Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରତ୍ନ ଭଣ୍ଡାରରେ ଥିବା ଜିନିଷର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି।

ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ-

– ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ଉପାଧ୍ୟକ୍ଷ
– ଡ. ବିଧୁଭୁଷଣ ସାମଲ, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD
– ଶ୍ରୀ ଏ.କେ. ସାବତ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ,
– ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିବ୍ୟସିଂହ ଦେବ ଙ୍କ ପ୍ରତିନିଧି

– ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି

– ଶ୍ରୀ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ସେବକ ପ୍ରତିନିଧି
– ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର, ସେବକ ପ୍ରତିନିଧି
– ଶ୍ରୀ ଜଗନ୍ନାଥ କର , ସେବକ ପ୍ରତିନିଧି
– ଶ୍ରୀ ଗଣେଶ ମେକାପ, ଭଣ୍ଡାର ମେକାପ ସେବକ
ଏବଂ
– ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ.
– ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ- ସଦସ୍ୟ ଆବାହକ ଭାବରେ କାର୍ଯ୍ୟ କରିବେ

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲେ ବିଜେପି ନେତା

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଆଜି ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଏବଂ ସୁରକ୍ଷା ପ୍ରସଙ୍ଗରେ ବହୁ ଆଶା ରଖିଛନ୍ତି ଅଗଣିତ ଜଗନ୍ନାଥପ୍ରେମୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏକ କମିଟି ଗଠନ କରାଯାଇ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲୁ। ରିଜଲ୍ୟୁସନ ମାଧ୍ୟମରେ ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଏବଂ ସେ ନିଜେ ବହୁ ଆଶାବାଦୀ ଅଛନ୍ତି ବୋଲି ଗଜପତି ମହାରାଜ ପ୍ରତିନିଧିମଣ୍ଡଳୀଙ୍କୁ କହିଛନ୍ତି। ବର୍ତମାନ ରତ୍ନଭଣ୍ଡାର ଖୋଲିବାର ସଂପୂର୍ଣ୍ଣ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ଏବଂ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨ ମାସ ଭିତରେ କମିଟି ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତମାନ ୩ ମାସ ପୁରିବାକୁ ବସିଲାଣି, କିନ୍ତୁ ବର୍ତମାନ ସୁଦ୍ଧା କମିଟି ଗଠନ କରାଗଲା ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଯଦି ରାଜ୍ୟ ସରକାର ତୁରନ୍ତ କମିଟି ଗଠନ ନ କରନ୍ତି, ତାହା ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ବିରୁଦ୍ଧରେ ପୁଣି ଥରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବି ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ତଥା ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରତ୍ନଭଣ୍ଡାର ଖୋଲିବା ମାମଲା: କମିଟ ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିବା ପିଆଇଏଲ ର ଶୁଣାଣି କରି ଏହି ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ରାୟ ଦେଇଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ଏହି ନିଷ୍ପତି ଉପରେ ସରକାର ଏକ କମିଟ ଗଠନ କରନ୍ତୁ। ଏଥିରେ ସେବାୟତ ଇଂଜିନିୟରଙ୍କୁ ନିଆଯାଇ ନିଷ୍ପତି ଗ୍ରହଣ କରାଯାଉ।

ତେବେ ପ୍ରଥମେ ରତ୍ନଭଣ୍ଡାରର ମରାମତି କାମ କରାଯାଉ। ଏହି କମିଟ ମରାମତି କାମକୁ ତଦାରଖ କରିବେ ବୋଲି କୋର୍ଟ କହିଛନ୍ତି। ଦୁଇମାସ ମଧ୍ୟରେ ଏହି କମିଟ ଗଠନ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଖୋଲିବ ରତ୍ନ ଭଣ୍ଡାର, ମନ୍ଦିର ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଜାଣନ୍ତୁ କେବେ

ପୁରୀ:ଶେଷରେ ବହୁ ବାଦବିବାଦ ପରେ ମହାପ୍ରଭୃଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଏହି ବୈଠକର ନିଷ୍ପତି ଅନୁସାରେ ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ଖୋଲାଯିବ। ସେଥିପାଇଁ ଏହି ବୈଠକରେ ଏଏସଆଇ କୁ ଅନୁମତି ପ୍ରଦାନ କରିବାକୁ ନିଷ୍ପତି କରାଯାଇଛି।

ରଥଯାତ୍ରା ବେଳେ ତିନିଠାକୁର ଶ୍ରୀମନ୍ଦିରରେ ନ ଥିବେ ଏବଂ ଏହି ସର୍ଭେ କରିବା ପାଇଁ ସୁବିଧା ହେବା ନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି। ଏ ନେଇ ବୈଠକେ ବହୁ ସମୟ ଆଲୋଚନା କରାଯାଇଥିଲା। ଠାକୁର ମନ୍ଦିରରେ ରହିବା ସମୟରେ ନା ନ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ ହେଲେ ଭଲ ସେ ନେଇ ଆଲୋଚନା ହୋଇ ନ ଥିଲା। ଶେଷରେ ତିନିଠାକୁର ନ ଥିବା ବେଳେ ଅର୍ଥାତ ଆସନ୍ତା ରଥଯାତ୍ରାରେ ଏହି ଯାଞ୍ଚ କରାଯିବ।

ତେବେ ଏ ନେଇ ମନ୍ଦିର ପରିଚାଳନା କମିଟ ରାଜ୍ୟ ସରକାରଙ୍କୁ ଏକ ଚିଠି କରିବେ। ଏହି ଯାଞ୍ଚ ବେଳେ ଏକ ବିଚାରବିଭାଗୀୟ କମିଟ ଗଠନ ଉପସ୍ଥିତ ରହିବାକୁ ଅନୁରୋଧ କରିବେ। ରାଜ୍ୟ ସରକାର ସେହି କମିଟ ଗଠନ କରିବେ। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ ଆଉ ଏକ କମିଟ ଗଠନ କରିବେ। ଏଥିରେ ଏଏସଆଇ ଟିମ ସହିତ ବୈଷୟିକ ଦଳ ଏବଂ ସେବାୟତ ଓ ପ୍ରଶାସକ ସାମିଲ ହେବେ।

ଏହି ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମିଡିଆକୁ କହିଛନ୍ତି ଯେ, ଏଏସଆଇ ରତ୍ନ ଭଣ୍ଡାର ଯାଞ୍ଚ କରିବା ପାଇଁ ମନ୍ଦିର ପ୍ରଶାସନଙ୍କୁ ଏକ ଚିଠି କରିଥିଲେ। ସେହି ଚିଠି ଉପରେ ବିସ୍ତୁତ ଆଲୋଚନା ହେବା ପରେ ପରିଚାଳନା କମିଟ ଏହି ନିଷ୍ପତି କରିଛନ୍ତି। ତେବେ ଏଏସଆଇ ଏହି ଯାଞ୍ଚ ବେଳେ ଯେପରି ଅତ୍ୟାଧୁନିକ ତଥା ଡିଜିଟାଲ ଉପକରଣ ବ୍ୟବହାର କରିବ ସେ ନେଇ ଅନୁରୋଧ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରତ୍ନ ଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ; କଂଗ୍ରେସ

ଭୁବନେଶ୍ୱର: ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧାସଳଖ ନିଶାଣ କରିଛି କଂଗ୍ରେସ । ସରକାର ନକଲି ଚାବି ଖୋଜିବାପାଇଁ ଦୁଇଟି ଟିମ୍ ଗଠନ କରିଥିଲେ। କିନ୍ତୁ ଅସିଲି ଚାବି ଖୋଜିବାପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ଆଜି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରାଯାଇଛି।

ଯେତେବେଳେ ସାରା ରାଜ୍ୟ ରତ୍ନ ଭଣ୍ଡାର ଖୋଲିବା ଦାବିରେ ପଡ଼ୁଛି ଉଠୁଛି ହୁ ହୁ ହୋଇ ଆନ୍ଦୋଳନର ବର୍ଣ୍ଣି ରାଜ୍ୟବ୍ୟାପି ଜଳୁଛି ପ୍ରସଙ୍ଗର ଉଷ୍ମତାକୁ ପ୍ରଶମିତ କରିବାପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇଥିଲେ ଏବଂ କମିଶନ ତାଙ୍କ ରିପୋର୍ଟ ୨୯.୧୧.୨୦୧୮ରୁ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରିବା ପରେ ମଧ୍ୟ ରାଜ୍ୟ ସରକାର ତଦନ୍ତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଆଗତ କରୁଛନ୍ତି ନା ରତ୍ନ ଭଣ୍ଡାର ଖୋଲିବା ଦିଗରେ କୌଣସି ପଦକ୍ଷେପ ନେଉଛନ୍ତି ବୋଲି କଂଗ୍ରେସ କହିଛି ।

ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ରତ୍ନ ଭଣ୍ଡାର ଚାବି ହଜିବା ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ । ଆମେ ଆଶଙ୍କା କରୁଛୁ ରାଜ୍ୟବାସୀଙ୍କ ଚାପ ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଟେମ୍ପୁଲ ମ୍ୟାନେଜମେଂଟ କମିଟିର ନିଷ୍ପତିର ୫ବର୍ଷପରେ ମଧ୍ୟ ସରକାର ରତ୍ନଭଣ୍ଡାର ନ ଖୋଲିବା ସୂଚାଉଛି ଯେ ସରକାରଙ୍କ ଜ୍ଞାତ ସାରରେ ରତ୍ନଭଣ୍ଡାର ଲୁଟ ହୋଇଛି ।

ଯଦି ସରକାର ଏବଂ ସରକାରଙ୍କ ମୁଖିଆ ମୁଖ୍ୟମନ୍ତ୍ରୀ ୪.୫ କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି କହୁଛନ୍ତି ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କର ରତ୍ନ ସୁରକ୍ଷିତ ଅଛିବୋଲି ପ୍ରମାଣ ଦେଇ କଂଗ୍ରେସର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।