ଭୁବନେଶ୍ୱର: ଟ୍ରେନ୍ ନିରାପତ୍ତା ସମ୍ବନ୍ଧୀୟ ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାରେ ଅସାଧାରଣ ସତର୍କତା, ଉପସ୍ଥିତ ବୁଦ୍ଧି ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ପ୍ରଦର୍ଶନ କରିଥିବା ସାତ ଜଣ ରେଳ କର୍ମଚାରୀଙ୍କୁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମ୍ବର୍ଦ୍ଧିତ କରିଛନ୍ତି। ଅଗଷ୍ଟରୁ ଅକ୍ଟୋବର ୨୦୨୬ ମଧ୍ୟରେ ସେମାନଙ୍କର ସମୟୋଚିତ ପଦକ୍ଷେପ ଓ ତ୍ୱରିତ ସୂଚନା ଯୋଗୁଁ ସମ୍ପୃକ୍ତ ରେଳ କର୍ତ୍ତୃପକ୍ଷ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିପାରିଥିଲେ। ଏହାଦ୍ୱାରା ଟ୍ରେନ୍ ଚଳାଚଳ ଓ ରେଳ ସମ୍ପତ୍ତିର ନିରାପତ୍ତା ସୁନିଶ୍ଚିତ ହେବା ସହ ଜଣେ ସହକର୍ମୀ ରେଳ କର୍ମଚାରୀଙ୍କ ଜୀବନ ମଧ୍ୟ ରକ୍ଷା କରାଯାଇପାରିଥିଲା।
ସମ୍ବର୍ଦ୍ଧିତ ରେଳ କର୍ମଚାରୀମାନେ ହେଲେ:
୧- ଆକାଶ ରାଠୋର, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/ଆରାକୁଙ୍କ ଅଧୀନରେ, ବୋରା ଗୁହାଲୁ ଓ କରକାଭାଲସା ମଧ୍ୟରେ ରାତ୍ରିକାଳୀନ ରେଳଧାରଣା ଯାଞ୍ଚ ସମୟରେ ରେଳଧାରଣାରେ ଅସ୍ୱାଭାବିକ ସ୍ଥିତି ଚିହ୍ନଟ କରିଥିଲେ।
୨- ରାକେଶ କୁମାର, ଷ୍ଟେସନ୍ ମାଷ୍ଟର, ଟାଙ୍ଗିରିପାଳ (ବର୍ତ୍ତମାନ ଷ୍ଟେସନ୍ ମାଷ୍ଟର/ଜେନାପୁର), ଏକ ଅତିକ୍ରମ କରୁଥିବା ଟ୍ରେନ୍ରେ ହଟ୍ ଆକ୍ସଲ୍ (Hot Axle) ଚିହ୍ନଟ କରିବା ସହ ତୁରନ୍ତ ଲୋକୋ ପାଇଲଟ୍ଙ୍କୁ ସତର୍କ କରାଇଥିଲେ।
୩- ପ୍ରସନ୍ନ ରଞ୍ଜନ ସେଠୀ, ଆସିଷ୍ଟାଣ୍ଟ (C&W)/ଖୋର୍ଦ୍ଧା ରୋଡ୍, ଟ୍ରେନ୍ ନମ୍ବର ୧୨୫୦୩ ଅଗରତାଲା ହମସଫର ଏକ୍ସପ୍ରେସ୍ର କୋଚ୍ ନମ୍ବର ବି-୭ ରେ ଭାଙ୍ଗିଯାଇଥିବା ଆଉଟର୍ ପ୍ରାଇମେରୀ ସ୍ପ୍ରିଙ୍ଗ୍ (Outer Primary Spring) ଚିହ୍ନଟ କରିଥିଲେ।
୪- ଏୟାର ମାର୍ଶାଲ ସମୟ ମୁର୍ମୁ, ଟ୍ରାକ୍ ମେଣ୍ଟେନର୍-୧/ନୀଳକଣ୍ଠେଶ୍ୱର, SSE/P.Way/ହରିଚନ୍ଦନପୁରଙ୍କ ଅଧୀନରେ, ନୀଳକଣ୍ଠେଶ୍ୱର ଷ୍ଟେସନ୍ ୟାର୍ଡରେ ଏକ AT ୱେଲ୍ଡ ଜଏଣ୍ଟ୍ରେ ଫାଟ ଚିହ୍ନଟ କରିଥିଲେ।
ଗ୍ରୁପ୍ ପୁରସ୍କାର ପାଇଥିବା କର୍ମଚାରୀମାନେ ହେଲେ:
୧- ଶ୍ରୀନିବାସ ସ୍ୱାଇଁ, ଲୋକୋ ପାଇଲଟ୍ (ମେଲ୍/ଏକ୍ସପ୍ରେସ୍)/ପୁରୀ।
୨- ସୁନୀଲ କୁମାର, ଲୋକୋ ପାଇଲଟ୍ (ଗୁଡ୍ସ)/ଯଖପୁରା ।
୩- ଇମ୍ରାନ ଅହମ୍ମଦ, ସିନିୟର ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍/ଯଖପୁରା ।
୨୩ ଅଗଷ୍ଟ ୨୦୨୬ ରେ ଜଣେ ସହକର୍ମୀଙ୍କ ଜୀବନ ରକ୍ଷା କରିବାରେ ଏହି ତିନି ଜଣ କର୍ମଚାରୀ ଅସାଧାରଣ ଉପସ୍ଥିତ ବୁଦ୍ଧି ଓ ଦଳଗତ କାର୍ଯ୍ୟର ପରିଚୟ ଦେଇଥିଲେ। ଟ୍ରେନ୍ ନମ୍ବର ୧୨୨୭୭ ଶତାବ୍ଦୀ ଏକ୍ସପ୍ରେସ୍ ପରିଚାଳନା କରୁଥିବା ସମୟରେ ଶ୍ରୀ ଶ୍ରୀନିବାସ ସ୍ୱାଇଁ ତାଙ୍କ ସହକାରୀ ଲୋକୋ ପାଇଲଟ୍ ଶ୍ରୀ ଦୁଷ୍ମନ୍ତ ସାହୁ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ସେ ତୁରନ୍ତ ଟ୍ରେନ୍କୁ କେନ୍ଦୁଆପଡ଼ା ଷ୍ଟେସନ୍ରେ ଅଟକାଇବା ସହ ଶ୍ରୀ ସୁନୀଲ କୁମାର ଓ ଶ୍ରୀ ଇମ୍ରାନ ଅହମ୍ମଦଙ୍କ ସହାୟତାରେ କାର୍ଡିଓପଲମୋନାରୀ ରିସସିଟେସନ୍ (Cardiopulmonary Resuscitation – CPR) ପ୍ରକ୍ରିୟା ଆରମ୍ଭ କରିଥିଲେ। ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ମହିଳା ଡାକ୍ତର ମଧ୍ୟ ଆଗେଇ ଆସି CPR ଓ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ।
ସହକାରୀ ଲୋକୋ ପାଇଲଟ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାରର ଲକ୍ଷଣ ଦେଖାଦେବା ପରେ, ଲୋକୋ ପାଇଲଟ୍ ଦଳ ତାଙ୍କୁ ଫ୍ରଣ୍ଟ ବ୍ରେକ୍ ଭ୍ୟାନ୍ରେ ସାଙ୍ଗରେ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିଥିଲେ। ଫଳରେ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ମଣିପାଳ ହସ୍ପିଟାଲ୍ରେ ଠିକ୍ ସମୟରେ ଭର୍ତ୍ତି କରାଯାଇପାରିଥିଲା।
କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସେମାନଙ୍କର ସତର୍କତା, କର୍ତ୍ତବ୍ୟନିଷ୍ଠା ଓ ନିଷ୍ଠାପର କାର୍ଯ୍ୟ ପ୍ରତି ଉଚ୍ଚ ପ୍ରଶଂସା କରିଥିଲେ। ଟ୍ରେନ୍ ଚଳାଚଳର ନିରାପତ୍ତା ସୁନିଶ୍ଚିତ କରିବାରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତ କର୍ମଚାରୀଙ୍କୁ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ସର୍ବୋଚ୍ଚ ସତର୍କତା, ଆନ୍ତରିକତା ଓ ନିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।


