Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କାରଣ କଣ ଜାଣିଛନ୍ତି କି ?

ଭୁବନେଶ୍ବର, ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଗତାକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ବରର ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ ଏକା ନୁହଁନ୍ତି ତାଙ୍କର କିଛି ସମର୍ଥକ ସହ ଏହି ସାକ୍ଷାତ କରିଛନ୍ତି। ଉଭୟଙ୍କ ଭେଟାଭେଟି ସମୟର ଫଟୋ ମଧ୍ୟ ଉଠାଯାଇଛି। କାରଣ ହେଲା ନୂଆ ବର୍ଷର ଅଭିନନ୍ଦନ କରିବା । ଧର୍ମେନ୍ଦ୍ରଙ୍କୁ ଏକ ସୁନ୍ଦର ଫୁଲତୋଡା ମଧ୍ୟ ଅପରାଜି ଭେଟି ଦେଇଛନ୍ତି।

ତେବେ ନୂଆବର୍ଷ ଅଭିନନ୍ଦନ ଜଣାଇବା କିଛି ନୂଆ କଥା ନୁହେଁ। ହେଲେ ଅପରାଜିତା ପରି ନେତ୍ରୀ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ କରିବା ଘଟଣା ଟିକିଏ ଖାପଛଡା ଲାଗୁଛି। କାରଣ ବିଗତ କିଛି ମାସ ଧରି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଛି ତାହା ସମସ୍ତଙ୍କୁ ଜଣା। ଉଭୟ ଗୋଟିଏ ଦଳର ହେଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ରହିଛି ମତଭେଦ। ଏହି ମତଭେଦ ଦାଣ୍ଡରେ ପଡି ହାଟରେ ଗଡୁଛି।

କିଛି ମାସ ତଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତିଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଲା ତାହା ଦାଣ୍ଡରେ ଗଡିଲା। ଅପରାଜିତାଙ୍କ ସମର୍ଥିତ ନେତା ରଶ୍ମୀରଂଜନ ମହାପାତ୍ର ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଥିଲେ। ହେଲେ ହଠାତ୍ ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ସଭାପତି ପଦରୁ ହଟାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତି ଦେଲେ। କାରଣ ଯତୀନ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଲୋକ। ହେଲା କଣ ହେଲା କେଜାଣି ପୁଣି ଥରେ ସେହି ସମୀର ମହାନ୍ତି ଯତୀନଙ୍କୁ ହଟାଇ ରଶ୍ମୀରଂଜନଙ୍କୁ ସଭାପତି ଭାବେ ନିଯୁକ୍ତି ଦେଲେ। ଏହା ହିଁ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧର ପରିଣାମ ବୋଲି କୁହାଯାଇପାରିବ।

ସେତିକି ନୁହେଁ ବାଲେଶ୍ବର ଉପନିର୍ବାଚନ ହେଉ କିମ୍ବା ପରୀ ଘଟଣା। ଏଥିରେ ଧର୍ମେନ୍ଦ୍ର ବନାମ ଅପରାଜିତା ଅଘୋଷିତ ଯୁଦ୍ଧ ରିତିମତ ଚାଲିଥିଲା। ପରୀ ଘଟଣାରେ ବିଜେପି ତୁମ୍ବି ତୋଫାନ କରିଥିବା ବେଳେ ଅପରାଜିତା ଚୁପ ବସି ରହିଥିଲେ। ଖୋଦ ତାଙ୍କ ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ବିଜେପି ବଡ ଶୋଭାଯାତ୍ରା କରିଥିଲେ ମଧ୍ୟ ଅପରାଜିତା ଯୋଗ ଦେଇ ନ ଥିଲେ।

ତେବେ ବର୍ତ୍ତମାନ ପରିସ୍ଥିତି କଣ ହେଲା ଯେ, ଅପରାଜିତା ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ ଜଣାଇଛନ୍ତି। ଏକ ବିଶେଷ ସୁତ୍ରର ଖବର ଅନୁସାରେ ଧର୍ମେନ୍ଦ୍ର ବନାମ ଅପରାଜିତା ଘଟଣାକୁ ନେଇ କୁଆଡେ କେନ୍ଦ୍ର ନେତୃବୃନ୍ଦ ଖପ୍ପା।  ଅପରାଜିତା ସମାନ୍ତରଳରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ବୋଲି ସେମାନଙ୍କ ପାଖରେ ପ୍ରମାଣ ରହିଛି। ସେ କୌଣସି ଆଗଧାଡିର ଦଳୀୟ ନେତାଙ୍କୁ ନେଉ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ଏହା ଦ୍ବାରା ଦଳର ଭାବମୂର୍ତ୍ତି ନଷ୍ଟ ହେଉଥିବାରୁ କେନ୍ଦ୍ରୀୟ ନେତା କୁଆଡେ ଅପରାଜିତାଙ୍କୁ ତାଗିଦ କରିଛନ୍ତି। 2021 ମସିହାରୁ ଯେପରି ସମସ୍ତଙ୍କୁ ନେଇ ସେ କାର୍ଯ୍ୟ କରିବେ ସେଥିପାଇଁ ଉଦ୍ୟମ କରିବାକୁ କୁହାଯାଇଛି।

ଫଳରେ ଅପରାଜିତା ସେହି ସବ୍ କା ସାଥ୍ ଧାରାକୁ  ନୂଆ ବର୍ଷରେ ଆରମ୍ଭ କରିଛନ୍ତି। ଏହାକୁ ମାଧ୍ୟମ କରି ଅପରାଜିତା ଧର୍ମେନ୍ଦ୍ରଙ୍କୁ ଫୁଲ ତୋଡାରେ ସେ ତାଙ୍କ ସହିତ ଅଛନ୍ତି ବୋଲି ପ୍ରମାଣିତ କରିଛନ୍ତି। ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଯେ, ଆମେ ସମସ୍ତେ ଏକ। ହେଲେ ସମୟ କହିବ ଯେ, ସେମାନେ ପ୍ରକୃତରେ ଏକ ନା ଦୁଇ।

Categories
ଆଜିର ଖବର ଜାତୀୟ ଖବର

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ‘ହି ମ୍ୟାନ୍‌’

ଚଣ୍ଡୀଗଡ : ବଲିଉଡର ହି ମ୍ୟାନ୍‌ ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟକୁ ସିଲ୍‌ କରି ଦିଆଯାଇଛି । ହରିୟାଣାର କର୍ଣ୍ଣାଲରେ ରହିଥିବା ଧର୍ମେନ୍ଦ୍ରଙ୍କ ଏହି ହୋଟେଲ୍‌କୁ ଶନିବାର ସିଲ୍‌ କରି ଦିଆଯାଇଛି । ହୋଟେଲ କୋଠା ନିର୍ମାଣରେ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ଏହାକୁ ସିଲ୍‌ କରିଦିଆଯାଇଛି । ହରିୟାଣାରୁ 150 କିମି ଦୂର ଜାତୀୟ ରାଜପଥ 44 ନିକଟରେ ଏହି ରେଷ୍ଟୁରାଣ୍ଟଟି ଅବସ୍ଥିତ । ଦିଲ୍ଲୀର ବ୍ୟବସାୟୀ ପ୍ରମୋଦ କୁମାର ଧର୍ମେନ୍ଦ୍ରଙ୍କ ହି ମ୍ୟାନ୍‌ ରେଷ୍ଟୁରାଣ୍ଟର ଫ୍ରାଞ୍ଚାଇଜି ନେଇଥିଲେ । ଚଳିତ ଭାଲେଣ୍ଟାଇନ୍ସ ଡେରେ ଧର୍ମେନ୍ଦ୍ର ହି ମ୍ୟାନ୍‌ ହୋଟେଲ୍‌ ଚେନ୍‌ ସମ୍ପର୍କରେ ଘୋଷଣା କରିଥିଲେ । ହୋଟେଲ୍‌କୁ ନୋଟିସ୍‌ ଜାରି କରାଯାଇଥିଲେ ମଧ୍ୟ ମାଲିକଙ୍କ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି ବୋଲି କର୍ଣ୍ଣାଲ ଡେପୁଟି କମିଶନର ନିଶାନ୍ତ ଯାଦବ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର ମତାମତ

ଦେଶ ନିର୍ମାଣ ଲାଗି ଦରଦାମ ବଢୁଛି, ବଢୁ- ଆମର କିଛି କହିବାର ନାହିଁ!!

କେଦାର ମିଶ୍ର 

ଭାବିଦେଖନ୍ତୁ, ଯଦି ମନମୋହନ ସିଂ ଆଜି ପ୍ରଧାନମନ୍ତ୍ରୀ ଥା’ନ୍ତେ ଓ ପେଟ୍ରୋଲ ଉପରେ ଟିକସ ଏକାସାଙ୍ଗରେ ୨ ଟଙ୍କା ୫୨ପଇସା ବଢିଥାନ୍ତା, ଆଜି ସାରା ଦେଶ ବନ୍ଦ ଥା’ନ୍ତା। ବିରୋଧୀ ଦଳରେ ଥିବା ବିଜେପି କଂଗ୍ରେସର ନିଦ ହଜେଇ ଦେଇଥାନ୍ତା। ସାରା ଦେଶର ରାଜନୈତିକ ଦଳ ଗୁଡିକ ରାସ୍ତାରେ ହୋ ହଲ୍ଲା କରୁଥାନ୍ତେ। ଟିଭି ଚାନେଲ ଗୁଡିକ ଚିତ୍କାରରେ ଫାଟିପଡୁଥାନ୍ତେ। ହେଲେ ସୌଭାଗ୍ୟକ୍ରମେ, ଆଜି ମନମୋହନ ସିଂଙ୍କ ବଦଳରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ କର ଓ ସେସ ବାବଦକୁ ୨ ଟଙ୍କା ବଢେଇ ଦିଆଯାଇଛି। ଏଥିରେ ରାଜ୍ୟର କର ମିଶି ପେଟ୍ରୋଲ ଦର ଗତକାଲି ରାତିରୁ ଅଢେଇ ଟଙ୍କା ବଢି ସାରିଛି। ହେଲେ କେଉଁଠି କିଛି ପ୍ରତିବାଦ ନାହିଁ। ଦେଶର ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମକୁ ବୁଝେଇଦେଲେ ଦେଶ ନିର୍ମାଣ ଲାଗି ଦରଦାମ ବଢିବା ଦରକାର। ଦରଦାମ ବଢିଲେ ଯାଇ ରାସ୍ତା ଘାଟ ତିଆରି ହେବ, ରେଳପଥ ବିଛାଯିବ, ଯୋଜନା ପରେ ଯୋଜନା ତିଆରି ହେବ। ଭଲ କଥା, ଦରଦାମ ବଢୁ। କଂଗ୍ରେସ ସରକାର ସମୟରେ ଦରଦାମ ବଢିଲେ ଆମକୁ ବାଧୁଥିଲା।ଏବେ ଆମକୁ ବହୁତ ଭଲ ଲାଗୁଛି। କାରଣ ଦେଶ ନିର୍ମାଣ ହେଉଛି। କଂଗ୍ରେସ ସରକାର ସତୁରୀ ବର୍ଷ ଧରି ଆମର କିଛି କରୁନଥିଲେ। ଆମେ କଚ୍ଚା ସଡକରେ ଯିବା ଆସିବା କରୁଥିଲୁ। ଆମର ରେଳପଥ ନଥିଲା। ଏ ଯେଉଁ ଭାରତୀୟ ବିକାଶ, ଏହା ୨୦୧୪ ପରେ ହିଁ ଆରମ୍ଭ ହେଲା! ସତ କହିବାକୁ ଗଲେ, ଭାରତର ଯାହା କିଛି ହୋଇଛି, ତାହା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ହୋଇଛି!!

ବଜେଟରେ କୁହାଗଲା, ଏହା ଗାଁ, ଗରୀବ ଓ କିଶାନର ବଜେଟ। ଗାଁରେ ଯେଉଁ ଲୋକଟି ପାଣିପମ୍ପରେ ଡିଜେଲ ପୂରେଇବ, ସେ ଲିଟର ପିଛା ଅଧିକ ତଣ୍ଡ ଗଣିବ। ଟ୍ରାକ୍ଟର ଭଡା ମହଙ୍ଗା ହେବ। ଯିବା ଆସିବା ଖର୍ଚ୍ଚ ବଢିବ। ନିଶ୍ଚିତ ଭାବରେ ଆମର ଗାଁରେ ରହୁଥିବା ଗରୀବ ଓ କୃଷକମାନେ ଏବେ ସମ୍ପନ୍ନ ହୋଇଗଲେଣି। ସେମାନଙ୍କୁ ଅଢେଇ ଟଙ୍କାର ଦର ବୃଦ୍ଧି ବାଧିବ ନାହିଁ। ପେଟ୍ରୋଲ ଓ ଡିଜେଲର ଦର ବଢିଲେ, ତାର ପ୍ରଭାବରୁ ବାକି ସବୁର ଦର ବଢିବ। ଅତ୍ୟାବଶ୍ୟକୀୟ  ଜିନିଷଗୁଡ଼ିକର ଦାମ ହୁ ହୁ ହୋଇ ବଢିବ। ଦରଦାମ ବଢିଲେ ମୁଦ୍ରାସ୍ଫୀତି ମଧ୍ୟ ବଢିବ। ମୁଦ୍ରାସ୍ଫୀତି ଅର୍ଥ ବ୍ୟବସ୍ଥାକୁ ଅସନ୍ତୁଳିତ କରିବ।  ଥାଉ,ଏତେ କଥା ଭାବିବ କିଏ?

ତାପରେ ଆଉ ଗୋଟେ ବଡ କଥା ହେଲା, ଏ ସରକାରର ସବୁକିଛିକୁ ସମର୍ଥନ କରିବାକୁ ଆପଣ ବାଧ୍ୟ। ଆପଣ ବଜେଟକୁ ଯଦି ସମର୍ଥନ କରୁନାହାନ୍ତି ତାହେଲେ ଆପଣ ଜଣେ ନକାରାତ୍ମକ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାଙ୍କର ବାରାଣାସୀ ଭାଷଣରେ କହି ସାରିଛନ୍ତି, ଏ ବଜେଟକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ନକାରାତ୍ମକ ସ୍ଵଭାବର ବ୍ୟକ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ବାରେଲ ପିଛା ଶହେ ଡଲାରରୁ ଅଧିକ ରହୁଥିଲା, ସେତେବେଳେ କଂଗ୍ରେସ ସରକାର ଟଙ୍କାଟେ ଦର ବଢାଇଲେ ବିଜେପି ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିଲେ! ସେତେବେଳେ ତାହା ବୋଧେ ସକାରାତ୍ମକ ଥିଲା। ଆଜି ଆମକୁ ପ୍ରବଚନ ଦିଆ ଯାଉଛି, ସରକାର ଯାହା କହୁଛି, ତାକୁ ମୁଣ୍ଡ ପାତି ସ୍ଵୀକାର କରିଯାଅ।

ଏହା ସହିତ ଆମ ରାଜ୍ୟରେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ହୋଇଥିବା ପ୍ରତିବାଦର ଇତିହାସ କଥା ମଧ୍ୟ ମନେ ପକେଇବା। ବିଜୁ ଜନତା ଦଳ ୟୁପିଏ ସରକାର ସମୟରେ ପ୍ରତି ୨୫/୫୦ ପଇସା ଦର ବଢିଲେ ବିଜେଡି ରାସ୍ତାକୁ ଓହ୍ଲାଇ ଆସୁଥିଲା। ଏବେ କିନ୍ତୁ ବିଜେଡି ସଂପୂର୍ଣ୍ଣ ନୀରବ। ବଜେଟକୁ ଗାଁ-ଗରୀବ ଓ କିଶାନ ପାଇଁ ବୋଲି କହି, ସେମାନଙ୍କୁ ବେଇଜ୍ଜତ କରିବାର ଏହା ଏକ ସୁନ୍ଦର ଉପାୟ!

Categories
ବିଶେଷ ଖବର

ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ, ଏହାକୁ ଅଣଦେଖା କରି ୨୦୨୪ ପାଇଁ ମିଶନ-୧୨୦ ର ମୂଲ୍ୟ କଣ?

କେଦାର ମିଶ୍ର

ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ- ଏତିକି ଶୁଣୁ ଶୁଣୁ ଭକ୍ତମଣ୍ଡଳୀ ପାଗଳା ହୋଇଯିବେ। ସେମାନଙ୍କ ମତରେ ଅନ୍ୟ ଦଳରେ ବହୁତ ସମସ୍ୟା ଓ  ସଙ୍କଟ, ହେଲେ ବିଜେପି ବିଶୁଦ୍ଧ ଗଙ୍ଗାଜଳ! ତେବେ ରାଜ୍ୟ ବିଜେପି ଭିତରେ ଗୋଷ୍ଠୀ ବିବାଦ ଓ ଫାଟ ଯେତେ ଲୁଚେଇଲେ ବି ଲୁଚୁ ନାଇଁ। ମନ୍ତ୍ରୀ ଭାବରେ ଶପଥ ନେବା ପରେ ଗତକାଲି ଓଡିଶାର ଏକମାତ୍ର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ  ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ନିର୍ବାଚିତ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ କରିବା ଲାଗି ଯେଉଁ ଯୋଜନା  ହୋଇଥିଲା, ସେଥିରେ ବିଜେପିର ବିଜୟ  ଉତ୍ସବ ଅପେକ୍ଷା ଦଳର ଗୋଷ୍ଠୀ କନ୍ଦଳ ଜଳ ଜଳ ଦେଖା ଯାଉଥିଲା। ବିମାନ ବନ୍ଦରରୁ ପୁରୀ ଓ ପୁରୀ ରୁ ପ୍ରଦର୍ଶନୀ ପଡିଆର ସମ୍ବର୍ଦ୍ଧନା ସଭା ଯାଏଁ ସବୁଠି ବିଜେପି ନେତାମାନଙ୍କ ଭିତରେ ମନୋମାଳିନ୍ୟର ସ୍ପଷ୍ଟ ଛବି ଦିଶୁଥିଲା।

ବିମାନ ବନ୍ଦରରେ ଦଳର ଯୁବ ନେତାମାନେ ପରଷ୍ପର ବିରୋଧରେ ଧସ୍ତାଧସ୍ତି ହେବା ସହିତ ଏହି ମାମଲା ଥାନାକୁ ପହଞ୍ଚିଥିଲା। ଭୁବନେଶ୍ବରର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ବହୁ ଦଳୀୟ ନେତା ଖୋଲାଖୋଲି ଅଭିଯୋଗ କରିଥିଲେ। ଦଳୀୟ କର୍ମୀଙ୍କ ଭିତରେ ପ୍ରବଳ ସନ୍ଦେହ ଓ ଅବିଶ୍ବାସର ପ୍ରତିଫଳନ ସବୁଠି ବାରି ହୋଇ ପଡୁଥିଲା । ପରାଜୟର ଗ୍ଲାନିକୁ ଯେତେ ଲୁଚେଇଲେ ମଧ୍ୟ ତାହା ଦିଶି ଯାଉଛି। ତାରି ଭିତରେ ଲୋକସଭାରେ ବିଜେପି ଯେଉଁ ଆଂଶିକ ସଫଳତା ପାଇଛି, ତାର ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବାଲାଗି ଅନେକ ରାଜ୍ୟ ନେତା ନାରାଜ। ସେଥିଲାଗି ଗତ କାଲିର ସମ୍ବର୍ଦ୍ଧନା ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀ ଯୋଗଦାନ କରି ନଥିଲେ। ଔପଚାରିକ ଭାବରେ ଅପରାଜିତା ବିମାନ ବନ୍ଦରରେ ମନ୍ତ୍ରୀ ଦୁହିଙ୍କୁ ସ୍ଵାଗତ କରିଥିଲେ ମଧ୍ୟ, ନିଜ ନିର୍ବାଚନ ମଣ୍ଡଳୀର ସମ୍ବର୍ଦ୍ଧନା ସଭାରେ ଯୋଗ ନଦେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇତି ମଧ୍ୟରେ ଅପରାଜିତା ବିଜେପିର ପାରମ୍ପରିକ ରାଜନୀତିଠୁ ଭିନ୍ନ ଢଙ୍ଗରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଆକ୍ରାମକ ପ୍ରଚାରଠାରୁ ନିଜକୁ ଦୂରେଇ ରଖିଥିଲେ। ନିଜର ଲୋକ ସମ୍ପର୍କ ଓ ବିକାଶର କଥା କହିବା ସହିତ ସବୁ ବର୍ଗଙ୍କୁ ସାଙ୍ଗରେ ନେଇ କାମ କରିବାର ସୂତ୍ର ସେ ଆପଣାର କରିଥିଲେ। ତାଙ୍କ ବିଜୟ  ପଛରେ ଏହି ସୂତ୍ର ହିଁ କାମ କରିଥିଲା। ଭୁବନେଶ୍ୱର ଆସନରୁ ଜିତିଥିବାରୁ ତାଙ୍କୁ ବିଜେପି ତରଫରୁ ମନ୍ତ୍ରୀ କରାଯିବ ବୋଲି ସେ ହୁଏତ ଆଶା ମଧ୍ୟ କରିଥିଲେ। ଏ ସମ୍ପର୍କରେ କିଛିଟା ଇଙ୍ଗିତ ଗତକାଲିର ସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦେଇଥିଲେ। ମନ୍ତ୍ରୀ କିଏ ହେଉଛି ବୋଲି ଜାଣିବାକୁ ଅପରାଜିତା ତାଙ୍କୁ ଫୋନ କରିଥିଲେ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି। ଇତି ମଧ୍ୟରେ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ମଧ୍ୟ ବିଜେପି ଭିତରେ ଚାପା ଗୁଞ୍ଜରଣ ଲାଗି ରହିଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କିମ୍ବା ବାଚସ୍ପତି ନିର୍ବାଚନରେ ଭାଗ ନେଇନଥିବା ବେଳେ ଅପରାଜିତା ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅନେକଙ୍କୁ ଅସ୍ଵାଭାବିକ ମାନେ ହେଉଛି।

ତେବେ ଅପରାଜିତା ଷଡଙ୍ଗୀ ତାଙ୍କ ରାଜନୀତି ବିଜେପି ରାଜନୀତିଠୁ ଅଲଗା ହେବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି। ତାଙ୍କର ଏ ପ୍ରକାର ମନୋଭାବ ହୁଏତ ବିଜେପିର ତାଙ୍କୁ ବେଶୀ ଦିନ ରଖାଇ ଦେଇ ନପାରେ। ସମନ୍ଵୟ ଓ ସହାବସ୍ଥାନ ବିଜେପିର ସ୍ଵାଭାବିକ ରାଜନୀତି ନୁହେଁ। ସଂଘ ପରିବାରର ପୃଷ୍ଠଭୂମି ନ ଥିବାରୁ ଅପରାଜିତାଙ୍କୁ ସହଜରେ ମନ୍ତ୍ରୀମଣ୍ଡଳରେ ଜାଗା ମିଳିବାର ସମ୍ଭାବନା କମ। ସମୟକ୍ରମେ ଅପରାଜିତା ବିଜେପିର ରାଜ୍ୟ ନେତୃତ୍ଵ ସହ ଅସହମତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଦଳ ଭିତରେ ଆଜି ମଧ୍ୟ ସେ ଏକ ପ୍ରକାର “ବାହାରିଆ” ଲୋକ ହୋଇ ରହିଛନ୍ତି।

କେବଳ ଅପରାଜିତା ନୁହନ୍ତି, ବିଜେଡ଼ିରୁ ଠିକ ନିର୍ବାଚନ ପୂର୍ବରୁ ଯେଉଁ ନେତା ମାନେ ବିଜେପିକୁ ଆସିଛନ୍ତି, ସେମାନେ ମଧ୍ୟ ଦଳ ଭିତରେ କୋଣଠେସା ହେବେ। ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ନିର୍ବାଚନ ପରେ ଏବେ ବିଜେପିର ଆଉ ବିଶେଷ କାମରେ ଲାଗିବାର ନାହିଁ। ପାଟକୁରା ଉପ ନିର୍ବାଚନରେ ବିଜୟ ମହାପାତ୍ର ଜିତିଲେ ହୁଏତ ତାଙ୍କର କିଛି ସ୍ଥିତି ରହିବ, ନଚେତ ପୁଣିଥରେ ସେ ବିଜେପି ଅଫିସରେ ପୁରୁଣା ଚୌକି ହୋଇ ପଡି ରହିବେ। ଏକଦା ଧର୍ମେନ୍ଦ୍ର ପ୍ରଧାନଙ୍କ କଠୋର ସମାଲୋଚକ ଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପରେ ଏବେ ଧର୍ମେନ୍ଦ୍ରଙ୍କ ବଶଂବଦ ହୋଇ ରହିଛନ୍ତି। ତେବେ ଏହା କେତେଦିନ ଜାରି ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟ ପକ୍ଷରେ ପଶ୍ଚିମ ଓଡିଶାରୁ ବିଜେପି ୫ ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନ ଜିତିଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେ ଅଞ୍ଚଳ ପ୍ରତି ଉପେକ୍ଷାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ସାରିଛି। ଏହା ଅନେକାଂଶରେ ବିଜେପି ନେତାଙ୍କ ଲାଗି ବିଷମ ପରିସ୍ଥିତି ସୃଷ୍ଟି କରିବ। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ରାଜ୍ୟ ବିଜେପିକୁ ଆଗାମୀ ଦିନରେ ଆହୁରି ବିଭାଜିତ ଓ ଗୋଷ୍ଠୀ ବିଭକ୍ତ କରିବାର ସମ୍ଭାବନା ଏବେ ଜଳ ଜଳ ହୋଇ ଦିଶୁଛି। ସେଥିରେ ଆଉ ଥରେ୨୦୨୪ ଲାଗି ମିଶାନ-୧୨୦+ ଗୋଟେ ହାସ୍ୟାସ୍ପଦ ସ୍ଲୋଗାନ ମନେ  ହେଉଛି!!

Categories
ବିଶେଷ ଖବର

ପୁଣି ଥରେ ବାଜି ମାରିନେଲେ ଧର୍ମେନ୍ଦ୍ର ପ୍ରଧାନ , ଜଳକା ହୋଇ ପଡି ରହିଲେ ଜୁଏଲ ଓରାମ ଓ ଅନ୍ୟମାନେ

କେଦାର ମିଶ୍ର

ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ଦ୍ଵିତୀୟ ପାଳିର ସରକାର ଆରମ୍ଭ ହୋଇଛି। ନୂଆ ମୋଦୀ ସରକାରରେ ଏବେ ଯୋଗ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଅର୍ଥାତ ଏବେ ବିଧିବଦ୍ଧ ଭାବରେ ମୋଦୀ-ଶାହ ସରକାର ଆରମ୍ଭ ହେଲା। ତେବେ ମୋଦୀ ସରକାରର ପ୍ରଥମ ପାଳିରେ ଓଡିଶାରୁ ଜଣେ ମାତ୍ର ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥିଲେ ହେଁ, ଦୁଇଜଣ ଓଡିଆ ମନ୍ତ୍ରୀ ପଦ ପାଇଥିଲେ। ଜୁଏଲ ଓରାମ କ୍ୟାବିନେଟ ମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ। ହେଲେ ଏଇ ନିର୍ବାଚନରେ ଓଡିଶାରୁ ଆଠ ଜଣ ଲୋକସଭା ସଦସ୍ୟ ବିଜେପିରୁ ଯାଇଛନ୍ତି। ହେଲେ ମନ୍ତ୍ରୀ ହେଲାବେଳକୁ ପୁଣି ସେଇ ଦୁଇ ଜଣ। ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚିତ ହୋଇ ନାହାନ୍ତି। ସେ ରାଜ୍ୟସଭାକୁ ଆଗରୁ ବିହାରରୁ ଯାଇଥିଲେ, ଏବେ ମଧ୍ୟ ପ୍ରଦେଶର ପ୍ରତିନିଧି ଅଛନ୍ତି। ଏମିତି ଦେଖିଲେ ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦେଶର ପ୍ରତିନିଧି। ଗତ ପନ୍ଦର ବର୍ଷ ହେଲା ସେ ଓଡିଶାରେ ନିର୍ବାଚନ ଲଢି ନାହାନ୍ତି। ତେଣୁ ତାଙ୍କୁ ଓଡିଶାରୁ ପ୍ରତିନିଧି ବୋଲି ଭାବିବା ଠିକ ହେବନାହିଁ। ସେହି ପୃଷ୍ଠଭୂମିରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଜଣେ ମାତ୍ର ଓଡିଶାର ପ୍ରତିନିଧି ଅଛନ୍ତି, ଆଉ ସେ ହେଲେ ବାଲେଶ୍ଵର ଲୋକସଭା ସଦସ୍ୟ ପ୍ରତାପ ଷଡଙ୍ଗୀ। ତାଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା।

ଏଠି ଆମର ପ୍ରଶ୍ନ ହେଉଛି, ଓଡିଶାରୁ ବିଜେପିର ଏକମାତ୍ର ନେତା ଜୁଏଲ ଓରାମ ସବୁ କଠିନ ସମୟରେ ନିର୍ବାଚିତ ହୋଇକି ଯାଉଥିବା ବେଳେ, ତାଙ୍କୁ ମନ୍ତ୍ରୀ ତାଲିକାରୁ ବାଦ ଦେବାର କାରଣ କଣ? ଗତ ମନ୍ତ୍ରିମଣ୍ଡଳରେ ଜୁଏଲ ଭଲ କାମ କରିନଥିଲେ କି? ଯଦି ମୋଦୀ-ଶାହ ଜୁଏଲଙ୍କୁ ଅଯୋଗ୍ୟ ବୋଲି ଭାବିଲେ ତାଙ୍କୁ ସୁନ୍ଦରଗଡରୁ ପୁଣିଥରେ ଟିକଟ ଦେଉଥିଲେ କାହିଁକି? ଜଣେ ନେତା ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ୨ ଲକ୍ଷରୁ ଅଧିକ ବ୍ୟବଧାନରେ ଜିତିକରି ଗଲାବେଳେ, ତାକୁ ମନ୍ତ୍ରିମଣ୍ଡଳରୁ ବିଦା କରି ଦିଆଯାଉଛି। ତାଙ୍କ ପରିବର୍ତ୍ତେ ଯାହାଙ୍କୁ ଓଡିଶାର ପ୍ରତିନିଧି ବୋଲି କୁହାଯାଉଛି, ସେ ନିଜ ଦମ୍ଭରେ ଆଜି ପର୍ୟନ୍ତ ଗୋଟିଏ ବି ନିର୍ବାଚନ ଜିଣି ନାହାନ୍ତି। ଯେଉଁ ଦୁଇଥର ସେ ଲୋକସଭା କୁ ଯାଇଥିଲେ, ତାହା ବିଜେଡି-ବିଜେପି ମେଣ୍ଟ ଥିବା ବେଳେ ହିଁ ସମ୍ଭବ ହୋଇଛି। ଓଡିଶାରେ ନ ରହି, ଓଡିଶାରୁ ନିର୍ବାଚନ ନ ଲଢି, ଓଡିଶାର ପ୍ରତିନିଧି ହେବା ପଛରେ କଣ କାରଣ ରହିଛି, ସେ କଥା ଅବଶ୍ୟ ଲୋକେ ଜାଣନ୍ତି।

ଓଡିଶାରୁ ଯେଉଁ ବିଜେପି ନେତାମାନେ ଲୋକସଭାକୁ ନିର୍ବାଚିତ ହୋଇକି ଗଲେ ସେମାନେ ମନ୍ତ୍ରୀ ହେବାକୁ ଅଯୋଗ୍ୟ କି? ପଶ୍ଚିମ ଓଡିଶାରୁ ବିଜେପି ସବୁବେଳେ ବିପୁଳ ସମର୍ଥନ ପାଇ ଆସୁଥିବା ବେଳେ ନେତୃତ୍ୱ ପ୍ରସଙ୍ଗ ଆସିଲେ ଓ କ୍ଷମତା ବଣ୍ଟନ କ୍ଷେତ୍ରରେ ପଶ୍ଚିମ ଓଡିଶାର ନେତାମାନେ କୋଣଠେସା ହୋଇ ରହନ୍ତି କାହିଁକି? ଜୁଏଲ ଓରାମ ଉଭୟ ବାଜପାୟୀ ଓ ମୋଦୀ ସରକାରରେ ମନ୍ତ୍ରୀ ରହିଥିଲେ ମଧ୍ୟ, ତାଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ସେତେଟା ଗୁରୁତ୍ଵ ନ ଦେବାର କାରଣ କଣ? ରାଜ୍ୟ ବିଜେପିର ସବୁଠୁ ପୁରୁଖା ଆଦିବାସୀ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରି ନରେନ୍ଦ୍ର ମୋଦୀ ବୋଧେ ଏଇ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ, ତାଙ୍କ ଟିମରେ ଆଦିବାସୀ ଓ ଲୋକପ୍ରିୟ ନେତାଙ୍କର ଆବଶ୍ୟକତା ନାହିଁ। ଆମ ଲୋକ ବି ବିଚିତ୍ର। ପ୍ରତାପ ଷଡଙ୍ଗୀଙ୍କୁ ମହାପୁରୁଷ କରିବାରେ ଆମେ ବହୁ କାହାଣୀ ଲେଖି ସାରିଲୁଣି। ହେଲେ ଜୁଏଲଙ୍କ ଲାଗି କାହା ମନରେ ସାମାନ୍ୟ ଆଗ୍ରହ ନାଇଁ।

ଏଠି କହିଲେ ଅନେକଙ୍କୁ ଖରାପ ଲାଗିପାରେ, ହେଲେ ଅସଲ ସତ୍ୟ ହେଉଛି, ରାଜ୍ୟର ଆଦିବାସୀ ଓ ଦଳିତ ନେତୃତ୍ବକୁ ହେୟ କରି ଦେଖିବାର ଏକ ଭୟଙ୍କର ମାନସିକତା ଆମର ରହି ଆସିଛି। ଧର୍ମେନ୍ଦ୍ର ଓ ପ୍ରତାପ ଆମ ଲାଗି ନାୟକ, କାରଣ ଏମାନେ ତଥାକଥିତ ଉଚ୍ଚ ବର୍ଗର ପ୍ରତିନିଧି। ହେଲେ ଜଣେ ଆଦିବାସୀ ଯୁବକର ସଂଘର୍ଷ ଆମଲାଗି ବଡ ଆକର୍ଷଣ ନୁହେଁ। ଆସନ୍ତା କାଲି ହୁଏତ ଜୁଏଲଙ୍କୁ ଅନ୍ୟ କେଉଁଠି ଥଇଥାନ କରାଯାଇପାରେ। ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡିଶାର ଆଦିବାସୀଙ୍କୁ ଜୁଏଲଙ୍କ ପ୍ରସଙ୍ଗରେ କି ଉତ୍ତର ଦେବ? ଜୁଏଲଙ୍କ ସହିତ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରୁ ଜିତିଥିବା ଅପରାଜିତା ଷଡଙ୍ଗୀ କିମ୍ବା ବଲାଙ୍ଗୀରରୁ ଚତୁର୍ଥ ଥର ଲାଗି ଲୋକସଭାକୁ ପ୍ରତିନିଧିତ୍ଵ କରୁଥିବା ସଙ୍ଗୀତା ସିଂ ଦେଓ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଥିଲା। ତେବେ ୫୯ ଜଣିଆ ମନ୍ତ୍ରିମଣ୍ଡଳରେ ମାତ୍ର ୬ ଜଣ ମହିଳା ସଦସ୍ୟ ଥିବା ବେଳେ ଓଡିଶାର ଏ ମହିଳା ସାଂସଦ ମାନେ ଜାଗା ପାଇଥାନ୍ତେ କେଉଁଠି?

Categories
ଆଜିର ଖବର

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା,  ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହେଉଛନ୍ତି ନବୀନ

ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ପର୍ଯ୍ୟାୟର ୬ଟି ଲୋକସଭା ଆସନ ଉପରେ ଉଭୟ ବିଜେଡ଼ି ଓ ବିଜେପିଙ୍କ ନଜର ରହିଛି। ଏବେବି ଉଭୟ ଦଳ ପକ୍ଷରୁ ଚାଲିଛି ଆରୋପ – ପ୍ରତ୍ୟାରୋପ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କଟାକ୍ଷ କରି  କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ଓ ପରିବର୍ତ୍ତନ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହୋଇଯାଉଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କଥା କହିବା ସହିତ  ମୁଖ୍ୟମନ୍ତ୍ରୀଙ୍କୁ ଗଲା ୧୯ ବର୍ଷର ହିସାବ ମାଗିବା ସହିତ ଆଗାମୀ ୫ ବର୍ଷରେ କ’ଣ କରିବାକୁ ଯୋଜନା କରିଛନ୍ତି, ତା’ର ବି ଜବାବ ମାଗିଛନ୍ତି। ନବୀନଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର ଆହୁରି କହିଥିଲେ,“ଓଡ଼ିଶାର ଲୋକେ ଆପଣଙ୍କୁ ବହୁତ ବଡ଼ ସୁଯୋଗ ଦେଇଥିଲେ। ଆପଣ ୧୯ ବର୍ଷ ଧରି କ୍ଷମତାରେ ରହିଲେ। କିନ୍ତୁ ରାଜ୍ୟର ଯେମିତି ବିକାଶ ହେବା କଥା, ତାହା ହୋଇନାହିଁ। କାରଣ ଏଥିପାଇଁ ଆପଣଙ୍କ ପାଖରେ ରାଜନୈତିକ ଇଚ୍ଛାଶକ୍ତି ନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର ଓ କୁପୋଷଣ ଭଳି ସମସ୍ୟା ଦେଖାଯାଉଛି।’ ସେହିପରି ଚତୁର୍ଥ ପର୍ଯ୍ୟାୟର ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ଥିବା କେନ୍ଦ୍ରାପଡାର ଲୋକସଭା ଆସନ ପାଇଁ ବିଜେଡ଼ିର ରଣନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।

Categories
ବିଶେଷ ଖବର

ନିର୍ବାଚନ ଲଢ଼େଇ ବେଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୁଚିଲେ କାହିଁକି ?

ବିଚିତ୍ର ବିଶ୍ୱାଳ

୨୦୧୪ ନିର୍ବାଚନ ପରେ ବିଜେପି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ପ୍ରେଟ୍ରୋଲିୟମ୍ ମନ୍ତ୍ରୀ ହେବା ପରେ ସେବେଠାରୁ ସେ ନିଜକୁ ଓଡ଼ିଶାର ଏକମାତ୍ର ବିଜେପି ନେତା ଭାବେ ଉପସ୍ଥାପନ କରିଆସୁଛନ୍ତି। ଗତ ପାଞ୍ଚ ବର୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକଳାପକୁ ଦେଖିଲେ ବୁଝି ହେଉଛି ଯେ, ଖୁବ୍ ଚତୁରତାର ସହିତ ସେ ରାଜ୍ୟ ବିଜେପିର ପ୍ରାୟ ସବୁ ନେତାଙ୍କୁ ପଛ କରି ନିଜକୁ ଆଗକୁ ଆଣିବାରେ ସଂପୂର୍ଣ୍ଣ ସଫଳ ହୋଇଛନ୍ତି। ଏହି କ୍ରମରେ ସେ ନିଜର ଅନୁଗତ ତଥା ଅନ୍ୟ ସମସ୍ତ ଦାବିଦାର୍ ନେତା ମାନଙ୍କ ଠାରୁ ଅପେକ୍ଷାକୃତ ଦୁର୍ବଳ ବସନ୍ତ ପଣ୍ଡାକୁ ରାଜ୍ୟ ସଭାପତି ପଦରେ ବସେଇ ନିଜ ଅଭିଯାନ ଆରମ୍ଭ କରିଥିଲେ। ବସନ୍ତ ପଣ୍ଡାଙ୍କର ସବୁଠାରୁ ବଡ଼ ଯୋଗ୍ୟତା ଥିଲା, ଧର୍ମେନ୍ଦ୍ର ଭାବୁଥିଲେ ଯେ ବସନ୍ତ କେବେ ବି ତାଙ୍କୁ ଟପିଯିବେ ନାହିଁ ଓ ବସନ୍ତଙ୍କୁ ସେ ନିଜ ରିମୋଟ୍ କଂଟ୍ରୋଲ୍ ଚଳେଇ ପାରିବେ। ବିଜେପିର ଅନ୍ୟ ଟାଣୁଆ ନେତା ମାନଙ୍କ କ୍ଷେତ୍ରରେ ଏପରି ସମ୍ଭାବନା ସେ ଦେଖି ପାରିନଥିଲେ।

କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ କମ୍ ଓଡ଼ିଶାରେ ଅଧିକ ସମୟ ଦେଉଥିଲେ। ଏମିତିକି ପ୍ରତି ସାତ ଦିନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୋକମାନେ ଭୁବନେଶ୍ୱରରେ ବା ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଭାଷଣ ଦେଉଥିବାର ଦେଖିବାକୁ ପାଇଲେ। ପରିସ୍ଥିତି ଏପରି ହେଲା ଯେ, ଧର୍ମେନ୍ଦ୍ର ପ୍ରଧାନ ଯେତେ ଛୋଟରୁ ଛୋଟ କାର୍ଯ୍ୟକ୍ରମ ହେଉ ବା ବଡ଼ କାର୍ଯ୍ୟକ୍ରମ ହେଉ ସବୁଠି ସେ ମଂଚ ମଣ୍ଡନ କରୁଥିଲେ। ତେଣୁ ସେ ସବୁବେଳେ ଓଡ଼ିଶାର ଗଣମାଧ୍ୟମର ଆଲୋଚନାରେ ରହିଲେ। ସବୁ ସଭା ସମିତିରେ ଧର୍ମେନ୍ଦ୍ର ପ୍ରଧାନ (ଯିଏ କି ଜଣେ କେନ୍ଦ୍ର ମନ୍ତ୍ରୀ ରହିବାରୁ) ତାଙ୍କୁ ସେହି ହିସାବରେ ଅଧିକ ଗୁରୁତ୍ୱ ବି ଦିଆଯାଉଥିଲା। ପରିଣାମ ସ୍ୱରୁପ ବିଜେପିର ଅନ୍ୟ ରାଜ୍ୟ ସ୍ତରୀୟ ନେତା ମାନେ ଧିରେ ଧିରେ ପଛକୁ ରହିଗଲେ ଓ ଆଲୋଚନାରୁ ଲିଭିଗଲେ। ସବୁବେଳେ ଗଣମାଧ୍ୟମର କ୍ୟାମେରା ଓ ବୁମ୍ ସାମ୍ନାରେ କିମ୍ବା ଖବରକାଗଜର ଶିରୋନାମାରେ ଧର୍ମେନ୍ଦ୍ର ପ୍ରଧାନ ରହିବାରୁ ବିଜେପିର ଅନ୍ୟ ନେତା ମାନେ ଆଉ ଜମା ବି ଆଲୋଚନାକୁ ଆସିଲେ ନାହିିଁ। ବିଭିନ୍ନ ଜିଲ୍ଲା ସ୍ତରରେ ହେଉଥିବା ସରକାରୀ କାର୍ଯ୍ୟକ୍ରମ ବା ସଭା ସମିତିରେ ବି ଧର୍ମେନ୍ଦ୍ର ଉପସ୍ଥିତ ରହି ନିଜର ପ୍ରଚାରକୁ ଜୋର୍ କରାଇଲେ। ବିଜେପିର ଜିଲ୍ଲା ସ୍ତରୀୟ ନେତା ମାନେ ନିଜ ଜିଲ୍ଲାରେ ବି ଖବରକାଗଜରେ ଧାଡ଼ିଟିଏ ପାଇଲେ ନାହିଁ। ସବୁ ଚର୍ଚ୍ଚାକୁ ଧର୍ମେନ୍ଦ୍ର ପ୍ରଧାନ ଚୋରେଇ ନେଲେ। ପରିସ୍ଥିତି ଏମିତି ହେଲା ଯେ, ଏକଦା ରାଜ୍ୟ ବିଜେପିର ମୁଣ୍ଡିଆଳ ଥିବା ଲୋକମାନେ ଯଥା ସୁରେଶ ପୁଜାରୀ, ମନମୋହନ ସାମଲ, ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ ଆଦିଙ୍କ ନାମକୁ ଲୋକମାନେ ଆଦୌ ବି ଶୁଣିପାରିଲେ ନାହିିଁ। ସବୁଠି କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ହିଁ ଶୁଣାଗଲା। ଏମିତି କରି ସେ ନିଜକୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଉଭା କରିବାକୁ ଯେଉଁ ଚେଷ୍ଟା କରୁଥିଲେ, ଅନ୍ତତଃ ଗଣମାଧ୍ୟମ ସ୍ତରରେ ତାହା କରିବାରେ ସଫଳ ହେଲେ। ଅନେକ ଲୋକ ଓ ଗଣମାଧ୍ୟମ ଧର୍ମେନ୍ଦ୍ରଙ୍କୁ ବିଜେପିର ଓଡ଼ିଶାର ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ବି କହିବାକୁ ଲାଗିଲେ। କିନ୍ତୁ ଏହି ଭିତରେ ବିଜେପିର ନେତାମାନେ, ଯେଉଁମାନେ ବିଧାୟକ ପାଇଁ ଆଶା ବାନ୍ଧିଥିଲେ ସେମାନଙ୍କ କଥା ଜମା ବି ଆଲୋଚନାକୁ ଆସିଲା ନାହିଁ। ଲୋକମାନେ ତାଙ୍କୁ ଭୂଲିଯିବା ସ୍ୱଭାବିକ ଥିଲା। ଆଜିର ପ୍ରଚାର ସର୍ବସ୍ୱ ଯୁଗରେ ଜଣେ ଯଦି ଆଲୋଚନାରୁ ଦୂରେଇ ଯିବ, ତେବେ ସେ ଭୂଲି ହୋଇଯିବା ସ୍ୱଭାବିକ। ବିଜେପିର ଲାଗୁଥିବା ବ୍ୟାନର୍ ମାନଙ୍କରେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ଛବି ରାଜ୍ୟ ସଭାପତିଙ୍କ ଛବି ଠାରୁ ବଡ଼ ଆକାରରେ ଲାଗୁଥିଲା।

ଏସବୁ ଭିତରେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ଓଡ଼ିଶାରେ ଏକମାତ୍ର ବଡ଼ ନେତା ଭାବେ ଉପସ୍ଥାପନ କରିବାରେ ଓ ଅନ୍ୟ ନେତାମାନଙ୍କୁ ହଜେଇ ଦେବାରେ ତ ସଫଳ ହେଲେ କିନ୍ତୁ ଅସଲ ବେଳକୁ ସେ ମଇଦାନକୁ ଓହ୍ଲେଇବାଟା ଠିକ୍ କାର୍ଯ୍ୟ ବେଳେ ପରିସ୍ରା ଯିବା ପରି କଥା। କଥାଟା ଏମିତି ହେଲା ଯେ, ସବୁ ଅଭ୍ୟାସ୍ ମ୍ୟାଚ୍ ଧର୍ମେନ୍ଦ୍ର ପ୍ରଧାନ ଖେଳିଲେ କିନ୍ତୁ ଅସଲ ମ୍ୟାଚ୍ ବେଳକୁ ସେ ପଡ଼ିଆକୁ ନଓହ୍ଲେଇ ଅନ୍ୟମାନଙ୍କୁ ଖେଳିବା ପାଇଁ ଉପଦେଶ ଦେଉଛନ୍ତି। ରାଜନୀତିର ସବୁ କ୍ଷୀର ସର ଧର୍ମେନ୍ଦ୍ର ଖାଇ ମୋଟା ସୋଟା ତ ହେଲେ କିନ୍ତୁ ଲଢ଼ିବା ବେଳକୁ ଉପାସ୍ ଥିବା ଲୋକମାନଙ୍କୁ ଛଡ଼ାଗଲା। ଯଦି ଗତ ସାଢ଼େ ଚାରି ବର୍ଷ ହେବ ଧର୍ମେନ୍ଦ୍ର କେବଳ ନିଜକୁ ପ୍ରୋଜେକ୍ଟ କରିଚାଲିଥିଲେ ଓ ଏହି କ୍ରମରେ ଅନ୍ୟ ବିଜେପି ନେତାମାନେ ହଜିହଜି ଗଲେ, ତେବେ ୨୦୧୯ର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ସେ ଆଗକୁ ଆସି ଦଳକୁ ନେତୃତ୍ୱ ଦେବା କଥା। ଅର୍ଥାତ୍ ସେ ନିଜକୁ ନବୀନ୍ ପଟ୍ଟନାୟକଙ୍କ ବିରୁଦ୍ଧରେ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା କରିବାର ଥିଲା। ତାହେଲେ ଗତ ସାଢ଼େ ଚାରିବର୍ଷ ଧରି ସେ ନିଜକୁ ଯେଉଁ ଆସନରେ ପହଂଚେଇଥିଲେ ତାର ମହତ୍ୱ ରହିଥାନ୍ତା। ଧର୍ମେନ୍ଦ୍ରଙ୍କର ମୋଦି ଓ ଅମିତ୍ ଶାହଙ୍କ ସହ ଯେପରି ସଂପର୍କ, ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଏକଥା ମନେଇବାରେ ଅସୁବିଧା ହୋଇନଥାନ୍ତା ବୋଲି ମନେହୁଏ। ଯେଉଁମାନଙ୍କୁ ସେ ଗତ ସାଢ଼େ ଚାରିବର୍ଷରେ ଗଣମାଧ୍ୟମରେ ଧାପେ ବି ଜାଗା ଦେଇନାହାନ୍ତି, କି ମଂଚରେ ଚଢ଼ିବାକୁ ଦେଇନାହାନ୍ତି, ଏବେ ସେମାନେ ନବୀନ୍ ପଟ୍ଟନାୟକଙ୍କ ଭଳି ବ୍ରାଣ୍ଡଙ୍କ ସାମ୍ନାରେ ନିଜ ନିଜ କ୍ଷେତ୍ରରୁ ନିର୍ବାଚନରେ ଜିତି ପାରିବେ ବୋଲି ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ। ଏତଦ୍ବ୍ୟତୀତ ଓଡ଼ିଶାରେ ସାଧାରଣ ଲୋକଙ୍କ ମୁହଁରେ ଗୋଟିଏ କଥା, ସେମାନେ ଭୋଟ୍ ନବୀନ୍ ପଟ୍ଟନାୟକଙ୍କୁ ହିଁ ଦେଖି ଦେଉଛନ୍ତି। ବିଜେପି ଓ ଅନ୍ୟ ଦଳମାନେ ବି ବାରମ୍ବାର କହୁଛନ୍ତି ନବୀନ୍ ପଟ୍ଟନାୟକଙ୍କ ନାଁ’ରେ ହିଁ ଭୋଟ୍। ଅନ୍ୟମାନେ କେବଳ ରବର ଷ୍ଟାମ୍ପ। ତେଣୁ ଏପରି ପରିସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନ ଗତ ସାଢ଼େ ଚାରିବର୍ଷରେ କେବଳ ନିଜକୁ ଉପସ୍ଥାପନ କରି ଯେଉଁ ବାହାଦୂରୀ ନେଇଛନ୍ତି, ଏବେ ତାହାକୁ କାମରେ ଲଗେଇଥିଲେ ତାହା ଗୋଟେ ବୀର ସୁଲଭ କାମ ହୋଇଥାନ୍ତା ଓ ତାହା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଏକ ଚ୍ୟାଲେଞ୍ଜ ଭଳି ହୋଇଥାନ୍ତା। କିନ୍ତୁ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତ ଉଭା କଲାନି ଓ ଧର୍ମେନ୍ଦ୍ର ବି ନିଜେ କେଉଁଠି ବିଧାୟକ କି ସାଂସଦ ପ୍ରାର୍ଥୀ ଭାବେ ବି ଠିଆ ହେଲେ ନାହିଁ। ଏଥିରୁ ବିଜେପିର ଓ ଧର୍ମେନ୍ଦ୍ରଙ୍କର ଓଡ଼ିଶାରେ ନିର୍ବାଚନ ଜିତିବାରେ ଆତ୍ମବିଶ୍ୱାସହୀନତା ଜଳଜଳ ହୋଇ ଦିଶୁଛି। ତେଣୁ ବିଜେପିର ଶହେକୋଡ଼ିଏ ଆସନ ଜିତିବା ଯେ, ସଂପୂର୍ଣ୍ଣ ଧୂଆଁବାଣ ସ୍ପଷ୍ଟ ବୁଝିହେଉଛି। ଅତୀତରେ ଧର୍ମେନ୍ଦ୍ର ନବୀନ୍ଙ୍କ ବିରୁଦ୍ଧରେ ଯେଉଁ ହେଂଟାଳ ଛାଡ଼ୁଥିଲେ ଠିକ୍ ନିର୍ବାଚନ ବେଳକୁ ସେ କେଉଁଠି ବି ପ୍ରାର୍ଥୀ ନହୋଇ ବାହାରେ ବାହାରେ ରହିବା ତାଙ୍କ ଭୟର ପରିଚୟ ବ୍ୟତୀତ ଆଉ କିଛି ନୁହେଁ ଏବଂ ସେ ସମ୍ମୁଖ ସମର ଅପେକ୍ଷା ସୁବିଧାବାଦରେ ରହି ପଛପଟୁ ଆକ୍ରମଣରେ ବିଶ୍ୱାସ ରଖନ୍ତି ବୋଲି ବୁଝାପଡ଼ୁଛି।

( ମୋବାଇଲରେ ଫଟାଫଟ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

୨୦୧୯ ନିର୍ବାଚନରେ ବିଜେପିର ନୂଆ କାହାଣୀ, ନବୀନ ପଟ୍ଟନାୟକ ଓ ଅଟଳ ବିହାରୀ ବାଜପାୟୀ ଉଭୟେ ଦୁର୍ନୀତିଗ୍ରସ୍ତ !

କେଦାର ମିଶ୍ର

ଏକଦା ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ସମାଲୋଚନା କରିବାକୁ ଯାଇ ଆଜିର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ,  ମନମୋହନ ବର୍ଷାତି ପିନ୍ଧି ଗାଧୁଆ ଘରକୁ ଯାଆନ୍ତି। ଏହାର ଅର୍ଥ ହେଉଛି ଯଦିଓ ମନମୋହନ ସିଂ ନିଜକୁ ସ୍ଵଚ୍ଛ ବୋଲି କହନ୍ତି, ତଥାପି ତାଙ୍କ ମନ୍ତ୍ରୀମଣ୍ଡଳରେ ବହୁ ଦୁର୍ନୀତିଖୋର ଲୋକ ରହିଥିଲେ ଓ ତାଙ୍କ ଅମଳରେ ବହୁ ଭ୍ରଷ୍ଟାଚାର ହୋଇଥିଲା। ଏକଥା ଭାରତୀୟ ଜନତା ପାର୍ଟିର ମନେଥିବ ନିଶ୍ଚୟ। ଏବେ ହଠାତ ବିଜେପି ଓଡିଶା ଓ ଏହାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟେ ବିଚିତ୍ର ଅଭିଯୋଗ ଆଣିଛନ୍ତି। ନିର୍ବାଚନର ଆଧାର ମଧ୍ୟ ବଡ ବିଚିତ୍ର। ସୁପ୍ରିମକୋର୍ଟରେ କେହିଜଣେ ବୈଭବ ବର୍ମା ଏକ ପିଟିସନ ଦାଖଲ କରି କହିଲେ ଯେ ମାର୍ଚ୍ଚ ୧୯୯୮ ମସିହାରେ ନାଗପୁରର ଏମଏସ ସେଣ୍ଟ୍ରାଲ କୋଇଲାରି ନାମକ ଏକ କମ୍ପାନୀକୁ କେତୋଟି କୋଇଲା ଖଣି ଭାରତ ସରକାର ଆବଣ୍ଟନ କରିଥିଲେ। ଅଭିଯୋଗର ମୂଳ ବିଷୟ ହେଲା ଏହି କମ୍ପାନୀ ସେତେବେଳେ ପଞ୍ଜିକୃତ ହୋଇନଥିଲା। ଅଭିଯୋଗର ଆଧାର ଠିକ ଅଛି। ତେବେ ଏ ସଙ୍କ୍ରାନ୍ତରେ କିଛି ସାଧାରଣ ପ୍ରଶ୍ନବାଚୀ ମଧ୍ୟ ରହିଛି।

ଘଟଣାଟି ଘଟିଲା ମାର୍ଚ୍ଚ ୧୯୯୮ ରେ । ସେତେବେଳେ ନବୀନ ପଟ୍ଟନାୟକ କେନ୍ଦ୍ରରେ ଖଣି ମନ୍ତ୍ରୀ ଥିଲେ ଓ ଅଳ୍ପ ସମୟ ଲାଗି କୋଇଲା ବିଭାଗ ଦାୟିତ୍ବରେ ରହିଥିଲେ। ଖଣି ବିଭାଗ ଦାୟିତ୍ବରେ ନବୀନ ୧୯ ମାର୍ଚ୍ଚ ୧୯୯୮ ରୁ ୫ ମାର୍ଚ୍ଚ ୨୦୦୦ ପର୍ଯନ୍ତ ଥିଲେ। ସେଥିରୁ ଅତି ଅଳ୍ପ ସମୟ କୋଇଲା ବିଭାଗ ତାଙ୍କ ଅଧୀନରେ ଥିଲା। ଯାହା କୁହାଯାଉଛି ଏହି କୋଇଲା ଖଣି ଆବଣ୍ଟନ ମାର୍ଚ୍ଚ ମାସରେ ହୋଇଥିଲା। ଯଦି ହୋଇଥିଲା କେବେ ଓ ଏହାର ଫାଇଲ କେବଠୁ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କାର୍ୟାଳୟ ଏ ସମ୍ପର୍କରେ ଅବଗତ ଥିଲେ ନା ନାହିଁ ? ସେତେବେଳେ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପାୟୀ। ବାଜପାୟୀ ମନ୍ତ୍ରୀମଣ୍ଡଳ ତାହେଲେ ଦୁର୍ନୀତିଗ୍ରସ୍ତ ଥିଲା ବୋଲି ବିଜେପି ଆଜି ସ୍ଵୀକାର କରୁଛି କି ?

ଯଦି କୌଣସି ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିଲା, ତାହେଲେ ଏ ସମ୍ପର୍କରେ ୧୯୯୮ ରୁ ୨୦୦୪ ଯାଏ ରହିଥିବା ବାଜପାୟୀ ସରକାର ନୀରବ ରହିଥିଲେ କାହିଁକି ? ଜଣେ ତଥାକଥିତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ସହ ମିଶି ୨୦୦୦ ରୁ ୨୦୦୯, ଦୀର୍ଘ ୯ ବର୍ଷ କାଳ ବିଜେପି ଓଡିଶାରେ ସରକାର ଗଢିଥିଲା କେମିତି? ତିନୋଟି ସାଧାରଣ ନିର୍ବାଚନରେ ନବୀନ ବିଜେପିର ନେତା ନଥିଲେ କି ? ନବୀନଙ୍କ ପରେ ଯେଉଁମାନେ କୋଇଲା ମନ୍ତ୍ରଣାଳୟ ଦାୟିତ୍ବରେ ଥିଲେ ସେମାନେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କି ? ୨୦୦୯ ରେ ନବୀନ ଯଦି ବିଜେପି ସହିତ ନିଜେ ସମ୍ପର୍କ ଛିନ୍ନ କରିନଥାନ୍ତେ ଆଜି ମଧ୍ୟ ବିଜେପି ତାଙ୍କର ଜୁନିଅର ହୋଇ ରହିବାକୁ ଚାହିଁ ନଥାନ୍ତା କି ? ଏଗାର ବର୍ଷ ଧରି ତଥାକଥିତ ଦୁର୍ନୀତିଗ୍ରସ୍ତ ନବୀନଙ୍କ ସହ ବଡ ଆନନ୍ଦରେ କ୍ଷମତା ଭୋଗ କରିଥିବା ବିଜେପି ଆଜି ହଠାତ ଏତେ ଜ୍ଞାନ ପାଇଲା କେମିତି ?

ତେବେ ଏହି ମାମଲାରେ ୨୬, ମାର୍ଚ୍ଚ ୨୦୧୪ ରେ ଏକ ମାମଲା ଦାୟର ହେଲା, ମନମୋହନ ସିଂ ସରକାର ଅମଳରେ। ଏ ପ୍ରସଙ୍ଗରେ ତତ୍କାଳୀନ କୋଇଲାମନ୍ତ୍ରୀଙ୍କୁ କୁଆଡେ ସିବିଆଇ ୨୫, ନଭେମ୍ବର ୨୦୧୭ ରେ ଜେରା ମଧ୍ୟ କରିଥିଲା। ସିବିଆଇ ଏଠି ପତ୍ରଟିଏ ହଲାଇଲେ ବାତ୍ୟା ର ଆଭାସ ସୃଷ୍ଟି କରୁଥିବା ବିଜେପି ଏ ବିଷୟରେ ଗତ ପାଞ୍ଚ ବର୍ଷ ଧରି କିଛି ଜାଣି ପାରିଲା ନାହିଁ କେମିତି ? ମୋଦୀ ସରକାର ଅଟଳ ବିହାରୀ ବାଜପାୟୀ ସରକାର ଅମଳର ଦୁର୍ନୀତିକୁ ଆଜି ନିର୍ବାଚନ ପ୍ରସଙ୍ଗ କରୁଛି। ପାଞ୍ଚ ବର୍ଷ ଧରି ନୁହଁ ବରଂ ୨୧ ବର୍ଷ ଧରି  ଗୋଟେ ଦୁର୍ନୀତିକୁ ଘଣ୍ଟ ଘୋଡାଇ ରଖିଥିବା ମୋଦୀ ସରକାର ଆଜି କେଉଁ ମୁହଁରେ ନିର୍ବାଚନ ପୂର୍ବରୁ ଏହାକୁ ଏକ ପ୍ରସଙ୍ଗ ବୋଲି କହୁଛନ୍ତି ? ଯେଉଁ ବୈଭବ ବର୍ମା ଏ ମାମଲା ସୁପ୍ରିମ କୋର୍ଟରେ ଉଠାଇଛନ୍ତି ତାହାର ସ୍ପଷ୍ଟୀକରଣ ସିବିଆଇ ଦେଉ ନାହିଁ କାହିଁକି ? ସିବିଆଇ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଛି କି ? କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କାମ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ଗଣ ମାଧ୍ୟମରେ ପ୍ରଶ୍ନ ନ ପଚାରି ତାଙ୍କ ସରକାର ଏ ପ୍ରସଙ୍ଗରେ କଣ ସବୁ ପଦକ୍ଷେପ ନେଇଛନ୍ତି ଜଣାଇବେ କି ? ଏ ମାମଲାରେ ଅନ୍ୟତମ ଅଭିଯୁକ୍ତ କିଛି ମନ୍ତ୍ରୀ ଆଜି ମଧ୍ୟ ମୋଦୀ ସରକାରରେ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ ଜାଣିନାହାନ୍ତି କି ?

ସବୁଠୁ ମଜା କଥା ହେଉଛି ଏ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବେଶ ବଡ ବଡ କଥା କହୁଛନ୍ତି। ଶ୍ରୀ ପଣ୍ଡା ୧୯୯୮ ରୁ ଗତ ବର୍ଷ ପର୍ୟନ୍ତ ନବୀନଙ୍କ ସବୁଠୁ ପ୍ରିୟା ବନ୍ଧୁ ଥିଲେ। ଆଜି ହଠାତ ଏ ନାଟକର କାରଣ କଣ କେବଳ ରାଜନୈତିକ ଶତ୍ରୁତା ? ନିଜର ରାଜନୈତିକ ଖେଳ ଖେଳିବା ସମୟରେ ଯୁକ୍ତି ଓ ସିଦ୍ଧାନ୍ତ ବୋଲି କିଛି ଅଛି ବୋଲି ବୋଧେ ଆମର ନେତାମାନେ ଭୁଲି ଯାଆନ୍ତି । ୧୧୯୮ ର ମାମଲାକୁ ୨୦୧୯ ନିର୍ବାଚନରେ ପ୍ରସଙ୍ଗ କଲେ- ଜଗତେ କେବଳ ଜନେ ହସିବେ, ଏକଥା ବିଜେପି ଭୁଲିଯିବା ଉଚିତ ନୁହେଁ !

Categories
ବିଶେଷ ଖବର

କେବେ ପ୍ରକାଶ ପାଇବ ଓଡିଶା ବିଜେପିର ପ୍ରାର୍ଥୀ ତାଲିକା ? ବିଜେପି ପାଖରେ ୧୪୭ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ସତରେ ନାହାନ୍ତି କି ?

କେଦାର ମିଶ୍ର

ନିର୍ବାଚନ ସମୟରେ କଂଗ୍ରେସ ଦଳର ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ଅନେକ ରାଜନୈତିକ ଜୋକ୍ସରହିଛି। ଏ ଦଳରୁ କିଏ କେତେବେଳେ ଟିକଟ ପାଇବ ଓ କେତେବେଳେ କାହାର ଟିକଟ କଟିବ, ସେକଥା କହିବା ବଡ ମୁସ୍କିଲ। ହେଲେ ଏ ନିର୍ବାଚନରେ କଂଗ୍ରେସ ଦଳ ବେଶ ସୁଧୁରି ଯାଇଛି। ଓଡିଶାରେ ବିଧାନସଭା ଓ ଲୋକସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ହେଉଥିବାରୁ ଏଠି ପ୍ରାର୍ଥୀ ତାଲିକା ଯଥାଶୀଘ୍ର ପ୍ରକାଶ ପାଇବା ଆବଶ୍ୟକ। ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ତିନି ଦିନ ହେଲାଣି ନିଜର ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଲେଣି। ବିଜେଡି ତାଲିକା ପ୍ରକାଶ ପାଇବାର ମାତ୍ର କେଇ ଘଣ୍ଟା ଭିତରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ତାଲିକାର ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି। ଆଜି କାଲି ହୋଇ ଇତି ମଧ୍ୟରେ ଅନ୍ୟ ଦଳର ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କଲେଣି। ବିଜେପି ଖାତା କଲମ କିନ୍ତୁ ଏହାର ଦିଲ୍ଲୀ ଅଫିସରେ ଅଟକି ରହିଛି।

ଏ ପ୍ରକାର ବିଳମ୍ବର ଏକମାତ୍ର କାରଣ ହେଉଛି ଠିକ ନିର୍ବାଚନ ପୂର୍ବରୁ ବିଜେପିରେ ଘଟିଥିବା ନେତୃତ୍ବର ନୂଆ ସମୀକରଣ। ବିଜୁ ଜନତା ଦଳର ବହିଷ୍କୃତ ପୂର୍ବତନ ସାଂସଦ ବିଜେପିରେ ଯୋଗଦେବା ପରେ ଏବେ ଓଡିଶା ନିର୍ବାଚନ ର ମଙ୍ଗ ସେ ଧରିଛନ୍ତି। ପୂର୍ବରୁ ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ହଠାତ ଗୌଣ ଭୂମିକାରେ ନଜର କୁ ଆସୁଛନ୍ତି। ସବୁ ଦଳୀୟ ସଭାରେ ଏବେ ବୈଜୟନ୍ତ ମଝି ଆସନ ପାଉଛନ୍ତି। ବିଜେପିର ନୂଆ ରଣନୀତି ଅନୁସାରେ ବିଜେଡ଼ିର ଅସନ୍ତୁଷ୍ଟ ନେତାମାନଙ୍କୁ ନେଇ ଏବେ ନିର୍ବାଚନ ମଇଦାନକୁ ଯିବାକୁ ପଡିବ। ବିଜେପି ଭିତରେ ଦୀର୍ଘ ବର୍ଷ ଧରି କାମ କରୁଥିବା ପୁରୁଣା ନେତାମାନେ ଜିତି ପାରିବେ ନାହିଁ ବୋଲି ଏକ ଧାରଣା ବିଜେପିରେ ସୃଷ୍ଟି ହୋଇଛି। ତେଣୁ ବିଜେଡଡିରୁଟିକଟ ପାଇନଥିବା ନେତା ହେଉଛନ୍ତି ଏବେ ବିଜେପିର ଶେଷ ଆଶ୍ରୟ।

ଏବେ ପ୍ରତିଦିନ କଂଗ୍ରେସ ଓ ବିଜେପିରୁ ଟିକଟ ପାଇନଥିବା ନେତାମାନେ ବିଜେପିକୁ ନିଜର ଅନ୍ତିମ ଆଶ୍ରୟସ୍ଥଳ ବୋଲି ଭାବୁଛନ୍ତି। ସେଥିଲାଗି ଦଳ ନିଜର ପ୍ରାର୍ଥିତାଲିକା ଘୋଷଣା କରୁନାହିଁ। ଏହାକୁ ଏକପ୍ରକାର ଥୋପ ଭାବରେ ବିଜେପି ବ୍ୟବହାର କରୁଛି। ଯିଏ ବି କଂଗ୍ରେସ ଓ ବିଜେଡି ଛାଡିକି ଆସିବ ତାଙ୍କୁ ଟିକଟ ଦିଆଯିବ ବୋଲି କୁହାଯାଉଛି। ଇତିମଧ୍ୟରେ ବିଜେଡି ନିଜର ଆଠଜଣ ପୁରୁଣା ଲୋକସଭା ସଦସ୍ୟଙ୍କୁ ଟିକଟ ଦେଇନାହିଁ। ସେମାନଙ୍କ ଭିତରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିକୁ ଆସି ସାରିଛନ୍ତି। କଳାହାଣ୍ଡି ସାଂସଦଙ୍କୁ ଟିକଟ ନଦେବାର କାରଣ ହେଉଛି, ବିଜେଡି ଭଲ ଭାବରେ ଜାଣିଥିଲା ଯେ ଅର୍କ କେଶରୀ ଦେଓ ବିଜେପି ସହିତ ଅନେକ ଦିନରୁ ଯୋଗାଯୋଗରେ ରହିଛନ୍ତି। ତେଣୁ ସେ ଓ ତାଙ୍କ ପତ୍ନୀ ବିଜେପିରେ ସ୍ଵାଭାବିକ ଭାବରେ ଯୋଗଦେବେ। ଏହାର ପରିଣତି ସ୍ଵରୂପ କଳାହାଣ୍ଡିରେ ଦୀର୍ଘ ବର୍ଷ ଧରି ଦଳୀୟ ସଂଗଠନ କରିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କ ଟିକଟ ଏବେ ସନ୍ଦେହ ଘେରରେ। କନ୍ଧମାଳରେ ବିଜେପିର ସଂଗଠନ ବହୁ ପୁରୁଣା। ସେଠାରେ ନିକଟରେ ବିଜେଡି ଛାଡିଥିବା ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କୁ ଟିକଟ ଦେବା ସହଜ ହୋଇନପାରେ। ସେଥିପାଇଁ ବୋଧହୁଏ ପ୍ରତ୍ୟୁଷା ଦେବୀ ଏବେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି।

ବିଜେପି ନିଜର ପୁରୁଣା ନେତାଙ୍କ ସ୍ଵାର୍ଥ ଦେଖିବ ନା ନୂଆ ବିଜୁ ପରିବାର ଉପରେ ଆସ୍ଥା ପ୍ରକଟ କରିବ, ସେକଥା ଏଯାଏ ସ୍ଥିର କରି ପାରୁନାହିଁ।ସମୟ କିନ୍ତୁ ସରି ଆସୁଛି। କେବଳ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଓ ନୂଆ ଆସିଥିବା ନେତାଙ୍କ ରଣନୀତି କୁ ଆଶ୍ରା କରି ବିଜେପି ନିର୍ବାଚନ ଜିତିଯିବ ବୋଲି ଭାବିବା, ସବୁଠୁ ବଡ ଭୁଲ ହେବ। ଆଜି ପର୍ଯନ୍ତ ବିଜେପିର ରାଜ୍ୟ ନେତୃତ୍ୱ କିଏ ନେବ, ତାକୁ ନେଇ ଘୋର ସନ୍ଦେହ ରହିଛି। ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତ ବିଜେପିରେ ମିଶିଲା ପରେ ଯେଉଁ ଉତ୍ସାହ ଦଳ ଭିତରେ ଦିଶୁଥିଲା, ସେଟା ଏବେ ମିଳେଇ ଗଲାଣି। ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ଲଢିବେ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବା ବିଜେପି ପାଇଁ ଆତ୍ମଘାତି ହୋଇଛି। ଗୁଇନ୍ଦା ବିଭାଗର ଏକ ଜାଲ ଚିଠି ଦେଖାଇ ବିଜେପି ଏବେ ନିଜ ଜାଲରେ ନିଜେ ଫସି ଯାଇଛି। ନିର୍ବାଚନ ସମୟରେ ଥରେ ରଣନୀତି ଭୁଲ ହୋଇଗଲେ ତାକୁ ସଜାଡିବା ଆଦୌ ସହଜ ବ୍ୟାପାର ନୁହେଁ। ଗୋଟିଏ ଭୁଲକୁ ଢାଙ୍କିବାକୁ ଯାଇ ବିଜେପି ଏବେ ଅନେକ ଭୁଲ କରି ବସୁଛି।

ପ୍ରାର୍ଥୀ ତାଲିକା ପ୍ରକାଶରେ ଅହେତୁକ ବିଳମ୍ବ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରି ସାରିଲାଣି। ଏହାକୁ ନେଇ ବିଜେଡି ମଧ୍ୟ ବିଜେପିକୁ କଟାକ୍ଷ କରି ସାରିଲାଣି। ତୁରନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରି ବିଜେପି ଯଦି ନିଜର ପ୍ରଚାର ଅଭିଯାନ ଆରମ୍ଭ ନ କରେ, ତାହେଲେ ବିଜେପି ଦ୍ଵିତୀୟ ସ୍ଥାନକୁ ଆସିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିବା!

 

Categories
ବିଶେଷ ଖବର

କଂଗ୍ରେସ ଓ ବିଜେପିର ପୁରୁଣା ମୁହଁ ବନାମ ବିଜେଡ଼ିର ନୂଆ ମୁହଁ, କିଏ କାହାକୁ ଚକମା ଦେବ?

କେଦାର ମିଶ୍ର

୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ  ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ କରିବାକୁ ହେଲେ ନୂଆ ପ୍ରଜନ୍ମର ନେତା ବାହାରିବା ନିହାତି ଜରୁରୀ। ବିଜେପି ଓ କଂଗ୍ରେସ ଗତ ଦଶ ବର୍ଷ ଭିତରେ ପ୍ରଭାବଶାଳୀ ନୂଆ ମୁହଁ ତିଆରି କରିବାରେ ବିଫଳ ହୋଇଛନ୍ତି।

ଆମେ କେବଳ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଏହି ପ୍ରସଙ୍ଗକୁ ବିଶ୍ଳେଷଣ କରିବା । ଉଭୟ ବିଜେପି ଓ କଂଗ୍ରେସର ସମ୍ଭାବ୍ୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀ କିଏ ହେବେ ତାର କିଛି ତାଲିକା ଏବେ ଜନ ସାଧାରଣରେ ଚର୍ଚ୍ଚିତ ହେଉଛି। କଂଗ୍ରେସ ଆଜି ମଧ୍ୟ ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂ ଦେଓ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ବିଭୁ ପ୍ରସାଦ ତରାଇଙ୍କ ପରି ପୁରୁଖା ନେତାଙ୍କ କାନ୍ଧ ଉପରେ ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଏକ ତରୁଣ ଶକ୍ତି ନିର୍ମାଣ କରିପାରିନାହାନ୍ତି। ଯେଉଁ ଜଣେ ଦୁଇ ଜଣ ତରୁଣ ନେତା କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି, ସେମାନେ ବିଭିନ୍ନ ରାଜନୈତିକ ପରିବାରରୁ ଆସିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ପୁଅଙ୍କ ନାମ ଏଇ ତାଲିକାରେ ରହିଛି।

ବିଜେପି ନିଜକୁ ଯୁବା ଶକ୍ତିର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏହି ଦଳର ମୁଖ୍ୟ ଆସନ ମାଡି ବସିଥିବା ନେତାଏ ଓ ଟିକଟ ଆଶାୟୀମାନେ ଆଜି ମଧ୍ୟ ପୁରୁଣା। ଏହାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଜି ବି ସେଇ ପୁରୁଣା ନାମ ଗୁଡିକର ପ୍ରାଧାନ୍ୟ ରହିଛି। ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅନନ୍ତ ନାୟକ, ବସନ୍ତ ପଣ୍ଡା, ପର୍ଶୁରାମ ମାଝୀ, ରୁଦ୍ର ପାଣି, ସୁରେଶ ପୂଜାରୀ, ସଂଗୀତା ସିଂ ଦେଓ, ଜୟରାମ ପାଙ୍ଗିଙ୍କ ଭଳି ପୁରୁଣା ଓ  ବାରମ୍ବାର ହାରିଥିବା ନେତାଙ୍କୁ (ଅବଶ୍ୟ କିଛି ବିଜେଡ଼ିରୁ ଆମଦାନୀ ହୋଇଥିବା ବିଜୟୀ ନେତା ମଧ୍ୟ ଅଛନ୍ତି)  ନେଇ ବିଜେପି ନିଜର ସଫଳତା ହାସଲ କରିବ ବୋଲି ଭାବୁଛି।

ତେବେ ଏମାନଙ୍କ ରଣନୀତିଠୁ ବିଜେଡି ପୂରାପୂରି ଅଲଗା।  ବିଜେଡି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏବେ ଅନେକ ନୂଆ ମୁହଁ ସ୍ଥାନ ପାଇବାର ସମ୍ଭାବନା ରହିଛି। ତଥାଗତ ଶତପଥି, ବିଜୟଶ୍ରୀ ରାଉତରାୟ ଙ୍କ ପରି ବିଜେଡ଼ିର ପୁରୁଣା ନେତାମାନେ ନିଜ ତରଫରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିସାରିଲେଣି। ବିଜେଡି ଲୋକସଭା ପାଇଁ ପ୍ରାୟ ନବେ ଭାଗ ନୂଆ ମୁହଁ କଥା ଭାବୁଥିବା ବେଳେ ବିଧାନସଭା ପାଇଁ ୪୦-୫୦% ଯୁବକ ଓ ମହିଳାଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଛି। ବିଜେଡ଼ିର ଦଳୀୟ ସଙ୍ଗଠନରେ ମଧ୍ୟ ଏବେ ନୂଆ ମୁହଁ ମାନଙ୍କର ଭୂମିକା ବଢି ଚାଲିଛି। ଦଳ ଭିତରକୁ ପ୍ରତି ଦିନ ନୂଆ ଲୋକ ଆସୁଛନ୍ତି। ବିଜେପି ଭିତରକୁ ଅଧିକରୁ ଅଧିକ ବିଜେଡ଼ିରୁ ବିତାଡିତ କିମ୍ବା ଅସନ୍ତୁଷ୍ଟ ନେତା ପ୍ରବେଶ କରୁଥିବା ବେଳେ ବିଜେଡିରେ ଏବେ ପୂର୍ବତନ ପ୍ରଶାସକ ଓ ତୃଣମୂଳ ସ୍ତରର କର୍ମୀମାନେ ପ୍ରବେଶ କରୁଛନ୍ତି।

ନୂଆ ଭୋଟରଙ୍କୁ ପୁରୁଣା ମୁହଁ ଦ୍ଵାରା ପ୍ରଭାବିତ କରିବା ସହଜ ନୁହେଁ। ନେତା ଭାବରେ ହୁଏତ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି। ହେଲେ ନିର୍ବାଚନ ଲଢିବା ପାଇଁ ନୂଆ ଶକ୍ତି ଓ ନୂଆ ମୁହଁ ଯାହାର ଅଧିକ ରହିବ,  ସେମାନଙ୍କ ପକ୍ଷରେ ନିର୍ବାଚନ ଜିଣିବା ସହଜ ହେବ।

Categories
ବିଶେଷ ଖବର

ବିଜେପିକୁ ଆସିବାଲାଗି ବୈଜୟନ୍ତଙ୍କ ବାଇଶ ବର୍ଷର ଅପେକ୍ଷା ଓ ତପସ୍ୟା

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, ସେ ବିଜେପିରେ ମିଶିବାକୁ ଦିଲ୍ଲୀକୁ କାହିଁକି ବାଛିଲେ, ସେ ପ୍ରଶ୍ନ ମଧ୍ୟ ଏବେ ଆଲୋଚିତ ହେଉଛି। ଆମ ଲାଗି କିନ୍ତୁ ସବୁଠୁ ଆକର୍ଷଣ ର ବିଷୟ ହେଉଛି ବିଜେପିରେ ମିଶିଲାପରେ ବୈଜୟନ୍ତ ଦେଇଥିବା ବୟାନ। “ବିଜେପିରେ ମିଶିବା ଲାଗି  ଗତ ବାଇଶ ବର୍ଷ ଧରି ମୁଁ ଅପେକ୍ଷା କରି ରହିଥିଲି।“ – ଏ କଥା ପଦକ ବୈଜୟନ୍ତଙ୍କ ଅନେକ ଗୁମର ଖୋଲି ଦେଇଛି। ସେ ଯେ ବିଜେଡି ଭିତରେ ବିଜେପିର ଲୋକ ହୋଇ ଏତେଦିନ ଥିଲେ, ଏ କଥା ସେ ନିଜେ ସ୍ଵୀକାର କରିଛନ୍ତି। ନିଜକୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିଭୂ ବୋଲି ଏହା ପୂର୍ବରୁ ସେ ଯାହା କହୁଥିଲେ, ତାହା ଯେ କେବଳ ଛଳନା ଥିଲା, ଏହା ତାଙ୍କ ନିଜ ବକ୍ତବ୍ୟ ପ୍ରମାଣିତ କରୁନାହିଁ କି?

ବିଜୁ ପଟ୍ଟନାୟକ ସାରା ଜୀବନ ସାମ୍ପ୍ରଦାୟିକ ରାଜନୀତି ତଥା ସେ ରାଜନୀତି ସହ ସଂପୃକ୍ତ ଜନସଙ୍ଘ, ବିଜେପି ଓ ସଂଘ ପରିବାରକୁ ବିରୋଧ କରି ଆସୁଥିଲେ।୧୯୭୭ର  ଜନତା ପାର୍ଟି ସରକାରରେ ଥିବା ଜନସଙ୍ଘି ମନ୍ତ୍ରୀମାନେ ଦ୍ଵୈତ ଆଦର୍ଶ ରଖିପାରିବେ ନାହିଁ ବୋଲି ବିଜୁ ବାବୁ ସେତେବେଳେ ଦୃଢ ଯୁକ୍ତି କରିଥିଲେ। ୧୯୯୫ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ବାବୁଙ୍କ ଅପ୍ରତ୍ୟାଶ୍ୟିତ ପରାଜୟ ସତ୍ତ୍ୱେ ସେ ନିଜ ଜୀବନକାଳରେ ବିଜେପି ସହ ମେଣ୍ଟ କରିବାକୁ ଚାହିଁନଥିଲେ। ବିଜୁ ବାବୁଙ୍କର ସବୁ ଶିଷ୍ୟ ପ୍ରଶିଷ୍ୟ ଯେତେବେଳେ ବିଜେପି ସହ ମେଣ୍ଟ କରିବାକୁ ଗୋଡ ଟେକି ବସିଥିଲେ, ସେତେବେଳେ ବିଜୁ ବାବୁ ଏକଲା ହୋଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେଣୁ ବିଜୁ ବାବୁ ଙ୍କ ଅବର୍ତ୍ତମାନରେ ଯେତେବେଳେ ବିଜୁ ଜନତା ଦଳ ବିଜେପି ସହ ମେଣ୍ଟ କଲା, ତାହା ଏକପ୍ରକାର ବିଜୁ ବିରୋଧୀ ଆଦର୍ଶ ଥିଲା ବୋଲି କୁହାଯାଇପାରେ। ସେଇ ଦୃଷ୍ଟିରୁ ବୈଜୟନ୍ତଙ୍କ ବିଜୁ ପ୍ରେମ କେବଳ ଏକ ବାହାନା ମାତ୍ର। ବିଜେପି ସହିତ ନିଜର ଆଦର୍ଶଗତ ମେଳକ ସତ୍ତ୍ୱେ ବୈଜୟନ୍ତଙ୍କ ପରି ବହୁ ନେତା ବିଜୁ ପଟ୍ଟନାୟକଙ୍କ ବିଚାର ସହ ଯୋଡି ହେବାର ନାଟକ ଇ କରିଥାନ୍ତି।

ତେବେ ଆଜି ଯେତେବେଳେ ବୈଜୟନ୍ତ ନିଜ ମୁହଁ ରେ ସତ୍ୟକୁ ସ୍ଵୀକାର କରିଛନ୍ତି, ସେତେବେଳେ ତାଙ୍କୁ କେତୋଟି ଅଡୁଆ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ଗତ ବାଇଶ ବର୍ଷ ଧରି ସେ ବିଜେପିକୁ ଆସିବାକୁ ଚାହୁଁଥିଲେ ତାହେଲେ ବିଜେଡି ରୁ ରାଜ୍ୟସଭା ଓ ଲୋକସଭା କୁ ଯାଉଥିଲେ କାହିଁକି? ୨୦୧୭ ଓଡିଶା ପଞ୍ଚାୟତ ନିର୍ବାଚନ ସମୟରେ ଓ ତା ପରେ ବିଜେପି ପ୍ରରୋଚନାରେ ସେ ବିଜେଡି ସଂସଦୀୟ ଦଳ ଓ ବିଧାୟକ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଥିଲା, ତାହା ସତ୍ୟ କି? ପୁନଶ୍ଚ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ଏକ ଜାତୀୟ ୱେବ ସାଇଟରେ ଯେଉଁ ମିଛ ଖବର ପ୍ରକାଶ ପାଇଥିଲା, ତା ପଛରେ ଜଣେ ବିଜେପି ପ୍ରେମୀ ବିଜେଡି ସାଂସଦଙ୍କ ହାତ ରହିଛି ବୋଲି ସେତେବେଳେ କୁହାଯାଉଥିଲା। ତାହା ଆଜି ପ୍ରମାଣିତ ହୋଇ ଯାଇଛି କି?

ବିଜେପି କୁ ସୁହାଇଲା ଭଳି ପରିସ୍ଥିତି ସୃଷ୍ଟି କରାଇବାରେ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରିବା ନିହାତି ଜରୁରୀ ଥିଲା। ସେହିପରି ବିଜେଡ଼ିରୁ ବିତାଡିତ ଅସନ୍ତୁଷ୍ଟ ନେତାମାନେ ଯେମିତି ଶକ୍ତିଶାଳୀ ନହୁଅନ୍ତି, ତାହା ଦେଖିବା ମଧ୍ୟ ଜରୁରୀ ଥିଲା। ଏ ସବୁ କୂଟନୈତିକ କାମରେ ବିଜେପି ବୈଜୟନ୍ତଙ୍କୁ ଲଗାଇ କଂଗ୍ରେସକୁ ଦୁର୍ବଳ କରିବାରେ ସଫଳ ହୋଇଛି କି? ବିଜେଡିରେ ବୈଜୟନ୍ତଙ୍କ ଗୋଟି ଚାଳନା ବିଫଳ ହେବାପରେ ସେ ବାହାରେ ରହି କଂଗ୍ରେସ ଓ ଅନ୍ୟାନ୍ୟ ବିଜେପି ବିରୋଧୀ ଶକ୍ତିକୁ ଗତ ୯ ମାସ ଧରି ଦୁର୍ବଳ କରିବାର ଉଦ୍ୟମ କରି ଆସିଛନ୍ତି। ଅବଶ୍ୟ ଏଥିଲାଗି ବୈଜୟନ୍ତଙ୍କ ତୁଳନାରେ ଓଡିଶା କଂଗ୍ରେସ ନିଜକୁ ଅଧିକ ଦାୟୀ କରିବା ଉଚିତ। ଆଦର୍ଶଗତ ଭାବରେ ବୈଜୟନ୍ତ ସଂଘ ପରିବାରର ନିକଟବର୍ତ୍ତୀ ବୋଲି ଜାଣି ମଧ୍ୟ କଂଗ୍ରେସ ତାଙ୍କୁ ସମର୍ଥନ ଦେଇ ଆସୁଥିଲା। ତେବେ ବିଜେପିର ନିକଟ ସମ୍ପର୍କୀୟ ଭାବେ ବୈଜୟନ୍ତ ବାହାରେ ରହି ବିଜେପିକୁ ସହାୟତା ଯୋଗାଇ ଆସିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ ବୈଜୟନ୍ତ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ। ବିଜେଡ଼ିର ସମଦୂରତା ନୀତି କାରଣରୁ ବୈଜୟନ୍ତଙ୍କ ବିଜେପି ପ୍ରୀତି କିଛିଟା ବ୍ୟାହତ ହୋଇଥିଲା। ଯଦିଓ ସେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ, ବସ୍ତୁତଃ ସେ ବିଜେପି ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ଗୋଟେ ସମୟରେ ବିଜେଡିରେ ବିଭାଜନ ସୃଷ୍ଟି କରି ବିଜେପି ସହାୟତାରେ ସରକାର ଗଢିବାର ଷଡଯନ୍ତ୍ର ମଧ୍ୟ ହୋଇଥିଲା। ତାହା ସଫଳ ନହେବାରୁ ବୈଜୟନ୍ତ ବିଜେଡି ଭିତରେ ନିଜକୁ ଜଣେ ଲଢୁଆ ଆଦର୍ଶବାଦୀ ବୋଲି କହିବାକୁ ଚେଷ୍ଟା କରିଥିଲେ। ତେବେ ମୁଖ୍ୟତଃ ସେ ବିଜେଡି ଭିତରେ ବିଜେପିର “ଭେଦିଆ” ଭାବରେ ହିଁ କାମ କରୁଥିଲେ।

ସେ ଯାହା ବି ହେଉ ବାଇଶ ବର୍ଷ ଧରି ବାହାରେ ବିଜେପିର  ଭେଦିଆ ହୋଇ ରହିବା ପରେ ଆଜି ସେ ନିଜ ମନ ପସନ୍ଦର ଦଳକୁ ଫେରିଥିବାରୁ, ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ!!