Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରବି ରାୟ, ଭାରତୀୟ ରାଜନୀତିର ବିକଳ୍ପ ନାୟକ: ଏକ ଶ୍ରଦ୍ଧାଞ୍ଜଳି
ବିଶେଷ ଖବର

ରବି ରାୟ, ଭାରତୀୟ ରାଜନୀତିର ବିକଳ୍ପ ନାୟକ: ଏକ ଶ୍ରଦ୍ଧାଞ୍ଜଳି

November 26, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ରବି ରାୟ (୨୬ ନଭେମ୍ବର ୧୯୨୬-୬ ମାର୍ଚ୍ଚ ୨୦୧୭) ଭାରତୀୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚରିତ୍ର। ଷାଠିଏ ଦଶକରୁ ଆଜି ପର୍ଯ୍ୟନ୍ତ ଭାରତର ରାଜନୀତିରେ ଏକ ବିକଳ୍ପଧାରାର ରାଜନୀତି ସହ ସମ୍ପୃକ୍ତ ରହି ସେ ଉଦାହରଣ ପ୍ରସ୍ତୁତ କରି ଯାଇଛନ୍ତି। ଭାରତୀୟ ସମାଜବାଦୀ ରାଜନୀତିରେ ରାମ ମନୋହର ଲୋହିଆ ପରବର୍ତ୍ତୀ ପ୍ରଜନ୍ମର ସେ ଥିଲେ ଅନ୍ୟତମ ଶକ୍ତିଶାଳୀ ନେତା। ୧୯୬୭ରେ ଚତୁର୍ଥ ଲୋକସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ସେ ଲୋହିଆଙ୍କର ସହଯୋଗୀ ଭାବରେ ଦଳର ଉପନେତା ଭାବରେ ନିଜର ସଂସଦୀୟ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ରାଜନୀତିକୁ ଆଜିର ପୃଷ୍ଠଭୂମିରେ ଆଉ ଥରେ ବିଶ୍ଲେଷଣ କଲେ, ଆମକୁ ଅନେକାଂଶରେ ବିସ୍ମିତ ହେବାକୁ ପଡ଼େ। ତାଙ୍କର ଗୁରୁ ଆଚାର୍ଯ୍ୟ ରାମ ମନୋହର ଲୋହିଆଙ୍କ ବିଚାର ଉପରେ ସେ  ସାରାଜୀବନ ଏକନିଷ୍ଠ ସାଧନା ଅବ୍ୟାହତ ରଖିଛନ୍ତି। ବହୁ ସାଥୀ ଆସିଛନ୍ତି ଓ ଯାଇଛନ୍ତି। କିନ୍ତୁ ରବି ରାୟ ଅବିଚଳିତ ଭାବରେ ସମାଜବାଦର ତତ୍ତ୍ବକୁ ନିଜ ଜୀବନର ଅଂଶ ଭାବରେ ଗ୍ରହଣ କରିନେଇଛନ୍ତି। ଓଡ଼ିଶାର ଯେଉଁ ଦୁଇଜଣ ସମାଜବାଦୀଙ୍କୁ ସାରା ଭାରତରେ ବୁଦ୍ଧିଜୀବୀ ସମ୍ମାନ କରନ୍ତି, ସେ ଦୁଇଜଣ ହେଲେ କିଶନ ପଟ୍ଟନାୟକ ଓ ରବି ରାୟ। ବୈଚାରିକ ଦୃଷ୍ଟିରୁ କିଶନ ବାବୁ ସମାଜବାଦର ନିରନ୍ତର ବିଶ୍ଲେଷଣ କରିଥିବାବେଳେ ରବିବାବୁ ସଂସଦୀୟ ରାଜନୀତିରେ ତା’ର ପ୍ରୟୋଗ କରିଛନ୍ତି। ଲୋକସଭା ଏବଂ ରାଜ୍ୟସଭାର ସଦସ୍ୟ, ଲୋକସଭାର ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ସମାଜବାଦର ତତ୍ତ୍ବକୁ ସେ ପ୍ରୟୋଗ କରିବାର ପ୍ରୟାସ କରିଛନ୍ତି। ତାଙ୍କ ରାଜନୀତିର ଭିତ୍ତି ରେ ଗାନ୍ଧିବାଦ ଓ ଲୋହିଆବାଦର ଏକ ମିଶ୍ରଣ ରହିଥିଲା। ତେବେ ଆରମ୍ଭରୁ ନେହେରୁଙ୍କ ବିରୋଧୀ ଓ ଅଣକଂଗ୍ରେସ ରାଜନୀତିର ସୂତ୍ରଧର ଭାବରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ତାଙ୍କ ରାଜନୀତିର ଭିତ୍ତି ହେଉଛି ଲୋହିଆଙ୍କ ସପ୍ତକ୍ରାନ୍ତି। ଆଜିର ପିଢି ହୁଏତ ଏହି ସପ୍ତକ୍ରାନ୍ତି ବିଷୟରେ କିଛି ବି ଜାଣନ୍ତି ନାହିଁ। ଲୋହିଆ କହିଥିଲେ, ଧନୀ, ଗରିବ ଭିତରେ ପାର୍ଥକ୍ୟ ଦୂର ହେବ। ନର ଓ ନାରୀଙ୍କ ଭିତରେ ରହିଥିବା ଅସମାନତା ଦୂର ହେବ। ବର୍ଣ୍ଣବୈଷମ୍ୟ ଦୂର ହେବ। ଦଳିତଙ୍କ ଉତ୍ଥାନ ପାଇଁ ସ୍ଥାନ ସଂରକ୍ଷଣ ସହିତ ଆବଶ୍ୟକ ସ୍ଥଳେ ନିଷେଧାତ୍ମକ ନ୍ୟାୟର ବ୍ୟବସ୍ଥା କରିବାକୁ ପଡ଼ିବ। ଅଣୁ ଅସ୍ତ୍ର, ଏପରିକି ପାରମ୍ପରିକ ଯୁଦ୍ଧାସ୍ତ୍ରର ମଧ୍ୟ ବିଲୋପ ଘଟାଇବାକୁ ପଡ଼ିବ। ବ୍ୟକ୍ତି ସ୍ବାଧୀନତା ପାଇଁ ଲଢିବାକୁ ପଡ଼ିବ। ବ୍ୟକ୍ତି ଜୀବନରେ ସରକାର ବା ରାଷ୍ଟ୍ରର ଅଯଥା ହସ୍ତେକ୍ଷପ ବିରୋଧରେ ଠିଆ ହେବାକୁ ପଡ଼ିବ ଓ ଶେଷରେ ପୃଥିବୀରୁ ଧନୀ ଓ ଦରିଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର କରିବାକୁ ପଡ଼ିବ। ଲୋହିଆଙ୍କର ଏହି ସ୍ବପ୍ନ ଆଜି ମଧ୍ୟ ସ୍ବପ୍ନ ହୋଇ ରହିଛି। ଲୋହିଆଙ୍କ ଶିଷ୍ୟ ପ୍ରଶିଷ୍ୟମାନେ ଆଜିକାଲି ଆଉ ସପ୍ତକ୍ରାନ୍ତିର କଥା କହୁନାହାନ୍ତି। ତେବେ ରବି ରାୟ ତାଙ୍କର ଆତ୍ମଜୀବନୀ ‘ଅନ୍ବେଷାର ଆକାଶର’ରେ ଏହାକୁ ତାଙ୍କ ଜୀବନର ରାଜନୈତିକ ମଞ୍ଜ ବୋଲି ସ୍ବୀକାର କରିଥିଲେ। ୧୯୬୫ରେ ଲୋହିଆଙ୍କର ନେତୃତ୍ବରେ ଦେଶରେ କଂଗ୍ରେସ ହଟାଓ ଅଭିଯାନ ଆରମ୍ଭ ହେଲା। କଂଗ୍ରେସ ଯେଉଁ ଆଦର୍ଶକୁ ଆଧାର କରି ଗଢାଯାଇଥିଲା, ତାହା ବିଫଳ ହୋଇଥିବାରୁ ସାରା ଦେଶରେ କଂଗ୍ରେସ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ଲୋହିଆ ଡାକରା ଦେଇଥିଲେ। ତା’ର ପ୍ରତିଫଳନ ଓଡ଼ିଶାରେ ଘଟିଥିଲା ତରୁଣ ରବି ରାୟଙ୍କ ଆଗ୍ରହରେ କଂଗ୍ରେସ ହଟାଓ ଅଭିଯାନରେ ସେତେବେଳରେ ପ୍ରବୀଣ କଂଗ୍ରେସ ନେତା ନବକୃଷ୍ଣ ଚୌଧୁରୀ ସାମିଲ୍‌ ହୋଇଥିଲେ। ସବୁଠୁ ମଜା କଥା  ହେଉଛି – ଲୋହିଆଙ୍କ କଂଗ୍ରେସ ହଟାଅ ଅଭିଯାନକୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଗଣତାନ୍ତ୍ରିକ କଂଗ୍ରେସମୁକ୍ତ ଭାରତର ଆଧାର ବୋଲି କହି ବୁଲୁଛନ୍ତି। ଏଠି କହିରଖିବା ଉଚିତ୍‌ ହେବ ଯେ, ଡ. ଲୋହିଆ ହୁଅନ୍ତୁ ବା ରବି ରାୟ ଏମାନେ ଯେତେ କଠୋର କଂଗ୍ରେସ ବିରୋଧୀ ହେଲେ ମଧ୍ୟ ଏମାନେ କେବେ ବି ଦକ୍ଷିଣପନ୍ଥୀ ଫାଶୀବାଦୀ ଶକ୍ତିମାନଙ୍କର ସମର୍ଥକ ନଥିଲେ। ତେଣୁ ସମାଜବାଦୀ ଆନ୍ଦୋଳନର ଲକ୍ଷ୍ୟ ଯଦିଓ କଂଗ୍ରେସ ବିରୋଧୀ, ଏହା ସମାନ୍ତରାଳରେ ଦକ୍ଷିଣପନ୍ଥୀ ରାଜନୀତିର ମଧ୍ୟ ଘୋର ବିରୋଧୀ। ରବି ରାୟ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଫାଶୀବାଦୀ ରାଜନୀତି ବିରୁଦ୍ଧରେ ଅତ୍ୟନ୍ତ ସ୍ପଷ୍ଟ ମତପୋଷଣ କରିଛନ୍ତି। ତାଙ୍କର ଆତ୍ମଜୀବନୀ ’ଅନ୍ବେଷାର ଆକାଶର’ରେ ସେ ଏକ ଘଟଣାର ଉଲ୍ଲେଖ କରି ଲେଖିଛନ୍ତି, ‘ଗାନ୍ଧିଜୀ ହତ୍ୟା ସମ୍ପର୍କିତ ଆଉ ଗୋଟେ ଘଟଣା ମନେପଡୁଛି। ନାଥୁରାମ୍‌ ଗଡ୍‌ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଭ୍ୟ ଥିଲା। ଏଣୁ ଗାନ୍ଧି ହତ୍ୟା ପରେ ଏ ସଂଘ ବଦନାମ ହୋଇଯାଇଥିଲା। ଭାରତର ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ୍‌ ଆରଏସଏସ୍‌ ଉପରେ ନିଷୋଧାଜ୍ଞା ଜାରି କରିଥିଲେ। ଶୁଣିଲୁ, ରାମଚନ୍ଦ୍ର ଭବନରେ ଆରଏସଏସ୍‌ ଗୋଟେ ସଭା କରିବ ଓ ସେଥିରେ ପଣ୍ଡିତ ନୀଳକଣ୍ଠ ଦାସ ଯୋଗଦେବ। ସେଦିନ ରବିବାର। ଯୋଗକୁ ଆମର ସାପ୍ତାହିକ ପାଠଚକ୍ର ରାସ୍ତା ଆରପଟର ଟାଉନ୍‌ହଲରେ ହେବାର ଥାଏ। ଆମେ ବିଚାରକଲୁ ଯେ, ଆମର ଏତେ ପାଖରେ ଗାନ୍ଧି ହତ୍ୟାକାରୀମାନେ ସଭା କରି ଚାଲିଯିବେ, ଅଥଚ ଆମେ ନିରବ ରହିବୁ। ଆମେ ସ୍ଥିର କଲୁ କି, ଆମେ ସେ ସଭା କରାଇଦେବୁ ନାହିଁ। ଅଥଚ ଏହି ବିରୋଧ ସମ୍ପୂର୍ଣ୍ଣ ଅହିଂସକ ଉପାୟରେ କରାଯିବ। ଆମ ପାଠଚକ୍ର ଦୁଇଟାବେଳେ ଚାଲିଥାଏ ।ସେମାନଙ୍କ ମିଟିଂ ୫ଟାବେଳେ। ରାମଚନ୍ଦ୍ର ଭବନ ସାମ୍ନା ଓ ଦୁଇପଟେ ବୋଧେ ୬ଟା କବାଟ। ଆମେ ସ୍ଥିର କଲୁ ଯେ, ସେମାନଙ୍କ ସଭ୍ୟ ଅବ୍ୟବହିତ ପୂର୍ବରୁ ଆମର ସ୍ବେଚ୍ଛାସେବକମାନେ ସେହି ସବୁ କବାଟ ସାମ୍ନାରେ ଶୋଇରହିବେ ଓ ସ୍ଲୋଗାନ ଦେବେ। ପଣ୍ଡିତ ନୀଳକଣ୍ଠଙ୍କ ସଦଳବେଳ ଯଥା ସମୟରେ ଆସି  ପହଞ୍ଚିଲେ। ସ୍ବେଚ୍ଛାସେବକମାନଙ୍କର ସ୍ଲୋଗାନ ଚାଲିଲା…. ଗାନ୍ଧିଜୀ ଜିନ୍ଦାବାଦ୍‌, ଗାନ୍ଧି ହତ୍ୟାକାରୀ ଆରଏସଏସ୍‌ ମୁର୍ଦ୍ଦାବାଦ। ନୀଳକଣ୍ଠ ବାବୁ ଧର୍ମ ସଂକଟରେ ପଡ଼ିଗଲେ। ଯଦିବି ସେ ସଭାସ୍ଥଳକୁ ଯିବା ପାଇଁ ଅଡି ବସନ୍ତି, ତେବେ ଆମ ସ୍ବେଚ୍ଛାସେବକମାନଙ୍କ  ଉପରେ ଚଢି କରି ଭିତରୁ ଯିବେ। ସେତେବେଳ ଗାନ୍ଧି ହତ୍ୟାକାରୀ ଦଳ ଆରଏସ୍‌ଏସ୍‌ ଏତେ ବଦନାମ୍‌ ହୋଇଯାଇଥିଲା ଯେ, ଆମେ କରୁଥିବାର ବିରୋଧରେ ସେମାନେ କିଛି ଜବାବ୍‌ ଦେଇ ପାରିଲେ ନାହିଁ । ନୀଳକଣ୍ଠବାବୁ ସେ ସଭାରେ ଯୋଗ ଦେଇନପାରି ଚୁପ୍‌ କରି ଫେରିଚାଲିଗଲେ।

ଏହି ଗୋଟିଏ ପ୍ରସଙ୍ଗ ରବିବାବୁଙ୍କର ଦକ୍ଷିଣପନ୍ଥୀ ବିରୋଧୀ ରାଜନୀତିକୁ ଅତି ସ୍ପଷ୍ଟ ଭାବରେ ରେଖାଙ୍କିତ କରୁଛି। ଏବେ ସାରା ଭାରତରେ ଯେତେବେଳେ କଂଗ୍ରେସ ବିରୋଧୀ ରାଜନୀତିକୁ ଦକ୍ଷିଣପନ୍ଥୀ ରାଜନୀତିର ସମର୍ଥକ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ବିରୋଧରେ ରବିବାବୁଙ୍କର ଏହି ମତ କିଛିଟା ଆଲୋକାପାତ ନିଶ୍ଚୟ କରିବ। ଦୁର୍ଭାଗ୍ୟକ୍ରମେ ପୁରୁଣା ଦିନର ଅନେକ ସମାଜବାଦୀ ପରବର୍ତ୍ତୀ ସମୟରେ କ୍ଷମତା ଲୋଭ ଯୋଗୁଁ ବିଜେପି ସରକାରରେ ଯୋଗଦେଲେ। ଲୋହିଆଙ୍କର ଆତ୍ମା ଉପରେ ତାହା ବୋଧେ ଥିଲା ସବୁଠୁ ବଡ଼ ପ୍ରହାର। ସୌଭାଗ୍ୟକ୍ରମେ ରବି ରାୟ ଏବେବି ନିଜ ରାଜନୈତିକ ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି।

ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ଭାବରେ ନବମ ଲୋକସଭାରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ତାହା ଥିଲା ଭାରତର ସଂସଦୀୟ ଇତିହାସର ଏକ ଘଡିସନ୍ଧି ମୁହୂର୍ତ୍ତ। ପ୍ରଥମଥର ପାଇଁ ଏକ ଝୁଲା ଲୋକସଭା ଗଠିତ ହୋଇଥିଲା ଓ ତା’ର ପରିଚାଳନା ଦାୟିତ୍ବ ରବି ରାୟଙ୍କ ଉପରେ ନ୍ୟସ୍ତ ହୋଇଥିଲା। ତାଙ୍କ ସମୟରେ ଅନ୍ତତଃ ଚାରୋଟି ଘଟଣା ଭାରତର ରାଜନୀତିକୁ ଦୀର୍ଘବର୍ଷ ଧରି ପ୍ରଭାବିତ କରୁଛି ଓ କରୁଥିବ। ପ୍ରଥମ ଥର ପାଇଁ ଲୋକସଭାରେ ଜଣେ ବିଚାରପତିଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା। ବିରୋଧୀ ଦଳ ନେତା ରାଜୀବ ଗାନ୍ଧିଙ୍କ ସବୁପ୍ରକାର ବିରୋଧ ସତ୍ତ୍ବେ  ରବି ରାୟ ସେହି ପ୍ରସ୍ତାବକୁ ଗୃହୀତ କରାଇଥିଲେ। ପ୍ରଥମଥର ପାଇଁ ରବି ରାୟ ଦଳ ବଦଳ ନିରୋଧ ଆଇନ୍‌କୁ କାର୍ଯ୍ୟକାରୀ କରି ଚନ୍ଦ୍ରଶେଖର ସରକାରର ୬ଜଣ ମନ୍ତ୍ରୀଙ୍କର ସଭ୍ୟପଦ ରଦ୍ଦ କରିଥିଲେ। ପ୍ରଥମ ଥର ପାଇଁ ଦେଶର ଚଳନ୍ତି ସମସ୍ୟାର ଆଲୋଚନା ଲାଗି ଲୋକସଭାରେ ଶୂନ୍ୟକାଳର ବ୍ୟବସ୍ଥା କରାଯାଇଥିଲା। ଏବଂ ସବୁଠୁ ବଡ଼ କଥା ହେଉଛି, ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ଭଳି ନିକୃଷ୍ଟ ରାଜନେତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ ହେବା ସହ ସେ ବାଚସ୍ପତିଙ୍କ ଲୋକସାଭରେ କ୍ଷମା ପ୍ରାର୍ଥନା କରିଥିଲେ। ଦଳବଦଳ ନିରୋଧ ଆଇନ୍‌ ଲାଗୁ ନ କରିବା ପାଇଁ ଚନ୍ଦ୍ରଶେଖର ସରକାରର ଆଇନ୍‌ ମନ୍ତ୍ରୀ ସୁବ୍ରମଣ୍ୟମ୍‌ ସ୍ବାମୀ ସେତେବେଳେ ରବି ରାୟଙ୍କୁ ତାଙ୍କ ପ୍ରକୋଷ୍ଠରେ ଖୋଲାଖୋଲି ଧମକ ଦେଇଥିଲେ। ତାଙ୍କ ଧମକରେ ଦବି ନ ଯାଇ ରବି ରାୟ ସ୍ବାମୀଙ୍କୁ ଲୋକସାରେ ଅପଦସ୍ତ କରାଇଥିଲେ। ରାଜନୀତିରେ ସ୍ବଚ୍ଛତା ଓ ଦୃଢତାର ଫଳ ତାଙ୍କୁ ମିଳିଥିଲା।

ଦୀର୍ଘ ବର୍ଷ ଧରି ରାଜନୀତିରେ ସେ ରହିଥିଲେ। ବହୁ ଉଚ୍ଚ ପଦପଦବୀ ସେ ହାସଲ କରିଥିଲେ। ହେଲେ ତାଙ୍କୁ କ୍ଷମତାର କଳଙ୍କ ସ୍ପର୍ଶ କରିପାରିନଥିଲା। ଏକ ବେଦାଗ ରାଜନୈତିକ ଜୀବନ ବଞ୍ଚିଥିବା ରବି ରାୟ ସରଳତା ଓ ସଚ୍ଚୋଟତାର ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଯାଇଛନ୍ତି। ତାଙ୍କ ରାଜନୈତିକ ଜୀବନର ଏମିତି ଅନେକ ମୁହୂର୍ତ୍ତ ଆସିଛି, ଯେଉଁଥିରେ ବହୁ ଉଚ୍ଚ ପଦକୁ ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଆଦର୍ଶ ସହ ସାଲିସ୍‌ କରି ପଦବୀ ହାତେଇବାର ପ୍ରବୃତ୍ତି ତାଙ୍କର କେବେ ବି ନଥିଲା। ଯେତିକି ସମୟ ସେ କ୍ଷମତାରେ ରହିଛନ୍ତି, ସେତିକି ସମୟ ଭିତରେ ରାଜନୈତିକ ଆଦର୍ଶର ପ୍ରତିଷ୍ଠା ଲାଗି ଏକନିଷ୍ଠ ଉଦ୍ୟମ କରିଛନ୍ତି। ଆଦର୍ଶ ଲାଗି ଅନେକ ପୁରୁଣା ସାଥୀଙ୍କୁ ସେ ସ୍ପଷ୍ଟ ଭାବରେ ସମାଲୋଚନା ମଧ୍ୟ କରିଛନ୍ତି। ତେଣୁ ତାଙ୍କର ରାଜନୀତି ଆଜି ବି ଏକ ବିକଳ୍ପ ମାର୍ଗ ପ୍ରସ୍ତୁତ କରି ରଖିଛି। ସେ ମାର୍ଗ ସମାଜବାଦ ଓ ସପ୍ତକ୍ରାନ୍ତିର ମାର୍ଗ। ସେ ମାର୍ଗ ଗାନ୍ଧି ଓ ଲୋହିଆ ପ୍ରଦର୍ଶିତ ମାର୍ଗ। ସାମୟିକ ଭାବରେ ସେ ମାର୍ଗ କୁହୁଡ଼ିଆ ଲାଗୁଥିଲେ ମଧ୍ୟ ସେ ମାର୍ଗର ସମାପ୍ତି ନାହିଁ। ଦିନେ ନା ଦିନେ ସମାଜବାଦର ସ୍ବପ୍ନ ସାର୍ଥକ ହେବ ଓ ସେ ସାର୍ଥକତାରେ ରବି ରାୟଙ୍କର ସ୍ମୃତି ଜାଜ୍ଜ୍ବଲ୍ୟମାନ ରହିଥିବ।

speaker
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.