Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରତ୍ନ ଭଣ୍ଡାରରେ ଥିବା ଜିନିଷର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି।

ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ-

– ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ଉପାଧ୍ୟକ୍ଷ
– ଡ. ବିଧୁଭୁଷଣ ସାମଲ, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD
– ଶ୍ରୀ ଏ.କେ. ସାବତ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ,
– ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିବ୍ୟସିଂହ ଦେବ ଙ୍କ ପ୍ରତିନିଧି

– ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି

– ଶ୍ରୀ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ସେବକ ପ୍ରତିନିଧି
– ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର, ସେବକ ପ୍ରତିନିଧି
– ଶ୍ରୀ ଜଗନ୍ନାଥ କର , ସେବକ ପ୍ରତିନିଧି
– ଶ୍ରୀ ଗଣେଶ ମେକାପ, ଭଣ୍ଡାର ମେକାପ ସେବକ
ଏବଂ
– ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ.
– ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ- ସଦସ୍ୟ ଆବାହକ ଭାବରେ କାର୍ଯ୍ୟ କରିବେ

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲେ ବିଜେପି ନେତା

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ। ରିଜଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି। ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨ ମାସ ଭିତରେ କମିଟି ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତମାନ ୩ ମାସ ପୁରିବାକୁ ବସିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନ କରନ୍ତି, ତାହା ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସତ୍ୟପାଠକୁ ମିଥ୍ୟା ବୋଲି କହିବା ପୃଥ୍ୱୀରାଜଙ୍କ ହୀନ ମାନସିକତାକୁ ଦର୍ଶାଉଛି: ବିଜେଡି

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। କୌଣସି ବିଷୟରେ କିଛି ନ ଜାଣିଥିଲେ ବି ଯାହା ମନକୁ ଆସିଲା, ତାହା ଗପି ଚାଲନ୍ତି। ଓଡ଼ିଶାବାସୀ ତାଙ୍କର ଏଭଳି ଜୋକର ସ୍ୱଭାବ ବିଷୟରେ ଭଲ ଭାବେ ଅବଗତ ଥିବାରୁ କେହି ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ।

ପୃଥ୍ୱୀରାଜ ବାବୁଙ୍କ ଭଳି ଓଡ଼ିଶା ବିଜେପିର ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନ ମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଖଲ କରାଯାଇଥିବା ଏ ସମ୍ପର୍କିତ ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି। ମହାପ୍ରଭୁଙ୍କ ନାଁରେ ମିଛ କହିବା କେବଳ ତାଙ୍କ ଭଳି ମିଥ୍ୟାବାଦୀମାନେ ହିଁ ଚିନ୍ତା କରିପାରନ୍ତି।

ପୃଥ୍ୱୀରାଜ ବାବୁଙ୍କୁ ଯଦି ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ ମିଥ୍ୟାପାଠ ଭଳି ଲାଗୁଛି, ସେ ଏହା ବିରୋଧରେ ହାଇକୋର୍ଟକୁ ଯାଉନାହାନ୍ତି କାହିଁକି? ସବୁ ଆଡ଼ୁ ହତାଶ ହୋଇ ଏମିତି ବାଉଳିଚାଉଳି ହେଉଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।