Categories
ବିଶେଷ ଖବର

ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଭବିଷ୍ୟତ ଲାଗି ଏକ ମାରାତ୍ମକ ଭୁଲ

କେଦାର ମିଶ୍ର

ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରାମକ ଭାଷାର ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବିଜେପି ବିରୋଧରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତେବେ ନିର୍ବାଚନ ପରେ ପରେ, ନବୀନ ବାବୁଙ୍କ ପ୍ରତି ବିଜେପିର ପ୍ରେମ ଉଛୁଳିବା ଆରମ୍ଭ କରିଥିଲା ଓ ଏହାର ପ୍ରତି ଜବାବରେ ନବୀନ ବାବୁ ବିଜେପି ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାହିର କରୁଛନ୍ତି।

ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଦେବାବେଳେ ଏକଥା ଭଲ ଭାବରେ ଜାଣେ ଯେ, ଆଗାମୀ ଦିନରେ ବିଜେପି ଓଡିଶାରେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। କେବଳ ସାମୟିକ ଭାବରେ ଏ ପ୍ରେମ ଦିଆନିଆ ଚାଲିବ ଓ ଆବଶ୍ୟକତା ଅନୁଯାୟୀ ଉଭୟ ଦଳ ପରଷ୍ପରକୁ ସହଯୋଗ କରିବେ। ତେବେ ବିଜେପିର ଦୀର୍ଘସ୍ଥାୟୀ ଯୋଜନା ହେବ, ବିଜେଡ଼ିର ବିନାଶ। ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ବିଜେଡ଼ିକୁ  ଦୁର୍ବଳ କରିବା ବିଜେପିର ପ୍ରାଥମିକ ଲକ୍ଷ୍ୟ। ବିଜେପି ସେ ଲକ୍ଷ୍ୟରୁ ଅଲଗା ହେବନାହିଁ। ସେହି ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଦେଶ- ଏକ ନିର୍ବାଚନ” ପ୍ରତି ବିଜେଡ଼ିର ସମର୍ଥନ କୁ ଆଲୋଚନା କରିବାକୁ ପଡିବ।

ଏକ ଦେଶ- ଏକ ନିର୍ବାଚନ ଆମ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ଏହାକୁ ସମର୍ଥନ କଲାବେଳେ ବିଜେଡି ନିଜର ସଙ୍ଘୀୟ ଦାୟିତ୍ଵ ପ୍ରତି ସଚେତନ ଥିବା ପରି ଲାଗୁନାହିଁ। ଯେହେତୁ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଛି, ସେଥିଲାଗି ଏ ବ୍ୟବସ୍ଥା ପ୍ରତି ଆମର ସ୍ଵାଭାବିକ ସମର୍ଥନ ରହିଛି ବୋଲି ବିଜେଡି କହୁଛି। ହେଲେ ସଙ୍ଘୀୟ ବ୍ୟବସ୍ଥାରେ ବିଧାନସଭା ଭାଙ୍ଗିବାର ଅଧିକାର କେବଳ ବିଧାନସଭାର ରହିଛି। ପାଞ୍ଚ ବର୍ଷ ପୂରିବା ଆଗରୁ କୌଣସି ବିଧାନସଭାକୁ ଭାଙ୍ଗିବା ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ବନାମ ଭାରତ ସରକାର ରାୟ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ପାଞ୍ଚ ବର୍ଷ ପୂର୍ବରୁ ଯଦି ସରକାର ଭାଙ୍ଗିଯାଏ ତାହେଲେ, ବାକି ଥିବା ସମୟ ଲାଗି ନିର୍ବାଚନ ମଧ୍ୟ ଏକ ପିଲାଳିଆ ବ୍ୟବସ୍ଥା।

ବିଜେଡି ମୁଖ୍ୟତଃ ଏକ ଆଞ୍ଚଳିକ ଦଳ ଓ ସଙ୍ଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ଏହାର ଗୁରୁ ଦାୟିତ୍ଵ ରହିଛି। ସେହି ଦାୟିତ୍ଵ ପ୍ରତି ଆଖି ବୁଜି ଦେଇ ଏକ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଏହି ଦଳର ମୌଳିକ ଆଦର୍ଶ ବିରୋଧରେ ଯାଉଛି। ନିର୍ବାଚନ ସମୟରେ ଅର୍ଥନୈତିକ ସ୍ଵାୟତ୍ତତାର ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର କେନ୍ଦ୍ରୀୟ ବର୍ଚ୍ଚସ୍ଵବାଦକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ହେଲେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର  ଆବଶ୍ୟକତା ରହିଛି। ସବୁ ରାଜନୈତିକ ଦଳ ଓ ସବୁ ବିଧାନସଭାର ସହମତି ଏଥିଲାଗି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ପ୍ରମୁଖ ଜାତୀୟ ଦଳ ଗୁଡିକ ବିରୋଧ କରୁଥିବାବେଳେ କେବଳ ବିଜେଡି ଉପରେ ପଡି ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି।

ଆଞ୍ଚଳିକ ଅସ୍ମିତା ଓ ଆଞ୍ଚଳିକ ଦଳମାନଙ୍କ ବିରୋଧରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଯେ ଏକ ସୁଚିନ୍ତିତ ଷଡଯନ୍ତ୍ର, ଏକଥା ବିଜେଡି ବୁଝୁନାହିଁ ନା ବୁଝି ମଧ୍ୟ ଅବୁଝା ହେବାର ନାଟକ କରୁଛି, ତାହା ସମୟକ୍ରମେ ସ୍ପଷ୍ଟ ହେବ। ଏହି ପ୍ରସଙ୍ଗରେ ବିଜେଡି ଯଦି ବିଜେପିର ଗୋଡାଣିଆଁ ହେବାର ପ୍ରବୃତ୍ତି ନ ଛାଡେ, ତାହେଲେ ଭବିଷ୍ୟତରେ ଏହା ବିଜେଡି ଭିତରେ ଅସ୍ତିତ୍ଵ ସଙ୍କଟ ସୃଷ୍ଟି କରିବ। ବିରୋଧ କରି ବିଜେଡ଼ିକୁ ଧ୍ଵଂସ କରିବାରେ ବିଜେପି ସମର୍ଥ ହୋଇନାହିଁ, ହେଲେ ସମର୍ଥନ ଦେବା ଆଳରେ ହେଉ ବା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା ନାଁରେ ବିଜେଡ଼ିକୁ ଖତମ କରିବାର ରଣନୀତି ବିଜେପିର ପ୍ରଚ୍ଛନ୍ନ ଭାବରେ ରହିଛି।

Categories
ଆଜିର ଖବର

ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଟକୁରା ସହିତ ବିଜେପୁରରେ ହେବ ଉପନିର୍ବାଚନ

ସମୀକ୍ଷା ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର ବିଧାୟକ ଭାବେ ଶପଥ ନେଇ, ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପୁରରୁ ନବୀନ ଇସ୍ତଫା ଦେବା ପରେ ଓଡିଶାରେ ଦୁଇଟି ବିଧାନସଭା ଆସନ ଖାଲି ପଡିଲା। ଗୋଟିଏ ପାଟକୁରା ଏବଂ ବର୍ତ୍ତମାନ ବିଜେପୁର। ବର୍ତ୍ତମାନ ସୁଦ୍ଧା ପାଟକୁରା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଏକାଥରେ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ବିଶେଷ ଖବର

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍, ଓଡିଶାର ରାଜନୈତିକ ଇତିହାସରେ ଏକ ଛାୟାପୁରୁଷ ନା ତାଙ୍କୁ ନେଇ ରାଜନୀତିରେ ଅଧିକ କିଛି ସମ୍ଭାବନା ରହିଛି?

ସମୀକ୍ଷା ବ୍ୟୁରୋ

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ, ଏ ନାଁଟି ସହିତ ଓଡିଶାର ରାଜନୀତି ବେଶ ପରିଚିତ। ଗତ ପାଞ୍ଚ ବର୍ଷ ଭିତରେ ଏହି ବରିଷ୍ଠ ଆଇଏଏସ ଅଧିକାରୀ ଜଣକ ସର୍ବ ସାଧାରଣରେ ପଦେ ବି କଥା କହିନାହାନ୍ତି। ଅଥଚ ତାଙ୍କୁ ନେଇ ଓଡିଶାର ରାଜନୀତି ଗତ ପାଞ୍ଚ ବର୍ଷ ଧରି ଗତିଶୀଳ ରହିଛି। ତାଙ୍କୁ କେତେବେଳେ ଓଡିଶାର ବାସ୍ତବ କ୍ଷମତା କେନ୍ଦ୍ର ବୋଲି କୁହାଯାଉଛି, ତ ପୁଣି କେବେ ତାଙ୍କରି ନିର୍ଦ୍ଦେଶରେ ଓଡିଶାର ଶାସକ ଦଳ ପରିଚାଳିତ ବୋଲି ଅଭିଯୋଗ ଆସୁଛି। ବିରୋଧୀ ଦଳର ରାଜନୈତିକ ଆକ୍ରମଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁଳନାରେ ତାଙ୍କର ପ୍ରମୁଖ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ହିଁ ରହି ଆସିଛନ୍ତି। କିଛି ବିରୋଧୀ ତ ସିଧା ସିଧା ପାଣ୍ଡିଆନଙ୍କୁ ନିଜର ରାଜନୈତିକ ପ୍ରତିପକ୍ଷ ବୋଲି ଭାବି ନେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ହିଁ ଥିଲେ ବିରୋଧୀ ଦଳର ପ୍ରମୁଖ ଲକ୍ଷ୍ୟ ଓ ତାହା ହିଁ ନବୀନ ପଟ୍ଟନାୟକଙ୍କ ଲାଗି ଥିଲା ସବୁଠୁ ବଡ ଆଶୀର୍ବାଦ। ନବୀନଙ୍କ ଆଗରେ ପାଣ୍ଡିଆନ ଏକ ସୁରକ୍ଷା ଢାଲ ଭଳି ଛିଡା ହୋଇଛନ୍ତି। ବିରୋଧୀଙ୍କ ଆକ୍ରମଣ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ବେଳେ ନବୀନ ନିଜର ନିଷ୍କଳଙ୍କ ଭାବମୂର୍ତ୍ତିକୁ ଆହୁରି ଚମକପ୍ରଦ କରିବାରେ ସଫଳ ହୋଇଛନ୍ତି।

ଗତ ବର୍ଷ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିରୋଧୀ ଦଳର ଗୁଣ୍ଡା ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ନବୀନଙ୍କର କେତେଜଣ ପୁରୁଣା ବନ୍ଧୁ ଯେଉଁମାନେ କି ଭିନ୍ନ ପରିସ୍ଥିତିରେ ନବୀନଙ୍କ ବଡ ବିରୋଧୀ ପାଲଟିଲେ, ସେମାନଙ୍କ ଲାଗି ପାଣ୍ଡିଆନ ଥିଲେ ଏକ ନମ୍ବର ଶତ୍ରୁ। ବିଶେଷ କରି ବୈଜୟନ୍ତ ପଣ୍ଡା ଓ ତାଙ୍କ ଦ୍ଵାରା ପରିଚାଳିତ ଏକ ଟେଲିଭିଜନ ଚାନେଲରେ ପାଣ୍ଡିଆନଙ୍କ ନାଁ ରେ ପ୍ରତିଦିନ କିଛି ନା କିଛି ଖବର /ଅପଖବର ବାହାରୁଥିଲା । ବହୁ ଅଭିଯୋଗର ଏକତରଫା ପ୍ରଚାର ଆମର ଗଣମାଧ୍ୟମରେ ସେବେ ଚାଲିଥିଲା, ଆଜି ମଧ୍ୟ ଚାଲିଛି। ତେବେ ଏ ସବୁର କୌଣସି ଉତ୍ତର/ସ୍ପଷ୍ଟୀକରଣ କେବେହେଲେ ପାଣ୍ଡିଆନ ଦେଇନାହାନ୍ତି। ଜଣେ ଶ୍ରୁଙ୍ଖଳିତ ସରକାରୀ କର୍ମଚାରୀ ଭାବରେ ସେ ସବୁ ସମୟରେ ଆଢୁଆଳରେ ଓ ନୀରବରେ ରହି ଆସିଛନ୍ତି।

ପୁରା ନିର୍ବାଚନୀ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ କେହି କେବେ ଦେଖିବାର ସୁଯୋଗ ପାଇ ନାହାନ୍ତି। ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପଞ୍ଚମ ଥର ଲାଗି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କଲେ ସେତେବେଳେ ପାଣ୍ଡିଆନକୁ କ୍ୟାମେରା ଆଗରେ ଦେଖିବାକୁ ମିଳିଲା। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଟିରୁ ପଦେ କଥା ମଧ୍ୟ ଫିଟିନାହିଁ। ନୀରବରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ ସେ ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କ୍ଷମତା କେନ୍ଦ୍ରର ମୁଖ୍ୟ ବିନ୍ଦୁରେ ଥାଇ ମଧ୍ୟ ଏତେ ନୀରବ ରହିବା ସବୁଠୁ ଆଶ୍ଚର୍ଯ୍ୟଜନକ ଘଟନା। ତେବେ ନବୀନ ସରକାରଙ୍କର ସଫଳତା ଓ ପ୍ରତୀତି ସରକାରୀ ଯୋଜନାର ଲୋକ ପକ୍ଷକୁ ସଠିକ ଭାବରେ ଉପସ୍ଥାପନ କରିବାର ଯେଉଁ ଦକ୍ଷତା, ସେଥିରେ ପାଣ୍ଡିଆନ ଏ ସରକାର ର ସବୁଠୁ ସଫଳ ରଣନୀତିକାର ବୋଲି କୁହାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାର ଓ ସେସବୁର ସଫଳ ରୂପାୟନ କୁ ନେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବାର ଶ୍ରେୟ ପାଣ୍ଡିଆନଙ୍କ ପାଖକୁ ଯିବ।

ନିର୍ବାଚନ ପରେ ଏବେ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ, ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ସେନାପତି ଭାବରେ ତାଙ୍କୁ ପ୍ରଶାସନିକ ସ୍ତରରେ ସେ ସୀମିତ ରହିବେ ନା ରାଜନୈତିକ ସ୍ତରରେ ମଧ୍ୟ ତାଙ୍କର କିଛି ଭୂମିକା ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁ ପ୍ରକାର ଚର୍ଚ୍ଚା ଓ ଅପଚର୍ଚ୍ଚାର ଉର୍ଦ୍ଧ୍ଵରେ ରହି କାମ କରିବାର ବିଚକ୍ଷଣତା ହେଉଛି ପାଣ୍ଡିଆନଙ୍କ ସଫଳତା। ନବୀନଙ୍କର ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ସହଯୋଗୀ ଆସିଛନତି ଓ ଯାଇଛନ୍ତି। ହେଲେ ପାଣ୍ଡିଆନ ସେ ସମସ୍ତଙ୍କଠୁ ଅଲଗା। ରାଜନୈତିକ ଅଭିଳାଷ ଅପେକ୍ଷା ଆନ୍ତରିକ ଭାବରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ହିଁ ତାଙ୍କର ଭିନ୍ନତା। ସବୁ ସମାଲୋଚନା ଓ କୁତ୍ସାକୁ ଅଣଦେଖା କରି ଅବିଚଳିତ ଭାବରେ ନିଜର କାମ କରିଯିବା ଯୋଗୁଁ ତାଙ୍କୁ ହୁଏତ ଓଡିଶାର ଇତିହାସ ଏକ ଭିନ୍ନ ପରିଚୟରେ ମନେ ରଖିବ।

(ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta , ଏହାପରେ ସ୍ପ୍କ୍ରିନରୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ; ବିରୋଧୀ ବୁଝି ପାରୁନାହାନ୍ତି ଏହାର ଗଣିତ ଓ କେମିଷ୍ଟ୍ରି

କେଦାର ମିଶ୍ର

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହେଲା ପରେ ଯେଉଁ କିଛି ପ୍ରତିକ୍ରିୟା ବିଭିନ୍ନ ଶିବିରରୁ ଆସିଛି, ସେଥିରୁ ପ୍ରଥମ ପ୍ରତିକ୍ରିୟା ହେଉଛି- ଆରେ, ଏମିତି କେମିତି ହେଲା! ଏତେ ବଡ ବଡ ମୁଣ୍ଡ ଥାଉ ଥାଉ ହଠାତ ନୂଆ ମୁହଁକୁ ଗୁରୁତ୍ଵ ଦିଆଗଲା କାହିଁକି? ଯେଉଁ ମୁଣ୍ଡମାନେ କେବଳ ନିଜେ ହିଁ ମନ୍ତ୍ରୀପଦର ଶିରୋପା ବାନ୍ଧିବାକୁ ଯୋଗ୍ୟ ବୋଲି  ଭାବୁଥିଲେ, ସେମାନେ ହଠାତ ନିରାଶ ହୋଇ ପଡିଛନ୍ତି। ସେମାନଙ୍କ ନିରାଶା ଭିତରେ ନବୀନ ବିରୋଧୀ ଶିବିର ଭବିଷ୍ୟତର “ଅସନ୍ତୋଷ” କଥା କଳ୍ପନା କରି ଶିହରି ଉଠୁଛନ୍ତି। ସେମାନଙ୍କୁ ଲାଗୁଛି, ଯେଉଁମାନଙ୍କୁ ଆଜି ମନ୍ତ୍ରୀପଦ ମିଳିନାହିଁ, ସେମାନେ କାଲି ହୁଏତ “ବିଦ୍ରୋହୀ” ହୋଇ ପାରନ୍ତି।

ଆଞ୍ଚଳିକ ଭେଦର ପ୍ରଶ୍ନ ବି କମ ଉଠୁନାହିଁ। ପଶ୍ଚିମ ଓଡିଶାର ପାଞ୍ଚଟି ଯାକ ଲୋକସଭାରେ ବିଜେଡି ପରାଜିତ ହୋଇଛି। ତା ସତ୍ତ୍ୱେ ପଶ୍ଚିମ ଓଡ଼ିଶାକୁ ଏଥର ମନ୍ତ୍ରୀମଣ୍ଡଳର ଏକ ସିଂହ ଭାଗ ଯାଇଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ଏବଂ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର- ଏମାନେ ସମସ୍ତେ ପଶ୍ଚିମ ଓଡିଶାର। ବୋଧ ହୁଏ ଓଡିଶା ଇତିହାସରେ ଏତେ ସଂଖ୍ୟକ ପ୍ରଭାବଶାଳୀ ମନ୍ତ୍ରୀ ପଶ୍ଚିମ ଓଡିଶାରୁ କେବେ ହେଲେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ।

ଏହାକୁ ନେଇ ଏବେ ଚର୍ଚ୍ଚା ବି କିଛି କମ ନୁହେଁ। ଯାଜପୁର, ଗଞ୍ଜାମ, ବାଲେଶ୍ଵର, କେନ୍ଦ୍ରାପଡା, କଟକ ଓ ପୁରୀ ବଦଳରେ ସୋନପୁର, ବରଗଡ, କଳାହାଣ୍ଡି ଓ ବଲାଙ୍ଗୀର ଆଜି କ୍ଷମତା କେନ୍ଦ୍ର ହେବା କଥାଟିକୁ ହଜମ କରିବା ସହଜ ନୁହେଁ! ଯେଉଁମାନେ ସହରୀ ମଧ୍ୟବିତ୍ତ ସେମାନଙ୍କ ଲାଗି, ଏହା ଏକ ପ୍ରକାର ଆଞ୍ଚଳିକ ଅସ୍ମିତାର ପ୍ରସଙ୍ଗ ହୋଇ ପଡିଛି। ତେଣୁ ଏବେ କୁହା ଯାଉଛି, ଯେଉଁ ସବୁ ଜିଲା ବିଜେଡ଼ିକୁ ବିପୁଳ ଭୋଟ ଦେଇଛନ୍ତି, ସେଇ ସବୁ ଜିଲ୍ଲାରୁ ମନ୍ତ୍ରୀ କମ ହୋଇଛନ୍ତି। ତେବେ ପଶ୍ଚିମ ଓଡିଶାରୁ ବିଜେଡି କିଛି କମ ଆସନ ପାଇନାହିଁ। ପ୍ରଥମଥର ଲାଗି ରାଜ୍ୟର କ୍ଷମତା ରାଜନୀତିରେ ଉପକୂଳ ଓଡିଶା ତୁଳନାରେ ପଶ୍ଚିମ ଓ ଉତ୍ତର ଓଡିଶାର ପ୍ରଭାବ ବଢିଛି। ରାଜସ୍ୱ ମନ୍ତ୍ରୀ ମୟୂରଭଞ୍ଜରୁ ଆସିଥିବା ବେଳେ ଅର୍ଥମନ୍ତ୍ରୀ ସୋନପୁରରୁ ଆସିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଝାରସୁଗୁଡାର ହୋଇଥିବା ବେଳେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କଳାହାଣ୍ଡିର ବାସିନ୍ଦା। ତେଣୁ ଏହାକୁ କ୍ଷମତା କେନ୍ଦ୍ରର ସଫଳ ବିକେନ୍ଦ୍ରୀକରଣ ବୋଲି ଆମେ କହିପାରିବା।

ତେବେ ଏ ପ୍ରକାର ପରୀକ୍ଷା ନିରୀକ୍ଷାରେ ସଙ୍କଟ ମଧ୍ୟ କିଛି କମ ନୁହେଁ। ଧରନ୍ତୁ, ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ କରିବାକୁ ନେଇ ପୁରୀ ଓ ଜଗତସିଂପୁର ଜିଲ୍ଲାରେ ଅସନ୍ତୋଷ ବଢିଲା। ତାକୁ ସମ୍ଭାଳି ହେବ କି? ଏ ଦୁହେଁ, ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଆସିଛନ୍ତି। ନବ ଦାସ ମଧ୍ୟ କଂଗ୍ରେସର ହାତ ଛାଡି ସିଧା ସିଧା ମନ୍ତ୍ରୀ ହୋଇଛନ୍ତି। ଏଥିରେ ବିଜେଡ଼ିର ପୁରୁଖା ନେତାମାନେ ଅସନ୍ତୁଷ୍ଟ ହେବା ସ୍ଵାଭାବିକ। ତାପରେ ଟୁକୁନି ସାହୁଙ୍କ ଭଳି ଦୁଇ ଥରର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା ବେଳେ ତିନି ଥରର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସେଇ ରାଷ୍ଟ୍ର ମନ୍ତ୍ରୀ କରି ରକ୍ଷା ଯାଉଛି ଓ ତାଙ୍କୁ ଅପେକ୍ଷାକୃତ ଦୁର୍ବଳ ବିଭାଗର ଦାୟିତ୍ଵ ଦିଆ ଯାଉଛି। ଏହା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିବା ନାହିଁ କି?

ତେବେ ବିଜେଡ଼ିର ଆକଳନ ଏ କ୍ଷେତ୍ରରେ ପୂରା ଭିନ୍ନ। ବିଜେଡି ମୁଖିଆ ନବୀନଙ୍କ ବ୍ୟକ୍ତିତ୍ବ ଆଗରେ ଠିଆ ହୋଇ ବା ତାଙ୍କୁ ବିରୋଧ କରି ତିଷ୍ଠିବା ଯେ ଆଦୌ ସହଜ କଥା ନୁହେଁ, ଏ କଥା ବାରମ୍ବାର ପ୍ରମାଣିତ ହୋଇ ସାରିଛି। ଏଥର ନିର୍ବାଚନ ଆଗରୁ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଅର୍ଜୁନ ଚରଣ ସେଠି, ପର୍ଶୁରାମ ମାଝୀଙ୍କ ପରି ନେତା ବିଜେଡି ଛାଡି ଅପଦସ୍ତ ହେବାର ଆମେ ଦେଖିଛୁ। ଅନ୍ତତଃ ଆଜି ବିଜେଡି ମୁଖିଆଙ୍କ ଆଗରେ ନିଜର ଅସନ୍ତୋଷ ବା ବିଦ୍ରୋହ ଜାହିର କରିବା ଭଳି ସ୍ଥିତିରେ କୌଣସି ବିଧାୟକ ଯେ ଅଛନ୍ତି, ସେକଥା ଭାବିବା ନିର୍ବୋଧତା ହେବ।

ତେବେ ଭବିଷ୍ୟତରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି, ବିଜେଡି ଭିତରର ଅସନ୍ତୋଷକୁ ପ୍ରୋତ୍ସାହନ ଦେବା ପାଇଁ ନିହାତି ଚେଷ୍ଟା କରିବ। ବିରୋଧୀ ସରକାରକୁ ଅସ୍ଥିର କରିବା ଲାଗି ସବୁ ପ୍ରକାର କୌଶଳ ପ୍ରୟୋଗ କରିବାରେ ବିଜେପି ଏବେ ପୁରୁଣା କଂଗ୍ରେସ କୁ ତାପୀ ସାରିଛି। ସେ ବିଷୟରେ ବିଜେଡି କୁ ସାବଧାନ ରହିବାକୁ ପଡିବ। ଯେ କୌଣସି ସୁଯୋଗରେ ବିଜେଡି ସରକାରକୁ ଓ ଦଳକୁ ଅସୁବିଧାରେ ପକାଇବାକୁ ଏବେ ବିଜେପିର ରଣନୀତି ପ୍ରସ୍ତୁତ ହେଉଛି। ତେଣୁ ଦଳୀୟ ଅସନ୍ତୋଷକୁ ନିୟନ୍ତ୍ରଣରେ ରଖିବାକୁ ଏକ “ସର୍ବ ସନ୍ତୁଷ୍ଟିକରଣ ଯୋଜନା” ବିଷୟରେ ବିଜେଡ଼ିକୁ ଗୁରୁତ୍ଵ ଦେଇ ଚିନ୍ତା କରିବାକୁ ପଡିବ।

Categories
ବିଶେଷ ଖବର

କାଳିଆ ଟଙ୍କାକୁ କେହି ରୋକିପାରିବେ ନାହିଁ, ନିର୍ବାଚନ ପ୍ରତିଶୃତିକୁ ପାଳନ କଲେ ନବୀନ, କାଳିଆ ଟଙ୍କା ବାଣ୍ଟିବାକୁ ଦେଲେ ନିର୍ଦ୍ଦେଷ

ସମୀକ୍ଷା ବ୍ୟୁରୋ

କାଳିଆ ଟଙ୍କାକୁ କେହି ରୋକି ପାରିବେ ନାହିଁ। ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ଦିଆଯିବ। ସେହି ପ୍ରତିଶୃତିକୁ ହିଁ କାର୍ଯ୍ୟରେ କରି ଦେଖାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶପଥ ଗ୍ରହଣ ପରେ ନବୀନ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ରାଜ୍ୟ ସଚିବାଳୟରେ କରିଥିଲେ ବୈଠକ। ପ୍ରଥମେ ମନ୍ତ୍ରୀ ପରିଷଦ, ପରେ କ୍ୟାବିନେଟ ବୈଠକ କରି ନେଲେ ଏହି ବଡ ନିଷ୍ପତି। ତାହା ହେଲା ଆଜିଠାରୁ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଲେ ନିର୍ଦ୍ଦେଶ। ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ସେତିକି ନୁହେଁ ଏଥର କାଳିଆ ଯୋଜନାରେ ରାଜ୍ୟର 75 ଲକ୍ଷ ଚାଷୀ ପରିବାର ସାମିଲ କରିବାକୁ ନବୀନ ଘୋଷଣା କରିଛନ୍ତି । ପୂର୍ବରୁ ଏହି ଯୋଜନାରେ 42 ଲକ୍ଷ ପରିବାର ଉପକୃତ ହେବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଆଉ ଅଧିକ 33 ଲକ୍ଷ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଗଲା।

ଏହି ଘୋଷଣା କରି ନବୀନ ବିଜେପି ଦଳକୁ ଏକ ଶକ୍ତ ଚାପୁଡା ମାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ। କାରଣ ନିର୍ବାଚନ ସମୟରେ କାଳିଆ ଟଙ୍କାକୁ ନେଇ ସୃଷ୍ଟି ହୋଇଥିଲା ତୁମ୍ବି ତୋଫାନ। ନିର୍ବାଚନ କଟକଣା ନେଇ କାଳିଆ ଟଙ୍କା ପ୍ରଦାନକୁ ସେତେବେଳେ ରୋକାଯାଇଥିଲା। ଏ ନେଇ ବିଜେଡି ନିର୍ବାଚନ କମିଶନରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ବହୁ ଦିନ ପରେ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଏ ସଂପର୍କରେ ତଥ୍ୟ ମାଗି ନିରବ ରହିଥିଲେ। ହେଲେ ପୂର୍ବରୁ ପ୍ରଦାନ କରାଯାଉଥିବା ଏହି ଟଙ୍କାକୁ ସେତେବେଳେ କଳେବଳେ ରୋକି ଦିଆଗଲା। ଭୟଥିଲା କାଳେ ବିଜେଡି ଏହାକୁ ନେଇ ଅଧିକ ଭୋଟ ହାତେଇ ନେଇଯିବ। ଶେଷରେ ରାଜନୈତିକ ଚାପରେ ଏହି ଟଙ୍କା ପ୍ରଦାନ ନେଇ କୌଣସି ରାସ୍ତା ନ ଖୋଲିବାରୁ ଟଙ୍କା ପ୍ରଦାନ ବନ୍ଦ ରଖାଯାଇଥିଲା। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ସେତେବେଳେ ନିର୍ବାଚନୀ ସଭାରେ କାଳିଆ ଟଙ୍କାକୁ କୌଣସି ଶକ୍ତି ରୋକିପାରିବ ନାହିଁ ବୋଲି କହିଥିଲେ। ଏପରିକି ସରକାର ଆସିଲେ ପ୍ରଥମ ଦିନରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତିକୁ ପାଳନ କରି ନବୀନ ପଞ୍ଚମ ପାଳିର ପ୍ରଥମ ଦିନରେ କାଳିଆ ଟଙ୍କା ବାଣ୍ଟିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ।

କେବଳ ଚାଷୀ ନୁହେଁ ମହିଳାମାନଙ୍କୁ ସଶକ୍ତ କରିବାକୁ ନବୀନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି। ତାହା ହେଲା ସରକାରୀ ସ୍ତରରେ ଆବଶ୍ୟକ ହେଉଥିବା ବିଭିନ୍ନ ପଦାର୍ଥ ଉତ୍ପାଦନ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପ୍ରଦାନ କରାଯିବ। ଏଥିରେ ବାର୍ଷିକ 10 ହଜାର କୋଟି ଟଙ୍କାର କାମ ଏହି ଗ୍ରୁପଗୁଡିକ ପାଇବେ ବୋଲି ନବୀନ ଘୋଷଣା କରିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ପିଲାଙ୍କ ୟୁନିଫର୍ମ, ନାପକିନ, ମଧ୍ୟାହ୍ନ ଭୋଜନ, ଧାନକିଣା, ଡାକ୍ତରଖାନା ଖାଦ୍ୟ ଏବଂ ମଶାରୀ ପ୍ରଭୃତି ଉତ୍ପାଦନ କାର୍ଯ୍ୟକୁ ସାମିଲ କରାଯାଇଛି।  ନିର୍ବାଚନ ସମୟରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ନବୀନ ଘୋଷଣା କରିଥିଲେ। ମା ମାନଙ୍କ ପାଇଁ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ବୋଲି ସେତେବେଳେ ମଧ୍ୟ ନବୀନ କହିଥିଲେ। ଏପରିକି ମିଶନ ଶକ୍ତିର ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରି ନବୀନ ଏକ ଇତିହାସ ସୃଷ୍ଟି କରିଥିଲେ। ଯାହାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି।

Categories
ବିଶେଷ ଖବର ମତାମତ

ପ୍ରଫୁଲ ମଲ୍ଲିକ ହେଲେ ଇସ୍ପାତ ଓ ଖଣି ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ଖାଦ୍ୟଯୋଗାଣ ଏବଂ ନବ ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ

ସମୀକ୍ଷା ବ୍ୟୁରୋ

ମନ୍ତ୍ରିମଣ୍ଡଳ ଶପଥ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମନ୍ତ୍ରୀଙ୍କର ବିଭାଗ ବଣ୍ଟନ କରାଯାଇଛି। ଏଥିରେ ପୁରୁଣା ମନ୍ତ୍ରୀଙ୍କୁ ତାଙ୍କର ପୁରୁଣା ବିଭାଗ ଦିଆଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ ସାଧାରଣ ପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗ

କ୍ୟାବିନେଟ

୧-ପ୍ରଫୁଲ ମଲ୍ଲିକ- ଖଣି, ଇସ୍ପାତ ଓ ପୂର୍ତ୍ତ

୨-ନିରଂଜନ ପୂଜାରୀ- ଅର୍ଥ ଓ ଅବକାରୀ

୩-ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ

୪-ଅରୁଣ ସାହୁ-କୃଷି, ମତ୍ସ୍ୟ ଓ ପଶୁ ସଂପଦ

୫-ରଣେନ୍ଦ୍ର ପ୍ରତାପ ସ୍ବାଇଁ- ଖାଦ୍ୟ,ଯୋଗାଣ ଓ ସମବାୟ

୬-ସୁଶାନ୍ତ ସିଂ-ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ

୭-ସୁଦାମ ମାରାଣ୍ଡି-ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନ

୮-ବିକ୍ରମ କେଶରୀ ଆରୁଖ- ଜଙ୍ଗଲ ଓ ପରିବେଶ, ସଂସଦୀୟ ବିଭାଗ

୯-ନବ ଦାସ-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୦-ଟୁକୁନି ସାହୁ- ମହିଳା ଓ ଶିଶୁ ବିକାଶ

୧୧-ପଦ୍ମନାଭ ବେହେରା-ବାଣିଜ୍ୟ ଓ ପରିବହନ

ରାଷ୍ଟ୍ରମନ୍ତ୍ରୀ ( ସ୍ବାଧୀନ )

୧-ଜ୍ୟୋତି ପାଣିଗ୍ରାହୀ- ପର୍ଯ୍ୟଟନ,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି

୨-ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

୩-ଅଶୋକ ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ,ସାଧାରଣ ଉଦ୍ୟୋଗ

୪-ସମୀର ଦାସ- ବିଦ୍ୟାଳୟ ଓ ଗଣଶିକ୍ଷା

୫-ପଦ୍ମନୀ ଦିଆନ- ହସ୍ତତନ୍ତ ଓ ବୟନ ଶିଳ୍ପ

୬-ଜଗନ୍ନାଥ ସାରକା-ଆଦିବାସୀ କଲ୍ୟାଣ ଓ ପଛୁଆ ବର୍ଗ,ସଂଖ୍ୟା ଲଘୁ

୭-ଦିବ୍ୟଶଙ୍କର ମିଶ୍ର- ଶିଳ୍ପ, ଶକ୍ତି ଓ ଏମଏସଏମଇ

୮-ରଘୁନନ୍ଦନ ଦାସ- ଜଳସଂପଦ ଓ ସୂଚନା ଓ ଲୋକ ସଂପର୍କ

୯-ତୁଶାରକାନ୍ତି ବେହେରା-ଇଲଟ୍ରୋନିକ୍ସ ଓ ସୂଚନା ବିଦ୍ୟା.  କ୍ରୀଡା

ରାଷ୍ଟ୍ରମନ୍ତ୍ରୀ

୧-ଦିବ୍ୟଶଙ୍କର ମିଶ୍ର- ଗୃହ

 

 

Categories
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ, ବିଜେଡିର ବଡକୁହା ନେତାଙ୍କ ଲାଗି ସ୍ପଷ୍ଟ ବାର୍ତ୍ତା- ନବୀନ ହିଁ ସବୁକିଛି !

କେଦାର ମିଶ୍ର

ଅନେକଙ୍କର ହୁଏତ ମନେଥିବ, ବିଜୁ ପଟ୍ଟନାୟକ ଯେତେବେଳେ ୨୭ ବର୍ଷର ବ୍ୟବଧାନ ପରେ ୫, ମାର୍ଚ୍ଚ, ୧୯୯୦ ରେ  ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେ ଥିଲେ ତାଙ୍କ ମନ୍ତ୍ରୀ ପରିଷଦର ଏକମାତ୍ର ସଦସ୍ୟ। ସେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ, ଆପଣ ମନ୍ତ୍ରୀମଣ୍ଡଳ କେବେ ଗଢିବେ। ପରିହାସପ୍ରିୟ ବିଜୁ ବାବୁ ରସିକତା କରି କହିଥିଲେ- କାଇଁ, ମୁଁ କଣ ଏକାକୀ ଯଥେଷ୍ଟ ନୁହଁ! ବିଜୁ ବାବୁଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଆଉ ଏକ ଇତିହାସ ରଚନା କରିଛନ୍ତି। ୧୯୯୦ ରୁ ଲଗାତାର ପାଞ୍ଚଟି ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରି ନବୀନ ବାବୁ ସରକାର ଗଢି ଆସୁଛନ୍ତି। ଆଜି ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ପୁଣିଥରେ ଶପଥ ନେଉଛନ୍ତି। ତାଙ୍କ ସହିତ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଆଜି ଶପଥ ନେଉଛି। ତେବେ ବିଜୁ ବାବୁଙ୍କ ପରି ନବୀନ ହୁଏତ ଏକାକୀ ଶପଥ ନେଉନାହାନ୍ତି, କିନ୍ତୁ ତାଙ୍କ କ୍ୟାବିନେଟ ସଂରଚନା ରୁ ଗୋଟିଏ କଥା ସ୍ପଷ୍ଟ ଯେ, ଏଥିରେ ନବୀନ ହିଁ ସବୁକିଛି। କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କର୨୦ ଜଣ ଯାକ ସହଯୋଗୀ ତାଙ୍କର ଛାୟା ମାତ୍ର। ପଞ୍ଚମ ପାଳିରେ ୧୧୨ ଟି ଆସନ ଜିଣିଥିବା ନବୀନ ଅତ୍ୟନ୍ତ ଆତ୍ମବିଶ୍ବାସର ସହିତ ନୂଆ ମନ୍ତ୍ରୀମଣ୍ଡଳ ବାଛିଛନ୍ତି। ଅନେକ ପୁରୁଣା ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି। ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ସୂର୍ୟ ନାରାୟଣ ପାତ୍ର, ଉଷା ଦେବୀ, ପ୍ରଦୀପ ମହାରଥୀ, ବଦ୍ରି ନାରାୟଣ ପାତ୍ରଙ୍କ ପରି ପୁରୁଖା ମନ୍ତ୍ରୀଙ୍କୁ (ଏମାନେ ସମସ୍ତେ ପୁନଃ ନିର୍ବାଚିତ ହୋଇଥିବା ସତ୍ତ୍ୱେ) ନୂଆ ମନ୍ତ୍ରୀ ତାଲିକାରୁ ବାଦ ଦିଆ ଯାଇଛି।

ବିଜେଡ଼ିର ବହୁ ତୁଙ୍ଗ ନେତା ଓ ପୂର୍ବତନ ମନ୍ତ୍ରୀଙ୍କ ନୂଆ ମନ୍ତ୍ରୀ ହେବାର ଆଶା ପାଣି ଫାଟି ଯାଇଛି। ବାଚସ୍ପତି ପ୍ରଦୀପ କୁମାର ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଶାରଦା ନାୟକ, ସୁବ୍ରତ ତରାଇ, ଭୂପିନ୍ଦର ସିଂ, ରୋହିତ ପୂଜାରୀ, ବିଷ୍ଣୁ ଦାସ, ଅରବିନ୍ଦ ଢାଲି ପ୍ରମୁଖ ଏଥର ନିରାଶ ହୋଇଛନ୍ତି। ଏପରିକି ରାଜ୍ୟସଭା ପଦ ଛାଡି ବିଧାନସଭା ନିର୍ବାଚନ ଲଢିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କୁ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ ସହଯୋଗୀ ହେବାର ସୁଯୋଗ ଦେଇନାହାନ୍ତି। ସୂର୍ୟ ପାତ୍ରଙ୍କୁ ବାଚସ୍ପତି ଦାୟିତ୍ଵ ଦେବାକୁ ସ୍ଥିର କରାଯାଇଛି। ପ୍ରମିଳା ମଲ୍ଲିକ ବିଜେଡ଼ିର ମୁଖ୍ୟ ସଚେତକ ଦାୟିତ୍ଵ ତୁଲାଇବେ।

ନୂଆ ମନ୍ତ୍ରୀମଣ୍ଡଳରେ ବହୁ ବର୍ଷ ପରେ ନବୀନଙ୍କ ଆସ୍ଥା ପାଇ ଫେରିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଏକଦା ପ୍ୟାରୀମୋହନ ମହାପାତ୍ରଙ୍କ ସହିତ ମନାନ୍ତର ପରେ ରାଜା ସ୍ଵାଇଁ ଏକ ପ୍ରକାର କ୍ଷମତା ଠାରୁ ନିର୍ବାସିତ ଥିଲେ। ଏଥର ତାଙ୍କୁ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରୀମଣ୍ଡଳରେ ସଦସ୍ୟଥିବା  ପ୍ରତାପ ଜେନା, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ଅଶୋକ ଚନ୍ଦ୍ର ପଣ୍ଡା ଓ ବିକ୍ରମ କେଶରୀ ଆରୁଖ  ନିଜ ପଦ ବଜାୟ ରଖିଛନ୍ତି। ତା ପୂର୍ବରୁ ମନ୍ତ୍ରୀ ଥିବା ଅରୁଣ କୁମାର ସାହୁ, ପଦ୍ମନାଭ ବେହେରା  ଓ ସୁଦାମ ମାରାଣ୍ଡି ମଧ୍ୟ ମନ୍ତ୍ରୀ ମଣ୍ଡଳକୁ ଫେରିଛନ୍ତି। ପ୍ରଥମ ଥର ଲାଗି କ୍ୟାବିନେଟ ମନ୍ତ୍ରୀ ଭାବରେ ନବ କିଶୋର ଦାସ ଓ ଶ୍ରୀମତୀ ଟୁକୁନି ସାହୁଙ୍କୁ ସୁଯୋଗ ମିଳିଛି। ରାଷ୍ଟ୍ରମନ୍ତ୍ରୀ ଭାବରେ ଦିବ୍ୟ ଶଙ୍କର ମିଶ୍ର, ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନ, ଜଗନ୍ନାଥ ସାରକା, ରଘୁନନ୍ଦନ ଦାସ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ଶପଥ ନେଉଛନ୍ତି।

ଶ୍ରୀମତୀ ଟୁକୁନି ସାହୁଙ୍କୁ କ୍ୟାବିନେଟ ମନ୍ତ୍ରୀ କରି ବିଜେଡି ମୁଖିଆ ବଲାଙ୍ଗୀର ରାଜ ପରିବାରକୁ ଅତ୍ୟନ୍ତ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ବଲାଙ୍ଗୀର ବିଜେଡିରେ ରାଜ ପରିବାରର ବିକଳ୍ପ ଭାବେ ଟୁକୁନି ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛନ୍ତି। ଜଗତସିଂପୁର ରେ ପାରମ୍ପରିକ ପ୍ରତିଯୋଗୀ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲିଙ୍କୁ ଅଣଦେଖା କରି ଦାମୋଦର ରାଉତଙ୍କୁ ହରାଇଥିବା ନବାଗତ ରଘୁନନ୍ଦନ ଦାସଙ୍କୁ ମନ୍ତ୍ରୀ କରିବା ପଛରେ ମଧ୍ୟ ଗୋଟେ ସ୍ପଷ୍ଟ ରାଜନୈତିକ ବାର୍ତ୍ତା ରହିଛି। ଗୋଷ୍ଠୀ କନ୍ଦଳ, ବିବାଦ ଓ ବେପରୁଆ ମନୋଭାବ ରଖୁଥିବା ନେତାଙ୍କୁ ସିଧା ସିଧା ନବୀନ ନିଜ ଟିମରେ ରଖିବାକୁ ମନା କରିଦେଇଛନ୍ତି। ପୁରୀ ଜିଲ୍ଲାରେ ମହେଶ୍ଵର ମହାନ୍ତି ଓ ସଞ୍ଜୟ ଦାସ ବର୍ମାଙ୍କ ପରାଜୟ ଓ ପ୍ରଦୀପ ମହାରଥିଙ୍କ ବିବାଦ ପରେ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କୁ ନୂଆ ଦାୟିତ୍ଵ ମିଳିଛି।ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏଥର ପଶ୍ଚିମ ଓଡିଶାର ଭାଗ ଟିକେ ବେଶୀ। ପଶ୍ଚିମ ଓଡିଶାରୁ ପାଞ୍ଚ ଜଣ କ୍ୟାବିନେଟ ଓ ଜଣେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀଙ୍କୁ ନିଆ ଯାଇଛି। ପୂର୍ବରୁ ମନ୍ତ୍ରୀ ମଣ୍ଡଳରେ ଅବିଭକ୍ତ କଟକ ଓ ଗଞ୍ଜାମ ଜିଲ୍ଲାର ଯେଉଁ ପ୍ରଭାବ ରହୁଥିଲା ଏଥର ତାହା ଅନେକଟା ହ୍ରାସ ପାଇଛି। ତେବେ ପୂର୍ବ ପରି ମନ୍ତ୍ରୀ ମଣ୍ଡଳରେ ଆଦିବାସୀ ଓ ମହିଳାଙ୍କ ପ୍ରତିନିଧିତ୍ଵ କମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ସପକ୍ଷବାଦୀ ନୀତି ଅନୁସାରେ ଅତି କମରେ ୪/୫ ମହିଳା ବିଧାୟିକା ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଥିଲା। ଆଦିବାସୀ ନେତୃତ୍ବକୁ ମଧ୍ୟ ଟିକେ ଅଧିକ ସ୍ଥାନ ମିଳିବା ଉଚିତ ହୋଇଥାନ୍ତା।

ତେବେ ଯିଏ ବି ମନ୍ତ୍ରୀ ହେଉ, ନବୀନଙ୍କ ବିରାଟ ବରଗଛ ତଳେ, ସେମାନେ ତାଙ୍କ ଛାଇର ଅଂଶ ବା ଅତି ବେଶୀରେ ଓହଳ ହିଁ ହୋଇ ପାରିବେ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାପରେ ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ଦେଇଥିବା ଅନେକ ଅସନ୍ତୁଷ୍ଟ ନେତା ଅବଶ୍ୟ ରହିବେ। ହେଲେ ସେମାନେ ନିଜ ଅସନ୍ତୋଷକୁ ଚାପିବାକୁ ବାଧ୍ୟ ହେବେ। ପୂର୍ବରୁ ଅସନ୍ତୁଷ୍ଟ ହୋଇ ବିଜେଡି ନେତାମାନଙ୍କ ଅବସ୍ଥା ଦେଖି ଆଜିର ପରିସ୍ଥିତିରେ ଆଉ କେହି ଯେ ଅସନ୍ତୁଷ୍ଟ ହେବାକୁ ସାହସ କରିବ, ସେ ସମ୍ଭାବନା ଆଜି ଅବଶ୍ୟ ନାହିଁ।

Categories
ଆଜିର ଖବର

ଆସନ୍ତା କାଲି ନବୀନଙ୍କ ଶପଥ ଗ୍ରହଣ ଉତ୍ସବ : ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ବୁଧବାର ଦିନ ଶପଥ ନେବେ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌। ଆସନ୍ତାକାଲି ଦିନ ସାଢେ ୧୦ଟାରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବାବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥି ମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି। ଭିଭିଆଇପି, ଏମ୍‌ପି, ଏମ୍‌ଏଲ୍‌ଏଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବକୁ ୭ହଜାର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ତିନୋଟି ସ୍ଥାନରେ ପାର୍କିଂ ପ୍ଲେସ୍‌ କରାଯାଇଛି। ମଞ୍ଚରେ ୧୦୦ ଫୁଟ ଯାଏଁ ସିସିଟିଭି କଭରେଜ୍‌ର ବ୍ୟବସ୍ଥା କରାଯାଇଛି। ଆଜି ସେଠାରେ ସୁରକ୍ଷା ସମ୍ପର୍କିତ ମକ୍‌ଡ୍ରିଲ୍‌ ରିହରସାଲ ହେବ ବୋଲି ପୁଲିସ କମିଶନର କହିଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଦେଶର କିଛି ଜଣାଶୁଣା ଉଦ୍ୟୋଗପତି, ସବୁ ଦଳର ନେତା ଓ ମହିଳାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଚଳିତ ଥର ରାଜଭବନ ଭିତରେ ଶପଥଗ୍ରହଣ ଉତ୍ସବ ନ କରାଯାଇ ପ୍ରଦର୍ଶନୀ ପଡ଼ିଆରେ ଆଡମ୍ବର ସହକାରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି।

Categories
ବିଶେଷ ଖବର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭବିଷ୍ୟବାଣୀ, 2024ରେ ମଧ୍ୟ ବିଜେଡି ଓଡିଶାରେ ଷଷ୍ଠ ଥର ପାଇଁ ଶାସନ କରିବ

ସମୀକ୍ଷା ବ୍ୟୁରୋ

ପଞ୍ଚମ ଥର ପାଇଁ ନୁହେଁ, 2024 ରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି ବିପୁଳ ଭୋଟର ବିଜୟ ହୋଇ ଷଷ୍ଠ ଥର ପାଇଁ ଓଡିଶାରେ ଶାସନ କରିବ। ଏହା କୌଣସି ନେତାଙ୍କ ବାଣୀ ନୁହେଁ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଟିଭିକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଯେତେ କଲେ ମଧ୍ୟ ଓଡିଶାରେ ଶାସନ କରିପାରିବ ନାହିଁ। ବର୍ତ୍ତମାନ ଓଡିଶାରେ ବିଜେପିର ଯାହା ବୃଦ୍ଧି ଘଟିଛି ତାହା କଂଗ୍ରେସ ଭୋଟ। ଓଡିଶାରେ କଂଗ୍ରେସ ଭୁଷୁଡି ପଡିବାରୁ ସେହି ଭୋଟ ବିଜେପି ହାତେଇ ନେଲା। ଗତ ନିର୍ବାଚନଠାରୁ ଏଥର ବିଜେଡିର ଭୋଟ ହାର 2 ପ୍ରତିଶତ ବୃଦ୍ଧି ପାଇଛି। ବିଜେପି କୋତେଟି ସାଂସଦ ଆସନ ନେଇଛି ଅର୍ଥ ନୁହେଁ ବିଜେଡି ଭୋଟ ହ୍ରାସ ପାଇଛି। ହେଲେ ବିଜେପି ଓଡିଶାରେ ଲଢେଇ କରିବାରେ ସକ୍ଷମ ହୋଇଛି, ମାତ୍ର ଏହି ଦଳ ଓଡିଶାରେ ଆଉ ଆଗକୁ ଯାଇପାରିବ ନାହିଁ ବୋଲି ନବୀନ ପରୋକ୍ଷରେ ଇସାରା ଦେଇଛନ୍ତି।

ସାରା ଦେଶର ମୋଦି ଲହର ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଭୁଷିଡି ପଡିଛି। ହେଲେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନବୀନ ହାୱାରେ ମୋଦି ଲହର କାମ ଦେଇପାରି ନାହିଁ। ପଶ୍ଚିମ ବଂଗରେ ମମତାଠାରୁ ଆରମ୍ଭ କରି ଚନ୍ଦ୍ରବାବୁ ନାଇଡୁ ପର୍ଯ୍ୟନ୍ତ ମୋଦି ଲହରକୁ ରୋକିବାର ସକ୍ଷମ ହୋଇପାରି ନାହାଁନ୍ତି। ହେଲେ ନବୀନଙ୍କ ଏପରି ବିଜୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଓଡିଶାରେ କଣ ପାଇଁ ମୋଦି ଲହର କାମ ଦେଲା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, କେବେଳ ଜନହିତକର କାମ ମୁଖ୍ୟ ସଫଳତା। ଓଡିଶାରେ ଯେପରି ଜନ କଲ୍ୟାଣ କାର୍ଯ୍ୟ କରାଯାଇଛି ସେଥିରେ କୌଣସି ଶକ୍ତି ବିଜେଡିକୁ ରୋକିପାରିବ ନାହିଁ। ଆସନ୍ତା ବର୍ଷଗୁଡିକରେ ଏହି କାର୍ଯ୍ୟକୁ ଆହୁରି ବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି। ବର୍ତ୍ତମାନ କଂଗ୍ରେସର ଅବସ୍ଥା ସଂପର୍କରେ ନବୀନ କହିଛନ୍ତି ଯେ, ଦେଶରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ।

ବର୍ତ୍ତମାନ ବିଜେଡିରୁ ବହୁ ନେତା ଦଳ ଛାଡିଥିବାରୁ ଏହା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନବୀନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ନିର୍ବାଚନ ସମୟରେ କେତେକ ଟିକେଟ ନ ପାଇବାରୁ ଦଳ ଛାଡିଛନ୍ତି। ଆଉ କେତେକଙ୍କୁ ଦଳ ବହିସ୍କାର କରିଛି। ହେଲେ ଏହା ଦ୍ବାରା ବିଜେଡିର କୌଣସି କ୍ଷତି ହୋଇ ନାହିଁ କି ଭବିଷ୍ୟତରେ କିଛି କ୍ଷତି ହେବାର ନାହିଁ ବୋଲି ନବୀନ ରୋକଠୋକ କହିଛନ୍ତି। ମୁଖ୍ୟତଃ ଜାତୀୟ ଗଣମାଧ୍ୟମ ବୈଜୟନ୍ତ ପଣ୍ଡାଙ୍କ ବହିସ୍କାରକୁ ଲକ୍ଷ କରି ଏହି ପ୍ରଶ୍ନ ପଚାରିଥିବାର ଜଣାପାଡିଛି।

ସେହିପରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଏକ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି ଯେ, ବିଜେଡି ଦଳରୁ କେହି ଜଣେ ଉତ୍ତରାଧିକାରୀ ହେବେ। ହେଲେ ତାଙ୍କୁ ଓଡିଶାର ଜନସଧାରଣ ବାଛିବେ ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ଦୀର୍ଘ ଦିନ ଧରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଆଲୋଚନା ଚାଲିଛି। ଅନେକ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିଜେଡିର ଉତ୍ତରାଧିକାରୀ ହେବେ ବୋଲି କହୁଛନ୍ତି। ହେଲେ ନବୀନ ସେ କଥାକୁ ସଂପୂର୍ଣ୍ଣ ଭାବେ ଏଡେଇ ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଓଡିଶାର ଜନସାଧାରଣ ବାଛିବେ ବୋଲି ନବୀନ କହିଛନ୍ତି। ବିଜେଡିର ବିପୁଳ ବିଜୟ ପରେ ଏହା ହେଉଛି ନବୀନଙ୍କ ପ୍ରଥମ ସାକ୍ଷାତକାର।

Categories
ବିଶେଷ ଖବର

ପଞ୍ଚମ ପାଳିରେ କଣ ରହିବ ନବୀନ ପଟ୍ଟନାୟକଙ୍କ ପ୍ରଥମ ଶହେ ଦିନର ଲକ୍ଷ୍ୟ !

କେଦାର ମିଶ୍ର

ଓଡିଶାର ରାଜନୈତିକ ଇତିହାସରେ ବାରମ୍ବାର ନୂଆ ଅଧ୍ୟାୟ ଯୋଡି ଚାଲିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ୨୯ ତାରିଖ ଦିନ ୧୧ଟାରେ ପଞ୍ଚମଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ। ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ବାବୁ ହେଉଛନ୍ତି ଜ୍ୟୋତି ବସୁ ଓ ପବନ କୁମାର ଚାମଲିଙ୍ଗ ଙ୍କ ପରେ ତୃତୀୟ ରାଜନେତା। ପ୍ରଥମ ଦୁଇ ପାଳି ବିଜେପି ସହ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ନବୀନ ବାବୁ ଗତ ତିନୋଟି ଯାକ ନିର୍ବାଚନରେ ନିଜ ଦଳକୁ ଦୁଇ ତୃତୀୟାଁଶ ଆସନରେ ଜିତାଇବାର ବିରଳ ଗୌରବ ପାଇଛନ୍ତି। ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପୋଷଣ କରିଛନ୍ତି ଓ ବିଜୁ ଜନତା ଦଳକୁ ୧୧୨ ଆସନରେ ବିଜୟୀ କରାଇଛନ୍ତି।

ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ନବୀନଙ୍କ ଲାଗି ବହୁ ଆହ୍ଵାନ ରହିଛି। ୨୦୦୦ ମସିହାରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାର ଠିକ ବର୍ଷକ ପୂର୍ବରୁ ମହାବାତ୍ୟାରେ ଓଡିଶା ଏକ ପ୍ରକାର ଉଜୁଡି ଯାଇଥିଲା। ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିବା ଗୋଟେ ରାଜ୍ୟର ଅର୍ଥନୀତିକୁ ସଜାଡିବାର ଗୁରୁ ଦାୟିତ୍ଵ ନବୀନ ତୁଲାଇ ଆସିଛନ୍ତି। ୨୦୧୯ ନିର୍ବାଚନ ସରିବା ପରେ ପରେ ଗତ ମଇ ୩ ତାରିଖ ଦିନ ପ୍ରବଳ ବାତ୍ୟା ମାଡରେ ପୁରୀ, ଭୁବନେଶ୍ୱର ଓ କଟକ ତଥା ଅନ୍ୟ ୬ ଟି ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପଞ୍ଚମ ପାଳିରେ ସରକାର ଗଢିବାକୁ ଯିବାବଳେ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବାର ଏକ ବଡ ଏଜେଣ୍ଡା ନବୀନ ବାବୁଙ୍କ ପାଖରେ ରହିଛି। ପଞ୍ଚମ ପାଳିର ନବୀନ ସରକାର ପାଇଁ ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ରହିବ ସେ ବିଷୟରେ ଏକ ଆକଳନ ଆମେ ପ୍ରସ୍ତୁତ କରୁଛୁ-

ପ୍ରଥମ ଦିନରେ “କାଳିଆ” ଯୋଜନା ଲାଗି ପଇସା

ନିର୍ବାଚନ ସମୟରେ ନୂଆ ସରକାର ଗଢା ହେବାର ପ୍ରଥମ ଦିନରେହିଁ “କାଳିଆ” ଯୋଜନା ପାଇଁ ଦ୍ଵିତୀୟ ତାଲିକାର ପଇସା କୃଷକଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସରକାର ଅତିରିକ୍ତ ବଜେଟରେ ଏଥିଲାଗି ଅର୍ଥ ବରାଦ କରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଆଳରେ ନିର୍ବାଚନ କମିଶନ ଏହି ଅର୍ଥକୁ ଅଟକ ରଖିଥିଲେ। ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତୁରନ୍ତ ଚାଷୀ ମାନଙ୍କୁ କାଳିଆ ପଇସା ଦେବାକୁ ଦାବୀ କରିଥିଲେ ମଧ୍ୟ କମିଶନ ତାହା କାର୍ଯ୍ୟକାରୀ କରି ନଥିଲେ। ତେଣୁ ପ୍ରତିଶ୍ରୁତି ମୁତାବକ ନୂଆ ସରକାରର ପ୍ରଥମ ଦିନରେ ଏହା କରାଯିବ ବୋଲି ଆଶା କରାଯାଉଛି।

ରଥଯାତ୍ରା ଆୟୋଜନ ଓ ଶ୍ରୀମନ୍ଦିର ସଂସ୍କାର

“ଫନୀ” ବାତ୍ୟାରେ ଐତିହାସିକ ପୁରୀ ସହର ପୂରା ଛାରଖାର ହୋଇଯାଇଛି। ସହରର ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ଏଯାଏ ସ୍ଵାଭାବିକ ହୋଇନାହିଁ। ମାସେ ପାଖାପାଖି ପୁରୀ ସହରବାସୀ ଅନ୍ଧାରରେ ରହିଛନ୍ତି। ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଭିତରେ ରଥଯାତ୍ରା କେମିତି ସଠିକ ଭାବରେ ଆୟୋଜନ କରାଯିବ ତାହା ଏବେ ସରକାରଙ୍କର ସବୁଠୁ ବଡ ଚିନ୍ତା ହେବାକୁ ଯାଉଛି। ପୁରୀରେ ତୀର୍ଥଯାତ୍ରୀ ଓ ପର୍ୟଟକ ରହିବାର ସବୁ ବ୍ୟବସ୍ଥା ଉଜୁଡି ଯାଇଛି। ହୋଟେଲ ଶିଳ୍ପ ପୂରା ଠପ। ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ପାନୀୟ ଜଳ ଓ ଲୋକଙ୍କ ରହିବା ବ୍ୟବସ୍ଥାକୁ ନେଇ ବିରାଟ କାମ ପଡିଛି। ତେଣୁ ନୂଆ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ଆୟୋଜନ ଉପରେ ସର୍ବାଗ୍ରେ ଗୁରୁତ୍ଵ ଦେବେ। ଏହା ସହିତ ମନ୍ଦିର ପରିଚାଳନା ଓ ସେବାୟତଙ୍କୁ ନେଇ ବାରମ୍ବାର ଉପୁଜୁଥିବା ଅସନ୍ତୋଷ ଓ ବିଶ୍ରୂଙ୍ଖଳା ଉପରେ ମଧ୍ୟ ସରକାରଙ୍କୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ପଡିବ। ତେବେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଓ ସେବାୟତଙ୍କ ସନ୍ତୋଷ ଭିତରେ ସମନ୍ଵୟ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ହେବ।

ବାତ୍ୟା ପରବର୍ତ୍ତୀ ଓଡିଶା ପୁନର୍ଗଠନ

ବାତ୍ୟାରେ ଉଜୁଡି ଯାଇଥିବା ଭୁବନେଶ୍ୱର, ପୁରୀ, କଟକ ଓ ଖୁର୍ଦ୍ଧା ସହର ସମେତ ଗ୍ରାମାଞ୍ଚଳର ପୁନର୍ଗଠନ ଲାଗି “ଓଡିଶା ନବନିର୍ମାଣ” ପ୍ରକଳ୍ପ ଉପରେ ସରକାର ଗୁରୁତ୍ଵ ଦେବେ। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ କ୍ଷେତ୍ରରେ ସରକାର “ଫନି” ରୁ ଅନେକ ଶିକ୍ଷା ପାଇଛନ୍ତି। ଭୂତଳ ବିଦ୍ୟୁତ କେବଲ ବିଛାଇବା ପ୍ରକ୍ରିୟା ଉପରେ ସରକାର ପ୍ରଥମ ଗୁରୁତ୍ଵ ଦେବେ। ହୁଏତ ପ୍ରାକୃତିକ ବିପର୍ୟୟ ମୁକାବିଲା ଲାଗି ଏକ ସ୍ଵତନ୍ତ୍ର ଏକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇପାରେ ବୋଲି ଶୁଣାଯାଉଛି। ବାତ୍ୟାରେ କଳିଙ୍ଗ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ଅଳ୍ପ ଦିନ ପରେ ଅଲିମ୍ପିକ୍ସ ହକି ଲାଗି ଚୟନ ମ୍ୟାଚ ଗୁଡିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେଣୁ ଭୁବନେଶ୍ବରକୁ ପୁଣିଥରେ ସଜାଡିବା ଓ କଳିଙ୍ଗ ଷ୍ଟାଡିୟମର ମରାମତି କାମ ସାରିବା ସରକାରଙ୍କ ସବୁଠୁ ବଡ ଦାୟିତ୍ଵ ହେବ।

ପୌର ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ହେବା କଥା। ଆଇନଗତ ଅସୁବିଧା କାରଣରୁ ଏହା ଅଟକି ରହିଛି। ବର୍ତ୍ତମାନର ପରିସ୍ଥିତିରେ ସରକାର ତୁରନ୍ତ ପୌର ନିର୍ବାଚନ କରାଇବାକୁ ଚାହିଁବେ। ରାଜ୍ୟରେ ବିଜେଡି ହାୱା ବରକରାର ରହିଥିବାରୁ ଏହାରି ଭିତରେ ପୌର ନିର୍ବାଚନ କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଇପାରେ। ଏହା ସହିତ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିରୁ ପାଟକୁରାରେ ବିଜୟ ଲାଗି  ବିଜୟ ମହାପାତ୍ରଙ୍କୁ ହରାଇବାକୁ ପଡିବ। ଆଗାମୀ ଦୁଇ ମାସ ଭିତରେ ପାଟକୁରା ବିଜେଡି ସରକାର ଲାଗି ପ୍ରଥମ ରାଜନୈତିକ ଆହ୍ଵାନ ହେବାକୁ ଯାଉଛି।

Categories
ଆଜିର ଖବର

ରାଜଭବନ ନୁହେଁ, ପ୍ରଦର୍ଶନୀ ପଡିଆରେ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ, 29 ତାରିଖ ଦିନ 11ଟା 10ରେ ନେବେ ଶପଥ

ସମୀକ୍ଷା ବ୍ୟୁରୋ

ପ୍ରଥମ ଥର ପାଇଁ ନବୀନ ଓଡିଶା ରାଜନୀତିରେ ଏକ ନୂଆ କଥା କରିବାକୁ ଯାଉଛନ୍ତି। ଏଥର ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ଚିରାଚରିତ ରାଜଭବନ ନ ହୋଇ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ। ଏନେଇ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। 29 ତାରିଖ ଦିନ 11ଟ 10 ମିନିଟ୍ ରେ ନବୀନ ଶପଥ ନେବେ ବୋଲି ସମୟ ନିର୍ଦ୍ଧାରିତ ହୋଇଛି। ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାରୁ ଏହାକୁ ବେଶ ଯାକଜମକରେ କରିବା ପାଇଁ ବିଜେଡି ଆଗ୍ରହ ପ୍ରକାଶ କରିଛି। ରାଜଭବନ ଭିତରେ ଥିବା ଖୋଲା ସ୍ଥାନରେ ଏହି ଶପଥ ଗ୍ରହଣ କରିବାରେ ଅସୁବିଧା ସୃଷ୍ଟି ହେଉଛି। 2014 ମସିହାରେ ନବୀନ ରାଜଭବନ ଭିତରେ ଥିବା ଖାଲି ସ୍ଥାନରେ ଶପଥ ନେଇଥିଲେ। ତେବେ ରାଜଭବନ ଭିତରକୁ ପ୍ରବେଶ କରିବା କଟକଣା ଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ ବହୁ ଅତିଥି ଯାଇ ପାରନ୍ତି ନାହିଁ। ପଞ୍ଚମ ପାଳିରେ ଯେପରି ବହୁ ସଂଖ୍ୟାରେ ଅତିଥି ଆସିବେ ସେଥିପାଇଁ ଦଳ ପ୍ରଦର୍ଶନୀ ପଡିଆରେ ସମାରୋହ କରିବାକୁ ନିଷ୍ପତି କରିଛି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ଫନି ରିଲିଫ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାନ କଲେ ଗୋଟିଏ ବର୍ଷର ଦରମା,ସୃଷ୍ଟି କଲେ ଏକ ଉଦାହରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରକାରୀ ସ୍ତରରେ ବହୁ ବଡବଡ ନିଷ୍ପତି ନେଇ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଫନି ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରି ଜୀବନ ବଞ୍ଚାଇବା କାର୍ଯ୍ୟ କରି ବିଦେଶରୁ ପ୍ରସଂଶା ହାସଲ କରିଛନ୍ତି। ହେଲେ ବର୍ତ୍ତମାନ ବ୍ୟକ୍ତିଗତ ଭାବେ ଏକ ନିଷ୍ପତି କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ତାହା ହେଉଛି ମୁଖ୍ୟମନ୍ତ୍ରୀ ତାଙ୍କର ଗୋଟିଏ ବର୍ଷର ଦରମା ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିବା। ଆଜି ପ୍ରଧାନ ମନ୍ତ୍ରୀ ଏକ ହଜାର କୋଟି କେନ୍ଦ୍ରୀୟ ସହାୟତା ଘୋଷଣା କରିବାର କିଛି ଘଣ୍ଟା ପରେ ନବୀନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଏକ ବର୍ଷର ଦରମା ଯାହା ହେବ ସେସବୁ ରିଲିଫ ଫଣ୍ଡକୁ ଦାନ କରିବେ। ଏପରି ଘୋଷଣା ପରେ ସାରା ରାଜ୍ୟ କାହିଁକି ଦେଶରେ ମଧ୍ୟ ନୂଆ ଉଦାହରଣ ସୃଷ୍ଟି କରିଛି। କାରଣ ପ୍ରାୟତଃ ସାଂସଦ ହୁଅନ୍ତୁ କିମ୍ବା ବଡ ବଡ ନେତା, ସେମାନେ ଏକ ମାସର ଦରମା ଏହି ବିପର୍ଯ୍ୟୟ ସମୟରେ ଦାନ କରିଥାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଥରକେ ଗୋଟିଏ ବର୍ଷର ଦରମା ପ୍ରଦାନ କରିବା ଜାତୀୟ ରାଜନୀତିରେ ଏକ ଉଦାହରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର

ନିର୍ବାଚନ କମିଶନରଙ୍କୁ ଭେଟିଲେ ନବୀନ

ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ବଙ୍ଗୋପ ସାଗରରେ ଘନୀଭୂତ ହୋଇଥିବା ଫନି ବାତ୍ୟା ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି। ଯଦି ଓଡିଶା ଫନି ଦ୍ବାରା ପ୍ରଭାବିତ ହୁଏ ତେବେ କେନ୍ଦ୍ରାପଡା ମଧ୍ୟ ପ୍ରଭାବିତ ହେବ। ଏପରି କ୍ଷେତ୍ରରେ ନିର୍ବାଚନ କମିଶନଙ୍କୁ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ନବୀନ। ସୂଚନାଯୋଗ୍ୟ ଯେ, ବିଜୟ ମହାପାତ୍ର ବିଜେପିର ବିଧାୟକ ପ୍ରାର୍ଥୀ ରହିଥିବା ବେଳେ ବିଜେଡିର ଦିବଗନ୍ତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି।

Categories
ଆଜିର ଖବର

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା,  ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହେଉଛନ୍ତି ନବୀନ

ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହି ପର୍ଯ୍ୟାୟର ୬ଟି ଲୋକସଭା ଆସନ ଉପରେ ଉଭୟ ବିଜେଡ଼ି ଓ ବିଜେପିଙ୍କ ନଜର ରହିଛି। ଏବେବି ଉଭୟ ଦଳ ପକ୍ଷରୁ ଚାଲିଛି ଆରୋପ – ପ୍ରତ୍ୟାରୋପ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କଟାକ୍ଷ କରି  କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ଓ ପରିବର୍ତ୍ତନ ଦୁଇଟି ଶବ୍ଦ ଶୁଣିଲେ ବିରକ୍ତ ହୋଇଯାଉଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କଥା କହିବା ସହିତ  ମୁଖ୍ୟମନ୍ତ୍ରୀଙ୍କୁ ଗଲା ୧୯ ବର୍ଷର ହିସାବ ମାଗିବା ସହିତ ଆଗାମୀ ୫ ବର୍ଷରେ କ’ଣ କରିବାକୁ ଯୋଜନା କରିଛନ୍ତି, ତା’ର ବି ଜବାବ ମାଗିଛନ୍ତି। ନବୀନଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର ଆହୁରି କହିଥିଲେ,“ଓଡ଼ିଶାର ଲୋକେ ଆପଣଙ୍କୁ ବହୁତ ବଡ଼ ସୁଯୋଗ ଦେଇଥିଲେ। ଆପଣ ୧୯ ବର୍ଷ ଧରି କ୍ଷମତାରେ ରହିଲେ। କିନ୍ତୁ ରାଜ୍ୟର ଯେମିତି ବିକାଶ ହେବା କଥା, ତାହା ହୋଇନାହିଁ। କାରଣ ଏଥିପାଇଁ ଆପଣଙ୍କ ପାଖରେ ରାଜନୈତିକ ଇଚ୍ଛାଶକ୍ତି ନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର ଓ କୁପୋଷଣ ଭଳି ସମସ୍ୟା ଦେଖାଯାଉଛି।’ ସେହିପରି ଚତୁର୍ଥ ପର୍ଯ୍ୟାୟର ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ଥିବା କେନ୍ଦ୍ରାପଡାର ଲୋକସଭା ଆସନ ପାଇଁ ବିଜେଡ଼ିର ରଣନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।

Categories
ଆଜିର ଖବର

ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନବୀନଙ୍କ ଆମନ୍ତ୍ରଣ!

ଓଡିଶାରେ ବିଜେପି ଏବଂ ବିଜେଡି ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଧାରାରେ ସାମିଲ ହୋଇଛନ୍ତି। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କୁ ଆକ୍ରମଣ କରି କହିଥିଲେ ବାସ୍ତବତା ଉପରେ ଧ୍ୟାନ ରଖନ୍ତୁ ଆପଣଙ୍କର ସମୟ ଶେଷ ହୋଇ ଆସୁଛି। ଏହାର କଡା ଜବାବ ରଖିଛନ୍ତି ନବୀନ। ବାଲେଶ୍ବରରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ଅବସରରେ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଁ ଆମର ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ଜଣାଇବାକୁ ଚାହିଁବି। ନିର୍ବାଚନର ଆହୁରି ଗୋଟିଏ ପର୍ଯ୍ୟାୟ ବାକି ରହିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ବିଜେପିକୁ ବ୍ୟାକ୍‌ଫୁଟ୍‌ରେ ରଖିଛି। ସର୍ବଦା ନୀରବ ରହୁଥିବା ତଥା ଏପରି ଆକ୍ରମଣକୁ ଏଡେଇ ଯାଉଥିବା ନବୀନ ସରକାର ଗଠନ ନେଇ ଦୃଢୋକ୍ତି ପ୍ରକାଶ କରିବା ବିଜେଡିର ଶକ୍ତି ପ୍ରଦର୍ଶନର ଏକ ନମୁନା। ଏହା ସହିତ କେନ୍ଦ୍ରାପଡାରେ ମୋଦିଙ୍କ ଉକ୍ତି : ’ମୁଖ୍ୟମନ୍ତ୍ରୀ ଭାବରେ ଆପଣଙ୍କ ସମୟ ଶେଷ ହୋଇ ଆସୁଛି’ ନିମନ୍ତେ ଏହା ସଠିକ୍‌ ମନସ୍ତାତ୍ତ୍ବିକ ଉତ୍ତର ଭଳି ପ୍ରତୀୟମାନ ହେଉଛି।

Categories
ଆଜିର ଖବର

କେନ୍ଦ୍ରାପଡ଼ାରେ ନବୀନ : ବୈଜୟନ୍ତ ଉପରେ ବର୍ଷିଲେ

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ବାକି ଅଛି। ତେବେ ଏଥରର ଚର୍ଚ୍ଚାର ରହିଥିବା କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ରାଜନୀତି ବେଶ୍‌ ସରଗରମ। କେନ୍ଦ୍ରାପଡ଼ାରୁ ବିଜେଡ଼ି ତରଫରୁ ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ତେବେ ବୈଜୟନ୍ତଙ୍କ ଦୁର୍ଗ ଥିବା କେନ୍ଦ୍ରାପଡ଼ାରେ ଏଥରର ରାଜନୀତି ସମୀକରଣ କ’ଣ ହେବ, ତାକୁ ନେଇ ବେଶ୍‌ କଳ୍ପନାଜଳ୍ପନା ଲାଗି ରହିଛି। ଏପରି ସମୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ୍‌ ପ୍ରଚାରରେ ଲାଗିପଡିଛନ୍ତି। ଆଜି କେନ୍ଦ୍ରାପଡ଼ାରେ ନିର୍ବାଚନୀ ଗସ୍ତ ଅବସରରେ ସେ କେନ୍ଦ୍ରକୁ ଟାର୍ଗେଟ୍‌ କରିବା ସହିତ ବୈଜୟନ୍ତ ପଣ୍ଡାଙ୍କୁ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ସ୍ବାଭିମାନୀ ଲୋକେ ବିଜୁବାବୁଙ୍କୁ ନିଜ ପରିବାର ବୋଲି ଭାବୁଥିଲେ, ସେଥିପାଇଁ କେନ୍ଦ୍ରାପଡ଼ାରେ ସେ ମହିଳାଙ୍କ ୩୩ପ୍ରତିଶତ ସଂରକ୍ଷଣର ଘୋଷଣା କରିଥିଲେ। ତେବେ କେନ୍ଦ୍ରାପଡ଼ାରେ ଦୁଇ ଦୁଇ ଥର ସାଂସଦ ହୋଇ ଜିତିଥିବା ବୈଜୟନ୍ତ ପଣ୍ଡାଙ୍କୁ ଉପରେ ବର୍ଷିବା ସହିତ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୋଲି କହିଛନ୍ତି ନବୀନ। କେନ୍ଦ୍ରାପଡ଼ା ଏକମାତ୍ର ଉପକୂଳବର୍ତ୍ତୀ ଜିଲ୍ଲା, ଯେଉଁଠିକୁ ରେଳସଂଯୋଗ ହୋଇପାରି ନାହିଁ। ବୈଜୟନ୍ତ କେନ୍ଦ୍ରାପଡ଼ାର ବିକାଶ ନୁହେଁ, ବରଂ ନିଜ ଶିଳ୍ପର ବିକାଶକୁ ନେଇ ଚିନ୍ତା କରୁଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାର ଯୁବକଙ୍କ ନିଯୁକ୍ତି ପାଇଁ ନୁହେଁ ବରଂ ନିଜେ ଭଲ ନିଯୁକ୍ତି ପାଇବାରେ ବ୍ୟସ୍ତ ରହିଥିଲେ ବୋଲି କଟାକ୍ଷ କରିଛନ୍ତି ନବୀନ। ଦୁଇ ଦୁଇ ଥର ଭୋଟ୍‌ ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ବାସ ଭାଙ୍ଗିଛନ୍ତି ବୈଜୟନ୍ତ, କେନ୍ଦ୍ରାପଡ଼ାର ବିକାଶ ଏବେ ତାଙ୍କ ଦାୟିତ୍ବ ବୋଲି କହିବା ସହିତ ଅବିଶ୍ବାସୀଙ୍କୁ ଉଚିତ୍‌ ଜବାବ୍‌ ଜନସାଧାରଣ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ।

Categories
ଆଜିର ଖବର

ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ  ଏବଂ ମହାବୀର ଜୟନ୍ତୀ ଉପଲକ୍ଷେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଜରିଆରେ ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ। ନବୀନ ଟୁଇଟ୍‍ କରି କହିଛନ୍ତି, ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବବର୍ଷଟି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ।

Categories
ଆଜିର ଖବର

କନ୍ଧମାଳରେ ନବୀନଙ୍କ ନିର୍ବାଚନୀ ପ୍ରଚାର : ଶେଷନିଃଶ୍ବାସ ଥିବା ଯାଏ ଓଡ଼ିଶାର ସେବା କରିବି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ନିର୍ବାଚନୀ ଗସ୍ତ କରିଛନ୍ତି। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜନସଭାକୁ ଉଦ୍‌ବୋଧନ ଦେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ନବୀନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ସହାୟତା ପାଇସାରିଲେଣି; କିନ୍ତୁ ଏହାକୁ ଭାଜପା ବିରୋଧ କରିଛି। ଏହି ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ ଚଳାଇଛି। ସେ ରହିଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ ବନ୍ଦ କରିବାକୁ ଦିଆଯିବ ନାହିଁ, ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ନବୀନ। ସମସ୍ତ ହିତାଧିକାରୀ ଏହି ଅର୍ଥ ନିଶ୍ଚିତ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାଙ୍କର ଚାଷୀଙ୍କ ପ୍ରତି ଦରଦ ନାହିଁ କହିବା ସହିତ  ଅନୁସୂଚିତ ଜାତି ଓ ଜନଜାତିଙ୍କ ଷ୍ଟାଇପେଣ୍ଡ ଟଙ୍କାକୁ କେନ୍ଦ୍ର ସରକାର ବନ୍ଦ କରିଦେବା ସହ କେବିକେ ଯୋଜନା ମଧ୍ୟ ବନ୍ଦ କରିଦେଇଛି। ସେହିପରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସନ୍ତି ନାହିଁ, କିନ୍ତୁ ନିର୍ବାଚନ ଆସିଲେ କେନ୍ଦ୍ରରୁ ନେତାମାନେ ଓଡ଼ିଶା ଆସନ୍ତି ଓ ବଡ଼ ବଡ଼ କଥା କୁହନ୍ତି ବୋଲି ନବୀନ କହିଛନ୍ତି। ଶେଷନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବି ବୋଲି କହିଥିଲେ। ଏହି ସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଏବଂ ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ, ନେତା ଉପସ୍ଥିତ ରହିଥିଲେ।

Categories
ଆଜିର ଖବର

ମା’ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌ : ନବୀନ ପଟ୍ଟନାୟକ

କଳାହାଣ୍ଡି ଜିଲାର ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ଯେ, ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। ବିଜେଡି ସରକାର ମହିଳାମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛି। ମହିଳାଙ୍କ ପାଇଁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନାରେ ସହାୟତା ରାଶି ୭ ଲକ୍ଷ ବଦଳରେ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଝିଅଙ୍କ ପାଇଁ ମାଗଣା ଶିକ୍ଷା ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। କେଜିରୁ ଇଂଜିନିୟରିଂ ପଢିବା ପର୍ଯ୍ୟନ୍ତ ସମସ୍ତ ସହାୟତା କରାଯିବ ଉପରେ ଗୁରୁତ୍ବ ଦେଇଛନ୍ତି ସେହିପରି ଗରିବ ଝିଅମାନଙ୍କ ବାହାଘରରେ ୨୫ହଜାରଟଙ୍କା ସହାୟତା ଘୋଷଣା, ମିଶନ ଶକ୍ତିର ମା’ ମାନଙ୍କୁ ବର୍ଷକୁ ୫ହଜାର କୋଟିର ସରକାରୀ କାମ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରକୁ ଟାର୍ଗେଟ୍‌ କରି ନବୀନ କେବିକେ ଯୋଜନା କ’ଣ ପାଇଁ ବନ୍ଦ ହେଲା ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଏମଏସ୍‌ପିର ଦୁଇଗୁଣା ବୃଦ୍ଧି ଓ ସବୁ ଜମିକୁ ପାଣି, ତଥା ଏସ୍‌ସି ଏସ୍‌ଟି ପିଲାଙ୍କ ବୃତ୍ତି ବନ୍ଦ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ। ନିର୍ବାଚନ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ନୂଆପଡ଼ା, କଳାହାଣ୍ଡି କଥା ମନେପଡେ ବୋଲି କହି କଟାକ୍ଷ କରିଛନ୍ତି ନବୀନ। ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବେ ବୋଲି ନବୀନ ପ୍ରତିଶ୍ରୁତି ଦେଇ ବିଜେଡ଼ି ସପକ୍ଷରେ ଭୋଟ୍‌ ପାଇଁ ଅପିଲ୍‌ କରିଛନ୍ତି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ମାଣିକେଶ୍ବରୀଙ୍କୁ ଦର୍ଶନ କଲେ ନବୀନ : ଲୋକଙ୍କ ବିପୁଳ ସମର୍ଥନ ରହିଛି, କହିଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡିରେ ମାରାଥନ ପ୍ରଚାର ଆରମ୍ଭ କରିବା ପୂର୍ବରୁ ମାଣିକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଣିକେଶ୍ବରୀଙ୍କ ଦର୍ଶନ ପରେ ପ୍ରଚାର ଆରମ୍ଭ କଲେ ନବୀନ। ଭବାନୀପାଟଣା ଆଇବିରୁ ରୋଡରେ ଯାଇ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିଛନ୍ତି ନବୀନ। ମା’ ମାଣିକେଶ୍ୱରୀ ମନ୍ଦିରରୁ ହେଲିପ୍ୟାଡ୍‌ ଯାଏଁ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ’ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି। ମାଣିକେଶରୀ ଦର୍ଶନ ପରେ ନିଜର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳ ପ୍ରତି ଲୋକଙ୍କର ଅକୁଣ୍ଠ ସମର୍ଥନ ରହିଛି। ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ବୋଲି ପୁଣି ଥରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଆଗକୁ କଳାହାଣ୍ଡି ପାଇଁ ବହୁତ କିଛି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ। ଏହାପରେ ସେଠାରୁ କଳାହାଣ୍ଡି ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ, ନର୍ଲାରେ ପ୍ରଚାର କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରିବାକୁ ଥିବାବେଳେ ଗତକାଲି ରାତିରେ ମେଗା ରୋଡ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଭବାନୀପାଟଣା ସହରରେ ରୋଡ ସୋ କରିିଛନ୍ତି ବିଜେଡି ସୁପ୍ରିମୋ। ରାତି ହୋଇଥିଲେ ବି ନବୀନଙ୍କ ଏହି ରୋଡ ସୋରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଟିକେ ଝଲକ ପାଇବା ପାଇଁ ଘରୁ ବାହାରକୁ ଚାଲି ଆସିଥିଲେ କଳାହାଣ୍ଡିର ଜନସାଧାରଣ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ବିଶେଷ ଖବର

ବିନା ବିଶ୍ଵାସଘାତକତାରେ ରାଜନୀତିର କାହାଣୀ କାହିଁ- ନବୀନ ବନାମ ବୈଜୟନ୍ତ କାହାଣୀରେ ବିଶ୍ଵାସଘାତକତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

ଯୁଗେ ଯୁଗେ ରାଜନୀତି ଓ ବିଶ୍ଵାସଘାତକତା ହାତ ଧରାଧରି ହୋଇ ଚାଲିଛନ୍ତି। ସିଂହାସନ ଲାଗି ବିଶ୍ଵାସଘାତକତାର ସୁଦୀର୍ଘ ଇତିହାସ ଆମେ ପଢିଛୁ। କ୍ଷମତା ଲାଗି ସବୁ କିଛି କରାଯାଇପାରେ ବୋଲି ଆମେ ବୁଝିଛୁ। ଗଣତନ୍ତ୍ରରେ ବିଶ୍ଵାସଘାତକତାର ଚେହେରା ଯଦିଓ ବଦଳିଛି, ଚରିତ୍ର କିନ୍ତୁ ସମାନ ରହିଛି। ଆଜି ବି କ୍ଷମତା ଆଗରେ ସବୁକିଛି ତୁଚ୍ଛ ଓ ନଗଣ୍ୟ। ରାଜନୀତିର ନିର୍ଦ୍ଦୟ ଖେଳରେ କିଏ କେତେବେଳେ କାହାର ବିଶ୍ଵାସ ଭାଙ୍ଗିବ ତାହାର ଆକଳନ କରିବା ସମ୍ଭବ ନୁହେଁ। ନିର୍ବାଚନ ସମୟରେ ବିଶ୍ଵାସଘାତକତା ଓ ବିଶ୍ବାସର ସଉଦା କେମିତି ହୁଏ, ତାହା ଦେଖିବାକୁ ହେଲେ ଆମର ରାଜନୈତିକ ଦଳ ମାନଙ୍କର ଇତିହାସ ଆମକୁ ଆଡେଇବାକୁ ପଡିବ। ଇତିହାସକୁ ନଯାଇ ଆମ ନିଜ ଆଖି ଆଗର ରାଜନୀତିକୁ ଦେଖିବା ଆସନ୍ତୁ। ମନେ ପକାନ୍ତୁ,  ୨୯, ମଇ, ୨୦୧୨ ର ଓଡିଶା ଖବର କୁ। ସେଦିନ ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲରେ ଦେଖିବାକୁ ମିଳିଲା ଭୁବନେଶ୍ୱର ଶହୀଦ ନଗରରୁ ଏକ ବିଚିତ୍ର ରାଜନୈତିକ ନାଟକର ସିଧା ପ୍ରସାରଣ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଣ୍ଡନ ଗସ୍ତରେ ଥିବାବେଳେ ତାଙ୍କର ଅନୁପସ୍ଥିତିରେ ତାଙ୍କୁ ଗାଦିଚ୍ୟୁତ କରିବାର ଷଡଯନ୍ତ୍ର ରଚନା କରାଯାଉଥିବାର ସବିଶେଷ ବିବରଣୀ ସେତେବେଳେ ଆମେ ଓଡିଶା ଟେଲିଭିଜନରେ ଦେଖିଛୁ। କହିବା ବାହୁଲ୍ୟ ଯେ, ଓଡିଶା ଟେଲିଭିଜନ ବା ଓ ଟିଭି ର ମାଲିକ ହେଉଛନ୍ତି ଆଜିର ବିଜେପି ନେତା ଓ ସେଦିନର ବିଜେଡି ନେତା ବୈଜୟନ୍ତ ପଣ୍ଡା।

ସେଦିନ  ବୈଜୟନ୍ତଙ୍କ ଓ ଟିଭି ସେ ଘଟଣାର ମୁଖ୍ୟ ନାୟକ ପ୍ୟାରୀ ମୋହନ ମହାପାତ୍ରଙ୍କୁ ସବୁଠୁ ବଡ ବିଶ୍ଵାସଘାତକ ବୋଲି ଚିତ୍ରିତ କରିଥିଲା। ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁ ଯେତେ ସଫେଇ ଦେଲେ ମଧ୍ୟ ତାଙ୍କ କଥା ଆଉ କେହି ଶୁଣିନଥିଲେ। ବିଶ୍ଵାସଘାତକ ର ଅପବାଦ ନେଇ ପ୍ୟାରୀ ବାବୁ ଇହଧାମରୁ ଚାଲିଗଲେ। ନବୀନ ପଟ୍ଟନାୟକ, ଯିଏ ନିଜ ବିରୋଧୀଙ୍କ ପ୍ରତି ମଧ୍ୟ ସାଧାରଣରେ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ସେ ବୋଧେ ପ୍ରଥମ ଥର ଲାଗି ପ୍ୟାରୀ ବାବୁଙ୍କ ପ୍ରତି “ବେଇମାନ” ଶବ୍ଦର ପ୍ରୟୋଗ କରିଥିଲେ। ଆଜି ପ୍ୟାରୀ ବାବୁଙ୍କ ଆତ୍ମା ଯଦି କେଉଁଠି ଥିବ, ସେ ନିଶ୍ଚୟ ଟିକେ ଆଶ୍ବସ୍ତ ହେଉଥିବ। ଏକଦା ଯେଉଁ ଟିଭି ଚାନେଲ ର ମାଲିକ ତାଙ୍କର ବିଶ୍ଵାସଘାତକତାକୁ ନେଇ ଘଣ୍ଟା ଘଣ୍ଟାର କାହାଣୀ ଗଢୁଥିଲା, ସେ ଚାନେଲର ମାଲିକ ଆଜି ଖୋଦ ବିଶ୍ଵାସଘାତକ ହେବାର ଅପବାଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନଥିବାର ଏକ ଗୁଜବ ସବୁଠି ଖେଳିବୁଲୁଥିଲା। ପ୍ରତିଷ୍ଠିତ ଡିଜିଟାଲ ସଂସ୍ଥା କୋବ୍ରା ପୋଷ୍ଟ ଏ ପ୍ରସଙ୍ଗରେ ଏକ ବିଶେଷ ଖବର ମଧ୍ୟ ପରିବେଷଣ କରିଥିଲା। କେବେ କେମିତି ଦେହ ଖରାପ ହେବାର ସାଧାରଣ ପ୍ରକ୍ରିୟା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଵାଭାବିକ କାମ କରିଚାଲିଛନ୍ତି। ତା ସତ୍ତ୍ୱେ ଏ ପ୍ରକାର ଗୁଜବ ରଟନା କଲା କିଏ ଓ କାହିଁକି ? ଘଟଣା ଘଟିବାର ଅନେକ ବର୍ଷ ପରେ ଗତକାଲି ନବୀନ ବାବୁ ନିଜର ପାଟି ଖୋଲିଛନ୍ତି ଓ ଦଳର ଜଣେ ପୂର୍ବତନ ସାଂସଦ ଏ ପ୍ରକାର ଗୁଜବ ପ୍ରସାରିତ କରିଥିଲେ ବୋଲି କହିଛନ୍ତି। ଏନଡି ଟିଭିର ଶ୍ରୀନିବାସ ଜୈନଙ୍କୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତ୍କାରରେ ନବୀନ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହଯୋଗୀ ବୈଜୟନ୍ତ ପଣ୍ଡା ନିଜର ବ୍ୟକ୍ତିଗତ ରାଜନୈତିକ ଉଚ୍ଚାଭିଳାଷ ଲାଗି ଏ ପ୍ରକାର ମିଛ ଖବର ପ୍ରସାରିତ କରାଇଥିଲେ । ସାଧାରଣତଃ ବ୍ୟକ୍ତିଗତ ପ୍ରସଙ୍ଗକୁ ସାଧାରଣରେ ଆଲୋଚନା କରୁନଥିବା ନବୀନ, ପ୍ରଥମ ଥର ଲାଗି ଏମିତି ଏକ ମନ୍ତବ୍ୟ ରଖିଛନ୍ତି।

ନବୀନଙ୍କ ବିରୋଧରେ ବୈଜୟନ୍ତଙ୍କ ଷଡଯନ୍ତ୍ରକୁ ନେଇ ଏହା ପୂର୍ବରୁ ବିଭିନ୍ନ କ୍ଷମତା ଅଳିନ୍ଦରେ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ବହୁ ରୋଚକ କାହାଣୀ ମଧ୍ୟ ଶୁଣାଯାଉଥିଲା। ତେବେ ଏ ପ୍ରସଙ୍ଗରେ ନିଜେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ କେବେ କିଛି କହିନଥିଲେ। ହଠାତ ଏ ପ୍ରସଙ୍ଗ ଉଠିବା ଓ ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା, ବୈଜୟନ୍ତଙ୍କୁ ଅଡୁଆରେ ପକାଇଛି। ନିଜର ପ୍ରାରମ୍ଭିକ ମାପଚୁପ ପ୍ରତିକ୍ରିୟାରେ ବୈଜୟନ୍ତ ଟୁଇଟ କରି ଲେଖିଛନ୍ତି- “ଏହା ମିଥ୍ୟା ଓ ଅବାଞ୍ଛିତ କଥା। ମୋ ବିଷୟରେ ନବୀନଙ୍କ ଏ ପ୍ରକାର ଭୟ ଦୁଃଖଦାୟକ।  ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ସେ ଏ ପ୍ରକାର ନିର୍ବୋଧ ଷଡଯନ୍ତ୍ରର ଚିନ୍ତାରୁ ନିବୃତ୍ତ ହେବାର ଜ୍ଞାନ ତାଙ୍କୁ ମିଳୁ ଓ ସେ ସୁସ୍ଥ ଓ ଦୀର୍ଘଜୀବୀ ରହିଥାନ୍ତୁ। “ ତେବେ ଏ ପ୍ରକାର ପ୍ରତିକ୍ରିୟାରୁ ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ନିଜର ଓଜନ ହରାଇବ କି?  ବୈଜୟନ୍ତ ଯେ ବିଜେଡ଼ିରୁ କୌଣସି ବୈଚାରିକ କାରଣରୁ ନୁହଁ, ବରଂ ଦଳ ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର କରିଥିବାରୁ ଦଳ ତାଙ୍କୁ ନିଷ୍କାସିତ କରିଛି, ଏ ପ୍ରକାର ଖବର ଏବେ ବିଜୁଳି ବେଗରେ ଖେଳି ବୁଲୁଛି। ବୈଜୟନ୍ତଙ୍କ “ବିଶ୍ଵାସଘାତକତା” ଏବେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ କରି ଦିଆଯାଇଛି। ଯେତେବେଳେ ଖୋଦ ନବୀନ ଏକଥା କହୁଛନ୍ତି, ତାକୁ ଗାଲୁଆମିରେ ଉଡାଇଦେବା ସମ୍ଭବ ନୁହେଁ। ତେଣୁ ଏ ନୂଆ ରାଜନୈତିକ ପ୍ରସଙ୍ଗରେ “ବିଶ୍ଵାସଘାତକତା ଓ ବେଇମାନି” ପ୍ରସଙ୍ଗ ଏବେ ମୁଖ୍ୟ ହୋଇପଡିବ। ଏ ବିଶ୍ଵାସଘାତକତା କେବଳ ନବୀନଙ୍କ ପ୍ରତି ନୁହଁ, ବରଂ ବିଜୁ ପରିବାର ପ୍ରତି ବୋଲି ଏକ ବାର୍ତ୍ତା ଦିଆ ସରିଛି। ଆଗାମୀ ନିର୍ବାଚନରେ ଏହି ଅପବାଦକୁ ବୈଜୟନ୍ତ କେମିତି ସାମ୍ନା କରୁଛନ୍ତି, ତାହା ସମୟକ୍ରମେ ଜଣା ପଡିବ ।