Categories
ଆଞ୍ଚଳିକ

ବାଲି ବୋଝେଇ ଟ୍ରକ ଧକ୍କାରେ ଛାତ୍ର ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ ଟିପର (ଓଡ ୦୯ ସି୦୬୬୩) ଧକ୍କାରେ ଗ୍ରାମ ର ସୁଧାଂଶୁ ପଣ୍ଡା ନାମକ ଜଣେ ୮ମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଅଞ୍ଚଳ ବାସିନ୍ଦାଙ୍କ ଠାରୁ ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଛି।

ପ୍ରକାଶ ଥାଊକି ଉକ୍ତ ଅଞ୍ଚଳର ସନ୍ତୋଷପୁର ବାଲିଘାଟରୁ ବ୍ୟବସାୟୀ ମାନେ ଦିବାରାତ୍ରି ଗାଡ଼ି ଚଳାଚଳ କରୁଛନ୍ତି। ଯାହା ଫଳରେ ପିତଳ ବଜାର ମୁଖ୍ୟ ରାସ୍ତାରେ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ସମେତ ଅନ୍ୟାନ୍ୟ କିଛି ଅନୁଷ୍ଠାନ ରହିଛି ଓ ସାଧାରଣ ଲୋକ ଏହି ଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଏହି ଭଳି ପରିସ୍ଥିତି ରେ ଅଞ୍ଚଳର ବୁଦ୍ଧିଜୀବୀ ପୋଲିସ, ତହସିଲଦାର, ଜଙ୍ଗଲ ବିଭାଗ ଓ ଖଣି ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି।

Categories
ବିଶେଷ ଖବର

ହିଂଜିଳି ହାଲଚାଲ, ନବୀନଙ୍କ ପାଇଁ ନିଷ୍କଣ୍ଟକ ଭୂମି ଓ ହିଞ୍ଜିଳିରେ ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ

 ହିଂଜିଳିରୁ କେଦାର ମିଶ୍ର

ଏପ୍ରିଲ ୨ ତାରିଖ ସନ୍ଧ୍ୟା ଛ’ଟା ବେଳକୁ ଆମେ ହିଂଜିଳି ସୀମାରେ ପ୍ରବେଶ କଲା ବେଳେ ଆକାଶରେ କାଳ ବୈଶାଖୀର ଆଭାସ ସ୍ପଷ୍ଟ। ହିଞ୍ଜିଳିରୁ ପଞ୍ଚମ ଥର ଲାଗି ନିର୍ବାଚନ ଲଢୁଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ହିଂଜିଳି ବିଜୟ କେତେ ସହଜ ବା କେତେ କଠିନ ହେବ, ସେ ପ୍ରଶ୍ନ ନେଇ ଆମେ ହିଂଜିଳି ଭିତରକୁ ପଶୁଥିଲୁ। ତା ପୂର୍ବରୁ ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟ, କବିସୂର୍ଯନଗରଓ ଆସ୍କାରେ ଲୋକଙ୍କ ସହ କଥାବାର୍ତ୍ତାରୁ ଆମର ମନେ ହୋଇଥିଲା, ବୋଧେ ଏଥର ବିଜେଡି ପ୍ରଥମଥର ଲାଗି ଗଞ୍ଜାମ ଗଡରେ ବଡ ଆହ୍ୱାନର ସାମ୍ନା କରୁଛି। ବିଜେପିର ଆକ୍ରମଣାତ୍ମକ ପ୍ରଚାର ଆଗରେ ବିଜେଡି ପ୍ରଚାର ଟିକେ ମାନ୍ଦା ମଧ୍ୟ ଲାଗିଥିଲା। ତେବେ ପିତ୍ତଳରେ ପହଞ୍ଚିଲା ବେଳକୁ ଆମକୁ ଲାଗିଥିଲା ଆମେ ଗୋଟେ ନୂଆ ଇଲାକାରେ ପ୍ରବେଶ କରୁଛୁ। ଗୋଟେ ବିକଶିତ ଅଞ୍ଚଳର ସବୁ ସଙ୍କେତ ହିଞ୍ଜିଳିର ରାସ୍ତାରୁ ମିଳିଯାଉଛି। ପିତ୍ତଳ ବଜାରରେ କିଛି ଲୋକଙ୍କ ଭିଡ ଥିଲା। ଆମେ ପଚାରିଥିଲୁ,ଏଥର ବିଜେପି ନବୀନଙ୍କ ବିରୋଧରେ ଜଣେ ଟାଣୁଆ ପ୍ରାର୍ଥୀ ଦେଇଛି। ସେ କହୁଛନ୍ତି, ନବୀନ ହାରି ସାରିଲେଣି। କଣ ସତ? ଏକା ସାଙ୍ଗରେ ହୋ ହୋ ହୋଇ ହସି, ଲୋକେ କହିଲେ, କହିବାରେ କିସ ଅଛି ଆଜ୍ଞା। ହିଞ୍ଜିଳିରେ କେବଳ ନବୀନ।

ହିଞ୍ଜିଳି ବଜାରକୁ ପହଞ୍ଚିଲା ବେଳେ ଆରମ୍ଭ ହୋଇଗଲା, କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା। ଗୋଟେ ଚା ଦୋକାନରେ ପଶୁ ପଶୁ ଆମେ ଦେଖିଲୁ ଦଶଜଣ ଲୋକ ଗପୁଛନ୍ତି। ସେଠି ଆମେ ଟିକେ ପ୍ରସଙ୍ଗ ବଦଳାଇବାକୁ ଚାହିଁଲୁ। ପ୍ରଶ୍ନ ଥିଲା- ନବୀନ ବାବୁ ଏଥର ହିଞ୍ଜିଳି ସହ ବିଜେପୁରରୁ ବି ଲଢୁଛନ୍ତି। ଶୁଣାଯାଉଛି, ସେ ବିଜପୁରରୁ ଜିତିଲେ, ହିଂଜିଳି ଛାଡିବେ। ସେମିତି ହେଲେ ଆପଣମାନେ କଣ କରିବେ? ତେବେ ଲୋକଙ୍କ ଉତ୍ତର ଥିଲା ଆହୁରି ଚମକପ୍ରଦ। ଆମେ ବି ସେୟା ଶୁଣୁଛୁ, ହେଲେ ତାର କିଛି ଫରକ ପଡିବନି। କାରଣ ନବୀନଙ୍କ ପରେ ତାଙ୍କ ପୁତୁରା ହିଞ୍ଜିଲିରୁ ଲଢିବେ। ଏ ଉତ୍ତର ଆମପରି ସାମ୍ବାଦିକଙ୍କ ଲାଗି ଗୋଟେ ପ୍ରକାର ବିସ୍ମୟ। ନବୀନଙ୍କ ଉତ୍ତରାଧିକାର ପ୍ରସଙ୍ଗ ଆଜିଯାଏ ଉଠିନାହିଁ। ହେଲେ ହିଂଜିଳି, ଶେରଗଡ ଇତ୍ୟାଦି ଅଞ୍ଚଳରେ ଏହାକୁ ନେଇ ଢେର ଚର୍ଚ୍ଚା।

ନବୀନଙ୍କ ବିକଳ୍ପ ତାଙ୍କ ଭୋଟରମାନେ କଳ୍ପନା କରିସାରିଛନ୍ତି। ଅର୍ଥାତ ନବୀନଙ୍କ ଛାୟାରୁ ମୁକୁଳିବାର ଆଗ୍ରହ ହିଞ୍ଜିଳିବାସୀଙ୍କର ନାହିଁ। ହିଞ୍ଜିଳିରେ ନବୀନ ହାରିବେ ବୋଲି ଆପଣ ଯଦି କହିବେ, ଲୋକେ ଆପଣଙ୍କୁ ପାଗଳ କିମ୍ବା ନିର୍ବୋଧ ବୋଲି କହିବେ। ଏପରିକି ବିଜେପି ଓ କମ୍ୟୁନିଷ୍ଟ ପତାକାଧାରୀଙ୍କ ମତ ମଧ୍ୟ ସେୟା। ଗୋଟେ ବିଜେପି ପ୍ରଚାରଗାଡିକୁ ଅଟକାଇ ଆମେ ଜାଣିବାକୁ ଚାହିଁଥିଲୁ, ତାଙ୍କ ପ୍ରଚାର କେମିତି ଚାଲିଛି। ଉତ୍ତର ଆସିଲା, ଏଠି ନବୀନ ଛଡା ଆଉ କିଛି ନାଇଁ।

ଚାରିଥର ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ହେବା ପରେ ଓ ପଞ୍ଚମଥର ନୂଆ ଏକ ନିର୍ବାଚନ ମଣ୍ଡଳୀ ବାଛିବା ସତ୍ତ୍ୱେ ନବୀନଙ୍କ ପ୍ରତି ତାଙ୍କ ଭୋଟର ବିମୁଖ ହେଉନାହାନ୍ତି କାହିଁକି? ଏହାର ଉତ୍ତର ହିଂଜିଳି –ଶେରଗଡ ଓ ଶେରଗଡ ସୋରଡା ରାସ୍ତାରୁ ମିଳିଯିବ। ରାଜ୍ୟ ରାଜପଥ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏ ଅଞ୍ଚଳର ଯୋଗାଯୋଗ ଅଦ୍ଭୁତ ଭାବରେ ବିକଶିତ ହୋଇଛି। ସତ କହିବାକୁ ଗଲେ ଗତ ଚାରିଦିନ ଧରି ଭୁବନେଶ୍ବରରୁ ବାହାରି ଆମେ କୋରାପୁଟ ପର୍ଯନ୍ତ ପ୍ରାୟ ୨୦୦୦ କିଲୋମିଟର ରାସ୍ତା ବୁଲିଲୁଣି। ସବୁଠି ରାସ୍ତା ଚକାଚକ। ସେତେବଳେ ଏଡିଆରର ଗୋଟେ ସର୍ବେକ୍ଷଣ କହୁଛି, ଓଡିଶାରେ ରାସ୍ତାଘାଟର ଅବସ୍ଥା କୁଆଡେ ଖରାପ! ମୁଁ ବୁଝିପାରୁନି, କାହାକୁ ବିଶ୍ଵାସ କରିବି, ନିଜକୁ ନା ସର୍ବେକ୍ଷଣକୁ? ରାଜ୍ୟର ସବୁ ରାସ୍ତା ପରି ହିଂଜିଳି ରାସ୍ତା ମଧ୍ୟ ଭଲ। ଏଥିରେ ଅଲଗା କଣ ଅଛି? ରାମକୃଷ୍ଣ ସାହୁ ନାମକ ଜଣେ ହିଞ୍ଜିଳି ଭୋଟର କହିଥିଲେ, ହିଞ୍ଜିଳିରେ ଗତ ପାଞ୍ଚବର୍ଷ ଧରି ଯାହା ଘଟିଛି, ସେକଥା ଆମ କଳ୍ପନା ବାହାରେ।

ହିଞ୍ଜିଳିରେ ୟା ଭିତରେ ବହୁ ଅନୁଷ୍ଠାନ ଗଢି ଉଠୁଛି। ମେଡିକାଲ କଲେଜ, ଆଇଟିଆଇ, ପାର୍କ, ସବୁ ସରକାରୀ କୋଠାର ଚେହେରା ଚମତ୍କାର। ଜଣେ ବିଜେପି କର୍ମୀ ରାଗିକି କହିଲେ, ବୁଢାବୁଢି ଓ ମା’ ମାନେ ତ ନବୀନବାବୁକୁ ବିନା ପ୍ରଶ୍ନ ରେ ଭୋଟ ଦେବେ। ଆମେ ଯେତେ ପାଟି କଲେ କଣ ହେବ ? ତେବେ ନବୀନ ବାବୁଙ୍କ ନିର୍ବାଚନମଣ୍ଡଳୀରେ ଆଉ ଦୁଇଟି ପ୍ରସଙ୍ଗ ମଧ୍ୟ ଏଥର ମୁଣ୍ଡ ଟେକିଛି। ଆସ୍କା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଶୋୟୀଙ୍କୁ ନେଇ ତଥାକଥିତ ଶିକ୍ଷିତ ଅଶିକ୍ଷିତ ପ୍ରସଙ୍ଗଟି ଏଥର ଆସ୍କାରେ ବେଶ ଚର୍ଚ୍ଚାରେ ରହିଛି। ଟିଭି ଦେଖୁଥିବା ସହରୀ ଯୁବାଙ୍କ ମନରେ ମୋଦୀ ଆଗ୍ରହ ବଢୁଛି। ତହିଁରୁ ଏକ ଛୋଟ ଅଂଶ ଓଡିଶାରେ ନବୀନ ଓ କେନ୍ଦ୍ରରେ ମୋଦୀ ଭଳି ଚିନ୍ତା କରୁଛନ୍ତି। ଏକଦା ଶେରଗଡ ଓ ହିଂଜିଳି କମ୍ୟୁନିଷ୍ଟମାନଙ୍କ ଦୁର୍ଗ ଥିଲା। ଏଥର ଆସ୍କା ଲୋକସଭାରେ ସିପିଆଇ ର ରାମକୃଷ୍ଣ ପଣ୍ଡା କଂଗ୍ରେସ ସହଯୋଗରେ ନିର୍ବାଚନ ଲଢୁଛନ୍ତି। ହେଲେ ହିଞ୍ଜିଳିରେ କମ୍ୟୁନିଷ୍ଟମାନେ କାହାନ୍ତି ?

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

 

Categories
ବିଶେଷ ଖବର

ଗଣ୍ଡଗୋଳିଆ ପୀତାମ୍ବର ଆଚାର୍ଯ୍ୟ, କିଏ ନିଆଁ, କିଏ କାହା ସାଙ୍ଗରେ ଖେଳୁଛି ଓ କେଉଁଥି ପାଇଁ ଏ ଅମାନବୀୟ ନାଟକ ?

କେଦାର ମିଶ୍ର

 

  • ମୁଁ ନିଆଁ, ମୋ ସାଙ୍ଗରେ ଖେଳନାଇଁ।
  • ମୁଁ ମରିପାରେ, କିନ୍ତୁ ମରିବା ଆଗରୁ ଦୁଇ ଚାରି ଜଣଙ୍କୁ……….
  • ମୁଁ ହିଞ୍ଜିଳୀରେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି…ପ୍ରତିଦ୍ବନ୍ଦ୍ବୀ।
  • ମୁଁ ବଡ ଓକିଲ ତମେ ଜାଣିନ କି? ମୁଁ ଇଲେକ୍ସନ କମିଶନଙ୍କ ଓକିଲ ଥିଲି ବୋଲି ତମେ ଜାଣିନ କି?
  • ମାଜିଷ୍ଟ୍ରେଟ? କି ଚାକିରି ଆପଣଙ୍କର? କଣ୍ଟାକ୍ଚୁଆଲ ପଦରେ ଅଛ କି?
  • ମୁଁ କଟକ ଲୋକସଭା ଲାଗି ପ୍ରାର୍ଥୀ ଥିଲି, ଜିତି ବି ସାରିଥିଲି। ମୋତେ ହିଂଜିଳି ଖାସ କରି ପଠାଯାଇଛି।
  • ତମ ନବୀନ ଗୋଟେ ଆଞ୍ଚଳିକ ଦଳର ପ୍ରାର୍ଥୀ, ମନେରଖ, ମୁଁ ଗୋଟେ ଜାତୀୟ ଦଳର ପ୍ରାର୍ଥୀ। ,
  • ନବୀନ ପଟ୍ଟନାୟକ ହାରିସାରିଲେଣି। ମୋତେ ଅଟକାଇବାର ସାହସ କଲ କେମିତି?

ଏମିତି ଗୋଟେ ଲମ୍ବା ଉଚ୍ଚବାଚ ର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଉପରୋକ୍ତ ସଂଳାପ ସବୁ ଯେ କହିଛନ୍ତି ସେ ହେଉଛନ୍ତି ଓଡିଶା ବିଜେପିର ଜଣେ ମୁଖପାତ୍ର ଓ ହିଂଜିଳି ବିଧାନସଭାରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ। ସେ ଜଣେ ନାମୀ ଓକିଲ ଭାବରେ ମଧ୍ୟ ଜଣାଶୁଣା। ପୀତାମ୍ବର ବାବୁଙ୍କ ଏ ଭିଡିଓଟିକିକୁ ସେ ନିଜେ ତାଙ୍କ ଫେସବୁକ ପୋଷ୍ଟ ରେ ଛାଡିଛନ୍ତି। ମାର୍ଚ୍ଚ ୨୮ ତାରିଖ ଅପରାହ୍ନ ୪.୨୪ ଘଣ୍ଟାରେ ଛଡ଼ାଯାଇଥିବା ଏ ଭିଡିଓ ଅଗ୍ରଲେଖରେ ପିତାମ୍ବର ଯାହା ଲେଖିଛନ୍ତି, ଭିଡିଓ ରେ ତାର ବିପରୀତ କଥା ଦେଖା ଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଅଯଥାରେ ଅଟକାଇ ଜେରା କଲା, କିନ୍ତୁ ପ୍ରମାଣ ଜଳ ଜଳ ହୋଇ ଦିଶୁଛି ଯେ ଆଚାର୍ଯ୍ୟ ମହାଶୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଜେରା କରୁଛନ୍ତି। ସେମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି।

ଜଣେ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି। ତାଙ୍କୁ ଖୋଲାଖୋଲି ଶ୍ରୀ ଆଚାର୍ଯ୍ୟ କହୁଛନ୍ତି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗତ ପୋଲିସ। ଜଣେ ସାଧାରଣ ପୋଲିସ କର୍ମଚାରୀ ଓ ମାଜିଷ୍ଟ୍ରେଟଙ୍କୁ ଶାସକ ଦଳର ଅନୁଗତ ବୋଲି କହି ଶ୍ରୀ ଆଚାର୍ୟ ଯାବତୀୟ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଗାଡିରେ ରାଜାଙ୍କ ପରି ବସି ବିନମ୍ରତାର ସହ କଥାବାର୍ତ୍ତା କରୁଥିବା ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଅତି କଦର୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ନିଜେ ବଡ ଓକିଲ ବୋଲି ଦେଖେଇ ହେବା ସହିତ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ହେୟ ଓ ତୁଚ୍ଛ ବ୍ୟବହାର ଦେଖାଇଛନ୍ତି। ତାଙ୍କର ପ୍ରତି କଥାରେ ଅହଂକାର ଓ ଧମକ ବାରି ହୋଇପଡୁଛି। ଗୋଟେ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବାରୁ ସେ ବୋଧହୁଏ ଭାବୁଛନ୍ତି, ତାଙ୍କୁ ଭଗବାନ ଭାବେ ସମସ୍ତେ ମାନିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢୁଥିବାରୁ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବୋଲି ଭାବିବାର ପିଲାଳିଆମୀ ତାଙ୍କ କଥାରୁ ବାରି ହୋଇ ଦିଶୁଛି।

ସମୁଦାୟ ଭିଡିଓଟିକୁ ଦେଖିଲେ ମନେ ହେଉଛି, ସତେକି ପୀତାମ୍ବର ଆଚାର୍ଯ୍ୟ ନାମକ ବ୍ୟକ୍ତିଟି ସର୍ବ ଶକ୍ତିମାନ ଓ ତାଙ୍କୁ ଅଟକ ରଖିବାର ସାହସ କରୁଥିବା ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନଗଣ୍ୟ ଜୀବ ମାତ୍ର। ଛୋଟ ଚାକିରି କରୁଥିବାରୁ ଓ ନିଷ୍ଠାପର ଭାବରେ ସରକାରୀ କାମ କରୁଥିବାରୁ ସେମାନଙ୍କର ପ୍ରାପ୍ୟ ହେଉଛି ନେତାଙ୍କ ପାଖରୁ ଗାଳି। ଗାଳି କରି, ଅପମାନ ଦେଇ ଓ ହିଂସାତ୍ମକ ଧମକ ଦେଇ ଶ୍ରୀ ଆଚାର୍ଯ୍ୟ ନିଜକୁ “ବେଚାରା” ବୋଲି ଦେଖେଇହେବାର ପ୍ରୟାସ କରିଛନ୍ତି। ପୋଲିସ ଜୁଲମର କଥା ସେ ଲେଖିଛନ୍ତି, ହେଲେ ତାହାର କୌଣସି ପ୍ରମାଣ ନାଇଁ । ଓଲଟି ସେ ପୋଲିସ ଉପରେ ଜୁଲମ କରୁଛନ୍ତି। ନିଜ ବଡ ଓକିଲ ହେବାର ଅହଂକାର ଦେଖାଇ ପୋଲିସକୁ ଡରାଇବାର ଉଦ୍ୟମ କରୁଛନ୍ତି। ଆଇନ ର ପରିସର ବାହାରକୁ ଯାଇ ଦାୟିତ୍ଵରତ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଅଭିଯୋଗରେ ଏ ପ୍ରକାର ବ୍ୟକ୍ତିଙ୍କ ବିରୋଧରେ ନିର୍ବାଚନ କମିଶନ ମକଦ୍ଦମା କରିବା ଉଚିତ। ଏଯାଏ କିନ୍ତୁ ନିର୍ବାଚନ କମିଶନଙ୍କ ନଜରକୁ ଏକଥା ଆସିନାହିଁ।

ତେବେ ପୀତାମ୍ବର ଆଚାର୍ଯ୍ୟଙ୍କ ଏ ପ୍ରକାର ଆଚରଣର କାରଣ କଣ? ମନସ୍ତତ୍ତ୍ଵରେ ଏହାକୁ ଦୁର୍ବଳର ଆକ୍ରମକତା କୁହାଯାଏ। ସେ ପରାଜୟର ଭୟରେ ଏତେଦୂର ପ୍ରଭାବିତ ଯେ, ନିଜ ଭୟକୁ ଚାପିବା ଲାଗି ସେ ଅଧିକ ଉଗ୍ର ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଏଠି ଶ୍ରୀ ଆଚାର୍ୟ ଗୋଟେ ଭୟାଳୁ ପିଲା ଭଳି ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୁହଁରେ “ମୁଁ ନିଆଁ, ମୋ ସାଙ୍ଗେ ଖେଳ ନା” ଭଳି ଧମକପୂର୍ଣ୍ଣ ଧାଡି ପଛରେ ପ୍ରକାଣ୍ଡ ଭୟ ବାରି ହୋଇ ପଡୁଛି। ତାଙ୍କୁ କଟକ ଟିକଟ ନଦେଇ ବିଜେପି ନେତାଏ ତାଙ୍କୁ ଯେ ହିଂଜିଳି ପଠାଇ ଅପଦସ୍ତ କରିଛନ୍ତି, ସେ ହତାଶା ମଧ୍ୟ ତାଙ୍କ କଥାରୁ ବେଶ ଜଣା ପଡିଯାଉଛି। ସେ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି ଅଥଚ ତାଙ୍କ ସାଙ୍ଗରେ ଜଣେ ବି କର୍ମୀ ବା ନେତା ଦୃଶ୍ୟମାନ ହେଉନାହାନ୍ତି। ହିଞ୍ଜିଳୀରେ ଏକଲା ତାଙ୍କୁ ଛାଡି ଦେଇଥିବା ବିଜେପି ନେତାଙ୍କ ପ୍ରତି ପୀତାମ୍ବରଙ୍କ ରାଗ ପରୋକ୍ଷ ଭାବରେ ସରକାରୀ କର୍ମଚାରୀଙ୍କ ଉପରେ ପଡୁଥାଇପାରେ!

ତେବେ ଏହାର କାରଣ ଯାହା ବି ହେଉ, ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଓ ସେମାନଙ୍କୁ ଅପବ୍ୟବହାର କରିଥିବାରୁ ଶ୍ରୀ ଆଚାର୍ୟଙ୍କ  ବିରୋଧରେ କାର୍ୟାନୁଷ୍ଠାନ ନିହାତି ହେବା ଉଚିତ। ଏ ପ୍ରକାର ଆଚରଣ ଯେ ଜଣେ ରାଜନେତାଙ୍କ ପାଇଁ ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଏହା ମଧ୍ୟ ଶ୍ରୀ ଆଚାର୍ୟ ଜାଣିବା ଦରକାର।