପାଇଁ ସ୍ଥାନ ସଂରକ୍ଷଣ ସହିତ ଆବଶ୍ୟକ ସ୍ଥଳେ ନିଷେଧାତ୍ମକ ନ୍ୟାୟର ବ୍ୟବସ୍ଥା କରିବାକୁ ପଡ଼ିବ। ଅଣୁ ଅସ୍ତ୍ର, ଏପରିକି ପାରମ୍ପରିକ ଯୁଦ୍ଧାସ୍ତ୍ରର ମଧ୍ୟ ବିଲୋପ ଘଟାଇବାକୁ ପଡ଼ିବ। ବ୍ୟକ୍ତି ସ୍ବାଧୀନତା ପାଇଁ ଲଢିବାକୁ ପଡ଼ିବ। ବ୍ୟକ୍ତି ଜୀବନରେ ସରକାର ବା ରାଷ୍ଟ୍ରର ଅଯଥା ହସ୍ତେକ୍ଷପ ବିରୋଧରେ ଠିଆ ହେବାକୁ ପଡ଼ିବ ଓ ଶେଷରେ ପୃଥିବୀରୁ ଧନୀ ଓ ଦରିଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର କରିବାକୁ ପଡ଼ିବ। ଲୋହିଆଙ୍କର ଏହି ସ୍ବପ୍ନ ଆଜି ମଧ୍ୟ ସ୍ବପ୍ନ ହୋଇ ରହିଛି। ଲୋହିଆଙ୍କ ଶିଷ୍ୟ ପ୍ରଶିଷ୍ୟମାନେ ଆଜିକାଲି ଆଉ ସପ୍ତକ୍ରାନ୍ତିର କଥା କହୁନାହାନ୍ତି। ତେବେ ରବି ରାୟ ତାଙ୍କର ଆତ୍ମଜୀବନୀ ‘ଅନ୍ବେଷାର ଆକାଶର’ରେ ଏହାକୁ ତାଙ୍କ ଜୀବନର ରାଜନୈତିକ ମଞ୍ଜ ବୋଲି ସ୍ବୀକାର କରିଥିଲେ। ୧୯୬୫ରେ ଲୋହିଆଙ୍କର ନେତୃତ୍ବରେ ଦେଶରେ କଂଗ୍ରେସ ହଟାଓ ଅଭିଯାନ ଆରମ୍ଭ ହେଲା। କଂଗ୍ରେସ ଯେଉଁ ଆଦର୍ଶକୁ ଆଧାର କରି ଗଢାଯାଇଥିଲା, ତାହା ବିଫଳ ହୋଇଥିବାରୁ ସାରା ଦେଶରେ କଂଗ୍ରେସ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ଲୋହିଆ ଡାକରା ଦେଇଥିଲେ। ତା’ର ପ୍ରତିଫଳନ ଓଡ଼ିଶାରେ ଘଟିଥିଲା ତରୁଣ ରବି ରାୟଙ୍କ ଆଗ୍ରହରେ କଂଗ୍ରେସ ହଟାଓ ଅଭିଯାନରେ ସେତେବେଳରେ ପ୍ରବୀଣ କଂଗ୍ରେସ ନେତା ନବକୃଷ୍ଣ ଚୌଧୁରୀ ସାମିଲ୍‌ ହୋଇଥିଲେ। ସବୁଠୁ ମଜା କଥା  ହେଉଛି – ଲୋହିଆଙ୍କ କଂଗ୍ରେସ ହଟାଅ ଅଭିଯାନକୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଗଣତାନ୍ତ୍ରିକ କଂଗ୍ରେସମୁକ୍ତ ଭାରତର ଆଧାର ବୋଲି କହି ବୁଲୁଛନ୍ତି। ଏଠି କହିରଖିବା ଉଚିତ୍‌ ହେବ ଯେ, ଡ. ଲୋହିଆ ହୁଅନ୍ତୁ ବା ରବି ରାୟ ଏମାନେ ଯେତେ କଠୋର କଂଗ୍ରେସ ବିରୋଧୀ ହେଲେ ମଧ୍ୟ ଏମାନେ କେବେ ବି ଦକ୍ଷିଣପନ୍ଥୀ ଫାଶୀବାଦୀ ଶକ୍ତିମାନଙ୍କର ସମର୍ଥକ ନଥିଲେ। ତେଣୁ ସମାଜବାଦୀ ଆନ୍ଦୋଳନର ଲକ୍ଷ୍ୟ ଯଦିଓ କଂଗ୍ରେସ ବିରୋଧୀ, ଏହା ସମାନ୍ତରାଳରେ ଦକ୍ଷିଣପନ୍ଥୀ ରାଜନୀତିର ମଧ୍ୟ ଘୋର ବିରୋଧୀ। ରବି ରାୟ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଫାଶୀବାଦୀ ରାଜନୀତି ବିରୁଦ୍ଧରେ ଅତ୍ୟନ୍ତ ସ୍ପଷ୍ଟ ମତପୋଷଣ କରିଛନ୍ତି। ତାଙ୍କର ଆତ୍ମଜୀବନୀ ’ଅନ୍ବେଷାର ଆକାଶର’ରେ ସେ ଏକ ଘଟଣାର ଉଲ୍ଲେଖ କରି ଲେଖିଛନ୍ତି, ‘ଗାନ୍ଧିଜୀ ହତ୍ୟା ସମ୍ପର୍କିତ ଆଉ ଗୋଟେ ଘଟଣା ମନେପଡୁଛି। ନାଥୁରାମ୍‌ ଗଡ୍‌ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଭ୍ୟ ଥିଲା। ଏଣୁ ଗାନ୍ଧି ହତ୍ୟା ପରେ ଏ ସଂଘ ବଦନାମ ହୋଇଯାଇଥିଲା। ଭାରତର ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ୍‌ ଆରଏସଏସ୍‌ ଉପରେ ନିଷୋଧାଜ୍ଞା ଜାରି କରିଥିଲେ। ଶୁଣିଲୁ, ରାମଚନ୍ଦ୍ର ଭବନରେ ଆରଏସଏସ୍‌ ଗୋଟେ ସଭା କରିବ ଓ ସେଥିରେ ପଣ୍ଡିତ ନୀଳକଣ୍ଠ ଦାସ ଯୋଗଦେବ। ସେଦିନ ରବିବାର। ଯୋଗକୁ ଆମର ସାପ୍ତାହିକ ପାଠଚକ୍ର ରାସ୍ତା ଆରପଟର ଟାଉନ୍‌ହଲରେ ହେବାର ଥାଏ। ଆମେ ବିଚାରକଲୁ ଯେ, ଆମର ଏତେ ପାଖରେ ଗାନ୍ଧି ହତ୍ୟାକାରୀମାନେ ସଭା କରି ଚାଲିଯିବେ, ଅଥଚ ଆମେ ନିରବ ରହିବୁ। ଆମେ ସ୍ଥିର କଲୁ କି, ଆମେ ସେ ସଭା କରାଇଦେବୁ ନାହିଁ। ଅଥଚ ଏହି ବିରୋଧ ସମ୍ପୂର୍ଣ୍ଣ ଅହିଂସକ ଉପାୟରେ କରାଯିବ। ଆମ ପାଠଚକ୍ର ଦୁଇଟାବେଳେ ଚାଲିଥାଏ ।ସେମାନଙ୍କ ମିଟିଂ ୫ଟାବେଳେ। ରାମଚନ୍ଦ୍ର ଭବନ ସାମ୍ନା ଓ ଦୁଇପଟେ ବୋଧେ ୬ଟା କବାଟ। ଆମେ ସ୍ଥିର କଲୁ ଯେ, ସେମାନଙ୍କ ସଭ୍ୟ ଅବ୍ୟବହିତ ପୂର୍ବରୁ ଆମର ସ୍ବେଚ୍ଛାସେବକମାନେ ସେହି ସବୁ କବାଟ ସାମ୍ନାରେ ଶୋଇରହିବେ ଓ ସ୍ଲୋଗାନ ଦେବେ। ପଣ୍ଡିତ ନୀଳକଣ୍ଠଙ୍କ ସଦଳବେଳ ଯଥା ସମୟରେ ଆସି  ପହଞ୍ଚିଲେ। ସ୍ବେଚ୍ଛାସେବକମାନଙ୍କର ସ୍ଲୋଗାନ ଚାଲିଲା…. ଗାନ୍ଧିଜୀ ଜିନ୍ଦାବାଦ୍‌, ଗାନ୍ଧି ହତ୍ୟାକାରୀ ଆରଏସଏସ୍‌ ମୁର୍ଦ୍ଦାବାଦ। ନୀଳକଣ୍ଠ ବାବୁ ଧର୍ମ ସଂକଟରେ ପଡ଼ିଗଲେ। ଯଦିବି ସେ ସଭାସ୍ଥଳକୁ ଯିବା ପାଇଁ ଅଡି ବସନ୍ତି, ତେବେ ଆମ ସ୍ବେଚ୍ଛାସେବକମାନଙ୍କ  ଉପରେ ଚଢି କରି ଭିତରୁ ଯିବେ। ସେତେବେଳ ଗାନ୍ଧି ହତ୍ୟାକାରୀ ଦଳ ଆରଏସ୍‌ଏସ୍‌ ଏତେ ବଦନାମ୍‌ ହୋଇଯାଇଥିଲା ଯେ, ଆମେ କରୁଥିବାର ବିରୋଧରେ ସେମାନେ କିଛି ଜବାବ୍‌ ଦେଇ ପାରିଲେ ନାହିଁ । ନୀଳକଣ୍ଠବାବୁ ସେ ସଭାରେ ଯୋଗ ଦେଇନପାରି ଚୁପ୍‌ କରି ଫେରିଚାଲିଗଲେ।

ଏହି ଗୋଟିଏ ପ୍ରସଙ୍ଗ ରବିବାବୁଙ୍କର ଦକ୍ଷିଣପନ୍ଥୀ ବିରୋଧୀ ରାଜନୀତିକୁ ଅତି ସ୍ପଷ୍ଟ ଭାବରେ ରେଖାଙ୍କିତ କରୁଛି। ଏବେ ସାରା ଭାରତରେ ଯେତେବେଳେ କଂଗ୍ରେସ ବିରୋଧୀ ରାଜନୀତିକୁ ଦକ୍ଷିଣପନ୍ଥୀ ରାଜନୀତିର ସମର୍ଥକ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ବିରୋଧରେ ରବିବାବୁଙ୍କର ଏହି ମତ କିଛିଟା ଆଲୋକାପାତ ନିଶ୍ଚୟ କରିବ। ଦୁର୍ଭାଗ୍ୟକ୍ରମେ ପୁରୁଣା ଦିନର ଅନେକ ସମାଜବାଦୀ ପରବର୍ତ୍ତୀ ସମୟରେ କ୍ଷମତା ଲୋଭ ଯୋଗୁଁ ବିଜେପି ସରକାରରେ ଯୋଗଦେଲେ। ଲୋହିଆଙ୍କର ଆତ୍ମା ଉପରେ ତାହା ବୋଧେ ଥିଲା ସବୁଠୁ ବଡ଼ ପ୍ରହାର। ସୌଭାଗ୍ୟକ୍ରମେ ରବି ରାୟ ଏବେବି ନିଜ ରାଜନୈତିକ ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି।

ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ଭାବରେ ନବମ ଲୋକସଭାରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ତାହା ଥିଲା ଭାରତର ସଂସଦୀୟ ଇତିହାସର ଏକ ଘଡିସନ୍ଧି ମୁହୂର୍ତ୍ତ। ପ୍ରଥମଥର ପାଇଁ ଏକ ଝୁଲା ଲୋକସଭା ଗଠିତ ହୋଇଥିଲା ଓ ତା’ର ପରିଚାଳନା ଦାୟିତ୍ବ ରବି ରାୟଙ୍କ ଉପରେ ନ୍ୟସ୍ତ ହୋଇଥିଲା। ତାଙ୍କ ସମୟରେ ଅନ୍ତତଃ ଚାରୋଟି ଘଟଣା ଭାରତର ରାଜନୀତିକୁ ଦୀର୍ଘବର୍ଷ ଧରି ପ୍ରଭାବିତ କରୁଛି ଓ କରୁଥିବ। ପ୍ରଥମ ଥର ପାଇଁ ଲୋକସଭାରେ ଜଣେ ବିଚାରପତିଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା। ବିରୋଧୀ ଦଳ ନେତା ରାଜୀବ ଗାନ୍ଧିଙ୍କ ସବୁପ୍ରକାର ବିରୋଧ ସତ୍ତ୍ବେ  ରବି ରାୟ ସେହି ପ୍ରସ୍ତାବକୁ ଗୃହୀତ କରାଇଥିଲେ। ପ୍ରଥମଥର ପାଇଁ ରବି ରାୟ ଦଳ ବଦଳ ନିରୋଧ ଆଇନ୍‌କୁ କାର୍ଯ୍ୟକାରୀ କରି ଚନ୍ଦ୍ରଶେଖର ସରକାରର ୬ଜଣ ମନ୍ତ୍ରୀଙ୍କର ସଭ୍ୟପଦ ରଦ୍ଦ କରିଥିଲେ। ପ୍ରଥମ ଥର ପାଇଁ ଦେଶର ଚଳନ୍ତି ସମସ୍ୟାର ଆଲୋଚନା ଲାଗି ଲୋକସଭାରେ ଶୂନ୍ୟକାଳର ବ୍ୟବସ୍ଥା କରାଯାଇଥିଲା। ଏବଂ ସବୁଠୁ ବଡ଼ କଥା ହେଉଛି, ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଭଳି ନିକୃଷ୍ଟ ରାଜନେତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ ହେବା ସହ ସେ ବାଚସ୍ପତିଙ୍କ ଲୋକସାଭରେ କ୍ଷମା ପ୍ରାର୍ଥନା କରିଥିଲେ। ଦଳବଦଳ ନିରୋଧ ଆଇନ୍‌ ଲାଗୁ ନ କରିବା ପାଇଁ ଚନ୍ଦ୍ରଶେଖର ସରକାରର ଆଇନ୍‌ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ସ୍ବାମୀ ସେତେବେଳେ ରବି ରାୟଙ୍କୁ ତାଙ୍କ ପ୍ରକୋଷ୍ଠରେ ଖୋଲାଖୋଲି ଧମକ ଦେଇଥିଲେ। ତାଙ୍କ ଧମକରେ ଦବି ନ ଯାଇ ରବି ରାୟ ସ୍ବାମୀଙ୍କୁ ଲୋକସାରେ ଅପଦସ୍ତ କରାଇଥିଲେ। ରାଜନୀତିରେ ସ୍ବଚ୍ଛତା ଓ ଦୃଢତାର ଫଳ ତାଙ୍କୁ ମିଳିଥିଲା।

ଦୀର୍ଘ ବର୍ଷ ଧରି ରାଜନୀତିରେ ସେ ରହିଥିଲେ। ବହୁ ଉଚ୍ଚ ପଦପଦବୀ ସେ ହାସଲ କରିଥିଲେ। ହେଲେ ତାଙ୍କୁ କ୍ଷମତାର କଳଙ୍କ ସ୍ପର୍ଶ କରିପାରିନଥିଲା। ଏକ ବେଦାଗ ରାଜନୈତିକ ଜୀବନ ବଞ୍ଚିଥିବା ରବି ରାୟ ସରଳତା ଓ ସଚ୍ଚୋଟତାର ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଯାଇଛନ୍ତି। ତାଙ୍କ ରାଜନୈତିକ ଜୀବନର ଏମିତି ଅନେକ ମୁହୂର୍ତ୍ତ ଆସିଛି, ଯେଉଁଥିରେ ବହୁ ଉଚ୍ଚ ପଦକୁ ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଆଦର୍ଶ ସହ ସାଲିସ୍‌ କରି ପଦବୀ ହାତେଇବାର ପ୍ରବୃତ୍ତି ତାଙ୍କର କେବେ ବି ନଥିଲା। ଯେତିକି ସମୟ ସେ କ୍ଷମତାରେ ରହିଛନ୍ତି, ସେତିକି ସମୟ ଭିତରେ ରାଜନୈତିକ ଆଦର୍ଶର ପ୍ରତିଷ୍ଠା ଲାଗି ଏକନିଷ୍ଠ ଉଦ୍ୟମ କରିଛନ୍ତି। ଆଦର୍ଶ ଲାଗି ଅନେକ ପୁରୁଣା ସାଥୀଙ୍କୁ ସେ ସ୍ପଷ୍ଟ ଭାବରେ ସମାଲୋଚନା ମଧ୍ୟ କରିଛନ୍ତି। ତେଣୁ ତାଙ୍କର ରାଜନୀତି ଆଜି ବି ଏକ ବିକଳ୍ପ ମାର୍ଗ ପ୍ରସ୍ତୁତ କରି ରଖିଛି। ସେ ମାର୍ଗ ସମାଜବାଦ ଓ ସପ୍ତକ୍ରାନ୍ତିର ମାର୍ଗ। ସେ ମାର୍ଗ ଗାନ୍ଧି ଓ ଲୋହିଆ ପ୍ରଦର୍ଶିତ ମାର୍ଗ। ସାମୟିକ ଭାବରେ ସେ ମାର୍ଗ କୁହୁଡ଼ିଆ ଲାଗୁଥିଲେ ମଧ୍ୟ ସେ ମାର୍ଗର ସମାପ୍ତି ନାହିଁ। ଦିନେ ନା ଦିନେ ସମାଜବାଦର ସ୍ବପ୍ନ ସାର୍ଥକ ହେବ ଓ ସେ ସାର୍ଥକତାରେ ରବି ରାୟଙ୍କର ସ୍ମୃତି ଜାଜ୍ଜ୍ବଲ୍ୟମାନ ରହିଥିବ।

Categories
ବିଶେଷ ଖବର

ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା

କେଦାର ମିଶ୍ର

ବିଜୁ ଜନତା ଗଠନ ହେବା ଦିନଠୁ ଏହା କ୍ଷମତାରେ ରହି ଆସିଛି। ୧୯୯୮ ରୁ ଆଜି ପର୍ଯ୍ୟନ୍ତ ଦଳର ଶୀର୍ଷ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ରହି ଆସିଛି। ତେବେ ବିଜେଡି ଭିତରେ ନବୀନଙ୍କ ନେତୃତ୍ଵ ଅନେକ ସମୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛି। ବନ୍ଧୁତା ଓ ବିଶ୍ଵାସଘାତକତାର ଦୀର୍ଘ ଅନୁଭୂତି ନବୀନ ବାବୁଙ୍କର ରହିଛି। ପାଞ୍ଚଥର ସରକାର ଗଢିବା ଭିତରେ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ଭିତରେ କିଛି ନେତା ଅସନ୍ତୁଷ୍ଟ ଓ ରୁଷ୍ଟ ହୋଇଛନ୍ତି। ଗୋଟେ ପୁରୁଣା ସିନେମାର ନାଁ ଅନୁସାରେ ଆମେ ଏମାନଙ୍କୁ ଅଶାନ୍ତ ଗ୍ରହ ବୋଲି କହିପାରିବା। ନବୀନଙ୍କୁ ବିରୋଧ କରିବାକୁ ଯାଇ ଏଇ ନେତାମାନେ ନିଜେ ସମାପ୍ତ ହୋଇ ଯାଇଛନ୍ତି। ବିଜେଡ଼ିରୁ ନବୀନଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ ଏମିତି ଜଣେ ବି ନେତା ନାହାନ୍ତି ଯିଏ ଅନ୍ୟ କେଉଁଠି ଉଧେଇ ପାରିଛନ୍ତି।

ପ୍ରଥମ ପର୍ଯ୍ୟାୟର ସରକାର ଗଠନ ବେଳେ ଏଇ ଧାରା ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ ହୋଇଥିଲା। ଅନଭିଜ୍ଞ ନବୀନଙ୍କୁ କ୍ଷମତାରେ ବସାଇ ବାସ୍ତବ କ୍ଷମତାକେନ୍ଦ୍ର ହେବାର ସ୍ଵପ୍ନ ଦେଖୁଥିବା ବିଜୟ ମହାପାତ୍ରଙ୍କୁ ସେ ଏମିତି ଏକ ଝଟକା ଦେଇଥିଲେ ଯେ, ବିଜୟ ଆଜି ମଧ୍ୟ ଉଠିବା ଅବସ୍ଥାକୁ ଆସିନାହାନ୍ତି। ତା ପରେ ପରେ ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ବ୍ରଜକିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ ପ୍ରମୁଖ ସେଇ ଅଶାନ୍ତ ଗ୍ରହର ଭୂମିକା ନେଇ କକ୍ଷଚ୍ୟୁତ ହୋଇଛନ୍ତି। ବିଜେଡି ଭିତରେ ଏଇ ନେତାମାନେ ଗୋଟେ ସମୟରେ ବେଶ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ। ୨୦୦୦ରେ ନବୀନ ବାବୁ ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାର କିଛି ବର୍ଷ ଭିତରେ ଏକଦା ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ଅନ୍ୟତମ କ୍ଷମତାକେନ୍ଦ୍ର ହେବା ଆରମ୍ଭ କଲେ। ଏଠି କହି ରଖିବା ଉଚିତ ହେବ ଯେ, ନବୀନଙ୍କ କ୍ଷମତା ବଳୟ ଭିତରେ ଯିଏ ବି ଦ୍ଵିତୀୟ କ୍ଷମତାକେନ୍ଦ୍ର ହେବାର ଚେଷ୍ଟା କରିଛି, ତାର ଡେଣା କଟିଛି।

ପ୍ୟାରୀ ବାବୁଙ୍କ ଭାଗ୍ୟରେ ମଧ୍ୟ ଠିକ ସେୟା ଘଟିଲା। ପ୍ରାୟ ଦଶ ବର୍ଷ ଧରି ଦ୍ଵିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବିଜେଡ଼ିରୁ ତଡା ଖାଇଲେ। ବିଜେଡ଼ିରୁ ବିତାଡିତ ହେବାପରେ ପ୍ୟାରୀଙ୍କ ରାଜନୈତିକ ଜୀବନ ଅନ୍ଧାର ହୋଇଗଲା ଓ ଏହାର ଅଳ୍ପଦିନ ପରେ ସେ ଆରପାରିକୁ ଚାଲିଗଲେ। ୨୦୧୪ ରୁ ୧୯ ଭିତରେ ଏଇ ଅଶାନ୍ତ ଗ୍ରହମାନଙ୍କର ସଂଖ୍ୟା ଟିକେ ଅଧିକ ଥିଲା। ୨୦୧୪ ନିର୍ବାଚନ ପରେ ପରେ ବିଜେଡ଼ିର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ଅଶାନ୍ତ ହେବା ଆରମ୍ଭ କରିଥିଲେ। କ୍ରମଶଃ ବୈଜୟନ୍ତଙ୍କ ସହ ନବୀନଙ୍କ ଦୂରତା ବଢିଲା ଓ ୨୦୧୭  ପଞ୍ଚାୟତ ନିର୍ବାଚନ ପରେ ବିଜେଡ଼ିରୁ ବୈଜୟନ୍ତଙ୍କ ନାଁ କଟିଲା। ତେବେ ଏହି ପାଳିରେ ସବୁଠୁ ବଡ ଅଶାନ୍ତ ଗ୍ରହର ଭୂମିକା ନେଇଥିଲେ ମନ୍ତ୍ରୀ ଦାମୋଦର ରାଉତ। ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରେ ରହି ମଧ୍ୟ ସରକାରକୁ ଅଡୁଆରେ ପକାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ଏହାର ପରିଣତି ତାଙ୍କୁ ଯଥାଶୀଘ୍ର ଭୋଗିବାକୁ ପଡିଥିଲା। ପ୍ରଥମେ ମନ୍ତ୍ରୀମଣ୍ଡଳରୁ ଓ ପରେ ଦଳରୁ ତଡା ଖାଇ ଦାମୋଦର ବାବୁ ଏବେ ପରାସ୍ତ ନେତାର ଭାଗ୍ୟ ନେଇ ଅଛନ୍ତି।

ବାରମ୍ଵାର ଦଳ ଭିତରେ ଅଶାନ୍ତି ଓ ଅସନ୍ତୋଷକୁ ସାମ୍ନା କରିଆସୁଥିବା ନବୀନ ଅସନ୍ତୁଷ୍ଟଙ୍କୁ “ସାଇଜ” କରିବାର କଳାରେ ଢେର ଅଭିଜ୍ଞତା ହାସଲ କରିଛନ୍ତି। ପଞ୍ଚମ ପାଳି ସରକାର ଗଢିବା ବେଳେ ବିଜେଡି ଭିତରେ ବୋଧହୁଏ ପ୍ରଥମ ଅଶାନ୍ତ ଗ୍ରହ ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପାଟି ଟିକେ ବେଶୀ ଶୁଭୁଛି। ମନ୍ତ୍ରୀ ହୋଇନଥିବାରୁ ବିଧାନସଭା ଭିତରେ ସରକାରକୁ ଅକଳରେ ପକାଇବାକୁ ମହାରଥୀ ବାରମ୍ବାର ପ୍ରୟାସ କରୁଛନ୍ତି। ସେଥିପାଇଁ ତାଙ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରୋକ୍ଷ ତାଗିଦ ମଧ୍ୟ କଲେଣି। ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ମହାରଥୀଙ୍କୁ ଯେମିତି ଛିଗୁଲାଇଛନ୍ତି, ସେଟା କଦାପି ତାଙ୍କର ବ୍ୟକ୍ତିଗତ ସାହସ ହୋଇନଥିବ। ମହାରଥୀଙ୍କୁ ଏହା ମାଧ୍ୟମରେ ଏକ ପ୍ରକାର ପରୋକ୍ଷ ଚେତାବନୀ ଦିଆଯାଇଛି।

ତେବେ ମହାରଥୀଙ୍କ ତୁଣ୍ଡକୁ ଲଗାମ ଦେବା ସରକାରୀ ଦଳ ପକ୍ଷରେ ସହଜ ହେବନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ମନ୍ତ୍ରୀ କରିବା ମଧ୍ୟ ନବୀନଙ୍କ ଲାଗି ଗୋଟେ ବଡ ବୋଝ ପାଲଟିଯିବ। ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକଙ୍କୁ ମାଡମାରିବା, ବେବିନା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେବା ଭଳି ପ୍ରସଙ୍ଗରେ ବିଜେଡି ମହାରଥୀଙ୍କ ଯୋଗୁଁ ଅପଦସ୍ତ ହୋଇଛି। ତେଣୁ ସ୍ଵାଭାବିକ ଭାବରେ ତାଙ୍କୁ ମନ୍ତ୍ରୀ କରିବାକୁ ନବୀନ ଚାହୁଁ ନାହାନ୍ତି। ହେଲେ କ୍ଷମତା ପାଇବାକୁ ବିଧାନସଭା ମାଧ୍ୟମରେ ଚାପ ପ୍ରୟୋଗର କୌଶଳ ମହାରଥୀ ଆପଣାର କରିଛନ୍ତି। ଏଇ ସମୟରେ ବିଜେଡ଼ିର ନୂଆ ଅଶାନ୍ତ ଗ୍ରହ ଭାବରେ  ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ।  ବୋଧହୁଏ ଏଇ ପାଳିର ସରକାରରେ ପ୍ରଦୀପ ମହାରଥି ଦାମୋଦର ରାଉତଙ୍କ ଶୂନ୍ୟସ୍ଥାନ ପୂରଣ କରିପାରନ୍ତି!!

Categories
ଆଜିର ଖବର

ସପ୍ତଦଶ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ରାଜସ୍ଥାନର କୋଟାରୁ ବିଜେପିର ସାଂସଦ ରହିଥିବା ଓମ୍‌ ବିର୍ଲା ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତାବକ ଭାବରେ ଓମ୍‌ଙ୍କ ନାମ ସୁପାରିଶ କରିଥିଲୋ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଅର୍ଜୁନ ମୁଣ୍ଡା ବାଚସ୍ପତି ପଦ ନିମନ୍ତେ ଓମ୍‌ଙ୍କୁ ସମର୍ଥନ କରିବା ପରେ ସର୍ବସମ୍ମତି କ୍ରମେ ବିର୍ଲାଙ୍କୁ ନିର୍ବାଚିତ କରାଯାଇଥିଲା। ପୂର୍ବରୁ ବିଜେଡ଼ି, ଶିବସେନା, ଅକାଳୀଦଳ, ଏଲଜେପି, ୱାଇଏସ୍‍ଆର୍‍ କଂଗ୍ରେସ, ଜେଡିୟୁ ଏବଂ ଏଆଇଏଡି ଏମକେ ମଧ୍ୟ ବିର୍ଲାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲେ। ୧୭ ବର୍ଷ ବୟସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିର୍ଲା ତିନିଥର ରାଜସ୍ଥାନର ବିଧାୟକ ରହିବା ସହିତ ଦୁଇ ଥର ସାଂସଦ ରହିଛନ୍ତି। ମୋଦି ବାଚସ୍ପତି ଚେୟାର ପର୍ଯ୍ୟନ୍ତ ବିର୍ଲାଙ୍କୁ ନେବା ପରେ ନିଜ ଅଭିଭାଷଣରେ ବିର୍ଲାଙ୍କୁ ପ୍ରଶଂସା କରିଥିଲେ। କୋଟା ପରି ଏକ କ୍ଷୁଦ୍ର ସ୍ଥାନକୁ ଏକ ଛୋଟ ଭାରତରେ ପରିଣତ କରିବାରେ ବିର୍ଲାଙ୍କ ଅବଦାନ ବହୁତ ବୋଲି ମୋଦି କହିଥିଲେ।

Categories
ଆଜିର ଖବର

ବିଜେଡ଼ି ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ : ଏନଡ଼ିଏ ଲୋକସଭା ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି

ଏନ୍‌ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍‌ ବିଜେପି ସାଂସଦ ଓମ୍‌ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ବିଜେପି ତରଫରୁ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ବିଜେଡ଼ିକୁ ଅନୁରୋଧ କରାଯାଇଥିଲା। ତେଣୁ ବିଜେଡ଼ିର ସଂସଦୀୟ ଦଳର ବୈଠକରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଖବର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସୁମିତ୍ରା ମହାଜନଙ୍କ ସ୍ଥାନ ଗ୍ରହଣ କରିବେ ଏହି ୫୭ ବର୍ଷୀୟ ରାଜସ୍ଥାନ କୋଟାର ସାଂସଦ ଓମ୍‌ ବିର୍ଲା।  ସେ ରାଜସ୍ଥାନ ବିଧାନସଭାକୁ ୩ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଦୁଇ ଦୁଇ ଥର ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସାଂସଦ ବିର୍ଲା ଦିନ ୧୨ଟା ସମୟରେ ବାଚସ୍ପତି ପଦବୀ ପାଇଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ସମ୍ଭାବନା ରହିଛି। ତେବେ ଏନ୍‌ଡିଏର ଏହି ପ୍ରାର୍ଥୀ ନିର୍ବିବାଦୀୟ ଭାବେ ନିର୍ବାଚିତ ହେବା ନେଇ ସୂଚନା ରହିଛି। ବିଜେଡ଼ି ସହିତ ଓ୍ବାଇଏସ୍‌ଆର୍‌ କଂଗ୍ରେସ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ମତ ପ୍ରକାଶ କରିଛି।

Categories
ଆଜିର ଖବର

ବାଚସ୍ପତି ଦୌଡରେ ଜୁଏଲ ଓରାମ ଆଗୁଆ

ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ଲୋକସଭାର ବାଚସ୍ପତି ଦୌଡରେ ଆଗୁଆ ଅଛନ୍ତି। ଜୁଏଲ୍‌ ଓରାମ, ମାନେକା ଗାନ୍ଧୀ ଏବଂ ଏସ୍‌ ଏସ୍‌ ଆଲୁଓ୍ବାଲିଆ ବାଚସ୍ପତି ପଦ ଦୌଡରେ ରହିଥିବା ନେଇ ସୂଚନା ମିଳିଛି। ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ୍‌ ୧୯ ତାରିଖରେ ଅନୁଷ୍ଠିତ ହେବ। ଜୁଏଲ୍‌ ଓରାମ ୨୦୧୪ ଏନ୍‌ଡିଏ ସରକାରରେ ଆଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜୁଏଲ୍‌ଙ୍କୁ ଚଳିତ ସରକାରରେ କୌଣସି ଦାୟିତ୍ବ ମିଳିନଥିଲା। ଫଳ ସ୍ବରୂପ ଜୁଏଲଙ୍କୁ ବାଚସ୍ପତି ପଦ ପ୍ରଦାନ କରି ସନ୍ତୁଷ୍ଟ କରିବା ନେଇ ବିଜେପି ଉଦ୍ୟମ କରୁଛି ବୋଲି କୁହାଯାଉଛି। ସେହିପରି ଉପ ବାଚସ୍ପତି ଦୌଡରେ ବିଜେଡି ନେତା ଭର୍ତ୍ତୂହରି ମହତାବ ଆଗରେ ରହିଥିବା ସୂଚନା ମିଳିଛି। ମାନେକାଙ୍କୁ ମଧ୍ୟ କୌଣସି ପଦବୀ ମିଳି ନଥିବାରୁ ସେ ମଧ୍ୟ ବାଚସ୍ପତି ଦୌଡରେ ଆଗରେ ରହିଛନ୍ତି।

Categories
ଆଜିର ଖବର

ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଟକୁରା ସହିତ ବିଜେପୁରରେ ହେବ ଉପନିର୍ବାଚନ

ସମୀକ୍ଷା ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର ବିଧାୟକ ଭାବେ ଶପଥ ନେଇ, ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପୁରରୁ ନବୀନ ଇସ୍ତଫା ଦେବା ପରେ ଓଡିଶାରେ ଦୁଇଟି ବିଧାନସଭା ଆସନ ଖାଲି ପଡିଲା। ଗୋଟିଏ ପାଟକୁରା ଏବଂ ବର୍ତ୍ତମାନ ବିଜେପୁର। ବର୍ତ୍ତମାନ ସୁଦ୍ଧା ପାଟକୁରା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଏକାଥରେ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।