Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ନୂଆପଡ଼ା ଗସ୍ତ, ପାଞ୍ଚୋଟି ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।

ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶନ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ

ଖଡିଆଳ ସବଡିଭିଜିନାଲ ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା ନ୍ୟାସନାଲ କଲେଜ ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ପୁରୀ ଓ କଟକ ଗସ୍ତ, ଜୁନ ୧୫ ସୁଦ୍ଧା ସଂପୂର୍ଣ୍ଣ ହେବ ନେତାଜୀ ବସ ଟର୍ମିନାଲ ନିର୍ମାଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ରାଜ୍ୟ ସରକାରଙ୍କ ଐତିହ୍ୟ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଆନ୍ତର୍ଜାତିକ ସ୍ତରରେ ଏକ ଗୃରୁତ୍ଵପୂର୍ଣ୍ଣ ଐତିହ୍ୟ ସ୍ଥଳ ଭାବରେ ଏହା ପୁରୀର ଗୁରୁତ୍ଵ ବୃଦ୍ଧି କରିବ। ପ୍ରତି ସପ୍ତାହରେ ପୁରୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ଅପରାହ୍ନରେ  ଶ୍ରୀ ପାଣ୍ଡିଆନ କଟକ ଯାଇ ପ୍ରଥମେ ଖାନ୍ ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲ ର ନିର୍ମାଣ କାର୍ଯ୍ୟ ବୁଲି ଦେଖି ଥିଲେ ଏବଂ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟର ସମୀକ୍ଷା କରି ଥିଲେ। ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ ଶେଷ ହେବ ବୋଲି ସମୀକ୍ଷାରୁ ଜଣା ଯାଇଛି।

ସୂଚନା ଯୋଗ୍ୟ ଯେ ୧୫ ଏକର ପରିମିତ ଅଂଚଳରେ ନିର୍ମାଣାଧୀନ ଏହି ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ ଶୁଭ ଦେଇଥିଲେ। ଏଥିପାଇଁ ସତୁରୀ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ଏଥିରେ ୧୮୦ ଟି ବସ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରା ଯାଉଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଆନ୍ତ ରାଜ୍ୟ ବସ ଚଳରେ ସୁବିଧା ଆସିବ।

ଏହା ପରେ ଶ୍ରୀ ପାଣ୍ଡିଆନ ମା କଟକ ଚଣ୍ଡୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ, ରାସ୍ତା ନିର୍ମାଣ ଆଦି କାମ ବୁଲି ଦେଖିଥିଲେ।
ସମୀକ୍ଷାରୁ ଜଣା ଯାଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ରୂପାନ୍ତର କାର୍ଯ୍ୟ ଶେଷ ହେବ। ଚଣ୍ଡି ମନ୍ଦିର ରୂପାନ୍ତର ପାଇଁ ଚାଳିଶ କୋଟି ଟଙ୍କା ଖର୍ଚ କରାଯାଉଛି। ନୂଆବର୍ଷ ରେ ଚଣ୍ଡି ମନ୍ଦିର ର ରୂପାନ୍ତର କାମ ଭକ୍ତଙ୍କ ସେବା ରେ ଲୋକାର୍ପିତ ହେବ।

ଶ୍ରୀ ପାଣ୍ଡିଆନ ଏହାପରେ ରାଣୀ ହାଟ କ୍ଲକ୍ ଟାୱାର, ତାଳଦଣ୍ଡା କେନାଲ, ଛତରା ବଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଏସବୁ ସ୍ଥାନରେ ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ କଟକ ଡିସିପି ଶ୍ରୀ ପିନାକ ମିଶ୍ର ଓ, ସିଡିଏ ଅଧ୍ୟକ୍ଷ ଶ୍ରୀ ଅନିଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବଡିଭୋରରୁ ପୁରୀ, ମା ମଙ୍ଗଳା ମନ୍ଦିର ଦର୍ଶନ ସହ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ବଡି ଭୋରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ସେ ଶ୍ରୀମନ୍ଦିରରେ ଶ୍ରୀ ଜୀୟୁଙ୍କୁ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରିଥିଲେ। ସେ ଉତ୍ତରଦ୍ବାରରୁ ପଶ୍ଚିମଦ୍ବାର ଓ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ ସମ୍ପର୍କରେ ପଚାରି ବୁଝିଛନ୍ତି।

ଏହାପରେ ସେ ବାଲିଗୁଆଳି ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଉଥିବା ନିର୍ମାଣ କାମକୁ ମଧ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି।

୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରାଯାଉଛି । ନିର୍ମାଣକାରୀ ସଂସ୍ଥା ପକ୍ଷରୁ କାମର ଅଗ୍ରଗତି ସଂପର୍କରେ ତାଙ୍କୁ ଅବଗତ କରାଯାଇଛି । ଏହାଛଡ଼ା ମେଡିକାଲ କଲେଜରେ ଫାର୍ମାସିଷ୍ଟ ଓ ନର୍ସିଂ କ୍ବାର୍ଟର ବ୍ଲକ୍ ବୁଲି ଦେଖିଛନ୍ତି । ନିର୍ମାଣକାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଭି.କେ ପାଣ୍ଡିଆନ । ଆଗାମୀ ଅଗଷ୍ଟ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେହିପରି କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି ପାଣ୍ଡିଆନ। ସେଠାରେ ଏଏସଆଇ ଦ୍ବାରା ଚାଲିଥିବା କାର୍ଯ୍ୟ ତଦାରଖ କରିବା ସହିତ ବେଳାଭୂମି ଉନ୍ନତି କରଣ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଏହାପରେ କାକଟପୁର ମାଆ ମଙ୍ଗଳାଙ୍କ ପୀଠ ଗସ୍ତ କରି ମାଆଙ୍କ ଦର୍ଶନ ମଧ୍ୟ କରିଛନ୍ତି ପାଣ୍ଡିଆନ। ସେଠାରେ ମାଆ ମଙ୍ଗଳା ପୂଜକମାନେ ତାଙ୍କୁ ପାଛୋଟି ନେଇଥିଲେ। ସେଠାରେ ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ସେ ଜଙ୍କସନ, ମଲଟି ପରପୋଜ୍ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ କାମର ସମୀକ୍ଷା କରିଥିଲେ।

ତାଙ୍କ ସହିତ ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ପାଣ୍ଡିଆନ ପ୍ରତି ଶନିବାରରେ କେବଳ ଶ୍ରୀମନ୍ଦିର ଦର୍ଶନ ସହିତ ପୁରୀର ଉନ୍ନୟନ କାର୍ଯ୍ୟ ତଦାରଖ କରି ଆସୁଥିଲେ। ହେଲେ ଏଥର ସେ ଚନ୍ଦ୍ରଭାଗା, କୋଣାର୍କ, କାକଟପୁର ମା ମଙ୍ଗଳା ମଧ୍ୟ ଦର୍ଶନ କରି ସେଠାର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ କରୋନା ମୁକାବିଲା ଟିମକୁ କଲେ ଉତ୍ସାହିତ, ସରପଞ୍ଚଙ୍କ ସହ କଥା ହେଲେ 5ଟି ସଚିବ ଭି.କେ ପାଣ୍ଡିୟାନ୍

ହେମାଙ୍ଗ ପ୍ରସାଦ ରାଉଳ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସାହିତ ବାର୍ତ୍ତା ଚିଅର୍ ଅପ୍ ଇୟୋର ଟିମ୍ ପ୍ରଦାନ କରିଛନ୍ତି ଫାଇଭ୍ ଟି ସଚ୍ଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା  କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ କୁ ଫାଇଭ ଟି ସଚିବ ତାରିଫ୍ କରିଛନ୍ତି । ଏଥିରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି ପ୍ରକାଶ କରିଛନ୍ତି।

ଓଡିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। କରୋନା ଲକ୍ ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମଇ ୩ ତାରିଖ ପରେ ଲକ୍ ଡାଉନ୍ କଟକଣା କୋହଳ ମଧ୍ୟରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଯାନରେ ପ୍ରତ୍ୟାବର୍ତ୍ତନ କରିବା ଅପେକ୍ଷା ରେଳବ୍ୟବସ୍ଥା ଅଧିକ ସୁରକ୍ଷିତ ଥିବାରୁ କେବଳ ରେଳରେ ପ୍ରବାସୀମାନେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରବାସୀମାନଙ୍କ ଦୁର୍ଦ୍ଦଶାକୁ ନଜରରେ ରଖି ସେମାନଙ୍କୁ ଭିଟାମାଟିକୁ ଫେରାଇ ଅଣାଯିବ।

ଗଞ୍ଜାମ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀ ମାନଙ୍କର କିଛି ଲକ୍ଷଣ ଦେଖାଯାଉଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ଜନସାଧାରଣଙ୍କଠାରୁ ଦୂରେଇ ରଖିବା ସହିତ ଉପଯୁକ୍ତ ଚିକିତ୍ସା କରାଯାଉଛି। କାହାର କିଛି ଲକ୍ଷଣ ଦେଖାଦେଲେ ସ୍ବତଃ ପ୍ରବୃତ୍ତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚିବ କହିଛନ୍ତି। ପ୍ରତ୍ୟେକ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବାପିଇବା କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚ୍ଚିବ ପରାମର୍ଶ ଦେଇଛନ୍ତି।

ଏହା ସହିତ ସଚିବ ମଧ୍ୟ ଧରାକୋଟ ବ୍ଲକ୍, କବିସୂର୍ଯ୍ୟ ନଗର ବ୍ଲକ୍, ପୋଲସରା ବ୍ଲକ୍, ଆସ୍କା ବ୍ଲକ୍, ଖଲ୍ଲିକୋଟ ବ୍ଲକ୍, କୁକୁଡାଖଣ୍ଡି ବ୍ଲକ୍ ଓ ହିଞ୍ଜିଳି ବ୍ଲକ୍ ର ସରପଞ୍ଚ ମାନଙ୍କ ସହିତ ବ୍ୟକ୍ତିଗତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ୍ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତି ମାନଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତା ମାନଙ୍କ କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ସମସ୍ତ ସରପଞ୍ଚ  ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର କୋଭିଡ୍‌ -19 ହସ୍ପିଟାଲ ପରିଦର୍ଶନ କଲେ 5ଟି ସଚିବ ଓ ଉନ୍ନୟନ କମିଶନର

ସୀତାରାମ ଅଗ୍ରଓ୍ବାଲ
ନୟାଗଡ : ରାଜ୍ୟ ସରକାରଙ୍କର 5ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଗସ୍ତ କରିଛନ୍ତି । ନୟାଗଡର ଚାନ୍ଦପୁର ସ୍ଥିତ ସ୍ବତନ୍ତ୍ର କୋଭିଡ୍‌-19 ହସ୍ପିଟାଲ ଗସ୍ତ କରି ବିଭିନ୍ନ ସ୍ବାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉଭୟ ଅଧିକାରୀ । ଚାନ୍ଦପୁରରେ ଏହି 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନ କରିବା ସହିତ ହସ୍ପିଟାଲର ଏସି ଏବଂ ଭେଣ୍ଟିଲେଟର ସୁବିଧା ବାବଦରେ ପଚାରି ବୁଝିଥିଲେ ଉଭୟ ଅଧିକାରୀ । ଏହା ସହିତ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 179 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡରେ ବର୍ତ୍ତମାନ ସୁଦ୍ଧା ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରକାଶିତ ଜୋନ୍‌ ଓ୍ବାରୀ ଜିଲ୍ଲା ତାଲିକାରେ ନୟାଗଡ ଗ୍ରୀନ୍‌ ଜୋନ୍‌ରେ ରହିଛି ।

Categories
ବିଶେଷ ଖବର

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ୍, ଓଡିଶାର ରାଜନୈତିକ ଇତିହାସରେ ଏକ ଛାୟାପୁରୁଷ ନା ତାଙ୍କୁ ନେଇ ରାଜନୀତିରେ ଅଧିକ କିଛି ସମ୍ଭାବନା ରହିଛି?

ସମୀକ୍ଷା ବ୍ୟୁରୋ

ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ, ଏ ନାଁଟି ସହିତ ଓଡିଶାର ରାଜନୀତି ବେଶ ପରିଚିତ। ଗତ ପାଞ୍ଚ ବର୍ଷ ଭିତରେ ଏହି ବରିଷ୍ଠ ଆଇଏଏସ ଅଧିକାରୀ ଜଣକ ସର୍ବ ସାଧାରଣରେ ପଦେ ବି କଥା କହିନାହାନ୍ତି। ଅଥଚ ତାଙ୍କୁ ନେଇ ଓଡିଶାର ରାଜନୀତି ଗତ ପାଞ୍ଚ ବର୍ଷ ଧରି ଗତିଶୀଳ ରହିଛି। ତାଙ୍କୁ କେତେବେଳେ ଓଡିଶାର ବାସ୍ତବ କ୍ଷମତା କେନ୍ଦ୍ର ବୋଲି କୁହାଯାଉଛି, ତ ପୁଣି କେବେ ତାଙ୍କରି ନିର୍ଦ୍ଦେଶରେ ଓଡିଶାର ଶାସକ ଦଳ ପରିଚାଳିତ ବୋଲି ଅଭିଯୋଗ ଆସୁଛି। ବିରୋଧୀ ଦଳର ରାଜନୈତିକ ଆକ୍ରମଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁଳନାରେ ତାଙ୍କର ପ୍ରମୁଖ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ହିଁ ରହି ଆସିଛନ୍ତି। କିଛି ବିରୋଧୀ ତ ସିଧା ସିଧା ପାଣ୍ଡିଆନଙ୍କୁ ନିଜର ରାଜନୈତିକ ପ୍ରତିପକ୍ଷ ବୋଲି ଭାବି ନେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ହିଁ ଥିଲେ ବିରୋଧୀ ଦଳର ପ୍ରମୁଖ ଲକ୍ଷ୍ୟ ଓ ତାହା ହିଁ ନବୀନ ପଟ୍ଟନାୟକଙ୍କ ଲାଗି ଥିଲା ସବୁଠୁ ବଡ ଆଶୀର୍ବାଦ। ନବୀନଙ୍କ ଆଗରେ ପାଣ୍ଡିଆନ ଏକ ସୁରକ୍ଷା ଢାଲ ଭଳି ଛିଡା ହୋଇଛନ୍ତି। ବିରୋଧୀଙ୍କ ଆକ୍ରମଣ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ବେଳେ ନବୀନ ନିଜର ନିଷ୍କଳଙ୍କ ଭାବମୂର୍ତ୍ତିକୁ ଆହୁରି ଚମକପ୍ରଦ କରିବାରେ ସଫଳ ହୋଇଛନ୍ତି।

ଗତ ବର୍ଷ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିରୋଧୀ ଦଳର ଗୁଣ୍ଡା ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ନବୀନଙ୍କର କେତେଜଣ ପୁରୁଣା ବନ୍ଧୁ ଯେଉଁମାନେ କି ଭିନ୍ନ ପରିସ୍ଥିତିରେ ନବୀନଙ୍କ ବଡ ବିରୋଧୀ ପାଲଟିଲେ, ସେମାନଙ୍କ ଲାଗି ପାଣ୍ଡିଆନ ଥିଲେ ଏକ ନମ୍ବର ଶତ୍ରୁ। ବିଶେଷ କରି ବୈଜୟନ୍ତ ପଣ୍ଡା ଓ ତାଙ୍କ ଦ୍ଵାରା ପରିଚାଳିତ ଏକ ଟେଲିଭିଜନ ଚାନେଲରେ ପାଣ୍ଡିଆନଙ୍କ ନାଁ ରେ ପ୍ରତିଦିନ କିଛି ନା କିଛି ଖବର /ଅପଖବର ବାହାରୁଥିଲା । ବହୁ ଅଭିଯୋଗର ଏକତରଫା ପ୍ରଚାର ଆମର ଗଣମାଧ୍ୟମରେ ସେବେ ଚାଲିଥିଲା, ଆଜି ମଧ୍ୟ ଚାଲିଛି। ତେବେ ଏ ସବୁର କୌଣସି ଉତ୍ତର/ସ୍ପଷ୍ଟୀକରଣ କେବେହେଲେ ପାଣ୍ଡିଆନ ଦେଇନାହାନ୍ତି। ଜଣେ ଶ୍ରୁଙ୍ଖଳିତ ସରକାରୀ କର୍ମଚାରୀ ଭାବରେ ସେ ସବୁ ସମୟରେ ଆଢୁଆଳରେ ଓ ନୀରବରେ ରହି ଆସିଛନ୍ତି।

ପୁରା ନିର୍ବାଚନୀ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ କେହି କେବେ ଦେଖିବାର ସୁଯୋଗ ପାଇ ନାହାନ୍ତି। ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପଞ୍ଚମ ଥର ଲାଗି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କଲେ ସେତେବେଳେ ପାଣ୍ଡିଆନକୁ କ୍ୟାମେରା ଆଗରେ ଦେଖିବାକୁ ମିଳିଲା। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଟିରୁ ପଦେ କଥା ମଧ୍ୟ ଫିଟିନାହିଁ। ନୀରବରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ ସେ ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କ୍ଷମତା କେନ୍ଦ୍ରର ମୁଖ୍ୟ ବିନ୍ଦୁରେ ଥାଇ ମଧ୍ୟ ଏତେ ନୀରବ ରହିବା ସବୁଠୁ ଆଶ୍ଚର୍ଯ୍ୟଜନକ ଘଟନା। ତେବେ ନବୀନ ସରକାରଙ୍କର ସଫଳତା ଓ ପ୍ରତୀତି ସରକାରୀ ଯୋଜନାର ଲୋକ ପକ୍ଷକୁ ସଠିକ ଭାବରେ ଉପସ୍ଥାପନ କରିବାର ଯେଉଁ ଦକ୍ଷତା, ସେଥିରେ ପାଣ୍ଡିଆନ ଏ ସରକାର ର ସବୁଠୁ ସଫଳ ରଣନୀତିକାର ବୋଲି କୁହାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାର ଓ ସେସବୁର ସଫଳ ରୂପାୟନ କୁ ନେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବାର ଶ୍ରେୟ ପାଣ୍ଡିଆନଙ୍କ ପାଖକୁ ଯିବ।

ନିର୍ବାଚନ ପରେ ଏବେ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ, ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ସେନାପତି ଭାବରେ ତାଙ୍କୁ ପ୍ରଶାସନିକ ସ୍ତରରେ ସେ ସୀମିତ ରହିବେ ନା ରାଜନୈତିକ ସ୍ତରରେ ମଧ୍ୟ ତାଙ୍କର କିଛି ଭୂମିକା ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁ ପ୍ରକାର ଚର୍ଚ୍ଚା ଓ ଅପଚର୍ଚ୍ଚାର ଉର୍ଦ୍ଧ୍ଵରେ ରହି କାମ କରିବାର ବିଚକ୍ଷଣତା ହେଉଛି ପାଣ୍ଡିଆନଙ୍କ ସଫଳତା। ନବୀନଙ୍କର ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ସହଯୋଗୀ ଆସିଛନତି ଓ ଯାଇଛନ୍ତି। ହେଲେ ପାଣ୍ଡିଆନ ସେ ସମସ୍ତଙ୍କଠୁ ଅଲଗା। ରାଜନୈତିକ ଅଭିଳାଷ ଅପେକ୍ଷା ଆନ୍ତରିକ ଭାବରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ହିଁ ତାଙ୍କର ଭିନ୍ନତା। ସବୁ ସମାଲୋଚନା ଓ କୁତ୍ସାକୁ ଅଣଦେଖା କରି ଅବିଚଳିତ ଭାବରେ ନିଜର କାମ କରିଯିବା ଯୋଗୁଁ ତାଙ୍କୁ ହୁଏତ ଓଡିଶାର ଇତିହାସ ଏକ ଭିନ୍ନ ପରିଚୟରେ ମନେ ରଖିବ।

(ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ  sankhipta , ଏହାପରେ ସ୍ପ୍କ୍ରିନରୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)