ପାରଳାଖେମୁଣ୍ଡି (କୈଳାଶ ଚନ୍ଦ୍ର ଚୌଧୁରୀ): ନିକଟ ଅତିତରେ ରାଜ୍ୟ ବାହାରୁ (ହାଇଦ୍ରାବାଦ) କୁ ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଗଜପତି ଦ୍ୱାରା ଉଦ୍ଧାର କରି ଥଇଥାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ଶିଶୁ ଚାଲାଣ ମୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିମ୍ନଲିଖିତ କାର୍ଯ୍ୟକ୍ରମ ହାତକୁ ନେଇଛି। ଯେପରିକି ଚିହ୍ନଟ ହୋଇଥିବା ଅସୁରକ୍ଷିତ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୧୧୨ଟି ଗ୍ରାମରେ ଶିଶୁ ଚାଲାଣ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ସମ୍ପୂର୍ଣ୍ଣ କରାଯାଇଛି। ଅସୁରକ୍ଷିତ ଗ୍ରାମ ପଞ୍ଚାୟତଗୁଡ଼ିକ ଅଧୀନରେ ଥିବା ୧୦୭ଟି ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ବୈଠକ ଆୟୋଜନ କରାଯାଇଛି।
ଶିଶୁ ଚାଲାଣର ଆଶଙ୍କା ଥିବା ଶିଶୁମାନଙ୍କୁ ଚିହ୍ନଟ ଓ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥ, ବସ୍ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍ ଗୁଡ଼ିକରେ ଅଚାନକ ଯାଞ୍ଚ ଆରମ୍ଭ କରାଯାଇଛି। ଚିହ୍ନଟ ହୋଇଥିବା ୩ଟି ଅସୁରକ୍ଷିତ ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ୩ଟି ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଗଜପତି ଜିଲ୍ଲାପାଳ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ସମସ୍ତ ସଭାପତିଙ୍କୁ ନିୟମିତ ଭାବେ ବୈଠକ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।
ଗତ ତା ୩୧.୮.୨୦୨୬ ରିଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶ୍ରମ ବିଭାଗ, ଶିଶୁ ସହାୟତା କେନ୍ଦ୍ର ଓ ପୋଲିସ ବିଭାଗର ମିଳିତ ଭାବେ ଯାନବାହାନ ଯାଞ୍ଚ ପ୍ରକିୟା ପାରଳାଖେମୁଣ୍ଡିର ଫରେଷ୍ଟ ଗେଟ, ପୁରୁଣାପାଟଣା ରାସ୍ତା, ପାରଳାଖେମୁଣ୍ଡି ବସଷ୍ଟାଣ୍ଡ, ରାଣିପେଣ୍ଠ ଛକ ଓ ରେଲୱେ ଷ୍ଟେସନ ଆଦି ପରିଭ୍ରମଣ କରି ଯାଞ୍ଚ କରିବା ବେଳେ ରେଲୱେ ଷ୍ଟେସନରୁ ବିଶାଖା ପାଟନମକୁ ଚାଲାଣ ହେଉଥିବା ଏକ ୧୬ ବର୍ଷର ଶିଶୁ (ବାଳକ) କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥାପନ କରାଯାଇଛି। ଶିଶୁ କଲ୍ୟାଣ ସମିତି ଉକ୍ତ ଶିଶୁଙ୍କୁ ଉତ୍କଳ ବାଳଶ୍ରମ ପାରଳାଖେମୁଣ୍ଡିରେ ଥାଇଥାନ କରିଛନ୍ତି। ଶିଶୁ ଚାଲାଣକୁ ବନ୍ଦ କରିବା ପାଇଁ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ଗନ୍ତବ୍ୟ ସ୍ଥଳଗୁଡିକରେ ଯାତାୟତ କରୁଥିବା ଯାନବାହାନକୁ ନିୟମିତ ଯାଞ୍ଚ କରାଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି।


