Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ସ୍ୱର ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ସ୍ୱର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ମଙ୍ଗଳବାର ସ୍ୱର ଜନିତ ସମସ୍ୟା ଥିବା ରୋଗୀମାନଙ୍କର ମାଗଣାରେ ସ୍ୱରଯନ୍ତ୍ରର ପରୀକ୍ଷା କରାଯାଇଛି। ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସ୍ୱର ପେଟିକା ଏଣ୍ଡୋସ୍କୋପି ମାଧ୍ୟମରେ ରୋଗୀମାନଙ୍କର ମାଗଣା ଚିକିତ୍ସା କରାଯାଇ କେତେକଙ୍କ କ୍ଷେତ୍ରରେ ସ୍ୱରନଳୀରେ କ୍ୟାନ୍ସରର ଲକ୍ଷଣ ଆଗୁଆ ଚିହ୍ନଟ ହୋଇଥିବା କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ।

ସ୍ୱରରେ କୌଣସି ପରିବର୍ତ୍ତନ ଆସିଲେ ଏହା ଯେ ସ୍ୱରଯନ୍ତ୍ରରେ କ୍ୟାନ୍ସରର ସମ୍ଭାବନା ହୋଇପାରେ ଏହି ସୂଚନା ପ୍ରଦାନ କରେ। ବିଶ୍ୱ ସ୍ୱର ଦିବସ ପାଳନ ଦ୍ୱାରା ଏହି ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିବା ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ଧୂମ୍ରପାନ, ଗୁଟ୍‌କା ସେବନ ଓ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ ବୋଲି ଡାକ୍ତର ରାଉତ କହିଛନ୍ତି। ବୃଦ୍ଧାବସ୍ଥାରେ ଥିବା ଲୋକମାନଙ୍କ କ୍ଷେତ୍ରରେ ଏହି କ୍ୟାନ୍ସରର ସମ୍ଭାବନା ରହିଥିବା ବେଳେ ନିଜ ସ୍ୱର ପେଟିକାକୁ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଶିକ୍ଷକ, ଆଇନଜୀବି, ଗାୟକ ଏବଂ ବୁଲା ବିକାଳୀମାନଙ୍କ କ୍ଷେତ୍ରରେ ଏହି କ୍ୟାନ୍ସରର ଅଧିକ ବିପଦ ରହିଛି ବୋଲି ସେ କହିଛନ୍ତି।

ତେବେ ଏହି ରୋଗର ଆଗୁଆ ଚିହ୍ନଟ ଦ୍ୱାରା ଉପଯୁକ୍ତ ଚିକିତ୍ସା ହୋଇପାରିବା ସହ ଏହାର ଚିକିତ୍ସା ଓ ପରୀକ୍ଷଣ ପାଇଁ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବୋଲି ଡାକ୍ତର ରାଉତ କହିଛନ୍ତି। କାର୍ଯ୍ୟକ୍ରମରେ ଡାକ୍ତର ରାଉତଙ୍କ ସମେତ ଡାକ୍ତର ସ୍ମୃତି ରଞ୍ଜନ, ଡାକ୍ତର ବିବେକାନନ୍ଦ ଆଚାର୍ଯ୍ୟ, ଡାକ୍ତର ଶୁଭ୍ରା ପ୍ରଧାନ, ଡାକ୍ତର ଅରୋଦୀପ ଲୁଥାର ଓ ଡାକ୍ତର ପରେଶ ଗିରି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା

ଭୁବନେଶ୍ୱର: ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି।

୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ରାୟଙ୍କର ଅଧିନରେ ଭର୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା।

ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ହସ୍ପିଟାଲ୍‌ରେ ଭର୍ତି ହେବାର ପରଦିନ ତାଙ୍କୁ ଭେଂଟିଲେଟରରେ ରଖାଯିବା ସହ ୪ ଥର ଡାଏଲିସିସ୍ ମଧ୍ୟ କରାଯାଇଥିଲା। ସେହିପରି ୟୁରେଟେରେସ୍କୋପିକ୍ ଲିଥୋଟ୍ରିପ୍ସି (ୟୁଆର୍‌ଏସ୍‌ଏଲ୍‌) ପ୍ର୍ରକ୍ରିୟା ଦ୍ୱାରା ତାଙ୍କର କିଡ୍‌ନୀ୍ ଷ୍ଟୋନ୍ ବାହାର କରାଯାଇଥିଲା।

ନେଫ୍ରୋଲୋଜିଷ୍ଟ ଓ ରେଡିଓଲୋଜିଷ୍ଟ ମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଏପ୍ରିଲ୍ ୬ ତାରିଖ ଦିନ ତାଙ୍କୁ ଭେଂଟିଲେଟରରୁ କଢ଼ାଯିବା ସହ ପରବର୍ତ୍ତୀ ସମୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମଧ୍ୟ କରାଯାଇଛି।

ରୋଗୀ ଜଣଙ୍କ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି। ରୋଗୀଙ୍କ ପରିବାରବର୍ଗ ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସଫଳ ଚିକିତ୍ସା ପାଇଁ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ସୋଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା: ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ ।

ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା। କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା। କରୋନାର ମୁକାବିଲା କରିବା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ମୁଁ ଆସିଥିଲି। ତେବେ ଏଠାରେ ଥିବା ଭିତିଭୂମିକୁ ପରଖିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ଯୁଦ୍ଧରେ ବିଜୟୀ ହେବା ସମ୍ଭବ ଏହି ଆତ୍ମବିଶ୍ୱାସ ନେଇ ସୋଆ କ୍ୟାମ୍ପସରୁ ବିଦାୟ ନେଇଥିଲି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପର୍ବ ରଖାଯାଇଥିଲା । ସୋମବାର ସୋଆରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଥିଲେ ।

ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ମହାମାରୀ ସହ ଲଢ଼ିବାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଭୂମିକା ସମ୍ପର୍କରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ହସ୍ପିଟାଲ୍‌ର ଡାକ୍ତରମାନଙ୍କ ସହ ସେ ଆଲୋଚନା କରିଥିଲେ ।
ସେମାନେ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ପ୍ରକାର ସମ୍ଭବପର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରାଇବା ନିମନ୍ତେ ମୋତେ କହିଥିଲେ ବୋଲି ସେ କହିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଉତ୍କୃଷ୍ଟ ଦଳଗତ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ କୋଭିଡର ମୃତ୍ୟୁ ହାର କମ୍ ରହିଥିଲା ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ସୋଆ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇ ରୋଗୀ ସେବା ପ୍ରଦାନ କରାଯାଇଥିଲା । ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେଲେ ନିଶ୍ଚିତ ଭାବେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପୀଡ଼ିତ ଲୋକଙ୍କ ମନରେ ଏକ ଭରସା ସୃଷ୍ଟି ହୋଇଥିଲା ବୋଲି ସେ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ପ୍ରଶଂସା କରି କହିଥିଲେ । ଏହି ସମୟରେ ପ୍ରତ୍ୟେକ ଜୀବନକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା । ରାଜ୍ୟ ସରକାର ମଧ୍ୟ କୋଭିଡ ପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିଲେ ।

ରୋଗୀମାନଙ୍କୁ ଉତମ ସେବା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦେଶରୁ ସିଧାସଳଖ କିଟ ଓ ଅନ୍ୟାନ୍ୟ ସରଞ୍ଜାମ ଆମଦାନୀ କରାଯାଇଥିଲା ଓ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତୀତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବୋଲି ସେ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ର ସଫଳତା : କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର : କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ ଜନୈକ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍‌କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃତସ୍ପନ୍ଦନ ଦ୍ରୁତ, ଶ୍ୱାସପ୍ରକ୍ରିୟା ଅଧିକ ଓ ରକ୍ତ ଚାପ କମ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍‌ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା ।

ତେବେ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଆପ୍ରାଣ ଚେଷ୍ଟା କରି ମହିଳା ଜଣଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଥମେ ଆଇ.ସି.ୟୁରେ ସ୍ଥିର କରିବାକୁ ଚେଷ୍ଟା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମହିଳା ଜଣଙ୍କର କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେବାରେ ଲାଗିଥିଲେ । ତେବେ କରୋନା ନେଇ ଚିକିତ୍ସା ସମୟରେ ସେ ସିଷ୍ଟମିକ ଲୁପସ ଏରିଥେମାଟୋସସ ବା ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲର କ୍ଲିନିକାଲ ମୁଖ୍ୟ ଡାକ୍ତର ସମୀର ସାହୁ । ମହିଳା ଜଣଙ୍କ 3 ବର୍ଷ ଧରି ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥାଇ ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ମାତ୍ର ଏହି ରୋଗ ଚିହ୍ନଟ ହୋଇପାରିନଥିଲା । ତେବେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ହିଁ ଡାକ୍ତରମାନେ ଏହି ରୋଗ ଚିହ୍ନଟ କରିଥିଲେ । ଏହି ରୋଗୀଙ୍କର ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଏହି ମହିଳାଙ୍କ ଠାରେ ହାଇପୋଥାଇରଏଡ ସମସ୍ୟା ରହିଥିବା ବେଳେ ସେ ଦୀର୍ଘ ୩ ମାସ ଧରି ଜ୍ୱରରେ ପୀଡିତ ଥିଲେ । ତାଙ୍କର ଗଣ୍ଠି ବ୍ୟଥା ଓ ମୁହଁରେ ନାଲି ଦାଗ ରହିଥିଲା ତଥା ମୁଣ୍ଡର ଚୁଟି ଉପୁଡି ଯାଉଥିଲା ବୋଲି ସମ୍ ହସ୍ପିଟାଲର ର‌୍ୟୁମାଟୋଲୋଜିଷ୍ଟ ଓ କ୍ଲିନିକାଲ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି । ରୋଗୀ ଜଣକ ଆଇସିୟୁରେ ଥିବାବେଳେ ଉଭୟ ଲୁପସ ଏବଂ କରୋନାର ଚିକିତ୍ସା କରିବା ବେଶ୍ କଷ୍ଟସାଧ୍ୟ ଥିଲା । ଏହି କ୍ଷେତ୍ରରେ ଲୁପସ ଭଳି ରୋଗର ଚିକିତ୍ସା ଲାଗି ଆବଶ୍ୟକୀୟ ଷ୍ଟେରଏଡ ଓ ଇମ୍ୟୁନୋ ସପ୍ରେସାଂଟ ପ୍ରୟୋଗ କରିବା ସହଜସାଧ୍ୟ ନଥିଲା । କାରଣ ଷ୍ଟେରଏଡ ଦେବା ଦ୍ୱାରା କରୋନା ଅଧିକ ବଢ଼ିଯିବାର ଆଶଙ୍କା ରହିଥିଲା । ଦୀର୍ଘ 12 ଦିନର ଚିକିତ୍ସା ପରେ ମହିଳା ଜଣକ କରୋନାରୁ ସୁସ୍ଥ ହେବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା ।

ସମ୍ କୋଭିଡ ହସ୍ପିଟାଲର ଉପଦେଷ୍ଟା ତଥା ରେଡଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଏସ. ଏସ. ମହାପାତ୍ର ଏବଂ କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଓ ପଲମୋନାରୀ ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ବନାନୀ ଜେନା ମଧ୍ୟ ତାଙ୍କର ଚିକିତ୍ସା କରିଥିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତରୀ ଟିମ ତାଙ୍କ ପ୍ରଚେଷ୍ଟା ବଳରେ ନିକଟରେ ଜଣେ 85 ବର୍ଷିୟା ବୃଦ୍ଧା ଏବଂ 60 ବର୍ଷିୟ ଡାଇବେଟିସ ରୋଗୀଙ୍କୁ କରୋନା ସଂକ୍ରମଣରୁ ସୁସ୍ଥ କରିଛନ୍ତି । ଗତ ମେ ୧୩ ତାରିଖରେ ସେମାନେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ତାଳଚେରରେ 3ଟି କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି । 525 ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲ ଦେଶର ଦ୍ୱିତୀୟ ଓ ଓଡ଼ିଶାର ବୃହତମ କୋଭିଡ ହସ୍ପିଟାଲ ଅଟେ । ସେହିପରି କେନ୍ଦ୍ରାପଡାରେ 110 ଶଯ୍ୟା ଓ ତାଳଚେରରେ 156 ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ ଓ କିମ୍‌ସ ସହାୟତାରେ ନିର୍ମିତ ହେବ 1000 ଶଯ୍ୟା ବିଶିଷ୍ଟ 2 କୋଭିଡ୍‌ ହସ୍ପିଟାଲ୍‌

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ 1000 ଶଯ୍ୟାବିଶିଷ୍ଟ ଦୁଇଟି ସ୍ବତନ୍ତ୍ର କୋଭିଡ୍‌ 19 ହସ୍ପତଟାଲ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପଡୋଶୀ ରାଜ୍ୟ ମାନଙ୍କରେ ଅଟକି ରହିଥିବା ଓଡିଶା ବାସୀଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅନ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।
ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ :

1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌-୧୯ ରୋଗୀମାନଙ୍କ ଚିକିତ୍ସା ସକାଶେ ଅତ୍ୟାଧୁନିକ ସୁବିଧା ଥିବା ୧୦୦୦ ଶଯ୍ୟାବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ ସରକାର, ସମ୍‌ ମେଡିକାଲ୍‌ କଲେଜ୍‌ ଓ କିମସ୍‌ ମେଡିକାଲ୍‌ କଲେଜ୍‌ ମଧ୍ୟରେ ଦୁଇଟି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ହସ୍‌ପିଟାଲ୍‌ ନିମନ୍ତେ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍‌ ଫିଲ୍‌ଡସ୍‌ ସେମାନଙ୍କ ଔଦ୍ୟୋଗିକ ସାମାଜିକ ପ୍ରତିବଦ୍ଧତା (ସିଏସ୍‌ଆର୍‌) ପାଣ୍ଠିରୁ ଅର୍ଥ ଯୋଗାଇଦେବେ ।

2. ନବୀନ ପଟ୍ଟନାୟକ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟରେ ଲକ୍‌ ଡାଉନ୍‌ ଯୋଗୁଁ ଅଟକି ଯାଇଥିବା ଓଡ଼ିଶାର ବିଭିନ୍ନ ବ୍ୟକ୍ତି କିମ୍ବା ବ୍ୟକ୍ତି ସମୁଦାୟଙ୍କୁ ଆବଶ୍ୟକୀୟ ସହଯୋଗ ଯଥା: ଖାଦ୍ୟପେୟ, ରହଣି ଓ ନିରାପତ୍ତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଏ ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ।

3. ସେହିପରି ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ଦେବା ସହିତ ଏ ବାବଦ ବ୍ୟୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯିବ ବୋଲି ସେ କହିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

4. କୋଭିଡ୍‌-୧୯ ଜନିତ ଲକ୍‌ ଡାଉନ୍‌ ସମୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟ ରାସ୍ତାରେ ସମସ୍ତ ମାଲବାହୀ ଗାଡ଼ିଗୁଡ଼ିକର ଅବାଧ ଚଳପ୍ରଚଳ ପାଇଁ ରାଜ୍ୟ ପୋଲିସ୍‌ ତରଫରୁ ଏକ ‘ହେଲ୍ପ ଲାଇନ୍‌’ ୦୬୭୪-୨୬୨୦୨୦୦ ଟେଲିଫୋନ୍‌ ନମ୍ବରରେ ଆରମ୍ଭ କରାଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୮ ଘଟିକାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲାରହିବ । ଗାଡ଼ି ଚାଳକ କିମ୍ବା ମାଲ ପରିବହନ ସଂସ୍ଥାର ପରିଚାଳକମାନେ ଏହି ହେଲ୍ପ ଲାଇନ୍‌ର ସାହାଯ୍ୟ ଓ ପରାମର୍ଶ ନେଇପାରିବେ ।

5. ତାଲାବନ୍ଦ (ଲକ୍‌ ଡାଉନ୍‌) କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ପରିଚାଳନା ନିମନ୍ତେ ଆଜିଠାରୁ ଗୃହ ବିଭାଗରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ ଆରମ୍ଭ କରିଛି । ଏହି ନିୟନ୍ତ୍ରଣ କକ୍ଷରୁ ୦୬୭୪-୨୩୯୨୧୧୫ ଏବଂ ୯୪୩୮୯୧୫୯୮୬ ନମ୍ବର ସହ ସଂଯୋଗ କରାଯାଇଛି । ରାଜ୍ୟ ବାହାରେ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ଅଟକି ରହିଥିବା ଓଡ଼ିଆମାନଙ୍କ ବିଷୟ ମଧ୍ୟ ନିୟନ୍ତ୍ରଣ କକ୍ଷକୁ ଅବଗତ କରାଯାଇପାରିବ ।

6. ଗତ ୪୮ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ସଂପର୍କିତ ମାର୍ଗଦର୍ଶିକା ଓ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମୋଟ ୪୦୪ ଟି ମାମଲା ରୁଜୁ କରାଯାଇଛି । ଏଥି ମଧ୍ୟରେ ‘ଲକ୍‌ ଡାଉନ୍‌’ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୮୦ଟି, ‘ହୋମ୍‌ କ୍ୱାରାଣ୍ଟାଇନ୍‌’ (ସଙ୍ଗରୋଧ) ଉଲ୍ଲଂଘନ ଅଭିଯୋଗରେ ୧୦ଟି ଓ କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ୧୪ଟି ମାମଲା ଅନ୍ତର୍ଭୁକ୍ତ ।

7. ସମ୍ବାଦପତ୍ର ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରାଯାଇ ନିଉଜ୍‌ ପ୍ରିଣ୍ଟ, ଖବରକାଗଜ ଇତ୍ୟାଦିର ପରିବହନ ପାଇଁ ବ୍ୟବହୃତ ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିକ୍ରୟ କେନ୍ଦ୍ର ଖୋଲାରହିବ ଓ ଖବରକାଗଜ ବିତରଣ କରୁଥିବା ହକର୍‌ମାନେ ଭୋର ୪ଟାରୁ ୭ଟା ପର୍ଯ୍ୟନ୍ତ ଯାତାୟତ କରିପାରିବେ । ମାତ୍ର ଏ ବାବଦରେ ହାତ ଧୁଆ ଓ ସାମାଜିକ ଦୂରତା ପରି ନିୟମ ଅନୁସରଣ କରିବାକୁ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

8. ପ୍ରାଣୀସଂପଦ ସଂପର୍କିତ କାର୍ଯ୍ୟାବଳୀକୁ ଅତ୍ୟାବଶ୍ୟକୀୟ ସେବାର ଅନ୍ତର୍ଭୁକ୍ତ କରାଯାଇଛି । କ୍ଷୀର, ମାଂସ, ଅଣ୍ଡା, ମାଛ, ଗୋଖାଦ୍ୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗାଡ଼ି ନିମନ୍ତେ ଅନୁମତି ପତ୍ର ପ୍ରଦାନ ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଏବଂ ସହରାଞ୍ଚଳ ପୌରସଂସ୍ଥା ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି ।

9. ନିଜର ଓ ପରିବାରର ସୁରକ୍ଷା ନିମନ୍ତେ ଘରେ ରହିବା ଏବଂ ଲକ୍‌ ଡାଉନ୍‌କୁ ପାଳନ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ‘ମୋ ଜୀବନ’ ଶପଥ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି ଆହ୍ୱାନ କ୍ରମେ ଏ ପର୍ଯ୍ୟନ୍ତ ୧୦ ଲକ୍ଷ ଲୋକ ଶପଥ ଗ୍ରହଣ କରିଛନ୍ତି ଏବଂ ସେଥିରୁ ୩ ଲକ୍ଷ ଲୋକ ଏହାର ଭିଡ଼ିଓ କରି ସୋସିଆଲ୍‌ ମିଡିଆ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ଆହୁରି ଅଧିକ ଲୋକ ଅନୁରୂପ ଶପଥ ନେବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

10. ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୬୪ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ଏ ପର୍ଯ୍ୟନ୍ତ ୨ଟି ପଜିଟିଭ୍‌ ରହିଥିବାବେଳେ ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ ।

11. ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଉଭୟ ହସ୍‌ପିଟାଲ୍‌ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତି ।

12. ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛି । ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଛି ।

12. ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍‌ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।

13. ବର୍ତ୍ତମାନ ସୁଦ୍ଧା ୪୨୪୯ ଜଣ ୧୦୪ ହେଲ୍‌ପ ଲାଇନ୍‌ ଏବଂ ପୋର୍ଟାଲ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ।

14. କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୪ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଫେବୃଆରୀ 29ରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦ୍‌ଘାଟନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି । ଏହି ପଦକ୍ଷେପ ଅନୁଯାୟୀ ରାଜଧାନୀ ଭୁବନେଶ୍ବରରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମ୍ମମ) ସେବାର ଆରମ୍ଭ କରିବାକୁ ଯାଉଛି । ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ ରଖି ସମ୍ମମର ମୂଳଦୁଆ ସ୍ଥାପନ କରାଯାଇଥିବା ବେଳେ ରୋଗୀଙ୍କ ଚିକିତ୍ସାପାଇଁ ସର୍ବୋତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ରହିଛି । 9 ମହଲା ବିଶିଷ୍ଟ ଏହି ହସ୍ପିଟାଲଟି 10 ଏକର ବିଶିଷ୍ଟ ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଠାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଆସନ୍ତା ଫେବୃୟାରୀ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ହସ୍ପିଟାଲର ଉଦ୍‌ଘାଟନ କରାଯିବ ।

ସମସ୍ତ ଭାରତୀୟଙ୍କୁ ବିଶ୍ୱସ୍ତରୀୟ ଡାକ୍ତରୀ ଚିକିତ୍ସା ମିଳିବା ଆବଶ୍ୟକ । ଆମ ସହରରେ ବିଶ୍ୱସ୍ତରୀୟ ଡାକ୍ତରଖାନା କରିବା ନିମନ୍ତେ ସୋଆର ଏକ ସ୍ୱପ୍ନ ରହିଥିଲା ଏବଂ ସ୍ୱାସ୍ଥ୍ୟ ସେବା ଖୁବ୍ ସହଜରେ ସମସ୍ତଙ୍କୁ ମିଳିବା ଏହାର ଲକ୍ଷ୍ୟ । ସମ୍ମମ୍ ଆରମ୍ଭ ହେବା ଫଳରେ ସମାଜକୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତନ ଆଣିବା ସହ ଭବିଷ୍ୟତରେ ଏକ ବିଶାଳ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ପରିଣତ ହେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡ. ଶ୍ୱେତପଦ୍ମା ଦାସ ।