ଅଙ୍ଗନବାଡିରେ ଚାକିରୀ ଦେବାକୁ କହି ସୁପରଭାଇଜର ନେଉଥିଲେ ଲାଞ୍ଚ, ମାଡି ବସିଲେ ଭିଜିଲାନ୍ସ

Published: Nov 22, 2021, 10:55 am IST

ଭୁବନେଶ୍ବର: ଅଙ୍ଗନବାଡିରେ ଚାକିରୀ ହେବ। ଭଲ ଦରମା ମିଳିବ, ସମ୍ମାନ ମିଳିବ। ଏପରି କହି ଜଣେ ଆଇସିଡିଏସର ସୁପର ଭାଇଜର ନେଉଥିଲା ଲାଞ୍ଚ। ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡି ବସିଲେ। ତାଙ୍କଠାରୁ ଟଙ୍କା ଜବତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଏହିପରି ଘଟଣାଟି ନୂଆପଡା ଜିଲ୍ଲାର ସିନାପଲ୍ଲୀ ବ୍ଲକରେ ଘଟିଛି। ଭିଜିଲାନ୍ସ ଧରିଥିବା ମହିଳା ଜଣଙ୍କ ହେଉଛନ୍ତି ଏହି ବ୍ଲକ ଅଧିନରେ ଥିବା ଛତିଗୁଡା ଆଇସିଡିଏସ ସୁପରଭାଇଜର। ତାଙ୍କର ନାମ ହେଲା ହର୍ସମଣି ଦେଇ।

ଘଟଣାରୁ ଜଣାପଡିଛି ଯେ, ହର୍ଷମଣି ଜଣେ ବ୍ୟକ୍ତିଙ୍କ ଭଉଣୀଙ୍କୁ ଅଙ୍ଗନବାଡିରେ ଚାକିରୀ କରାଇଦେବାକୁ କହି ଲାଞ୍ଚ ମାଗିଥିଲେ। ସେଥିପାଇଁ ସେ ଏକ ଲକ୍ଷ ଟଙ୍କା ଦାବୀ କରିଥିଲେ। ହେଲେ ଏତେ ଟଙ୍କା ଦେଇ ହେବ ନାହିଁ ବୋଲି କହି ମୁଲଚାଲ ଚାଲିଥିଲା। ଶେଷରେ 80 ହଜାର ଟଙ୍କାରେ କଥା ଛିଣ୍ଡିଲା। ସିନାପଲ୍ଲୀ ବସଷ୍ଟାଣ୍ଡରେ ଏହି ଦବାନବା ହେବ ବୋଲି ନିଷ୍ପତି ହେଲା।

ଏହା ଭିତରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସ ସହିତ କଥା ହେଲେ। ଯୋଜନା ମୁତାବକ ଭିଲାନାସ କେମିକାଲ ବୋଳା ଟଙ୍କା ତାଙ୍କ ହାତକୁ ବଢାଇ ଦେଲେ। ସମସ୍ତେ ବସ ଷ୍ଟାଣ୍ଡ ଅଭିମୁଖେ ଯାଇ ଯୋଜନା ଅନୁସାରେ ହର୍ଷମଣିଙ୍କୁ ଟଙ୍କା ପ୍ରଦାନ କରାଗଲା। ଟଙ୍କା ନେଇ ପାଖରେ ରଖିବା ବେଳେ ଭିଜିଲାନ୍ସ ଅଧିକାରୀ ସେହିଠାରେ ତାଙ୍କୁ ଧରିଲେ। ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରାଯିବା ସହିତ କୋରାପୁଟ ଭିଜିଲାନ୍ସରେ ମାମଲା ଋଜୁ କରାଯାଇଛି।

Related posts