Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନିୟୁଜର ପ୍ରଭାବ: ଚବିଶ ଘଣ୍ଟା ଭିତରେ ବାଣପୁରରେ ମରାମତି ହେଲା ପାଣି ପାଇପ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ସମୀକ୍ଷା ନିୟୁଜ ରେ ବାଣପୁର ଥାନା ସମ୍ମୁଖରେ ହଜାର ହଜାର ଲିଟର ପିଇବା ପାଣି ଅପଚୟ ହେଉଥିବାର ଖବର ପ୍ରସାରଣ କରାଯାଇଥିଲା। ହେଲେ ଉକ୍ତ ଘଟଣାର ଚବିଶ ଘଣ୍ଟା ନପୂରୁଣୁ ସମସ୍ୟାର ସମାଧାନ ହୋଇଅଛି। ଆଜି ସକାଳ ପାଖାପାଖି ୬ ଘଟିକାରେ ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ଚାରିରୁ ପାଞ୍ଚ ଜଣ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ଫାଟି ଯାଇଥିବା ପାଇପକୁ ମରାମତି କରିଛନ୍ତି। ତତ୍‌ ସହିତ ଏନ.ଏ.ସି ର ୧୦ ନମ୍ବର ୱାର୍ଡରେ ମଧ୍ୟ ପୂର୍ବରୁ ଫାଟିଯାଇଥିବା ପାଇପର ତୁରନ୍ତ ମରାମତି କରାଯାଇଅଛି। ଏହି ସମୟରେ ଜଳ ଯୋଗାଣ ବନ୍ଦରହିଥିଲା।

ସୂଚନା ଥାଉ କି ଗତକାଲି ସମୀକ୍ଷା ନିୟୁଜର ଖବର ସହ ଚିଲିକା ପ୍ରତିନିଧିଙ୍କ ଟ୍ୱିଟ ଯୋଡ଼ା ଯାଇଥିଲା ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳ ଏବଂ ସମ୍ପୃକ୍ତ  ବିଭାଗକୁ ଏ ନେଇ ଟ୍ୱିଟ କରିଥିଲେ। ଏହାପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଅଭିଯୋଗକୁ ଗୁରୁତର ସହ ନିଆଯାଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ଏବଂ ବାଲୁଗାଁ ଏନ.ଏ.ସି  କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉକ୍ତ ଘଟଣାର ଅନୁସନ୍ଧାନ ସହ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Categories
ବିଶେଷ ଖବର

ଓଡିଶା ରାଜନୀତିର ଭବିଷ୍ୟତ ; ବିଜେପିର “ସର୍ବଦଳ ଗିଳା” ଲାଳସାରୁ ନିଜକୁ ବଞ୍ଚାଇ ପାରିବ କି ବିଜୁ ଜନତା ଦଳ?

କେଦାର ମିଶ୍ର 

କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ କଂଗ୍ରେସ ସେଠାରେ କ୍ରମଶଃ ଦୁର୍ବଳ ହୋଇ ଅତି ଗୁରୁତ୍ଵହୀନ ସ୍ଥାନକୁ ଖସି ଆସିଲା। ତେବେ ଉତ୍ତର ଭାରତରେ ସୋସିଆଲିଷ୍ଟ ଓ କେବେ କେବେ ସ୍ଵତନ୍ତ୍ର ପାର୍ଟି କଂଗ୍ରେସକୁ କିଛିଟା ବିରୋଧ କରୁଥିଲେ।

୧୯୭୫ର ଜରୁରୀକାଳୀନ ପରିସ୍ଥିତି ପରେ ଅଣକଂଗ୍ରେସ ରାଜନୀତିରେ ଏକ ନୂଆ ମୋଡ ଆସିଲା ଓ ସବୁ କଂଗ୍ରେସ ବିରୋଧୀ ଶକ୍ତିଙ୍କୁ ନେଇ ୧୯୭୭ରେ ଦେଶର ପ୍ରଥମ ଅଣ କଂଗ୍ରେସ ସରକାର ଗଠିତ ହେଲା। ୧୯୭୫ ରୁ କଂଗ୍ରେସ ବିରୋଧୀ ଶକ୍ତିମାନେ ନିଜର ସାମର୍ଥ୍ୟ ବଢାଇବାର ଅଭିଯାନ ଆରମ୍ଭ କରିଥିଲେ ଓ ତାର ପରିଣତି ସ୍ୱରୂପ ୪୪ ବର୍ଷ ପରେ ଆଜି କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି। ଅଣ କଂଗ୍ରେସ ରାଜନୀତିର ଆଉ ଏକ ଦାର୍ଶନିକ ପୃଷ୍ଠଭୂମି ମଧ୍ୟ ରହିଛି। ଧର୍ମନିରପେକ୍ଷ ଓ ସମାଜବାଦୀ ଚରିତ୍ର ବହନ କରୁଥିବା ବିରୋଧୀ ଶକ୍ତି ଗୁଡିକ ଆସ୍ତେ ଆସ୍ତେ ଦୁର୍ବଳ ହେଉଥିବାବେଳେ ହିନ୍ଦୁତ୍ଵ ରାଜନୀତିର ଶକ୍ତି ବୃଦ୍ଧି ଘଟିଛି। ପଚାଶରୁ ସତୁରୀ ଦଶକ ପର୍ୟନ୍ତ କଂଗ୍ରେସର ଯେଉଁ ସର୍ବଗ୍ରାସି ଚରିତ୍ର ରହିଥିଲା, ତାହା ଆଜିର ଶାସକ ଦଳ ବିଜେପିକୁ ସଂକ୍ରମିତ ହୋଇଛି। ଏବେ ବିଜେପି ଦେହରେ ଜନସଙ୍ଘ ବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପରିଚୟ ରଖିଥିଲେ ମଧ୍ୟ, ଏହାର ମାନସିକ କଂଗ୍ରେସୀକରଣ ହୋଇସାରିଛି। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଯେଉଁ ଏକଛତ୍ରବାଦୀ ଚରିତ୍ର ରହିଥିଲା, ତାହା ଆଜି ନରେନ୍ଦ୍ର ମୋଦୀଙ୍କ ବିଜେପିକୁ ମାଡିସାରିଛି।

ନବେ ଦଶକରେ କଂଗ୍ରେସର ବର୍ଚ୍ଚସ୍ଵ ଭାଙ୍ଗିବାକୁ ଯାଇ ବିଭିନ୍ନ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳଗୁଡିକ ନିଜର ପ୍ରାଧାନ୍ୟ ବିସ୍ତାର କାଲେ। ଆନ୍ଧ୍ରପ୍ରଦେଶରେ ସିନେ ତାରକା ଏନ.ଟି.ରାମାରାଓଙ୍କ ସଫଳତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଓ ସଂଯୁକ୍ତ ଜନତା ଦଳ,ତାମିଲନାଡୁରେ ଏଆଇଡିଏମକେ ଓ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଓ ୱାଇଏସଆର, କର୍ଣ୍ଣାଟକରେ ଧର୍ମନିରପେକ୍ଷ ଜନତାଦଳ, ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ ଓ ଓଡିଶାରେ ବିଜୁ ଜନତା ଦଳର ସଫଳ ନେତୃତ୍ଵ ପ୍ରତିଷ୍ଠା କରିଥିଲା। ଅଶି ରୁ ୨୦୧୪ ପର୍ୟନ୍ତ ଆଞ୍ଚଳିକ ଦଳମାନେ ଜାତୀୟ ରାଜନୀତିର ମୁଖ୍ୟ ନିର୍ଣ୍ଣାୟକ ଭୂମିକା ନେଉଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢିଲା ପରେ ଏହା ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳକୁ ଖତମ କରିଦେବାର ସୁଚିନ୍ତିତ ରଣ କୌଶଳ ଆରମ୍ଭ କରି ସେଥିରୁ ଅନେକଙ୍କୁ ମାଟିରେ ମିଶାଇ ସାରିଥିବା ବେଳେ ଆଉ କିଛି ଏବେ ବିଜେପିର ଳୋଲୁପ ନଜରରେ ରହିଛନ୍ତି। ସେଥିରୁ ଓଡିଶାରେ ବିଜୁ ଜନତା ଦଳ ଅନ୍ୟତମ ବୋଲି କୁହାଯାଉଛି।

ଗତ ଦୁଇଟି ନିର୍ବାଚନରେ ଯେଉଁ ଦୁଇ ତିନିଟି ଆଞ୍ଚଳିକ ଶକ୍ତିକୁ ସାମ୍ନା କରିବାରେ ବିଜେପି ଅସମର୍ଥ ହୋଇଛି ସେଥିରୁ ବିଜୁ ଜନତା ଦଳ ଅନ୍ୟତମ। ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ମାତ ଦେବାକୁ ଗତ ୬ ବର୍ଷ ଧରି ପ୍ରବଳ ଉଦ୍ୟମ କରିଆସୁଥିବା ବିଜେପି ଏବେ ବିଜେଡି ସହିତ ସନ୍ଧି କରିବା ଆରମ୍ଭ କରିଛି। ଏହାର କାରଣ କଣ? ବିଜେଡ଼ିକୁ ବିଜେପିର ସହଯୋଗ ପଛରେ ତଥାକଥିତ ସହଯୋଗୀ ସଙ୍ଘୀୟ ବିଚାର ରହିଛି ନା ଏହା ବିଜେପିର “ସର୍ବଦଳ ଗିଳା” ଅଭିଯାନର ଏକ ଅଂଶ ବିଶେଷ ତାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନବୀନ ଥିବା ଯାଏ ଓଡିଶାରେ ବିଜେପିର ଭବିଷ୍ୟତ ଉଜ୍ଜଳ ନୁହେଁ, ଏକଥା ଗତ ଦୁଇଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି।ବିଧାନସଭାରେ ବିଜେଡ଼ିର ପ୍ରଚଣ୍ଡ ବହୁମତ ରହିଥିବାରୁ କିଣାବିକା ଓ ଭଙ୍ଗାଗଢା ରାଜନୀତି କରିବା ଭଳି ଅନୁକୂଳ ସ୍ଥିତି ବିଜେପି ପାଖରେ ନାହିଁ। ଅଗତ୍ୟା ବିଜେଡି ସହିତ ସନ୍ଧି କରି ବିଜେଡ଼ିକୁ ଅକ୍ତିଆର କରିବାର ଏକ ଦୂରଗାମୀ ଲକ୍ଷ୍ୟ ବିଜେପି ପାଖରେ ରହିଛି।

ବିଜେଡି ଭିତରେ ନବୀନଙ୍କ ପରବର୍ତ୍ତୀ ନେତୃତ୍ଵ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଯୋଜନା ନାହିଁ। ତେଣୁ ତାକୁ ବିଜେପି ଏକ ସୁଯୋଗ ବୋଲି ଭାବୁଛି। ନବୀନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସଭାପତି ଅମିତ ଶାହ ଗୋଟେ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ବିଜେପି-ବିଜେଡି ଭିତରେ ବିଶେଷ ବିରୋଧର ସମ୍ଭାବନା ନାହିଁ। କିନ୍ତୁ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗୁଥିବା ଓ ବିରୋଧୀ ଦଳଙ୍କର ଘର ଉଜାଡିଦେବାରେ ଦକ୍ଷତା ହାସଲ କରିଥିବା ବିଜେପି ର ବିଜେଡି ପ୍ରତି ଏ ଯେଉଁ ଅଭିନବ ପ୍ରେମ ଏଥିରେ ମା ର ମମତା ଅଛି ନା ପୁତନା ର ବିଷ ଭରି ରହିଛି, ତାହା ସମୟକ୍ରମେ ସ୍ପଷ୍ଟ ହୋଇଯିବ।

Categories
ବିଶେଷ ଖବର ମତାମତ

ଦୁର୍ନୀତି ନିବାରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଆଜି ମଧ୍ୟ ଆଖିଦୃଶିଆ ନୁହେଁ, ନବୀନ ସରକାର ଏ କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ପଦକ୍ଷେପ ନେବା ଜରୁରୀ

କେଦାର ମିଶ୍ର 

ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ ଏକ ନୈତିକ ଦାୟିତ୍ଵ ନୁହେଁ, ଏହା ଏକ ଅର୍ଥନୈତିକ ଆବଶ୍ୟକତାଯ”। ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ। ତେବେ ସରକାରୀ ସ୍ତରରେ ଏହାକୁ ଲାଗୁ କରିବ କିଏ? ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଦୁଇଟି ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ମାତ୍ର ୪୩ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ଉପରିସ୍ଥ ଅଦାଲତରେ କେତେଜଣଙ୍କ ଦଣ୍ଡ କାୟମ ରହିଛି, ତାହାର ତଥ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ସରକାରୀ ତଥ୍ୟ ଏ ସଙ୍କ୍ରାନ୍ତରେ ଯାହା ମିଳୁଛି, ତାହା ଅତ୍ୟନ୍ତ ନିରାଶାଜନକ।

୨୦୧୮ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୪୨୯ ଟି ଅପରାଧିକ ମାମଲା ରୁଜୁ କରିଥିଲେ। ମାମଲା ହୋଇଥିବା ଅଧିକାରୀଙ୍କ ଭିତରେ ରହିଛନ୍ତି ୫୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୪୪ ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ, ୩୯୮ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୬୫ ଜଣ ବେସରକାରୀ ବ୍ୟକ୍ତି ବିଶେଷ। ଯେଉଁ ସବୁ ମାମଲା ଦାୟର ହୋଇଛି ସେଥିରୁ ଅଧିକାଂଶ ହେଉଛି ବେଆଇନ ଭାବରେ ସମ୍ପତ୍ତି ଜମା କରିଥିବା ସମ୍ପର୍କିତ। ୯୪.୨୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବିରୋଧରେ ଏହି ସବୁ ମାମଲା ହୋଇଛି। ୧୮୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଧାରା ପଗଡ କରିଛି।

ସେହିପରି ୪୨୨ ଜଣଙ୍କ ବିରୋଧରେ ଭିଜଲାନ୍ସ ବିଭାଗ ତଦନ୍ତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୩୮ ଜଣ ଦ୍ଵିତୀୟ ଶ୍ରେଣୀ, ୪୦୮ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୪ ଜଣ ବେସରକାରୀ ଲୋକ। ୪୨୨ ଟି ତଦନ୍ତ ମାମଲାରୁ ୩୭୮ ମାମଲାରେ ରେ ବିହିତ କାର୍ୟାନୁଷ୍ଠାନ ହୋଇଛି। ୧୦୮ ଟି ମାମଲାର ତଦନ୍ତ ସାରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବିଭାଗକୁ ସୁପାରିଶ କରାଯାଇଛି। ସେଥିରୁ ୧୮୭ ଟି ମାମଲାକୁ ଅପରାଧିକ ବୋଲି ଘୋଷଣା କରାଯାଇଛି। ୮୩ ଟି ମାମଲା ପ୍ରମାଣ ଅଭାବରୁ ବନ୍ଦ କରି ଦିଆଯାଇଛି।

ଦୁର୍ନୀତି ଅଭଯୋଗରେ ରାଜ୍ୟର ୨୪୧ ଜଣଙ୍କୁ(୨୬ ପ୍ରଥମଶ୍ରେଣୀ, ୧୯ ଦ୍ଵିତୀୟ ଶ୍ରେଣୀ,୧୭୬ ତୃତୀୟ ଶ୍ରେଣୀ,୯ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୫ ବେସରକାରୀ ଲୋକ)   ଗିରଫ କରାଯାଇଛି। ୩୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଦୁର୍ନୀତି ନିବାରଣ ଅଦାଲତ ଦ୍ଵାରା ୨୩୪ ମାମଲାର ବିଚାର କରି ୧୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ହାର ୫୧%, ହେଲେ ଅଭଯୋଗ ହାର ଯଥେଷ୍ଟ କମ।

ଉପରେ ଆମେ ଯେଉଁସବୁ ତଥ୍ୟ ଦେଖିଲେ, ସେଥିରୁ ଗୋଟେ କଥା ପ୍ରମାଣିତ ହେଉଛି ଯେ, ଉପରସ୍ତରର ଦୁର୍ନୀତି ବିରୋଧରେ କାର୍ୟାନୁଷ୍ଠାନ ସଂଖ୍ୟା ଆପାତତଃ କମ। ପ୍ରାୟତଃ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଅଧିକ ଚଢାଉ ହେଉଛି। ରାଜନୈତିକ ପ୍ରଶାସକମାନେ ଏ କ୍ଷେତ୍ରରେ ବର୍ତ୍ତି ଯାଉଛନ୍ତି। ଗତ କୋଡିଏ ବର୍ଷ ଭିତରେ ପ୍ରାୟ କୌଣସି ରାଜନୈତିକ ପ୍ରଶାସକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। କାହିଁ କେତେ ବର୍ଷ ତଳେ ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କୁ ଏକ ନିମ୍ନ ଅଦାଲତ ଦଣ୍ଡିତ କରିଥିଲେ। ତାପରଠୁ କୌଣସି ମନ୍ତ୍ରୀ ବା ବିଧାୟକ ଏ ପ୍ରକାର ମାମଲାର ସାମ୍ନା କରିନାହାନ୍ତି। ସେହିପରି ମାମଲାରେ ପଡିଥିବା ଆଇଏଏସ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମ। ଉପରସ୍ତରର ଦୁର୍ନୀତିକୁ ଛୁଇଁବା ଲାଗି ଦୁର୍ନୀତି ନିବାରଣ ବିଭାଗ ବୋଧହୁଏ ସାହସ କରୁନାହାନ୍ତି।

କିରାଣୀ ଓ ତଳ ସ୍ତରର କର୍ମଚାରୀଙ୍କୁ ଗିରଫ କରି ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ ନେଉଛୁ ବୋଲି କହିବା ହାସ୍ୟାସ୍ପଦ ହେବ। ଇତି ମଧ୍ୟରେ ରାଜ୍ୟରେ ଲୋକପାଳ ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଲୋକପାଳଙ୍କ ରିପୋର୍ଟ ମିଳୁ ମିଳୁ ଆଉ ବର୍ଷେ ସମୟ ଲାଗିବ।ତେଣୁ ଉପରସ୍ତରରର ଦୁର୍ନୀତି ବିରୋଧରେ ଲୋକପାଳ କି ପ୍ରକାର ଆଭିମୁଖ୍ୟ ରଖୁଛନ୍ତି, ତାହା ସମୟ କହିବ। ହେଲେ ସରକାରୀ ତଥ୍ୟ ଆଧାରରେ ଆମେ ଏତିକି କହିପାରିବା ଯେ ଦୁର୍ନୀତି ନିବାରଣ ପ୍ରସଙ୍ଗରେ କେବଳ ଚୂନା ମାଛ ଇ ଧାରା ପଡ଼ୁଛନ୍ତି। ବଡ ମାଛଙ୍କୁ ଧରିବା ଲାଗି ରାଜ୍ୟ ସରକାରଙ୍କ ଜାଲ ଏବେବି ଦକ୍ଷ ହୋଇନାହିଁ।

 

Categories
ବିଶେଷ ଖବର ସଂସ୍କୃତି

ସ୍ନାନ ପୂର୍ଣ୍ଣମୀ ପରେ ଅଣସର, ଅନବସର ଓ ପଟି ଦିଅଁ ; କେତୋଟି ମରମ କଥା

କେଦାର ମିଶ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁଙ୍କୁ ଜ୍ବର ହୁଏ।ଓଡିଶାର ଜନଜୀବନରେ ଏହା ଅଣସର ସମୟ। ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳିର ସମୟ। ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି  ।ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ଣ୍ଣନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା ଜାଣିବା ଆସନ୍ତୁ-

୧. ଜୈଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ। ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲା ପରେ  ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ। କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି ।

୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ  ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ  ।ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି। ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି ।

୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ  । କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ । ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ ।

୪. ଆଷାଢ କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ। ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି।

୫. ଦଶମୀ  ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପୀଠ କୁ ଆଣି ତା ଉପରେ ମୂର୍ତ୍ତି ମାନଂକୁ ବସାଯାଏ  । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ ।

୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘଟୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି। ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ। ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି ।

୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ।

୮. ଅଣସର ତ୍ରୟୋଦଶୀ  ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ ।ଏହାକୁ ଶ୍ରୀ ପୟର ପୂଜା  ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଳି ପ୍ରସାଦ ତିଆରି ହୁଏ ।

୯. ଆଷାଢ ଚତୁର୍ଦ୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି  । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ବାହୁଡି ଆସନ୍ତି। ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।

୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ । ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।

Categories
ବିଶେଷ ଖବର

ସଂଗଠନ ବା ସରକାର ନୁହେଁ, ବରଂ ବିଜେଡି ପାଇଁ ସବୁଠୁ ବଡ ସମସ୍ୟା ହେଉଛନ୍ତି ବିଜେଡ଼ିର ନେତା

କେଦାର ମିଶ୍ର

ନବୀନ ପଟ୍ଟନାୟକ ସରକାର ପାଞ୍ଚଥର ଲୋକଙ୍କ ଦ୍ଵାରା  ନିର୍ବାଚିତ ହେବା ପଛରେ ଗୋଟେ ବଡ କାରଣ ହେଉଛି, ଗତ ୨୦ ବର୍ଷ ଭିତରେ ସରକାର ବିରୋଧରେ ବଡ ଦୁର୍ନୀତି ବା ଭ୍ରଷ୍ଟାଚାରର ଅଭିଯୋଗ ଆସିନାହିଁ। ତେବେ ଏହାର ଅର୍ଥ କଣ ଓଡିଶାରେ ଏକ ଦୁର୍ନୀତିମୁକ୍ତ ସରକାର ଚାଲିଛି? ଏ ପ୍ରମାଣପତ୍ର ଦେବା ମଧ୍ୟ ସହଜ ନୁହେଁ। ଗତ ୨୦ ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସରକାରରେ ଥିବା ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗରେ ନିଜର ମନ୍ତ୍ରୀମାନଙ୍କୁ ବିଦା କରିଛନ୍ତି। ତେବେ ସରକାରରେ ଥିବା ଲୋକ ଦୁର୍ନୀତି କରିବା ଓ ସରକାର ଦୁର୍ନୀତିଗ୍ରସ୍ତ ହେବା ଦୁଇଟି ଅଲଗା ଜିନିଷ ବୋଲି ଲୋକେ ବିଶ୍ଵାସ କରିଛନ୍ତି। କୌଣସି ଭ୍ରଷ୍ଟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠି ପାରିନାହିଁ। ଚିଟ ଫଣ୍ଡ ଓ ଖଣି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟକୁ ଯୋଡିବାର ପ୍ରୟାସ ଯଦିଓ ହୋଇଛି, ସେଥିରେ କୌଣସି ତଦନ୍ତକାରୀ ସଂସ୍ଥା ସଫଳ ହୋଇନାହାନ୍ତି। ବିରୋଧୀ ଦଳ ମଧ୍ୟ ନବୀନଙ୍କୁ ଭ୍ରଷ୍ଟାଚାରୀ ବୋଲି କହିବାର ସାହସ ଏଯାଏ ଦେଖାଇ ପାରିନାହାନ୍ତି। ଯାହା ଫଳରେ ନବୀନ ନିରନ୍ତର ନିଜର ନିର୍ମଳ ଭାବମୂର୍ତ୍ତି ବଜାୟ ରଖିଛନ୍ତି।

ନବୀନ ସରକାରରେ ଅତି କମରେ ଦୁଇ ଡଜନ ମନ୍ତ୍ରୀ ଥିଲେ ବା ଅଛନ୍ତି, ଯେଉଁ ମାନଙ୍କ ନାଁରେ ଭ୍ରଷ୍ଟାଚାରର ଆରୋପ ଆସିଛି। ଯେଉଁଠି ଆରୋପ, ଅଭିଯୋଗ ବା ସନ୍ଦେହ ଆସିଛି, ସେଠି ଅଭିଯୁକ୍ତଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବିଦା କରା ଯାଇଛି। ନବୀନଙ୍କ ନେତୃତ୍ଵରେ  ବିଜୁ ଜନତା ଦଳର ସରକାର ସବୁବେଳେ ଦୁର୍ନୀତି ଆରୋପକୁ ବ୍ୟକ୍ତିଗତ ବୋଲି ପ୍ରମାଣିତ କରିବାରେ ସଫଳ ହୋଇଛି। ଡାଲି ଦୁର୍ନୀତିରେ ପ୍ରମିଳା ମଲ୍ଲିକଙ୍କ ଠୁ ଆରମ୍ଭ କରି ବେବିନା ମାମଲାରେ ପ୍ରଦୀପ ମହାରଥିଙ୍କ ଦାୟିତ୍ଵହୀନ ମନ୍ତବ୍ୟ ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ନିଜର ଭୁଲ ଲାଗି ନେତାମାନଙ୍କୁ ବ୍ୟକ୍ତିଗତ ସ୍ତରରେ ନିନ୍ଦିତ ବା ଦଣ୍ଡିତ କରାଯାଇଛି। ସରକାର ଉପରେ ସେଥିପାଇଁ କୌଣସି କଳଙ୍କ ଏ ଯାଏଁ ଲାଗି ପାରିନାହିଁ।

ଚିଟ ଫଣ୍ଡ ମାମଲାରେ ବିଜେଡ଼ିର ଏକ ବଡ ନେତୃ ମଣ୍ଡଳୀ ସମ୍ପୃକ୍ତ ଥିବା ଯୋଗୁଁ ବିଭିନ୍ନ ସମୟରେ ବିଜେଡ଼ିର କିଛି ସାଂସଦ ଓ ବିଧାୟକ ଗିରଫ ହୋଇଥିଲେ ଓ ଆଉ କିଛିଙ୍କୁ  ସିବିଆଇ ଜେରା କରିଥିଲା। ଏହା ବୋଧହୁଏ ନବୀନ ବାବୁଙ୍କ ଲାଗି ସବୁଠୁ ବଡ ଆହ୍ଵାନ ଥିଲା। ଏପରିକି ନବୀନ ନିବାସର ଜଣେ କର୍ମଚାରୀଙ୍କୁ ଏଥିପାଇଁ ଜେରା କରାଯାଇଥିଲା। ତେବେ ଏହି ଆହ୍ଵାନକୁ ବିଜେଡି ସଫଳତାର ସହ ମୁକାବିଲା କରିଥିବା ବେଳେ ବିରୋଧୀ ଏହି ପ୍ରସଙ୍ଗରେ ସରକାରକୁ ୨୦୧୪ ଓ ୨୦୧୯ ନିର୍ବାଚନରେ ଘେରିବାରେ ବିଫଳ ହୋଇଛନ୍ତି। ଗତ ୨୦ ବର୍ଷ ଭିତରେ ଅନେକ କଥା ଘଟିଛି, ଯେଉଁଥିରେ ନବୀନ ସରକାରକୁ ଜନତାଙ୍କ କାଠଗଡାକୁ ଟଣା ଯାଇପାରିଥାନ୍ତା। ରାଇଘର ଓ କଳିଙ୍ଗ ନଗର ପୋଲିସ ଗୁଳିକାଣ୍ଡ, କନ୍ଧମାଳ ଓ ଭଦ୍ରଖ ଦଙ୍ଗା, ଡାଲି ଯୋଗାଣ ଦୁର୍ନୀତି, ଚିଟ ଫଣ୍ଡ କେଳେଙ୍କାରି, କଟକ ଓ ଭୁବନେଶ୍ବରରେ ଜମି ତଥା ଗୃହ ଆବଣ୍ଟନ ଦୁର୍ନୀତି, ଖଣି ଦୁର୍ନୀତି, ରାୟଗଡାରେ ଇତିଶ୍ରୀ ହତ୍ୟା ମାମଲାରେ ତତ୍କାଳୀନ ବିଜେଡି ସାଂସଦ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତି, ବେବିନା ହତ୍ୟା ମାମଲାରେ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନାଁ ଆସିବା ଇତ୍ୟାଦି ବହୁ ଘଟଣାକୁ ବିରୋଧୀ ବଡ ରାଜନୈତିକ ପ୍ରସଙ୍ଗ ଭାବରେ ଲୋକଙ୍କ ପାଖକୁ ନେଇ ପାରିନାହାନ୍ତି।

ପାଞ୍ଚଥର ଲୋକଙ୍କ ଦ୍ଵାରା ନିର୍ବାଚିତ ହେବା ପରେ ନବୀନ ସରକାରର ଆତ୍ମବିଶ୍ଵାସ ଯଥେଷ୍ଟ ବଢିଛି। ଆଜି ସରକାର ବା ବିଜେଡି ସଙ୍ଗଠନ କୁ ଲୋକେ ବିଶ୍ବାସକୁ ନେଉଛନ୍ତି। ହେଲେ ଆଜି ମଧ୍ୟ ବିଜେଡ଼ିର ନେତାମାନେ ବିଜେଡି ଲାଗି ସବୁଠୁ ବଡ ଅଡୁଆ ସୃଷ୍ଟି କରୁଛନ୍ତି। ସରକାର ଗଠନର ପ୍ରଥମ ପନ୍ଦର ଦିନ ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେର ଓ କେନ୍ଦ୍ରାପଡା ଲୋକସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ପାଇଁ ବିଜେଡି ଗଣମାଧ୍ୟମରେ ବିତର୍କ ଭିତରକୁ ଟାଣି ହୋଇ ଆସିଛି। ଲୋକ ପ୍ରତିନିଧିମାନଙ୍କ ସାଧାରଣ ଜୀବନରେ ଆଚରଣକୁ ନେଇ ପ୍ରଶ୍ନ ଯେମିତି ନ ଉଠେ ସେଥିପ୍ରତି ବିଜେଡି ସତର୍କ ନ ରହିଲେ, ଆଗକୁ ଏହା ବିଜେଡ଼ିର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ। ଯଦିଓ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ବ୍ୟବହାର ଅତ୍ୟନ୍ତ ମାର୍ଜିତ, ତଥାପି ତାଙ୍କ ଭାଇମାନଙ୍କ ନାଁ ରେ କିଛି କିଛି ସ୍ଥାନୀୟ ଅଭିଯୋଗ ରହିଛି। ସରୋଜ ମେହେରଙ୍କ କ୍ଷେତ୍ରରେ ମଧ୍ୟ ବିଜେଡ଼ିକୁ କିଛିଟା କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ। ବଲାଙ୍ଗୀର ଜିଲାରେ ଏହାକୁ ନେଇ ଆଦିବାସୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି।

ଏକ ବେଦାଗ ସରକାର ଗଢିବା ହୁଏତ ସହଜ, ହେଲେ ଦଳ ଭିତରେ ଥିବା ବିଭିନ୍ନ ପରସ୍ପର ବିରୋଧୀ ତତ୍ତ୍ଵଙ୍କୁ ନିୟନ୍ତ୍ରଣ କରିବା ବଡ କଠିନ ବ୍ୟାପାର। ରାଜନୈତିକ ଦଳ ଭାବରେ ବିଜେଡି ଏ ପ୍ରକାର “ନୁଇସେନ୍ସ” ମାନଙ୍କୁ କେମିତି ପରିଚାଳିତ କରୁଛି, ତାରି ଉପରେ ଦଳ ଓ ଦଳ ମୁଖିଆଙ୍କ ଭାବମୂର୍ତ୍ତି ନିର୍ଭର କରିବ।

Categories
ବିଶେଷ ଖବର ମତାମତ

ସାରା ଦେଶରେ ମମତା ବାନାର୍ଜୀଙ୍କ ବିରୋଧରେ ଘୃଣା ଏବଂ ବିରୋଧର ସ୍ଵର ସୃଷ୍ଟି କରୁଛି କିଏ ଓ କାହିଁକି?

କେଦାର ମିଶ୍ର

ହଠାତ ସାରାଦେଶକୁ ଜଣେ ଖଳନାୟିକା ମିଳିଯାଇଛନ୍ତି। ସାହିତ୍ୟରେ ଗୋଟେ ଅଘୋଷିତ ନିୟମ ରହିଛି। ଯଦି ଆପଣ ଜଣେ ମହାନାୟକକୁ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଜଣେ ଖଳ ନାୟକ ତିଆରି କରିବାକୁ ପଡିବ। ଯେମିତି ରାମଙ୍କ ପାଇଁ ରାବଣ, କୃଷ୍ଣଙ୍କ ପାଇଁ କଂସ ବା ପ୍ରହଲ୍ଲାଦ ପାଇଁ ହିରଣ୍ୟ କଶିପୁ। ନାୟକ ନିର୍ମାଣର ରାଜନୈତିକ ପରମ୍ପରାରେ ଯିଏ ମହାନାୟକ ବା ସୁପର ହିରୋ ହେବ, ତାର ଭକ୍ତମାନେ ତାର ପ୍ରତିପକ୍ଷକୁ ଖଳନାୟକ ଭାବରେ ବେଶୀ ବେଶୀ ଉପସ୍ଥାପନ କରିବେ। ୨୦୧୪ ନିର୍ବାଚନ ପୂର୍ବରୁ ଭାରତର ରାଜନୀତିରେ ନରେନ୍ଦ୍ର ମୋଦୀଙ୍କୁ ସୁପର ହିରୋ କରିବାକୁ ଯାଇ ବିଭିନ୍ନ ସମୟରେ ତାଙ୍କର ବିରୋଧୀଙ୍କୁ ଖଳନାୟକ ଭାବରେ ଯୋଜନାବଦ୍ଧ ଭାବରେ ନୀଚା ଦେଖାଇବାର ଉଦ୍ୟମ ହୋଇଛି। ଏହି ଉଦ୍ୟମରେ ଭାରତର ତଥାକଥିତ ମୁଖ୍ୟଧାରାର ଗଣମାଧ୍ୟମ ସରକାରୀ ଦଳର ବଚସ୍କର ହୋଇ କାମ କରିଛନ୍ତି। ପ୍ରଥମେ ଗାନ୍ଧୀ ପରିବାର, ତା ପରେ ଅରବିନ୍ଦ କେଜ୍ରିୱାଲ, ଲାଲୁ ଯାଦବ, ମାୟାବତୀ, ଅଖିଲେଶ ଯାଦବ ଇତ୍ୟାଦି ସେଇ ତାଲିକାରେ ଆସିଛନ୍ତି। ମଝିରେ ନୀତିଶ କୁମାର ମୋଦୀ ବିରୋଧୀ ବଡ ଖଳନାୟକ ଥିଲେ। ସେ ଗୋଷ୍ଠୀ ବଦଳାଇ ମୋଦୀ ସମର୍ଥକ ହେବା ପରେ ଏବେ ହଠାତ ଧର୍ମରାଜ ଯୁଧିଷ୍ଠିର ପାଲଟି ଯାଇଛନ୍ତି। ନିର୍ବାଚନ ସମୟରେ ମୋଦୀ ଭକ୍ତଙ୍କ ଲାଗି ନବୀନ ପଟ୍ଟନାୟକ ମଧ୍ୟ କିଛି କମ ଖଳନାୟକ ନଥିଲେ,  ଏବେ ସେ ଟିକେ ଟିକେ ନାୟକ ମନେ ହେଲେଣି।

ଏଇ ସବୁ ଖଳନାୟକ ପରିବର୍ତ୍ତନ ଭିତରେ ହଠାତ ସାରା ଦେଶର ଘୃଣା, ବିତୃଷ୍ଣା ଓ ଗାଳି ର କେନ୍ଦ୍ରରେ ରହିଛନ୍ତି ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ପ୍ରତିଦିନ ଜାତୀୟ ଗଣମାଧ୍ୟମରେ ମମତା ବାନାର୍ଜୀଙ୍କ ବିରୋଧରେ ମାଳ ମାଳ ଲେଖା ଓ ଦୃଶ୍ୟ। କୋଲକାତାର ଏକ ଡାକ୍ତରଖାନାରେ ଘଟିଥିବା ମାଡପିଟ ଘଟଣାକୁ ନେଇ ସାରା ଦେଶର ଡାକ୍ତର ଏବେ ମମତା ବାନାର୍ଜୀଙ୍କୁ ଗାଳି କରୁଛନ୍ତି। ଏହା ପୂର୍ବରୁ କେଉଁ ରାଜ୍ୟରେ ଘଟିଥିବା ଏମିତି ଘଟଣାର ପ୍ରତିବାଦ ଜାତୀୟ ସ୍ତରରେ ଘଟିଥିଲା କି? ମମତାଙ୍କୁ ବଦରାଗୀ, ବାଦାମିଜାଜି, ହିଂସ୍ର ଓ ପ୍ରତିଶୋଧ ପରାୟଣ ବୋଲି କୁହା ଯାଉଛି। ଅବଶ୍ୟ ସେଥିଲାଗି ମମତା ନିଜେ ମଧ୍ୟ କିଛିଟା ଦାୟୀ। ମମତା ଯେଉଁ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି,ସେଥିରେ କୋଳାହଳ ଓ ହୋ ହଲ୍ଲା ର ଭୂମିକା ବେଶୀ। ବାମପନ୍ଥୀ ସରକାରକୁ ହଟାଇବା ଲାଗି ମମତା ଗୋଟେ ସମୟରେ ଉଗ୍ର ଭାବପ୍ରବଣତାର ରାଜନୀତି ଆରମ୍ଭ କରିଥିଲେ। ସେଇ ଉଗ୍ର ରାଜନୀତି ରେ ହିଂସା ଓ ଗୁଣ୍ଡାମି ସ୍ଵାଭାବିକ ଭାବରେ ଅନୁପ୍ରବେଶ କରିଛି।

ପଶ୍ଚିମ ବଙ୍ଗ ରାଜନୀତିରେ ବାମପନ୍ଥୀଙ୍କର ମୂଳପୋଛ ହେବାର ସ୍ଥିତି ଆଜି ଆସିଛି ଓ ତାହାର ସିଧା ଲାଭ ଉଠାଉଛି ବିଜେପି। ଏବେ ପଶ୍ଚିମବଙ୍ଗରେ ବିଜେପି ଉଗ୍ର ଭାବ ପ୍ରବଣତା ଓ ଗୁଜବ ରଟନାର ଭୟଙ୍କର ଜାଲ ବିଛାଇଛି। ସବୁ ତୃଣମୂଳ ବିରୋଧୀ ଭୋଟକୁ ଏକାଠି କରିବାକୁ ଯାଇ ଏବେ ମମତାଙ୍କ ବିରୋଧରେ ତୀବ୍ର ଘୃଣା ଓ ବିଦ୍ଵେଷର ବାତାବରଣ ତିଆରି କରାଯାଉଛି। ଅତ୍ୟନ୍ତ ଚତୁରତାର ସହିତ ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବକୁ ଖର୍ବ କରାଯାଉଛି। ତାଙ୍କୁ ହିନ୍ଦୁ ବିରୋଧୀ, ପାକିସ୍ତାନ ସମର୍ଥକ, ଧର୍ମଦ୍ରୋହୀ, ଦେଶଦ୍ରୋହୀ ଭଳି ବିଭିନ୍ନ ବିଶେଷଣରେ ସମ୍ବୋଧିତ କରାଯାଉଛି। ଉତ୍ତର ପ୍ରଦେଶରେ ଯେଉଁ ପ୍ରକାର ଜଙ୍ଗଲ ରାଜ ଚାଲିଛି, ସେ ବିଷୟରେ ଜାତୀୟ ଗଣମାଧ୍ୟମରେ କୌଣସି ଚର୍ଚ୍ଚା ନାହିଁ, ଅଥଚ ପଶ୍ଚିମ ବଂଗର ଛୋଟ ରୁ ଛୋଟ ଘଟନା ମଧ୍ୟ ଏବେ ଜାତୀୟ ପ୍ରସଙ୍ଗ ପାଲଟି ଯାଉଛି। କୋଲକାତା ସହରର କେହି ୱାର୍ଡ ମେମ୍ବର ବିଜେପିରେ ଯୋଗ ଦେଲେ ତାକୁ ଜାତୀୟ ଖବର ବୋଲି କୁହାଯାଉଛି। ସବୁ ରାଜନୈତିକ ହିଂସାକାଣ୍ଡକୁ ବଢେଇ ଚଢେଇ ଏମିତି କୁହାଯାଉଛି, ସତେକି ପଶ୍ଚିମବଙ୍ଗରେ ଏବେ ଜମିଦାରୀ ଶାସନ ଚାଲିଛି!!

ଏସବୁ ପ୍ରଚାରସର୍ବସ୍ଵ ରାଜନୀତିର ଏକମାତ୍ର ଲକ୍ଷ୍ୟ ହେଲା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେଠାରେ ବିଜେପି ଶାସନର ପ୍ରତିଷ୍ଠା। ଲୋକସଭା ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଛି, ତାକୁ ୨୦୨୧ ଯାଏଁ ପ୍ରଲମ୍ବିତ କରି ରଖିବାକୁ ହେଲେ ମମତାଙ୍କ ଉପରେ ରାଜନୈତିକ ଚାପ ବଜାୟ ରଖିବାକୁ ପଡିବ। ମମତାଙ୍କ ସ୍ଵଭାବରେ ଯେହେତୁ ପ୍ରତିକ୍ରିୟାଶୀଳତା ରହିଛି, ତାଙ୍କୁ ଉତ୍ତେଜିତ ବା ଭାବ ପ୍ରବନା କରାଇବା ସହଜ। ତୃଣମୂଳ ଭିତରେ ଯେଉଁ ହିଂସ୍ର ଶକ୍ତି ରହିଛନ୍ତି, ତାଙ୍କ ଉପରେ ମମତାଙ୍କର ନିୟନ୍ତ୍ରଣ ମଧ୍ୟ କମି ଆସୁଛି। ତେଣୁ ଆସନ୍ତା ବର୍ଷେ ଭିତରେ ମମତାଙ୍କ ଉପରେ ବିଜେପି ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବ।  ଏହାର ମୁକାବିଲା କରିବାକୁ ମମତା ଯଦି ମୁହାଁମୁହିଁ ହୁଅନ୍ତି, ତାହେଲେ ବିଜେପି ତାଙ୍କୁ ବାରମ୍ବାର ଅଡୁଆରେ ପକାଇବ। ବିଜେପିର ରଣନୀତିକୁ ସାମ୍ନା କରିବାକୁ ଥଣ୍ଡା ମୁଣ୍ଡ ଓ ଚତୁର ରଣନୀତିର ଆବଶ୍ୟକତା ରହିଛି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ସିନେମା

ମୃଣାଳ ସେନ : ଉପେକ୍ଷିତ ସ୍ଵରମାନଙ୍କର ନୀରବ କାରିଗର

ପିନାକୀ ଦେ

ମୃଣାଳ ସେନ ଏବେ ଆମ ପାଇଁ ଅନୁପଲବ୍ଧ । ଅଣଲେଉଟା । ତାଙ୍କ ଯିବାରେ ବାସ୍ତବତା ଧର୍ମୀ  ଚିତ୍ର ନିର୍ମାଣର ଅତୁଟ ପ୍ରୟାସ ଯେମିତି ଖାସ୍‌ ଫିକା ପଡ଼ିଗଲା । କାଳୋତ୍ତୀର୍ଣ୍ଣ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ସତେଇଶିଟି । ଯାହା ମନେହୁଏଏ ଗୋଟିଏ ସୂତ୍ରରେ ରେ ଯେମିତି ବନ୍ଧା ହୋଇଥିଲା ସେଗୁଡ଼ିକ । ଅତି ପିଲାଦିନର ସାଥି ଆକବରର ଅପସୃୟମାନ ସ୍ମୃତି ଓ ୧୯୪୩ ମସିହାର ଦୁର୍ଭିକ୍ଷର ଆତଙ୍କ ଯେମିତି ରାମ୍ପୁଡ଼ି ଚାଲିଥିଲା, ତାଙ୍କର ପ୍ରତ୍ୟେକ  ସୃଷ୍ଟିର ଅବୟବକୁ । ମା ଫେନା ଦାଓ (ଟିକେ ତୋରାଣି ଦେ’ ମା’) ଡାକ, ସେଇ ଦୁର୍ଭିକ୍ଷ ସମୟର, ଯେମିତି ବାରମ୍ବାର ଅନୁରଣିତ ହେଉଥାଏ  ତାଙ୍କର ଦୃଶ୍ୟ ସମୁହରେ ।

ପିଲାଦିନେ, ଅନ୍ୟମାନଙ୍କ ପରି ଆକବର ଆସି ବସେ , ତାଙ୍କ ସାଙ୍ଗ ମେଳରେ । ଅତି  ଗରିବ ଘରର ପିଲା ସେ, ତା’ ବେଶପୋଷାକରେ ଭିନ୍ନତା ଦେଖ ଅନ୍ୟ ସାଙ୍ଗସାଥୀ ଟାହିଟାପରା କରନ୍ତି । ତା’ ଧର୍ମ ଭିନ୍ନ । ହେଲେ  ଆଚରଣ ଅତି ସରଳ । ମୃଣାଳଙ୍କର ଅନ୍ତରଙ୍ଗ ବନ୍ଧୁ ବନିଯାଏ ସେ । ଖୁବ୍‌ ଶୀଘ୍ର ତାଙ୍କ ଘରର ସଦସ୍ୟ ପାଲଟେ । ଏଇ ପିଲାଟି ପୁଣି ହଠାତ୍‌ ଦିନେ ଟ୍ରାମ୍‌ ଚାପାରେ ଆରପାରିକୁ ଚାଲିଯାଏ । ପରବର୍ତ୍ତୀ ସମୟରେ ମୃଣାଳ ସେନ ତାଙ୍କର ” ଚାର୍ଲି ଚାର୍ପଲିନ”  ବହିଟିକୁ  ଉତ୍ସର୍ଗ କରିଥିଲେ , ଏଇ ଆକବର୍‌କୁ । ଆଶାର ଭବଘୁରେ ସାଥୀ ବୋଲି  । ମୋ ବାରବୁଲା ଜୀବନର ଆହା।

ଏଇ ସରଳପଣ ଜୀବନର ପ୍ରାରମ୍ଭରେ ଧରାପଡ଼େ ଯେମିତି ‘ଭୁବନ୍‌ସୋମ୍‌’ ସିନେମାରେ। ଜଣେ ଅମଲା ଅଫିସର୍‌ ନିତ୍ୟନିୟତ ଜୀବନ ଛାଡ଼ି ଚାଲିଆସେ ଏକ ଗ୍ରାମାଂଚଳକୁ । ଯେଉଁଠି ତାକୁ ସ୍ୱଳ୍ପ ବୟସୀ କିଶୋରୀଟିଏ ଶିଖାଏ ପକ୍ଷୀ ଶିକାର୍‌ । ଶିହରିତ ହୁଏ ଜୀବନର ଅନ୍ତରଂଗପଣ । କୁଢ କୁଢ ଫାଇଲ୍‌ ଭିତରେ  (ତାଂକର Calcutta Triology  ମଧ୍ୟରୁ ଅନ୍ୟତମ) ପ୍ରତିବାଦର ସ୍ବର ପୁଣି ଧରାପଡ଼େ , ଯେତେବେଳେ ମୁଖ୍ୟ ନାୟକ ସାରା କଲିକତା ସହରେର ଲନ୍ଦ୍ରିର ହରତାଳ ଯୋଗୁଁ  ସୁଟ୍‌ଟିଏ ପିନ୍ଧିପାରେନା । ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହୁଏ ଧୋତି ପଂଜାବୀ ପିନ୍ଧି । ବାଟରେ ଦୋକାନରେ ପ୍ରଦର୍ଶିତ ମ୍ୟାନିକୁଇନ୍‌କୁ ଗୋଟେ ଟେକା ଫୋପାଡ଼ି ନିଜ ଅସହାୟତାକୁ ସେ ବ୍ୟକ୍ତ କରେ।   ’ଖାରିଜ୍‌’ର ଚାକର ପିଲାଟିର ଅପମୃତ୍ୟରେ ମଧ୍ୟବିତ୍ତ ପରିବାରର କ୍ଷୁଣ୍ଣ ହୁଏ ମୋରାଲିଟି, ’ଏକ୍‌ଦିନ୍‌ ପ୍ରତିଦିନ୍‌’ର ଘରର ଝିଅ ରାତିରେ ନ ଫେରିବାକୁ କେମିତି ଚହଲିଯାଏ ସମସ୍ତ moral uprightness ।  ’ଅନ୍ତରୀଣ’ ଛବିରେ ଦୁଇଟି ସଂପର୍କର  ଖୁଲାସା ହୁଏ ଫୋନ୍‌ ଓ କଣ୍ଠଧ୍ବନି ମାଧ୍ୟମରେ  । ମୃଣାଳ ସେନ୍‌ଙ୍କ ’ମାଟିର ମଣିଷ’ ବୋଧହୁଏ ଓଡ଼ିଆ ଭାଷାରେ  ନିର୍ମିତ ସମସ୍ତ ଚଳଚ୍ଚିତ୍ରଠାରୁ ସବୁଠାରୁ  ଉତ୍କୃଷ୍ଟ ବୋଲି ଏଇ ଲେଖକର ଦୃଢ ଧାରଣା ।

ଅଭିନେତ୍ରୀ ଗୀତା ସୋମଙ୍କୁ ବିବାହ ପୂର୍ବରୁ  ଗଙ୍ଗା ଆରପାରିରେ ଉତ୍ତରପାଡ଼ାରେ ବୁଲେଇ ନିଅନ୍ତି । ମୃଣାଳସେନ୍‌ ମାକର୍ସ୍‌ବାଦରେ ବିଶ୍ଵାସ ରଖୁଥିଲେ।  କିନ୍ତୁ କମ୍ୟୁନିଷ୍ଟ୍‌ପାର୍ଟିର ସଦସ୍ୟତା ଗ୍ରହଣ କରିନଥିଲେ । ଗୀତାଙ୍କୁ ବରାବର କମ୍ୟୁନିଜମ୍‌ ଉପରେ ଦୀକ୍ଷାନ୍ତ ଭାଷଣ  ଦେଇଥିଲେ ।  ସେଦିନ ହାତରେ ଥାଏ ଗାଲଚାରଙ୍କର ’ଦି କେସ୍‌ ଫର୍‌ କମ୍ୟୁନିଜମ୍‌’ । ବହିଟି ଉପହାର ଦେଲେ ଗୀତାଙ୍କୁ । ଭାବିଲେ ପ୍ରଥମେ ଚୁମ୍ବନ ଦେବେ ଓ ତାପରେ ବହିଟିକୁ ଉପହାର ଦେବେ।   ଚୁମାଟି କିନ୍ତୁ ଭୁଲ୍‌ବଶତଃ ଓଠରେ ନାଲାଗି, ଲାଗିଲା ନାକରେ। । ଆଉ ମୃଣାଳଂଙ୍କ ନର୍ଭସ ହାତରୁ ବହିଟି ଖସିପଡିଲା ପାଖରେ ଥିବା ପୋଖରୀରେ।   ପ୍ରେମ ଓ ସାମ୍ୟବାଦକୁ ନେଇ ମୃଣାଳ ସେନଙ୍କ ଜୀବନର ଏହି ଚମତ୍କାର ଘଟଣାଟି ଗୋଟେ ମେଟାଫର ପରି ଲାଗୁନି କି?

ଗୀତା ସେନ୍‌, ତାଙ୍କର ପ୍ରଖ୍ୟାତ ଅଭିନେତ୍ରୀ ସ୍ତ୍ରୀଙ୍କର ପରଲୋକ ହୁଏ ଗତବର୍ଷ । ଦୁଇ ଜୀବନ୍ତ ଚରିତ୍ର ଆମ ଗହଣରେ ଆଜି ଆଉ  ନାହାନ୍ତି ।

ପ୍ରୟାତ ହେଲେ ବି ମୃଣାଳ ସେନ୍‌ ଛାଡ଼ିଯାଇଛନ୍ତି ଏମିତି ଏକ ଭଣ୍ଡାର, ଯାହା ଚିରକାଳ ମନେ ପକଉଥିବ ଉପେକ୍ଷିତ ଓ  ଅବାଞ୍ଛିତ ମଣିଷର କଳାତ୍ମକ ପହରାଦାରକୁ ।

(ପିନାକୀ ଦେ, ସିନେମା ଓ ଥିଏଟର କୁ ନେଇ ଦୀର୍ଘ ବର୍ଷ ଧରି ବୁଡି ରହିଛନ୍ତି ଅଧ୍ୟୟନରେ ।)

Categories
ବିଶେଷ ଖବର

ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଓ ସମର୍ଥନରେ ଗଢା ହୋଇଥିବା ମାନବ ଶୃଙ୍ଖଳ, ଲିଙ୍ଗଗତ ସମାନତା ଲାଗି ଏକ କ୍ରାନ୍ତିକାରୀ ନବଜାଗରଣର ସଙ୍କେତ

ସାଗରିକା

ଗୋଟେ ପୁରୁଣା ବଙ୍ଗଳା ବାଊଲ ଗୀତାରେ କୁହାଯାଏ   ନାରୀ ଓ ପୁରୁଷ ଗୋଟିଏ ସାଇକେଲର ଦୁଇଟି ଚକ । ଆମର ମହାନ କବି ଭୀମ ଭୋଇ କହନ୍ତି- ଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତୀରୀ। ହେଲେ ସ୍ବାଧିନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ଆମମାନଙ୍କ ମାନସିକତା ଏବେ ସମାନତାର ଅଧିକାରକୁ ସ୍ଵୀକାର କରିନାହିଁ। ଆଜି ବି ଆମର ପୁରୁଷତାନ୍ତ୍ରିକ ସମାଜ ନାରୀକୁ ସମାନତାର ମର୍ଯାଦା ଦେଇପାରିନାହି। ଆଜି ବି ଆମେ ଲିଙ୍ଗଗତ  ଅସମାନତାରେ ବିଶ୍ବାସ କରୁଛୁ।  ଧର୍ମର ଦ୍ଵାହି ଦେଇ ସମାନତା ଅଧିକାରକୁ କ୍ଷୁଣ୍ଣ  କରୁଛୁ । ଆମର ଖୋଦ ପ୍ରଧାନମନ୍ତ୍ରୀ ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ପରମ୍ପରାର ଦ୍ଵାହି ଦେଇ ବିରୋଧ କରୁଛନ୍ତି।

ତେବେ ଏହି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ସମାଜର ତଥାକଥିତ ରୂଢିବାଦୀ ଚିନ୍ତାଧାରାକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ  ନବ ବର୍ଷର ପ୍ରଥମ ଦିନରେ କେରଳରେ ଲକ୍ଷ ଲକ୍ଷ ମହିଳା ମାନବ ଶୃଙ୍ଖଳ ଗଠନ କରିଥିଲେ । ରାଜ୍ୟରେ ପରମ୍ପରାର ରୂଢି ବିରୋଧରେ ଏକ  ନବଜାଗରଣକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେରଳର ରାଜଧାନୀ ଥିରୁବନନ୍ତପୁରମରୁ  କସରାଗଡ଼ ଜିଲ୍ଲା ଯାଏଁ ମହିଳା ଶୃଙ୍ଖଳ ଗଠିତ ହୋଇଥିଲା। ଏହି ଶୃଙ୍ଖଳ ରେ ରାଜ୍ୟର୧୪ ଟି ଜିଲ୍ଲାରୁ ସମସ୍ତ ବର୍ଗର ଲୋକମାନେ ଜାତୀୟ ରାଜପଥ କଡ଼ରେ ସମ୍ମିଳିତ ହୋଇଥିଲେ । ୫୦ଲକ୍ଷରୁ ଅଧିକ ମହିଳା ଏହି ଅଭିଯାନରେ ସାମିଲ ହୋଇଥିଲେ।

ସବରୀମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେତେକ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଏହାକୁ କାର୍ଯ୍ୟକାରୀ କରାଇ ନଦେବାକୁ ବିରୋଧ କରିବା ପରେ ରାଜ୍ୟରେ ଥିବା ବିଭିନ୍ନ ନାରୀ ସଂଗଠନଙ୍କ ଦ୍ଵାରା ଏକ ଅବିଶ୍ୱାସନୀୟ ମହିଳା ଶୃଙ୍ଖଳ ତିଆରି କରାଯାଇଥିଲା। କିଛିଦିନ ତଳେ ହଜାର ହଜାର ଆୟପ୍ପା ଭକ୍ତ ସବରୀମାଳାରେ ମହିଳାଙ୍କ ପ୍ରବେଶ କୁ ବିରୋଧ କରି ଆୟପ୍ପା ଜ୍ୟୋତି ଜାଳି ଥିଲେ । ଏଥିରେ ବିଭିନ୍ନ ସ୍ତରରୁ ମହିଳାମାନେ ସାମିଲ ହୋଇଥିଲେ । ଶିକ୍ଷକ, ରାଜନୈତିକ ନେତା , ଗୃହିଣୀ, ଲେଖିକା, ଖେଳାଳି, ସରକାରୀ କର୍ମଚାରୀ ଏବଂ ଅଭିନେତ୍ରୀ ପ୍ରମୁଖ ଏଥିରେ  ସାମିଲ ହୋଇଥିଲେ । ସବରୀମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ କରୁଥିବା ବିଭିନ୍ନ ହିନ୍ଦୁ ସଂଗଠନ ଗୁଡିକ ଏହି ଅଭିଯାନକୁ ସହାୟତା ଦେଇଥିଲେ । ନାରୀ ଶକ୍ତିକୁ ସମ୍ମାନ ଜଣାଇ ହଜାର ହଜାର ପୁରୁଷ ମଧ୍ୟ ପୁରୁଷ ଶୃଙ୍ଖଳ ଗଠନ କରିଥିଲେ।

ସବରୀମାଳାର ସଂସ୍କୃତି ଅନୁସାରେ ଆୟପ୍ପା ଭଗବାନଙ୍କୁ ପୂଜା କରାଯାଉଥିବା ମନ୍ଦିର ରେ ୧୦ ବର୍ଷ ରୁ ୫୦ ବର୍ଷ ମହିଳାଙ୍କ ପ୍ରବେଶ ନିଷେଧ ରହିଛି । କିନ୍ତୁ ଗତ ବର୍ଷ  ସେପ୍ଟେମ୍ବର ୨୮ ରେ ସୁପ୍ରିମକୋର୍ଟ  ଐତିହାସିକ ରାୟ ଦେଇ କହିଲେ ଯେ ସମସ୍ତ ବୟସର ମହିଳା ଏହି ଧାର୍ମିକ ପୀଠରେ ପ୍ରବେଶ କରି ପାରିବେ । କିନ୍ତୁ ପ୍ରବଳ ବିରୋଧ ଯୋଗୁଁ  ମାସେ ପରେ ମନ୍ଦିର ଦ୍ୱାର ଖୋଲିଲା ସମୟରେ ରୁଢିବାଦୀଙ୍କ ବିରୋଧ କାରଣରୁ   କୌଣସି ମହିଳା ମନ୍ଦିର ଭିତରକୁ ପ୍ରବେଶ କରି ପାରି ନ ଥିଲେ । କିନ୍ତୁ ସବୁ ବାଧା ବନ୍ଧନକୁ ଅତିକ୍ରମ କରି  ଜାନୁୟାରୀ ୨ ତାରିଖ ଦିନ ୨ଜଣ ମହିଳା ଭୋର ସମୟରେ ଏହି ମନ୍ଦିରରେ ପ୍ରବେଶ କରି ପୂଜାର୍ଚନା କରିଥିଲେ । ଅବଶ୍ୟ ମହିଳାଙ୍କ ପ୍ରବେଶକୁ ବିରୋଧ ପୂର୍ବକ ମନ୍ଦିରର ଶୁଦ୍ଧିକରଣ କରାଯାଇଛି।

ଗୋଟିଏ ପକ୍ଷେ ଆମ ସରକାର ନାରୀ ଜାତିକୁ ସମ୍ମାନ  ଦେବା ପାଇଁ ତିନ ତଲାକ ବିଲ ଆଣିବାକୁ ଚାହୁଥିବା ବେଳେ ଆଉ ଗୋଟିଏ ପଟେ ଧର୍ମ ରକ୍ଷା ନାଁରେ ନାରୀ ଜାତି ପ୍ରତି ବିଶ୍ଵାସଘାତ କରୁଛୁ। ଆମ ଦେଶର ପ୍ରଧାନମନ୍ତ୍ରୀ ଖୋଦ ଏଇ ପ୍ରସଙ୍ଗରେ ମଧ୍ୟ ନିଜର ରୁଢିବାଦୀ ଚିନ୍ତାଧାରାର ସ୍ପଷ୍ଟ ପ୍ରମାଣ ଦେଇଛନ୍ତି। ପୂର୍ବରୁ ମହିଳାଙ୍କ ପ୍ରବେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରୁଥିବା ଆୟପ୍ପା ଭକ୍ତଙ୍କୁ ନିଜର ସହାନୁଭୂତି ଦେଖାଇବାକୁ ଭାରତୀୟ ଜନତା ପାର୍ଟିର ଅଧକ୍ଷ ଅମିତ ଶାହ କେରଳ ଯାଇଥିଲେ।

ଏହି ମହିଳା ଶୃଙ୍ଖଳ ଓ ଆଜିର ଦୁଇ ମହିଳାଙ୍କ ସାବରୀମାଲା ମନ୍ଦିର ପ୍ରବେଶ ନିଶ୍ଚିତ ରୂପେ ଆମ ସମୟ ପାଇଁ ଏକ ଶୁଭଂକର ସଙ୍କେତ । କିନ୍ତୁ ମହିଳାଙ୍କ ପ୍ରବେଶ ପରେ ମନ୍ଦିର ର ଶୁଦ୍ଧିକରଣ ଏବେବି ଲିଙ୍ଗଗତ ଅସମାନତା ଓ ନାରୀ ଅଧିକାରକୁ କ୍ଷୁଣ୍ଣ  କରୁଛି ।  କେବଳ ନିୟମ କରିଦେଲେ ବା ଘୋଷଣା କରିଦେଲେ ଯେ ନାରୀ ସଶକ୍ତିକରଣ  ହୋଇଯିବେ ତାହା ନୁହେ, ଏଥିପାଇଁ ସମାଜ ତଥା ଆମ ସରକାର ଏ ଦିଗରେ ଯଥେଷ୍ଠ ଯତ୍ନବାନ ହେବ ଉଚିତ।