ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲେ ବିଜେପି ନେତା

Published: Oct 18, 2023, 5:51 pm IST
SamirBJP

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ। ରିଜଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି। ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨ ମାସ ଭିତରେ କମିଟି ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତମାନ ୩ ମାସ ପୁରିବାକୁ ବସିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନ କରନ୍ତି, ତାହା ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ।

Related posts