Categories
ଆଜିର ଖବର

ବିଜେଡିର ଇସ୍ତାହାର ପ୍ରକାଶ : ମହିଳାଙ୍କୁ ଦଳର ଅଗ୍ରାଧିକାର

ବିଜୁ ଜନତା ଦଳ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଦଳର ଏହି ଇସ୍ତାହାରରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛି ବିଜୁ ଜନତା ଦଳ। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆପଡ଼ା କୋମନା ନିର୍ବାଚନୀ ସଭାରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଆମାନେ ବିକାଶର ପ୍ରକୃତ ଡ଼ବଲ ଇଞ୍ଜିନ। ବିଜେଡ଼ି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବୃଦ୍ଧି କରାଯିବ। ମହିଳାଙ୍କ ପାଇଁ ସହାୟତା ରାଶି ୭ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯିବ। ଏତଦବ୍ୟତୀତ ମିଶନ ଶକ୍ତିର ମହିଳାଙ୍କୁ ବାର୍ଷିକ ୫ ହଜାର କୋଟିର ସରକାରୀ କାମ ଯୋଗାଇ ଦିଆଯିବ। ଗରିବ ଝିଅମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ଝିଅଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ। ଝିଅମାନଙ୍କ ପାଇଁ କେଜିରୁ କଲେଜ, ମେଡ଼ିକାଲ, ଇଞ୍ଜିନିୟରିଂ ସବୁ ପାଠ୍ୟକ୍ରମ ମାଗଣାରେ ପଢିପାରିବେ। ଦଳ ସରକାର ଗଢିଲେ ଆଶ୍ରମ ସ୍କୁଲ ପରିଚାଳନା, ଡ଼ାକ୍ତରଖାନା ପରିଚାଳନା, ସ୍କୁଲ ୟୁନିଫର୍ମ ଯୋଗାଣ ଅନେକ ସରକାରୀ କାମ ପାଇଁ ମିଶନ ଶକ୍ତିର ମହିଳାଙ୍କୁ ନିୟୋଜିତ କରାଯିବ ବୋଲି ଦଳ ପକ୍ଷରୁ ପ୍ରକାଶିତ ଇସ୍ତାହାରରେ ଘୋଷଣା କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

ଟଙ୍କିକିଆ ଚାଉଲ ପ୍ରଦାନ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କ ଅଭିନୟକୁ ଓଡିଆ ଲୋକ ବୁଝି ସାରିଲେଣି ବୋଲି କହିଛନ୍ତି ଧର୍ମେନ୍ଦ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ତଳୁଆ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରକୃତ ତଥ୍ୟ ବଦଳରେ କିଛି ମନଗଢା କାହାଣୀ ଶୁଣାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରର ଅଗ୍ରାହ୍ୟ ପରେ ରାଜ୍ୟ ସରକାର  ୩୦ ଲକ୍ଷ ଓଡିଆଙ୍କୁ  ଟଙ୍କିକିଆ ଚାଉଳ ପ୍ରଦାନ କରୁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନାର ଲାଭ ସାଧାରଣ ଜନତା ନୁହେଁ ବରଂ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଆତ୍ମୀୟସ୍ୱଜନଙ୍କୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ତଳୁଆ ଦେଖାଇବା ପାଇଁ ଏପରି ମନ୍ତବ୍ୟ ଦେଇଛନ୍ତି ନବୀନ ବୋଲି ଧର୍ମେନ୍ଦ୍ର କହିଛନ୍ତି। କେନ୍ଦ୍ର ସରକାର ଏହି ଯୋଜନାରେ ୬ ହଜାର କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛି। ଏହି ଯୋଜନାରେ କେନ୍ଦ୍ର ସରକାର ୨୯ ଟଙ୍କା ଓ ଖାଉଟି ୧ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ୨୩ ଲକ୍ଷ ଲୋକଙ୍କୁ ବାର୍ଷିକ ୮୦ ରୁ ୮୫ କୋଟି ଟଙ୍କା ଅର୍ଥାତ୍ ମାସିକ ୭ ରୁ ୮ କୋଟି ଟଙ୍କା ଦେଉଛନ୍ତି। ତେଣୁ ନବୀନଙ୍କ ମିଛ ସାଧାରଣ ଜନତାଙ୍କ ସାମ୍‌ନାକୁ ଆସିଛି ଏବଂ ଓଡିଶା ବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

 

Categories
ଆଜିର ଖବର

ବାରିପଦା ବିଧାନସଭା ପାଇଁ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କଲା ବିଜେଡ଼ି   

ବାରିପଦା ବିଧାନସଭା ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ସରୋଜିନୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲାର ବାରିପଦାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ମିଳିଛି। ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ବିଜେଡ଼ି ମୋଟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୪୬ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେବଳ  କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଘୋଷଣା ପାଇଁ ବାକି ରହିଛି। ବାରିପଦା ପାଇଁ ଦଳ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଗତଥର ଏଠାରୁ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଏହି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ନିର୍ବାଚନରେ ବିଜେଡ଼ି ସରୋଜିନୀ ହେମ୍ବ୍ରମଙ୍କୁ ମିଶାଇ ମୋଟ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଇଛି। ସେଥିରୁ ସରୋଜିନୀଙ୍କୁ ବାରିପଦା ବିଧାନସଭା, ସୌମ୍ୟରଂଜନ  ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ବିଧାନସଭା ଓ ପ୍ରତାପ ଦେବଙ୍କୁ ଆଳି ବିଧାନସଭା ଟିକେଟ ଦିଆଯାଇଛି। ସେହିପରି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼ ଓ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ବିଶେଷ ଖବର

ହିଂଜିଳି ହାଲଚାଲ, ନବୀନଙ୍କ ପାଇଁ ନିଷ୍କଣ୍ଟକ ଭୂମି ଓ ହିଞ୍ଜିଳିରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ

 ହିଂଜିଳିରୁ କେଦାର ମିଶ୍ର

ଏପ୍ରିଲ ୨ ତାରିଖ ସନ୍ଧ୍ୟା ଛ’ଟା ବେଳକୁ ଆମେ ହିଂଜିଳି ସୀମାରେ ପ୍ରବେଶ କଲା ବେଳେ ଆକାଶରେ କାଳ ବୈଶାଖୀର ଆଭାସ ସ୍ପଷ୍ଟ। ହିଞ୍ଜିଳିରୁ ପଞ୍ଚମ ଥର ଲାଗି ନିର୍ବାଚନ ଲଢୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ହିଂଜିଳି ବିଜୟ କେତେ ସହଜ ବା କେତେ କଠିନ ହେବ, ସେ ପ୍ରଶ୍ନ ନେଇ ଆମେ ହିଂଜିଳି ଭିତରକୁ ପଶୁଥିଲୁ। ତା ପୂର୍ବରୁ ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟ, କବିସୂର୍ଯନଗରଓ ଆସ୍କାରେ ଲୋକଙ୍କ ସହ କଥାବାର୍ତ୍ତାରୁ ଆମର ମନେ ହୋଇଥିଲା, ବୋଧେ ଏଥର ବିଜେଡି ପ୍ରଥମଥର ଲାଗି ଗଞ୍ଜାମ ଗଡରେ ବଡ ଆହ୍ୱାନର ସାମ୍ନା କରୁଛି। ବିଜେପିର ଆକ୍ରମଣାତ୍ମକ ପ୍ରଚାର ଆଗରେ ବିଜେଡି ପ୍ରଚାର ଟିକେ ମାନ୍ଦା ମଧ୍ୟ ଲାଗିଥିଲା। ତେବେ ପିତ୍ତଳରେ ପହଞ୍ଚିଲା ବେଳକୁ ଆମକୁ ଲାଗିଥିଲା ଆମେ ଗୋଟେ ନୂଆ ଇଲାକାରେ ପ୍ରବେଶ କରୁଛୁ। ଗୋଟେ ବିକଶିତ ଅଞ୍ଚଳର ସବୁ ସଙ୍କେତ ହିଞ୍ଜିଳିର ରାସ୍ତାରୁ ମିଳିଯାଉଛି। ପିତ୍ତଳ ବଜାରରେ କିଛି ଲୋକଙ୍କ ଭିଡ ଥିଲା। ଆମେ ପଚାରିଥିଲୁ,ଏଥର ବିଜେପି ନବୀନଙ୍କ ବିରୋଧରେ ଜଣେ ଟାଣୁଆ ପ୍ରାର୍ଥୀ ଦେଇଛି। ସେ କହୁଛନ୍ତି, ନବୀନ ହାରି ସାରିଲେଣି। କଣ ସତ? ଏକା ସାଙ୍ଗରେ ହୋ ହୋ ହୋଇ ହସି, ଲୋକେ କହିଲେ, କହିବାରେ କିସ ଅଛି ଆଜ୍ଞା। ହିଞ୍ଜିଳିରେ କେବଳ ନବୀନ।

ହିଞ୍ଜିଳି ବଜାରକୁ ପହଞ୍ଚିଲା ବେଳେ ଆରମ୍ଭ ହୋଇଗଲା, କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା। ଗୋଟେ ଚା ଦୋକାନରେ ପଶୁ ପଶୁ ଆମେ ଦେଖିଲୁ ଦଶଜଣ ଲୋକ ଗପୁଛନ୍ତି। ସେଠି ଆମେ ଟିକେ ପ୍ରସଙ୍ଗ ବଦଳାଇବାକୁ ଚାହିଁଲୁ। ପ୍ରଶ୍ନ ଥିଲା- ନବୀନ ବାବୁ ଏଥର ହିଞ୍ଜିଳି ସହ ବିଜେପୁରରୁ ବି ଲଢୁଛନ୍ତି। ଶୁଣାଯାଉଛି, ସେ ବିଜପୁରରୁ ଜିତିଲେ, ହିଂଜିଳି ଛାଡିବେ। ସେମିତି ହେଲେ ଆପଣମାନେ କଣ କରିବେ? ତେବେ ଲୋକଙ୍କ ଉତ୍ତର ଥିଲା ଆହୁରି ଚମକପ୍ରଦ। ଆମେ ବି ସେୟା ଶୁଣୁଛୁ, ହେଲେ ତାର କିଛି ଫରକ ପଡିବନି। କାରଣ ନବୀନଙ୍କ ପରେ ତାଙ୍କ ପୁତୁରା ହିଞ୍ଜିଲିରୁ ଲଢିବେ। ଏ ଉତ୍ତର ଆମପରି ସାମ୍ବାଦିକଙ୍କ ଲାଗି ଗୋଟେ ପ୍ରକାର ବିସ୍ମୟ। ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଆଜିଯାଏ ଉଠିନାହିଁ। ହେଲେ ହିଂଜିଳି, ଶେରଗଡ ଇତ୍ୟାଦି ଅଞ୍ଚଳରେ ଏହାକୁ ନେଇ ଢେର ଚର୍ଚ୍ଚା।

ନବୀନଙ୍କ ବିକଳ୍ପ ତାଙ୍କ ଭୋଟରମାନେ କଳ୍ପନା କରିସାରିଛନ୍ତି। ଅର୍ଥାତ ନବୀନଙ୍କ ଛାୟାରୁ ମୁକୁଳିବାର ଆଗ୍ରହ ହିଞ୍ଜିଳିବାସୀଙ୍କର ନାହିଁ। ହିଞ୍ଜିଳିରେ ନବୀନ ହାରିବେ ବୋଲି ଆପଣ ଯଦି କହିବେ, ଲୋକେ ଆପଣଙ୍କୁ ପାଗଳ କିମ୍ବା ନିର୍ବୋଧ ବୋଲି କହିବେ। ଏପରିକି ବିଜେପି ଓ କମ୍ୟୁନିଷ୍ଟ ପତାକାଧାରୀଙ୍କ ମତ ମଧ୍ୟ ସେୟା। ଗୋଟେ ବିଜେପି ପ୍ରଚାରଗାଡିକୁ ଅଟକାଇ ଆମେ ଜାଣିବାକୁ ଚାହିଁଥିଲୁ, ତାଙ୍କ ପ୍ରଚାର କେମିତି ଚାଲିଛି। ଉତ୍ତର ଆସିଲା, ଏଠି ନବୀନ ଛଡା ଆଉ କିଛି ନାଇଁ।

ଚାରିଥର ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହେବା ପରେ ଓ ପଞ୍ଚମଥର ନୂଆ ଏକ ନିର୍ବାଚନ ମଣ୍ଡଳୀ ବାଛିବା ସତ୍ତ୍ୱେ ନବୀନଙ୍କ ପ୍ରତି ତାଙ୍କ ଭୋଟର ବିମୁଖ ହେଉନାହାନ୍ତି କାହିଁକି? ଏହାର ଉତ୍ତର ହିଂଜିଳି –ଶେରଗଡ ଓ ଶେରଗଡ ସୋରଡା ରାସ୍ତାରୁ ମିଳିଯିବ। ରାଜ୍ୟ ରାଜପଥ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏ ଅଞ୍ଚଳର ଯୋଗାଯୋଗ ଅଦ୍ଭୁତ ଭାବରେ ବିକଶିତ ହୋଇଛି। ସତ କହିବାକୁ ଗଲେ ଗତ ଚାରିଦିନ ଧରି ଭୁବନେଶ୍ବରରୁ ବାହାରି ଆମେ କୋରାପୁଟ ପର୍ଯନ୍ତ ପ୍ରାୟ ୨୦୦୦ କିଲୋମିଟର ରାସ୍ତା ବୁଲିଲୁଣି। ସବୁଠି ରାସ୍ତା ଚକାଚକ। ସେତେବଳେ ଏଡିଆରର ଗୋଟେ ସର୍ବେକ୍ଷଣ କହୁଛି, ଓଡିଶାରେ ରାସ୍ତାଘାଟର ଅବସ୍ଥା କୁଆଡେ ଖରାପ! ମୁଁ ବୁଝିପାରୁନି, କାହାକୁ ବିଶ୍ଵାସ କରିବି, ନିଜକୁ ନା ସର୍ବେକ୍ଷଣକୁ? ରାଜ୍ୟର ସବୁ ରାସ୍ତା ପରି ହିଂଜିଳି ରାସ୍ତା ମଧ୍ୟ ଭଲ। ଏଥିରେ ଅଲଗା କଣ ଅଛି? ରାମକୃଷ୍ଣ ସାହୁ ନାମକ ଜଣେ ହିଞ୍ଜିଳି ଭୋଟର କହିଥିଲେ, ହିଞ୍ଜିଳିରେ ଗତ ପାଞ୍ଚବର୍ଷ ଧରି ଯାହା ଘଟିଛି, ସେକଥା ଆମ କଳ୍ପନା ବାହାରେ।

ହିଞ୍ଜିଳିରେ ୟା ଭିତରେ ବହୁ ଅନୁଷ୍ଠାନ ଗଢି ଉଠୁଛି। ମେଡିକାଲ କଲେଜ, ଆଇଟିଆଇ, ପାର୍କ, ସବୁ ସରକାରୀ କୋଠାର ଚେହେରା ଚମତ୍କାର। ଜଣେ ବିଜେପି କର୍ମୀ ରାଗିକି କହିଲେ, ବୁଢାବୁଢି ଓ ମା’ ମାନେ ତ ନବୀନବାବୁକୁ ବିନା ପ୍ରଶ୍ନ ରେ ଭୋଟ ଦେବେ। ଆମେ ଯେତେ ପାଟି କଲେ କଣ ହେବ ? ତେବେ ନବୀନ ବାବୁଙ୍କ ନିର୍ବାଚନମଣ୍ଡଳୀରେ ଆଉ ଦୁଇଟି ପ୍ରସଙ୍ଗ ମଧ୍ୟ ଏଥର ମୁଣ୍ଡ ଟେକିଛି। ଆସ୍କା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଶୋୟୀଙ୍କୁ ନେଇ ତଥାକଥିତ ଶିକ୍ଷିତ ଅଶିକ୍ଷିତ ପ୍ରସଙ୍ଗଟି ଏଥର ଆସ୍କାରେ ବେଶ ଚର୍ଚ୍ଚାରେ ରହିଛି। ଟିଭି ଦେଖୁଥିବା ସହରୀ ଯୁବାଙ୍କ ମନରେ ମୋଦୀ ଆଗ୍ରହ ବଢୁଛି। ତହିଁରୁ ଏକ ଛୋଟ ଅଂଶ ଓଡିଶାରେ ନବୀନ ଓ କେନ୍ଦ୍ରରେ ମୋଦୀ ଭଳି ଚିନ୍ତା କରୁଛନ୍ତି। ଏକଦା ଶେରଗଡ ଓ ହିଂଜିଳି କମ୍ୟୁନିଷ୍ଟମାନଙ୍କ ଦୁର୍ଗ ଥିଲା। ଏଥର ଆସ୍କା ଲୋକସଭାରେ ସିପିଆଇ ର ରାମକୃଷ୍ଣ ପଣ୍ଡା କଂଗ୍ରେସ ସହଯୋଗରେ ନିର୍ବାଚନ ଲଢୁଛନ୍ତି। ହେଲେ ହିଞ୍ଜିଳିରେ କମ୍ୟୁନିଷ୍ଟମାନେ କାହାନ୍ତି ?

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ବିଶେଷ ଖବର

୨୦୧୯ ନିର୍ବାଚନରେ ବିଜେପିର ନୂଆ କାହାଣୀ, ନବୀନ ପଟ୍ଟନାୟକ ଓ ଅଟଳ ବିହାରୀ ବାଜପାୟୀ ଉଭୟେ ଦୁର୍ନୀତିଗ୍ରସ୍ତ !

କେଦାର ମିଶ୍ର

ଏକଦା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିବାକୁ ଯାଇ ଆଜିର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ,  ମନମୋହନ ବର୍ଷାତି ପିନ୍ଧି ଗାଧୁଆ ଘରକୁ ଯାଆନ୍ତି। ଏହାର ଅର୍ଥ ହେଉଛି ଯଦିଓ ମନମୋହନ ସିଂ ନିଜକୁ ସ୍ଵଚ୍ଛ ବୋଲି କହନ୍ତି, ତଥାପି ତାଙ୍କ ମନ୍ତ୍ରୀମଣ୍ଡଳରେ ବହୁ ଦୁର୍ନୀତିଖୋର ଲୋକ ରହିଥିଲେ ଓ ତାଙ୍କ ଅମଳରେ ବହୁ ଭ୍ରଷ୍ଟାଚାର ହୋଇଥିଲା। ଏକଥା ଭାରତୀୟ ଜନତା ପାର୍ଟିର ମନେଥିବ ନିଶ୍ଚୟ। ଏବେ ହଠାତ ବିଜେପି ଓଡିଶା ଓ ଏହାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବିଚିତ୍ର ଅଭିଯୋଗ ଆଣିଛନ୍ତି। ନିର୍ବାଚନର ଆଧାର ମଧ୍ୟ ବଡ ବିଚିତ୍ର। ସୁପ୍ରିମକୋର୍ଟରେ କେହିଜଣେ ବୈଭବ ବର୍ମା ଏକ ପିଟିସନ ଦାଖଲ କରି କହିଲେ ଯେ ମାର୍ଚ୍ଚ ୧୯୯୮ ମସିହାରେ ନାଗପୁରର ଏମଏସ ସେଣ୍ଟ୍ରାଲ କୋଇଲାରି ନାମକ ଏକ କମ୍ପାନୀକୁ କେତୋଟି କୋଇଲା ଖଣି ଭାରତ ସରକାର ଆବଣ୍ଟନ କରିଥିଲେ। ଅଭିଯୋଗର ମୂଳ ବିଷୟ ହେଲା ଏହି କମ୍ପାନୀ ସେତେବେଳେ ପଞ୍ଜିକୃତ ହୋଇନଥିଲା। ଅଭିଯୋଗର ଆଧାର ଠିକ ଅଛି। ତେବେ ଏ ସଙ୍କ୍ରାନ୍ତରେ କିଛି ସାଧାରଣ ପ୍ରଶ୍ନବାଚୀ ମଧ୍ୟ ରହିଛି।

ଘଟଣାଟି ଘଟିଲା ମାର୍ଚ୍ଚ ୧୯୯୮ ରେ । ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଖଣି ମନ୍ତ୍ରୀ ଥିଲେ ଓ ଅଳ୍ପ ସମୟ ଲାଗି କୋଇଲା ବିଭାଗ ଦାୟିତ୍ବରେ ରହିଥିଲେ। ଖଣି ବିଭାଗ ଦାୟିତ୍ବରେ ନବୀନ ୧୯ ମାର୍ଚ୍ଚ ୧୯୯୮ ରୁ ୫ ମାର୍ଚ୍ଚ ୨୦୦୦ ପର୍ଯନ୍ତ ଥିଲେ। ସେଥିରୁ ଅତି ଅଳ୍ପ ସମୟ କୋଇଲା ବିଭାଗ ତାଙ୍କ ଅଧୀନରେ ଥିଲା। ଯାହା କୁହାଯାଉଛି ଏହି କୋଇଲା ଖଣି ଆବଣ୍ଟନ ମାର୍ଚ୍ଚ ମାସରେ ହୋଇଥିଲା। ଯଦି ହୋଇଥିଲା କେବେ ଓ ଏହାର ଫାଇଲ କେବଠୁ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କାର୍ୟାଳୟ ଏ ସମ୍ପର୍କରେ ଅବଗତ ଥିଲେ ନା ନାହିଁ ? ସେତେବେଳେ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପାୟୀ। ବାଜପାୟୀ ମନ୍ତ୍ରୀମଣ୍ଡଳ ତାହେଲେ ଦୁର୍ନୀତିଗ୍ରସ୍ତ ଥିଲା ବୋଲି ବିଜେପି ଆଜି ସ୍ଵୀକାର କରୁଛି କି ?

ଯଦି କୌଣସି ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିଲା, ତାହେଲେ ଏ ସମ୍ପର୍କରେ ୧୯୯୮ ରୁ ୨୦୦୪ ଯାଏ ରହିଥିବା ବାଜପାୟୀ ସରକାର ନୀରବ ରହିଥିଲେ କାହିଁକି ? ଜଣେ ତଥାକଥିତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ସହ ମିଶି ୨୦୦୦ ରୁ ୨୦୦୯, ଦୀର୍ଘ ୯ ବର୍ଷ କାଳ ବିଜେପି ଓଡିଶାରେ ସରକାର ଗଢିଥିଲା କେମିତି? ତିନୋଟି ସାଧାରଣ ନିର୍ବାଚନରେ ନବୀନ ବିଜେପିର ନେତା ନଥିଲେ କି ? ନବୀନଙ୍କ ପରେ ଯେଉଁମାନେ କୋଇଲା ମନ୍ତ୍ରଣାଳୟ ଦାୟିତ୍ବରେ ଥିଲେ ସେମାନେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କି ? ୨୦୦୯ ରେ ନବୀନ ଯଦି ବିଜେପି ସହିତ ନିଜେ ସମ୍ପର୍କ ଛିନ୍ନ କରିନଥାନ୍ତେ ଆଜି ମଧ୍ୟ ବିଜେପି ତାଙ୍କର ଜୁନିଅର ହୋଇ ରହିବାକୁ ଚାହିଁ ନଥାନ୍ତା କି ? ଏଗାର ବର୍ଷ ଧରି ତଥାକଥିତ ଦୁର୍ନୀତିଗ୍ରସ୍ତ ନବୀନଙ୍କ ସହ ବଡ ଆନନ୍ଦରେ କ୍ଷମତା ଭୋଗ କରିଥିବା ବିଜେପି ଆଜି ହଠାତ ଏତେ ଜ୍ଞାନ ପାଇଲା କେମିତି ?

ତେବେ ଏହି ମାମଲାରେ ୨୬, ମାର୍ଚ୍ଚ ୨୦୧୪ ରେ ଏକ ମାମଲା ଦାୟର ହେଲା, ମନମୋହନ ସିଂ ସରକାର ଅମଳରେ। ଏ ପ୍ରସଙ୍ଗରେ ତତ୍କାଳୀନ କୋଇଲାମନ୍ତ୍ରୀଙ୍କୁ କୁଆଡେ ସିବିଆଇ ୨୫, ନଭେମ୍ବର ୨୦୧୭ ରେ ଜେରା ମଧ୍ୟ କରିଥିଲା। ସିବିଆଇ ଏଠି ପତ୍ରଟିଏ ହଲାଇଲେ ବାତ୍ୟା ର ଆଭାସ ସୃଷ୍ଟି କରୁଥିବା ବିଜେପି ଏ ବିଷୟରେ ଗତ ପାଞ୍ଚ ବର୍ଷ ଧରି କିଛି ଜାଣି ପାରିଲା ନାହିଁ କେମିତି ? ମୋଦୀ ସରକାର ଅଟଳ ବିହାରୀ ବାଜପାୟୀ ସରକାର ଅମଳର ଦୁର୍ନୀତିକୁ ଆଜି ନିର୍ବାଚନ ପ୍ରସଙ୍ଗ କରୁଛି। ପାଞ୍ଚ ବର୍ଷ ଧରି ନୁହଁ ବରଂ ୨୧ ବର୍ଷ ଧରି  ଗୋଟେ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଥିବା ମୋଦୀ ସରକାର ଆଜି କେଉଁ ମୁହଁରେ ନିର୍ବାଚନ ପୂର୍ବରୁ ଏହାକୁ ଏକ ପ୍ରସଙ୍ଗ ବୋଲି କହୁଛନ୍ତି ? ଯେଉଁ ବୈଭବ ବର୍ମା ଏ ମାମଲା ସୁପ୍ରିମ କୋର୍ଟରେ ଉଠାଇଛନ୍ତି ତାହାର ସ୍ପଷ୍ଟୀକରଣ ସିବିଆଇ ଦେଉ ନାହିଁ କାହିଁକି ? ସିବିଆଇ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଛି କି ? କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କାମ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ଗଣ ମାଧ୍ୟମରେ ପ୍ରଶ୍ନ ନ ପଚାରି ତାଙ୍କ ସରକାର ଏ ପ୍ରସଙ୍ଗରେ କଣ ସବୁ ପଦକ୍ଷେପ ନେଇଛନ୍ତି ଜଣାଇବେ କି ? ଏ ମାମଲାରେ ଅନ୍ୟତମ ଅଭିଯୁକ୍ତ କିଛି ମନ୍ତ୍ରୀ ଆଜି ମଧ୍ୟ ମୋଦୀ ସରକାରରେ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ ଜାଣିନାହାନ୍ତି କି ?

ସବୁଠୁ ମଜା କଥା ହେଉଛି ଏ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବେଶ ବଡ ବଡ କଥା କହୁଛନ୍ତି। ଶ୍ରୀ ପଣ୍ଡା ୧୯୯୮ ରୁ ଗତ ବର୍ଷ ପର୍ୟନ୍ତ ନବୀନଙ୍କ ସବୁଠୁ ପ୍ରିୟା ବନ୍ଧୁ ଥିଲେ। ଆଜି ହଠାତ ଏ ନାଟକର କାରଣ କଣ କେବଳ ରାଜନୈତିକ ଶତ୍ରୁତା ? ନିଜର ରାଜନୈତିକ ଖେଳ ଖେଳିବା ସମୟରେ ଯୁକ୍ତି ଓ ସିଦ୍ଧାନ୍ତ ବୋଲି କିଛି ଅଛି ବୋଲି ବୋଧେ ଆମର ନେତାମାନେ ଭୁଲି ଯାଆନ୍ତି । ୧୧୯୮ ର ମାମଲାକୁ ୨୦୧୯ ନିର୍ବାଚନରେ ପ୍ରସଙ୍ଗ କଲେ- ଜଗତେ କେବଳ ଜନେ ହସିବେ, ଏକଥା ବିଜେପି ଭୁଲିଯିବା ଉଚିତ ନୁହେଁ !

Categories
ଆଜିର ଖବର

ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିବେ ନବୀନ !

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ନୁହେଁ ବରଂ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର କୌଣସି ଆସନରୁ ଠିଆ ହୋଇ ପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ବରଗଡ଼ର ବିଜେପୁର କିମ୍ବା ଭଟଲି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସୂଚନା ରହିଛି। ତେବେ କେଉଁ ବିଧାନସଭା ଆସନରୁ ନବୀନ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ନବୀନଙ୍କର ପାରମ୍ପରିକ ନିର୍ବାଚନ ମଣ୍ଡଳି ହେଉଛି ହିଞ୍ଜିଳି। ଏଠାରୁ ସେ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ।

Categories
ଆଜିର ଖବର

ନବୀନଙ୍କୁ ଭେଟିଲେ ଦିଲ୍ଲୀପ, ଘରବାହୁଡ଼ା ନେଇ ଚର୍ଚ୍ଚା

ବରିଷ୍ଠ ନେତା ଦିଲୀପ ରାୟ ଶନିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ଦିଲୀପ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଲୀପ ତାଙ୍କ ସମର୍ଥକଙ୍କ ସହ ସୋମବାର ବିଜେଡିରେ ଯୋଗଦାନ କରିବେ। ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଜେଡିରେ ମିଶିବା ପୂର୍ବରୁ ଦିଲୀପ କିଛି ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ରବିବାର ଦଳର ଏକ ବୈଠକ ବସିବ। ଦିଲୀପଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କିଛି  ସର୍ତ୍ତକୁ ନେଇ ଆଲୋଚନା କରାଯିବ। ସେ ବିଜେଡିକୁ ଫେରିଲେ, ତାଙ୍କୁ କେନ୍ଦ୍ରାପଡା କିମ୍ବା ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ସେହିପରି ଦିଲୀପଙ୍କ ଯୋଗଦାନ ପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରମୁଖ ରାଜନୈତିକ ସହଯୋଗୀ ଭାବେ ଦିଲୀପ ଜଣାଶୁଣା। ୨୦୦୯ରେ ଉଭୟେ ଏକସଙ୍ଗେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ମିଶିଥିଲେ। ହେଲେ ଗତବର୍ଷ ଦିଲୀପ ଏବଂ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ରାଉରକେଲାରୁ ପ୍ରତିନିଧିତ୍ୱ କରୁଥିବା ଦିଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ବର୍ତ୍ତମାନ  ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଦିଲ୍ଲୀପଙ୍କ ଘରବାହୁଡ଼ା ପକ୍କା ଲାଗୁଥିଲେ ମଧ୍ୟ ବିଜୟ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି।

Categories
ବିଶେଷ ଖବର

କଂଗ୍ରେସ ଓ ବିଜେପିର ପୁରୁଣା ମୁହଁ ବନାମ ବିଜେଡ଼ିର ନୂଆ ମୁହଁ, କିଏ କାହାକୁ ଚକମା ଦେବ?

କେଦାର ମିଶ୍ର

୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ  ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ କରିବାକୁ ହେଲେ ନୂଆ ପ୍ରଜନ୍ମର ନେତା ବାହାରିବା ନିହାତି ଜରୁରୀ। ବିଜେପି ଓ କଂଗ୍ରେସ ଗତ ଦଶ ବର୍ଷ ଭିତରେ ପ୍ରଭାବଶାଳୀ ନୂଆ ମୁହଁ ତିଆରି କରିବାରେ ବିଫଳ ହୋଇଛନ୍ତି।

ଆମେ କେବଳ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଏହି ପ୍ରସଙ୍ଗକୁ ବିଶ୍ଳେଷଣ କରିବା । ଉଭୟ ବିଜେପି ଓ କଂଗ୍ରେସର ସମ୍ଭାବ୍ୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀ କିଏ ହେବେ ତାର କିଛି ତାଲିକା ଏବେ ଜନ ସାଧାରଣରେ ଚର୍ଚ୍ଚିତ ହେଉଛି। କଂଗ୍ରେସ ଆଜି ମଧ୍ୟ ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂ ଦେଓ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ବିଭୁ ପ୍ରସାଦ ତରାଇଙ୍କ ପରି ପୁରୁଖା ନେତାଙ୍କ କାନ୍ଧ ଉପରେ ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଏକ ତରୁଣ ଶକ୍ତି ନିର୍ମାଣ କରିପାରିନାହାନ୍ତି। ଯେଉଁ ଜଣେ ଦୁଇ ଜଣ ତରୁଣ ନେତା କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି, ସେମାନେ ବିଭିନ୍ନ ରାଜନୈତିକ ପରିବାରରୁ ଆସିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ପୁଅଙ୍କ ନାମ ଏଇ ତାଲିକାରେ ରହିଛି।

ବିଜେପି ନିଜକୁ ଯୁବା ଶକ୍ତିର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏହି ଦଳର ମୁଖ୍ୟ ଆସନ ମାଡି ବସିଥିବା ନେତାଏ ଓ ଟିକଟ ଆଶାୟୀମାନେ ଆଜି ମଧ୍ୟ ପୁରୁଣା। ଏହାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଜି ବି ସେଇ ପୁରୁଣା ନାମ ଗୁଡିକର ପ୍ରାଧାନ୍ୟ ରହିଛି। ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅନନ୍ତ ନାୟକ, ବସନ୍ତ ପଣ୍ଡା, ପର୍ଶୁରାମ ମାଝୀ, ରୁଦ୍ର ପାଣି, ସୁରେଶ ପୂଜାରୀ, ସଂଗୀତା ସିଂ ଦେଓ, ଜୟରାମ ପାଙ୍ଗିଙ୍କ ଭଳି ପୁରୁଣା ଓ  ବାରମ୍ବାର ହାରିଥିବା ନେତାଙ୍କୁ (ଅବଶ୍ୟ କିଛି ବିଜେଡ଼ିରୁ ଆମଦାନୀ ହୋଇଥିବା ବିଜୟୀ ନେତା ମଧ୍ୟ ଅଛନ୍ତି)  ନେଇ ବିଜେପି ନିଜର ସଫଳତା ହାସଲ କରିବ ବୋଲି ଭାବୁଛି।

ତେବେ ଏମାନଙ୍କ ରଣନୀତିଠୁ ବିଜେଡି ପୂରାପୂରି ଅଲଗା।  ବିଜେଡି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏବେ ଅନେକ ନୂଆ ମୁହଁ ସ୍ଥାନ ପାଇବାର ସମ୍ଭାବନା ରହିଛି। ତଥାଗତ ଶତପଥି, ବିଜୟଶ୍ରୀ ରାଉତରାୟ ଙ୍କ ପରି ବିଜେଡ଼ିର ପୁରୁଣା ନେତାମାନେ ନିଜ ତରଫରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିସାରିଲେଣି। ବିଜେଡି ଲୋକସଭା ପାଇଁ ପ୍ରାୟ ନବେ ଭାଗ ନୂଆ ମୁହଁ କଥା ଭାବୁଥିବା ବେଳେ ବିଧାନସଭା ପାଇଁ ୪୦-୫୦% ଯୁବକ ଓ ମହିଳାଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଛି। ବିଜେଡ଼ିର ଦଳୀୟ ସଙ୍ଗଠନରେ ମଧ୍ୟ ଏବେ ନୂଆ ମୁହଁ ମାନଙ୍କର ଭୂମିକା ବଢି ଚାଲିଛି। ଦଳ ଭିତରକୁ ପ୍ରତି ଦିନ ନୂଆ ଲୋକ ଆସୁଛନ୍ତି। ବିଜେପି ଭିତରକୁ ଅଧିକରୁ ଅଧିକ ବିଜେଡ଼ିରୁ ବିତାଡିତ କିମ୍ବା ଅସନ୍ତୁଷ୍ଟ ନେତା ପ୍ରବେଶ କରୁଥିବା ବେଳେ ବିଜେଡିରେ ଏବେ ପୂର୍ବତନ ପ୍ରଶାସକ ଓ ତୃଣମୂଳ ସ୍ତରର କର୍ମୀମାନେ ପ୍ରବେଶ କରୁଛନ୍ତି।

ନୂଆ ଭୋଟରଙ୍କୁ ପୁରୁଣା ମୁହଁ ଦ୍ଵାରା ପ୍ରଭାବିତ କରିବା ସହଜ ନୁହେଁ। ନେତା ଭାବରେ ହୁଏତ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି। ହେଲେ ନିର୍ବାଚନ ଲଢିବା ପାଇଁ ନୂଆ ଶକ୍ତି ଓ ନୂଆ ମୁହଁ ଯାହାର ଅଧିକ ରହିବ,  ସେମାନଙ୍କ ପକ୍ଷରେ ନିର୍ବାଚନ ଜିଣିବା ସହଜ ହେବ।

Categories
ବିଶେଷ ଖବର

ଏଥର ନିର୍ବାଚନରେ 48 ଜଣ ମହିଳାଙ୍କୁ ଟିକେଟ ଦେଇ, ନବୀନ ଖେଳିବେ ମହିଳା କାର୍ଡ। ଜାତୀୟ ସ୍ତରରେ ଏକ ନୂଆ ଉଦାହରଣ ସୃଷ୍ଟି କରିବା ପାଇଁ ପ୍ରୟାସ।

ସମୀକ୍ଷା ବ୍ୟୁରୋ

ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନୂଆ ଉଦାହରଣ ସୃଷ୍ଟି କରିବା ମୁଡରେ ଅଛନ୍ତି। ତାହା ହେଲା ଏଥର ପ୍ରାୟ 48 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବା। ସେଥିପାଇଁ ମହିଳା ପ୍ରାର୍ଥୀ ଖୋଜିବା ପାଇଁ ନବୀନ ତାଙ୍କର ନିକଟତମ ମହଲକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡିଛି। 48 ଜଣ ନ ହେଲେ ମଧ୍ୟ ଅତିକମରେ 35 ଜଣ ମହିଳାଙ୍କ ତାଲିକା ପ୍ରସ୍ତୁତ କର ବୋଲି ନବୀନ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାରଣ ହେଲା 33 ପ୍ରତିଶତ ମହିଳା ସଂରକ୍ଷଣ ଘୋଷଣାକୁ ଏହି ନିର୍ବାଚନରେ ଲାଗୁ କରି ଜାତୀୟ ରାଜନୀତିରେ ନବୀନ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହାଁନ୍ତି। ସେଥିପାଇଁ ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସୁପ୍ରିମୋ ପୁରା ଟିମକୁ କାର୍ଯ୍ୟରେ ଲଗାଇ ଦେଇଛନ୍ତି। ନବୀନଙ୍କ ନିକତମ ମହଲର ଖବର ଅନୁସାରେ ବର୍ତ୍ତମାନ ମହିଳା ପ୍ରାର୍ଥୀ ଖୋଜିବାରେ ତିନୋଟି ଗାଇଡ ଲାଇନ ଜାରୀ କରାଯାଇଛି। ସେଗୁଡିକ ହେଲା..

1-ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକଙ୍କ ଭାବମୂର୍ତ୍ତି ଖରାପ ରହିଛି, ଅଥଚ ଦୃଢ ସଂଗଠନ ଅଛି, ସେହି ସ୍ଥାନରେ ତାଙ୍କର ନିକଟ ସଂପର୍କୀୟ ମହିଳାଙ୍କୁ ପ୍ରାର୍ଥୀ କରିବା। ତେବେ ସେମାନଙ୍କୁ ପ୍ରାର୍ଥୀ କଲେ ବିଜେଡିର ସ୍ଥିତି ମଜବୁତ ରହିବ କି ନାହିଁ ତା ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

2-ବର୍ତ୍ତମାନ ଯେଉଁମାନେ ବିଧାୟିକା ଅଛନ୍ତି ସେମାନଙ୍କୁ ପୁଣି ଥରେ ଟିକେଟ ଦେବା ପାଇଁ ନିଷ୍ପତି କରାଯାଉଛି। ତେବେ ଅଳ୍ପ କେତୋଟି ସ୍ଥାନରେ ସ୍ଥାନୀୟ ବିଧାୟିକାଙ୍କ ଭାବମୂର୍ତ୍ତି ଠିକ୍ ନ ଥିବାରୁ ସେମାନଙ୍କୁ ହଟାଇବାର ଯୋଜନା ମଧ୍ୟ ଚାଲିଛି। ସେହି ସ୍ଥାନରେ କେଉଁ ମହିଳା ଉପଯୁକ୍ତ ହେବେ ଦୁଇଜଣଙ୍କ ନାମ ଦେବାକୁ କୁହାଯାଇଛି।

3-ନୂଆ ସ୍ଥାନଗୁଡିକରେ ସାମ୍ଭବ୍ୟ ମହିଳା ତାଲିକା ପ୍ରଦାନ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ତତଃ ପକ୍ଷେ 3 ଜଣଙ୍କ ନାମ ଦେବା ପାଇଁ ଏଥିରେ କୁହାଯାଇଥିବାର ଜଣାପଡିଛି।

ଏହି ନିର୍ଦ୍ଦେଶନାମା ପରେ ବର୍ତ୍ତମାନ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ମହିଳାଙ୍କୁ ଖୋଜିବାରେ ବ୍ୟସ୍ତ ରହିଛନ୍ତି। ଏମାନଙ୍କର ତାଲିକା ମିଳିବା ପରେ ତାହାକୁ ତର୍ଜମା କରାଯାଇ ସେମାନଙ୍କ ଜିତିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ଉଚ୍ଚ ମହଲରେ ନିଷ୍ପତି କରାଯାଇଛି। ଏପରିକି ମହିଳା ପ୍ରାର୍ଥୀଙ୍କ ପାଇଁ ନିଜେ ନବୀନ ପ୍ରଚାର କରିବେ ବୋଲି ଜଣାପଡିଛି।

2014 ନିର୍ବାଚନରେ, ମୋଟ 147ଟି ବିଧାନସଭା ଆସନରୁ ମାତ୍ର 11 ଜଣ ମହିଳା ନିର୍ବାଚିତ ହୋଇ ଆସିଛନ୍ତି। ପରବର୍ତ୍ତି ସମୟରେ ବିଜେପୁରରୁ ଆଉ ଜଣେ ମହିଳା ଉପନିର୍ବାଚନରେ ଜିତିବା ପରେ ଏହି ସଂଖ୍ୟା 12କୁ ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ମାତ୍ର 8 ପ୍ରତିଶତରେ ରହିଛି। ଗତଥର ବିଜେଡି 15 ଜଣ ମହିଳାଙ୍କୁ ପ୍ରାର୍ଥୀ କରି 10 ଜଣଙ୍କୁ ବିଧାନସଭାକୁ ପଠାଇବାରେ ସକ୍ଷମ ହୋଇଥିଲା। ସେହିପରି ବିଜେପି ମାତ୍ର 11 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଜଣକୁ ପଠାଇବାରେ ସକ୍ଷମ ହୋଇଥିବା ବେଳେ କଂଗ୍ରେସର 8 ଜଣ ମହିଳାଙ୍କ ମଧ୍ୟରୁ କେହି ବି ଜଣେ ଜିତିବାର ସୁଯୋଗ ପାଇପାରି ନ ଥିଲେ। ଗତ ନିର୍ବାଚନରେ ବିଭିନ୍ନ ଦଳରୁ ମୋଟ 1420 ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ, ସେଥିରୁ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର 117 । 2009 ନିର୍ବାଚନରେ ମାତ୍ର 6 ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ପଞ୍ଚାୟତ ସ୍ତରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବିଧାନସଭା ଓ ଲୋକସଭା ପାଇଁ ସେହିପରି ପ୍ରାଧାନ୍ୟ ଦିଆଯାଇପାରୁ ନାହିଁ। 33 ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ଅଭିଯାନ ଆରମ୍ଭ କରି ଜାତୀୟ ସ୍ତରରେ ନବୀନ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ନବୀନଙ୍କ ଏହି ନିଷ୍ପତି ପରେ ବିଜେଡିର ତୁଙ୍ଗ ନେତାଙ୍କ ମଧ୍ୟରେ ଛାନିଆ ପଶିଯାଇଛି। କାରଣ ହେଲା ଏହାକୁ ଲାଗୁ ହେଲେ ଅନେକ ତୁଙ୍ଗ ନେତା ଏଥର ନିର୍ବାଚନରୁ ବାଦ ପଡିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ନେତା ବର୍ତ୍ତମାନ ନିଜ ସ୍ତ୍ରୀଙ୍କୁ ନିର୍ବାଚନ ରଣାଙ୍ଗନରେ ଛାଡିବା ପାଇଁ ଲବି ମଧ୍ୟ ଆରମ୍ଭ କରିଦେଇଛନ୍ତି।

Categories
ବିଶେଷ ଖବର

ବିଜୁ ଜନତା ଦଳର ଟିକେଟ ବଣ୍ଟା କସରତ, ଚିଟ୍ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଦଳ ଟିକେଟ ଦେଇ ନ ପାରେ!

ସମୀକ୍ଷା ବ୍ୟୁରୋ

 ଯାହା ଜଣା ପଡୁଛି, ବିଜୁ ଜନତା ଦଳ ଚିଟ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଟିକେଟ ଦେବ ନାହିଁ। ଏହିପରି ଚର୍ଚ୍ଚା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଛି। ବିଜୁ ଜନତା ଦଳର ଅନେକ ନେତା ଚିଟଫଣ୍ଡ ସ୍କାମରେ ଜଡିତ ଥିବା ବେଳେ କେତେକ ଜେଲ ମଧ୍ୟ ଯାଇଛନ୍ତି। ଆଉ କେତେକ ନେତା ଜେରା ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ଏପରି ଭାବମୂର୍ତ୍ତି ଥିବା ନେତାଙ୍କୁ କୁ ନେଇ ବିଜେଡି ନିର୍ବାଚନ ମଇଦାନକୁ କିପରି ଓହ୍ଲାଇବ ସେ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ। ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ତ୍ତମାନ ଏହି ଚିଟ ଫଣ୍ଡ ସ୍କାମ ସହ ଜଡିତ ନେତାଙ୍କୁ ଟିକେଟରୁ ବଞ୍ଚିତ କରିବେ ବୋଲି ବିଚାର ବିମର୍ଷ କରୁଥିବା ଜଣାପଡିଛି। ଯଦି ଏହା କାର୍ଯ୍ୟକାରୀ କରାଯାଏ ତେବେ ବିଜେଡିର ବହୁ ତୁଙ୍ଗ ନେତା ଆସନ୍ତା ନିର୍ବାଚନରେ ଟିକଟ ପାଇବାରୁ ବଞ୍ଚିତ ହେବେ।

ବର୍ତ୍ତମାନ ଚିଟ ଫଣ୍ଡ ସ୍କାମରେ ଯେଉଁମାନେ ଜେଲ ଯାଇଛନ୍ତି ସେମାନେ ହେଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ, କଟକ ବିଧାୟକ ପ୍ରଭାତ ବିଶ୍ଵାଳ ଏବଂ ସାଂସଦ ରାମଚନ୍ଦ୍ର ହାଁସଦା। ଏମାନଙ୍କ ବ୍ୟତୀତ ବିଧାୟକ ଅରୁଣ ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସଂଜୟ ଦାସବର୍ମା, ବିଧାୟକ ଦେବୀ ମିଶ୍ର , ବିଧାୟକ ପ୍ରଦୀପ ମହାରଥୀ ଏବଂ ବାଲେଶ୍ଵର ସାଂସଦ ରବି ଜେନା ଏହି ସ୍କାମରେ କେଉଁଠି ନା କେଉଁଠି ଛନ୍ଦି ହୋଇପଡିଛନ୍ତି । ତେବେ ଏମାନେ ନବୀନ ପଟ୍ଟନାୟକଙ୍କ ବେଶ୍ ପାଖ ଲୋକ ହୋଇଥିବାରୁ ଏମାନଙ୍କୁ କିପରି ଟିକେଟରୁ ବଞ୍ଚତ କରାଯିବ, ସେ ନେଇ ମଧ୍ୟ ସନ୍ଦେହ ରହିଛି।

ଅନ୍ୟପକ୍ଷରେ ଏହିନେତାମାନଙ୍କ ମଧ୍ୟରୁ ଅନେକଙ୍କ ନିଜନିଜ ନିର୍ବାଚନ ମଣ୍ଡଳୀରେ ବେଶ୍ ଦବଦବା ରହିଛି। ଏକ ସୁତ୍ରରୁ ଜଣାପଡିଛି ଯେ ଏମାନଙ୍କ ସନ୍ତାନ କିମ୍ବା ନିକଟ ସଂପର୍କୀୟଙ୍କୁ ଟିକେଟ ଦିଆଯାଇ ସେମାନଙ୍କ ମନକୁ ସନ୍ତୁଷ୍ଠ କରାଯିବ। ଯଦି ସେପରି କରା ନ ଯାଏ ତେବେ ସେମାନେ ବିଦ୍ରୋହୀ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥିଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି। ଏପରି କଲେ ନବୀନ ଚିଟ୍ ଫଣ୍ଡ କଳଙ୍କରୁ ମୁକୁଳିବା ସହିତ ସେହି ଆସନଟିର ସ୍ଥିତି ମଧ୍ୟ ବଜାୟ ରଖିପାରିବେ।  ଅନ୍ୟପଟେ କେତେକ ନେତାଙ୍କ ପରିବାର ସଦସ୍ୟଙ୍କ ନାମ ମଧ୍ୟ ଚିଟ ଫଣ୍ଡ ସ୍କାମରେ ରହିଛି। ସେପରି କ୍ଷେତ୍ରରେ ଦଳ କଣ କରିବ ତାହା ନେଇ ବିଚାର ବିମର୍ଶ ଚାଲିଛି। । ସାଧାରଣତଃ ନବୀନ କିଛି ଚିନ୍ତା ନ କରି କଳଙ୍କିତ ନେତାଙ୍କୁ ଦଳରୁ ବହିସ୍କାର କରି ଦିଅନ୍ତି କିମ୍ବା ନିଳମ୍ବିତ କରନ୍ତି। ସେଥିପାଇଁ ଏହି ସ୍କାମ ପୀଡିତ ନେତାଙ୍କ ପ୍ରତି ନବୀନ ହୁଏତ କଠୋର ହୋଇପାରନ୍ତି ବୋଲି ଜଣାପଡୁଛି।

ଚର୍ଚ୍ଚା ହେଉଛି ଗତ ବର୍ଷ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଯୁବ ମନ୍ତ୍ରୀମାନେ ଯେପରି ଇସ୍ତଫା ଦେଇଥିଲେ, ସେହିପରି ଚିଟ ଫଣ୍ଡ ସ୍କାମରେ ଜଡିତ ନେତାମାନେ ନିଜଆଡୁ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିବା ଯୋଜନା ମଧ୍ୟ ଚାଲିଥିବା ଜଣାପଡିଛି। ଇତିମଧ୍ୟରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁଆଡେ ସଙ୍କେତ ଦିଆସରିଲାଣି। ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ଟିକେଟ ମିଳିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥିରେ ପ୍ରଭାତ ରାଜି ହୋଇ ତାଙ୍କ ପୁଅଙ୍କୁ ରାଜନୀତି ମଇଦାନରେ ଛିଡା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ବାଙ୍କିରେ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ନବୀନ ଏଥର ନିର୍ବାଚନରେ ଆଉ ଏକ ବଡ ଗୋଟି ଚାଳନା କରିବାର ସମ୍ଭାବନା ମଧ୍ୟ ରହିଛି। ତାହା ହେଉଛି ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବା। 33 ପ୍ରତିଶତ ମହିଳାଙ୍କୁ ସ୍ଥାନ ସଂରକ୍ଷଣ ନେଇ ନବୀନ ଏକ ଅଭିଯାନ ସାରା ଦେଶରେ ଆରମ୍ଭ କରିଛନ୍ତି। ତେବେ ଏହି ବିଲ୍ ପାଶ ହେବା ପୂର୍ବରୁ ଏଥର ନିର୍ବାଚନରେ ନବୀନ ଅଧିକ ସଂଖ୍ୟକ ମହିଳାଙ୍କୁ ଟିକେଟ ଦେଇ ଏକ ଉଦାହରଣ ସୃଷ୍ଟି କରିବାର ମଧ୍ୟ ସମ୍ଭାବନା ରହିଛି।

ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି ଟିକେଟ ଆଶାୟୀଙ୍କ ହୃତକମ୍ପନ ସେତିକି ବଢୁଛି।  ଟିକେଟ ଲବିରେ ଥିବା ସବୁ ନେତାଙ୍କୁ କୁହାଯାଇଛି,ରାଜଧାନୀରେ ଭିଡ ନକରି ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ। ତେବେ ବାସ୍ତବରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ,ସେକଥା ନବୀନଙ୍କ ବ୍ୟତୀତ ଆଉ କାହାକୁ ମାଲୁମ ନାହିଁ।

Categories
ବିଶେଷ ଖବର

ଦିଲ୍ଲୀ ରେ ଓଡିଆ ଚାଷୀକୁ ନ୍ୟାୟ ମିଳିବ ନାହିଁ, ବିଜେଡି ନିଜ ରାଜ୍ୟରେ ଚାଷୀଙ୍କ ପାଇଁ ଜୀବନ ଓ ଜୀବିକାର ସୁରକ୍ଷା ନିଶ୍ଚିତ କରୁ

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ ରେ ବିଜୁ ଜନତା ଦଳ ତରଫରୁ ଏକ ରାଲିର ଆୟୋଜନ କରି ରାଜ୍ୟର ଚାଷୀଙ୍କୁ ନ୍ୟାୟସଙ୍ଗତ ଭାବରେ ନିଜର ଉତ୍ପାଦନ ବିକ୍ରି ପାଇଁ ସର୍ବନିମ୍ନ ମୂଲ୍ୟ ଦେବାକୁ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାର ଉଦ୍ୟମ ହୋଇଛି। ଏକଥା ସତ ଯେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ଓ ସ୍ବାମୀନାଥନ କମିଶନର ସୁପାରିଶ ଲାଗୁ କରିବାରେ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ନେଇ ନାହାନ୍ତି। ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ସରକାରକୁ ସର୍ବାଧିକ କୃଷକ ବିରୋଧୀ ସରକାର ବୋଲି କହିଲେ ଅତ୍ଯୁକ୍ତି ହେବନାହିଁ। କିନ୍ତୁ ବିଜୁ ଜନତା ଦଳ, ଯିଏ ଓଡିଶାରେ ଗତ ୧୯ ବର୍ଷ ହେଲା ଶାସନ କରି ଆସୁଛି, ସେମାନେ ରାଜ୍ୟର ଚାଷୀଙ୍କ ପାଇଁ ଦିଲ୍ଲୀ ରେ ରାଲି କରିବାର କୌଣସି ଆବଶ୍ୟକତା ନାଇଁ। ବରଂ ରାଜ୍ୟର କୃଷି ଓ କୃଷକର ବିକାଶ ଲାଗି ବିଜେଡ଼ିର ନେତା ନବୀନ ପଟ୍ଟନାୟକଙ୍କ ଭୂମିକା କଣ ରହିଛି, ସେ ବିଷୟରେ ଓଡିଶାବାସୀଙ୍କୁ ଉତ୍ତର ରଖିବା ଅଧିକ ଜରୁରୀ।

କେନ୍ଦ୍ର ସରକାର କୌଣସି କୃଷକ ସଂଗଠନ ବା କୃଷି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ରାଜନୈତିକ ଦଳମାନଙ୍କ କଥା ଶୁଣୁନାହାନ୍ତି। ସେହି କ୍ରମରେ କେନ୍ଦ୍ର ସରକାର ଯେ ଓଡିଶାର ଦାବୀକୁ ବିଚାର କରିବେ, ତାର କୌଣସି ସମ୍ଭାବନା ନାହିଁ। କଳେ, ବଳେ, କୌଶଳେ ୨୦୧୯ ନିର୍ବାଚନ ଜିଣିବାକୁ ନୂଆ ସ୍ଲୋଗାନ ଓ ନୂଆ ସ୍ଵପ୍ନର ବ୍ଲୁ ପ୍ରିଣ୍ଟ ବିଜେପି ଶିବିରରେ ତିଆରି ଚାଲିଥିବା ବେଳେ ଓଡିଶା ନେତାଙ୍କ ଦିଲ୍ଲୀ ରାଲିର କୌଣସି ପ୍ରଭାବ କେନ୍ଦ୍ର ସରକାର ଉପରେ ପଡିବାର ନାହିଁ। ସେହିପରି ଉଚ୍ଚ ବର୍ଗ ସଂରକ୍ଷଣ ଓ ସିବିଆଇ ମାମଲାରେ ଅଲଝିଥିବା ଥିବା ଦିଲ୍ଲୀ ମିଡିଆ ପାଇଁ ଓଡିଶାର ଚାଷୀ ବଡ ଆକର୍ଷଣ ନୁହନ୍ତି। ଏପରିକି ବିଜେଡି ରାଜନୀତି ମଧ୍ୟ ଦିଲ୍ଲୀରେ ବିଶେଷ ଚର୍ଚ୍ଚାର ବିଷୟ ନୁହେଁ। ସେହି ପୃଷ୍ଠଭୂମିରେ ବିଜେଡ଼ିର ନୂଆଦିଲ୍ଲୀ ରାଲି କେବଳ ସୋସିଆଲ ମିଡିଆରେ ରୋଚକ ଖବର ହୋଇ ରହିଯାଇଛି। ଓଡିଶାର ବିରୋଧୀ ଦଳ ଗୁଡିକ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ିକୁ ଘେରିବା ବାହାନାରେ କେବଳ ସୁଆଙ୍ଗ ଇ କରୁଛନ୍ତି।

ଚାଷ ଓ ଚାଷୀଙ୍କୁ ନେଇ ଯେଉଁ କେତୋଟି ପ୍ରମୁଖ ସମସ୍ଯା ରହିଛି, ତାହାର ସମାଧାନ କରିବା ରାଜ୍ୟ ସରକାରଙ୍କ କାମ। ତାରି ଭିତରେ ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର। କିନ୍ତୁ ଓଡିଶା ପ୍ରସଙ୍ଗରେ ଗୋଟିଏ କଥା ଦେଖିବା ରାଜ୍ୟ ସରକାରଙ୍କ ପାଇଁ ଜରୁରୀ। ଯଦିଓ ରାଜ୍ୟ ସରକାର ଓଡିଶାରେ ଚାଷୀଙ୍କ ଆୟ ଦୁଇ ଗୁଣ ବଢିଛି ବୋଲି କହୁଛନ୍ତି, ଆସାଲରେ କିନ୍ତୁ ଆମ ରାଜ୍ୟର ଚାଷୀଙ୍କ ଆୟ ଦେଶର ସବୁଠୁ କମ। କେବଳ ପଶ୍ଚିମବଙ୍ଗ କୁ ବାଦ ଦେଲେ ବାକି ସବୁ ରାଜ୍ୟରେ ଚାଷୀଙ୍କ ଆୟ ଓଡିଶା ତୁଳନାରେ ଢେର ଅଧିକ। ଓଡିଶାରେ ଗୋଟେ ଚାଷୀ ପରିବାର ମାସିକ ହାରାହାରି ୧୪୦୭ ଟଙ୍କା ରୋଜଗାର କରୁଥିବାବେଳେ ପଞ୍ଜାବରେ ଏହା ୧୦,୮୬୨ ଟଙ୍କା। ରାଜ୍ୟ ସରକାର ଚାଷୀଙ୍କ ଆୟ ଦୁଇଗୁଣ ବଢାଇବାର ଲକ୍ଷ୍ୟ ନେଇ କାମ କଲେ ଦୁର୍ଦ୍ଦିନ ସରିବନାହିଁ। ଏହାକୁ ଅତିକମରେ ଚାରି ଗୁଣ ବଢାଇବାର ସୁଯୋଗ ସୃଷ୍ଟି କରିବାକୁ ପଡିବ।

ରାଜ୍ୟର ଅଭିବୃଦ୍ଧିରେ କୃଷିର ଭୂମିକା ଦିନକୁ ଦିନ ଗୌଣ ହୋଇଚାଲିଛି। ୧୯୫୦-୫୧ ବେଳକୁ ରାଜ୍ୟର କୃଷି କ୍ଷେତ୍ର ରୁ ୫୬.୧୦% ଜିଡିପି କୁ ଆସୁଥିଲା। ୨୦୧୫-୧୬ ବେଳକୁ ତାହା ୧୫.୪% କୁ ଖସି ଆସିଛି। ରାଜ୍ୟର ୯୦% କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ହୋଇଥିବାରୁ ଓ ସେମାନଙ୍କ ପାଖରେ ଜମି ପରିମାଣ ଅତ୍ୟନ୍ତ ସ୍ବଳ୍ପ ରହିଥିବାରୁ, ସେମାନଙ୍କର ଆୟରେ କୌଣସି ବ୍ୟାପକ ପରିବର୍ତ୍ତନ ଆସି ପାରୁନାହିଁ।  ଚାଷୀଙ୍କୁ କେବଳ ପ୍ୟାକେଜ ଦେଇଦେଲେ ସେମାନଙ୍କ ସମସ୍ୟାର ସମାଧାନ ହେବନାହିଁ। ଏଥିପାଇଁ ଠୋସ କାର୍ଯପନ୍ଥା ସ୍ଥିର ହେବା ଜରୁରୀ।

ଚାଷର ପ୍ରଣାଳୀ ଓ କିସ୍ମ ମଧ୍ୟ ବଦଳିବା ଦରକାର। ତେବେ ଚାଷୀଙ୍କ ସମସ୍ୟା ବିଷୟରେ ଭାବିବା ଲାଗି କାହା ପାଖରେ ସମୟ ନାହିଁ। ଶାସକ ବିଜେଡି ନୂଆଦିଲ୍ଲୀରେ କୃଷକ ରାଲି କରୁଥିବାରୁ ତାଙ୍କୁ ପ୍ରତିହତ କରିବାର ଲକ୍ଷ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟ ରାଲି କରୁଛନ୍ତି କିମ୍ବା ବିଜେଡି କୁ ଗାଳି କରୁଛନ୍ତି। ରାଜନୀତିରେ ସେଟା  ସ୍ଵାଭାବିକ। ତେବେ ରାଜ୍ୟର ଗଣମାଧ୍ୟମ କିନ୍ତୁ ଚାଷୀ ପ୍ରସଙ୍ଗରେ କୌଣସି ବାସ୍ତବ ତଥ୍ୟ ନରଖି କେଉଁ ନେତା କେମିତି ଦିଲ୍ଲୀ ଗଲେ, କିଏ ପିଜୁଳି ଖାଇଲେ ନା କୁକୁଡା ମାଂସ, ସେସବୁ ବାଜେ ଖବର ଛାପିବାରେ ଅଭ୍ୟସ୍ତ ହୋଇଯାଇଛି। ଚାଷର ରାଜନୀତି ଚାଷୀର ଅସ୍ତିତ୍ଵଠୁ  ବହୁତ ବଡ ହୋଇଯାଇଛି।

ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା, କାଳିଆ ଇତ୍ୟାଦି କଥା କହୁଛନ୍ତି, ଭଲକଥା। କିନ୍ତୁ କେବଳ ପାଞ୍ଚ ହଜାର କି ଦଶ ହଜାର ସହାୟତାରେ ଚାଷୀର ଭାଗ୍ୟ ବଦଳିବ ନାହିଁ।  କୃଷି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ଲଗାଇବା ଓ ଚାଷୀକୁ ତାର ଜୀବିକା ର ସୁରକ୍ଷା ଦେବା, ରାଜ୍ୟ ସରକାରଙ୍କ ଦାୟିତ୍ଵ ନିଶ୍ଚୟ। ଦିଲ୍ଲୀ ରେ ରାଲି ବହୁତ ହୋଇଛି ଓ ହେବ, କିନ୍ତୁ ଚାଷୀ ଥରେ ବାଟ ହୁଡିଗଲେ ତା ଜୀବନର ଗୋଟିଏ ବର୍ଷ ଚାଲିଯିବ।   ତେଣୁ ବିରୋଧୀଙ୍କ ତୁଳନାରେ ଶାସକ ବିଜୁ ଜନତା ଦଳ କୃଷକଙ୍କ ପାଖରେ ଅଧିକ ଉତ୍ତରଦାୟୀ ରହିବାକୁ ବାଧ୍ୟ।

Categories
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର ଦାବୀ କେନ୍ଦ୍ରର ଦାଦାଗିରି ବିରୋଧରେ ଏକ ବୃହତ୍ତର ରାଜନୈତିକ ଅସ୍ତ୍ର

କେଦାର ମିଶ୍ର

“ବିଜୁ ବାବୁ ଠିକ କହିଥିଲେ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢି ତୋଳିବି। ବିଜୁ ବାବୁଙ୍କ ସହ ମୁଁ ଏକମତ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ। ମୋର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦରକାର ନାହିଁ, ମୋର କେନ୍ଦ୍ରୀୟ ପାଣ୍ଠି, ଅନୁଦାନ କିଛି ଦରକାର ନାହିଁ। ମୋର ଆର୍ଥିକ ସ୍ଵାୟତ୍ତତା ଦରକାର। ଓଡିଶାର ଟଙ୍କାରେ ମୁଁ ଓଡିଶାବାସୀଙ୍କର  ଉନ୍ନତି କରିବି।“

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଏକଥା କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୋଧହୁଏ ଗତ ଦଶ ବର୍ଷ ଭିତରେ ନବୀନ ବାବୁ ଦେଇଥିବା ବକ୍ତବ୍ୟ ଗୁଡିକ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ଓ ବର୍ତ୍ତମାନ ର ରାଜନୈତିକ ପରିସ୍ଥିତିରେ ସବୁଠୁ ବେଶୀ ପ୍ରାସଙ୍ଗିକ। ମୋଦୀ ସରକାର ଅମଳରେ ରାଜ୍ୟ ଓ କେନ୍ଦ୍ର ଗୁଡିକ ମଧ୍ୟରେ ବଢିଚାଲିଥିବା ଦୂରତ୍ଵ କାରଣରୁ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ଏପ୍ରକାର ଦାବୀ କୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କିଛି ଦିନ ତଳେ ଏ ପ୍ରସଙ୍ଗ ଉଠାଇଥିଲେ। ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀମାନେ ଏ ପ୍ରସଙ୍ଗକୁ ନେଇ ମିଳିତ ଭାବରେ ଏକ ଚାପ ଗୋଷ୍ଠୀ ଗଠନ କରିଛନ୍ତି। ଯେଉଁ ରାଜ୍ୟ ଗୁଡିକ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଉପାୟରେ ସର୍ବାଧିକ ଟିକସ ଓ ଖଣିଜ ରୟାଲିଟି ଦେଉଛନ୍ତି, ସେମାନେ ସ୍ଵାଭାବିକ ଭାବରେ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଲାଭାଂଶ ଚାହିଁବେ। ଏ କ୍ଷେତ୍ରରେ ସମ୍ବଳର ଯଥାର୍ଥ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି ନାହିଁ। ପୂର୍ବରୁ ଯୋଜନା କମିଶନ ଏ ବିଷୟରେ ରାଜ୍ୟ ଗୁଡିକ ସହିତ ବ୍ୟାପକ ପରାମର୍ଶ କରୁଥିଲେ। ଅର୍ଥ କମିଶନ ଓ ଯୋଜନା କମିଶନ ସହିତ ରାଜ୍ୟ ସରକାର ଗୁଡିକର ନିୟମିତ ସମ୍ପର୍କ କାରଣରୁ ଅନେକ ସମସ୍ୟାର ସହଜ ସମାଧାନ ବାହାରି ପାରୁଥିଲା।

ମୋଦୀ ସରକାର ଆସିଲା ପରେ ସଙ୍ଘୀୟ ଢାଞ୍ଚାକୁ ଉପେକ୍ଷ କରି ଯୋଜନା କମିଶନକୁ ଭାଙ୍ଗିଦେଲେ ଓ ଏହାକୁ ନୀତି ଆୟୋଗ ଭାବରେ କେବଳ ଏକ ଉପଦେଷ୍ଟା ଭୂମିକାରେ ସୀମିତ ରଖିଲେ। ଏବେ କେନ୍ଦ୍ର ଓ ରାଜ୍ୟ ଭିତରେ ସମ୍ବଳ ଆବଣ୍ଟନ ର ଦାୟିତ୍ଵ ସିଧା ସଳଖ କେନ୍ଦ୍ର ଅର୍ଥ ବିଭାଗକୁ ଚାଲିଗଲା। ଯୋଜନା କମିଶନ ଯେଉଁ ପେଷାଦାର ମନୋଭାବ ନେଇ କାମ କରୁଥିଲେ, ତାହା ଅର୍ଥ ମନ୍ତ୍ରଣାଳୟ ବା ନୀତି ଆୟୋଗ ଦ୍ଵାରା ଆଉ ସମ୍ଭବ ହେଲାନାହିଁ। ରାଜନୈତିକ ସ୍ବାର୍ଥକୁ କେନ୍ଦ୍ରରେ ରଖି ଅର୍ଥ ବିଭାଗ ରାଜ୍ୟ ଗୁଡିକ ଉପରେ ନିଜର ଦାଦାଗିରି ଦେଖାଇଲେ। ଯାହାର ପରିଣତି ସ୍ଵରୂପ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କଲେ।  ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଏ ପ୍ରସଙ୍ଗରେ ନିଜର ଅସହଜତା ପ୍ରକାଶ କରିଛନ୍ତି।

ଓଡିଶା ମୁଖ୍ୟମନ୍ତ୍ରୀ ଗତ କିଛି ବର୍ଷ ଧରି ରାଜ୍ୟକୁ ସ୍ଵତନ୍ତ୍ର ପାହ୍ୟା ଦେବାକୁ ଦାବି କରି ଆସୁଥିଲେ। ଗତ କାଲି ପ୍ରଥମଥର ପାଇଁ ନବୀନଙ୍କ ସ୍ଵରରେ କିଛିଟା ବିଦ୍ରୋହର ଆଭାସ ଦେଖିବାକୁ ମିଳିଛି। ଖଣି ନିଲାମିରୁ ଓଡିଶା ସତୁରୀ ହଜାର କୋଟି ଟଙ୍କା ପାଇବା ବୋଲି କୁହା ଯାଉଥିଲା। ହେଲେ ଗତ ତିନି ବର୍ଷରେ ରାଜ୍ୟ ମାତ୍ର ୩୭୦ କୋଟି ଟଙ୍କା ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରଶ୍ନର ଉତ୍ତର କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ। ଖଣି ନିଲାମିରୁ ମିଳିଥିବା ଅର୍ଥରେ ରାଜ୍ୟ ଗୁଡିକର ବିକାଶ ପାଇଁ ପ୍ରଚୁର ଅର୍ଥ ଆସିବା ବୋଲି ସେତେବେଳେ କୁହାଯାଇଥିଲା। ସେ ଅର୍ଥ ଗଲା କୁଆଡେ?

ରାଜ୍ୟର ଆର୍ଥିକ ସ୍ଵାୟତ୍ତତାକୁ ନେଇ ବୃହତ୍ତର ବିତର୍କର ଆବଶ୍ୟକତା ଥିବାବେଳେ ଆମର ଗଣମାଧ୍ୟମ ଚିରାଚରିତ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାଦୀପାଲା ଦେଖାଉଛନ୍ତି। ମୂଳ ପ୍ରସଙ୍ଗ ଉପରେ ଆଲୋଚନା ନକରି ଅଯଥା ନାଟକବାଜିରେ ରାଜ୍ୟର ମଙ୍ଗଳ ହେବାର ନାହିଁ। ସ୍ଵତନ୍ତ୍ର ରାଜ୍ୟ ପାହ୍ୟାରୁ ଆର୍ଥିକ ସ୍ଵାୟତ୍ତତାର ଦାବୀ ବିଜେଡି ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାର ସୂଚନା ଦେଉଛି। ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ସ୍ଵାୟତ୍ତତା ପ୍ରସଙ୍ଗ ଉଠାଇ ସବୁ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଚିମୁଟି ଦେଇଛନ୍ତି। ସଙ୍ଘୀୟ ଢାଞ୍ଚାରେ କେନ୍ଦ୍ର ସରକାରର ସୀମାକୁ ନେଇ ଏଇଠୁ ବ୍ୟାପକ ବିତର୍କ ଆରମ୍ଭ ହେବ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଇବା ପଛରେ ମଧ୍ୟ ନବୀନ ବାବୁଙ୍କର ଭିନ୍ନ ଉଦ୍ଦେଶ୍ୟ ରହିଛି। ଏହି ପ୍ରସଙ୍ଗକୁ ଆଳ କରି ଆଞ୍ଚଳିକ ଦଳ ଗୁଡିକ ନିଜର ରାଷ୍ଟ୍ରୀୟ ଏଜେଣ୍ଡା ପ୍ରସ୍ତୁତ କରିପାରନ୍ତି। ପ୍ରସ୍ତାବିତ ସଙ୍ଘୀୟ ସାମ୍ମୁଖ୍ୟ ଏହି ଦାବି ଉପରେ ଗଠିତ ହୋଇପାରେ। ନବୀନ ବିଜେଡି ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କର ଏହି ପୁରୁଣା ଦାବୀ କଥା ଉଠାଇ ପୁଣିଥରେ କେନ୍ଦ୍ର ସରକାରକୁ କାଠଗଡାରେ ଠିଆ କରାଇବାରେ ସଫଳ ହୋଇଛନ୍ତି

Categories
ବିଶେଷ ଖବର

ଅଟୋ ପାଇଲଟ ମୋଡରେ ବିରୋଧୀ, ବୈଜୟନ୍ତ ମାନିଲେ, ନବୀନ ଆଜି ମଧ୍ୟ ଅଜେୟ!!

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା କରିବାକୁ ଏବେ ଆଉ ଗଣମାଧ୍ୟମର ଆଗ୍ରହ ନାହିଁ। ବୈଚାରିକ ଦୃଷ୍ଟିରୁ ବିଜେପି ତାଙ୍କ ଲାଗି ହୁଏତ ସ୍ଵାଭାବିକ ପସନ୍ଦ ହୋଇଥାନ୍ତା, ହେଲେ ବିଜେପି ନେତୃତ୍ୱ ତାଙ୍କୁ ଡାକିବାକୁ କୁନ୍ଥ କୁନ୍ଥ ହେଉଛନ୍ତି। ଡିସେମ୍ବର ୨୪ ରେ ବୈଜୟନ୍ତ ଖୁର୍ଦ୍ଧା ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ଏକ ଖବର ଶୁଣିବାକୁ ମିଳୁଥିଲା, ଯାହାକୁ ରାଜ୍ୟ ବିଜେପି ସଭାପତି ଖଣ୍ଡନ କରିଥିଲେ। ପ୍ରଧାନମନ୍ତ୍ରୀ ଆସିଲେ ଓ ଗଲେ, କିନ୍ତୁ ବୈଜୟନ୍ତଙ୍କ ଲାଗି ବିଜେପିର କବାଟ ସେମିତି ପୂର୍ବ ପରି ବନ୍ଦ ରହିଲା। ଇତି ମଧ୍ୟରେ ବୈଜୟନ୍ତ ନିଜର ଲେଖା ମାଧ୍ୟମରେ ଓ ସୋସିଆଲ ମିଡିଆ ଜରିଆରେ ବିଜେପିର ସବୁ ନୀତିକୁ ସମର୍ଥନ କରି ଚାଲିଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ସଙ୍କୁଚିତ କରିବାରେ ସରକାରୀ ପକ୍ଷକୁ ବୈଜୟନ୍ତ ସମର୍ଥନ କରି ଏକ ସ୍ତମ୍ଭ ରଚନା କରିଛନ୍ତି। ତଥାପି କେଉଁ ଅଜ୍ଞାତ କାରଣରୁ କେଜାଣି ବୈଜୟନ୍ତଙ୍କଠାରୁ ବିଜେପି ସତର୍କ ଦୂରତା ଅବଲମ୍ବନ କରୁଛି।

ତେବେ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଖୁର୍ଦ୍ଧା ଭାଷଣରେ ନବୀନ ଓ ବିଜେଡି ସରକାର ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବା ପରେ ବୈଜୟନ୍ତଙ୍କର ବୋଧେ ବିଜେପି ପ୍ରତି ମୋହଭଙ୍ଗ ଘଟିଛି। ୨୪ ତାରିଖ ସନ୍ଧ୍ୟାରେ ସି-ଭୋଟର ସଂସ୍ଥା ତରଫରୁ କରାଯାଇଥିବା ଜନମତ ସର୍ବେକ୍ଷଣରେ ଲୋକସଭା ନିର୍ବାଚନରେ ଓଡିଶାରୁ ବିଜେପି ୧୫ ଟି ଆସନ ପାଇବା ବୋଲି କୁହାଯାଇଥିଲା। ସ୍ଵାଭାବିକ ଭାବରେ ଏହି ଖବର କୁ କେହି ବିଶ୍ବାସକୁ ନେଇନଥିଲେ। ଛୋଟ ଛୋଟ ନବୀନ ବିରୋଧୀ ଖବର କୁ ବଡ କରି ଦେଖାଉଥିବା ବୈଜୟନ୍ତଙ୍କ ଓଟିଭି, ଏହି ସର୍ବେକ୍ଷଣକୁ ଏକପ୍ରକାର ଆଡେଇ ଯାଇଥିଲା। ତେବେ ଏହି ଖବରର ପ୍ରତିକ୍ରିୟାରେ ବୈଜୟନ୍ତ ଏକ ପିନଡ ଟୁଇଟ କରିଥିଲେ, ଯାହାକି ଏବେ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି।

ଏବିପି ନ୍ୟୁଜର ଟୁଇଟ ଥିଲା, “ମୋଦୀ କୁହୁକକୁ ଆଶ୍ରା କରି ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାରେ ବିଜେପି ବେଶ ଲାଭ ପାଇବାକୁ ଯାଉଛି- ଏବିପି ସର୍ବେକ୍ଷଣ”। ଏହାର ଉତ୍ତରରେ ବୈଜୟନ୍ତ ଲେଖିଥିଲେ- “ଏହା ଏକ ଅହଙ୍କାରୀ କଳନା, ସତରେ ଏମିତି ହେବ କି? ଯଦି ବା ସେମିତି କିଛି ସମ୍ଭାବନା ଅଛି ତାହା ଅଟୋ ପାଇଲଟ ମୋଡରେ ସମ୍ଭବ ହେବନାହିଁ। ସରକାର ବିରୋଧରେ ଲଢିବାକୁ ବିରୋଧିର ଶକ୍ତ କଲିଜା ଥିବା ଜରୁରୀ। ଓଡିଶାରେ ଖାଲି ଦୁର୍ନୀତି ହେଉଛି ଓ ଅପରାଧ ବଢିଛି ବୋଲି କହିଲେ ହେବନାହିଁ, ସେଥିଲାଗି କାମ କରିବାକୁ ପଡିବ। “

ଏହି ଟୁଇଟକୁ ସ୍ଵତନ୍ତ୍ର ଭାବରେ ପିନ କରି ରଖିବା ପଛରେ ବୈଜୟନ୍ତଙ୍କ ରାଜନୈତିକ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ସେ ସିଧା ସିଧା ଓଡିଶାରେ ବିଜେପିର ବିଜୟ ସମ୍ଭାବନାକୁ ଅମୂଳକ ବୋଲି କହୁଛନ୍ତି। ତା ସହିତ ନବୀନଙ୍କ ବିରୋଧରେ ଲଢିବାକୁ ବିଜେପିର କଲିଜା ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ନବୀନଙ୍କ ଲୋକପ୍ରିୟତା ବିଷୟରେ ବୈଜୟନ୍ତଙ୍କ ଆକଳନ ବାସ୍ତବ ତଥ୍ୟ ଉପରେ ହିଁ ପର୍ଯବସିତ। ତେବେ ହଠାତ ବୈଜୟନ୍ତଙ୍କ ଏ ପ୍ରକାର ପଟ୍ଟ ପରିବର୍ତ୍ତନର କାରଣ କଣ? ବିଜେପି ଓ କଂଗ୍ରେସର ନବୀନ ବିରୋଧୀ ଆଭିମୁଖ୍ୟରେ ଶିଥିଳତା ତାଙ୍କୁ ବ୍ୟଥିତ କରିଛି କି? ବିଭିନ୍ନ ବାଟ ଦେଇ ବିଜେପିରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହେବାପରେ ବୈଜୟନ୍ତ ଏବେ ବିଜେପି ଉପରେ ଅଲଗା ପ୍ରକାର ଚାପ ପ୍ରୟୋଗ କରିବାର ଚେଷ୍ଟା କରୁଛନ୍ତି କି?

ପ୍ରଶ୍ନ ଅନେକ, ଏହାର ଉତ୍ତର ମଧ୍ୟ ବହୁମୂଖୀ। ତେବେ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ବୈଜୟନ୍ତ ପୁଣି ଥରେ ବିଜେଡି କୁ ଫେରି ଆସିବାକୁ ବ୍ୟାକୁଳ ବୋଲି ତାଙ୍କର ଜଣେ ପୁରୁଣା ସହଯୋଗୀ କହିଛନ୍ତି। ହେଲେ ତାଙ୍କୁ ବିଜେଡି ନେତୃତ୍ୱ ପୁଣିଥରେ ଗ୍ରହଣ କରିବ ତ? ୟା ପୂର୍ବରୁ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ବିଷୟରେ ମଧ୍ୟ ବୈଜୟନ୍ତ ଗୋଲ ମୋଲ ଉତ୍ତର ରଖିଥିଲେ। ସେ ହୁଏତ ପରିବର୍ତ୍ତିତ ପରିସ୍ଥିତିରେ କିଛି ସମୟ ଚୁପ ରହି ୨୦୧୯ ନିର୍ବାଚନ ପରେ ନିଜର ଗତିପଥ ବଦଳାଇ ପାରନ୍ତି।

ତେବେ ବାକି ଯାହା ହେଉନା କାହିଁକି, ବୈଜୟନ୍ତ ପରିଶେଷରେ ନବୀନକୁ ଅଜେୟ ନେତା ବୋଲି ମାନିବା, ଏବେ ବିଜେଡି କୁ ଆଶ୍ଚର୍ୟ କରିଛି।