Categories
ବିଶେଷ ଖବର

ବିଜେଡି ତିଷ୍ଟିବାରେ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ, ପ୍ରତିଷ୍ଠା ଦିବସରେ ନବୀନ ଏପରି କହି କାହାକୁ କଲେ ଇସାରା !

ସଂପଦ ଦଳାଇ

ବିଜେଡିର 23 ତମ ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବୀନ ତାଙ୍କ ଭାଷଣରେ କହିଲେ ଯେ, ବିଜେଡି ଦଳ ତିଷ୍ଠିବାରେ ବା ବୃଦ୍ଧି ପାଇଁ କୌଣସି ନେତାଙ୍କ ଉପରେ ନିର୍ଭର କରେ ନାହିଁ। ଏପରିକି ତାଙ୍କ ଉପରେ ମଧ୍ୟ ନିର୍ଭର କରେ ନାହିଁ। ନବୀନ ଇଂରାଜୀରେ ଯାହା କହିଲେ ତାହା ହେଲା “ Biju Janat Dal is not a political party and it is not dependant on some or other leaders including me for its survival and growth.” ଅର୍ଥାତ ବିଜେଡିର କୌଣସି ନେତାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରେ ନାହିଁ ବୋଲି ନବୀନ ସିଧାସିଧା କହିଲେ। ସେ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୁଖ୍ୟତଃ ବିଜେଡି ହେଉଛି ଏପରି ଏକ ଦଳ ଯେଉଁଠି ନବୀନ ବ୍ୟତିରକେ କୌଣସି ସ୍ଥିତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ନେତାମାନେ କେବଳ ନବୀନଙ୍କ ନାଁ ନେଇ ଜିତିବାରେ ଲାଗିଛନ୍ତି। ଏ କଥା ଖୋଦ ଦଳର ନେତାମାନେ ସ୍ବୀକାର କରନ୍ତି ଏବଂ ରାଜ୍ୟର ଲୋକଙ୍କୁ ମଧ୍ୟ ଭଲଭାବରେ ଏହା ଜଣା ଅଛି। ହେଲେ ନବୀନ ଏପରି ଗୁରୁତ୍ବ ପୂର୍ଣ୍ଣ କଥାଟି ପ୍ରତିଷ୍ଠା ଦିବସରେ କାହିଁକି କହିଲେ ତାହା ବୁଝାପଡୁ ନାହିଁ। ପ୍ରଶ୍ନ ଉଠୁଛି ବର୍ତ୍ତମାନ ଦଳରେ ସେପରି କେହି ନେତା ଅଛନ୍ତି କି ଯେ କି ନିଜକୁ ସର୍ବେସର୍ବା ଭାବୁଛନ୍ତି ? ତାଙ୍କୁ କଣ ଇସାରା କରି ନବୀନ ଏପରି କହିଛନ୍ତି କି ? ତାଙ୍କ ଦ୍ବାରା ଦଳ ବୃଦ୍ଧି ପାଇବ ନାହିଁ ବୋଲି ପରୋକ୍ଷରେ ତାଙ୍କୁ ତାଗିଦ କଲେ କି !

ଯଦି ଗତ ନିର୍ବାଚନରେ ବିଜେଡିର କାର୍ଯ୍ୟକାରିତା ଉପରେ ବିଶ୍ଲେଷଣ କରାଯାଏ ତେବେ ଏହା ସ୍ପଷ୍ଟ ହେବ ଯେ, ଦଳ ଭିତରେ ମାତ୍ର ହାତ ଗଣତି ଦୁଇ ତିନି ଜଣ ନେତା ବିଧାନସଭା ନିର୍ବାଚନକୁ ପରିଚାଳନା କରିଥିଲେ। ଆଉ ସେମାନଙ୍କ ସଠିକ ଗୋଟି ଚାଳନା ହିଁ ବିଜେଡିକୁ ସଫଳତା ମିଳି ପାରିଥିଲା। ତେବେ ସେହି ହାତ ଗଣତି ନେତାଙ୍କର କିନ୍ତୁ ସାରା ଓଡିଶାରେ ନିଜସ୍ବ ପତିୟାରା ନାହିଁ। ହେଲେ ଦଳରେ କିନ୍ତୁ ତାଙ୍କର ପତିୟାରା ବେଶ୍ ବୃଦ୍ଧି ପାଇଛି। ସେମାନଙ୍କ କଥାରେ କୁଆଡେ ନବୀନ ପରିଚାଳିତ ହେଉଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି ସେମାନଙ୍କର ଅହଂ ଭାବକୁ ଏବଂ ଏହି ଧାରଣାକୁ ଏକ ଚେକ୍ ଦେବା ପାଇଁ ନବୀନ ଏପରି କହିଲେ କି ?

ଯଦି ବିଜେଡିର ଇତିହାସ ଖୋଜାଯାଏ ତେବେ ଗୋଟିଏ କଥା ସ୍ପଷ୍ଟ ହେବ ଯେ, ନବୀନଙ୍କ ଆଗରେ କୌଣସି ନେତା ନିଜର ପତିୟାରା ଦେଖାଇ ପାରି ନାହାଁନ୍ତି। ଯେଉଁମାନେ ଦେଖାଇବାକୁ ଚେଷ୍ଠା କରିଛନ୍ତି ସେମାନଙ୍କୁ ନବୀନ ଚଟକଣା ଦେଇ ଦଳରୁ ବିଦାୟ କରି ଦେଇଛନ୍ତି। ବିଜୟ ମହାପାତ୍ର, ପ୍ୟାରୀ ମୋହନ ମହାପାତ୍ର, ଦାମୋଦର ରାଉତ ଏବଂ ବୈଜୟନ୍ତ ପଣ୍ଡା ପରି ଅନେକ ନେତା ଅଛନ୍ତି ଯେଉଁମାନଙ୍କୁ ନବୀନ ଦଳରୁ ବିତାଡିତ କରି ଧରାଶାୟୀ କରିଦେଇଛି। ନବୀନଙ୍କ ପାଖରେ ସେ କ୍ଷମତା ଓ ଦକ୍ଷତା ଥିବା ବେଳେ ସେ ସେହି ପଦକ୍ଷେପକୁ ଗ୍ରହଣ ନ କରି ପରୋକ୍ଷରେ ଏପରି ଇଙ୍ଗିତ କରିବାର ରହସ୍ୟ ଜାଣିବା ବିଜେଡି ନେତାଙ୍କ ପାଇଁ ବର୍ତ୍ତମାନ କଷ୍ଟକର ହୋଇପଡିଛି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଯାହା ନବୀନ ଏହି ପ୍ରତିଷ୍ଠା ଦିବସରେ ଉତ୍ଥାପନ କରିଛନ୍ତି। ତାହା ହେଲା ବିଜେଡିର ଭବିଷ୍ୟତ ବା Survival ସଂପର୍କରେ ସେ ସୂଚନା ମଧ୍ୟ ଦେଇଛନ୍ତି। ତାଙ୍କର କହିବା କଥା ବିଜେଡିର ଭବିଷ୍ୟତ ବା ସ୍ଥିତି ମଧ୍ୟ ଏହି ନେତାଙ୍କ ଉପରେ ନିର୍ଭର କରେ ନାହିଁ। ଏଥିରୁ ସ୍ପଷ୍ଟ ଯେ, ବିଜେଡି ନେତାମାନଙ୍କ ମଧ୍ୟରୁ କେହି ଦଳର ଭବିଷ୍ୟତ ହେବେ ନାହିଁ। ପୂର୍ବରୁ ଜାତୀୟ ଗଣମାଧ୍ୟମରେ ନବୀନ କହିଥିଲେ ଯେ, ବିଜେଡିର ଉତ୍ତରାଧିକାରୀ ତାଙ୍କ ପରିବାରରୁ କେହି ହେବେ ନାହିଁ। ସେତେବେଳେ ସ୍ପଷ୍ଟ ହେଲା ଯେ, ଯଦି ତାଙ୍କ ପରିବାରୁ କେହି ହେବେ ନାହିଁ ତେବେ ଦଳର ଏହି ନେତାମାନଙ୍କ ମଧ୍ୟରୁ କେହି ବିଜେଡିର ମଙ୍ଗୁଆଳ ହେବେ।

ବର୍ତ୍ତମାନ ଭାଷଣକୁ ତର୍ଯ୍ୟମା କଲେ ଜଣାପଡୁଛି ବିଜେଡିର ମଙ୍ଗୁଆଳ ଏହି ନେତାମାନେ ମଧ୍ୟ ହେବେ ନାହିଁ। ଯଦି ବିଜେଡିର ଭବିଷ୍ୟତ ନବୀନଙ୍କ ପରିବାରରୁ କେହି ହେବେ ନାହିଁ ଏବଂ ଏହି ବିଜେଡି ନେତାମାନଙ୍କ ମଧ୍ୟରୁ କେହି ହେବେ ନାହିଁ,  ତେବେ କିଏ ହେବ? ବିଜେଡିର ନେତା ନ ଥିବା ଏବଂ ତାଙ୍କ ପରିବାରର ସଦସ୍ୟ ନ ଥିବା ସେହି ବ୍ୟକ୍ତି ଜଣଙ୍କ କିଏ ? ଏହାର ଉତ୍ତର ଖୋଜି ପାଇବାକୁ ସକ୍ଷମ ନ ଥିବା ଲୋକଙ୍କ ଉପରେ ନବୀନ ପ୍ରଶ୍ନଟିଏ ଛିଡା କରି ଦେଇଛନ୍ତି।

Categories
ଆଜିର ଖବର

ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ: ବିଜେଡି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୨୬/୧୨: ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ମତ ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବୀନ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଆପଣାଇବାକୁ ଆହ୍ବାନ ଦେବା ସହିତ ସାଢେ ଚାରି କୋଟି ଓଡିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡିଶାରେ ନିର୍ବାଚନରେ ଜିତିବା ପାଇଁ ବିଜେଡି କାର୍ଯ୍ୟ କରୁନାହିଁ ବରଂ ଲୋକଙ୍କ ହୃଦୟ ଜିତିବା ପାଇଁ କାମ କରୁଛି ବୋଲି ନବୀନ ପ୍ରକାଶ କରିଥିଲେ। ରାଜ୍ୟର ସାଢେ ଚାରି କୋଟି ଭାଇ ଭଉଣୀ ମିଳିତ ଭାବରେ ଦେଇଥିବା କ୍ଷମତା ହେଉଛି ବିଜେଡି। ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ ଏପରିକି ମୋ ଉପରେ ମଧ୍ୟ ନୁହେଁ ବୋଲି ନବୀନ ପ୍ରକାଶ କରିଥିଲେ। ବିଜେଡି ବର୍ତ୍ତମାନ ଏକ ଦଳ ନୁହେଁ ବରଂ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇ ସାରିଛି ବୋଲି ନବୀନ ପ୍ରକାଶ କରିଥିଲେ। ଓଡିଶାର ସାଢେ ଚାରି କୋଟି ବାସିନ୍ଦା ବିଜେଡିର ପରିବାର ଏବଂ ବିଜେଡି ନେତୃବୃନ୍ଦ ସର୍ବଦା ରାଜ୍ୟବାସୀଙ୍କ ପାଇଁ କାମ କରିବା ଉଚିତ ବୋଲି ନବୀନ ପ୍ରକାଶ କରିଥିଲେ। କର୍ମୀଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଲଜାନ ପରି ଦଳକୁ ଶକ୍ତି ଯୋଗାଉଛି ବୋଲି ନବୀନ ପ୍ରକାଶ କରିବା ସହିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ବିଜେଡିର ଏହି ୨୩ତମ ପ୍ରତିଷ୍ଠା ଉତ୍ସବ ରାଜ୍ୟ ମୁଖ୍ୟାଳୟ ସମେତ ସମସ୍ତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି।

 

Categories
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର ଦାବୀ କେନ୍ଦ୍ରର ଦାଦାଗିରି ବିରୋଧରେ ଏକ ବୃହତ୍ତର ରାଜନୈତିକ ଅସ୍ତ୍ର

କେଦାର ମିଶ୍ର

“ବିଜୁ ବାବୁ ଠିକ କହିଥିଲେ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢି ତୋଳିବି। ବିଜୁ ବାବୁଙ୍କ ସହ ମୁଁ ଏକମତ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ। ମୋର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ, ମୋର କେନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ। ମୋର ଆର୍ଥିକ ସ୍ଵାୟତ୍ତତା ଦରକାର। ଓଡିଶାର ଟଙ୍କାରେ ମୁଁ ଓଡିଶାବାସୀଙ୍କର  ଉନ୍ନତି କରିବି।“

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଏକଥା କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୋଧହୁଏ ଗତ ଦଶ ବର୍ଷ ଭିତରେ ନବୀନ ବାବୁ ଦେଇଥିବା ବକ୍ତବ୍ୟ ଗୁଡିକ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ଓ ବର୍ତ୍ତମାନ ର ରାଜନୈତିକ ପରିସ୍ଥିତିରେ ସବୁଠୁ ବେଶୀ ପ୍ରାସଙ୍ଗିକ। ମୋଦୀ ସରକାର ଅମଳରେ ରାଜ୍ୟ ଓ କେନ୍ଦ୍ର ଗୁଡିକ ମଧ୍ୟରେ ବଢିଚାଲିଥିବା ଦୂରତ୍ଵ କାରଣରୁ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ଏପ୍ରକାର ଦାବୀ କୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କିଛି ଦିନ ତଳେ ଏ ପ୍ରସଙ୍ଗ ଉଠାଇଥିଲେ। ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀମାନେ ଏ ପ୍ରସଙ୍ଗକୁ ନେଇ ମିଳିତ ଭାବରେ ଏକ ଚାପ ଗୋଷ୍ଠୀ ଗଠନ କରିଛନ୍ତି। ଯେଉଁ ରାଜ୍ୟ ଗୁଡିକ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଉପାୟରେ ସର୍ବାଧିକ ଟିକସ ଓ ଖଣିଜ ରୟାଲିଟି ଦେଉଛନ୍ତି, ସେମାନେ ସ୍ଵାଭାବିକ ଭାବରେ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଲାଭାଂଶ ଚାହିଁବେ। ଏ କ୍ଷେତ୍ରରେ ସମ୍ବଳର ଯଥାର୍ଥ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ନାହିଁ। ପୂର୍ବରୁ ଯୋଜନା କମିଶନ ଏ ବିଷୟରେ ରାଜ୍ୟ ଗୁଡିକ ସହିତ ବ୍ୟାପକ ପରାମର୍ଶ କରୁଥିଲେ। ଅର୍ଥ କମିଶନ ଓ ଯୋଜନା କମିଶନ ସହିତ ରାଜ୍ୟ ସରକାର ଗୁଡିକର ନିୟମିତ ସମ୍ପର୍କ କାରଣରୁ ଅନେକ ସମସ୍ୟାର ସହଜ ସମାଧାନ ବାହାରି ପାରୁଥିଲା।

ମୋଦୀ ସରକାର ଆସିଲା ପରେ ସଙ୍ଘୀୟ ଢାଞ୍ଚାକୁ ଉପେକ୍ଷ କରି ଯୋଜନା କମିଶନକୁ ଭାଙ୍ଗିଦେଲେ ଓ ଏହାକୁ ନୀତି ଆୟୋଗ ଭାବରେ କେବଳ ଏକ ଉପଦେଷ୍ଟା ଭୂମିକାରେ ସୀମିତ ରଖିଲେ। ଏବେ କେନ୍ଦ୍ର ଓ ରାଜ୍ୟ ଭିତରେ ସମ୍ବଳ ଆବଣ୍ଟନ ର ଦାୟିତ୍ଵ ସିଧା ସଳଖ କେନ୍ଦ୍ର ଅର୍ଥ ବିଭାଗକୁ ଚାଲିଗଲା। ଯୋଜନା କମିଶନ ଯେଉଁ ପେଷାଦାର ମନୋଭାବ ନେଇ କାମ କରୁଥିଲେ, ତାହା ଅର୍ଥ ମନ୍ତ୍ରଣାଳୟ ବା ନୀତି ଆୟୋଗ ଦ୍ଵାରା ଆଉ ସମ୍ଭବ ହେଲାନାହିଁ। ରାଜନୈତିକ ସ୍ବାର୍ଥକୁ କେନ୍ଦ୍ରରେ ରଖି ଅର୍ଥ ବିଭାଗ ରାଜ୍ୟ ଗୁଡିକ ଉପରେ ନିଜର ଦାଦାଗିରି ଦେଖାଇଲେ। ଯାହାର ପରିଣତି ସ୍ଵରୂପ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କଲେ।  ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏ ପ୍ରସଙ୍ଗରେ ନିଜର ଅସହଜତା ପ୍ରକାଶ କରିଛନ୍ତି।

ଓଡିଶା ମୁଖ୍ୟମନ୍ତ୍ରୀ ଗତ କିଛି ବର୍ଷ ଧରି ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ଦେବାକୁ ଦାବି କରି ଆସୁଥିଲେ। ଗତ କାଲି ପ୍ରଥମଥର ପାଇଁ ନବୀନଙ୍କ ସ୍ଵରରେ କିଛିଟା ବିଦ୍ରୋହର ଆଭାସ ଦେଖିବାକୁ ମିଳିଛି। ଖଣି ନିଲାମିରୁ ଓଡିଶା ସତୁରୀ ହଜାର କୋଟି ଟଙ୍କା ପାଇବା ବୋଲି କୁହା ଯାଉଥିଲା। ହେଲେ ଗତ ତିନି ବର୍ଷରେ ରାଜ୍ୟ ମାତ୍ର ୩୭୦ କୋଟି ଟଙ୍କା ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ। ଖଣି ନିଲାମିରୁ ମିଳିଥିବା ଅର୍ଥରେ ରାଜ୍ୟ ଗୁଡିକର ବିକାଶ ପାଇଁ ପ୍ରଚୁର ଅର୍ଥ ଆସିବା ବୋଲି ସେତେବେଳେ କୁହାଯାଇଥିଲା। ସେ ଅର୍ଥ ଗଲା କୁଆଡେ?

ରାଜ୍ୟର ଆର୍ଥିକ ସ୍ଵାୟତ୍ତତାକୁ ନେଇ ବୃହତ୍ତର ବିତର୍କର ଆବଶ୍ୟକତା ଥିବାବେଳେ ଆମର ଗଣମାଧ୍ୟମ ଚିରାଚରିତ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାଦୀପାଲା ଦେଖାଉଛନ୍ତି। ମୂଳ ପ୍ରସଙ୍ଗ ଉପରେ ଆଲୋଚନା ନକରି ଅଯଥା ନାଟକବାଜିରେ ରାଜ୍ୟର ମଙ୍ଗଳ ହେବାର ନାହିଁ। ସ୍ଵତନ୍ତ୍ର ରାଜ୍ୟ ପାହ୍ୟାରୁ ଆର୍ଥିକ ସ୍ଵାୟତ୍ତତାର ଦାବୀ ବିଜେଡି ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାର ସୂଚନା ଦେଉଛି। ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ସ୍ଵାୟତ୍ତତା ପ୍ରସଙ୍ଗ ଉଠାଇ ସବୁ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଚିମୁଟି ଦେଇଛନ୍ତି। ସଙ୍ଘୀୟ ଢାଞ୍ଚାରେ କେନ୍ଦ୍ର ସରକାରର ସୀମାକୁ ନେଇ ଏଇଠୁ ବ୍ୟାପକ ବିତର୍କ ଆରମ୍ଭ ହେବ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇବା ପଛରେ ମଧ୍ୟ ନବୀନ ବାବୁଙ୍କର ଭିନ୍ନ ଉଦ୍ଦେଶ୍ୟ ରହିଛି। ଏହି ପ୍ରସଙ୍ଗକୁ ଆଳ କରି ଆଞ୍ଚଳିକ ଦଳ ଗୁଡିକ ନିଜର ରାଷ୍ଟ୍ରୀୟ ଏଜେଣ୍ଡା ପ୍ରସ୍ତୁତ କରିପାରନ୍ତି। ପ୍ରସ୍ତାବିତ ସଙ୍ଘୀୟ ସାମ୍ମୁଖ୍ୟ ଏହି ଦାବି ଉପରେ ଗଠିତ ହୋଇପାରେ। ନବୀନ ବିଜେଡି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କର ଏହି ପୁରୁଣା ଦାବୀ କଥା ଉଠାଇ ପୁଣିଥରେ କେନ୍ଦ୍ର ସରକାରକୁ କାଠଗଡାରେ ଠିଆ କରାଇବାରେ ସଫଳ ହୋଇଛନ୍ତି