Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଖୁବଶୀଘ୍ର ଭତ୍ତା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର, ଗଜପତିରେ ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡିଶା ଗଠନ ସ୍ୱପ୍ନକୁ ସାକାର କରିବାକୁ ଗଜପତିବାସୀ ସହଯୋଗ କରନ୍ତୁ। ଏହା ଲୋକଙ୍କ ସରକାର। ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ।

ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ମିଳିଛି ୨୭୯ କୋଟି ଟଙ୍କା। ଲୋକଙ୍କ ଦରଖାସ୍ତ ଆଧାରରେ ଏହି ଟଙ୍କା ମଂଜୁର କରାଯାଇଛି। ଆଜି କାଶିନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିବା ସହ ବିକାଶର ହିସାବ ରଖିଛନ୍ତି।

କାଶୀନଗର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ବିକାଶର ହିସାବ ରଖି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ମେ ୧୦ ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲେ । ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଗୁମ୍ମା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁରୀ ମିଳିଛି । ପାରଳାଖେମୁଣ୍ଡିରେ ଚାରି ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦କୋଟି ଟଙ୍କା, ପାରଳାଖେମୁଣ୍ଡି ଏସକେସିଜି କଲେଜର ଉନ୍ନତିକରଣ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ଫାଇଭ୍-ଟି ରୂପାନ୍ତରଣ ଲାଗି ୫୦ଲକ୍ଷ ଟଙ୍କା, ଗୁମ୍ମାରେ ଥିବା ତୁମୁଲ ଏସସି ଏସଟି ହାଇସ୍କୁଲ ପାଇଁ ୫୦ଲକ୍ଷ ଟଙ୍କା ମଂଜୁର କରାଯାଇଛି।

ସେହିପରି କୃଷ୍ଣସାଗରର ଉନ୍ନତିକରଣ ପାଇଁ ୩ କୋଟି ୧୦ଲକ୍ଷ, ରାମସାଗର ପାଇଁ ୩କୋଟି ୫୦ ଲକ୍ଷ ଓ ଗଜପତି ସାଗର ଉନ୍ନତିକରଣ ପାଇଁ କୋଟିଏ ୪୦ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି । ପ୍ରତି ଘରେ ପାଇପ୍ ଯୋଗେ ପିଇବା ପାଣି ପହଞ୍ଚାଇବାକୁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ଘରକୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଯେଉଁମାନେ ବିଏସକେୱାଇ କାର୍ଡ ପାଇନାହାଁନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ବିଏସକେୱାଇ-ନବୀନ କାର୍ଡ ପ୍ରଦାନ କରିବେ । ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରନ୍ତୁ ।

ବିଏସକେୱାଇ ସାରା ଦେଶରେ ଏକ ଅନନ୍ୟ ଯୋଜନା । ଏଭଳି ଯୋଜନା ଅନ୍ୟ କୌଣସି ରାଜ୍ୟରେ ନାହିଁ । ଏହି କାର୍ଡ ଦ୍ୱାରା ଗରିବ ଲୋକମାନେ ବି ଧନୀ ଲୋକଙ୍କ ଭଳି ଦୃଢ ଇଚ୍ଛାଶକ୍ତିର ସହ ବଡ ବଡ ହସ୍ପିଟାଲରେ ଚିକିତ୍ସା କରିପାରୁଛନ୍ତି। ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ଏହାଦ୍ୱାରା ମିଳୁଛି ସୁନିଶ୍ଚିତ ମାଗଣା ସ୍ୱାସ୍ଥ୍ୟସେବା।

ଗ୍ରାମାଞ୍ଚଳ ଲୋକଙ୍କୁ ଆଉ ଜଟିଳ ରୋଗ ପାଇଁ ଜମି ବନ୍ଧା ରଖିବାକୁ ପଡିବନି କି ସୁନା ଗହଣା ବିକିବାକୁ ପଡିବନି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ନେଇ ୧୦ଦିନ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ।

ସ୍ୱଚ୍ଛତାର ସହ ସରକାରୀ ଅନୁଦାନ ଖର୍ଚ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭଲ କାମ କଲେ ଦ୍ୱିତୀୟ ଓ ତୃତୀୟ କିସ୍ତି ସହାୟତା ବି ମିଳିବ । ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଛି। ଏହାଦ୍ୱାରା ମହିଳା ଓ ଛାତ୍ରଛାତ୍ରୀମାନେ ୫ଟଙ୍କାରେ ଯାତ୍ରା କରିପାରୁଛନ୍ତି।

ଖୁବଶିଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ୱଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଦୁଇ ମାସ ମଧ୍ୟରେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ଯୋଜନାରେ ମିଳିବ ବ୍ୟାଙ୍କସେବା ସୁବିଧା। ଏହି ସରକାର ଲୋକଙ୍କ ସରକାର। ଭଲ କାମ କରି ନୂଆ ଓଡ଼ିଶା ଗଠନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାକୁ କାର୍ତ୍ତିକ ପାଣ୍ଡିଆନ ଆହ୍ୱାନ ଦେଇଛନ୍ତି ।

Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଚାଲିଲା ୩୬ଟି ବସ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଗଜପତି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଆମର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ। ଗାଁ କୁ ଗାଁ ସହିତ ଯୋଡିବ। ଲୋକଙ୍କ ସାମାଜିକ ସମ୍ପର୍କ ମଜବୁତ୍ ହେବ। ଏହା ଦ୍ୱାରା ଆମର ଅର୍ଥନୀତି ମଧ୍ୟ ଆହୁରି ମଜବୁତ୍ ହେବ ବୋଲି ସେ କହିଲେ।

ଏହି ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଓ ଗଜପତି ସହିତ, ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ଏହି ଯୋଜନାରେ ବସ୍ ଚାଲିବ। ଗଜପତିରେ ଆଜି ୩୬ଟି ବସ୍‌ ଚାଲିଲା। ଗଜପତିର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ବସ୍‌ ସୁବିଧା ମିଳିଲା। ଏହି ଯୋଜନା ପାଇଁ ଗଜପତିରେ ୬୯ଟି ନୂଆ ବସ୍ ଷ୍ଟପେଜ୍ ତିଆରି କରାଯାଇଛି। ପୂର୍ବରୁ ଥିବା ୬୪ଟି ବସ୍ ଷ୍ଟପେଜ୍‌ର ଉନ୍ନତିକରଣ କରାଯାଇଛି। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଏସବୁ ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ। ଘର ପାଖକୁ ଆସିବ ବସ୍। ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ। ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁର ବିକାଶ ପାଇଁ ‘ଆମ ଓଡିଶା ନବୀନ ଓଡିଶା’ ଚାଲିଛି। ଖୁବ୍ ଶୀଘ୍ର ଗଜପତି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗାଁରେ ମିଳିବ ସହରର ସୁବିଧା। ବ୍ୟାଙ୍କିଂ, ଇଣ୍ଟର୍‌ନେଟ, ଡିଜିଟାଲ ଭିତ୍ତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ।

ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ୍‌ ସମୟରେ ଶେଷ ହେବ ଏବଂ ଗଜପତିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଓଡିଶାର ସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀଙ୍କ ପରିବାର। ସେମାନେ ଯେପରି ଭଲରେ ରହିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରି ଆସୁଛନ୍ତି। ଓଡିଶାବାସୀଙ୍କ ଉନ୍ନତି ପାଇଁ ନୂଆ ନୂଆ ଯୋଜନା କରୁଛନ୍ତି। ଆଜି ଲକ୍ଷ୍ମୀ ବସ୍ ଯୋଜନା ଗାଁର ଯୋଗାଯୋଗ ବ୍ୟବସ୍ଥାରେ ରୂପାନ୍ତର ଆଣିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ଶ୍ରୀ କେ. ନାରାୟଣ ରାଓ, ଜିଲ୍ଲା ପରିଷଦର ସଭାପତି ଶ୍ରୀ ଜି. ତିରୁପତି ରାଓ ଓ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ମାରିୟାମ ରାୟତ ପ୍ରମୁଖ ମତ ବ୍ୟକ୍ତ କରି ରାଜ୍ୟରେ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲେ ବିଜେପି ନେତା

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ। ରିଜଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି। ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨ ମାସ ଭିତରେ କମିଟି ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତମାନ ୩ ମାସ ପୁରିବାକୁ ବସିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନ କରନ୍ତି, ତାହା ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଞ୍ଜେଇ ସହ କାର୍ ଓ ମୋଟରସାଇକେଲ ଜବତ, ଚାଲାଣ କାରୀ ଚମ୍ପଟ୍

ଗଜପତି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଭାଲିଆପଙ୍କ ଗ୍ରାମରେ ପାଟ୍ରୋଲିଂ କରୁଥିବା ବେଳେ ଅଡବା ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହା ସହ ୨ ଟି ମୋଟରସାଇକେଲକୁ ପୋଲିସ ଜବତ କରିଛି। ହେଲେ ଘଟଣାସ୍ଥଳରୁ ଚାଲାଣ କାରୀ ଚମ୍ପଟ୍ ମାରିବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ, ସନ୍ଦେହ ଜନକ ଭାବେ ଏକ ମାକ୍ସ ପିକ୍ଅପ୍ ଗାଡ଼ି ଛିଡ଼ା ହୋଇଥିବା ଦେଖି ଅଡବା ଥାନା ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ଓ ନିକଟରେ ଥିବା ଦୁଇଟି ମୋଟରସାଇକେଲକୁ ପୋଲିସ ଜବତ କରିଥିଲା। କିନ୍ତୁ ଏହି ଗଞ୍ଜେଇ କାରବାରର ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ଯାହା ଜଣାପଡୁଛି ପୋଲିସକୁ ଦେଖି ଚାଲାଣ କାରୀ ମାନେ ଚମ୍ପଟ୍ ମାରିଛନ୍ତି।

ପୋଲିସ ଉକ୍ତ ସମସ୍ତ ଗାଡ଼ି ଓ ଗଞ୍ଜେଇ ଜବତ୍ କରି ୧୨୬/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ସ୍ବାମୀଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ

ଗଜପତି: ଦେବେନ୍ଦ୍ର ମାଳି ନାମକ ଜଣେ ଶିକ୍ଷକ ସ୍ବାମୀଙ୍କ ବିରୋଧରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ରଶ୍ମି ବେହେରା ନାମ୍ନୀ ଜଣେ ମହିଳା ନିମଖଣ୍ଡି ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଦାଖଲ କରିଛନ୍ତି।

ରଶ୍ମି ବେହେରାଙ୍କ ଏତଲା ଅନୁଯାୟୀ ସେ ଦେବେନ୍ଦ୍ର ମାଳିଙ୍କୁ ବିବାହ କରିଛନ୍ତି। ବାହାଘର ବେଳେ ଦାବି ମୁତାବକ ୪୦ ଭରି ସୁନା, ନଗଦ ୫ ଲକ୍ଷ ଟଙ୍କା ସମେତ ବହୁ ଗୃହ ଉପକରଣ ସାମାନ ଓ ଆସବାବପତ୍ର ଇତ୍ୟାଦି ଦେବେନ୍ଦ୍ରଙ୍କୁ ତାଙ୍କ ବାପା ଦେଇଥିଲେ।

ଏତଦବ୍ୟତୀତ ଆହୁରି ଅଧିକ ଯୌତୁକ ଆଣିବା ପାଇଁ ମୋତେ ଚାପ ପ୍ରୟୋଗ ସହ ମାରପିଟ୍ କରୁଛନ୍ତି। ଏହି କିଛି ଦିନ ପୁର୍ବରୁ ମୁଁ ଶୁଣିବାକୁ ପାଇଲି ମୋତେ ବାହା ହେବା ପୁର୍ବରୁ ଦେବେନ୍ଦ୍ର ଆଉ ଜଣଙ୍କୁ ବିବାହ କରିଛନ୍ତି।

ଏହି ବିଷୟରେ ଆଲୋଚନା କରିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ସହ ମୁଁ ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ଭୋଗ କରୁଛି ଓ ଆଇନର ଦ୍ଵାରସ୍ଥ ହେବାକୁ ବାଧ୍ୟ ହୋଇଛି ବୋଲି ରଶ୍ମି ବେହେରା ପ୍ରକାଶ କରିଛନ୍ତି।

ଅଭିଯୋଗ ପାଇ ପୋଲିସ ଏତଲା ନଂ ୨୩୬/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Categories
ବିଶେଷ ଖବର

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ: ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ମିଳିବ ପାଣି

ଭୁବନେଶ୍ଵର: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ। ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍ ନିର୍ଦ୍ଦେଶ ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀ ମାଆଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ। ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜଲ୍ଲାର ଆର. ଉଦୟଗିରି ବ୍ଲକ୍‌ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି। ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ। ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର ପାଣି ମିଳିପାରିବ। ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ।

ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି। ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ୨୦୨୫-୨୬ ସୁଦ୍ଧା ଏହା ପ୍ରକଳ୍ପ ସଂପୂର୍ଣ୍ଣ ହେବ।

ଏହାପରେ ଶ୍ରୀ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ। ସେଠାରେ ଉପସ୍ଥିତ ମିଶନ ଶକ୍ତି ମହିଳା ମାନଙ୍କ ରୁପାନ୍ତରିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲରେ ନିର୍ମିତ ହୋଇଥିବା ନୂତନ ଆସେଟ୍‌ ଗୁଡିକୁ ନିଜର ସଂପତ୍ତି ପରି ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେବା ସହିତ ଭଲ ପାଠ ପଢି ଓଡିଶାର ସୁନାମ କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ।

ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍‌ ରୋଡ ଅଞ୍ଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍‌କୁ ମଧ୍ୟ ବୁଲି ଦେଖିଥିଲେ। ଟାଉନ ହଲ୍ କାମ ଶେଷ କରିବା ପାଈଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆ ଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ଗଜପତି ଜିଲ୍ଲା କଳା ଓ ସଂସ୍କୃତିର ଭୂମି। ତେଣୁ ପାରଳାଖେମୁଣ୍ଡିରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ବୋଲି ୫ଟି ସଚିବ ପ୍ରକାଶ କରିଥିଲେ।

ଶେଷରେ ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଜଳସେଚିତ ଅଞ୍ଚଳର ଚାଷୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ୧୫ ଦିନ ଭିତରେ DPR ପ୍ରସ୍ତୁତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ। ସେହିପରି ଗୋସାଣୀ ନୂଆଗାଁ ବ୍ଲକର କୃଷ୍ନ ସାଗର  ପୁନରୁଦ୍ଧାର ୧୫ କୋଟି ଟଙ୍କା ରେ କରାଯିବ। ଏହାଦ୍ୱାରା ୨ ହଜାର ହେକ୍ଟର ଜମି ପାଣି ପାଇପାରିବ। ଏହି ଯୋଜନା ପାଇଁ ୧୫ ଦିନ ଭିତରେ DPR କରିବାକୁ ୫-ଟି ସଚିବ ପରାମର୍ଶ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରତାରଣା କରି ଜେଲ୍ ଗଲେ ପୋଲିସ ସିପାହୀ

କୈଳାଶ ଚନ୍ଦ୍ର ଚୌଧୁରୀ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ଭୁବନାନନ୍ଦ ପରିଡ଼ା ନାମକ ଜଣେ ପୋଲିସ ସିପାହୀକୁ ବ୍ରହ୍ମପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଜଣେ ଘରୋଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅଭିଯୁକ୍ତ ସିପାହୀ ପିଲା ବେଳର ସ୍କୁଲ ସାଙ୍ଗ ଅଟନ୍ତି। ଉଭୟେ ବିବାହିତ। ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଦୁଇଟି ସନ୍ତାନର ଜନନୀ ତଥାପି ଉଭୟେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ ସିପାହୀ ଜଣକ ସଦର ଥାନା ଅନ୍ତର୍ଗତ ବାଇଗଣ ବାଡି ଗ୍ରାମରେ ଏକ ଭଡ଼ା ଘରେ ଆଣି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ରଖିଥିଲେ।

ଏହି ଭଳି ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହ ମନୋମାଳିନ ଘଟି ଛାଡ଼ପତ୍ର ହୋଇଥିଲା। ଏହା ମଧ୍ୟରେ ଅଭିଯୁକ୍ତ ସିପାହୀ ବିବାହର ପ୍ରତିଶୃତି ଦେଇ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୩ ଥର ଗର୍ଭପାତ କରାଇବା ସହ ତାଙ୍କ ଠାରୁ ନଗଦ ୧୨ ଲକ୍ଷ ଟଙ୍କା ମାଗି ନେଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ବିବାହ ହେବାକୁ ମନା କରିବା ସହ ନଗଦ ଟଙ୍କା ମଧ୍ୟ ଫେରିଇବାକୁ ମନା କରିଥିଲେ। ହତ୍ୟାର ଧମକ ଦେଇଥିଲେ।

ପରିଶେଷରେ ପୀଡ଼ିତା ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ସଦର ଥାନାରେ ଅଭିଯୋଗ କରିବା ପରେ ସଦର ଥାନା ପୋଲିସ୍ ମକଦ୍ଦମା ନଂ ୧୮୨/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ତାଙ୍କ ଗ୍ରାମ କାଳିଆପଟା ଗ୍ରାମରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତ ଭୁବନାନନ୍ଦକୁ କୋର୍ଟ ଚାଲାଣ କରିଛି।

Categories
RathJatra ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆଉ ଅଳ୍ପ ସମୟ ପରେ ବାହୁଡିବ ତିନି ରଥ, ଚାଲିଛି ଗଜପତିଙ୍କ ଛେରା ପହଁରା ନୀତି

ପୁରୀ, ବର୍ତ୍ତମାନ ବାହୁଡା ଯାତ୍ରା ପାଇଁ ସମସ୍ତ ରୀତିନୀତି ନିର୍ଦ୍ଧିରତ ସମୟ ପୂର୍ବରୁ ଚାଲିଛି। ତିନି ରଥର ତିନିଠାକୁର ବିରାଜମାନ କରିବା ପରେ ଏବେ ଛେରା ପହଁରା ନୀତି ଚାଲିଛି। ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚି ଏହି ବିରଳ ନୀତି ତୁଲାଉଛନ୍ତି। ଏହାପରେ ତିନିରଥରୁ ଚାରମାଳ ଫିଟାଯାଇ ରଥ ଦଉଡି ବନ୍ଧା ଯିବ। ବର୍ତ୍ତମାନ ନୀତିକୁ ଦେଖିଲେ ଆଉ ଘଣ୍ଟାଏ ପରେ ରଥ ଟଣା ଆରମ୍ଭ ହୋଇଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ସୀମା ସୁରକ୍ଷାରେ ସରକାର ବିଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି । ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଆଜି ଏ ସଂକ୍ରାନ୍ତରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ ସରକାର ଯେତେବେଳେ କୋଟିଆ ର ୨୨ଟି ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ସରକାର ଏବଂ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏଭଳି ବିଷ୍ପୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁ ଗୁଡ଼ିକୁ ଖସି ଯିବାକୁ ଯାଉଛି । ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର ସୀମାବର୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକର ବିଫଳ ହୋଇଛି ଏବଂ ତାର ସୁଯୋଗ ନେଉଛନ୍ତି ପଡୋଶୀ ରାଜ୍ୟମାନେ । କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ , ଆମର ଭାଷା ଉପରେ ମଧ୍ୟ ଅକ୍‌ତିଆର ଜାହିର କରୁଛନ୍ତି । ପଡୋଶୀ ରାଜ୍ୟମାନେ। ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଶା ଶିକ୍ଷକ ନାହାନ୍ତି । ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି ପଡ଼ୋଶୀ ରାଜ୍ୟ।ଏଥିପ୍ରତି ସରକାରଙ୍କର ନିଘା ନାହିଁ । ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି । ସରକାର ନିରବ କେମିତି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତି ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କୃତି ବିଭାଗରେ ଗଜପତି ଜିଲ୍ଲାକୁ ଉପେକ୍ଷିତ,ପାରଳା ବିଧାୟକ

ପାରଳାଖେମୁଣ୍ଡି, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ନୂତନ ପରିଷଦ ଗଠନ ହୋଇଛି, ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ ଗଠନ ହୋଇଛି, ଏଥିରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ବିଭିନ ଅନୁଷ୍ଠାନ ରୁ ୩୨ ଜଣ ଚୟନ ହୋଇଥିବା ଜଣାପଡିଛି, ତେବେ ଏଥିରେ ଗଜପତି ଜିଲ୍ଲା ରୁ କାହାକୁ ମଧ୍ୟ ସାମିଲ୍ କରାଯାଇନାହିଁ, କିନ୍ତୁ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଏବଂ ରାୟଗଡ଼ା ଜିଲ୍ଲାରୁ ଜଣ ଙ୍କୁ ପରିଷଦ ରେ ମୋନୋନିତ କରାଯାଇଥିବା ବେଳେ ଗଜପତି ରୁ ଗତ ୩ ଟି ପରିଷଦ ରେ କାହାକୁ ସାମିଲ୍ ନକରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ।

ଓଡ଼ିଶୀ ସଙ୍ଗୀତର ପ୍ରାଣକେନ୍ଦ୍ର ତଥା ପ୍ରଥମ ଓଡ଼ିଆ ନାଟକ ତଥା ରଙ୍ଗମଚକୁ ସୃଷ୍ଟି କରିଥିବା ପାରଳାମାଟି ତଥା ଗଜପତି ଜିଲ୍ଲାକୁ କ୍ରମାଗତ ଭାବେ ସାଂସ୍କୃତିକ କ୍ଷେତ୍ରରେ ଓଡିଶା ସରକାର ଅବହେଳା କରି ଆସୁଛନ୍ତି ଦୀର୍ଘ ୧୦ ବର୍ଷ ହେଲା ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପରିଷଦରେ ଗଜପତି ଜିଲ୍ଲାର କୌଣିସ ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷକୁ ଅନ୍ତର୍ଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

ଗତ ୧୦ ବର୍ଷ ମଧ୍ୟ ରେ ଗଜପତି ରେ ଏକାଡେମୀ ର କୌଣସି କାର୍ଯ୍ୟକ୍ରମ ହୋଇପାରିନି,ଏପରିକି ଦୀର୍ଘ ୨୫ ବର୍ଷ ମଧ୍ୟରେ ଏଠାକାର କୌଣସି କଳାକାରଙ୍କୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ କରାନଯିବା ଏଠାରେଥିବା ବିଶିଷ୍ଟ ଓ ଅଭିଜ୍ଞ କଳାକାରମାନଙ୍କୁ ହତାଶ ସୃଷ୍ଟି କରିଛି । ତେଣୁ ଆଗାମୀ ଦିନରେ ସଂସ୍କୃତି ବିଭାଗ ପକ୍ଷରୁ ଗଜପତି ଜିଲ୍ଲା କୁ ଗୁରୁତ୍ୱ ଦେବା ସହ ଏକାଡେମୀ ରେ ଜିଲ୍ଲା ମଧ୍ୟରୁ ଜଣକୁ ସାମିଲ କରିବାକୁ ଦାବି କରି ବିଭାଗୀୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ପାରଳା ବିଧାୟକ କେ. ନାରାୟଣ ରାଓ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନଷ୍ଟ କରାଗଲା ଚାଷ କରାଯାଇଥିବା ୧୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଂଜେଇ ଗଛ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଜପତି ଜିଲ୍ଲା ବର୍ତ୍ତମାନ ଗଂଜେଇ ଚୋରା ଚାଲାଣର ମୁଖ୍ୟ ଆଡ୍ଡା ପାଲଟିଥିବାବେଳେ ଗଜପତିରୁ ବ୍ରହ୍ମପୁର ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଗଂଜେଇ ଚାଲାଣ ହେଉଛି। ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ଏକର ଏକର ଗଂଜେଇ ଗଛ ଚାଷ କରାଯାଉଥିବାବେଳେ ଆଜି କୋଟି କୋଟି ଟଙ୍କାର ଗଂଜେଇ ଗଛକୁ କାଟି ନଷ୍ଟ କରାଯାଇଛି।

ଆଜି ଚନ୍ଦ୍ରଗିରି ମୋହନା ଓପି କର୍ମଚାରୀ, ଥାନା, ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବୁଡ଼ୁନି ଏବଂ କଡ଼ାମୁଳି ସଂରକ୍ଷିତ ଜଂଗଲ ମଧ୍ୟରେ ଚଢ଼ାଉ କରାଯାଇ ପ୍ରାୟ ୮୬.୪ ଏକରରେ ଲଗାଯାଇଥିବା ଗଂଜେଇ ଗଛକୁ କାଟିବା ପରେ ପୋଡ଼ି ନଷ୍ଟ କରାଯାଇଥିଲା। ଏହି ଗଂଜେଇ ଗଛର ଆନୁମାନିକ ମୂଲ୍ୟ ୧୭ କୋଟି ୨୮ ଲକ୍ଷ ଟଙ୍କା ହେବ  ଏନେଇ ମୋହନା ଥାନାରେ ୧୯୮/୨୦, ୟୁ/ଏସ୍ ୨୦(ଏ)(ଆଇ) ଏଡ଼୍‌ଡ଼ିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ

ଭୁବନେଶ୍ବର, ଆଜି ରାଜ୍ୟର ପାଞ୍ଚୋଟି ଜିଲ୍ଲାର ପ୍ରବଶ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ମାଲକାନାଗିରି, ରାୟଗଡା, ଗଜପତି ଏବଂ ନବରଂଗପୁର। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହିପରି 10ଟି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ଗଂଜାମ, ପୁରୀ ନୟାଗଡ, ବୌଦ୍ଧ, ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ।

Categories
ଆଜିର ଖବର ରାଜ୍ୟ ଖବର

ଆଜି 10ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି

ଭୁବନେଶ୍ବର  : ରାଜ୍ୟରେ ଆଜି  କରୋନା ଯୋଗୁଁ ସର୍ବାଧିକ 10ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3 ଓ ସୁନ୍ଦରଗଡ ଓ ବାଲେଶ୍ବରରୁ ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଜପତି, ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 73କୁ ବୃଦ୍ଧି ହୋଇଛି ।

ଗଞ୍ଜାମର ତିନି ମୃତକଙ୍କ ବୟସ ଯଥାକ୍ରମେ 60, 30 ଓ 60 ବର୍ଷୀୟ ବ୍ୟକ୍ତି । ସୁନ୍ଦରଗଡର 60 ଓ 54 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରର ଦୁଇ ମୃତକ ହେଲେ 60 ବର୍ଷୀୟା ମହିଳା ଓ 37 ବର୍ଷୀୟ ଯୁବକ । ସେହିପରି ଗଜପତିରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 37, ଝାରସୁଗୁଡାରୁ ଆକ୍ରାନ୍ତଙ୍କ ବୟସ 61, ରାଗୟଡାର 47 ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 6 ଜଣଙ୍କ ଜୀବନ ଗଲା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରୁ ଆଜି 6ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 59ରେ ପହଞ୍ଚିଥିବାବେଳେ  ଗଜପତିରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା 97କୁ ବୃଦ୍ଧି ହୋଇଛି ।

ଆଜି ମୃତ୍ୟବରଣ କରିଥିବା ଗଞ୍ଜାମର ପାଞ୍ଚଜଣ ମୃତକଙ୍କ ମଧ୍ୟରେ ଜଣେ 42 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍‌ରେ ପୀଡ଼ିତ ରହିଥିଲେ । ସେହିପରି ଅନ୍ୟ ଜଣେ 54 ବର୍ଷୀୟ ପୁରୁଷ ରହିଛନ୍ତି ।  ଅନ୍ୟ ତିନି ଆକ୍ରାନ୍ତଙ୍କ ମଧ୍ୟରେ 52 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନ୍ସରେ ପୀଡ଼ିତ ଥିଲେ । ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 70 ଓ 40 ବର୍ଷ ବୋଲି ସୂଚନା ରହିଛି । ସେହିପରି ଗଜପତିରୁ ମୃତ୍ୟୁବରଣ କରିଥିବା ମୃତକ ଜଣକ 55 ବର୍ଷୀୟା ମହିଳା ଥିବାବେଳେ ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

25 ଜିଲ୍ଲାରୁ736, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ 736 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  25ଟି ଜିଲ୍ଲାରୁ ମୋଟ୍‌ 736 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 247 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 107, କୋରାପୁଟରୁ 45, ଜଗତସିଂହପୁର ଓ ଯାଜପୁରରୁ 40 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଜପତିରୁ 39, ବାଲେଶ୍ବରରୁ 33, କଟକରୁ 27, ସମ୍ବଲପୁରରୁ 25, ଅନୁଗୁଳୁରୁ 22, ମାଲ୍‌କାନଗିରିରୁ 18,  ସୁନ୍ଦରଗଡରୁ 17 , ପୁରୀରୁ 14, ମୟୂରଭଞ୍ଜରୁ 12, ନୟାଗଡରୁ10, ରାୟଗଡା ଓ ବୌଦ୍ଧରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ 7,  ଭଦ୍ରକରୁ 5, ବଲାଙ୍ଗିରରୁ 4 ଜଣ ଚିହ୍ନଟ ହୋଇଛନ୍ତି । ବରଗଡରୁ 3, କଳାହାଣ୍ଡିରୁ 2 ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେଉଁଝର, ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

22ଟି ଜିଲ୍ଲାରୁ ଆଜି 618 ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ହୋଇଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ 618 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22ଟି ଜିଲ୍ଲାରୁ ଆଜି 618ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 286 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଖୋର୍ଦ୍ଧାରୁ 107, ବାଲେଶ୍ବରରୁ 61, ଜଗତସିଂହପୁରରୁ 26, ମୟୂରଭଞ୍ଜରୁ 21, କଟକରୁ 16, ନୟାଗଡ ଓ ସୁନ୍ଦରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ 14, ମାଲ୍‌କାନଗିରିରୁ 13, ସମ୍ବଲପୁରରୁ 10, କେନ୍ଦ୍ରାପଡାରୁ 9,  ଯାଜପୁରର, ପୁରୀ ଓ କେଉଁଝରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ବଲାଙ୍ଗିର, ଢେଙ୍କାନାଳ ଓ ବୌଦ୍ଧରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡା, ଝାରସୁଗୁଡା, କୋରାପୁଟ, ଭଦ୍ରକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

19 ଜିଲ୍ଲାରୁ 570, ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ଆକ୍ରାନ୍ତ

ଭୁବନେଶ୍ବର : ଆଜି  ରାଜ୍ୟରେ 570ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 19ଟି ଜିଲ୍ଲାରୁ 570ଜଣ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 218 ଚିହ୍ନଟ ହୋଇଥିବାବେଳେ କଟକରୁ 46,  ସୁନ୍ଦରଗଡରୁ 44, ଯାଜପୁରରୁ 40, ଖୋର୍ଦ୍ଧା ଓ ନୟାଗଡରୁ 37 ଜଣ ଲେଖାଏଁ ରହିଥିବାବେଳେ,ଝାରସୁଗୁଡାରୁ 31, ଗଜପତିରୁ 25, ପୁରୀରୁ 15, ଜଗତସିଂହପୁରରୁ 16, କେଉଁଝରରୁ 14, କେରାପୁଟ ଓ ଅନୁଗଳୁର 11ଜଣ ଲେଖାଏଁ ରହିଛନ୍ତି । ସେହିପରି, ମୟୂରଭଞ୍ଜରୁ 10,କେନ୍ଦ୍ରାପଡାରୁ 6, ବୌଦ୍ଧ ଓ ବାଲେଶ୍ବରରୁ 3ଜଣ ଲେଖାଏଁ ରହିଛନ୍ତି । ଭଦ୍ରକରୁ 2 ଜଣ ରହିଥିବାବେଳେ ସମ୍ବଲପୁରରୁ ଜଣେ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

21 ଜିଲ୍ଲାରୁ 571, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ଜିଲ୍ଲାରୁ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 273 ଚିହ୍ନଟ ହୋଇଥିବାବେଳେ ଗଜପତିରୁ 56, ସୁନ୍ଦରଗଡରୁ 51, ଖୋର୍ଦ୍ଧାରୁ 37, କଟକରୁ 29, ବାଲେଶ୍ବରରୁ 28,  ଜଗତସିଂହପୁରରୁ 17, ଯାଜପୁରରୁ 16, ମୟୂରଭଞ୍ଜରୁ 14,ରାୟଗଡାରୁ 10,  କେଉଁଝର ଓ ନବରଙ୍ଗପୁରରୁ  7, ସମ୍ବଲପୁରରୁ 6, ବଲାଙ୍ଗିରରୁ 5, ଅନୁଗୁଳ ଓ ପୁରୀରୁ 4, କେନ୍ଦ୍ରାପଡାରୁ 3,  ଝାରସଗୁଡା, ନୟାଗଡ, ଭଦ୍ରକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍‌ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁହୋଇଛି । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 7, କଟକରୁ 4, ପୁରୀ ଓ ଅନୁଗୁଳ ଓବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିଲେ । ଏବେ ଦୁଇ ନୂଆ ଜିଲ୍ଲା ଅର୍ଥାତ୍‌ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନ ପାଇଁ ପାରଳାଖେମୁଣ୍ଡି ସହର ସଟ୍‌ଡାଉନ୍‌

ପାରଳାଖେମୁଣ୍ଡି : ତିନିଦିନ ପାଇଁ ପାରଳାଖେମୁଣ୍ଡି ସହରକୁ ସଟ୍‌ଡାଉନ୍‌ ଘୋଷଣା କଲେ ଗଜପତି ଜିଲ୍ଲାପାଳ । 28 ତାରିଖରୁଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ରହିବ । କେବଳ ଜରୁରୀ ମେଡ଼ିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି । କରୋନା ଲକ୍ଷଣ ଯାଞ୍ଚ ପାଇଁ 40 ମେଡ଼ିକାଲ ଟିମ୍‌ କାର୍ଯ୍ୟ କରିବେ। ସଟ୍‌ଡାଉନ୍‌ ସମୟରେ  ଜନସାଧାରଣଙ୍କୁ ସହଯୋଗ ପାଇଁ ଟୁଇଟ୍‌ ଯୋଗେ ଜିଲ୍ଲାପାଳ ନିବେଦନ କରିଛନ୍ତି । କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ ସଟ୍‌ଡାଉନ୍‌ ରହିବ । ଗୋଷଣୀ ଓ ଗୁମ୍ମା, ବ୍ଲକ ମଧ୍ୟ ସଟ୍‌ଡାଉନ୍‌ ରହିବ। ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରକୁ 4 ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି ।