ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆନ୍ତର୍ଜାତିକ ଛାତ୍ର ଦିବସ ଅବସରରେ ମେଗା ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୬’ ଅନୁଷ୍ଠିତ ହେବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ, ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଯୋଗଦେଇ ରାଜ୍ୟର ପ୍ରାୟ ୧୫ ହଜାର ଯୁବପିଢ଼ିଙ୍କ ସହ ପ୍ରତ୍ୟକ୍ଷ ଭାବବିନିମୟ କରିବେ।
“ଦି ଆର୍ଟ ଅଫ୍ ଲିଭିଂ’ ପକ୍ଷରୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହଯୋଗରେ ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତୀକରଣ ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ମେଗା ଯୁବ ମହୋତ୍ସବ “ଉମଙ୍ଗ ୨୦୨୬’ ଆୟୋଜିତ ହେବ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଉଦ୍ୟମରେ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀ ଏକତ୍ରିତ ହେବେ।
ଏହି ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଗରିମା ବୃଦ୍ଧି କରିବେ। ଏଥିରେ ଆନ୍ତର୍ଜାତିକ ସ୍ତରରେ ସୁପରିଚିତ ଆଧ୍ୟାତ୍ମିକ ଗୁରୁ, ମାନବତାବାଦୀ ତଥା ଯୁବପିଢ଼ିଙ୍କ ପ୍ରେରଣାସ୍ରୋତ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଯୋଗଦେଇ ନିଜର ଅଭିଭାଷଣ ରଖିବା ସହ ଯୁବଗୋଷ୍ଠୀଙ୍କ ସହ ପ୍ରତ୍ୟକ୍ଷ ଭାବବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସୂର୍ଯ୍ୟବଂଶୀ ସୂରଜ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚରଣ ସ୍ୱାଇଁ ମଧ୍ୟ ଉପସ୍ଥିତ ରହିବେ। ଯୁବପିଢ଼ିଙ୍କ ଉତ୍ସାହ ଓ ସାମର୍ଥ୍ୟକୁ ଉତ୍ସବମୁଖର ଭାବେ ପାଳନ କରିବା ସହିତ ସେମାନଙ୍କୁ ସକାରାତ୍ମକ ଚିନ୍ତାଧାରା, ଜୀବନର ଲକ୍ଷ୍ୟ, ଦାୟିତ୍ୱବୋଧ ଏବଂ ସଚେତନ ଜୀବନଶୈଳୀ ଆପଣାଇବାକୁ ପ୍ରେରିତ କରିବା ହେଉଛି “ଉମଙ୍ଗ ୨୦୨୬’ର ମୂଳ ଉଦ୍ଦେଶ୍ୟ। ଗୁରୁଦେବଙ୍କ ଅଭିଭାଷଣ ପରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ “ନିଶାଦ୍ରବ୍ୟ ବିରୋଧୀ ଯୁବ ଶପଥ’ ଗ୍ରହଣ କରିବେ ଏବଂ ନିଶାକୁ “ନା’ କହି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ ନେବେ। ଏହାସହିତ ଉତ୍ସବରେ ସଙ୍ଗୀତର ଉତ୍ସାହଭରା ପରିବେଶ ସୃଷ୍ଟି କରିବ “ଦି ଆର୍ଟ ଅଫ୍ ଲିଭିଂ’ର ନିର୍ବାଣ ଷ୍ଟେସନ୍ ପକ୍ଷରୁ ପରିବେଷିତ “ଭଜନ କ୍ଲବିଂ’। ଭକ୍ତିମୟ ସଙ୍ଗୀତ ସହ ସମସାମୟିକ ସଙ୍ଗୀତର ଅଭିବ୍ୟକ୍ତିକୁ ମିଶାଇ ପ୍ରସ୍ତୁତ ଏହି ଅଭିନବ ଶୈଳୀ ଯୁବପିଢ଼ିଙ୍କୁ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ିବ। ସୂଚନାଯୋଗ୍ୟ ଯେ, ୧୯୮୧ ମସିହାରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ “ଦି ଆର୍ଟ ଅଫ୍ ଲିଭିଂ’ ଏକ ବିଶ୍ୱବ୍ୟାପୀ ଅଣଲାଭକାରୀ, ଶିକ୍ଷାମୂଳକ ଓ ମାନବସେବା ସଂଗଠନ ଭାବେ ୧୮୦ରୁ ଅଧିକ ଦେଶରେ କାର୍ଯ୍ୟରତ ଅଛି। ଚାପମୁକ୍ତ ମନ ଏବଂ ହିଂସାମୁକ୍ତ ସମାଜ ଗଠନ ଦିଗରେ କାର୍ଯ୍ୟ କରୁଥିବା ଏହି ସଂଗଠନ “ଉମଙ୍ଗ ୨୦୨୬’ ମାଧ୍ୟମରେ ଓଡ଼ିଶାର ଯୁବପିଢ଼ିଙ୍କ ନିକଟରେ ବ୍ୟକ୍ତିଗତ ସୁସ୍ଥତା ଓ ସାମାଜିକ ସଦ୍ଭାବର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ୟମ କରୁଛି ବୋଲି ଆର୍ଟ ଅଫ୍ ଲିଭିଂ ଓଡ଼ିଶାର ଗଣମାଧ୍ୟମ ମୁଖ୍ୟ ଆଶ୍ନା ଗୁପ୍ତା ଜଣାଇଛନ୍ତି।


