Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ, ରୋକି ପାରିଲା ନାହିଁ ବିରୋଧୀ ଦଳର ମିଳିତ ତାକତ୍

ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ ନବୀନ ସରକାରଙ୍କର ସଫଳତାର ସ୍ବାଦ ବାଣ୍ଟି ଦେଇଛନ୍ତି। ଯାହା ନିର୍ବାଚନ ପୂର୍ବରୁ ବିଜେଡି ସରକାର ପାଇଁ ଏକ ବଡ ବରଦାନ ସଦୃଶ୍ୟ ହୋଇପାରିଛି। ନବୀନ ସରକାର ଲୋକଙ୍କ ସହିତ ଅଛନ୍ତି ବୋଲି ତାହାର ପ୍ରମାଣ କରି ଦେଖାଇ ଦେଲେ ଭିକେ ପାଣ୍ଡିଆନ।

ପାଣ୍ଡିଆନ ଯେପରି ମାରଥନ ଜିଲ୍ଲା ଗସ୍ତ କଲେ ସେପରି ନବୀନ ପଟ୍ଟନାୟକ କରିଥାଆନ୍ତେ କି ନାହିଁ ତାହା ଭିନ୍ନ କଥା। ହେଲେ ତାଙ୍କର ପ୍ରତିନିଧି ଭାବେ ସେ ସବୁକୁ କରି ଦେଖାଇ ଦେଲେ ଭି କେ ପାଣ୍ଡିଆନ। ତାଙ୍କ ଗସ୍ତ ବେଳେ ସବୁଠାରୁ ବଡ କଥା ହେଲା ସେ କେବେ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ନାମ ନେବାକୁ ଭୁଲି ନାହାଁନ୍ତି। ସବୁ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପଠାଇଛନ୍ତି ବୋଲି କହି ଆସିଛନ୍ତି। ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି।

ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ସଭାରେ ନିଜକୁ ପ୍ରମାଣିତ କରିବାକୁ ପଡିଥିଲା। କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା ନେଇ ବିରୋଧୀଙ୍କ ସନ୍ଦେହ ସୃଷ୍ଟି ହେଲା। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ଲୋକଙ୍କ ଆଗରେ ଅଡିଓ ଭିଡିଓ ପ୍ରମାଣ ଦେବାକୁ ପଡିଥିଲା। ଏପରିକି ସେ ସିଧା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲାଇଭ ଭିଡିଓ ମାଧ୍ୟମରେ ମଧ୍ୟ କଥା କରାଇବାକୁ ପଡିଥିଲା। ଏପରି କରିବା ପରେ ବିରୋଧୀଙ୍କ ମୁହଁ ଆପେ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ତାଙ୍କୁ କାହିଁକି ଲୋକମାନେ ଫୁଲ ବୃଷ୍ଟି କରୁଛନ୍ତ ଏବଂ ସ୍ବାଗତ କରୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ତାହାକୁ ମଧ୍ୟ ପାଣ୍ଡିଆନଙ୍କୁ ସାମନା କରିବାକୁ ପଡିଥିଲା। ଏହାକୁ ବିରୋଧ କରି ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ। କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୋଟିସ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଆସିଲା। କାର୍ଯ୍ୟାନୁଷ୍ଠାନ ହେଉ କି ନାହିଁ , ହେଲେ ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ ଏଥର ବନ୍ଦ ହୋଇଯିବ ବୋଲି ବିରୋଧୀ ଭାବି ନେଲେ।

ହେଲେ ଆଶ୍ଚର୍ଯ୍ୟର କଥା ଏହି ଚିଠି ପରେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ଆହୁରି ବଢିଯାଇଥିଲା। ପୂର୍ବରୁ ସେ ଦୁଇ ତିନୋଟି ସ୍ଥାନ ଗସ୍ତ କରୁଥିଲେ, ହେଲେ ଏହି ଚିଠି ପରେ ସେ ଗୋଟିଏ ଗୋଟିଏ ଜିଲ୍ଲାର ଚାରି ପାଞ୍ଚୋଟି ସ୍ଥାନରେ ସଭା କଲେ। ଏହାପରେ ବିରୋଧୀଙ୍କ ରାଗ ଆହୁରି ପଞ୍ଚମକୁ ଉଠି ଯାଇଥିଲା। ସେମାନେ ତାଙ୍କ ଗସ୍ତ ସମୟରେ କଳାପତାକା ଦେଖାଇ ବିରୋଧ କଲେ, ସଭା ଭଣ୍ଡୁର କରିବାକୁ ପ୍ରଚେଷ୍ଠା ମଧ୍ୟ କରିଥିଲେ। ହେଲେ ସେଥିରେ ମଧ୍ୟ ପାଣ୍ଡିଆନଙ୍କ ଗସ୍ତରେ ରୋକ ଲାଗି ପାରି ନ ଥିଲା।

ସବୁ କ୍ଷେତ୍ରରେ ବିରୋଧୀ ବିଫଳ ହେବା ପରେ ତାଙ୍କ ମୁହଁକୁ କାଳି ଫୋପାଡିବା ପରି ଅବସ୍ଥା ମଧ୍ୟ କଲେ। ଏପରି କରି ବିରୋଧୀ ଭାବି ନେଲେ ଯେ, ଏବେ ପାଣ୍ଡିଆନ ଗସ୍ତ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। କିନ୍ତୁ ଫଳ ହେଲା ଓଲଟା,ସେହି କାଳି ବୋଳା ଦେହରେ ସେ ଲୋକଙ୍କୁ ଭେଟିଲେ। ମହିଳାମାନେ କାନ୍ଦିକାନ୍ଦି ତାଙ୍କ ପଣତ କାନିରେ ପାଣ୍ଡିଆନଙ୍କ ମୁହଁରୁ କଳା ପୋଛି ଦେଲେ। ସାଧାରଣ ଜନତା ପାଣ୍ଡିଆନଙ୍କୁ ନେଇ ଏପରି ଭାବ ବିହ୍ବୋଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଫଳରେ ପାଣ୍ଡିଆନଙ୍କ ଉପରକୁ ଢଳା ଯାଇଥିବା କାଳିରେ ବିରୋଧୀଙ୍କ ମୁହଁ କଳା ପଡି ଯାଇଥିଲା।

କହିବାକୁ ଗଲେ ପାଣ୍ଡିଆନ ରାଜନୀତି କରି ନ ଥିଲେ ମଧ୍ୟ ରାଜନୈତିକ ଦଳକୁ କିପରି ସାବାଡ କରାଯାଇପାରିବ ତାହାର ତରିକା ବେଶ ଭଲଭାବେ ଜାଣିଛନ୍ତି। ନଚେତ ଏତେ ଶକ୍ତିଶାଳୀ ବିରୋଧୀଙ୍କୁ ଚକମା ଦେଇ ସେ ସଫଳତାର ସହ ଏହି ଗସ୍ତ ଶେଷ କରିପାରି ନ ଥାଆନ୍ତେ। ପାଣ୍ଡିଆନ ଯେତେବେଳେ ପ୍ରଥମେ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେତେବେଳୁ ସେ ଜାଣି ସାରିଥିଲେ ଯେ, ବିରୋଧୀ ଦଳ କଣ କରିବେ, ଆଉ ତାହାକୁ କିପରି ମୁକାବିଲା କରାଯାଇପାରିବ।

ବିରୋଧୀ ଏହିପରି ବାରମ୍ବାର ବିରୋଧ କରିବା ସତ୍ବେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ କେହି ବିରାମ ଲଗାଇପାରିଲେ ନାହିଁ। ଲୋକଙ୍କୁ ଭେଟିବାରେ ପାଣ୍ଡିଆନଙ୍କୁ କୌଣସି ତାକତ ଦୂରେଇ ପାରିଲା ନାହିଁ। ଫଳରେ ବିରୋଧୀ ଦଳରେ ପୁରା ହତାସ ଭାବ ପରିଲକ୍ଷିତ ହେବାରେ ଲାଗିଛି। ଏବେ ସେମାନେ ସବୁ କିଛି ଛାଡିଦେଇ ପାଣ୍ଡିଆନ ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ହେଲିକାପ୍ଟର ଭଡା କେତେ ତାହାର ହିସାବ କରିବାରେ ଲାଗିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ପାଣ୍ଡିୟାନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

ଭୁବନେଶ୍ବର: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଜୁନ୍ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବାଲେଶ୍ବର ଗସ୍ତ କରି ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ପରେ ଏହାର ରୂପାନ୍ତର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ଦିରର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇ ବିକଶିତ କରାଯିବ। ଏହି ୪ଟି ଜୋନ୍‌ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍‌ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ।

ଜୋନ୍‌-୧ ବଡମ୍ବା ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ୱାଚ ଟାୱାର, ବସିବା ସ୍ଥାନ, ଗ୍ରନାଇଟର ଚଲାପଥ ଆଦି ବିକଶିତ କରାଯିବ।

ଜୋନ୍‌-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ। ପୁରା ମନ୍ଦିରର ବେସ ଏରିଆର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ। ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହାଛଡା ଅତିରିକ୍ତ ଶୌଚାଳୟ ଓ ଚେଞ୍ଜିଂ ରୁମ ମଧ୍ୟ ନିର୍ମାଣ କରାଯିବ।

ଜୋନ୍‌-୩ ରେ ସପିଂ କମ୍ପ୍ଲେକ୍‌ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ।

ଜୋନ୍‌-୪ ପାନ୍ଥଶାଳା ଅଞ୍ଚଳରେ ଗାଡିମଟର ପାର୍କିଂ ତଥା ପିକ୍‌ନିକ୍‌ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ। ଏଠାରେ ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ।

ପଞ୍ଚଲିଙ୍ଗେଶ୍ବର ମନ୍ଦିର ରାଜ୍ୟର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ। ଜଙ୍ଗଲ, ପାହାଡ, ଜଳପ୍ରପାତ ଆଦିର ମନୋରମ ପରିବେଶ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଏ ପୀଠକୁ ଆସି ଆଧ୍ୟାତ୍ମିକ ତଥା ମାନସିକ ଶାନ୍ତି ଲାଭ କରିଥାନ୍ତି। ଏ ପୀଠର ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତର ୨ ଦିନ, ୬ ମାସରେ ଜିଲ୍ଲାର ସବୁ କଲେଜ ହେବ ରୂପାନ୍ତର

ଭଦ୍ରକ: ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର‌୍ୟ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଆଜି ପ୍ରଥମେ ଚାନ୍ଦବାଲି ବ୍ଲକ କୁ ଗସ୍ତକରି ବାଁଶଡାଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧିନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିରେ ନୂତନଭାବେ ଉଦ୍ଘାଟିତ ହୋଇଥିବା ମିଶନ କାଫେ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିଶନ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ।

ଜନସାଧାରଣ ଓ ବିଭିନ୍ନ ସଂଗଠନ ର ଦାବି, ଅଭିଯୋଗ, ସମସ୍ୟା ଶୁଣିବା ଓ ଆଲୋଚନାପାଇଁ କାଳୀ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କୌଣସି ପ୍ରକଳ୍ପପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ଅନୁମୋଦନ ଅପେକ୍ଷାରେ ଥିବା ପ୍ରଦତ୍ତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯିବବୋଲି କହିଥିଲେ।

ତିନିତର ଘାଟ ବ୍ରିଜର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିବାସୀଙ୍କ ବହୁଦିନର ଆଶା ମନ୍ତେଇ ବ୍ରିଜ ନିର୍ମାଣ ଯୋଗୁଁ ଚାନ୍ଦବାଲିରୁ ଧାମରା ଗମନାଗମନରେ ୪ ଘଣ୍ଟା ସମୟ ବଦଳରେ ମାତ୍ର ୪୫ ମିନିଟ୍ ସମୟ ଲାଗିବା କଥା ପ୍ରକାଶ କରିଥିଲେ।

ଚାନ୍ଦବାଲି, ଧାମନଗର, ତିହିଡି ଓ ବାସୁଦେବପୁର ଚାରିଟି ବ୍ଲକର ୯୨ ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା ୫୨୬ ଗ୍ରାମର ଘରକୁ ଘର ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ମେଗା ପାଇପ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରି ସହରାଞ୍ଚଳପାଇଁ ମଧ୍ୟ ଏହିଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଇ ଦିଆଯିବାପାଇଁ ପଦକ୍ଷେପ ନିଆଯିବବୋଲି ପ୍ରକାଶ କରିଥିଲେ।

ଚାନ୍ଦବାଲିରୁ ଯାଇ ବାସୁଦେବପୁର ଯାଦବ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ସାଢେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ବି-ଟାଇପ ମଡେଲ ବସ ସ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଷୟରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ।

ଆମ ହସ୍ପିଟାଲ ଯୋଜନାରେ ବାସୁଦେବପୁର ସି.ଏଚ.ସି ର ରୂପାନ୍ତରଣ କାର‌୍ୟ୍ୟ ସମୀକ୍ଷା କରି ନିର୍ମାଣାଧୀନ ସମସ୍ତ କାର‌୍ୟ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାପାଇଁ କହିଥିଲେ। ଡାକ୍ତରଖାନାର ୱାର୍ଡ ବୁଲି ରୋଗୀ, ଡାକ୍ତର ଓ ନର୍ସମାନଙ୍କସହ ମତ ବିନିମୟ କରିଥିଲେ।

ବି.ସି.ସି.ୟୁ.ବି.ବି ହାଇ ସ୍କୁଲ ପଡିଆ, ମନ୍ଦାରୀରେ ପହଞ୍ଚି ଶ୍ରୀ ପାଣ୍ଡିଆନ ତୃତୀୟ ଦଫାର ହାଇ ସ୍କୁଲ ରୂପାନ୍ତରିକରଣ କାର‌୍ୟ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତ୍ତି, ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ଖେଳପଡିଆ, ଶୌଚାଶଳୟ ଆଦିର ପ୍ରଭାବ ବିଷୟରେ ପିଲାଙ୍କସହ ମତ ବିନିମୟ କରିଥିଲେ।

ପରେ ପରେ ବାସୁଦେବପୁର ଗସ୍ତର ଅନ୍ତିମ କାର‌୍ୟ୍ୟକ୍ରମ ରକ୍ତତୀର୍ଥ ଇରମରେ ପହଞ୍ଚି ଶହୀଦ ସୃତି ସ୍ତମ୍ଭ ଓ ଶହୀଦ ସୃତି ପୀଠରେ ପୁଷ୍ପ ଗୁଚ୍ଛ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସୃତି ପୀଠର ଉନ୍ନତି କାମ ସମୀକ୍ଷା କରିଥିଲେ। ଇରମକୁ ଓଡିଶାର ଅଗ୍ରଗଣ୍ୟ ସହିଦ ପୀଠ କରିବାପାଇଁ ଭିତ୍ତିଭୂମିର ବିକାଶ କରାଯିବାନେଇ ଘୋଷଣା କରିଥିଲେ।

ବାସୁଦେବପୁରରୁ ଧାମନଗର ବ୍ଲକକୁ ଗସ୍ତରେ ଯାଇ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟରେ କାର‌୍ୟ୍ୟ ଶେଷ କରିବା ଓ ଗୁଣାତ୍ମକମାନରେ କାର‌୍ୟ୍ୟ କରିବାକୁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ତାପରେ ଧାମନଗର ସି.ଏଚ.ସି କୁ ଯାଇ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିକରଣ କାର‌୍ୟ୍ୟ ସମୀକ୍ଷା କରିଥିଲେ।

ପରେ ପରେ ନିର୍ମାଣଧିନ ସମନ୍ୱିତ ଭିତ୍ତିଭୂମି ପ୍ରତିଷ୍ଠାନ (ଆଇ.ଆଇ.ସି) ପରିଦର୍ଶନକରି କାର‌୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଠାରେ ଜନସାଧାରଣ ଓ ସଂଗଠନମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ଉଚ୍ଚକୋଟିର ରୂପାନ୍ତରିକରଣ କରାଯିବାନେଇ ମଧ୍ୟ ଘୋଷଣା କରିଥିଲେ।

ପୂର୍ବଦିନ ଜୁନ୍ ୧୧ ତାରିଖରେ ଶ୍ରୀ ପାଣ୍ଡିଆନ କେନ୍ଦୁଝର ଗସ୍ତ ଶେଷ କରି ଭଦ୍ରକରେ ପହଞ୍ଚି ଥିଲେ। ସେଠାରେ ସେ ଷ୍ଟାଡିୟମ ର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଷ୍ଟାଡିୟମର ଉନ୍ନତି ପାଇଁ ଥିବା ଯୋଜନା ବିଷୟ ଗୁଡିକୁ ୫ଞ ସଚିବ ଙ୍କୁ ଜିଲ୍ଲାପାଳ ଅବଗତ କରାଇବା ପରେ ଶ୍ରୀ ପାଣ୍ଡିଆନ ଭଲ କ୍ରିକେଟ ଗ୍ରାଉଣ୍ଡ ପାଇଁ ଫ୍ଲଡ ଲାଇଟ ର ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ବ୍ୟାଡମିଣ୍ଟନ , ଭଲିବଲ , ବାସ୍କେଟବଲ ଖେଳ ପାଇଁ ଲୋକେ ଦାବି କରିବାରୁ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ।

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲା ର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଆସିଥିବା ଦୁଇ ହଜାର ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଙ୍କ ସହ ମତ ବିନିମୟ କରିଥିଲେ। ୫ଞ ଉପକ୍ରମ ରେ ବିଦ୍ୟାଳୟ ମାନଙ୍କ ରୂପାନ୍ତରଣ ଭଳି ଆଗାମୀ ଦିନ ରେ ମହାବିଦ୍ୟାଳୟ ମାନଙ୍କ ର ରୂପାନ୍ତରକରଣ ରେ ସ୍ମାର୍ଟ କ୍ଳାସ , ଇ-ଲାଇବ୍ରେରୀ ,ଶୌଚାଳୟ ଇତ୍ୟାଦି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁର କାରିଥିବାର ବୋଲି ଘୋଷଣା କରିଥିଲେ।

ସେଠା ରୁ ଯାଇ ଗେଲପୁର ନିକଟ ରେ ନୂତନ ଭାବେ କାର‌୍ୟ୍ୟକାରୀ ହେବାକୁଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସମ୍ପୂର୍ଣ ହୋଇ ଆସୁଥିବା ନିର୍ମାଣ କାର‌୍ୟ ର ସମୀକ୍ଷା କରିବା ସହିତ ମାତୃ -ଶିଶୁ ଯତ୍ନ ଡାକ୍ତରଖାନା ନିକଟ ରେ ଆରମ୍ଭ ହୋଇଥିବା ଚିକିତ୍ସା ବ୍ୟବସ୍ତା ସମ୍ବନ୍ଧ ରେ ପଚାରି ବୁଝିଥିଲେ। ରୋଗୀ ଓ ଡାକ୍ତର ମାନଙ୍କ ସହ ମତ ବିନିମୟ କରିଥିଲେ। ଡାକ୍ତରଖାନା ର ମିରମାନ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନସମାବେଶରେ ଯୋଗଦେଇ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ।

ଧାମରା ବନ୍ଦର ଭଦ୍ରକ ପାଇଁ ସବୁଠୁ ବଡ ଅଦଦାନ ଏବଂ ଧାମରାଠାରେ ଶିଳ୍ପ ପ୍ରାର୍କ, ଧାମନଗର ଛକଠାରେ ଟେକ୍ସଟାଇଲ ପ୍ରକଳ୍ପପାଇଁ ପ୍ରତିଷ୍ଠା ଚାଲିଛି। ତାହା ଦିନେ କେବଳ ଭଦ୍ରକ ନୁହେଁ ସାରା ରାଜ୍ୟ ଅର୍ଥନୀତିପାଇଁ ପ୍ରଭାବ ହେବବୋଲି ପ୍ରକାଶ କରିଥିଲେ। ଆନନ୍ଦପୁର ବ୍ୟାରେଜ ପାଇଁ ଅକ୍ଟେବର ସୁଦ୍ଧା ସାଳନ୍ଦୀରେ ଅଧିକ ପାଣି ଆସିବ। ନାଜର ନାଳ ପାଇଁ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବାନେଇ ମଧ୍ୟ ସୁଚନା ଦେଇଥିଲେ।

ପ୍ରଥମ ଦିନ ର ଗସ୍ତ ର ଶେଷ କାର‌୍ୟକ୍ରମ ମା ଭଦ୍ରକାଳୀ ମନ୍ଦିର କୁ ଗସ୍ତ କରି ମା ଙ୍କୁ ଦର୍ଶନ କରିବା ସହିତ ପୂଜା ଅର୍ଚନା କରିଥିଲେ। ମନ୍ଦିର ର ସୌନ୍ଦରଜିକରଣ ପାଇଁ ନିଆ ଯାଇଥିବା ଓ ନିଆ ଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧ ରେ ସମୀକ୍ଷା କରିଥିଲେ।

ମନ୍ଦିର ଫେଜ -୧ କାମ ସମାପ୍ତ ହୋଇଥିବା ରୁ ଖୁସି ବ୍ୟକ୍ତ କରିଥିଲେ। ଏବଂ ଫେଜ-୨ ପାଇଁ ସବିଶେଷ ପ୍ରକଳ୍ପ ରିପୋର୍ଟ ତିଆରି କରି ଅବିଳମ୍ବେ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମା ଭଦ୍ରକାଳୀ ମନ୍ଦିର କୁ ଭଦ୍ରକ ସହର ରୁ ଯିବା ପାଇଁ ଉପଯୁକ୍ତ ମାର୍ଗକୁ ଜିଲ୍ଲାପାଳ ଚିହ୍ନଟ କରି ସୁପାରିଶ କଲେ ସେହି ରାସ୍ତା ର ଉନ୍ନତିକରଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ, ଗସ୍ତ ବେଳେ କଲେ ପୁଷ୍ପ ବୃଷ୍ଟି

କେନ୍ଦୁଝର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ ଅବସରରେ ସେ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଲୋକଙ୍କ ମଧ୍ୟରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ଥିବା ପରିଲକ୍ଷିତ ହୋଇଛି। ସେ ଯେଉଁସ୍ଥାନକୁ ଗସ୍ତରେ ଯାଉଛନ୍ତି ସେଠାରେ ଲୋକେ ପୁଷ୍ଟ ବୃଷ୍ଟି କରି ସ୍ବାଗତ କରୁଛନ୍ତି। ଗୋଟିଏ ଲକ୍ଷ୍ୟ ତାଙ୍କ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କିପରି ହେବ।

ଆଜି ପାଣ୍ଡିଆନ ବଡ଼ବିଲ ଯାଇ ସେଠାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଏନଆରସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ।

ଏହି ସୁବିଧା ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତକୁ ଶୁଣିଥିଲେ। ଏସବୁ ସୁବିଧାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଆହୁରି ବଢ଼ାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ସାଧାରଣ ଜନତା ଏହାର ଅଧିକ ଲାଭ ପାଇପାରିବେ।

ଏହାପରେ, ୫ଟି ସଚିବ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମିତିର ପ୍ରଶଂସନୀୟ ପ୍ରୟାସ ଦେଖି ସେ ଖୁସିବ୍ୟକ୍ତ କରିଛନ୍ତି। ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ସେ ଘୋଷଣା କରିଛନ୍ତି ଯେ ଏଣିକି ଆଦିବାସୀ ବିକାଶ ସମିତିର 900 ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ। ଏନେଇ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବିସ୍ତୃତ ମୂଲ୍ୟାଙ୍କନ କରିବାକୁ ୫ଟି ସଚିବ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ, ସେ ଯୋଡ଼ା ଫ୍ଲାଇଓଭର ସ୍ଥଳୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। କାର୍ଯ୍ୟ ନିର୍ଦ୍ଧାରିତ ସମୟକୁ ଆଖିରେ ରଖି ଅଗ୍ରଗତି କରୁଛି ଏବଂ ଡିସେମ୍ବର 2023 ସୁଦ୍ଧା ଶେଷ ହେବବୋଲି ଉପସ୍ଥିତ ଓବିସିସି ଅଧିକାରୀମାନେ 5ଟି ସଚିବଙ୍କୁ ଅବଗତ କରିଥିଲେ।

ସେଠାରୁ ୫ଟି ସଚିବ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇଥିଲେ। ଯେଉଁଠାରେ ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ 50 ଜଣ ଅନ୍ତେବାସୀ ରହୁଛନ୍ତି। ସମସ୍ତଙ୍କ ଠାରୁ ୫ଟି ସଚିବ ସେମାନଙ୍କର ଅଭିଜ୍ଞତା ଏବଂ ମିଳୁଥିବା ସୁବିଧା ସମ୍ପର୍କରେ ପଚାରିବୁଝିଥିଲେ।

ଏହାପରେ ସେ ଅନ୍ତେବାସୀଙ୍କ ମଧ୍ୟାନ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ନାଗରିକଙ୍କୁ ଯତ୍ନର ଅଧିକ ଆବଶ୍ୟକତା ପଡ଼ୁଥିବାରୁ ସୁବିଧାର ସମ୍ପ୍ରସାରଣ ଏବଂ ଅଧିକ ଅନ୍ତେବାସୀଙ୍କ ରହଣୀ ଲାଗି ବ୍ୟବସ୍ଥା କରିବା ସମ୍ବଦ୍ଧରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ୫ଟି ସଚିବ କାନପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସେଠାରେ ପ୍ରକଳ୍ପର ଅଗ୍ରଗତିର ଆକଳନ ସାଙ୍ଗକୁ ଜାତୀୟ ରାଜପଥ ସହ ଜଡ଼ିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ପାଳନପୂର୍ବକ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦେବାପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସେ ନିକଟସ୍ଥ ଗ୍ରାମର ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସେଠାରୁ କେନ୍ଦୁଝର ସହର ସ୍ଥିତ ଓଏସଏମଇ କମ୍ପ୍ଲେକ୍ସକୁ ଯାଇ ସେଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ ୫ଟି ସଚିବ।

ସରକାରଙ୍କଠାରୁ ମିଳୁଥିବା ସହାୟତା ଉପରେ ସେ ସକ୍ରିୟ ଭାବେ ସେମାନଙ୍କଠାରୁ ମତାମତ ଲୋଡ଼ିଥିଲେ ଏବଂ ମିଶନ ଶକ୍ତି ପାଇଁ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ରହିଛି ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହାପରେ ସେ ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କୁ ଭେଟି ସେମାନଙ୍କ ଅଭିଯୋଗକୁ ଶୁଣିଥିଲେ। ସରକାରୀ ବ୍ୟବସ୍ଥା ମୁତାବକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ, ୫ଟି ସଚିବ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ୍ ଶକ୍ତି’ କାଫେ ପରିଦର୍ଶନ କରିଥିଲେ। ସେ ଠାରେ ସେ କାଫେର ପରିଚାଳନା ସଦସ୍ୟମାନେ କିଭଳି ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି ସେନେଇ ପଚାରିବୁଝିଥିଲେ. ଉନ୍ନତମାନର ଖାଦ୍ୟ ବିତରଣ ଉଦ୍ୟମ ଜାରି ରଖିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେଠାରୁ ସେ କେନ୍ଦୁଝର ଅଡିଟୋରୀୟମ ଯାଇ ସେଠାରେ ପ୍ରାୟ ଏକ ହଜାର ଉପସ୍ଥିତ ଥିବା ଛାତ୍ର ଓ ଶିକ୍ଷକଙ୍କୁ ସମ୍ବୋଧିତ କରିଥିଲେ।

ଶିକ୍ଷାର ମାନ ବୃଦ୍ଧି ଏବଂ ଆନୁସଙ୍ଗୀକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉପରେ ସେ ଆଲୋଚନା କରି କହିଥିଲେ ସମସ୍ତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ନାତକ କଲେଜଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମଞ୍ଜୁର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ବିକାଶ ହେବ ବୋଲି ସେ କହିଛନ୍ତି। ଏଥିରେ ସେ ସମସ୍ତଙ୍କ ର ସହଯୋଗ ପାଇଁ ୫ଟି ସଚିବ ଅନୁରୋଧ କରିଛନ୍ତି।

ସେଠାରୁ ୫ଟି ସଚିବ ସ୍ଥାନୀୟ ହ୍ୟାଣ୍ଡବଲ୍ ଷ୍ଟାଡିୟମ ପରିଦର୍ଶନରେ ଯାଇ ସେଠାରେ ତାଲିମ୍ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଏବଂ ଉତ୍ସର୍ଗୀକୃତତାକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ। ସେ ମୋଟ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ଏବଂ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ ପଚାରି ବୁଝିଥିଲେ। ଏହାସହ ଷ୍ଟାଡିୟମରେ ଉପସ୍ଥିତ ହ୍ୟାଣ୍ଡବଲ୍ ଖେଳାଳିଙ୍କ ସହ ସେ ମଧ୍ୟ କଥାବାର୍ତ୍ତା କରିଥିଲେ।

ପରେ, ୫ଟି ସଚିବ ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ ପୂଜାର୍ଚନା କରିଥିଲେ। ଏହା ପରେ ସେ ମନ୍ଦିର ଏବଂ ପରିସରର ନବୀକରଣ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ ଏବଂ ପୁରୋହିତମାନଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ସେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଏବଂ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ସେଠାରୁ ୫ଟି ସଚିବ ହାଡ଼ବନ୍ଧ ଜଳାଶୟ ପରିଦର୍ଶନରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଓ କେଉଁଝର ଜିଲ୍ଲାପାଳ ଉପସ୍ଥିତ ଥିଲେ

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ, ବିପୁଳ ଜନସମାଗମକୁ ଦେଲେ ଉଦବୋଧନ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ଦୁଇ ଦିନିଆ କେଉଁଝର ଗସ୍ତରେ ଯାଇ ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର‌୍ୟ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଖଣି ସମୃଦ୍ଧ ବଡବିଲ ର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଖୁବ୍ ଶୀଘ୍ର ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ବିଷୟରେ ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡକୁ ୫ଟି ସଚିବ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର‌୍ୟ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର‌୍ୟ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ସେ ସୂଚନା ଦେଇଥିଲେ।

ଏ ସମ୍ପର୍କିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏଥିରେ ବହୁ ଲୋକଙ୍କର ସମାଗମ ହୋଇଥିଲା।

ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିର ଏବଂ ମସଜିଦର ପାରିପାର୍ଶ୍ୱିକ ବିକାଶ ନେଇ ଯେଉଁସବୁ ଅନୁରୋଧ ଆସିଛି, ସେ ସବୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି ୫ଟି ସଚିବ କହିଥିଲେ।

ଏହାପରେ ୫ଟି ସଚିବ ଚମ୍ପୁଆ ଯାଇ ଚମ୍ପୁଆ ଏନଏସି ସ୍ଥିତ ଜଳ ବିଶୋଧନାଗାର(ଡବ୍ଲୁଟିପି) ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ଜାରି ରହିଥିବା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପଟି ସଫଳତାର ସହ କାର‌୍ୟ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ଏହା ବ୍ୟତୀତ ‘ଗ୍ରାମୀଣ ମେଗା ପାଇପ୍ ଜଳ ଯୋଗାଣ’ ପ୍ରକଳ୍ପ ଚଳିତ ବର୍ଷ ଧାର‌୍ୟ୍ୟ ସମୟସୀମା ମଧ୍ୟରେ ଶେଷ ହେଉଥିବା ବିଷୟ ରେ ତାଙ୍କୁ ଅଧିକାରୀମାନେ ଅବଗତ କରିଥିଲେ।

ଏହି ଅବସରରେ ୫ ଟି ସଚିବ ‘ଜଳ ସାଥୀ’ମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ହିତପାଇଁ ସେମାନଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱବହନ କରୁଛି ବୋଲି କହିଥିଲେ। ପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ।

ସେଠାରେ ଫ୍ଲୁଡ୍ ଲାଇଟର ବ୍ୟବସ୍ଥା ଆଗାମୀ ୭ ଦିମ ମଧ୍ୟରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପାନୀୟ ଜଳ ଏବଂ କୃଷକମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏନେଇ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ନୂଆପଡ଼ା ଗସ୍ତ, ପାଞ୍ଚୋଟି ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।

ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶନ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ

ଖଡିଆଳ ସବଡିଭିଜିନାଲ ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା ନ୍ୟାସନାଲ କଲେଜ ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ପୁରୀ ଓ କଟକ ଗସ୍ତ, ଜୁନ ୧୫ ସୁଦ୍ଧା ସଂପୂର୍ଣ୍ଣ ହେବ ନେତାଜୀ ବସ ଟର୍ମିନାଲ ନିର୍ମାଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ରାଜ୍ୟ ସରକାରଙ୍କ ଐତିହ୍ୟ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଆନ୍ତର୍ଜାତିକ ସ୍ତରରେ ଏକ ଗୃରୁତ୍ଵପୂର୍ଣ୍ଣ ଐତିହ୍ୟ ସ୍ଥଳ ଭାବରେ ଏହା ପୁରୀର ଗୁରୁତ୍ଵ ବୃଦ୍ଧି କରିବ। ପ୍ରତି ସପ୍ତାହରେ ପୁରୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ଅପରାହ୍ନରେ  ଶ୍ରୀ ପାଣ୍ଡିଆନ କଟକ ଯାଇ ପ୍ରଥମେ ଖାନ୍ ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲ ର ନିର୍ମାଣ କାର୍ଯ୍ୟ ବୁଲି ଦେଖି ଥିଲେ ଏବଂ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟର ସମୀକ୍ଷା କରି ଥିଲେ। ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ ଶେଷ ହେବ ବୋଲି ସମୀକ୍ଷାରୁ ଜଣା ଯାଇଛି।

ସୂଚନା ଯୋଗ୍ୟ ଯେ ୧୫ ଏକର ପରିମିତ ଅଂଚଳରେ ନିର୍ମାଣାଧୀନ ଏହି ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ ଶୁଭ ଦେଇଥିଲେ। ଏଥିପାଇଁ ସତୁରୀ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ଏଥିରେ ୧୮୦ ଟି ବସ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରା ଯାଉଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଆନ୍ତ ରାଜ୍ୟ ବସ ଚଳରେ ସୁବିଧା ଆସିବ।

ଏହା ପରେ ଶ୍ରୀ ପାଣ୍ଡିଆନ ମା କଟକ ଚଣ୍ଡୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ, ରାସ୍ତା ନିର୍ମାଣ ଆଦି କାମ ବୁଲି ଦେଖିଥିଲେ।
ସମୀକ୍ଷାରୁ ଜଣା ଯାଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ରୂପାନ୍ତର କାର୍ଯ୍ୟ ଶେଷ ହେବ। ଚଣ୍ଡି ମନ୍ଦିର ରୂପାନ୍ତର ପାଇଁ ଚାଳିଶ କୋଟି ଟଙ୍କା ଖର୍ଚ କରାଯାଉଛି। ନୂଆବର୍ଷ ରେ ଚଣ୍ଡି ମନ୍ଦିର ର ରୂପାନ୍ତର କାମ ଭକ୍ତଙ୍କ ସେବା ରେ ଲୋକାର୍ପିତ ହେବ।

ଶ୍ରୀ ପାଣ୍ଡିଆନ ଏହାପରେ ରାଣୀ ହାଟ କ୍ଲକ୍ ଟାୱାର, ତାଳଦଣ୍ଡା କେନାଲ, ଛତରା ବଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଏସବୁ ସ୍ଥାନରେ ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ କଟକ ଡିସିପି ଶ୍ରୀ ପିନାକ ମିଶ୍ର ଓ, ସିଡିଏ ଅଧ୍ୟକ୍ଷ ଶ୍ରୀ ଅନିଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବଡିଭୋରରୁ ପୁରୀ, ମା ମଙ୍ଗଳା ମନ୍ଦିର ଦର୍ଶନ ସହ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ବଡି ଭୋରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ସେ ଶ୍ରୀମନ୍ଦିରରେ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିଥିଲେ। ସେ ଉତ୍ତରଦ୍ବାରରୁ ପଶ୍ଚିମଦ୍ବାର ଓ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ ସମ୍ପର୍କରେ ପଚାରି ବୁଝିଛନ୍ତି।

ଏହାପରେ ସେ ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଉଥିବା ନିର୍ମାଣ କାମକୁ ମଧ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି।

୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରାଯାଉଛି । ନିର୍ମାଣକାରୀ ସଂସ୍ଥା ପକ୍ଷରୁ କାମର ଅଗ୍ରଗତି ସଂପର୍କରେ ତାଙ୍କୁ ଅବଗତ କରାଯାଇଛି । ଏହାଛଡ଼ା ମେଡିକାଲ କଲେଜରେ ଫାର୍ମାସିଷ୍ଟ ଓ ନର୍ସିଂ କ୍ବାର୍ଟର ବ୍ଲକ୍ ବୁଲି ଦେଖିଛନ୍ତି । ନିର୍ମାଣକାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଭି.କେ ପାଣ୍ଡିଆନ । ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେହିପରି କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ପାଣ୍ଡିଆନ। ସେଠାରେ ଏଏସଆଇ ଦ୍ବାରା ଚାଲିଥିବା କାର୍ଯ୍ୟ ତଦାରଖ କରିବା ସହିତ ବେଳାଭୂମି ଉନ୍ନତି କରଣ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଏହାପରେ କାକଟପୁର ମାଆ ମଙ୍ଗଳାଙ୍କ ପୀଠ ଗସ୍ତ କରି ମାଆଙ୍କ ଦର୍ଶନ ମଧ୍ୟ କରିଛନ୍ତି ପାଣ୍ଡିଆନ। ସେଠାରେ ମାଆ ମଙ୍ଗଳା ପୂଜକମାନେ ତାଙ୍କୁ ପାଛୋଟି ନେଇଥିଲେ। ସେଠାରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ଜଙ୍କସନ, ମଲଟି ପରପୋଜ୍ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କାମର ସମୀକ୍ଷା କରିଥିଲେ।

ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ପାଣ୍ଡିଆନ ପ୍ରତି ଶନିବାରରେ କେବଳ ଶ୍ରୀମନ୍ଦିର ଦର୍ଶନ ସହିତ ପୁରୀର ଉନ୍ନୟନ କାର୍ଯ୍ୟ ତଦାରଖ କରି ଆସୁଥିଲେ। ହେଲେ ଏଥର ସେ ଚନ୍ଦ୍ରଭାଗା, କୋଣାର୍କ, କାକଟପୁର ମା ମଙ୍ଗଳା ମଧ୍ୟ ଦର୍ଶନ କରି ସେଠାର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ କରୋନା ମୁକାବିଲା ଟିମକୁ କଲେ ଉତ୍ସାହିତ, ସରପଞ୍ଚଙ୍କ ସହ କଥା ହେଲେ 5ଟି ସଚିବ ଭି.କେ ପାଣ୍ଡିୟାନ୍

ହେମାଙ୍ଗ ପ୍ରସାଦ ରାଉଳ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସାହିତ ବାର୍ତ୍ତା ଚିଅର୍ ଅପ୍ ଇୟୋର ଟିମ୍ ପ୍ରଦାନ କରିଛନ୍ତି ଫାଇଭ୍ ଟି ସଚ୍ଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା  କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ କୁ ଫାଇଭ ଟି ସଚିବ ତାରିଫ୍ କରିଛନ୍ତି । ଏଥିରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି ପ୍ରକାଶ କରିଛନ୍ତି।

ଓଡିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। କରୋନା ଲକ୍ ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମଇ ୩ ତାରିଖ ପରେ ଲକ୍ ଡାଉନ୍ କଟକଣା କୋହଳ ମଧ୍ୟରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଯାନରେ ପ୍ରତ୍ୟାବର୍ତ୍ତନ କରିବା ଅପେକ୍ଷା ରେଳବ୍ୟବସ୍ଥା ଅଧିକ ସୁରକ୍ଷିତ ଥିବାରୁ କେବଳ ରେଳରେ ପ୍ରବାସୀମାନେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରବାସୀମାନଙ୍କ ଦୁର୍ଦ୍ଦଶାକୁ ନଜରରେ ରଖି ସେମାନଙ୍କୁ ଭିଟାମାଟିକୁ ଫେରାଇ ଅଣାଯିବ।

ଗଞ୍ଜାମ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀ ମାନଙ୍କର କିଛି ଲକ୍ଷଣ ଦେଖାଯାଉଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ଜନସାଧାରଣଙ୍କଠାରୁ ଦୂରେଇ ରଖିବା ସହିତ ଉପଯୁକ୍ତ ଚିକିତ୍ସା କରାଯାଉଛି। କାହାର କିଛି ଲକ୍ଷଣ ଦେଖାଦେଲେ ସ୍ବତଃ ପ୍ରବୃତ୍ତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚିବ କହିଛନ୍ତି। ପ୍ରତ୍ୟେକ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବାପିଇବା କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚ୍ଚିବ ପରାମର୍ଶ ଦେଇଛନ୍ତି।

ଏହା ସହିତ ସଚିବ ମଧ୍ୟ ଧରାକୋଟ ବ୍ଲକ୍, କବିସୂର୍ଯ୍ୟ ନଗର ବ୍ଲକ୍, ପୋଲସରା ବ୍ଲକ୍, ଆସ୍କା ବ୍ଲକ୍, ଖଲ୍ଲିକୋଟ ବ୍ଲକ୍, କୁକୁଡାଖଣ୍ଡି ବ୍ଲକ୍ ଓ ହିଞ୍ଜିଳି ବ୍ଲକ୍ ର ସରପଞ୍ଚ ମାନଙ୍କ ସହିତ ବ୍ୟକ୍ତିଗତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ୍ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତି ମାନଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତା ମାନଙ୍କ କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ସମସ୍ତ ସରପଞ୍ଚ  ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର କୋଭିଡ୍‌ -19 ହସ୍ପିଟାଲ ପରିଦର୍ଶନ କଲେ 5ଟି ସଚିବ ଓ ଉନ୍ନୟନ କମିଶନର

ସୀତାରାମ ଅଗ୍ରଓ୍ବାଲ
ନୟାଗଡ : ରାଜ୍ୟ ସରକାରଙ୍କର 5ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡର ଚାନ୍ଦପୁର ସ୍ଥିତ ସ୍ବତନ୍ତ୍ର କୋଭିଡ୍‌-19 ହସ୍ପିଟାଲ ଗସ୍ତ କରି ବିଭିନ୍ନ ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉଭୟ ଅଧିକାରୀ । ଚାନ୍ଦପୁରରେ ଏହି 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିବା ସହିତ ହସ୍ପିଟାଲର ଏସି ଏବଂ ଭେଣ୍ଟିଲେଟର ସୁବିଧା ବାବଦରେ ପଚାରି ବୁଝିଥିଲେ ଉଭୟ ଅଧିକାରୀ । ଏହା ସହିତ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 179 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡରେ ବର୍ତ୍ତମାନ ସୁଦ୍ଧା ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରକାଶିତ ଜୋନ୍‌ ଓ୍ବାରୀ ଜିଲ୍ଲା ତାଲିକାରେ ନୟାଗଡ ଗ୍ରୀନ୍‌ ଜୋନ୍‌ରେ ରହିଛି ।

Categories
ବିଶେଷ ଖବର

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍, ଓଡିଶାର ରାଜନୈତିକ ଇତିହାସରେ ଏକ ଛାୟାପୁରୁଷ ନା ତାଙ୍କୁ ନେଇ ରାଜନୀତିରେ ଅଧିକ କିଛି ସମ୍ଭାବନା ରହିଛି?

ସମୀକ୍ଷା ବ୍ୟୁରୋ

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ, ଏ ନାଁଟି ସହିତ ଓଡିଶାର ରାଜନୀତି ବେଶ ପରିଚିତ। ଗତ ପାଞ୍ଚ ବର୍ଷ ଭିତରେ ଏହି ବରିଷ୍ଠ ଆଇଏଏସ ଅଧିକାରୀ ଜଣକ ସର୍ବ ସାଧାରଣରେ ପଦେ ବି କଥା କହିନାହାନ୍ତି। ଅଥଚ ତାଙ୍କୁ ନେଇ ଓଡିଶାର ରାଜନୀତି ଗତ ପାଞ୍ଚ ବର୍ଷ ଧରି ଗତିଶୀଳ ରହିଛି। ତାଙ୍କୁ କେତେବେଳେ ଓଡିଶାର ବାସ୍ତବ କ୍ଷମତା କେନ୍ଦ୍ର ବୋଲି କୁହାଯାଉଛି, ତ ପୁଣି କେବେ ତାଙ୍କରି ନିର୍ଦ୍ଦେଶରେ ଓଡିଶାର ଶାସକ ଦଳ ପରିଚାଳିତ ବୋଲି ଅଭିଯୋଗ ଆସୁଛି। ବିରୋଧୀ ଦଳର ରାଜନୈତିକ ଆକ୍ରମଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁଳନାରେ ତାଙ୍କର ପ୍ରମୁଖ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ହିଁ ରହି ଆସିଛନ୍ତି। କିଛି ବିରୋଧୀ ତ ସିଧା ସିଧା ପାଣ୍ଡିଆନଙ୍କୁ ନିଜର ରାଜନୈତିକ ପ୍ରତିପକ୍ଷ ବୋଲି ଭାବି ନେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ହିଁ ଥିଲେ ବିରୋଧୀ ଦଳର ପ୍ରମୁଖ ଲକ୍ଷ୍ୟ ଓ ତାହା ହିଁ ନବୀନ ପଟ୍ଟନାୟକଙ୍କ ଲାଗି ଥିଲା ସବୁଠୁ ବଡ ଆଶୀର୍ବାଦ। ନବୀନଙ୍କ ଆଗରେ ପାଣ୍ଡିଆନ ଏକ ସୁରକ୍ଷା ଢାଲ ଭଳି ଛିଡା ହୋଇଛନ୍ତି। ବିରୋଧୀଙ୍କ ଆକ୍ରମଣ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ବେଳେ ନବୀନ ନିଜର ନିଷ୍କଳଙ୍କ ଭାବମୂର୍ତ୍ତିକୁ ଆହୁରି ଚମକପ୍ରଦ କରିବାରେ ସଫଳ ହୋଇଛନ୍ତି।

ଗତ ବର୍ଷ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିରୋଧୀ ଦଳର ଗୁଣ୍ଡା ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ନବୀନଙ୍କର କେତେଜଣ ପୁରୁଣା ବନ୍ଧୁ ଯେଉଁମାନେ କି ଭିନ୍ନ ପରିସ୍ଥିତିରେ ନବୀନଙ୍କ ବଡ ବିରୋଧୀ ପାଲଟିଲେ, ସେମାନଙ୍କ ଲାଗି ପାଣ୍ଡିଆନ ଥିଲେ ଏକ ନମ୍ବର ଶତ୍ରୁ। ବିଶେଷ କରି ବୈଜୟନ୍ତ ପଣ୍ଡା ଓ ତାଙ୍କ ଦ୍ଵାରା ପରିଚାଳିତ ଏକ ଟେଲିଭିଜନ ଚାନେଲରେ ପାଣ୍ଡିଆନଙ୍କ ନାଁ ରେ ପ୍ରତିଦିନ କିଛି ନା କିଛି ଖବର /ଅପଖବର ବାହାରୁଥିଲା । ବହୁ ଅଭିଯୋଗର ଏକତରଫା ପ୍ରଚାର ଆମର ଗଣମାଧ୍ୟମରେ ସେବେ ଚାଲିଥିଲା, ଆଜି ମଧ୍ୟ ଚାଲିଛି। ତେବେ ଏ ସବୁର କୌଣସି ଉତ୍ତର/ସ୍ପଷ୍ଟୀକରଣ କେବେହେଲେ ପାଣ୍ଡିଆନ ଦେଇନାହାନ୍ତି। ଜଣେ ଶ୍ରୁଙ୍ଖଳିତ ସରକାରୀ କର୍ମଚାରୀ ଭାବରେ ସେ ସବୁ ସମୟରେ ଆଢୁଆଳରେ ଓ ନୀରବରେ ରହି ଆସିଛନ୍ତି।

ପୁରା ନିର୍ବାଚନୀ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ କେହି କେବେ ଦେଖିବାର ସୁଯୋଗ ପାଇ ନାହାନ୍ତି। ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପଞ୍ଚମ ଥର ଲାଗି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କଲେ ସେତେବେଳେ ପାଣ୍ଡିଆନକୁ କ୍ୟାମେରା ଆଗରେ ଦେଖିବାକୁ ମିଳିଲା। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଟିରୁ ପଦେ କଥା ମଧ୍ୟ ଫିଟିନାହିଁ। ନୀରବରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ ସେ ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କ୍ଷମତା କେନ୍ଦ୍ରର ମୁଖ୍ୟ ବିନ୍ଦୁରେ ଥାଇ ମଧ୍ୟ ଏତେ ନୀରବ ରହିବା ସବୁଠୁ ଆଶ୍ଚର୍ଯ୍ୟଜନକ ଘଟନା। ତେବେ ନବୀନ ସରକାରଙ୍କର ସଫଳତା ଓ ପ୍ରତୀତି ସରକାରୀ ଯୋଜନାର ଲୋକ ପକ୍ଷକୁ ସଠିକ ଭାବରେ ଉପସ୍ଥାପନ କରିବାର ଯେଉଁ ଦକ୍ଷତା, ସେଥିରେ ପାଣ୍ଡିଆନ ଏ ସରକାର ର ସବୁଠୁ ସଫଳ ରଣନୀତିକାର ବୋଲି କୁହାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାର ଓ ସେସବୁର ସଫଳ ରୂପାୟନ କୁ ନେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବାର ଶ୍ରେୟ ପାଣ୍ଡିଆନଙ୍କ ପାଖକୁ ଯିବ।

ନିର୍ବାଚନ ପରେ ଏବେ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ, ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ସେନାପତି ଭାବରେ ତାଙ୍କୁ ପ୍ରଶାସନିକ ସ୍ତରରେ ସେ ସୀମିତ ରହିବେ ନା ରାଜନୈତିକ ସ୍ତରରେ ମଧ୍ୟ ତାଙ୍କର କିଛି ଭୂମିକା ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁ ପ୍ରକାର ଚର୍ଚ୍ଚା ଓ ଅପଚର୍ଚ୍ଚାର ଉର୍ଦ୍ଧ୍ଵରେ ରହି କାମ କରିବାର ବିଚକ୍ଷଣତା ହେଉଛି ପାଣ୍ଡିଆନଙ୍କ ସଫଳତା। ନବୀନଙ୍କର ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ସହଯୋଗୀ ଆସିଛନତି ଓ ଯାଇଛନ୍ତି। ହେଲେ ପାଣ୍ଡିଆନ ସେ ସମସ୍ତଙ୍କଠୁ ଅଲଗା। ରାଜନୈତିକ ଅଭିଳାଷ ଅପେକ୍ଷା ଆନ୍ତରିକ ଭାବରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ହିଁ ତାଙ୍କର ଭିନ୍ନତା। ସବୁ ସମାଲୋଚନା ଓ କୁତ୍ସାକୁ ଅଣଦେଖା କରି ଅବିଚଳିତ ଭାବରେ ନିଜର କାମ କରିଯିବା ଯୋଗୁଁ ତାଙ୍କୁ ହୁଏତ ଓଡିଶାର ଇତିହାସ ଏକ ଭିନ୍ନ ପରିଚୟରେ ମନେ ରଖିବ।

(ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta , ଏହାପରେ ସ୍ପ୍କ୍ରିନରୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)