Categories
ଆଜିର ଖବର ରାଜ୍ୟ ଖବର

‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ବର ଠାରେ ନିଜ ୱାର୍ଡ ବନର୍ଦୁଗା ମଣ୍ଡଳ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଶ୍ରୀମତି ଅପରାଜିତା ଷଡଙ୍ଗୀ ସହ ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ଥିବା ବ୍ୟକ୍ତିବେଶଷ ପୂର୍ବତନ ଯବାନ ହରପ୍ରସାଦ ଡୋରା, ବରିଷ୍ଠ ସମାଜସେବୀ ପ୍ରକାଶ ଚନ୍ଦ୍ର କାନୁନଗୋ, ସ୍ବଚ୍ଛ ଭାରତ ପ୍ରମୁଖ ସରସ୍ବତି ମୁଖି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୁ ଚରଣ ସ୍ବାଇଁ ଏବଂ ସଂଘ ପରିବାରର ବରିଷ୍ଠ ସଦସ୍ୟ ଗୁରୁ ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ, ମଣ୍ଡଳ ସଭାପତି ସ୍ବୟମ୍ଭୁ ପଟ୍ଟନାୟକ, ୧୯ ନମ୍ବର ୱାର୍ଡର ପ୍ରମୁଖ ପ୍ରଶାନ୍ତ ମହାନ୍ତି, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚିସ୍ମିତା ପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ଉନ୍ନତି ପରିଡା ଏବଂ ୧୯ ନମ୍ବର ୱାର୍ଡର କର୍ପୋରେଟର ପ୍ରାଥୀନୀ ସ୍ମିତା ମହନ୍ତି ଓ ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” ଶୁଣିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଜାତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଆସିଛନ୍ତି ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଥିଲେ ଏବଂ ଲୋକାଲ କୁ ଭୋକାଲ କରିବାକୁ ଆହ୍ବାନ କରିଥିଲେ।

Categories
ବିଶେଷ ଖବର

ବିଜେଡ଼ି ଫେରିବାକୁ ବାଟ ଖୋଜୁଛନ୍ତି ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡା

ସମୀକ୍ଷା ବ୍ୟୁରୋ

ଦିନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଯେଉଁମାନେ ବିଜେଡି ଛାଡିଥିଲେ, ସେମାନେ ଆଜି ବିଜେଡ଼ିକୁ ଫେରି ଆସିବାକୁ ବିକଳ ହୋଇ ବାଟ ଖୋଜୁଥିବାର ଜଣା ପଡିଛି। ନିର୍ବାଚନ ପୂର୍ବରୁ ବିଜେଡ଼ିର ବିକଳ୍ପ ଛିଡା କରିବେ ବୋଲି ଯେଉଁ ନେତାମାନେ ବାହାସ୍ଫୋଟ ମାରୁଥିଲେ, ସେମାନେ କେହି ଲୋକଙ୍କ ସହ ରହିବାକୁ ଚାହୁଁ ନଥିଲେ। ସମସ୍ତଙ୍କୁ ସହଜରେ କ୍ଷମତା ଦାଖଲ ଲାଗି ଶିଡିଟିଏ ଦରକାର ଥିଲା। ଏହି ନେତାମାନେ ନବୀନଙ୍କ ଛାତ୍ରଛାୟାରେ ୨୦ ବର୍ଷ କ୍ଷମତା ଭୋଗ କରି ସାରିଲାପରେ, ନୂଆ ଶିଡି ର ତଲାଶ କରୁଥିଲେ। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମାନଙ୍କ ଲାଗି ସହଜ ଶିଡି ମନେ ହୋଇଥିଲା। ତେଣୁ ନବୀନଙ୍କ ନୂଆ ଶତ୍ରୁ ପାଲଟିଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିର୍ବାଚନ ପାଖାପାଖି ବିଜେପିରେ ଯୋଗ ଦେଇଥିଲେ। ସ୍ଵାଭାବିକ ଭାବରେ ନିର୍ବାଚନୀ ଉଷ୍ମତାରେ ବିଜେପିର ବିଜେଡି ବିରୋଧୀ ଆଭିମୁଖ୍ୟ ତୀବ୍ର ରହିଥିଲା। ଲାଗୁଥିଲା, ଯେମିତି ବିଜେଡି ବିଜେପି ପରଷ୍ପରର ମୁହଁ ଚାହିଁବେ ନାହିଁ। ସେଇ ପରିସ୍ଥିତିରେ ବିଜେପି ପାଇଁ ବୈଜୟନ୍ତଙ୍କର ବଡ ଆବଶ୍ୟକତା ରହିଥିଲା।

ବିଜେପି ପାଇଁ ବୈଜୟନ୍ତଙ୍କ ତୁଳନାରେ ବୈଜୟନ୍ତଙ୍କ ମାଲିକାନାରେ ରହିଥିବା ଟେଲିଭିଜନ ଚାନେଲ ବେଶୀ ଲୋଭନୀୟ ଥିଲା। ନିର୍ବାଚନ ସମୟରେ ଜନମତକୁ ପ୍ରଭାବିତ କରିବା ଲାଗି ରାଜ୍ୟର ସର୍ବାଧିକ ଟିଆରପି ଥିବା ଖବର ଚାନେଲଟିକୁ ନିଜ ସପକ୍ଷରେ ରଖିବାକୁ ବିଜେପି ଚାହୁଁଥିଲା। ସେଥିଲାଗି ବୈଜୟନ୍ତଙ୍କୁ ନିର୍ବାଚନ ସମୟରେ ବିଜେପି ତରଫରୁ ବେଶ ଗୁରୁତ୍ଵ ଦିଆଯାଉଥିଲା। ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି କରିବା ସହିତ ଜାତୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆ ଯାଇଥିଲା। ତେବେ ନିର୍ବାଚନ ସରୁ ସରୁ ବୈଜୟନ୍ତ ବିଜେପିରେ ଆଉ ବିଶେଷ ଆବଶ୍ୟକତା ହୋଇ ରହିନାହାନ୍ତି।

ଦାମଙ୍କ ଅବସ୍ଥା ବୈଜୟନ୍ତଙ୍କ ତୁଳନାରେ ଟିକେ ଭଲ। ଦାମ ବାବୁ ପୁରୁଣା ଲୋକ। ସେ ଗୋଟେ ପାଦ ବିଜେପିରେ ରଖିବା ସହିତ ଗୋଟେ ପାଦ ବିଜେଡିରେ ଛାଡିକି ଯାଇଛନ୍ତି। ପୁଅ ସମୀର ରାଉତରାୟ ବିଜେଡି ଟିକଟ ପାଇ ବିଧାୟକ ହୋଇଛନ୍ତି। ପୁଅକୁ ଜିତାଇବା ଓ ନିଜେ ହାରିବାରେ ଦାମଙ୍କ ଭୂମିକା କଥା ଉଭୟ ବିଜେପି ଓ ବିଜେଡି ଦଳର ତୁଙ୍ଗ ନେତା ଜାଣନ୍ତି। ତେଣୁ ନବୀନ ଓ ବିଜେଡି ବିରୋଧରେ ଯେତେ ଗପିଲେ ମଧ୍ୟ ଦାମୋଦର ରାଉତ ନିଜର ବିଜେଡି ଯୋଗସୂତ୍ର କାଟି ନାହାନ୍ତି।

ନିର୍ବାଚନ ପରେ ପରେ ହଠାତ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଏତେ ମଧୁର ହୋଇଯିବ ବୋଲି ଦାମ ବା ବୈଜୟନ୍ତ ଚିନ୍ତା କରିନଥିଲେ। ସେମାନେ ବିଜେପିରେ ରହି ଆଗାମୀ ଦିନରେ ନବୀନ ବିରୋଧୀ ଶକ୍ତିଙ୍କୁ ବିଜେପି ମାଧ୍ୟମରେ ଏକାଠି କରିବେ ବୋଲି ଯେଉଁ ଯୋଜନା କରିଥିଲେ, ତାହା ପାଣି ଫାଟି ଯାଇଛି। ଏବେ ବିଜେଡି ବିଜେପି ସମ୍ପର୍କ କ୍ଷୀର ଆଉ ନୀରର। ବିଜେପିରେ ରହି ବିଜେଡ଼ିକୁ ସମର୍ଥନ କରିବା ଅପେକ୍ଷା ବିଜେଡ଼ିକୁ ଫେରିଯିବା ଅଧିକ ଲାଭଦାୟକ ବୋଲି ଏଇ ନେତାମାନେ ବିଚାର କରୁଛନ୍ତି। ତେବେ ବିଚାର କରିବା ଓ ଫେରିବା ଏକା କଥା ନୁହେଁ।

ଦାମ ଓ ବୈଜୟନ୍ତ ବିଜେଡି କୁ ଫେରିବା ଲାଗି ଏବେ ନିଜର ପୁରୁଣା ବିଜେଡି ସହଯୋଗୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶୁଣାଯାଉଛି। ବିଜେଡ଼ିର କିଛି ପୁରୁଖା ନେତା ଦାମ ଓ ବୈଜୟନ୍ତଙ୍କ ସହ ଭିତିରି ଯୋଗସୂତ୍ରରେ ରହିଥିବାର ଖବର ମଧ୍ୟ ମିଳୁଛି। ତେବେ ବିଜେଡିକୁ ଫେରିବା ବାଟ ଆଦୌ ସହଜ ମଧ୍ୟ ନୁହେଁ। ବିଜେଡିରେ ସବୁବେଳେ ଏକତରଫା ରାସ୍ତାର ରାଜନୀତି କାମ କରି ଆସିଛି। ଯିଏ ଥରେ ଦଳରୁ ବାହାରିଛି, ତାକୁ ଆଉ ଥରେ ବିଜେଡି ଗ୍ରହଣ କରିନାହିଁ। କେବଳ ପ୍ରଫୁଲ୍ଲ ଘଡେଇ ତାର ଏକ ବ୍ୟତିକ୍ରମ। ତେବେ ପ୍ରଫୁଲ୍ଲ ଘଡେଇ ଦଳରୁ ବହିଷ୍କୃତ ହେବାପରେ ପୂରା ନୀରବ ରହିଥିଲେ। ସେ ଦାମ ଓ ବୈଜୟନ୍ତଙ୍କ ପରି ନବୀନ ବିରୋଧୀ ମୋର୍ଚ୍ଚା ଖୋଲିନଥିଲେ। ଏବେ ବିଜେପି ଭିତରେ ନବୀନଙ୍କ ସହ  ବୁଝାମଣାର ଯେଉଁ ମଧୁମାସ ଚାଲିଛି, ସେଥିରେ ବୈଜୟନ୍ତ ଓ ଦାମଙ୍କ ପରି ନେତା ବଡ ଦ୍ଵନ୍ଦ୍ଵ ରେ ପଡିଛନ୍ତି। ସେମାନେ ଯେ କୌଣସି ପ୍ରକାରେ ବିଜେଡ଼ିକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ବୋଲି ଶୁଣାଯାଉଛି।

Categories
ଆଜିର ଖବର

ବୁଥ ପରିଦର୍ଶନରେ ଆସି କେନ୍ଦ୍ରାପଡାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ହଟହଟା

ସମୀକ୍ଷା ବ୍ୟୁରୋ

ଭୋଟ ଚାଲିଥିବା ବେଳେ କେନ୍ଦ୍ରାପଡାରର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ହଟାହଟା ହୋଇଛନ୍ତି। ଆଜି ବୈଜୟନ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲ ବ୍ଲକ ଅନ୍ତର୍ଗତ ଶୁକରପଡା ବୁଥକୁ ବୁଲିବାକୁ ଯାଇଥିଲେ। ହେଲେ ସେ ସେଠାରେ ପହଁଚିବା ପରେ ବିଜେଡି କର୍ମିଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏପରିକି କର୍ମିମାନେ ତାଙ୍କୁ ବୁଥ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। କର୍ମିମାନଙ୍କ ସହିତ ବୈଜୟନ୍ତଙ୍କ ଯୁକ୍ତିତର୍କ ଦେଖି ପୋଲିସ ସେଠାରେ ପହଁଚି ହସ୍ତକ୍ଷେପ କରିଥିଲା। ଏହାପରେ ବୈଜୟନ୍ତଙ୍କ ସହିତ ବିଜେଡି କର୍ମି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତି ତର୍କ ହେବା ପରେ ସେ ବାଧ୍ୟ ହୋଇ ସେଠାରୁ ଫେରିଯାଇଥିଲେ। ବିଜେଡି କର୍ମିଙ୍କ ଯୁକ୍ତି ହେଲା ଯେ, ବୈଜୟନ୍ତ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବୁଥ ଭିତରକୁ ପ୍ରବେଶ କରୁଥିଲେ। ସେଥିପାଇଁ ତାଙ୍କୁ ବିରୋଧ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଶୁକରପଡା ବୁଥରେ କୌଣସି ଅସୁବିଧା ନ ହୋଇଥିବା ବେଳେ ବୈଜୟନ୍ତ କଣ ପାଇଁ ଆସିଥିଲେ ବୋଲି କର୍ମିମାନେ ପ୍ରଶ୍ନ କରିଥିଲେ। କିଛି ସମୟ ପାଇଁ ବୈଜୟନ୍ତଙ୍କୁ ନେଇ ସେଠାରେ ଉତ୍ତେଜନା ଦେଖାଯାଇଥିଲା।

Categories
ବିଶେଷ ଖବର

ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ; ଜୟ, ବିଜୟ, ଅପରାଜିତା ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ ଚଳାଇଛନ୍ତି ଷଡଯନ୍ତ୍ର

ସମୀକ୍ଷା ବ୍ୟୁରୋ

ରାଜନୈତିକ ପଶାପାଲିରେ ଦିନକୁ ଦିନ ଅଜବ କଥା ସବୁ ଶୁଣିବାକୁ ମିଳିଛି। ତେବେ ବର୍ତ୍ତମାନ ଯେଉଁ ଖବର ରାଜନୈତିକ ବଜାରରେ ଘୁରି ବୁଲୁଛି ତାହା ଅତି ସାଂଘାତିକ। ଖବରଟି ହେଲା ବିଜେପି ଟିକଟରେ ନିର୍ବାଚନ ଲଢୁଥିବା ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ବିଜୟ ମହାପାତ୍ର ଏବଂ ସମ୍ବିତ ପାତ୍ର ହାରିବା ପାଇଁ ବିଜେପିର ଗୋଟିଏ ଗୋଷ୍ଠୀ କରୁଛନ୍ତି ଷଢଯନ୍ତ୍ର। ଏହି ଖବରଟି କେତେ ସତ ତାହା କହିବା ମୁସ୍କିଲ, ହେଲେ ଯଦି ସତ ତାହା ହେଲେ ବଡ ସାଂଘାତିକ। ବିଜେପିର ଏହି ପ୍ରଭାବଶାଳୀ ଗୋଷ୍ଠୀର ଭୟ ରହିଛି ଯେ, ଏହି ଚାରିଜଣ କ୍ଷମତାକୁ ଆସିଲେ ରାଜ୍ୟରେ ବେଶ୍ ପ୍ରଭାବଶାଳୀ ହୋଇଯିବେ। ଏପରିକି ଲୋକମାନେ ଓ କର୍ମୀମାନେ ମଧ୍ୟ ସେମାନଙ୍କ ପଟକୁ ଢଳିଯିବେ। ଏହି ଆଶଙ୍କାରେ ସେହି ନିର୍ଦ୍ଦିଷ୍ଠ ଗୋଷ୍ଠୀର ଉପଦେଷ୍ଠାଠାରୁ ଆରମ୍ଭ କରି ଚେଲାଚାମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ମାର୍ଗରେ ସେମାନଙ୍କୁ ହରାଇବା ପାଇଁ ରାସ୍ତା ତିଆରି କରୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର କର୍ମୀମାନଙ୍କୁ କୁଆଡେ ଏହି କାମରେ ଲଗାଇ ଦିଆଯାଇଛି। ଖାଲି ସେତିକି ନୁହେଁ, ଯାହା ପଇସା ଖର୍ଚ୍ଚ ହେବ ତାହା ମଧ୍ୟ ଭରଣା କରିବା ପାଇଁ କୁଆଡେ ପ୍ରତିଶୃତି ଦିଆଯାଇଥିବା ଚର୍ଚ୍ଚା ଚାଲିଛି।

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯିଏକି ବିଜେପିରେ ଯୋଗଦେଇ ନିର୍ବାଚନ ମଇଦାନରେ ଛିଡା ହୋଇଛନ୍ତି, ସେ ହେଉଛନ୍ତି କୁଆଡେ ଏହି ଗୋଷ୍ଠୀର ପ୍ରଥମ ଟାର୍ଗେଟ। କାରଣ ହେଲା ଏହି ଗୋଷ୍ଠୀ ଭଲଭାବରେ ଜାଣିଛନ୍ତି ଯେ, ବୈଜୟନ୍ତ ଥରେ କ୍ଷମତାକୁ ଆସିଗଲେ ସେ ଅଧିକ ଶକ୍ତିଶାଳୀ ହୋଇଯିବେ। ଦିଲ୍ଲୀ ତଥା କେନ୍ଦ୍ର ବିଜେପିରେ ବୈଜୟନ୍ତଙ୍କ ବେଶ୍ ଦବଦବା ରହିଛି। ସେ ସିଧା ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ସହିତ କଥା ହୋଇପାରୁଛନ୍ତି। ବୈଜୟନ୍ତଙ୍କ ବିଜେପି ପ୍ରବେଶକୁ ଏହି ଗୋଷ୍ଠୀ ପ୍ରଥମରୁ ବିରୋଧ କରୁଥିଲେ। ହେଲେ ପରବର୍ତ୍ତି ସମୟରେ ବୈଜୟନ୍ତଙ୍କ ନିଜସ୍ବ ନେଟୱାର୍କ ଦ୍ବାରା ସେ ବିଜେପିରେ ଯୋଗଦେବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମଧ୍ୟ ହାତେଇ ପାରିଛନ୍ତି। ଏହାକୁ ନେଇ ସେହି ଗୋଷ୍ଠୀ କୁଆଡେ ଉତକ୍ଷିପ୍ତ।

ସେହିପରି ଏହି ଗୋଷ୍ଠୀ ବିଜୟ ମହାପାତ୍ର କିପରି ହାରିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। କାରଣ ଏହି ଗୋଷ୍ଠୀ ମଧ୍ୟ ନିଶ୍ଚିତ ଯେ, ବିଜୟ ଯଦି କ୍ଷମତାକୁ ଆସନ୍ତି ତାଙ୍କର କାଟତି ମଧ୍ୟ ଦଳରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବରୁ ସେ ଦଳ ଭିତରେ ଥିଲେ ମଧ୍ୟ ତାଙ୍କୁ ପଙ୍ଗୁ କରିଦିଆଯାଇଥିଲା। ହେଲେ ସେ ଏକ ଅଭୟ ଶକ୍ତି ନେଇ ପୁଣିଥରେ ଦଳକୁ ଫେରିଛନ୍ତି ବୋଲି ଏହି ଗୋଷ୍ଠୀର ଧାରଣା। ତେଣୁ ସେ ଯଦି କ୍ଷମତା ପ୍ରାପ୍ତ ହୁଅନ୍ତି ତେବେ ତାଙ୍କର ଯେଉଁ ଲୋକପ୍ରିୟତା ରହିଛି ସେଥିରେ କର୍ମିମାନେ ତାଙ୍କ ଆଡକୁ ଢଳିବାର ମଧ୍ୟ ସମ୍ଭବାନା ରହିଛି। ତେଣୁ ସେ କିପରି ହାରିବେ ଏ ନେଇ ଏହି ଗୋଷ୍ଠୀ ଗୋଟି ଚାଳନା କରି ଚାଲିଛନ୍ତି।

ଆଉ ଜଣେ ହେଲେ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଏହି ଗୋଷ୍ଠୀର ବଡ ଟାର୍ଗେଟରେ। କାରଣ ଅପରିଜାତିଙ୍କ ମଧ୍ୟ ଦିଲ୍ଲୀ ଦରବାରରେ ଏବଂ କେନ୍ଦ୍ରୀୟ ନେତାଙ୍କ ପାଖରେ ପହଁଚ ରହିଛି। ସେ ବର୍ତ୍ତମାନ ନୂଆଦିଲ୍ଲୀ ନେତାଙ୍କ ଆର୍ଶିବାଦରେ ଦଳରେ ଯୋଗ ଦେଇଛନ୍ତି। ଅପରାଜିତା ମଧ୍ୟ ଅନେକ ସମୟରେ ମୋଦୀଙ୍କ ପାଇଁ ସେ ରାଜନୀତିକୁ ଆସିଛନ୍ତି ବୋଲି କୁହନ୍ତି। ଅର୍ଥାତ ରାଜ୍ୟ ନେତାମାନେ ତାଙ୍କ ଆସିବାରେ ହାତ ନାହିଁ ବୋଲି ପରୋକ୍ଷରେ କହିଦେଇଛନ୍ତି। ସେ ଯଦି ଜିତିଯାଆନ୍ତି ତେବେ କେନ୍ଦ୍ରୀୟ ପ୍ରଶାସନ ଏବଂ କେନ୍ଦ୍ରୀୟ ନେତାଙ୍କ ସୁସଂପର୍କ,ତାଙ୍କୁ ଅଧିକ କ୍ଷମତାଶାଳୀ କରିଦେବ। ତେଣୁ ଅପରାଜିତା କିପରି ହାରିବେ ସେ ନେଇ ଏହି ଗୋଷ୍ଠୀର ନେତା କୁଆଡେ ରାତି ଅଧିଆ କାମରେ ଲାଗିପଡିଛନ୍ତି। ଭୁବନେଶ୍ବରର ଲୋକସଭା ଅଧିନସ୍ଥ ବିଧାନସଭାରେ କିଏ ପ୍ରାର୍ଥୀ ହେବ ତାହା ଖୋଦ ଅପରାଜିତା ନିର୍ଦ୍ଧାରଣ କରିଛନ୍ତି। ଯାହା ସେହି ଗୋଷ୍ଠୀକୁ ଖୁବ ଜୋରରେ ବାଧିଛି। ପୁରୀରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଗୋଷ୍ଠୀର ଟ୍ୟାର୍ଗଟରେ। ହେଲେ ଏହାଙ୍କ ପଛରେ ଏହି ଗୋଷ୍ଠୀ ସେତେ ସକ୍ରିୟ ନାହିଁନ୍ତି। କାରଣ ପୁରୀରେ ସମ୍ବିତଙ୍କ ଭବିଷ୍ୟତ କଣ ହେବ ଏମାନେ ଠଉରେଇ ସାରିଛନ୍ତି। ସେଥିପାଇଁ ଏହାଙ୍କ ପଛରେ ସେପରି ଜୋରଦାର ଷଢଯନ୍ତ୍ର କରାଯାଇ ନାହିଁ।

ଏହି ଖବରକୁ ନେଇ ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ହେଲେ ବିଜେପିର କୈଣସି ନେତା ଖୋଲାଖୋଲି କିଛି କହିବାକୁ ଶକ୍ତି ନ ଥିଲେ ମଧ୍ୟ ଭିତିରେ ଭିତରେ ଏହାକୁ ନେଇ ବେଶ୍ ଆଲୋଚନା ଚାଲିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବିନା ବିଶ୍ଵାସଘାତକତାରେ ରାଜନୀତିର କାହାଣୀ କାହିଁ- ନବୀନ ବନାମ ବୈଜୟନ୍ତ କାହାଣୀରେ ବିଶ୍ଵାସଘାତକତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

ଯୁଗେ ଯୁଗେ ରାଜନୀତି ଓ ବିଶ୍ଵାସଘାତକତା ହାତ ଧରାଧରି ହୋଇ ଚାଲିଛନ୍ତି। ସିଂହାସନ ଲାଗି ବିଶ୍ଵାସଘାତକତାର ସୁଦୀର୍ଘ ଇତିହାସ ଆମେ ପଢିଛୁ। କ୍ଷମତା ଲାଗି ସବୁ କିଛି କରାଯାଇପାରେ ବୋଲି ଆମେ ବୁଝିଛୁ। ଗଣତନ୍ତ୍ରରେ ବିଶ୍ଵାସଘାତକତାର ଚେହେରା ଯଦିଓ ବଦଳିଛି, ଚରିତ୍ର କିନ୍ତୁ ସମାନ ରହିଛି। ଆଜି ବି କ୍ଷମତା ଆଗରେ ସବୁକିଛି ତୁଚ୍ଛ ଓ ନଗଣ୍ୟ। ରାଜନୀତିର ନିର୍ଦ୍ଦୟ ଖେଳରେ କିଏ କେତେବେଳେ କାହାର ବିଶ୍ଵାସ ଭାଙ୍ଗିବ ତାହାର ଆକଳନ କରିବା ସମ୍ଭବ ନୁହେଁ। ନିର୍ବାଚନ ସମୟରେ ବିଶ୍ଵାସଘାତକତା ଓ ବିଶ୍ବାସର ସଉଦା କେମିତି ହୁଏ, ତାହା ଦେଖିବାକୁ ହେଲେ ଆମର ରାଜନୈତିକ ଦଳ ମାନଙ୍କର ଇତିହାସ ଆମକୁ ଆଡେଇବାକୁ ପଡିବ। ଇତିହାସକୁ ନଯାଇ ଆମ ନିଜ ଆଖି ଆଗର ରାଜନୀତିକୁ ଦେଖିବା ଆସନ୍ତୁ। ମନେ ପକାନ୍ତୁ,  ୨୯, ମଇ, ୨୦୧୨ ର ଓଡିଶା ଖବର କୁ। ସେଦିନ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲରେ ଦେଖିବାକୁ ମିଳିଲା ଭୁବନେଶ୍ୱର ଶହୀଦ ନଗରରୁ ଏକ ବିଚିତ୍ର ରାଜନୈତିକ ନାଟକର ସିଧା ପ୍ରସାରଣ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବାବେଳେ ତାଙ୍କର ଅନୁପସ୍ଥିତିରେ ତାଙ୍କୁ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରଚନା କରାଯାଉଥିବାର ସବିଶେଷ ବିବରଣୀ ସେତେବେଳେ ଆମେ ଓଡିଶା ଟେଲିଭିଜନରେ ଦେଖିଛୁ। କହିବା ବାହୁଲ୍ୟ ଯେ, ଓଡିଶା ଟେଲିଭିଜନ ବା ଓ ଟିଭି ର ମାଲିକ ହେଉଛନ୍ତି ଆଜିର ବିଜେପି ନେତା ଓ ସେଦିନର ବିଜେଡି ନେତା ବୈଜୟନ୍ତ ପଣ୍ଡା।

ସେଦିନ  ବୈଜୟନ୍ତଙ୍କ ଓ ଟିଭି ସେ ଘଟଣାର ମୁଖ୍ୟ ନାୟକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ସବୁଠୁ ବଡ ବିଶ୍ଵାସଘାତକ ବୋଲି ଚିତ୍ରିତ କରିଥିଲା। ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁ ଯେତେ ସଫେଇ ଦେଲେ ମଧ୍ୟ ତାଙ୍କ କଥା ଆଉ କେହି ଶୁଣିନଥିଲେ। ବିଶ୍ଵାସଘାତକ ର ଅପବାଦ ନେଇ ପ୍ୟାରୀ ବାବୁ ଇହଧାମରୁ ଚାଲିଗଲେ। ନବୀନ ପଟ୍ଟନାୟକ, ଯିଏ ନିଜ ବିରୋଧୀଙ୍କ ପ୍ରତି ମଧ୍ୟ ସାଧାରଣରେ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ସେ ବୋଧେ ପ୍ରଥମ ଥର ଲାଗି ପ୍ୟାରୀ ବାବୁଙ୍କ ପ୍ରତି “ବେଇମାନ” ଶବ୍ଦର ପ୍ରୟୋଗ କରିଥିଲେ। ଆଜି ପ୍ୟାରୀ ବାବୁଙ୍କ ଆତ୍ମା ଯଦି କେଉଁଠି ଥିବ, ସେ ନିଶ୍ଚୟ ଟିକେ ଆଶ୍ବସ୍ତ ହେଉଥିବ। ଏକଦା ଯେଉଁ ଟିଭି ଚାନେଲ ର ମାଲିକ ତାଙ୍କର ବିଶ୍ଵାସଘାତକତାକୁ ନେଇ ଘଣ୍ଟା ଘଣ୍ଟାର କାହାଣୀ ଗଢୁଥିଲା, ସେ ଚାନେଲର ମାଲିକ ଆଜି ଖୋଦ ବିଶ୍ଵାସଘାତକ ହେବାର ଅପବାଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବାର ଏକ ଗୁଜବ ସବୁଠି ଖେଳିବୁଲୁଥିଲା। ପ୍ରତିଷ୍ଠିତ ଡିଜିଟାଲ ସଂସ୍ଥା କୋବ୍ରା ପୋଷ୍ଟ ଏ ପ୍ରସଙ୍ଗରେ ଏକ ବିଶେଷ ଖବର ମଧ୍ୟ ପରିବେଷଣ କରିଥିଲା। କେବେ କେମିତି ଦେହ ଖରାପ ହେବାର ସାଧାରଣ ପ୍ରକ୍ରିୟା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଵାଭାବିକ କାମ କରିଚାଲିଛନ୍ତି। ତା ସତ୍ତ୍ୱେ ଏ ପ୍ରକାର ଗୁଜବ ରଟନା କଲା କିଏ ଓ କାହିଁକି ? ଘଟଣା ଘଟିବାର ଅନେକ ବର୍ଷ ପରେ ଗତକାଲି ନବୀନ ବାବୁ ନିଜର ପାଟି ଖୋଲିଛନ୍ତି ଓ ଦଳର ଜଣେ ପୂର୍ବତନ ସାଂସଦ ଏ ପ୍ରକାର ଗୁଜବ ପ୍ରସାରିତ କରିଥିଲେ ବୋଲି କହିଛନ୍ତି। ଏନଡି ଟିଭିର ଶ୍ରୀନିବାସ ଜୈନଙ୍କୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତ୍କାରରେ ନବୀନ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ନିଜର ବ୍ୟକ୍ତିଗତ ରାଜନୈତିକ ଉଚ୍ଚାଭିଳାଷ ଲାଗି ଏ ପ୍ରକାର ମିଛ ଖବର ପ୍ରସାରିତ କରାଇଥିଲେ । ସାଧାରଣତଃ ବ୍ୟକ୍ତିଗତ ପ୍ରସଙ୍ଗକୁ ସାଧାରଣରେ ଆଲୋଚନା କରୁନଥିବା ନବୀନ, ପ୍ରଥମ ଥର ଲାଗି ଏମିତି ଏକ ମନ୍ତବ୍ୟ ରଖିଛନ୍ତି।

ନବୀନଙ୍କ ବିରୋଧରେ ବୈଜୟନ୍ତଙ୍କ ଷଡଯନ୍ତ୍ରକୁ ନେଇ ଏହା ପୂର୍ବରୁ ବିଭିନ୍ନ କ୍ଷମତା ଅଳିନ୍ଦରେ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ବହୁ ରୋଚକ କାହାଣୀ ମଧ୍ୟ ଶୁଣାଯାଉଥିଲା। ତେବେ ଏ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ କେବେ କିଛି କହିନଥିଲେ। ହଠାତ ଏ ପ୍ରସଙ୍ଗ ଉଠିବା ଓ ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା, ବୈଜୟନ୍ତଙ୍କୁ ଅଡୁଆରେ ପକାଇଛି। ନିଜର ପ୍ରାରମ୍ଭିକ ମାପଚୁପ ପ୍ରତିକ୍ରିୟାରେ ବୈଜୟନ୍ତ ଟୁଇଟ କରି ଲେଖିଛନ୍ତି- “ଏହା ମିଥ୍ୟା ଓ ଅବାଞ୍ଛିତ କଥା। ମୋ ବିଷୟରେ ନବୀନଙ୍କ ଏ ପ୍ରକାର ଭୟ ଦୁଃଖଦାୟକ।  ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସେ ଏ ପ୍ରକାର ନିର୍ବୋଧ ଷଡଯନ୍ତ୍ରର ଚିନ୍ତାରୁ ନିବୃତ୍ତ ହେବାର ଜ୍ଞାନ ତାଙ୍କୁ ମିଳୁ ଓ ସେ ସୁସ୍ଥ ଓ ଦୀର୍ଘଜୀବୀ ରହିଥାନ୍ତୁ। “ ତେବେ ଏ ପ୍ରକାର ପ୍ରତିକ୍ରିୟାରୁ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ନିଜର ଓଜନ ହରାଇବ କି?  ବୈଜୟନ୍ତ ଯେ ବିଜେଡ଼ିରୁ କୌଣସି ବୈଚାରିକ କାରଣରୁ ନୁହଁ, ବରଂ ଦଳ ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର କରିଥିବାରୁ ଦଳ ତାଙ୍କୁ ନିଷ୍କାସିତ କରିଛି, ଏ ପ୍ରକାର ଖବର ଏବେ ବିଜୁଳି ବେଗରେ ଖେଳି ବୁଲୁଛି। ବୈଜୟନ୍ତଙ୍କ “ବିଶ୍ଵାସଘାତକତା” ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ କରି ଦିଆଯାଇଛି। ଯେତେବେଳେ ଖୋଦ ନବୀନ ଏକଥା କହୁଛନ୍ତି, ତାକୁ ଗାଲୁଆମିରେ ଉଡାଇଦେବା ସମ୍ଭବ ନୁହେଁ। ତେଣୁ ଏ ନୂଆ ରାଜନୈତିକ ପ୍ରସଙ୍ଗରେ “ବିଶ୍ଵାସଘାତକତା ଓ ବେଇମାନି” ପ୍ରସଙ୍ଗ ଏବେ ମୁଖ୍ୟ ହୋଇପଡିବ। ଏ ବିଶ୍ଵାସଘାତକତା କେବଳ ନବୀନଙ୍କ ପ୍ରତି ନୁହଁ, ବରଂ ବିଜୁ ପରିବାର ପ୍ରତି ବୋଲି ଏକ ବାର୍ତ୍ତା ଦିଆ ସରିଛି। ଆଗାମୀ ନିର୍ବାଚନରେ ଏହି ଅପବାଦକୁ ବୈଜୟନ୍ତ କେମିତି ସାମ୍ନା କରୁଛନ୍ତି, ତାହା ସମୟକ୍ରମେ ଜଣା ପଡିବ ।

Categories
ଆଜିର ଖବର

ବୈଜୟନ୍ତ ପଣ୍ଡାଙ୍କ ଗୁମର ଖୋଲିଲେ ନବୀନ, କହିଲେ ମୋ ସ୍ବାସ୍ଥ୍ୟ ଖରାପ ବୋଲି ସେ ହିଁ କରିଥିଲେ ଅପପ୍ରଚାର, ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ସମୀକ୍ଷା ବ୍ୟୁରୋ

ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଯେଉଁ ଅପପ୍ରଚାର ହୋଇଥିଲା, ତାହାର ଗୁମର ଖୋଲିଛନ୍ତି ଖୋଦ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ନବୀନ ବୈଜୟନ୍ତଙ୍କ ଷଢଯନ୍ତର ଖୁଲାସା କରିଛନ୍ତି। ନବୀନ କହିଛନ୍ତି ଯେ, ପୂର୍ବେ ମୋର ଦେହ ଖରାପ ଅଛି ବୋଲି ଗଣମାଧ୍ୟମରେ ଯେଉଁ ପ୍ରଚାର କରାଯାଇଥିଲା, ତାହାର ମୂଳରେ ଥିଲେ ବୈଜୟନ୍ତ ପଣ୍ଡା। ନବୀନଙ୍କ ଏପରି ଖୁଲାସା ପରେ ବର୍ତ୍ତମାନ ରାଜ୍ୟ ରାଜନିତୀରେ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। କାରଣ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଅପପ୍ରଚାର କରି ତାଙ୍କର ଗୁରୁତ୍ବକୁ ହ୍ରାସ କରିବା ପାଇଁ ସେତେବେଳେ ବୈଜୟନ୍ତ ଚାହୁଁଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ଏନଡିଟିଭିର ସାମ୍ବାଦିକ ଶ୍ରୀନିବାସ ଜୈନ ନବୀନ ନିବାସରେ ନବୀନଙ୍କ ସାକ୍ଷାତକାର ନେଇଛନ୍ତି। ଆଉ ସେ ଏପରି ସମୟରେ ନେଇଛନ୍ତି ଯେତେବେଳେ ନବୀନ ବ୍ୟାୟମ କରୁଥିଲେ। ଶ୍ରୀନିବାସ ପଚାରିଛନ୍ତି ଯେ, ସେ ଏପରି ବ୍ୟାୟମ ପ୍ରକୃତରେ କରନ୍ତି ନା ଆଜି କ୍ୟାମେରା ପାଇଁ ଏପରି କରୁଛନ୍ତି। ଏହାର ଉତ୍ତରରେ ନବୀନ କହିଥିଲେ ଯେ ନା ସେ ପ୍ରାୟ ଏପରି ବ୍ୟାୟମ ବହୁ ବର୍ଷ ଧରି କରିଆସୁଛନ୍ତି। ଏହାପରେ ଶ୍ରୀନିବାସଙ୍କ ପ୍ରଶ୍ନ ଥିଲା ଯେ, ତେବେ ହଠାତ ଗଣମାଧ୍ୟମରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ଅଛି ବୋଲି ଏକ ପ୍ରଚାର କରାଯାଇଥିଲା। ତାହାର ଉତ୍ତରରେ ନବୀନ ଖୋଲାଖୋଲି ବୈଜୟନ୍ତଙ୍କ ଷଢଯନ୍ତ୍ର ବୋଲି କହିଥିଲେ।

ଗତ 2017 ମସିହା ଫେବୃୟାରୀ 17 ତାରିଖରେ ଏକ ଡିଜିଟାଲ ମିଡିଆରେ ପ୍ରକାଶ ପାଇଲା ଯେ, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଆଉ ଚଳପ୍ରଚଳ କରିପାରୁ ନାହାଁନ୍ତି। ନୂଆଦିଲ୍ଲୀ ଯାଇ ଚିକିତ୍ସା କରିବା ପାଇଁ ବନ୍ଦୋବସ୍ତ ଚାଲିଛି। ଏହି ଖବର ପ୍ରକାଶିତ ହେବା ପରେ ତାକୁ ଆଧାର କରି ବୈଜୟନ୍ତଙ୍କ ଗଣମାଧ୍ୟମ ସେତେବେଳେ ଏହି ଖବରକୁ ବାରମ୍ବାର ପ୍ରସାରଣ କରିଥିଲା। ଏପରିକି ଏହି ଚ୍ୟାନେଲରେ ରିପୋର୍ଟରଙ୍କ ଲାଇଭ ଏପରି ନିଆଯାଇଥିଲା ଯେ, ଲାଗିଲା ସତେ ଯେମିତି ନବୀନଙ୍କ ସ୍ବାସ୍ଥ୍ୟ ବହୁ ଗୁରୁତର ହୋଇପଡିଛି। ଏପରି ଖବର ପରେ ଖୋଦ ନବୀନ ବାହାରକୁ ଆସି ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ।

ସେତେବେଳେ ଏହି ଖବର ବୈଜୟନ୍ତଙ୍କ ଚ୍ୟାନେଲରେ ବାରମ୍ବାର ପ୍ରସାରଣ ହେବାର ଯେଉଁମାନେ ଦେଖିଛନ୍ତି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ। କାରଣ ଥିଲା ସତରେ ଯଦି ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଅଛି ତେବେ ଅନ୍ୟ ନ୍ୟୁଜ ଚ୍ୟାନେଲ ମଧ୍ୟ ଏହାକୁ ପ୍ରସାରଣ କରୁଥିବେ। ହେଲେ ସେତେବେଳେ କେବଳ ବୈଜୟନ୍ତଙ୍କ ଚ୍ୟାନେଲକୁ ଛାଡିଦେଲେ ଅନ୍ୟମାନେ ଏହି ଖବର ନେଉ ନ ଥିଲେ। ଫଳରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଖବର ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ତନାଘନା କରି ବୈଜୟନ୍ତ ପଣ୍ଡାଙ୍କ ଉପରେ ହିଁ ସନ୍ଦେହ କରିଥିଲା। ବୈଜୟନ୍ତଙ୍କ ହାବଭାବ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସେହି ଦିନଠାରୁ ଅନୁଧ୍ୟାନ କରିଆସୁଥିଲେ। ପ୍ରମାଣ ଥାଉ କି ନ ଥାଉ ବୈଜୟନ୍ତଙ୍କ ଏପରି କାରାସାଦୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ନବୀନଙ୍କ ପରେ ସେ ବିଜେଡିର ମଙ୍ଗ ଧରିବେ। ଏହା ଖୋଦ ନବୀନ ଜାଣିବା ପରେ ଟାଣୁଆ ବୈଜୟନ୍ତଙ୍କ ଟାଣ ପଣ ଭାଙ୍ଗି ଦଳରୁ ବହିସ୍କାର କରିଦେଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA, ଏହି ଆପ୍ ଡାଇନଲୋଡ ପରେ ଟିପରେ ସ୍କ୍ରନକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର

ବିଜେପିକୁ ଆସିବାଲାଗି ବୈଜୟନ୍ତଙ୍କ ବାଇଶ ବର୍ଷର ଅପେକ୍ଷା ଓ ତପସ୍ୟା

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, ସେ ବିଜେପିରେ ମିଶିବାକୁ ଦିଲ୍ଲୀକୁ କାହିଁକି ବାଛିଲେ, ସେ ପ୍ରଶ୍ନ ମଧ୍ୟ ଏବେ ଆଲୋଚିତ ହେଉଛି। ଆମ ଲାଗି କିନ୍ତୁ ସବୁଠୁ ଆକର୍ଷଣ ର ବିଷୟ ହେଉଛି ବିଜେପିରେ ମିଶିଲାପରେ ବୈଜୟନ୍ତ ଦେଇଥିବା ବୟାନ। “ବିଜେପିରେ ମିଶିବା ଲାଗି  ଗତ ବାଇଶ ବର୍ଷ ଧରି ମୁଁ ଅପେକ୍ଷା କରି ରହିଥିଲି।“ – ଏ କଥା ପଦକ ବୈଜୟନ୍ତଙ୍କ ଅନେକ ଗୁମର ଖୋଲି ଦେଇଛି। ସେ ଯେ ବିଜେଡି ଭିତରେ ବିଜେପିର ଲୋକ ହୋଇ ଏତେଦିନ ଥିଲେ, ଏ କଥା ସେ ନିଜେ ସ୍ଵୀକାର କରିଛନ୍ତି। ନିଜକୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିଭୂ ବୋଲି ଏହା ପୂର୍ବରୁ ସେ ଯାହା କହୁଥିଲେ, ତାହା ଯେ କେବଳ ଛଳନା ଥିଲା, ଏହା ତାଙ୍କ ନିଜ ବକ୍ତବ୍ୟ ପ୍ରମାଣିତ କରୁନାହିଁ କି?

ବିଜୁ ପଟ୍ଟନାୟକ ସାରା ଜୀବନ ସାମ୍ପ୍ରଦାୟିକ ରାଜନୀତି ତଥା ସେ ରାଜନୀତି ସହ ସଂପୃକ୍ତ ଜନସଙ୍ଘ, ବିଜେପି ଓ ସଂଘ ପରିବାରକୁ ବିରୋଧ କରି ଆସୁଥିଲେ।୧୯୭୭ର  ଜନତା ପାର୍ଟି ସରକାରରେ ଥିବା ଜନସଙ୍ଘି ମନ୍ତ୍ରୀମାନେ ଦ୍ଵୈତ ଆଦର୍ଶ ରଖିପାରିବେ ନାହିଁ ବୋଲି ବିଜୁ ବାବୁ ସେତେବେଳେ ଦୃଢ ଯୁକ୍ତି କରିଥିଲେ। ୧୯୯୫ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ବାବୁଙ୍କ ଅପ୍ରତ୍ୟାଶ୍ୟିତ ପରାଜୟ ସତ୍ତ୍ୱେ ସେ ନିଜ ଜୀବନକାଳରେ ବିଜେପି ସହ ମେଣ୍ଟ କରିବାକୁ ଚାହିଁନଥିଲେ। ବିଜୁ ବାବୁଙ୍କର ସବୁ ଶିଷ୍ୟ ପ୍ରଶିଷ୍ୟ ଯେତେବେଳେ ବିଜେପି ସହ ମେଣ୍ଟ କରିବାକୁ ଗୋଡ ଟେକି ବସିଥିଲେ, ସେତେବେଳେ ବିଜୁ ବାବୁ ଏକଲା ହୋଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେଣୁ ବିଜୁ ବାବୁ ଙ୍କ ଅବର୍ତ୍ତମାନରେ ଯେତେବେଳେ ବିଜୁ ଜନତା ଦଳ ବିଜେପି ସହ ମେଣ୍ଟ କଲା, ତାହା ଏକପ୍ରକାର ବିଜୁ ବିରୋଧୀ ଆଦର୍ଶ ଥିଲା ବୋଲି କୁହାଯାଇପାରେ। ସେଇ ଦୃଷ୍ଟିରୁ ବୈଜୟନ୍ତଙ୍କ ବିଜୁ ପ୍ରେମ କେବଳ ଏକ ବାହାନା ମାତ୍ର। ବିଜେପି ସହିତ ନିଜର ଆଦର୍ଶଗତ ମେଳକ ସତ୍ତ୍ୱେ ବୈଜୟନ୍ତଙ୍କ ପରି ବହୁ ନେତା ବିଜୁ ପଟ୍ଟନାୟକଙ୍କ ବିଚାର ସହ ଯୋଡି ହେବାର ନାଟକ ଇ କରିଥାନ୍ତି।

ତେବେ ଆଜି ଯେତେବେଳେ ବୈଜୟନ୍ତ ନିଜ ମୁହଁ ରେ ସତ୍ୟକୁ ସ୍ଵୀକାର କରିଛନ୍ତି, ସେତେବେଳେ ତାଙ୍କୁ କେତୋଟି ଅଡୁଆ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ଗତ ବାଇଶ ବର୍ଷ ଧରି ସେ ବିଜେପିକୁ ଆସିବାକୁ ଚାହୁଁଥିଲେ ତାହେଲେ ବିଜେଡି ରୁ ରାଜ୍ୟସଭା ଓ ଲୋକସଭା କୁ ଯାଉଥିଲେ କାହିଁକି? ୨୦୧୭ ଓଡିଶା ପଞ୍ଚାୟତ ନିର୍ବାଚନ ସମୟରେ ଓ ତା ପରେ ବିଜେପି ପ୍ରରୋଚନାରେ ସେ ବିଜେଡି ସଂସଦୀୟ ଦଳ ଓ ବିଧାୟକ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଥିଲା, ତାହା ସତ୍ୟ କି? ପୁନଶ୍ଚ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ଏକ ଜାତୀୟ ୱେବ ସାଇଟରେ ଯେଉଁ ମିଛ ଖବର ପ୍ରକାଶ ପାଇଥିଲା, ତା ପଛରେ ଜଣେ ବିଜେପି ପ୍ରେମୀ ବିଜେଡି ସାଂସଦଙ୍କ ହାତ ରହିଛି ବୋଲି ସେତେବେଳେ କୁହାଯାଉଥିଲା। ତାହା ଆଜି ପ୍ରମାଣିତ ହୋଇ ଯାଇଛି କି?

ବିଜେପି କୁ ସୁହାଇଲା ଭଳି ପରିସ୍ଥିତି ସୃଷ୍ଟି କରାଇବାରେ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରିବା ନିହାତି ଜରୁରୀ ଥିଲା। ସେହିପରି ବିଜେଡ଼ିରୁ ବିତାଡିତ ଅସନ୍ତୁଷ୍ଟ ନେତାମାନେ ଯେମିତି ଶକ୍ତିଶାଳୀ ନହୁଅନ୍ତି, ତାହା ଦେଖିବା ମଧ୍ୟ ଜରୁରୀ ଥିଲା। ଏ ସବୁ କୂଟନୈତିକ କାମରେ ବିଜେପି ବୈଜୟନ୍ତଙ୍କୁ ଲଗାଇ କଂଗ୍ରେସକୁ ଦୁର୍ବଳ କରିବାରେ ସଫଳ ହୋଇଛି କି? ବିଜେଡିରେ ବୈଜୟନ୍ତଙ୍କ ଗୋଟି ଚାଳନା ବିଫଳ ହେବାପରେ ସେ ବାହାରେ ରହି କଂଗ୍ରେସ ଓ ଅନ୍ୟାନ୍ୟ ବିଜେପି ବିରୋଧୀ ଶକ୍ତିକୁ ଗତ ୯ ମାସ ଧରି ଦୁର୍ବଳ କରିବାର ଉଦ୍ୟମ କରି ଆସିଛନ୍ତି। ଅବଶ୍ୟ ଏଥିଲାଗି ବୈଜୟନ୍ତଙ୍କ ତୁଳନାରେ ଓଡିଶା କଂଗ୍ରେସ ନିଜକୁ ଅଧିକ ଦାୟୀ କରିବା ଉଚିତ। ଆଦର୍ଶଗତ ଭାବରେ ବୈଜୟନ୍ତ ସଂଘ ପରିବାରର ନିକଟବର୍ତ୍ତୀ ବୋଲି ଜାଣି ମଧ୍ୟ କଂଗ୍ରେସ ତାଙ୍କୁ ସମର୍ଥନ ଦେଇ ଆସୁଥିଲା। ତେବେ ବିଜେପିର ନିକଟ ସମ୍ପର୍କୀୟ ଭାବେ ବୈଜୟନ୍ତ ବାହାରେ ରହି ବିଜେପିକୁ ସହାୟତା ଯୋଗାଇ ଆସିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ ବୈଜୟନ୍ତ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ। ବିଜେଡ଼ିର ସମଦୂରତା ନୀତି କାରଣରୁ ବୈଜୟନ୍ତଙ୍କ ବିଜେପି ପ୍ରୀତି କିଛିଟା ବ୍ୟାହତ ହୋଇଥିଲା। ଯଦିଓ ସେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ, ବସ୍ତୁତଃ ସେ ବିଜେପି ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ଗୋଟେ ସମୟରେ ବିଜେଡିରେ ବିଭାଜନ ସୃଷ୍ଟି କରି ବିଜେପି ସହାୟତାରେ ସରକାର ଗଢିବାର ଷଡଯନ୍ତ୍ର ମଧ୍ୟ ହୋଇଥିଲା। ତାହା ସଫଳ ନହେବାରୁ ବୈଜୟନ୍ତ ବିଜେଡି ଭିତରେ ନିଜକୁ ଜଣେ ଲଢୁଆ ଆଦର୍ଶବାଦୀ ବୋଲି କହିବାକୁ ଚେଷ୍ଟା କରିଥିଲେ। ତେବେ ମୁଖ୍ୟତଃ ସେ ବିଜେଡି ଭିତରେ ବିଜେପିର “ଭେଦିଆ” ଭାବରେ ହିଁ କାମ କରୁଥିଲେ।

ସେ ଯାହା ବି ହେଉ ବାଇଶ ବର୍ଷ ଧରି ବାହାରେ ବିଜେପିର  ଭେଦିଆ ହୋଇ ରହିବା ପରେ ଆଜି ସେ ନିଜ ମନ ପସନ୍ଦର ଦଳକୁ ଫେରିଥିବାରୁ, ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ!!

Categories
ବିଶେଷ ଖବର

ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗ ଦେଲେ ଆସନ୍ତାକାଲି ଓଡିଶା ରାଜନୀତିର ଚେହେରା ବଦଳିଯିବ କି ?

କେଦାର ମିଶ୍ର

ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ ରେ ବିଭିନ୍ନ ସୂତ୍ରରୁ ଆମେ ଥରେ ଅଧେ ଭବିଷ୍ୟବାଣୀ ବି କରିଥିଲୁ ଯେ ବୈଜୟନ୍ତ ବାବୁ ବିଜେପିରେ ମିଶୁଛନ୍ତି। ତେବେ ବୈଜୟନ୍ତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା। ହଠାତ ଗତକାଲି ପୁଣି ଏକ ଖବର ଆସିଲା ଯେ ବୈଜୟନ୍ତ ଆଜି ଅପରାହ୍ନରେ ବିଜେପିରେ ଯୋଗଦେବେ। ନିର୍ବାଚନ ଘୋଷଣା ହେବାର ମାତ୍ର ଚାରି ପାଞ୍ଚ ଦିନ ଆଗରୁ ଏ ପ୍ରକାର ଖବରର ସତ୍ୟାସତ୍ୟ ଜାଣିବା ଆଦୌ ସହଜ ନୁହେଁ। ବୈଜୟନ୍ତଙ୍କ ଭୁବନେଶ୍ୱର କାର୍ୟାଳୟ ପାଖରେ ଏମିତି କିଛି ସୂଚନା ନାହିଁ ବୋଲି କୁହାଯାଇଛି। ତେବେ ଆଜି ସନ୍ଧ୍ୟାରେ ବୈଜୟନ୍ତ ବିଜେପିର କେନ୍ଦ୍ରୀୟ କାର୍ୟାଳୟକୁ ଆସିପାରନ୍ତି ବୋଲି ସୂଚନା ମିଳୁଛି। ଏ ପ୍ରସଙ୍ଗରେ ଆମେ କିଛି ନିର୍ଦ୍ଦିଷ୍ଟ ମତ ରଖୁନାହୁଁ।

ଆମେ ବାରମ୍ବାର କହିଆସିଛୁ ଯେ ବିଜେପି ହେଉଛି ବୈଜୟନ୍ତଙ୍କ ପାଇଁ ସ୍ଵାଭାବିକ ପସନ୍ଦ। ଦିଲ୍ଲୀର ଅନ୍ଦର ମହଲରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ପ୍ରାୟ ସଂଘ ଓ ବିଜେପିର ଘନିଷ୍ଠ । ସଂଘ ସହ ମଧୁର ସମ୍ପର୍କ ଥିବା ଅନେକ ସାମ୍ବାଦିକ ବୈଜୟନ୍ତଙ୍କ ପାଇଁ ଓକିଲାତି କରି ଆସିଛନ୍ତି। ତାଙ୍କର ଓଡିଶା ଟେଲିଭିଜନର ବିଭିନ୍ନ କାର୍ଯକ୍ରମରେ ଏହି ଗୋଷ୍ଠୀର ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀଙ୍କୁ ଦେଖିବାକୁ ମିଳିଥାଏ। ପୂର୍ବରୁ ବୈଜୟନ୍ତଙ୍କୁ ଅଡୁଆରେ ପକାଇଥିବା ଅଭିଜିତ ଆୟାର ମିତ୍ର, ଆରତୀ ଟିକୁ ସିଂଙ୍କ ବିଷୟରେ ଆମେ ଜାଣିଛୁ। ନିକଟରେ ଓଟିଭିର ଏକ ଆୟୋଜନରେ ବିଜେପିର ଆଉଜଣେ ଘନିଷ୍ଠ ସାମ୍ବାଦିକ ଆନନ୍ଦ ରଙ୍ଗନାଥନଙ୍କୁ ଡକାଯାଇଥିଲା। ବିଭିନ୍ନ ଘଟଣାକ୍ରମ ଓ ବୈଜୟନ୍ତଙ୍କ ସୋସିଆଲ ମିଡିଆ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ପାଇଁ ବିଜେପି ହେଉଛି ପ୍ରଥମ ଓ ଶେଷ ପସନ୍ଦ। ତା ସତ୍ତ୍ୱେ ତାଙ୍କୁ ବିଜେପିରେ ପୂରେଇ ଦିଆଯାଉନାହିଁ କାହିଁକି ? ମଝିରେ ବିଜେପିର ଉପେକ୍ଷା ଦ୍ଵାରା ମର୍ମାହତ ବୈଜୟନ୍ତ କଂଗ୍ରେସରେ ମିଶିବେ କିମ୍ବା ଭିନ୍ନ ଏକ ଦଳ ଗଠନ କରିବେ ବୋଲି ଭାବୁଥିଲେ। କଂଗ୍ରେସରେ ତାଙ୍କ ଯୋଗଦାନକୁ ରାଜ୍ୟ ନେତୃତ୍ୱ ଚାତକ ଭଳି ଚାହିଁ ରହିଥିଲେ ହେଁ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ବୈଜୟନ୍ତଙ୍କୁ ଗ୍ରହଣ କରିବାଲାଗି ପ୍ରସ୍ତୁତ ନଥିଲେ।

ବୈଜୟନ୍ତ ଆଜି ଯଦି ବିଜେପି ରେ ଯୋଗଦେବା ଖବର ସତ ହୁଏ, ତାହେଲେ ଏହାର କିଛି ପ୍ରଭାବ ଓଡିଶା ରାଜନୀତିରେ ପଡିବ କି? ବୈଜୟନ୍ତଙ୍କ ଯୋଗଦାନ ବିଜେପିକୁ ଲାଭବାନ କରିବ ନା ବିଜେପି ଭିତରେ ବୈଜୟନ୍ତ ବୋଝ ପାଲଟିବେ? ଓଡିଶାରେ ବିଜେପି ନେତୃତ୍ୱ ଆଜି ମଧ୍ୟ ପ୍ରଚଣ୍ଡ ଗୋଷ୍ଠୀ ବିବାଦରେ ଫସି ରହିଛି। ଦଳର ପୁରୁଣା ବନାମ ନୂଆ ନେତୃତ୍ବକୁ ନେଇ ଅହଂକାର ଯୁଦ୍ଧ ଲାଗି ରହିଛି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଛି। ସେହିପରି ପୁରାତନ ଆରଏସଏସର ନେତାଏ ପ୍ରତାପ ଷଡଙ୍ଗୀଙ୍କୁ ନେତୃତ୍ୱ ଦେବାକୁ ବେଶୀ ଆଗ୍ରହୀ। ଗତ କିଛିଦିନ ହେଲାଣି ପ୍ରତାପ ବାବୁ ବିଜେପିର ରାଜ୍ୟ ସଂଗଠନ ଭିତରେ ଏକପ୍ରକାର ଏକଘରିକିଆ  ହୋଇପଡିଛନ୍ତି। ନୂଆ କରି ବିଜେପିକୁ ଆସିଥିବା ଅପରାଜିତା ଷଡଙ୍ଗୀ ଏବେ ନିଜର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ସମ୍ଭାଳିବାରେ ବ୍ୟସ୍ତ। ସେ ଭୁବନେଶ୍ବରର ପୁରୁଖା ବିଜେପି କର୍ମୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ଇତିମଧ୍ୟରେ ଆସିଛି। ତେଣୁ ଭୁବନେଶ୍ବରର ବହୁ ପୁରୁଣା ବିଜେପି କର୍ମୀ ଓ ନେତା ଏବେ ନବୀନ ନିବାସମୁହାଁ କି କଂଗ୍ରେସ ଭବନମୁହାଁ ହେଲେଣି।

ସେଇ ସମୟରେ ବୈଜୟନ୍ତ ବିଜେପିକୁ ଆସିବା ଦଳ ପାଇଁ ଗୋଟେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିବ। ବୈଜୟନ୍ତ ସିଧା ଦିଲ୍ଲୀରୁ ଯଦି ବିଜେପି ଟିକେଟ ନେଇ ଆସନ୍ତି ତାଙ୍କୁ ଓଡିଶା ବିଜେପି କର୍ମୀମାନେ ବାଧ୍ୟହୋଇ ସ୍ଵାଗତ କଲେ ମଧ୍ୟ ଆନ୍ତରିକ ଭାବରେ ତାଙ୍କୁ ଗ୍ରହଣ କରିବା ସହଜ ହେବନାଇଁ। କେନ୍ଦ୍ରାପଡା ଲୋକସଭା ପାଇଁ ପୂର୍ବରୁ ଲଢେଇ କରିଥିବା ବିଜେପିର ପ୍ରାର୍ଥୀ ବିଷ୍ଣୁ ଦାସ ସଂଘର ପୁରୁଣା ଲୋକ ଓ ତାଙ୍କର କେନ୍ଦ୍ରୀୟ ନେତୃତ୍ୱ ସହିତ ସମ୍ପର୍କ ବେଶ ନିବିଡ। ବିଷ୍ଣୁ ଦାସ ଓ ନୂଆ ଆଶାୟୀ ଥିବା ଜ୍ଞାନ ବେଉରାଙ୍କୁ ହତାଶ କରି ବୈଜୟନ୍ତ ଯଦି ଶେଷ ମୁହୂର୍ତ୍ତରେ ବିଜେପିର କେନ୍ଦ୍ରାପଡା ପ୍ରାର୍ଥୀ ହୁଅନ୍ତି ତାହେଲେ, ପୁରୁଣା ନେତାମାନେ ତାଙ୍କୁ କେମିତି ଗ୍ରହଣ କରିବେ ତାହା ଏକ ବଡ ପ୍ରଶ୍ନବାଚୀ।

ବୈଜୟନ୍ତ ନିଜ ତରଫରୁ କରାଇଥିବା ଏକ ସର୍ଭେରେ ଯେଉଁ ଚିତ୍ର ପାଇଥିଲେ, ସେଥିରେ କୁହାଯାଇଥିଲା ଯେ, ସେ ଯଦି କୌଣସି ଦଳ ତରଫରୁ ପ୍ରାର୍ଥୀ ନହୁଅନ୍ତି ତାହେଲେ ତାଙ୍କ ଜିତିବାର ସମ୍ଭାବନା ନାହିଁ। ତେଣୁ ଶେଷ ମୁହୂର୍ତ୍ତରେ ସେ ବିଜେପି କିମ୍ବା କଂଗ୍ରେସରୁ ଟିକଟ ପାଇଁ  ଆଗ୍ରହ ପ୍ରକାଶ କରୁଛନ୍ତି। ଆସନ୍ତା ପନ୍ଦର ଦିନ ଭିତରେ ଓଡିଶାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସେହି ସମୟରେ ବୈଜୟନ୍ତଙ୍କ ବିଜେପି ପ୍ରବେଶ ରାଜ୍ୟ ରାଜନୀତିରେ ବିଶେଷ କିଛି ପ୍ରଭାବ ପକାଇବାର ସମ୍ଭାବନା ଆଉ ନାହିଁ।

ତେବେ ସତରେ ଯଦି ବୈଜୟନ୍ତ ଆଜି ବିଜେପିରେ ଯୋଗ ଦିଅନ୍ତି ତାହେଲେ ଦୁଇଟି କଥା ରାଜ୍ୟ ରାଜନୀତିରେ ସ୍ପଷ୍ଟ ହୋଇଯିବ- ୧॰ ସେ ବିଜେପିରେ ଯୋଗ ଦେଇଥିବା ପ୍ରବାସୀ ନେତାଙ୍କ ଭିତରେ ସର୍ବ କନିଷ୍ଠ ହୋଇ ରହିବେ ଓ ୨॰ ତାଙ୍କ ଦ୍ଵାରା ପରିଚାଳିତ ଓ ଟିଭିର ସ୍ଵର ଅର୍ଦ୍ଧଗୈରିକ ରୁ ପୂର୍ଣ୍ଣ ଗୈରିକ ହୋଇଯିବ। ଏହି ଦୁଇଟି କଥା ବ୍ୟତୀତ ବୈଜୟନ୍ତଙ୍କ ବିଜେପି ଯୋଗଦାନର ତୃତୀୟ ପ୍ରଭାବ ଅଲଗା କିଛି ଥିବା ପରି ମନେହେଉ ନାହିଁ।

Categories
ବିଶେଷ ଖବର

ଖେଳଣା ବନ୍ଧୁକରେ ଖେଳ ଚାଲିଛି, ଠିକ- ହେଲେ ଅସଲ ବନ୍ଧୁକର ଖେଳ ଖେଳିବାକୁ ବୈଜୟନ୍ତଙ୍କ ସାହସ ସତରେ ଅଛି କି?

କେଦାର ମିଶ୍ର

୧୫ ଜାନୁଆରୀର ବଲାଙ୍ଗୀର ସଭାରେ ମୋଦୀ କେବଳ ଯେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମକର୍ତ୍ତାଙ୍କୁ ନିରାଶ କରିଛନ୍ତି ତା ନୁହେଁ, ସେ ବିଜେପି ବାହାରେ ଥିବା ନବୀନ ବିରୋଧୀ ଶିବିରକୁ ମଧ୍ୟ ଭୀଷଣ ହତାଶ କରିଛନ୍ତି। ମୋଦୀଙ୍କ ବଲାଙ୍ଗୀର ସଭା ପରେ ପୂର୍ବତନ ସାଂସଦ ଓ ବିଜୁ ଜନତା ଦଳର ଭୂତପୂର୍ବ ନେତା ବୈଜୟନ୍ତ ପଣ୍ଡା ନିଜର ପ୍ରତିକ୍ରିୟାରେ କହିଛନ୍ତି- “ସେ ସବୁ କେବଳ ଖେଳଣା ବନ୍ଧୁକ। ପ୍ରତିପକ୍ଷର ଗୁଳି ଫୁଟୁଥିଲା କିନ୍ତୁ ସେ ଗୁଳି ବେଶ ବନ୍ଧୁତ୍ବପୂର୍ଣ୍ଣ। ଆମେ ଗୁଡାଏ ଆବାଜ ଓ ଚିତ୍କାର ହୁଏତ ଶୁଣୁଛୁ, ତେବେ ଏ ସବୁ କେବଳ ଆତସବାଜି, ଏଥିରେ ଆକ୍ରମଣ କାହିଁ? “ ବୈଜୟନ୍ତ ନିଛକ ସତ କଥା କହିଛନ୍ତି। ବିଜେଡି ଓ ବିଜେପି ଭିତରେ ଯେଉଁ ଆରୋପ ପ୍ରତ୍ୟାରୋପ ଚାଲିଛି, ସେସବୁ ଖେଳଣା ବନ୍ଧୁକର ଯୁଦ୍ଧ ନିଶ୍ଚୟ। କେବେ ଦିନେ କଟକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ଭାଷାରେ ଆକ୍ରମଣ କରିଥିଲେ, ସେକଥା ଏବେ ଗତ ଦିନର କଥା ମାତ୍ର। ଏବେ ତ ମୋଦୀ ନବୀନଙ୍କ ନାଁ ବି ଧରିବାକୁ ସାହସ କୁଳାଉ ନାହାନ୍ତି। ଏବେ ନବୀନ ସରକାରକୁ ଓପାଡି ଫୋପାଡି ଦେବାର ଯେଉଁ ଦାମ୍ଭିକତା ସେଟା ଦୂର ଦୂର ଯାଏଁ ଆଉ ଦୃଶ୍ୟମାନ ହେଉନି। ବରଂ ଏବେ ଲାଗୁଛି, ରାଜ୍ୟରେ ବିଜେପି ବିଜେଡ଼ିର ସାନଭାଇ ହୋଇ ରହିବାକୁ ବୋଧେ ସ୍ଥିର କରି ନେଇଛି। ହିନ୍ଦୀ କ୍ଷେତ୍ରରେ ବିଜେପିର ପରାଜୟ ଓ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିର ସ୍ଵରକୁ କୋମଳ କରିବାକୁ ବାଧ୍ୟ କରିଛି।

ଏହି ପରିପର୍ତ୍ତିତ ପରିସ୍ଥିତିରେ ବିଜେପିର ପୁରୁଣା ସମର୍ପିତ ମିତ୍ର ବୈଜୟନ୍ତ ପଣ୍ଡା ଆହତ ହେବା ସ୍ଵାଭାବିକ। ବିଜେପିରେ ଯୋଗ ଦେବାଲାଗି ବୈଜୟନ୍ତଙ୍କ ବହୁ ସ୍ତରୀୟ ପ୍ରୟାସ ବିଫଳ ହେବା ପରେ, ସେ ଏବେ ବିଜେପିର ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଆଖି ବୁଜି ମୋଦୀଙ୍କ ସବୁ କଥାକୁ ସମର୍ଥନ କରିଆସୁଥିବା ବୈଜୟନ୍ତ ଏବେ ବିଜେପିର ପୁରୁଣା ଶତୃଙ୍କ ସହ ହାତ ମିଳେଇ ନବୀନ ବିରୋଧୀ ମେଳି କୁ ସଂଗଠିତ କରି ଚାଲିଛନ୍ତି। ବୈଜୟନ୍ତ ମୋଦୀଙ୍କ ସହ ନବୀନଙ୍କ ଖେଳଣା ବନ୍ଧୁକ ଯୁଦ୍ଧକୁ କଟାକ୍ଷ କରିବା ନିଶ୍ଚିତ ଭାବରେ ଠିକ, ହେଲେ ବୈଜୟନ୍ତ ନିଜେ ଅସଲ ବନ୍ଧୁକ ଧରି ଲଢେଇ କରିବାକୁ ପ୍ରସ୍ତୁତ କି? ଗତ ଆଠ ମାସ ଧରି ସେ କେବଳ “ହେଇ ଯାଉ” ବୋଲି କହୁଛନ୍ତି ସିନା, ଅସଲରେ ତାଙ୍କର କିଛି ବି ହେଉନି। ଏବେ ବିଜେପିଠୁ ମୁହଁ ଫେରାଇ ବୈଜୟନ୍ତ ସମଦୂରତାରେ ରେ ରହି ନବୀନଙ୍କ ବିରୋଧୀ ମେଣ୍ଟ କରିବାର ଯୋଜନା କରୁଛନ୍ତି। ଗୋଟେ ପକ୍ଷରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତା ରକ୍ଷା ର ରଣନୀତି ଗ୍ରହଣ କରିଥିବା ବେଳେ ନବୀନଙ୍କୁ ହରାଇବାର ସ୍ଵପ୍ନ ଦେଖୁଥିବା  ବୈଜୟନ୍ତ ସମସ୍ତଙ୍କଠୁ ଦୂରରେ ଅଛନ୍ତି। ତାଙ୍କ ସହ ନା ବିଜେପି ନା କଂଗ୍ରେସ, କେହିବି ତାଙ୍କ ହାତ ଧରିବାକୁ ପ୍ରସ୍ତୁତ ନୁହନ୍ତି।

ତେବେ ନବୀନ ବିରୋଧୀ ମହାମେଣ୍ଟ ଗଢିବାରେ ବୈଜୟନ୍ତ ବାବୁଙ୍କର ଚାଣକ୍ୟ ଦାୟିତ୍ଵ ଏବେ ବାବୁ ଖାରବେଳ ସ୍ଵାଇଁ ନେଇଛନ୍ତି। ଖାରବେଳ ବାବୁ ଅସନ୍ତୁଷ୍ଟ ସଙ୍ଘୀ ଓ ସେ ବିଜେପିର ପତିତ ନେତା। ତେଣୁ ବୈଜୟନ୍ତଙ୍କ ପାଇଁ ତାଙ୍କର ସହଯୋଗ ସ୍ଵାଭାବିକ। ହେଲେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦାମୋଦର ରାଉତ, ପଂଚାନନ କାନୁନଗୋ ଓ ବ୍ରଜ କିଶୋର ତ୍ରିପାଠୀ ପ୍ରମୁଖ ଭିନ୍ନ ଉପାଦାନର ନେତା। ଏମାନେ ଖୁଆଡରେ ରହି ବୈଜୟନ୍ତଙ୍କ ନେତୃତ୍ବକୁ ସ୍ଵୀକାର କରିବା ଲୋକ ନୁହନ୍ତି। ତେବେ ଏଇ ନେତାଙ୍କ ଭିତରୁ ଅନେକେ ଏବେ ଅସ୍ଥିରତା ଭିତରେ ଅଛନ୍ତି। ପଂଚାନନ କାନୁନଗୋ ତ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଏକ ପ୍ରକାର ନିଷ୍ପତ୍ତି ଘୋଷଣା କରି ସାରିଛନ୍ତି।

ଏତେ ସବୁ ଅସ୍ଥିରତା ଭିତରେ ନବୀନଙ୍କ ଉପରେ ଅସଲ ଯୁଦ୍ଧ ଘୋଷଣା କରିବାକୁ ବୈଜୟନ୍ତଙ୍କର ସାହସ ମଧ୍ୟ ଆସୁନି। ଏକଦା ସଂଘ ଓ ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀମାନଙ୍କର ଆଖିର ତାର ଥିବା ବୈଜୟନ୍ତ, ଏବେ ନା ବାମ ନା ଦକ୍ଷିଣ, କେଉଁ ଶିବିରରେ ବି ତାଙ୍କର ଜାଗା ଉଠି ଯାଇଛି। ତେଣୁ ବୈଜୟନ୍ତ ବି ଗୋଟେ ଖେଳଣା ବନ୍ଧୁକ କିଣି ସେଥିରେ ଆତସବାଜି ଶିଖିବା କ୍ଷତିକାରକ ହୁଏତ ହେବ ନାହିଁ!!

Categories
ବିଶେଷ ଖବର

ଅଟୋ ପାଇଲଟ ମୋଡରେ ବିରୋଧୀ, ବୈଜୟନ୍ତ ମାନିଲେ, ନବୀନ ଆଜି ମଧ୍ୟ ଅଜେୟ!!

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା କରିବାକୁ ଏବେ ଆଉ ଗଣମାଧ୍ୟମର ଆଗ୍ରହ ନାହିଁ। ବୈଚାରିକ ଦୃଷ୍ଟିରୁ ବିଜେପି ତାଙ୍କ ଲାଗି ହୁଏତ ସ୍ଵାଭାବିକ ପସନ୍ଦ ହୋଇଥାନ୍ତା, ହେଲେ ବିଜେପି ନେତୃତ୍ୱ ତାଙ୍କୁ ଡାକିବାକୁ କୁନ୍ଥ କୁନ୍ଥ ହେଉଛନ୍ତି। ଡିସେମ୍ବର ୨୪ ରେ ବୈଜୟନ୍ତ ଖୁର୍ଦ୍ଧା ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ଏକ ଖବର ଶୁଣିବାକୁ ମିଳୁଥିଲା, ଯାହାକୁ ରାଜ୍ୟ ବିଜେପି ସଭାପତି ଖଣ୍ଡନ କରିଥିଲେ। ପ୍ରଧାନମନ୍ତ୍ରୀ ଆସିଲେ ଓ ଗଲେ, କିନ୍ତୁ ବୈଜୟନ୍ତଙ୍କ ଲାଗି ବିଜେପିର କବାଟ ସେମିତି ପୂର୍ବ ପରି ବନ୍ଦ ରହିଲା। ଇତି ମଧ୍ୟରେ ବୈଜୟନ୍ତ ନିଜର ଲେଖା ମାଧ୍ୟମରେ ଓ ସୋସିଆଲ ମିଡିଆ ଜରିଆରେ ବିଜେପିର ସବୁ ନୀତିକୁ ସମର୍ଥନ କରି ଚାଲିଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କର ସ୍ଵାଧୀନତା ସଙ୍କୁଚିତ କରିବାରେ ସରକାରୀ ପକ୍ଷକୁ ବୈଜୟନ୍ତ ସମର୍ଥନ କରି ଏକ ସ୍ତମ୍ଭ ରଚନା କରିଛନ୍ତି। ତଥାପି କେଉଁ ଅଜ୍ଞାତ କାରଣରୁ କେଜାଣି ବୈଜୟନ୍ତଙ୍କଠାରୁ ବିଜେପି ସତର୍କ ଦୂରତା ଅବଲମ୍ବନ କରୁଛି।

ତେବେ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଖୁର୍ଦ୍ଧା ଭାଷଣରେ ନବୀନ ଓ ବିଜେଡି ସରକାର ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବା ପରେ ବୈଜୟନ୍ତଙ୍କର ବୋଧେ ବିଜେପି ପ୍ରତି ମୋହଭଙ୍ଗ ଘଟିଛି। ୨୪ ତାରିଖ ସନ୍ଧ୍ୟାରେ ସି-ଭୋଟର ସଂସ୍ଥା ତରଫରୁ କରାଯାଇଥିବା ଜନମତ ସର୍ବେକ୍ଷଣରେ ଲୋକସଭା ନିର୍ବାଚନରେ ଓଡିଶାରୁ ବିଜେପି ୧୫ ଟି ଆସନ ପାଇବା ବୋଲି କୁହାଯାଇଥିଲା। ସ୍ଵାଭାବିକ ଭାବରେ ଏହି ଖବର କୁ କେହି ବିଶ୍ବାସକୁ ନେଇନଥିଲେ। ଛୋଟ ଛୋଟ ନବୀନ ବିରୋଧୀ ଖବର କୁ ବଡ କରି ଦେଖାଉଥିବା ବୈଜୟନ୍ତଙ୍କ ଓଟିଭି, ଏହି ସର୍ବେକ୍ଷଣକୁ ଏକପ୍ରକାର ଆଡେଇ ଯାଇଥିଲା। ତେବେ ଏହି ଖବରର ପ୍ରତିକ୍ରିୟାରେ ବୈଜୟନ୍ତ ଏକ ପିନଡ ଟୁଇଟ କରିଥିଲେ, ଯାହାକି ଏବେ ସବୁଠୁ ଚର୍ଚ୍ଚାର ବିଷୟ ହୋଇଛି।

ଏବିପି ନ୍ୟୁଜର ଟୁଇଟ ଥିଲା, “ମୋଦୀ କୁହୁକକୁ ଆଶ୍ରା କରି ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାରେ ବିଜେପି ବେଶ ଲାଭ ପାଇବାକୁ ଯାଉଛି- ଏବିପି ସର୍ବେକ୍ଷଣ”। ଏହାର ଉତ୍ତରରେ ବୈଜୟନ୍ତ ଲେଖିଥିଲେ- “ଏହା ଏକ ଅହଙ୍କାରୀ କଳନା, ସତରେ ଏମିତି ହେବ କି? ଯଦି ବା ସେମିତି କିଛି ସମ୍ଭାବନା ଅଛି ତାହା ଅଟୋ ପାଇଲଟ ମୋଡରେ ସମ୍ଭବ ହେବନାହିଁ। ସରକାର ବିରୋଧରେ ଲଢିବାକୁ ବିରୋଧିର ଶକ୍ତ କଲିଜା ଥିବା ଜରୁରୀ। ଓଡିଶାରେ ଖାଲି ଦୁର୍ନୀତି ହେଉଛି ଓ ଅପରାଧ ବଢିଛି ବୋଲି କହିଲେ ହେବନାହିଁ, ସେଥିଲାଗି କାମ କରିବାକୁ ପଡିବ। “

ଏହି ଟୁଇଟକୁ ସ୍ଵତନ୍ତ୍ର ଭାବରେ ପିନ କରି ରଖିବା ପଛରେ ବୈଜୟନ୍ତଙ୍କ ରାଜନୈତିକ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ସେ ସିଧା ସିଧା ଓଡିଶାରେ ବିଜେପିର ବିଜୟ ସମ୍ଭାବନାକୁ ଅମୂଳକ ବୋଲି କହୁଛନ୍ତି। ତା ସହିତ ନବୀନଙ୍କ ବିରୋଧରେ ଲଢିବାକୁ ବିଜେପିର କଲିଜା ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ନବୀନଙ୍କ ଲୋକପ୍ରିୟତା ବିଷୟରେ ବୈଜୟନ୍ତଙ୍କ ଆକଳନ ବାସ୍ତବ ତଥ୍ୟ ଉପରେ ହିଁ ପର୍ଯବସିତ। ତେବେ ହଠାତ ବୈଜୟନ୍ତଙ୍କ ଏ ପ୍ରକାର ପଟ୍ଟ ପରିବର୍ତ୍ତନର କାରଣ କଣ? ବିଜେପି ଓ କଂଗ୍ରେସର ନବୀନ ବିରୋଧୀ ଆଭିମୁଖ୍ୟରେ ଶିଥିଳତା ତାଙ୍କୁ ବ୍ୟଥିତ କରିଛି କି? ବିଭିନ୍ନ ବାଟ ଦେଇ ବିଜେପିରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହେବାପରେ ବୈଜୟନ୍ତ ଏବେ ବିଜେପି ଉପରେ ଅଲଗା ପ୍ରକାର ଚାପ ପ୍ରୟୋଗ କରିବାର ଚେଷ୍ଟା କରୁଛନ୍ତି କି?

ପ୍ରଶ୍ନ ଅନେକ, ଏହାର ଉତ୍ତର ମଧ୍ୟ ବହୁମୂଖୀ। ତେବେ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ବୈଜୟନ୍ତ ପୁଣି ଥରେ ବିଜେଡି କୁ ଫେରି ଆସିବାକୁ ବ୍ୟାକୁଳ ବୋଲି ତାଙ୍କର ଜଣେ ପୁରୁଣା ସହଯୋଗୀ କହିଛନ୍ତି। ହେଲେ ତାଙ୍କୁ ବିଜେଡି ନେତୃତ୍ୱ ପୁଣିଥରେ ଗ୍ରହଣ କରିବ ତ? ୟା ପୂର୍ବରୁ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ବିଷୟରେ ମଧ୍ୟ ବୈଜୟନ୍ତ ଗୋଲ ମୋଲ ଉତ୍ତର ରଖିଥିଲେ। ସେ ହୁଏତ ପରିବର୍ତ୍ତିତ ପରିସ୍ଥିତିରେ କିଛି ସମୟ ଚୁପ ରହି ୨୦୧୯ ନିର୍ବାଚନ ପରେ ନିଜର ଗତିପଥ ବଦଳାଇ ପାରନ୍ତି।

ତେବେ ବାକି ଯାହା ହେଉନା କାହିଁକି, ବୈଜୟନ୍ତ ପରିଶେଷରେ ନବୀନକୁ ଅଜେୟ ନେତା ବୋଲି ମାନିବା, ଏବେ ବିଜେଡି କୁ ଆଶ୍ଚର୍ୟ କରିଛି।