Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଅଙ୍ଗନବାଡି କେନ୍ଦ୍ର ଓ ମିନି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଅଙ୍ଗନବାଡି କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।

ଏହି ନୂତନ ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା । ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା।

ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪ – ଚାରି ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ 5 ତାରିଖ ରୁ 10 ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।

ସେହିପରି ଅଙ୍ଗନବାଡି କର୍ମଚାରୀଙ୍କ EXIT POLICY (ସେବା ନିବୃତ୍ତି) ରେ ପାଉଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏହା ୦୧.୦୪.୨୦୨୪ ଠାରୁ ଲାଗୁହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡି କର୍ମୀମାନେ ପୂର୍ବରୁ ପାଉଥିବା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ। ମିନି ଅଙ୍ଗନବାଡି କର୍ମୀମାନେ ୩୦ ହଜାର ଟଙ୍କା ପରିବର୍ତ୍ତେ ୭୫ ହଜାର ଟଙ୍କା ପାଇବେ ଓ ଅଙ୍ଗନବାଡି ସହାୟିକାମାନେ ୨୦ ହଜାର ଟଙ୍କା ପରିବର୍ତ୍ତେ ୫୦ ହଜାର ଟଙ୍କା ପାଇବେ।

ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ୨ ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ ୦୧.୦୪.୨୦୨୪ରୁ ଲାଗୁ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକ ଅଙ୍ଗନବାଡି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ପରିଚାଳନା ତାଲିମ, ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଜି ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନ ପରିସରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ବିକାଶ ଅନୁଷ୍ଠାନ (ଏସ୍‌ଆଇଆର୍‌ଡି), ୱାସନ ଭଳି ବିଭିନ୍ନ ଜାତୀୟସ୍ତରୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ ସହଯୋଗରେ ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନ ଏକ ଉତ୍କର୍ଷ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଲେ ଯେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଲଢିବା ପାଇଁ ଆମକୁ ସହଭାଗିତାରେ କାର୍ଯ୍ୟ କରିବାକୁ ପଡିବ। ଆଜିର ଏହି ବୁଝାମଣା ପତ୍ର ଆମର ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ କରିବ।

ଏହି ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁସ୍ମିତା ବେହେରା କହିଲେ ଯେ ମହିଳା ଓ ଶିଶୁ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ବିଭାଗ ଭାବେ ପରିଗଣିତ ହୋଇପାରିଛି।

ଏହି ବିପର୍ଯ୍ୟୟ ପରିଚାଳନା ତାଲିମକୁ ତୃଣମୁଳ ସ୍ତରରେ ପହଞ୍ଚାଇ ପ୍ରତି ଘରେ ଜଣେ ଜଣେ ବିପର୍ଯ୍ୟୟ ପ୍ରଶମନ ଯୋଦ୍ଧା ସୃଷ୍ଟି କରିବା ଏହି ବୁଝାମଣା ପତ୍ରର ପ୍ରଧାନ ଲକ୍ଷ୍ୟ। ଷ୍ଟେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଫର ୱିମେନ୍‌ ଆଣ୍ଡ ଚିଲଡ୍ରେନର ମୁଖ୍ୟ ଉପଦେଷ୍ଟା ଏସ. ଗାୟତ୍ରୀ କହିଲେ ଯେ ସମଗ୍ର ରାଜ୍ୟରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଅଧିକାରୀମାନଙ୍କୁ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଥିବା ଅଙ୍ଗନବାଡି କର୍ମକର୍ତ୍ତାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ କରିବା ଆମ ପାଇଁ ଏକ ବଡ ଆହ୍ୱାନ। ଏହି ଆହ୍ୱାନକୁ ସ୍ୱୀକାର କରି ପ୍ରାକୃତିକ ବିପର୍ଯ୍ୟୟ ସହ ଲଢିବା ସହ ଏହି ପ୍ରଶିକ୍ଷଣକୁ ଗାଁ ଗାଁ ରେ ପହଞ୍ଚାଇବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ।

ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମୁଦୁଲିଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀବୃନ୍ଦ ଓ ଅଙ୍ଗନବାଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଙ୍ଗନବାଡି ଏବଂ ଆଶା କର୍ମିଙ୍କ ବଢିବ ଦରମା, ନବରଂଗପୁରରେ ପାଣ୍ଡିଆନ ଦେଲେ ସୂଚନା

ନବରଙ୍ଗପୁର: ଆଜି 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବରଂଗପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହିତ ସେ ଏକ ବିଶାଳ ଜନସମାଜକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହି ସମୟରେ ସେ ରାଇଘର ଏକ କାର୍ଯ୍ୟକ୍ରମରେ ଏକ ବଡ ସୂଚନା ଦେଇଛନ୍ତି। ତାହା ହେଲା ଅଙ୍ଗନବାଡି ଏବଂ ଆଶା କର୍ମିଙ୍କର ଦରମା ବଢିବ। ଏପରିକି କମ୍ୟୁନିଣ୍ଟ ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ।

ସେ ସୂଚନା ଦେଇ କହିଥିଲେ ଯେ, ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଏକ ଖୁସିଖବର ଦେବେ। ତାହା ହେଲା ଅଙ୍ଗନବାଡି ଏବଂ ଆଶାକର୍ମିଙ୍କ ଦରମା ବୃଦ୍ଧି। ଆପଣମାନେ କିଛିଦିନ ପରେ ଏହି ଖୁସି ଖବର ଶୁଣିବେ ବୋଲି ପାଣ୍ଡିଆନ କହିଥିଲେ। ଏହି ସୂଚନା ଦେବାପରେ ସେଠାରେ ଥିବା ଜନ ସମାଜ ବେଶ ତାଳିମାରି ଖୁସି ପ୍ରକଟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ରକୁ କରାଗଲା ନିୟମିତ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ ।

ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ ମେଡିସିନ୍‌ କିଟ୍‌, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ତଥା ପ୍ରଶାସନିକ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର ହେଲା ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ବର: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡି କୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ 74154 ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ 10416 ମିନି ଅଙ୍ଗନବାଡି ଥିଲା। ତନ୍ମଧ୍ୟରୁ 2836 ମିନି ଅଙ୍ଗନବାଡି ଏବେ ଉନ୍ନୀତ ହେଲା।

ଏହାସହିତ ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୧୧୪ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି।

ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ (Anganwadi Worker) ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ (Anganwadi Helper) ନିଯୁକ୍ତ କରାଯିବ।

ଏହିପରି ୨୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ, ୨୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ (upgrade) କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮,୭୫,୪୧,୪୪୦ ଟଙ୍କା ଖର୍ଚ୍ଚ କରିବେ।

Categories
ଅପରାଧ ଆଜିର ଖବର

ଅଙ୍ଗନବାଡିରେ ଚାକିରୀ ଦେବାକୁ କହି ସୁପରଭାଇଜର ନେଉଥିଲେ ଲାଞ୍ଚ, ମାଡି ବସିଲେ ଭିଜିଲାନ୍ସ

ଭୁବନେଶ୍ବର: ଅଙ୍ଗନବାଡିରେ ଚାକିରୀ ହେବ। ଭଲ ଦରମା ମିଳିବ, ସମ୍ମାନ ମିଳିବ। ଏପରି କହି ଜଣେ ଆଇସିଡିଏସର ସୁପର ଭାଇଜର ନେଉଥିଲା ଲାଞ୍ଚ। ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡି ବସିଲେ। ତାଙ୍କଠାରୁ ଟଙ୍କା ଜବତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଏହିପରି ଘଟଣାଟି ନୂଆପଡା ଜିଲ୍ଲାର ସିନାପଲ୍ଲୀ ବ୍ଲକରେ ଘଟିଛି। ଭିଜିଲାନ୍ସ ଧରିଥିବା ମହିଳା ଜଣଙ୍କ ହେଉଛନ୍ତି ଏହି ବ୍ଲକ ଅଧିନରେ ଥିବା ଛତିଗୁଡା ଆଇସିଡିଏସ ସୁପରଭାଇଜର। ତାଙ୍କର ନାମ ହେଲା ହର୍ସମଣି ଦେଇ।

ଘଟଣାରୁ ଜଣାପଡିଛି ଯେ, ହର୍ଷମଣି ଜଣେ ବ୍ୟକ୍ତିଙ୍କ ଭଉଣୀଙ୍କୁ ଅଙ୍ଗନବାଡିରେ ଚାକିରୀ କରାଇଦେବାକୁ କହି ଲାଞ୍ଚ ମାଗିଥିଲେ। ସେଥିପାଇଁ ସେ ଏକ ଲକ୍ଷ ଟଙ୍କା ଦାବୀ କରିଥିଲେ। ହେଲେ ଏତେ ଟଙ୍କା ଦେଇ ହେବ ନାହିଁ ବୋଲି କହି ମୁଲଚାଲ ଚାଲିଥିଲା। ଶେଷରେ 80 ହଜାର ଟଙ୍କାରେ କଥା ଛିଣ୍ଡିଲା। ସିନାପଲ୍ଲୀ ବସଷ୍ଟାଣ୍ଡରେ ଏହି ଦବାନବା ହେବ ବୋଲି ନିଷ୍ପତି ହେଲା।

ଏହା ଭିତରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସ ସହିତ କଥା ହେଲେ। ଯୋଜନା ମୁତାବକ ଭିଲାନାସ କେମିକାଲ ବୋଳା ଟଙ୍କା ତାଙ୍କ ହାତକୁ ବଢାଇ ଦେଲେ। ସମସ୍ତେ ବସ ଷ୍ଟାଣ୍ଡ ଅଭିମୁଖେ ଯାଇ ଯୋଜନା ଅନୁସାରେ ହର୍ଷମଣିଙ୍କୁ ଟଙ୍କା ପ୍ରଦାନ କରାଗଲା। ଟଙ୍କା ନେଇ ପାଖରେ ରଖିବା ବେଳେ ଭିଜିଲାନ୍ସ ଅଧିକାରୀ ସେହିଠାରେ ତାଙ୍କୁ ଧରିଲେ। ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରାଯିବା ସହିତ କୋରାପୁଟ ଭିଜିଲାନ୍ସରେ ମାମଲା ଋଜୁ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଙ୍ଗନବାଡ଼ି କର୍ମୀଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କୋଭିଡରୁ ଗାଁ ସହ ନିଜକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ

ଭୁବନେଶ୍ୱର: କେବଳ ଛୋଟ ପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରି ଚାଲିଛନ୍ତି। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍‌ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍‌ ଭଲ କାମ କରୁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅଙ୍ଗନବାଡି କର୍ମଚାରୀଙ୍କୁ ପ୍ରସଂଶା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊର୍ଦ୍ଧ ଆଇସିଡିଏସ୍‌ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ ବା ସର୍ଭେ କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣ ମୁକ୍ତ କରାଯାଇ ପାରିବ।

କରୋନା ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି ଓ୍ୱବିନାର୍‌ରେ ମୁଖ୍ୟମନ୍ତ୍ରୀ କୋଭିଡ୍‌ ସମୟରେ ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠା ପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ୱବିନାର୍‌ରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ  ଟୁକୁନି ସାହୁ କହିଲେ ଯେ କୋଭିଡ୍‌ ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଏହି ଆହ୍ୱାନର
ମୁକାବିଲା ଦିଗରେ ଆମର ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ।

ଗ୍ରାମାଞ୍ଚଳରେ କୋଭିଡ୍‌ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବେ ବୋଲି କହିବା ସହ କୋଭିଡ୍‌ ସଂଗ୍ରାମରେ ପ୍ରାଣ ହରାଇଥିବା ବିଭାଗର କୋଭିଡ୍‌ ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଦକ୍ଷତା ବୃଦ୍ଧି ଓ୍ୱବିନାର୍‌ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, କୋଭିଡ୍‌ର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଇଛି। ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍‌ ସଂପର୍କରେ ସଠିକ୍‌ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କ ଗୁରୁଦାୟିତ୍ୱ।

ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଗାଁର ଆଖି ଓ କାନ ଭଳି ସଜାଗ ରହି ଗାଁକୁ ସୁରକ୍ଷା ପ୍ରଦାନ କରିବାକୁ ଆହ୍ୱାନ ଦେବା ସହ ପ୍ରମୁଖ ଶାସନ ସଚିବ ସେମାନଙ୍କ ନିରନ୍ତର କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଏହି ଓ୍ୱବିନାରର ବୈଷୟିକ ଅଧିବେଶନରେ ମୁଖ୍ୟତଃ ଘରକୁ ଘର ସର୍ଭେ ସମୟରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍‌ ସଂପର୍କିତ ତିନୋଟି ମୁଖ୍ୟ ପ୍ରସଙ୍ଗ ଯଥା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉ ପରେ ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।