Categories
ଆଜିର ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଦାବୀ କଲେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢିବା ପାଇଁ ଆଜି ଦାବୀ କରିଛନ୍ତି ଦଇତାପତି ନିଯୋଗ ସଂପାଦକ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର। ଆଜି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ଏହି ଦାବୀ କରିଛନ୍ତି। ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଅମଳରେ ପୁରୀର ବହୁ ବିକାଶ ଘଟିଛି ତେଣୁ ସେ ପୁରୀ ବିଧାୟକ ପ୍ରାର୍ଥୀ ହେବା ଆବଶ୍ୟକ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନବୀନ ପୁରୀରୁ ବିଧାୟକ ହେବା ପାଇଁ ବହୁ ସେବାୟତ ମଧ୍ୟ ଚାହୁଁଛନ୍ତି। ଏପରିକି ପୁରୀ ଜନସାଧାରଣ ମଧ୍ୟ ଚାହୁଁଛନ୍ତି। କାରଣ ସେ ଏହି ଧର୍ମପିଠର ବିଧାୟକ ହେଲେ ଏହାର ଆହୁରି ଉନ୍ନତି ହେବ।

ତେବେ ଏ ନେଇ ସେବାୟତଙ୍କ ପକ୍ଷରୁ ଏକ ଦଳ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି 2019 ନିର୍ବାଚନ ପୂର୍ବରୁ ଆମେ ନବୀନଙ୍କୁ ଏହି ଅନୁରୋଧ କରିଥିଲୁ। ଏବେ 2024 ରେ ମଧ୍ୟ ସେହି ଅନୁରୋଧ କରିବୁ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରଦ୍ଧା କିଏ ସେ ? ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶ୍ରଦ୍ଧାଙ୍କୁ ନେଇ ବର୍ତ୍ତମାନ ବିରୋଧୀ ଦଳ ଉଠୁଛନ୍ତି ପଡୁଛନ୍ତି। ସେ କିଏ, କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ରୋମ ଯାଇଥିଲା, ସରକାର କାହିଁକି ତାଙ୍କ ପାଇଁ ଟିକେଟ କଲେ ଇତ୍ୟାଦି। ଏହାକୁ ନେଇ ବିଧାନସଭାରେ ମଧ୍ୟ ବିରୋଧୀ ତାଙ୍କର ଫଟୋ ଧରି ହାଙ୍ଗାମା କଲେ। ହେଲେ ବିଧାନସଭା ଶେଷରେ ଏହାର ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ, ଶ୍ରଦ୍ଧା ହେଉଛନ୍ତି ମୋର ଫିଜିଓଥେରାପିଷ୍ଟ। ତାଙ୍କୁ ମୋର ବଡ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ। ସେ ମୋର ଯତ୍ନ ନେବା ପାଇଁ ତାଙ୍କୁ କୁହାଯାଇଥିଲା। ହେଲେ ସେ କୌଣସି ସରକାରୀ କ୍ବାଟର ପାଇ ନାହାଁନ୍ତି କି ତାଙ୍କ ପାଇଁ ସରକାର କୌଣସି ଗସ୍ତ ଖର୍ଚ୍ଚ ବହନ କରି ନାହାଁନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗୃହରେ ଲୋକଙ୍କ ସମସ୍ୟା ସଂପର୍କରେ ଅଧିକ ସମୟ ଦେଲେ ଭଲ ହୁଅନ୍ତା।

Categories
ବିଶେଷ ଖବର ରାଜ୍ୟ ଖବର

ମାଲକାନଗିରିରେ ୪ ଜଣଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନଭିନ୍ନ ଦୂର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟ ମାନଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏ ସହାୟତା ପ୍ରଦାନ କରିବା ପାଇଁ ସେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏୟାରଷ୍ଟ୍ରିପର ପାଚେରୀ ଭୁଷୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏତତ୍‌ବ୍ୟତିତ ଆହାତମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାହିଁକି ?

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି। କାରଣ ହେଲା ଯେ, ଓଡିଶାରେ ଏକ ଜାତୀୟ ରାଜପଥ କାମ ଦୀର୍ଘ ପାଞ୍ଚ ବର୍ଷ ହେଲା ଚାଲିଛି ଯେ ତାହା ଶେଷ ହେଉ ନାହିଁ। ସେହି ରାସ୍ତା ହେଲା କଟକ-ଅନୁଗୁଳ-ସମ୍ବଲପୁର ଏନଏଚ-55।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରି ଲେନ କରିବା ପାଇଁ ଏହି ରାସ୍ତାର କାମ 2017 ମସିହାରୁ ଆରମ୍ଭ ହେଲାଣି। ହେଲେ ଏ ପର୍ଯ୍ୟନ୍ତ ତାହା ଶେଷ ହେଉ ନାହିଁ। ସବୁବେଳେ ରାସ୍ତା କାମ ଜାରୀ ରହିଥିବାରୁ ସେଠାରେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ଦୁଇ ବର୍ଷ ମଧ୍ୟରେ ସେହି ରାସ୍ତାରେ 399ଟି ଦୁର୍ଘଟଣା ଘଟିଛି। ଏଥିରେ 196 ଜଣ ମୃତ୍ୟୁ ମଧ୍ୟ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଏ ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି। ସେମାନେ ମଧ୍ୟ ବିଭିନ୍ନ ବୈଠକ କରି ଏହା କାମ ଉପରେ ଆଲୋଚନା କରିଛନ୍ତି। ହେଲେ ଏ ନେଇ ଠୋସ କିଛି ଫଳ ମିଳିପାରୁ ନାହିଁ। ଯାହାଦ୍ବାର କାମ ବହୁ ବିଳମ୍ବ ହେବାରେ ଲାଗିଛି।

ଏପରି ବିଳମ୍ବ ପାଇଁ ସେହି ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ଏପରିକି ଆନ୍ଦୋଳନ ମଧ୍ୟ ହେବାରେ ଲାଗିଛି। ସେଥିପାଇଁ ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାମ ଶିଘ୍ର ଶେଷ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଖ୍ୟାତ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର: ପ୍ରତିଷ୍ଠିତ ସାହିତ୍ୟିକ ତଥା ଲୋକପ୍ରିୟ ଭକ୍ତି ସଂଗୀତ ଆହେ ଦୟାମୟ ବିଶ୍ବ ବିହାରୀର ଲେଖକ ରାମକୃଷ୍ଣ ନନ୍ଦଙ୍କର ଆଜି ଜୟନ୍ତୀ। ସେ ୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି।

ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ବିଶିଷ୍ଟ ସାରସ୍ବତ ସାଧକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଶିଶୁ ସାହିତ୍ୟିକ, ଅନୁବାଦକ ଏବଂ ଜଣେ ପ୍ରଖ୍ୟାତ ସମ୍ପାଦକ ଭାବେ ତାଙ୍କ ଅବଦାନ ଅତୁଳନୀୟ। ଝୁମୁକା, ତୁଳସୀଦାସ, ବିଶ୍ୱ ପରିଚୟ ଏବଂ ‘ଆହେ ଦୟାମୟ ବିଶ୍ଵ ବିହାରୀ’ ଭଳି କାଳଜୟୀ ରଚନା ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତରେ ସର୍ବଦା ସ୍ୱତନ୍ତ୍ର କରି ରଖିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର : ଆମ୍ପାନ୍‌ ସମୀକ୍ଷା ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିମାନ 2.50ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ନିମନ୍ତେ ରାଜ୍ୟପାଳ ଡ. ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପି, ପ୍ରତାପ ଷଡଙ୍ଗୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏମାନଙ୍କ ବ୍ୟତିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ବାଗତ ସମ୍ବର୍ଦ୍ଧନା ପରେ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧି ଏକ ମାସ ବଢାଇବାକୁ ଓଡିଶା ସରକାରଙ୍କ ସୁପାରିଶ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍‌ ଲାଇନ୍‌ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍‌ଡାଉନ୍‌ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନା ସଙ୍କଟ ସମୟରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିବୃତ୍ତି ଦେଇଛନ୍ତି । କୃଷି ଓ କୃଷିଜାତ ସାମଗ୍ରୀକୁ ଲକ୍‌ଡାଉନ୍‌ରୁ ସମ୍ପୂର୍ଣ୍ଣ ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଆଇନଭଙ୍ଗକାରୀଙ୍କ ବିରୋଧରୋ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୃଷିଜାତ ଦ୍ରବ୍ୟ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନରେ ଯେପରି କୌଣସି କଟକଣା ନଆସେ ସଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବୀନ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ କରୋନା ପରିସଂଖ୍ୟାନ ନିମ୍ନଗାମୀ ହୋଇଥିବାରୁ ଏହାକୁ ନେଇ ନବୀନ ସନ୍ତୋଷ ପ୍ରକାଶ କରିଥିଲେ । ଏଥିପାଇଁ ନବୀନ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ସଚେତନତା ବାର୍ତ୍ତା ଦେଲେ ନବୀନ, ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମାନବ ଜାତିର ସବୁଠାରୁ ବଡ ଶତ୍ରୁ, ଏହାକୁ ହରାଇବାକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ ।

ଏଥିସହ ଦିଲ୍ଳୀ ନିଜାମୁଦ୍ଦିନ ସଭାରେ ଓଡିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି । 24ଘଣ୍ଟା ମଧ୍ୟରେ ଏଥିପାଇଁ ଆଗେଇ ଆସନ୍ତୁ। ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଳମ୍ବ କଲେ ଏହା ନିଜ ସହିତ ନିଜ ପରିବାରକୁ ବିପଦରେ ପକାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଆମାନେ ନିଜ ପରିବାର ଓ ପିଲାମାନଙ୍କ ଭଲ ପାଇଁ ସହଯୋଗ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଜିର ଖବର

ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ: ବିଜେଡି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୬/୧୨: ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ମତ ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବୀନ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଆପଣାଇବାକୁ ଆହ୍ବାନ ଦେବା ସହିତ ସାଢେ ଚାରି କୋଟି ଓଡିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡିଶାରେ ନିର୍ବାଚନରେ ଜିତିବା ପାଇଁ ବିଜେଡି କାର୍ଯ୍ୟ କରୁନାହିଁ ବରଂ ଲୋକଙ୍କ ହୃଦୟ ଜିତିବା ପାଇଁ କାମ କରୁଛି ବୋଲି ନବୀନ ପ୍ରକାଶ କରିଥିଲେ। ରାଜ୍ୟର ସାଢେ ଚାରି କୋଟି ଭାଇ ଭଉଣୀ ମିଳିତ ଭାବରେ ଦେଇଥିବା କ୍ଷମତା ହେଉଛି ବିଜେଡି। ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ ଏପରିକି ମୋ ଉପରେ ମଧ୍ୟ ନୁହେଁ ବୋଲି ନବୀନ ପ୍ରକାଶ କରିଥିଲେ। ବିଜେଡି ବର୍ତ୍ତମାନ ଏକ ଦଳ ନୁହେଁ ବରଂ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇ ସାରିଛି ବୋଲି ନବୀନ ପ୍ରକାଶ କରିଥିଲେ। ଓଡିଶାର ସାଢେ ଚାରି କୋଟି ବାସିନ୍ଦା ବିଜେଡିର ପରିବାର ଏବଂ ବିଜେଡି ନେତୃବୃନ୍ଦ ସର୍ବଦା ରାଜ୍ୟବାସୀଙ୍କ ପାଇଁ କାମ କରିବା ଉଚିତ ବୋଲି ନବୀନ ପ୍ରକାଶ କରିଥିଲେ। କର୍ମୀଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଲଜାନ ପରି ଦଳକୁ ଶକ୍ତି ଯୋଗାଉଛି ବୋଲି ନବୀନ ପ୍ରକାଶ କରିବା ସହିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ବିଜେଡିର ଏହି ୨୩ତମ ପ୍ରତିଷ୍ଠା ଉତ୍ସବ ରାଜ୍ୟ ମୁଖ୍ୟାଳୟ ସମେତ ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି।

 

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏବେ ପଶ୍ଚାତ୍ତାପ କରୁଛି କି ବିଜୁ ଜନତା ଦଳ?

କେଦାର ମିଶ୍ର

ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ କୁମାର ବର୍ମା ଏହି ଆଇନ ଅସାମ୍ବିଧାନିକ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ବିଜେପି ଏହି ପ୍ରସଙ୍ଗରେ ଏତେ ଅଧିକ ପ୍ରତିରୋଧ ହେବ ବୋଲି ଆଶା କରୁନଥିଲା ବୋଲି ଶୁଣାଯାଉଛି।

ଏହି ବିଲକୁ ଆଇନରେ ପରିଣତ କରାଇବାରେ ଓଡିଶାର ବିଜୁ ଜନତା ଦଳର ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ନବୀନ ପଟ୍ଟନାୟକଙ୍କ ସମର୍ଥନ ଫଳରେ ଏହି ବିଲ ସହଜରେ ଆଇନରେ ପରିଣତ ହୋଇ ପାରିଲା ବୋଲି ଜାତୀୟ ସ୍ତରରେ ଏକ ବାର୍ତ୍ତା ପ୍ରଚାରିତ ହେଲା। ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଧର୍ମ ନିରପେକ୍ଷ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି ବୋଲି ଦଳ ଏବେ ଅନୁଭବ କରୁଛି। ଜାତୀୟ ସ୍ତରରେ ବିଜେଡ଼ିକୁ ଏଠି ଲାଗି ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ବିଜେଡି ଏ ପ୍ରସଙ୍ଗରେ ବିତର୍କକୁ ଆଡେଇ ଯାଉଥିଲେ ମଧ୍ୟ, ଏହା ଦଳର ଭାବମୂର୍ତ୍ତିକୁ ଅସୁବିଧାରେ ପକାଇଛି। ଗତ ପାଞ୍ଚୋଟି ଯାକ ନିର୍ବାଚନରେ ରାଜ୍ୟର ସଂଖ୍ୟାଲଘୁ ଭୋଟର ନବୀନ ପଟ୍ଟନାୟକଙ୍କ ଉପରେ ଆଖି ବୁଜି ବିଶ୍ଵାସ ପୋଷଣ କରି ଆସିଛନ୍ତି। ଭଦ୍ରଖ, କେନ୍ଦ୍ରାପଡା, ସମ୍ବଲପୁର ଭଳି ଅଞ୍ଚଳରେ ମୁସଲମାନ ଭୋଟର ବିଜେଡି ପ୍ରତି ସବୁବେଳେ ଅନୁରକ୍ତ ରହି ଆସିଛନ୍ତି।

ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କ ପ୍ରତି ବାଛ ବିଚାର କରା ଯାଇଥିବାରୁ ଓ ଏହାକୁ ବିଜେଡି ସମର୍ଥନ କରିଥିବାରୁ ରାଜ୍ୟର ସଙ୍ଖ୍ୟାଲଘୁ ଭୋଟର ଆଶଙ୍କିତ ହୋଇ ପଡିଛନ୍ତି। ଏହି ଅଳ୍ପ ସଂଖ୍ୟକ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଏବେ ନବୀନ ବାବୁ ସେମାନଙ୍କର କେତେଜଣ ବରିଷ୍ଠ ନେତାଙ୍କୁ ଭେଟିଥିଲେ ଓ ରାଜ୍ୟରେ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଇ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାତୀୟ ନାଗରିକ ପଞ୍ଜୀକରଣ ତ ଦୂରର କଥା, ନୂଆ ଭାବେ ସଂଶୋଧିତ ନାଗରିକ ଆଇନରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଧର୍ମକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଆଇନକୁ ବିଜେଡି ସମର୍ଥନ କରିବା କଥାଟିକୁ ଓଡିଶାର ସଂଖ୍ୟାଲଘୁ ସଂପ୍ରଦାୟ କେବଳ ନୁହନ୍ତି, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାରେ ବିଶ୍ଵାସୀ ବିଜେଡ଼ିର ଏକ ବଡ ସମର୍ଥକ ଗୋଷ୍ଠୀ ବିଶ୍ଵା କରି ପାରୁନାହାନ୍ତି। ବିଜେପି ପ୍ରତି ବିଜେଡ଼ିର ଏହି ଅହେତୁକ ସମର୍ଥନ ବିଜେଡ଼ିର ବଡ କ୍ଷତି କରୁଛି ବୋଲି ଦଳ ଅନୁଭବ କରୁଛି।

ଏହି ଆଇନକୁ ଏବେ ସାରା ଦେଶରେ ଯେଉଁ ପ୍ରକାର ବିରୋଧ କରାଯାଉଛି, ସେମିତି ହେବ ବୋଲି ବିଜେଡି ନେତୃତ୍ଵ ଚିନ୍ତା କରି ନଥିଲେ। ପୂର୍ବରୁ ଅନେକ ଅପ୍ରିୟ ପଦକ୍ଷେପ ନେଇ ଲୋକମତକୁ ନିଜ ସପକ୍ଷରେ ରଖିବାକୁ ବିଜେପି ସମର୍ଥ ହେଉଥିଲା। ବିମୁଦ୍ରାକରଣ ଭଳି ଲୋକଙ୍କ ଜୀବନ ଓ ଜୀବିକାକୁ ଧ୍ଵଂସ କରି ପକାଇଥିବା ଏକ ପଦକ୍ଷେପକୁ ମଧ୍ୟ ଲୋକେ ବିରୋଧ କରି ନଥିଲେ। ତେବେ ନାଗରିକତା ସଂଶୋଧନ ଆଇନ ଆସିବା ଫଳରେ ସାରା ଦେଶରେ ଏହାକୁ ନେଇ ଜନମତ ପ୍ରବଳ ହେବା ଆରମ୍ଭ କରିଛି।

ଏହି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ସରକାରର ଆକ୍ରାମକ ବ୍ୟବହାର ବିଜେଡ଼ିକୁ ଅଡୁଆରେ ପକାଇଛି। ଏହି ଆଇନ ର ବିରୋଧ କରୁଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଓଡିଶାରେ ବିଜେଡି ଏ ପ୍ରକାର ରାଜନୀତି କେବେ ମଧ୍ୟ କରିନାହିଁ। ବିରୋଧୀ ରାଜନୀତିକୁ ରାଜ୍ୟ ବିରୋଧୀ ବୋଲି କହିବାର ଉଦାହରଣ ନବୀନଙ୍କ ପାଖରେ ନାହିଁ। ନବୀନଙ୍କ ରାଜନୀତିର ଠିକ ବିପରୀତ ରାଜନୀତି କରୁଥିବା ବିଜେପି ପ୍ରତି ଦଳର ସମର୍ଥନ ଏହାର ନେତା ଓ କ୍ୟାଡରଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ପୋଲିସ ଜୁଲମକୁ ବିଜେଡି ସମର୍ଥନ କରିବା ମଧ୍ୟ ସମ୍ଭବ ନୁହେଁ।

ଅମିତ ଶାହ ଅତ୍ୟନ୍ତ ଚତୁରତାର ସହ ବିଜେଡ଼ିର ସମର୍ଥନ ହାସଲ କରିବା ସହିତ, ଏହି ଦଳର ଏକ ବଡ ଭୋଟ ଆଧାରକୁ ଦୋହଲାଇ ଦେଇଛନ୍ତି। ସଂଖ୍ୟାଲଘୁ ଭୋଟ ପୂରା ମାତ୍ରାରେ ବିଜେଡି ପାଖକୁ ଆଗକୁ ଯେମିତି ନ ଯାଏ ସେ ବ୍ୟବସ୍ଥା ଅମିତ ଶାହ କରିଛନ୍ତି। ବିଜେଡି ଏକଥା ବୁଝି ମଧ୍ୟ ନ ବୁଝି ପାରିବାର ଛଳନା କରିବାକୁ ଏବେ ବାଧ୍ୟ।

Categories
ବିଶେଷ ଖବର

“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ

କେଦାର ମିଶ୍ର

ଆଜି ଯାଏ ବିଜୁ ଜନତା ଦଳ ଓ ଏହାର ସରକାର ପରିଚାଳନାରେ ବରିଷ୍ଠ ପ୍ରଶାସକ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ନେଇ ବହୁ ପ୍ରକାର କଳ୍ପନା ଜଳ୍ପନା, ଗୁଜବ-କାହାଣୀ ଓ ସଙ୍କେତ ସବୁ ମିଳୁଥିଲା। ସରକାର ଉପରେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ବି ହେଉଥିଲା। ହେଲେ ଖୋଲାଖୋଲି ତାଙ୍କୁ କେହି ଦେଖୁନଥିଲେ ବା ତାଙ୍କ କଥା ଶୁଣିବାକୁ ମିଳୁନଥିଲା। ଅନେକ ତ ତାଙ୍କ  ଚେହେରା ମଧ୍ୟ କେବେ ଦେଖିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ଘନିଷ୍ଠ ଓ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ କେବଳ ନୁହେଁ, ସେ ଏକ ପ୍ରକାର ମୁଖ୍ୟମନ୍ତ୍ରୀଙ୍କ ଛାଇ ଭଳି ରହିଥିବା କଥା ସମସ୍ତେ ଜାଣନ୍ତି। ପାଣ୍ଡିଆନଙ୍କ ଆଗରୁ ଆହୁରି ଅନେକ ପ୍ରଶାସକ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଥିଲେ। ହେଲେ ନବୀନ ବାବୁ କାହା ଉପରେ ଏତେଟା ନିର୍ଭରଶୀଳ କେବେ ବି ନଥିଲେ। ଏବେ ବିଜେଡ଼ିର ଅସଲ ଡୋରି ଯେ ପାଣ୍ଡିଆନଙ୍କ ହାତରେ ଏକଥା ସ୍ପଷ୍ଟ ହୋଇ ଯାଇଛି। ବିଜେଡ଼ିର ଦଳୀୟ ବ୍ୟାପାରରେ ପାଣ୍ଡିଆନ ଏବେ ମଧ୍ୟ ଆଢୁଆଳରେ ରହୁଛନ୍ତି। ରହିବା ସ୍ଵାଭାବିକ ମଧ୍ୟ। ଏଯାଏ ସେ ସର୍ବ ଭାରତୀୟ ସେବାର ଅଧିକାରୀ ଭାବରେ ହିଁ କାମ କରୁଛନ୍ତି। ତେଣୁ ଦଳର ପରିଚାଳନା ଲାଗି ସେ ପରୋକ୍ଷ ସହାୟତା କରୁଛନ୍ତି।

୨୦୧୯ ନିର୍ବାଚନ ଆଗରୁ ସରକାର ଚଳାଇବାରେ ପାଣ୍ଡିଆନଙ୍କର ସ୍ପଷ୍ଟ ଭୂମିକା ରହୁଥିଲେ ହେଁ ସେ ଖୋଲାଖୋଲି ନିଜକୁ ଲୋକଙ୍କ ଆଗରେ ଉପସ୍ଥାପିତ କରୁ ନଥିଲେ। ପ୍ରଶାସନର ସବୁ ଛୋଟ ବଡ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେ ହିଁ ନେଉଥିଲେ। ହେଲେ ପ୍ରଶାସନିକ ସ୍ତରରେ ସେ ନିଜକୁ ଜଣେ କନିଷ୍ଠ ଅଧିକାରୀର ଭୂମିକାରେ ସୀମିତ ରଖିବାକୁ ଚେଷ୍ଟା କରୁଥିଲେ। ୨୦୧୯ ନିର୍ବାଚନ ପରେ ସରକାର ଗଠନ, ପରିଚାଳନା ଓ ନୀତିଗତ ନିଷ୍ପତ୍ତି କ୍ଷେତ୍ରରେ ପାଣ୍ଡିଆନଙ୍କର ସ୍ପଷ୍ଟ ସ୍ଵାକ୍ଷର ଏବେ ବାରି ହୋଇ ପଡୁଛି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପ୍ରତ୍ୟକ୍ଷ କର୍ତ୍ତାର ଭୂମିକାରେ ଦେଖିବାକୁ ମିଳିଲା। ତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ଏକ ଫଟୋଗ୍ରାଫ ବିଜେଡ଼ିର ପ୍ରାୟ ସବୁ ତୁଙ୍ଗ ନେତା ଶେୟାର କରିଥିଲେ ଓ ସେଥିରୁ ସ୍ପଷ୍ଟ ସଙ୍କେତ ମିଳିଥିଲା ଯେ, ପାଣ୍ଡିଆନଙ୍କ ଭୂମିକା ଏଥର ସରକାରରେ ଯଥେଷ୍ଟ ପ୍ରଭାବଶାଳୀ ହେବାକୁ ଯାଉଛି।

ପରେ ପରେ “ଫାଇଭ ଟି” ବିଭାଗ ସୃଷ୍ଟି କରି ତାହାର ଦାୟିତ୍ଵ ପାଣ୍ଡିଆନଙ୍କୁ ଦିଆଗଲା। ଏହାର ସ୍ପଷ୍ଟ ଅର୍ଥ ଥିଲା ପ୍ରଶାସନରେ ମୁଖ୍ୟମନ୍ତ୍ରୀଙ୍କ ପରେ ବାସ୍ତବ ମୁଖିଆ ହେଉଛନ୍ତି ପାଣ୍ଡିଆନ। ଟେକ୍ନୋଲୋଜି, ଟ୍ରାଂସପେରେନ୍ସି, ଟାଇମ, ଟିମ ୱାର୍କ ଓ ଟ୍ରାନ୍ସଫର୍ମେସନ ଭଳି ପାଞ୍ଚୋଟି ଶବ୍ଦ ଭିତରେ ପୂରା ପ୍ରଶାସନର ଦାୟିତ୍ଵ ତାଙ୍କୁ ଦିଆଗଲା। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ ଭିତରେ ନିଜକୁ ସୀମିତ ନ ରଖି ପୁରା ପ୍ରଶାସନରେ ନିଜର ନେତୃତ୍ଵ ଜାହିର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେଇଥିବାର ସ୍ପଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅବସରପ୍ରାପ୍ତ ଉନ୍ନୟନ କମିଶନର ଆର. ବାଲକୃଷ୍ଣନ ମୁଖ୍ୟ ପରାମର୍ଶଦାତା ଭାବରେ ଯୋଗଦେବା ପରେ, ପାଣ୍ଡିଆନ ଏବେ ନିଜ ଭୂମିକାକୁ ଆଉ ଆଢୁଆଳରେ ରଖିବାକୁ ଚାହିଁ ନାହାନ୍ତି।

ଗତକାଲି ନବୀନ ସରକାରର ଜନ ସମ୍ପର୍କ ଯୋଜନା “ମୋ ସରକାର”ର ଉଦ୍ଘାଟନ ଅବସରରେ ଭାଷଣ ଦେଇ ପାଣ୍ଡିଆନ ଯେଉଁ ଭାଷାରେ ଓ ଯେତିକି ଆତ୍ମ ବିଶ୍ବାସର ସହିତ ନିଜର ବକ୍ତବ୍ୟ ରଖିଛନ୍ତି, ସେଥିରୁ ସେ ହିଁ ରାଜ୍ୟ ପ୍ରଶାସନର ଦ୍ଵିତୀୟ କ୍ଷମତା କେନ୍ଦ୍ର ବୋଲି ବାର୍ତ୍ତା ପ୍ରଶାସନକୁ ଦିଆ ଯାଇଛି। ପ୍ରଶାସକ ମହଲରେ ଓଡିଆ ବନାମ ଅଣ ଓଡିଆ ବିଭାଜନର ଯେଉଁ ମୃଦୁ ଗୁଞ୍ଜରଣ ରହିଥିଲା, ତାହାରି ଉପରେ ପଣ୍ଡିଆନଙ୍କ ଏ ନୂଆ ଅବତାର ପ୍ରଚଣ୍ଡ ପ୍ରହାର କରିଛି। ବିଜେଡି ସରକାରର କାମ କରିବା ଶୈଳୀ ଅନ୍ୟ ଚାରି ଥର ଭଳି ପାରମ୍ପରିକ ହେବନାହିଁ, ବରଂ ତଳୁ ଉପର ଯାଏ ପ୍ରଶାସନକୁ କଡାକଡି ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କ୍ରିୟାଶୀଳ କରିବାକୁ ଉଦ୍ୟମ ହେବ ବୋଲି ପାଣ୍ଡିଆନ ସ୍ପଷ୍ଟ କରି ଦେଇଛନ୍ତି।

ତେବେ ପ୍ରଶାସନ ଓ ବିଜେଡି ଭିତରେ ଏହାକୁ ନେଇ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି, ତାହା ସମୟ କ୍ରମେ ଜଣା ପଡିବ। ଆଜିର ତାରିଖରେ ବିଜେଡ଼ିର ପୂରା କ୍ୟାଡର ପାଣ୍ଡିଆନଙ୍କ ପ୍ରଭାବକୁ ସ୍ଵୀକାର କରୁଛନ୍ତି। ବିଜେଡ଼ିର ନିର୍ବାଚନୀ ସଫଳତା ପଛରେ ପାଣ୍ଡିଆନଙ୍କ ସୁଚିନ୍ତିତ ରଣ କୌଶଳକୁ ସବୁ ନେତା ମାନୁଛନ୍ତି। ତେଣୁ ବିଜେଡି ଭିତରୁ ଏହାକୁ ନେଇ କେହି ପ୍ରଶ୍ନ ଉଠାଇବାର ସମ୍ଭାବନା ନାହିଁ। କେବଳ ପ୍ରଶାସନିକ ସ୍ତରରେ କାନକୁହା ବିରୋଧ କିଛି କିଛି ରହିବ।

ତେବେ ଏହି ସମଗ୍ର ଘଟଣାକ୍ରମ ଉପରେ ଆମର ପ୍ରଶ୍ନ ହେଉଛି, ଭି. କାର୍ତ୍ତିକେୟ ପାଣ୍ଡିଆନ ଆଗାମୀ ଦିନରେ ରାଜ୍ୟ ରାଜନୀତିର ମଙ୍ଗ ଧରିବାକୁ ଭିନ୍ନ ଭୂମିକା ପାଇଁ ପ୍ରସ୍ତୁତ ହେଉଛନ୍ତି କି ?

Categories
ବିଶେଷ ଖବର ମତାମତ

ଓଡିଶାକୁ ଏବେ ଛପର ଫାଡି ଅଜାଡି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜ୍ଞା ତାହାର କାରଣ କଣ ଟିକିଏ କହିବେ କି ?

ପଞ୍ଚାନନ ଦଳାଇ

ଭାଇ ନମସ୍କାର। କେମିତି ଅଛନ୍ତି, ଆପଣମାନେ ପେପରରେ ଗୋଟିଏ ବଢିଆ ଖବରଟିଏ ଦେଇଥିଲେ। ହେଲେ ସେଇଟା ପ୍ରଥମ ପୃଷ୍ଠାରେ ବଡବଡ ଅକ୍ଷରରେ ଛାପିବାର ଥିଲା। ଏମିତି ବଡ ପାଟିରେ କହି କହି ଆମ ପାଖକୁ ଆସିଲେ ବିଜେପିର ଜଣେ ନେତା। ଅବଶ୍ୟ ସେ ବିଜେପିରେ ଅଛନ୍ତି, ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ବିଜେପି ସହିତ ଖାପ ଖୁଆଇ ଚଳିପାରୁ ନାହିଁନ୍ତି। ସେଥିପାଇଁ ସେ ବିଜେପିର ଜଣେ ସକ୍ରିୟ ନେତା ନୁହଁନ୍ତି ବୋଲି କହିବାକୁ ପଡିବ। ତାଙ୍କ କଥା ସରିବା ପରେ ଆମେ ପଚାରିଲୁ ଭାଇ କେଉଁ ଖବର କଥା କହୁଛନ୍ତି କି? ଏଇ ଅଳ୍ପଦିନ ତଳେ ଯେଉଁ ବାହାରିଥିଲା, କାମ୍ପା ଟଙ୍କା, ସେହି ଖବର କଥା କହୁଛି। କେନ୍ଦ୍ର ସରକାର ଓଡିଶାକୁ ଦେଲେ ଏକାଥରକେ ୫ ହଜାର ୯ଶହ ୩୪କୋଟି ଟଙ୍କା। ଭାଇ ସତ କହିଲ ଏତେ ଟଙ୍କା ଏହି ଫଣ୍ଡରୁ ଓଡିଶାକୁ କେବେ ମିଳିଥିଲା ?୨୭ଟି ରାଜ୍ୟକୁ ୪୭ହଜାର କୋଟି ଟଙ୍କା ଦିଆଯାଇଛି। ହେଲେ ସବୁଠୁ ଅଧିକା ଟଙ୍କା ପାଇଛି ଓଡିଶା। ଭାଇ ଆପଣ ତ ସାମ୍ବାଦିକ ଲୋକ, ଟିକିଏ କହିଲେ, ମୋଦି ଏତେ ଟଙ୍କା ଓଡିଶାକୁ କାହିଁକି ଦେଲେ। ପ୍ରଶ୍ନଟିଏ ଆମ ଉପରକୁ ଫୋପାଡି ଦେଇ ଅନେଇ ରହିଲେ। ଆମେ ମଧ୍ୟ ହଠାତ୍ କଥାଟିକୁ ଠଉରେଇ ପାରିଲୁ ନାହିଁ। କହିଲୁ ସେମାନେ ଓଡିଶାରୁ ଏହି ଟଙ୍କା ନେଇଥିଲେ, ଓଡିଶାକୁ ଦେଲେ। ଏଥିରେ ପ୍ରଶ୍ନ କରିବାର କଣ ଅଛି।

ଚା ଦୋକାନ ପାଖରେ ଥିବା କାଠ ବେଞ୍ଚରେ ବସି ପଡି ମୁଣ୍ଡ ହଲାଇ କହିଲେ, ନା ନା ସେ କଥା ନୁହେଁ ସାମ୍ବାଦିକ ଭାଇ। ଏ ଟଙ୍କା ସେମାନେ କଣ ଏବେ ନେଲେ କି, ବର୍ଷବର୍ଷ ଧରି ଖଣି କଂପାନୀମାନେ ଏ ଟଙ୍କା ସରକାରଙ୍କୁ ଦେଉଛନ୍ତି। କାହିଁ ଆଗରୁ ତ କେବେ ଏତେ ଟଙ୍କା ଆସୁ ନ ଥିଲା। ସମୁଦ୍ରରୁ ଟୋପାଏ ଟୋପାଏ ଜଳ ଦେବା ଭଳିଆ ଟଙ୍କା ମିଳୁଥିଲା। ହଠାତ୍ ଏତେ ଟଙ୍କା ଦେବା, ସେ ପୁଣି ଓଡିଶା ରାଜ୍ୟ…କୁ ! କିଛି ବୁଝି ହେଉ ନାହିଁ ଭାଇ। ଆପଣ ଠିକ୍ ଜାଣିଛନ୍ତି, କିଛି କହୁ ନାହାଁନ୍ତି। ଏ କଥା ଶୁଣିବା ପରେ ଆମେ କହିଲୁ, ଆପଣଙ୍କୁ ଲୁଚାଇବାରେ କଣ ଅଛି। ଆମେ ପଚାରିଲୁ, ଭାଇ ଆପଣ କୁହନ୍ତୁ ଏତେ ଟଙ୍କା ନରେନ୍ଦ୍ର ମୋଦୀ ନବୀନବାବୁଙ୍କୁ କାହିଁକି ଦେଲେ। କଥା ନ ସରୁଣୁ ସେ ହସି ଉଠିଲେ। ଚଟକରି କହିଲେ ହାଁ..ଏବେ ଠିକ୍ କଥା ଧରିଲ ଭାଇ। ଆମେ ବି ବୁଝିପାରିଲୁ ନାହିଁ, କେଉଁଟା ଠିକ୍ କଥା।

ମୁରୁକା ମୁରୁକା ହସି ସେ ବନ୍ଧୁ ଟିକିଏ ପାଖକୁ ଲାଗି ଆସିଲେ। ଚୁପଚୁପ କରି କହିଲେ, ପ୍ରକୃତରେ ଭାରତ ସରକାର ଓଡିଶା ସରକାରଙ୍କୁ ଏତେ ଟଙ୍କା ଦେଇ ନାହାଁନ୍ତି। ଆମେ ଆଁ କରି ତାଙ୍କ ମୁହଁକୁ ଅନାଇଲୁ। ଏ ଟଙ୍କା ନବୀନବାବୁଙ୍କୁ ମୋଦି ଜି ଦେଇଛନ୍ତି। ଟିକିଏ ଦବା ଗଳାରେ ସେ କହିଲେ। ଆମେ କହିଲୁ ଭାଇ ସବୁ ଏକା କଥା, କେନ୍ଦ୍ର ସରକାର ରାଜ୍ୟକୁ ଦିଅନ୍ତୁ କିମ୍ବା ମୋଦି ନବୀନଙ୍କୁ ଦିଅନ୍ତୁ, ଏସବୁ ଗୋଟିଏ କଥା। ଆମ ଉତ୍ତର ଶୁଣି ସେ ଚା ପିଇସାରି ପୁଣି ଟିକିଏ ହସିଲେ। କହିଲେ ଭାଇ ଆପଣ ସବୁକଥା ଜାଣିଛନ୍ତି। ମୁଁ ଭାବୁଛି ମୋଦିସାହା ଭୟରେ ଆପଣ କିଛି କହୁ ନାହାଁନ୍ତି। ଚା ଟା ପାଟିରେ ପଶୁଥିଲା ,ହଠାତ କଥା ଶୁଣି ତଣ୍ଟିରେ ଚା ଲାଗିଗଲା। ତା ସହିତ ଜୋରରେ ହସ ମଧ୍ୟ ଲାଗିଲା। ଚା ଗ୍ଲାସଟି କାଠ ଉପରେ ଥୋଇ ତାଙ୍କୁ କହିଲୁ ଭାଇ ଆମେ ତ ଓଡିଶା ସାମ୍ବାଦିକ, ମୋଦିସାହା କିଏ ଆମେ କିଏ। ସେ ଆମକୁ କାହିଁକି ପଚାରିବେ ଆମେ ବା ତାଙ୍କୁ କାହିଁକି ଡରିବୁ। ଛାଡ, ମୁଖ୍ୟ କଥାଟି କଣ କହୁନ।

ପୁଣି ଟିକିଏ ପାଖକୁ ଘୁଞ୍ଚି ଆସି ସେ କହିଲେ, ଦେଖ ଭାଇ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ନବୀନ ପଟ୍ଟନାୟକ ସମର୍ଥନ କରି ତାଙ୍କୁ ସାହାର୍ଯ୍ୟ କଲେ। ହିଁ ନା ନାହିଁ ? ଆମେ କହିଲୁ ହଁ । ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବାରେ ନବୀନବାବୁଙ୍କର କିଛି କ୍ଷତି ହୋଇଛି କି ? ଆମେ କହିଲୁ ନାଁ, ବିଜେଡିର ସେମିତି କିଛି କ୍ଷତି ହୋଇ ନାହିଁ। ବରଂ ବିଜେପିର ଲାଭ ହୋଇଛି। ଓ..କେ । ଆଚ୍ଛା, ନବୀନବାବୁ ଯେତେବେଳେ ବିଜେପି ପ୍ରାର୍ଥୀକୁ ସର୍ମଥନ ଦେଲେ, ଆପଣମାନେ ତାଙ୍କୁ ବହୁ ସମାଲୋଚନା କଲେ। ହଁ ନା ନାହିଁ। ଆମେ କହିଲୁ ହଁ । ନବୀନବାବୁଙ୍କ ପାଖରେ ସଂଖ୍ୟା ଥାଇ ମଧ୍ୟ ସେ କାହିଁକି ସମର୍ଥନ କଲେ ଆପଣମାନେ ପ୍ରଶ୍ନ କଲେ କି ନାହିଁ। ଆମେ ହଁ କଲୁ। ମୋଦିସାହାଙ୍କୁ ଡରି ନବୀନବାବୁ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ବୋଲି ଆପଣମାନେ ସମାଲୋଚନା କଲେ। ହିଁ ନା ନାହିଁ। ଆମେ ହଁ କହିଲୁ।

ଏତେ ପ୍ରଶ୍ନ ଆମକୁ ପଚାରିବା ଭିତରେ ଆମେ ଠିକରେ ଜାଣିପାରୁଲୁ ଯେ, ସେ କଣ କହୁଛନ୍ତି। ତଥାପି ନ ବୁଝିଲା ପରି ତାଙ୍କୁ ପଚାରିଲୁ ଭାଇ କିଛି ବୁଝି ହେଲା ନାହିଁ। ଆପଣ ଯାହା କହିବା କଥା ସିଧା କହୁ ନାହାଁନ୍ତି। ସେ ଟିକିଏ ମୁରୁକି ହସିଲେ। କହିଲେ ଭାଇ କାମ୍ପା ପଇସା ଆସିବା ପୂର୍ବରୁ ଓଡିଶାକୁ କେନ୍ଦ୍ର ସରକାର ଫନୀ ସହାୟତା ଦେଇଥିଲେ। ଟିକିଏ ଚଢା ଗଳାରେ କହିଲେ, କେତେ ଟଙ୍କା ଦେଇଥିଲେ? ଆମେ କହିଲୁ ସେହି 3 ହଜାର 3ଶହ 38 କୋଟି ଟଙ୍କା ବୋଧହୁଏ। ତା ପୂର୍ବରୁ ମୋଦି ୫ଶହ କୋଟି ଦେଇଥିଲେ। ହଁ ନା ନାହିଁ। ଆମେ ହଁ କଲୁ। ସେ କହିଲେ କାମ୍ପା ଓ ଫନୀ ସହାୟତା, ଏ ସବୁ ମିଶାଇଦେଲେ କେତେ ହେବ ? ଏତକ କହି ସେ ଚା ଦୋକାନୀକୁ ବଡ ପାଟିରେ କହିଲେ, ହଇରେ ବିରଞ୍ଚି ଭାଇ ତମ କାଲକୁଲେଟରଟା ଦେଲ। ଚଟାପଟ ସେ ସବୁ ଟଙ୍କା ମିଶାଇ ଦେଲେ। ଆମେ ତାଙ୍କୁ କହିଲୁ ଭାଇ ତା ପୂର୍ବରୁ ଆହୁରି ଟଙ୍କା ଆସିଛି ତାର ହିସାବ କରୁ ନାହାଁନ୍ତି। ସେ ସାଙ୍ଗେ ସାଙ୍ଗେ କହିଲେ ନା..ନା..। ସେଗୁଡିକ ଛାଡ, ବର୍ତ୍ତମାନ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସାହାଯ୍ୟ କରିବା ପରେ କେତେ ଟଙ୍କା ମିଳିଛି, ତାହାର ହିସାବ କରିବା।

ଆମର ଆଗୋଚରରେ ଆଗରୁ ଆଉ କେତେ ଜଣ ଆମ ଆଲୋଚନାରେ ସାମିଲ ହୋଇ ସାରିଥିଲେ। ତାଙ୍କ କଥା ଶୁଣି ସେମାନେ ଏକା ସାଙ୍ଗରେ ହସି ଉଠିଲେ। ତାଙ୍କ ହସିବା ଦେଖି ଆମର ବନ୍ଧୁ ରାଗରେ କହିଲେ ହେ..ଚୁପ ରୁହ। କିଛି ସମୟ ମଧ୍ୟରେ ସେ ଚଟାପଟ ହିସାବ କରି କହିଲେ ୯ହଜାର ୨ଶହ ୭୨କୋଟି ଟଙ୍କା ହେଲା। ହେଲା ତ ହେଲା କଣ ହେଲା, ଆମେ ପଚାରିଲୁ। ସେ ପୁଣି ହସିଲେ। କହିଲେ ଭାଇ, ଖେଳ, ବଡ ଖେଳ। ତୁଚ୍ଛାକୁ ନବୀନବାବୁ ପାଞ୍ଚଥର ଜିତିକି ଆସିଛନ୍ତି। ଦଳରୁ ଗୋଟିଏ ରାଜ୍ୟସଭା ଆସନ ମୋଦିଙ୍କ ପାଖକୁ ଫୋପାଡି ଦେଲେ, ଆଉ ତା ବଦଳରେ..ହାଁ ହାଁ, ମୋଦି ଛପର ଫାଡିକି ଅଜିଡି ଦେଲେ। ଓଡିଶାର ଚାରିକୋଟି ଲୋକଙ୍କ ଦାୟ ନା ଅଶ୍ବିନୀ ବୈଷ୍ଣବ ଦାୟ। ଭାଇ ମୁଁ କଣ ଭୁଲ କହିଲି କି। ସେ ଯିବାକୁ ଉଦ୍ୟତ ହେବାର ଦେଖି ଆମେ ପଚାରିଲୁ ଭାଇ ଏହାପରେ ଦୁଇଦଳ ଭିତରେ କଣ ହେବ ଟିକିଏ କହୁନ। ସେ ହସି ହସି କହିଲେ ଭାଇ ନମସ୍କାର ନମସ୍କାର ପରେ କଥା ହେବା।

 

Categories
ବିଶେଷ ଖବର

କାହିଁକି କମ ବ୍ୟବଧାନରେ ସାବିତ୍ରୀ ଅଗ୍ରୱାଲା ଜିତିଲେ, ପାଟକୁରା ମଙ୍ଗୁଆଳଙ୍କଠାରୁ କଇଫତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ମାତ୍ର 18 ହଜାର ଭୋଟରେ ଜିତିଛନ୍ତି। ହେଲେ ଏହାକୁ ନେଇ ବିଜେଡି ସୁପ୍ରିମୋ ଖପ୍ପା। ଏହାର କାରଣ ଜାଣିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଦାୟିତ୍ବାରେ ଥିବା ନେତାଙ୍କୁ ଡାକି ଜବାବ ମାଗିଛନ୍ତି। ନବୀନଙ୍କ ଆଶା ଥିଲା ଯେ ସାବିତ୍ରୀ ଅଗ୍ରୱାଲା ଅନ୍ତତଃ ପକ୍ଷେ 40ରୁ 50 ହଜାର ଭୋଟ ବ୍ୟବଧାନରେ ଜିତିବେ। ହେଲେ ମାତ୍ର 18 ହଜାର ଭୋଟରେ ଜିତିବା ନେଇ ନବୀନ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି। କାରଣ ହେଲା, ପାଟକୁରାରେ ବିଜେଡି ପ୍ରାର୍ଥୀ ଜିତିବା ପାଇଁ ଯେପରି ପରିଶ୍ରମ କରାଯାଇଥିଲା, ତାହାର ଏହା ଫଳ ନୁହେଁ। ନିର୍ବାଚନ ପ୍ରଚାରରେ ବିଜେଡିର ତୁଙ୍ଗ ନେତାମାନେ ସେଠାରେ ଡେରା ପକାଇଲେ। ଏପରିକି ଡଜନେ ମନ୍ତ୍ରୀ ମଧ୍ୟ ଯାଇ ସେଠାରେ ରହିଲେ। ଏଥିସହିତ ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗାଁଗାଁ ବୁଲି ପ୍ରଚାର କଲେ। ଏହା ସତ୍ବେ ଏତେ କମ ବ୍ୟବଧାନରେ ସାବିତ୍ରୀ ଜିତିବା ଠିକ ହୋଇ ନାହିଁ ବୋଲି ନବୀନ ସିଧା ସିଧା ନେତାଙ୍କୁ ଶୁଣାଦେଲେ।

ଏହି ବୈଠକରେ ପ୍ରତାପ ଦେଓ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ , ରଣେନ୍ଦ୍ର ପ୍ରତାସ ସ୍ବାଇଁ, ପ୍ରଫୁଲ ମଲ୍ଲିକ, ଏବଂ ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କଣ ପାଇଁ ସାବିତ୍ରୀ ଅଧିକ ଭୋଟ ପାଇଲେ ନାହିଁ ସେ ନେଇ ସମସ୍ତଙ୍କୁ ପ୍ରଶ୍ନ ପଚାରିଲେ ନବୀନ। ସାଧାରଣ ନିର୍ବାଚନରେ ସେହି ସଂସଦୀୟ କ୍ଷେତ୍ରରୁ ବୈଜୟନ୍ତ ପଣ୍ଡା ପ୍ରାୟ ଦେଢ ଲକ୍ଷ ଭୋଟରେ ହାରିଥିଲେ। ସେହିପରି ବିଜୟ ମହାପାତ୍ର ମଧ୍ୟ ହାରିବା କଥା । ହେଲେ ବିଜେଡି ପ୍ରାର୍ଥୀ ଏପରି ବ୍ୟବଧାନରେ ଜିତିବା ଠିକ ନୁହେଁ ବୋଲି ନବୀନ ଖପ୍ପା ହୋଇଥିଲେ। ପ୍ରତି ପଞ୍ଚାୟତର କେତେ ଭୋଟ ମିଳିଛି ତାହାର ହିସାବ ଦେବା ପାଇଁ ନେତାଙ୍କୁ କହିଥିଲେ। ନବୀନଙ୍କ ଏପରି ମୁଡ ଦେଖି ପାଟକୁରା ମଙ୍ଗୁଆଳମାନେ ହଡବଡେଇ ଯାଇଥିଲେ।

ନେତାଙ୍କ ସଫେଇ ହେଲା ଯେ ପାଟକୁରର ଡେରାବିଶ,ଗରଦପୁର ଓ ମାର୍ଶାଘାଇ ବ୍ଲକ ମଧ୍ୟରୁ କେବଳ ଡେରବିଶରେ ଭୋଟ ଯେପରି ମିଳିବା କଥା ତାହା ମିଳିପାରିଲା ନାହିଁ। ଏହି ବ୍ଲକରୁ ସାବିତ୍ରୀଙ୍କୁ ମାତ୍ର 13 ହଜାର 5ଶହ ଭୋଟ ଅଧିକ ମିଳିଛି। ଏହି ଅଞ୍ଚଳରେ ଗୁଳିକାଣ୍ଡ ଯୋଗୁଁ ଭୋଟ ହାର ଏପରି କମିଲା ବୋଲି ନେତାମାନେ ସଫେଇ ଦେଲେ। ହେଲେ ଅନ୍ୟ ଦୁଇଟି ବ୍ଲକରେ ଯେପରି ଭୋଟ ମିଳିବା କଥା ତାହା ମିଳିଛି। ଏହି ଉତ୍ତରରେ କୁଆଡେ ନବୀନ ଖୁସି ହେଲେ ନାହିଁ। ସମସ୍ତଙ୍କୁ ତାଗିତ କରି କହିଲେ ଯେ, ବର୍ତ୍ତମାନ ସମସ୍ତେ ସଜାଗ ରୁହ ଏବଂ ଲୋକଙ୍କ ପାଇଁ କାମ କର। ତେବେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେହି ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ପାଇଁ ନେତାମାନଙ୍କୁ ନବୀନ କହିଥିଲେ।

Categories
ବିଶେଷ ଖବର ମତାମତ

ଦୁର୍ନୀତି ନିବାରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଆଜି ମଧ୍ୟ ଆଖିଦୃଶିଆ ନୁହେଁ, ନବୀନ ସରକାର ଏ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ପଦକ୍ଷେପ ନେବା ଜରୁରୀ

କେଦାର ମିଶ୍ର 

ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ ଏକ ନୈତିକ ଦାୟିତ୍ଵ ନୁହେଁ, ଏହା ଏକ ଅର୍ଥନୈତିକ ଆବଶ୍ୟକତାଯ”। ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ। ତେବେ ସରକାରୀ ସ୍ତରରେ ଏହାକୁ ଲାଗୁ କରିବ କିଏ? ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଦୁଇଟି ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ମାତ୍ର ୪୩ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ଉପରିସ୍ଥ ଅଦାଲତରେ କେତେଜଣଙ୍କ ଦଣ୍ଡ କାୟମ ରହିଛି, ତାହାର ତଥ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ସରକାରୀ ତଥ୍ୟ ଏ ସଙ୍କ୍ରାନ୍ତରେ ଯାହା ମିଳୁଛି, ତାହା ଅତ୍ୟନ୍ତ ନିରାଶାଜନକ।

୨୦୧୮ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୪୨୯ ଟି ଅପରାଧିକ ମାମଲା ରୁଜୁ କରିଥିଲେ। ମାମଲା ହୋଇଥିବା ଅଧିକାରୀଙ୍କ ଭିତରେ ରହିଛନ୍ତି ୫୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୪୪ ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ, ୩୯୮ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୬୫ ଜଣ ବେସରକାରୀ ବ୍ୟକ୍ତି ବିଶେଷ। ଯେଉଁ ସବୁ ମାମଲା ଦାୟର ହୋଇଛି ସେଥିରୁ ଅଧିକାଂଶ ହେଉଛି ବେଆଇନ ଭାବରେ ସମ୍ପତ୍ତି ଜମା କରିଥିବା ସମ୍ପର୍କିତ। ୯୪.୨୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବିରୋଧରେ ଏହି ସବୁ ମାମଲା ହୋଇଛି। ୧୮୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଧାରା ପଗଡ କରିଛି।

ସେହିପରି ୪୨୨ ଜଣଙ୍କ ବିରୋଧରେ ଭିଜଲାନ୍ସ ବିଭାଗ ତଦନ୍ତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୩୮ ଜଣ ଦ୍ଵିତୀୟ ଶ୍ରେଣୀ, ୪୦୮ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୪ ଜଣ ବେସରକାରୀ ଲୋକ। ୪୨୨ ଟି ତଦନ୍ତ ମାମଲାରୁ ୩୭୮ ମାମଲାରେ ରେ ବିହିତ କାର୍ୟାନୁଷ୍ଠାନ ହୋଇଛି। ୧୦୮ ଟି ମାମଲାର ତଦନ୍ତ ସାରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବିଭାଗକୁ ସୁପାରିଶ କରାଯାଇଛି। ସେଥିରୁ ୧୮୭ ଟି ମାମଲାକୁ ଅପରାଧିକ ବୋଲି ଘୋଷଣା କରାଯାଇଛି। ୮୩ ଟି ମାମଲା ପ୍ରମାଣ ଅଭାବରୁ ବନ୍ଦ କରି ଦିଆଯାଇଛି।

ଦୁର୍ନୀତି ଅଭଯୋଗରେ ରାଜ୍ୟର ୨୪୧ ଜଣଙ୍କୁ(୨୬ ପ୍ରଥମଶ୍ରେଣୀ, ୧୯ ଦ୍ଵିତୀୟ ଶ୍ରେଣୀ,୧୭୬ ତୃତୀୟ ଶ୍ରେଣୀ,୯ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୫ ବେସରକାରୀ ଲୋକ)   ଗିରଫ କରାଯାଇଛି। ୩୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଦୁର୍ନୀତି ନିବାରଣ ଅଦାଲତ ଦ୍ଵାରା ୨୩୪ ମାମଲାର ବିଚାର କରି ୧୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ହାର ୫୧%, ହେଲେ ଅଭଯୋଗ ହାର ଯଥେଷ୍ଟ କମ।

ଉପରେ ଆମେ ଯେଉଁସବୁ ତଥ୍ୟ ଦେଖିଲେ, ସେଥିରୁ ଗୋଟେ କଥା ପ୍ରମାଣିତ ହେଉଛି ଯେ, ଉପରସ୍ତରର ଦୁର୍ନୀତି ବିରୋଧରେ କାର୍ୟାନୁଷ୍ଠାନ ସଂଖ୍ୟା ଆପାତତଃ କମ। ପ୍ରାୟତଃ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଅଧିକ ଚଢାଉ ହେଉଛି। ରାଜନୈତିକ ପ୍ରଶାସକମାନେ ଏ କ୍ଷେତ୍ରରେ ବର୍ତ୍ତି ଯାଉଛନ୍ତି। ଗତ କୋଡିଏ ବର୍ଷ ଭିତରେ ପ୍ରାୟ କୌଣସି ରାଜନୈତିକ ପ୍ରଶାସକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। କାହିଁ କେତେ ବର୍ଷ ତଳେ ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କୁ ଏକ ନିମ୍ନ ଅଦାଲତ ଦଣ୍ଡିତ କରିଥିଲେ। ତାପରଠୁ କୌଣସି ମନ୍ତ୍ରୀ ବା ବିଧାୟକ ଏ ପ୍ରକାର ମାମଲାର ସାମ୍ନା କରିନାହାନ୍ତି। ସେହିପରି ମାମଲାରେ ପଡିଥିବା ଆଇଏଏସ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମ। ଉପରସ୍ତରର ଦୁର୍ନୀତିକୁ ଛୁଇଁବା ଲାଗି ଦୁର୍ନୀତି ନିବାରଣ ବିଭାଗ ବୋଧହୁଏ ସାହସ କରୁନାହାନ୍ତି।

କିରାଣୀ ଓ ତଳ ସ୍ତରର କର୍ମଚାରୀଙ୍କୁ ଗିରଫ କରି ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ ନେଉଛୁ ବୋଲି କହିବା ହାସ୍ୟାସ୍ପଦ ହେବ। ଇତି ମଧ୍ୟରେ ରାଜ୍ୟରେ ଲୋକପାଳ ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଲୋକପାଳଙ୍କ ରିପୋର୍ଟ ମିଳୁ ମିଳୁ ଆଉ ବର୍ଷେ ସମୟ ଲାଗିବ।ତେଣୁ ଉପରସ୍ତରରର ଦୁର୍ନୀତି ବିରୋଧରେ ଲୋକପାଳ କି ପ୍ରକାର ଆଭିମୁଖ୍ୟ ରଖୁଛନ୍ତି, ତାହା ସମୟ କହିବ। ହେଲେ ସରକାରୀ ତଥ୍ୟ ଆଧାରରେ ଆମେ ଏତିକି କହିପାରିବା ଯେ ଦୁର୍ନୀତି ନିବାରଣ ପ୍ରସଙ୍ଗରେ କେବଳ ଚୂନା ମାଛ ଇ ଧାରା ପଡ଼ୁଛନ୍ତି। ବଡ ମାଛଙ୍କୁ ଧରିବା ଲାଗି ରାଜ୍ୟ ସରକାରଙ୍କ ଜାଲ ଏବେବି ଦକ୍ଷ ହୋଇନାହିଁ।

 

Categories
ବିଶେଷ ଖବର

ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟା ନ ପିନ୍ଧିଲେ ବିଜେଡି ବିଧାୟକଙ୍କ ଗାନ୍ଧୀଗିରି ସଫଳ ହୋଇଯିବ କି?

କେଦାର ମିଶ୍ର 

କିଛି ବର୍ଷ ତଳେ ଭୁବନେଶ୍ୱର ଚାରି ନମ୍ବର ସ୍ଥିତ ବିଧାୟକ କଲୋନୀରେ ବୁଲୁ ବୁଲୁ ଗୋଟେ ଲମ୍ବା କାର ଉପରେ ନଜର ପଡିଥିଲା। ଆଖି ଝଲସେଇ ଦେଲା ଭଳି ସେ କାରଟିକୁ ଦେଖି ତାର ଦାମ କେତେ ହୋଇଥିବ ବୋଲି ଆମେ ଗୁଗୁଲ ରେ ଖୋଜିଲୁ। ଗୁଗୁଲର ଉତ୍ତର ଆସିଲା ଏହି ମୋଡ଼େଲର ସର୍ବନିମ୍ନ ମୂଲ୍ୟ କୋଟିଏ ପଚିଶ ଲକ୍ଷ ଟଙ୍କା। ଓଡିଶାର କିଏ ସେ ବିଧାୟକ ଯେ କୋଟିଏ ପଚିଶ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି, ଏ କୌତୁହଳ ମନକୁ ଆସିବା ସ୍ଵାଭାବିକ। ତେବେ ଖବର ମିଳିଲା ଯେ ଗାଡିର ମାଲିକ ଜଣେ ପ୍ରାକ୍ତନ ରାଜା। ଦକ୍ଷିଣ ଓଡିଶାର ଏକ ରାଜା ପରିବାରରୁ ଆସି ବିଧାୟକ ହୋଇଥିବା ଏହି ବ୍ୟକ୍ତିଙ୍କର ରାଜକୀୟ ସଉକି ମରି ନଥିଲା। ଏମିତି ଆମର ବହୁ ବିଧାୟକ ଅଛନ୍ତି, ଯେଉଁମାନେ କି ଗୋଟେ ଗୋଟେ ଛୋଟମୋଟ ରାଜା ବା ରାଣୀ। ଅନେକ ତ ପୁରୁଣା ରାଜା ପରିବାରରୁ ଆସିଛନ୍ତି, ତେଣୁ ସେମାନଙ୍କ ଭିତରେ ସାମନ୍ତବାଦୀ ବିଳାସର ମୋହ ସ୍ଵାଭାବିକ ଭାବରେ ରହିଛି। ଆଉ କିଛି ବାରମ୍ବାର କ୍ଷମତା ପାଇବା ଫଳରେ ନିଜକୁ ରାଜା ବୋଲି ଭାବି ନେଇଛନ୍ତି। ଏହି ନେତାମାନେ ଅସଲରେ ଗଣତାନ୍ତ୍ରିକ ଶାସନରେ ଯେ ସାଧାରଣ ଲୋକଙ୍କର ପ୍ରତିନିଧି ଏକଥା ତାଙ୍କର ମନେ ନଥାଏ। ତେବେ ଏମିତି ରାଜକୀୟ ବିଧାୟକ କେବଳ ଶାସକ ଦଳରେ ଅଛନ୍ତି, ତା ନୁହେଁ। ଏମାନେ ସବୁ ଦଳରେ, ସବୁ ରାଜ୍ୟରେ ଓ ସବୁ କ୍ଷେତ୍ରରେ ଅଛନ୍ତି।

ଦୁଇ ଦିନ ତଳେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ତାଙ୍କର ବିଧାୟକମାନଙ୍କୁ ଡାକି ଏକ ବୈଠକରେ ରୋକଠୋକ ଶୁଣାଇଦେଲେ ଯେ ଲୋକ ପ୍ରତିନିଧିମାନେ ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟାର ମୋହ ଛାଡନ୍ତୁ। ଲୋକଙ୍କ ପାଖକୁ ଯାଆନ୍ତୁ ଓ ସରଳ ଜୀବନ ବଞ୍ଚନ୍ତୁ। କଥାଟି ନିହାତି ପ୍ରାସଙ୍ଗିକ। ଯେହେତୁ ନିଜେ ନବୀନ ପଟ୍ଟନାୟକ ଦାମୀ କାର ଓ ବ୍ରାଣ୍ଡେଡ ଲୁଗା ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କର ଆଚରଣରେ କେବେହେଲେ ସାମନ୍ତବାଦୀ ପ୍ରଭାବ ନଥାଏ, ତେଣୁ ତାଙ୍କ ଦଳର ନେତାମାନେ ସ୍ଵାଭାବିକ ଭାବରେ ସେହି ଆଦର୍ଶକୁ ଅନୁକରଣ କରିବା କଥା। ଏ କଥା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡିଲା କାହିଁକି? ୨୦ ବର୍ଷର ଶାସନ ପରେ ବିଜେଡି ନେତାଙ୍କ ଭିତରେ କ୍ଷମତାର ଅହଂକାର ଯେ ଆସିନାହିଁ, ସେକଥା କହିହେବା ନାହିଁ। ବିଜେଡି ର ଅନେକ ମନ୍ତ୍ରୀ ଓ ବିଧାୟକ ଅଛନ୍ତି ଯେଉଁମାନେ ନବୀନ ବାବୁଙ୍କ ଠିକ ଓଲଟା ଜୀବନ ପସନ୍ଦ କରନ୍ତି। କିଛି ପୂର୍ବତନ ନେତାଙ୍କ ପୁଅ ଓ ଝିଅ, ଯେଉଁମାନେ ନୂଆ ବିଧାୟକ ହୋଇଛନ୍ତି ସେମାନଙ୍କ ବେକ ଓ ହାତ ଗୋଟେ ଗୋଟେ ଟ୍ରେଜେରି ଭଳି ଲାଗେ। ଏମାନେ ଦାମୀ ବ୍ରାଣ୍ଡରୁ ତଳକୁ ଖସି ପାରିବେ ନାହିଁ। ନବୀନ ଏମାନଙ୍କୁ ପରୋକ୍ଷରେ ତାଗିଦ କରିନାହାନ୍ତି ତ!

କିଛି ବର୍ଷ ତଳେ ଦିଲ୍ଲୀର ଜଣେ ବିଶିଷ୍ଟ ସାମ୍ବାଦିକା ବିଜେଡ଼ିର ଜଣେ ଲୋକସଭା ସାଂସଦଙ୍କ ସାକ୍ଷାତ୍କାର ନେବାକୁ ଆସିଥିଲେ। ସାଂସଦ ଜଣେ ପୁରୁଣା ରାଜା ପରିବାରର ଲୋକ। ତାଙ୍କୁ ଦେଖି ସମ୍ବାଦିକଙ୍କର ପ୍ରଥମ ପ୍ରଶ୍ନ ଥିଲା- ଆରେ ବାଃ, ଆପକା ସବକୁଛ ବ୍ରାଣ୍ଡେଡ ହୈ। ପୋଷାକ, ଘଣ୍ଟା, ଜୋତା, ଚଷମା ଓ ମୋବାଇଲକୁ ମିଶେଇଦେଲେ ଜଣେ ଜଣେ ଲୋକ ୫୦ ଲକ୍ଷ ଟଙ୍କାର ଆଭୂଷଣ ପିନ୍ଧୁଛନ୍ତି। ଏହାକୁ ଆମେ ସାଧାରଣ ଜୀବନରେ ଗ୍ରହଣ ମଧ୍ୟ କରୁଛେ। ହେଲେ ଏଠି ମୂଳ ପ୍ରସଙ୍ଗ ଭିନ୍ନ। ମୁଖ୍ୟମନ୍ତ୍ରୀ ତାଗିଦ କଲାପରେ ହୁଏତ ବିଧାୟକମାନେ ଭୟରେ ସେସବୁ ପିନ୍ଧି ନ ପାରନ୍ତି। ଭୟରେ ବିଳାସ ଛାଡିବା ଓ ସ୍ଵାଭାବିକ ଭାବରେ ସରଳ ଜୀବନ ବଞ୍ଚିବା, ଦୁଇଟି ଭିନେ କଥା। ନବୀନ ବାବୁ ତାଙ୍କର ପାଞ୍ଚ ତାରକା ଜୀବନକୁ ଛାଡି ଦିଲ୍ଲୀରୁ ଆସିବା ପରେ କେବେହେଲେ ଆଉ ପଛକୁ ଲେଉଟି ଚାହିଁ ନାହାନ୍ତି। ଧଳା-ଢିଲା ପୋଷାକ ଓ ଶସ୍ତା ଚପଲ ତାଙ୍କ ଜୀବନର ଅଂଶ ହୋଇ ରହି ଯାଇଛି।

ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କ ଭିତରେ ଜୀବନ ଦର୍ଶନର ସାମ୍ୟ ଅବଶ୍ୟ ନାହିଁ। ସେଥିଲାଗି ବିଜେଡ଼ିର ବହୁ ନେତା ସୁଯୋଗ ପାଇଲେ ନବୀନଙ୍କୁ ବିରକ୍ତିମିଶା ଗାଳି କରିଥାନ୍ତି। (ହେଲେ ଖୋଲାଖୋଲି କିଛି କହିବାର ହାଡ କାହା ଜିଭରେ ନାହିଁ) ରାଜନୀତି  ବିଳାସ ନୁହେଁ ବରଂ ଲୋକସେବା, ଏକଥା ନବୀନ ବାବୁଙ୍କୁ ବୁଝାଇବାକୁ ପଡିଲା କାହିଁକି? ଦଳର ବିଧାୟକମାନେ ଲୋକସେବାର ଆଦର୍ଶରେ ନାହାନ୍ତି ବୋଲି ନବୀନଙ୍କ ପାଖରେ ଖବର ରହିଛି ନିଶ୍ଚୟ। ଏହାକୁ ଏକ ପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଇପାରେ। ୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେଡିର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଥିଲା ଯେ, ନବୀନଙ୍କ ଲୋକପ୍ରିୟତା ବଜାୟ ରହିଥିଲେ ମଧ୍ୟ ଅନେକ ସାଂସଦ ଓ ବିଧାୟକଙ୍କ ବିରୋଧରେ ପ୍ରବଳ ଜନମତ ରହିଛି। ସେତେବେଳେ ହିଁ ଏ କଥା ନିଷ୍ପତ୍ତି ହୋଇଥିଲା ଯେ, ନୂଆ ବିଧାୟକ ଓ ସାଂସଦଙ୍କ ଉପରେ ଦଳର ମୁଖିଆ ତୀକ୍ଷ୍ନ ନଜର ରଖିବେ। ତାରି ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଆସିଲା। ସରୋଜଙ୍କୁ ଦଳ ତରଫରୁ କୌଣସି ସମର୍ଥନ ମିଳିଲା ନାହିଁ। ସରୋଜଙ୍କ ମାଧ୍ୟମରେ ବାକି ବିଧାୟକମାନଙ୍କୁ ମଧ୍ୟ ବାର୍ତ୍ତା ଦିଆଗଲା ଯେ ବାହୁବଳି ଆଚରଣ ଦେଖାଇଲେ ନବୀନ ବାବୁ କାହାକୁ ଛାଡିବେ ନାହିଁ।

ପରିଶେଷରେ ନିଜେ ନବୀନ ବାବୁ ବିଧାୟକମାନଙ୍କୁ ଡାକି ନିଜର ମତ ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି। ଏବେ ବିଧାୟକମାନଙ୍କ ଜୀବନ ଧାରଣ ଓ ଆଚରଣ ପ୍ରସଙ୍ଗରେ ଲୋକେ ଅନ୍ତିମ ବିଚାରକ ହେବେ। ଦଳ ମୁଖିଆଙ୍କ ଉପଦେଶ/ତାଗିଦକୁ ଲୋକ ପ୍ରତିନିଧିମାନେ କେତେଦୂର ଅନୁପାଳନ କରୁଛନ୍ତି, ତାକୁ ଲୋକେ ଦେଖିବେ ଓ ଦେଖେଇଦେବେ!!

 

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର

ସମୀକ୍ଷା ବ୍ୟୁରୋ

ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର। ଉଭୟ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଖାଲିପଡିଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ତରଫରୁ ରାଜ୍ୟସଭା ପାଇଁ ଦୁଇଜଣଙ୍କୁ ପ୍ରାର୍ଥୀ ଦିଆଯାଇଥିଲା। ଆଉ ଏକ ଆସନରେ ବିଜେପି ଦେଇଥିବା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଏହି ତିନୋଟି ଆସନରେ ବିଜେଡିରୁ ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପାଇଁ ନିର୍ବାଚିତ ହୋଇଛନ୍ତି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଥିବା ବେଳେ ସସ୍ମିତ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ପ୍ରମାଣ ପତ୍ର ପାଇବା ପରେ ଉଭୟ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ରାଜ୍ୟସଭାରେ ସେମାନେ ସଦସ୍ୟ ଭାବେ ଶପଥ ନେବେ।

Categories
ଆଜିର ଖବର

ରାଜ୍ୟସଭା ଯିବା ନେଇ ଆଶାୟୀ ଚ୍ୟାଉ ପଟ୍ଟନାୟକ

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟକନାୟକ ରାଜ୍ୟସଭା ପାଇଁ ତିନି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ଏହି ଦୌଡରେ ଆଗୁଆ ରହିଥିବା ବିଜେଡିର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଆଶା ରଖିଥିବା ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ଲଗାତାର ୫ ଥର ବିଧାୟକ ରହିଥିବା ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ରେସ୍‌ରେ ପ୍ରମୁଖ ଦାବିଦାର ରହିଥିଲେ। ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବରେ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ମନୋନୀତ କରିବା ସହିତ ଚ୍ୟାଉ ପଟ୍ଟନାୟକଙ୍କ ଟିକଟ କାଟି ଦେଇଥିଲେ। ଏହାପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଚ୍ୟାଉ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ଯିବାର ପ୍ରତିୁଶ୍ରୁତି ଦେଇଥିଲେ ଏବଂ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ଏହା ସହିତ ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ସ୍ବାଗତ କରୁଛି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ୬ ମାସ ମଧ୍ୟରେ ଆଉ ୪ ଆସନ ଖାଲି ହେଉଥିବାରୁ ସୁଯୋଗ ମିଳିବା ନେଇ ଆଶାବାଦୀ ଅଛନ୍ତି ଚ୍ୟାଉ ପଟ୍ଟନାୟକ।

Categories
ବିଶେଷ ଖବର

ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଭବିଷ୍ୟତ ଲାଗି ଏକ ମାରାତ୍ମକ ଭୁଲ

କେଦାର ମିଶ୍ର

ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରାମକ ଭାଷାର ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବିଜେପି ବିରୋଧରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତେବେ ନିର୍ବାଚନ ପରେ ପରେ, ନବୀନ ବାବୁଙ୍କ ପ୍ରତି ବିଜେପିର ପ୍ରେମ ଉଛୁଳିବା ଆରମ୍ଭ କରିଥିଲା ଓ ଏହାର ପ୍ରତି ଜବାବରେ ନବୀନ ବାବୁ ବିଜେପି ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାହିର କରୁଛନ୍ତି।

ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଦେବାବେଳେ ଏକଥା ଭଲ ଭାବରେ ଜାଣେ ଯେ, ଆଗାମୀ ଦିନରେ ବିଜେପି ଓଡିଶାରେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। କେବଳ ସାମୟିକ ଭାବରେ ଏ ପ୍ରେମ ଦିଆନିଆ ଚାଲିବ ଓ ଆବଶ୍ୟକତା ଅନୁଯାୟୀ ଉଭୟ ଦଳ ପରଷ୍ପରକୁ ସହଯୋଗ କରିବେ। ତେବେ ବିଜେପିର ଦୀର୍ଘସ୍ଥାୟୀ ଯୋଜନା ହେବ, ବିଜେଡ଼ିର ବିନାଶ। ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ବିଜେଡ଼ିକୁ  ଦୁର୍ବଳ କରିବା ବିଜେପିର ପ୍ରାଥମିକ ଲକ୍ଷ୍ୟ। ବିଜେପି ସେ ଲକ୍ଷ୍ୟରୁ ଅଲଗା ହେବନାହିଁ। ସେହି ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଦେଶ- ଏକ ନିର୍ବାଚନ” ପ୍ରତି ବିଜେଡ଼ିର ସମର୍ଥନ କୁ ଆଲୋଚନା କରିବାକୁ ପଡିବ।

ଏକ ଦେଶ- ଏକ ନିର୍ବାଚନ ଆମ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ଏହାକୁ ସମର୍ଥନ କଲାବେଳେ ବିଜେଡି ନିଜର ସଙ୍ଘୀୟ ଦାୟିତ୍ଵ ପ୍ରତି ସଚେତନ ଥିବା ପରି ଲାଗୁନାହିଁ। ଯେହେତୁ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଛି, ସେଥିଲାଗି ଏ ବ୍ୟବସ୍ଥା ପ୍ରତି ଆମର ସ୍ଵାଭାବିକ ସମର୍ଥନ ରହିଛି ବୋଲି ବିଜେଡି କହୁଛି। ହେଲେ ସଙ୍ଘୀୟ ବ୍ୟବସ୍ଥାରେ ବିଧାନସଭା ଭାଙ୍ଗିବାର ଅଧିକାର କେବଳ ବିଧାନସଭାର ରହିଛି। ପାଞ୍ଚ ବର୍ଷ ପୂରିବା ଆଗରୁ କୌଣସି ବିଧାନସଭାକୁ ଭାଙ୍ଗିବା ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ବନାମ ଭାରତ ସରକାର ରାୟ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ପାଞ୍ଚ ବର୍ଷ ପୂର୍ବରୁ ଯଦି ସରକାର ଭାଙ୍ଗିଯାଏ ତାହେଲେ, ବାକି ଥିବା ସମୟ ଲାଗି ନିର୍ବାଚନ ମଧ୍ୟ ଏକ ପିଲାଳିଆ ବ୍ୟବସ୍ଥା।

ବିଜେଡି ମୁଖ୍ୟତଃ ଏକ ଆଞ୍ଚଳିକ ଦଳ ଓ ସଙ୍ଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ଏହାର ଗୁରୁ ଦାୟିତ୍ଵ ରହିଛି। ସେହି ଦାୟିତ୍ଵ ପ୍ରତି ଆଖି ବୁଜି ଦେଇ ଏକ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଏହି ଦଳର ମୌଳିକ ଆଦର୍ଶ ବିରୋଧରେ ଯାଉଛି। ନିର୍ବାଚନ ସମୟରେ ଅର୍ଥନୈତିକ ସ୍ଵାୟତ୍ତତାର ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର କେନ୍ଦ୍ରୀୟ ବର୍ଚ୍ଚସ୍ଵବାଦକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ହେଲେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର  ଆବଶ୍ୟକତା ରହିଛି। ସବୁ ରାଜନୈତିକ ଦଳ ଓ ସବୁ ବିଧାନସଭାର ସହମତି ଏଥିଲାଗି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ପ୍ରମୁଖ ଜାତୀୟ ଦଳ ଗୁଡିକ ବିରୋଧ କରୁଥିବାବେଳେ କେବଳ ବିଜେଡି ଉପରେ ପଡି ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି।

ଆଞ୍ଚଳିକ ଅସ୍ମିତା ଓ ଆଞ୍ଚଳିକ ଦଳମାନଙ୍କ ବିରୋଧରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଯେ ଏକ ସୁଚିନ୍ତିତ ଷଡଯନ୍ତ୍ର, ଏକଥା ବିଜେଡି ବୁଝୁନାହିଁ ନା ବୁଝି ମଧ୍ୟ ଅବୁଝା ହେବାର ନାଟକ କରୁଛି, ତାହା ସମୟକ୍ରମେ ସ୍ପଷ୍ଟ ହେବ। ଏହି ପ୍ରସଙ୍ଗରେ ବିଜେଡି ଯଦି ବିଜେପିର ଗୋଡାଣିଆଁ ହେବାର ପ୍ରବୃତ୍ତି ନ ଛାଡେ, ତାହେଲେ ଭବିଷ୍ୟତରେ ଏହା ବିଜେଡି ଭିତରେ ଅସ୍ତିତ୍ଵ ସଙ୍କଟ ସୃଷ୍ଟି କରିବ। ବିରୋଧ କରି ବିଜେଡ଼ିକୁ ଧ୍ଵଂସ କରିବାରେ ବିଜେପି ସମର୍ଥ ହୋଇନାହିଁ, ହେଲେ ସମର୍ଥନ ଦେବା ଆଳରେ ହେଉ ବା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା ନାଁରେ ବିଜେଡ଼ିକୁ ଖତମ କରିବାର ରଣନୀତି ବିଜେପିର ପ୍ରଚ୍ଛନ୍ନ ଭାବରେ ରହିଛି।

Categories
ଆଜିର ଖବର

ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଟକୁରା ସହିତ ବିଜେପୁରରେ ହେବ ଉପନିର୍ବାଚନ

ସମୀକ୍ଷା ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର ବିଧାୟକ ଭାବେ ଶପଥ ନେଇ, ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପୁରରୁ ନବୀନ ଇସ୍ତଫା ଦେବା ପରେ ଓଡିଶାରେ ଦୁଇଟି ବିଧାନସଭା ଆସନ ଖାଲି ପଡିଲା। ଗୋଟିଏ ପାଟକୁରା ଏବଂ ବର୍ତ୍ତମାନ ବିଜେପୁର। ବର୍ତ୍ତମାନ ସୁଦ୍ଧା ପାଟକୁରା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଏକାଥରେ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ବିଶେଷ ଖବର

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍, ଓଡିଶାର ରାଜନୈତିକ ଇତିହାସରେ ଏକ ଛାୟାପୁରୁଷ ନା ତାଙ୍କୁ ନେଇ ରାଜନୀତିରେ ଅଧିକ କିଛି ସମ୍ଭାବନା ରହିଛି?

ସମୀକ୍ଷା ବ୍ୟୁରୋ

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ, ଏ ନାଁଟି ସହିତ ଓଡିଶାର ରାଜନୀତି ବେଶ ପରିଚିତ। ଗତ ପାଞ୍ଚ ବର୍ଷ ଭିତରେ ଏହି ବରିଷ୍ଠ ଆଇଏଏସ ଅଧିକାରୀ ଜଣକ ସର୍ବ ସାଧାରଣରେ ପଦେ ବି କଥା କହିନାହାନ୍ତି। ଅଥଚ ତାଙ୍କୁ ନେଇ ଓଡିଶାର ରାଜନୀତି ଗତ ପାଞ୍ଚ ବର୍ଷ ଧରି ଗତିଶୀଳ ରହିଛି। ତାଙ୍କୁ କେତେବେଳେ ଓଡିଶାର ବାସ୍ତବ କ୍ଷମତା କେନ୍ଦ୍ର ବୋଲି କୁହାଯାଉଛି, ତ ପୁଣି କେବେ ତାଙ୍କରି ନିର୍ଦ୍ଦେଶରେ ଓଡିଶାର ଶାସକ ଦଳ ପରିଚାଳିତ ବୋଲି ଅଭିଯୋଗ ଆସୁଛି। ବିରୋଧୀ ଦଳର ରାଜନୈତିକ ଆକ୍ରମଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁଳନାରେ ତାଙ୍କର ପ୍ରମୁଖ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ହିଁ ରହି ଆସିଛନ୍ତି। କିଛି ବିରୋଧୀ ତ ସିଧା ସିଧା ପାଣ୍ଡିଆନଙ୍କୁ ନିଜର ରାଜନୈତିକ ପ୍ରତିପକ୍ଷ ବୋଲି ଭାବି ନେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ହିଁ ଥିଲେ ବିରୋଧୀ ଦଳର ପ୍ରମୁଖ ଲକ୍ଷ୍ୟ ଓ ତାହା ହିଁ ନବୀନ ପଟ୍ଟନାୟକଙ୍କ ଲାଗି ଥିଲା ସବୁଠୁ ବଡ ଆଶୀର୍ବାଦ। ନବୀନଙ୍କ ଆଗରେ ପାଣ୍ଡିଆନ ଏକ ସୁରକ୍ଷା ଢାଲ ଭଳି ଛିଡା ହୋଇଛନ୍ତି। ବିରୋଧୀଙ୍କ ଆକ୍ରମଣ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ବେଳେ ନବୀନ ନିଜର ନିଷ୍କଳଙ୍କ ଭାବମୂର୍ତ୍ତିକୁ ଆହୁରି ଚମକପ୍ରଦ କରିବାରେ ସଫଳ ହୋଇଛନ୍ତି।

ଗତ ବର୍ଷ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିରୋଧୀ ଦଳର ଗୁଣ୍ଡା ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ନବୀନଙ୍କର କେତେଜଣ ପୁରୁଣା ବନ୍ଧୁ ଯେଉଁମାନେ କି ଭିନ୍ନ ପରିସ୍ଥିତିରେ ନବୀନଙ୍କ ବଡ ବିରୋଧୀ ପାଲଟିଲେ, ସେମାନଙ୍କ ଲାଗି ପାଣ୍ଡିଆନ ଥିଲେ ଏକ ନମ୍ବର ଶତ୍ରୁ। ବିଶେଷ କରି ବୈଜୟନ୍ତ ପଣ୍ଡା ଓ ତାଙ୍କ ଦ୍ଵାରା ପରିଚାଳିତ ଏକ ଟେଲିଭିଜନ ଚାନେଲରେ ପାଣ୍ଡିଆନଙ୍କ ନାଁ ରେ ପ୍ରତିଦିନ କିଛି ନା କିଛି ଖବର /ଅପଖବର ବାହାରୁଥିଲା । ବହୁ ଅଭିଯୋଗର ଏକତରଫା ପ୍ରଚାର ଆମର ଗଣମାଧ୍ୟମରେ ସେବେ ଚାଲିଥିଲା, ଆଜି ମଧ୍ୟ ଚାଲିଛି। ତେବେ ଏ ସବୁର କୌଣସି ଉତ୍ତର/ସ୍ପଷ୍ଟୀକରଣ କେବେହେଲେ ପାଣ୍ଡିଆନ ଦେଇନାହାନ୍ତି। ଜଣେ ଶ୍ରୁଙ୍ଖଳିତ ସରକାରୀ କର୍ମଚାରୀ ଭାବରେ ସେ ସବୁ ସମୟରେ ଆଢୁଆଳରେ ଓ ନୀରବରେ ରହି ଆସିଛନ୍ତି।

ପୁରା ନିର୍ବାଚନୀ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ କେହି କେବେ ଦେଖିବାର ସୁଯୋଗ ପାଇ ନାହାନ୍ତି। ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପଞ୍ଚମ ଥର ଲାଗି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କଲେ ସେତେବେଳେ ପାଣ୍ଡିଆନକୁ କ୍ୟାମେରା ଆଗରେ ଦେଖିବାକୁ ମିଳିଲା। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଟିରୁ ପଦେ କଥା ମଧ୍ୟ ଫିଟିନାହିଁ। ନୀରବରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ ସେ ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କ୍ଷମତା କେନ୍ଦ୍ରର ମୁଖ୍ୟ ବିନ୍ଦୁରେ ଥାଇ ମଧ୍ୟ ଏତେ ନୀରବ ରହିବା ସବୁଠୁ ଆଶ୍ଚର୍ଯ୍ୟଜନକ ଘଟନା। ତେବେ ନବୀନ ସରକାରଙ୍କର ସଫଳତା ଓ ପ୍ରତୀତି ସରକାରୀ ଯୋଜନାର ଲୋକ ପକ୍ଷକୁ ସଠିକ ଭାବରେ ଉପସ୍ଥାପନ କରିବାର ଯେଉଁ ଦକ୍ଷତା, ସେଥିରେ ପାଣ୍ଡିଆନ ଏ ସରକାର ର ସବୁଠୁ ସଫଳ ରଣନୀତିକାର ବୋଲି କୁହାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାର ଓ ସେସବୁର ସଫଳ ରୂପାୟନ କୁ ନେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବାର ଶ୍ରେୟ ପାଣ୍ଡିଆନଙ୍କ ପାଖକୁ ଯିବ।

ନିର୍ବାଚନ ପରେ ଏବେ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ, ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ସେନାପତି ଭାବରେ ତାଙ୍କୁ ପ୍ରଶାସନିକ ସ୍ତରରେ ସେ ସୀମିତ ରହିବେ ନା ରାଜନୈତିକ ସ୍ତରରେ ମଧ୍ୟ ତାଙ୍କର କିଛି ଭୂମିକା ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁ ପ୍ରକାର ଚର୍ଚ୍ଚା ଓ ଅପଚର୍ଚ୍ଚାର ଉର୍ଦ୍ଧ୍ଵରେ ରହି କାମ କରିବାର ବିଚକ୍ଷଣତା ହେଉଛି ପାଣ୍ଡିଆନଙ୍କ ସଫଳତା। ନବୀନଙ୍କର ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ସହଯୋଗୀ ଆସିଛନତି ଓ ଯାଇଛନ୍ତି। ହେଲେ ପାଣ୍ଡିଆନ ସେ ସମସ୍ତଙ୍କଠୁ ଅଲଗା। ରାଜନୈତିକ ଅଭିଳାଷ ଅପେକ୍ଷା ଆନ୍ତରିକ ଭାବରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ହିଁ ତାଙ୍କର ଭିନ୍ନତା। ସବୁ ସମାଲୋଚନା ଓ କୁତ୍ସାକୁ ଅଣଦେଖା କରି ଅବିଚଳିତ ଭାବରେ ନିଜର କାମ କରିଯିବା ଯୋଗୁଁ ତାଙ୍କୁ ହୁଏତ ଓଡିଶାର ଇତିହାସ ଏକ ଭିନ୍ନ ପରିଚୟରେ ମନେ ରଖିବ।

(ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta , ଏହାପରେ ସ୍ପ୍କ୍ରିନରୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)