ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ସ୍ୱତନ୍ତ୍ର ନାମଗୁଡ଼ିକର ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ପ୍ରଦାନ କରିବା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି କ୍ରମରେ ଟ୍ରେଡ୍ମାର୍କ ରେଜିଷ୍ଟ୍ରି ପକ୍ଷରୁ ‘ଶ୍ରୀମନ୍ଦିର’ (ବର୍ଗ ୧୯ ଓ ୪୫), ‘ରତ୍ନଭଣ୍ଡାର’ (ବର୍ଗ ୧୪ ଓ ୪୫) ଏବଂ ‘ଶ୍ରୀନହର’ (ବର୍ଗ ୧୯) ନାମରେ ଦାଖଲ ହୋଇଥିବା ଟ୍ରେଡ୍ମାର୍କ ଆବେଦନଗୁଡ଼ିକ ପ୍ରକାଶନ ପାଇଁ ଗ୍ରହଣ କରାଯାଇଛି। ଏହା ଶ୍ରୀମନ୍ଦିରର ଅନନ୍ୟ ସାଂସ୍କୃତିକ ପରିଚୟର ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ‘ଆନନ୍ଦ ବଜାର’, ‘ପତିତପାବନ’ ଏବଂ ‘ନୀଳଚକ୍ର’ ଲୋଗୋ ଭଳି ତିନୋଟି ନାମ ଓ ପ୍ରତୀକ ଟ୍ରେଡ୍ମାର୍କ ସୁରକ୍ଷା ପାଇଁ ଅନୁମୋଦିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ନାମ – ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଏବଂ ‘କୋଇଲି ବୈକୁଣ୍ଠ’ ଟ୍ରେଡ୍ମାର୍କ ରେଜିଷ୍ଟ୍ରି ଦ୍ୱାରା ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିଲା।
ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ତଥା ଶ୍ରୀମନ୍ଦିର ସହ ନିବିଡ଼ ଭାବେ ସମ୍ପୃକ୍ତ ପବିତ୍ର ନାମ ଓ ପ୍ରତୀକଗୁଡ଼ିକର ଅନଧିକୃତ କିମ୍ବା ବାଣିଜ୍ୟିକ ବ୍ୟବହାରକୁ ରୋକିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦିଗରେ ମୋଟ ୨୯ଟି ଟ୍ରେଡ୍ମାର୍କ ଆବେଦନ କରାଯାଇଛି। ଅବଶିଷ୍ଟ ଆବେଦନଗୁଡ଼ିକର ଆବଶ୍ୟକ ପ୍ରକ୍ରିୟା ଚାଲିଥିବା ବେଳେ, ଶ୍ରୀଜଗନ୍ନାଥ ମନ୍ଦିର ସହ ସମ୍ପୃକ୍ତ ଐତିହ୍ୟର ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି।


