Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ: ସିଇସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୩୬ ଡିଗ୍ରୀ ସେଲ୍‌ସିଅସରୁ କମ୍ ରହିପାରେ ବୋଲି ସେ କହିଛନ୍ତି।

ତେବେ ଏପ୍ରିଲ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡ଼. ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି। ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷିଭିତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନ ର ଅଗ୍ରଗତି ରେ ଛାତ୍ରଛାତ୍ରମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥା ର ଅଭିନବ ପଦକ୍ଷେପ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋଆ ର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇଥିଲେ। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇଏଏସ୍ ର ପ୍ର୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôବା ବେଳେ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଲିଉଡର ଖ୍ୟାତିନାମା କଣ୍ଠଶିଳ୍ପୀ ଅନ୍ତରା ଚକ୍ର୍ରବର୍ତୀ ଓ ସ୍ୱୟମ୍ ପ୍ରଭାସ ପାଢୀ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମ୍ ର ଦ୍ୱିତୀୟ ସ୍ଥାନ ହାସଲ

ଭୁବନେଶ୍ୱର: ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଦଳ ଫାଇନାଲ ରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୨୩ -୪୮ ପଏଂଟ୍ ରେ ହାରି ଯାଇଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଏହି ଆୟୋଜିତ ହୋଇଥିଲା। ସେହିପରି ବାସ୍କେଟବଲରେ ସୋଆର ପୁରୁଷ ଟିମ୍ ସେମିଫାଇନାଲରେ ୩୯- ୫୪ ପଏଂଟ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ପରାଜୟ ବରଣ କରି ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ଟେବୁଲ ଟେନିସ୍‌ର ସେମିଫାଇନାଲରେ ସୋଆର ଅବିନାଶ ତ୍ରିପାଠୀ ପରାସ୍ତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହି ଖେଳାଳୀ ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମିନିଗଲ୍‌ଫ୍ ଟିମ୍ ରେ ସୋଆର ୬ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି।

ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍ ଠାରୁ ମିଳିଥିବା ପତ୍ର ଅନୁଯାୟୀ ଭିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ପୁରୁଷ ଦଳ ନିମନ୍ତେ ମନୋନୀତ ହୋଇଥିବାବେଳେ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ମନୋନୀତ ହୋଇଥିବା ଖେଳାଳି ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଉଥିବା ଖେଳାଳିମାନଙ୍କର ସଫଳତା କାମନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ
ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର ଫାର୍ମାସୀ, ବାୟୋଟେକ୍ନୋଲଜି, ମେଡିକାଲ୍ ସାଇନ୍‌ସେସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଗବେଷକଙ୍କୁ ନେଇ ଦଳ ଗଠନ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ଡକ୍ଟର ଚୋର୍‌ଘାଡେ ଆମେରିକାନ୍ କେମିକାଲ୍ ସୋସାଇଟି (ଏସ୍‌ଏସିଏସ୍‌)ର ଜଣେ ଫେଲୋ। ସେ ଔଷଧର ଉଦ୍‌ଭାବନ, ବିକାଶ ଏବଂ ପାରମ୍ପରିକ ଭାରତୀୟ ଔଷଧକୁ ନେଇ ଗବେଷଣା କରୁଛନ୍ତି । ଏହି ଆଲୋଚନା ସମୟରେ ହାଇଦ୍ରାବାଦ ସ୍ଥିତ ସିଏସ୍‌ଆଇଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଚିଫ୍ ସାଇନ୍‌ଟିଷ୍ଟ ଡକ୍ଟର ଦେବେନ୍ଦ୍ର କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

କେମୋସିନ୍ଥେଟିକ୍ ଆର୍ଟିଫିସିଆଲ୍ ଲିଭର୍ ଉଦ୍‌ଭାବନ ନିମନ୍ତେ ଡକ୍ଟର ଚୋରଘାଡେ ପ୍ରସିଦ୍ଧି ଲାଭ କରିଛନ୍ତି। ଡକ୍ଟର ଚୋରଘାଡେ ହାବାର୍ଡର ହାର୍ଭାର୍ଡ, କାଲ୍‌ଟେକ୍‌, ୟୁନିଭର୍ସିଟି ଅଫ୍ ଚିକାଗୋ, ଏମ୍‌.ଆଇ.ଟି, ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ, ୟୁନିଭର୍ସିଟି ଲୁଇସ୍ ପାସ୍ତର, ଆଇସିଟି ଏବଂ ସିଏସ୍‌ଆଇଆର ଇତ୍ୟାଦିରେ ଆଡଜଂକ୍ଟ ରିସର୍ଚ୍ଚ ପ୍ରଫେସର, ଭିଜିଟିଂ ଫେଲୋ ବା ଭିଜିଟିଙ୍ଗ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି।

ଏହି ଆଲୋଚନା ସମୟରେ ସୋଆ ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, ବାୟୋ ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର
ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ହୃଦୟ ନାଥ ଥାଟୋଇ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ସେଂଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଏହି ବିଭାଗର ପ୍ରଫେସର ଇ. ସୁବୁଦ୍ଧି ଏବଂ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ବି.ବି ସୁବୁଦ୍ଧି ଓ ପ୍ରଫେସର ଲକ୍ଷ୍ମୀଧର ମହାରଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉଦ୍‌ଯାପିତ, ଜିଏମ୍ ସାୟନ୍ତନ ଚାମ୍ପିୟନ୍, ସମ୍ବିିିତ ତୃତୀୟ

ଭୁବନେଶ୍ୱର: ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡ ମାଷ୍ଟର ( ଜିଏମ୍‌) ସାୟନ୍ତନ ଦାସ (୨୫୨୪) ଚାମ୍ପିଅନ ହୋଇଛନ୍ତି। ସେ ସର୍ବାଧିକ ୮ ପଏଂଟ୍ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ। ଜିଏମ୍ ଦୀପ୍ତାୟନ ଘୋଷ (୨୫୬୮) ୭.୫ ପଏଂଟ୍ ସହ ରନର୍ସ ଅପ୍ ଏବଂ ସମାନ ପଏଂଟ୍ ସହ ଓଡିଆ ଆଇଏମ୍ ସମ୍ବିତ ପଣ୍ଡା (୨୪୦୪) ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ସି’ ବର୍ଗରେ ହରିଆନାର ବ୍ୟୋମ ମାଲହୋତ୍ରା ୯ ରାଉଣ୍ଡରୁ ସର୍ବାଧିକ ୮ ପଏଂଟ୍ ପାଇ ଚାମ୍ପିିଅନ୍‌, ସମାନ ପଏଂଟ୍ ରଖି ଇଶା ସିହ୍ନା ରନର୍ସଅପ୍‌, ଆରିତ କପିଲ ତୃତୀୟ ଏବଂ ଓଡିଶାର ସୃଜନ ପ୍ରଣୟୀ ରୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ ଅତିଥି ଏବଂ ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଘର ସଭାପତି ଜି.ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଶଙ୍କର ପ୍ରସାଦ ମିଶ୍ର ଏବଂ ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ସାୟନ୍ତନ ଓ ଦୀପ୍ତାୟାନ୍ ଅନ୍ତିମ ବାଜି ଡ୍ର’ ରଖି ପଏଂଟ୍ ଭାଗ କରିଥିଲେ । ସମ୍ବିିତ କିନ୍ତୁ ଶୁଭୟନ କୁଣ୍ଡୁ ସମେଦଙ୍କୁ ହରାଇଥିଲେ। ଓଡିଆ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ୫.୫ ପଏଂଟ୍ ସହ ୩୫ତମ ସ୍ଥାନରେ ରହିଥିଲେ। ଅନ୍ୟ ଓଡିଆଙ୍କ ମଧ୍ୟରେ ପ୍ରିଅଂଶ ଦାସ ୫ ପଏଂଟ୍‌, ନିଲସୁ ପଟ୍ଟନାୟକ ୫ ପଏଂଟ୍‌, ସାଇନା ସାଲୋନିକା ୨. ୫ ପଏଂଟ୍ ଓ ରାଜେଶ ନାୟକ ୦.୫ ପଏଂଟ୍ ପାଇଥିଲେ। ସି’ ବର୍ଗରେ ଶ୍ରେଷ୍ଠ ୧୦ସ୍ଥାନ ମଧ୍ୟରେ ଓଡିଶାର ଏସ୍‌,କେ ସୟଦ (୭ ପଏଂଟ୍‌, ନବମ ସ୍ଥାନ ) ରହିଥିଲେ।

ଏ’ବର୍ଗରେ ଶ୍ରେଷ୍ଠ ୪୦ତମ ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କ ସହ ବିଭିନ୍ନ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଚାମ୍ପିିଅନ୍ ସାୟନ୍ତନଙ୍କୁ ଟ୍ରଫି ସହ ୩ ଲକ୍ଷ, ରନର୍ସଅପ୍ ଦୀପ୍ତାୟନଙ୍କୁ ଟ୍ରଫି ସହ ୨ଲକ୍ଷ, ତୃତୀୟ ସ୍ଥାନ ହାସଲ କରିଥିବା ସମ୍ବିତଙ୍କୁ ଟ୍ରଫି ସହ ୧ଲକ୍ଷ ୫୦ ହଜାର ଏବଂ ଚତୁର୍ଥ ସ୍ଥାନ ହାସଲରେ ଥିବା ନୀଲାଶ ସାହାଙ୍କୁ ୯୦ ହଜାର ଟଙ୍କା ପୁରସ୍କାର ମିଳିଥିଲା।

ସେମିତି ସି’ବର୍ଗର ଚାମ୍ପିିଅନ୍‌ଙ୍କୁ ୭୫ ହଜାର ଟଙ୍କା ସହ ଟ୍ରଫି, ରନର୍ସଅପ୍ ଙ୍କୁ ୫୦ ହଜାର ସହ ଟ୍ରଫିଏବଂ ତୃତୀୟ ସ୍ଥାନ ହାସଳ କରିଥିବା ଆରିତଙ୍କୁ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ବର୍ଗରେ ଶ୍ରେଷ୍ଠ ୩୫ଜଣ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

୧ମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି ।

ଏହି ପ୍ରତିଯୋଗିତାକୁ ଓଡ଼ିଶାର କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଉଦଘାଟନ ସମାରୋହରେ କ୍ରୀଡା, ଯୁବ ବ୍ୟାପାର, ଗୃହ, ଇଲେକ୍‌ଟ୍ରୋନିକ୍‌ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଜ୍ୟମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ ।

ଅଲ ଓଡ଼ିଶା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ନିମନ୍ତେ ସୋଆ ସହାୟତା ଯୋଗାଇଥିବା ବେଳେ ଏଥି ନିମନ୍ତେ ଇଂଟରନ୍ୟାସନାଲ ଚେସ ଫେଡେରସନ, ଅଲ ଇଣ୍ଡିଆ ଚେସ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି ।

ଶ୍ରୀ ସ୍ୱାଇଁ କହିଥିଲେ ଯେ ଓଡ଼ିଶା ସରକାର ଅଧିକ ଅର୍ଥ ବିନିଯୋଗ କରି କ୍ରୀଡା ନିମନ୍ତେ ଚମତ୍କାର ଭିତିଭୂମୀ ସୃଷ୍ଟି କରିପାରିଛନ୍ତି । ଫଳରେ ବିଭିନ୍ନ କ୍ରୀଡାରେ ଓଡ଼ିଶାର ପ୍ରତିଯୋଗୀ ମାନେ ଉନ୍ନତ ପ୍ରଦର୍ଶନ କରିପାରୁଛନ୍ତି । ସେ କହିଥିଲେ ଯେ ୨୦୦୦-୦୧ ରେ ଓଡ଼ିଶା ସରକାର କ୍ରୀଡା ନିମନ୍ତେ ମାତ୍ର ୪ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଗତ ବଜେଟରେ ସରକାର କ୍ରୀଡା ନିମନ୍ତେ ୧୨୧୭ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

କ୍ରୀଡା ନିମନ୍ତେ କେନ୍ଦ୍ର ସରକାର ଗତ ବଜେଟରେ ୩୩୯୭ କେଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦୃଷ୍ଟି ଆକର୍ଷଣ କରେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କ୍ରୀଡାର ବିକାଶ ନିମନ୍ତେ ଆନ୍ତରିକତାକୁ ପ୍ରକାଶ କରେ ବୋଲି ସେ କହିଥିଲେ ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶାର କ୍ରୀଡାବିତ ମାନେ ବିଭିନ୍ନ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଫୁଟବଲ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରୁଛି । ସେ ଏହି ଚେସ ପ୍ରତିଯୋଗିତାର ଆୟୋଜନ କରିଥିବାରୁ ସୋଆ ଓ ଅଲ ଓଡ଼ିଶା ଚେସ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଏନଆଇଆରଏଫ ର‌୍ୟାଙ୍କିଂରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ବହୁବିଧ ବିକାଶ ନିମନ୍ତେ ଉଦ୍ୟମ କରୁଛି । ଏହି ବିଶ୍ୱବିଦ୍ୟାଳୟ କ୍ରୀଡାର ଏକ ବିଶେଷ କେନ୍ଦ୍ର ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ ।

ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳୀ ମାନଙ୍କୁ \”ଏ, \”ବି\’\’ ଓ \”ସି\’ ଭାବେ ତିନୋଟି ଶ୍ରେଣୀରେ ବିଭକ୍ତି କରାଯାଇଛି । ସମ୍ପୂର୍ଣ୍ଣ ପ୍ରତିଯୋଗିତା ନିମନ୍ତେ ମୋଟ୍ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ହୋଇଥିବା ବେଳେ \”ଏ\’ ଶ୍ରେଣୀର ଖେଳାଳୀ ମାନଙ୍କ ନିମନ୍ତେ ୨୦ ଲକ୍ଷ ଟଙ୍କା ରଖାଯାଇଛି । \”ବି\’ ଓ \”ସି\’ ଶ୍ରେଣୀ ନିମନ୍ତେ ୭.୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।

କାର୍ଯ୍ୟକ୍ରମରେ ଚିଫ ଆରବିଟର ଭାବେ ଯୋଗ ଦେଇଥିବା ଡ. ଆର. ଅନନ୍ତରମଣ ଆୟୋଜକ ମାନେ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ ସର୍ବନିମ୍ନ ଇଏଲଓ ପଏଂଟ ୧୯୦୦ ରଖିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏଥିରେ ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ସ୍ପୋର୍ଟସ ଅଫିସର ସୁନୀତା ବର୍ମା ଯୋଗ ଦେଇ ମନ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସୋଆର କୁଳାଧିପତି ପ୍ରଫେସର (ଡଃ) ଅମିତ ବାନାର୍ଜୀ ଜାତୀୟ ପତାକା ଉତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ର୍ରିୟାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଭାରତର ନାଗରିକମାନେ, ବିଶେଷକରି ଯୁବଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ଗଠନ କରିବାର ଶକ୍ତି ସେମାନଙ୍କ ପାଖରେ ଅଛି ବୋଲି ପରେଡରେ ଅଭିବାଦନ ଗ୍ରହଣ କରି ସେ କହିଥିଲେ।

ରାଷ୍ଟ୍ର ନିର୍ମାଣ ଏକ ଦିନର କାର୍ଯ୍ୟକ୍ରମ ନୁହେଁ ଏବଂ ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମସ୍ତ ନାଗରିକଙ୍କ ସାମୂହିକ କର୍ତବ୍ୟ ଅଟେ। ଏହା ଏକ ବୋଝ ନୁହେଁ ବରଂ ଏକ ସୌଭାଗ୍ୟ। ଶିକ୍ଷା, ସ୍ୱାସ୍ଥ୍ୟସେବା, ଅର୍ଥନୀତି, ଭିତିଭୂମି, ପ୍ରଯୁକ୍ତିବିଦ୍ୟା, ସାମାଜିକ ନ୍ୟାୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଏବଂ ଆକାଂକ୍ଷା ପାଇଁ ଗର୍ବିତ ହେବାର କାରଣ ରହିଛି ବୋଲି ପ୍ରକାଶ କରି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଭାରତ ପୃଥିବୀର ଦ୍ରୁତତମ ବୃଦ୍ଧି ପାଉଥିବା ତଥା ପ୍ରଭାବଶାଳୀ ଦେଶ ଭାବରେ ଉଭା ହୋଇଛି।

ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ୍‌ରେ ଆୟୋଜିତ ସମାରୋହରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ, ଛାତ୍ର ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମାଙ୍କ ସମେତ ଏହା ଅଧିନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନ୍‌ସିସ କ୍ୟାଡେଟ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ, ସୋଆ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଏବଂ ସିକ୍ୟୁରିଟି ୱିଙ୍ଗ ଅଂଶଗ୍ରହଣ କରିଥିଲେ। ପ୍ୟାରେଡରେ ଉତ୍କର୍ଷତା ନିମନ୍ତେ ଯୁକ୍ତ ଦୁଇ ବିଜ୍ଞାନ କଲେଜ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଏବଂ ଏନ୍‌ଏସ୍‌ଏସ୍‌କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ୟାରେଡକୁ ନେତୃତ୍ୱ ଦେଇଥିବା ଏନ୍‌ସିସିର ବରିଷ୍ଠ ଅଫିସର ରଣବୀର ସିଂ ଏବଂ ଜୁନିଅର ଅଫିସର ପୁଟା ସିଦ୍ଧାର୍ଥଙ୍କୁ ଏହି ଅବସରରେ କୁଳାଧିପତି ଏବଂ କୁଳପତି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଫେସର (ଡଃ) ବାନାର୍ଜୀ ସୋଆରେ ପଢ଼ୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବୋଧିତ କରି ସେମାନଙ୍କୁ କ୍ୟାମ୍ପସ୍‌ର ଏକାଡେମିକ୍ ଏବଂ ସାଂସ୍କୃତିକ ବିବିଧତାକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଭାରତ ଏବଂ ସେମାନଙ୍କ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।
କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତୋଳନ କରିଥିଲେ।

ଗତବର୍ଷରେ ଭାରତର ବିଭିନ୍ନ ସଫଳତାକୁ ଉଲ୍ଲେଖ କରି ଚନ୍ଦ୍ରାୟନ କାର୍ଯ୍ୟକ୍ରମର ସଫଳତା ତଥା ଦେଶକୁ ଡିଜିଟାଲ୍ କରିବା ଦିଗରେ ଅଗ୍ରଗତି ଉଲ୍ଲେଖନୀୟ ସଫଳତା ବୋଲି କହିଥିଲେ। ସ୍ୱାସ୍ଥ୍ୟସେବା ସୁବିଧାର ପ୍ରସାର କରି ସୋଆ ରାଜ୍ୟରେ ଅତୁଳନୀୟ ଯୋଗଦାନ କରିପାରିଛି ବୋଲି କହି ନିକଟରେ ଫୁଲନଖରାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ ଉଦ୍‌ଘାଟନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାର ସୀତାପାଲ୍ଲୀରେ ହସ୍ପିଟାଲ୍‌ର ଏକ ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟନ କରାଯିବ ବୋଲି ସେ କହିଥିଲେ।

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ବିଶ୍ୱବିଦ୍ୟାଳୟର ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା, ଯୁଗ୍ମ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ ଏବଂ ଶଶାଙ୍କ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍- ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର

ଭୁବନେଶ୍ୱର: ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟର ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି। ଇନ୍‌ଟରନ୍ୟାସ୍‌ନାଲ୍ ଚେସ୍ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ ସହଯୋଗ ମିଳିଥିବା ଏଓସିଏର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୋଆକୁ ଏକ ଚେସ୍ ହବ୍ ଭାବେ ପରିଗଣିତ କରିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ଜାନୁଆରୀ ୨୮ ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୪ ଟି ବିଭିନ୍ନ ଦେଶରୁ ପ୍ରାୟ ୮୦୦ ଚେସ୍ ଖେଳାଳୀ ଭାଗ ନେବେ ବୋଲି ଶ୍ରୀ ମହାପାତ୍ର କହିବା ସହ ଏହି ଆୟୋଜନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସୋଆକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ଖେଳାଳୀମାନଙ୍କୁ ୩ଟି କ୍ୟାଟେଗୋରୀ ଯଥା-‘ଏ’, ‘ବି’ ଏବଂ ‘ସି’ ରେ ବିଭକ୍ତ କରାଯାଇଥିବା ବେଳେ ‘ଏ’ କ୍ୟାଟେଗୋରୀ ପାଇଁ ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା ରଖାଯାଇଛି। ‘ବି’ ଓ ‘ସି’ କ୍ୟାଟେଗୋରୀ ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି।

ଡେନ୍‌ମାର୍କ, ଇଣ୍ଡୋନେସିଆ, ବାଂଲାଦେଶ, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, କାଜାକସ୍ତାନ, ଜାମ୍ବିଆ, ନେପାଳ ଓ ଆୟୋଜକ ଭାରତର ଉଜ୍ଜଳ ଚେସ ତାରକାମାନେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ ବୋଲି ସେ କହିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ବିଭିନ୍ନ ଦେଶରୁ ୪ ଜଣ ଗ୍ରାଣ୍ଡ ମାଷ୍ଟର, ୮ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର ଓ ୩ ଜଣ ଇନଟରନ୍ୟାସ୍‌ନାଲ୍ ମାଷ୍ଟର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତରୁ ୫ ଜଣ ଗ୍ରାଣ୍ଡ ମାଷ୍ଟର, ୧୬ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ୬ ଜଣ ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଏଥିରେ ସାମିଲ ହୋଇଛନ୍ତି।

ଏହି ଟୁର୍ଣ୍ଣାମେଂଟର ୩ ଜଣ ଟପସିଡ ଖେଳାଳୀ ହେଲେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦୀପ୍ତାୟନ୍ ଘୋଷ (୨୫୬୮ ଇଏଲ୍‌ଓ ପଏଂଟ୍ସ), ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଆରୋଣ୍ୟକ୍ ଘୋଷ (୨୫୪୧ ଇଏଲ୍‌ଓ ପଏଂଟ୍ସ) ଏବଂ ଇଜିପ୍ଟର ଗ୍ରାଣ୍ଡ ମାଷ୍ଟର ଫଜି ଅଧମ୍ (୨୫୨୨ ଇଏଲ୍‌ଓ ପଏଂଟ୍ସ)।

ସେହିପରି ଏହି ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିବା ୩ ଜଣ ଟପ୍‌ସିଡ ମହିଳା ଖେଳାଳୀ ହେଲେ ଫିଲିପାଇନ୍ସର ୱିମେନ୍ ଗ୍ରାଣ୍ଡ ମାଷ୍ଟର ଫ୍ରେନା ଜେ. ମେ (୨୧୯୭ ଇଏଲ୍‌ଓ ପଏଂଟ୍ସ), ଭାରତର ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଅର୍ପିତା ମୁଖାର୍ଜୀ (୨୧୮୬ ଇଏଲ୍‌ଓ ପଏଂଟ୍ସ) ଏବଂ ଡେନ୍‌ମାର୍କର ୱିମେନ୍ ଫାଇଡ୍ ମାଷ୍ଟର ନିଲସେନ୍ ଇ. ଫେଡେରିକା (୨୧୮୪ ଇଏଲ୍‌ଓ ପଏଂଟ୍ସ)।

ଏହି ଟୁର୍ଣ୍ଣାମେଂଟଟି ସର୍ବଶେଷ ଫାଇଡ୍ ରୁଲ୍ସ ଅଫ୍ ଚେସ୍ ଏବଂ ଫାଇଡ୍ ସୁଇଜ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ କ୍ୟାଟେଗୋରୀ ‘ଏ’ ଏବଂ ‘ବି’ ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ ‘ସି’ରେ ୯ ରାଉଣ୍ଡ ଖେଳାଯିବ। ଯେଉଁ ଖେଳାଳୀମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌) ଦ୍ୱାରା ପଞ୍ଜୀକୃତ ହୋଇଥିବେ ଏବଂ ଯେଉଁମାନଙ୍କର ଇଏଲ୍‌ଓ ରେଟିଂ ୧୯୦୦ କିମ୍ବା ତା’ଠାରୁ ଅଧିକ ଥିବ ସେହିମାନେ ହିଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ। ସେହିପରି ବିଦେଶୀ ଖେଳାଳୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ଉପଯୁକ୍ତ ଫାଇଡ୍ ଆଇଡିର ଆବଶ୍ୟକତା ପଡ଼ିବ ବୋଲି ଏଓସିଏର ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ କହିଛନ୍ତି। ଟୁର୍ଣ୍ଣାମେଂଟଟି ଫେବୃଆରୀ ୪ ତାରିଖ ଦିନ ପୁରସ୍କାର ବିତରଣ ସହ ଉଦ୍‌ଯାପିତ ହେବ।

ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଏର କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ଫରେନ୍ ଲିଆସନିଂ ଅଫିସର ମୁକ୍ତିକାନ୍ତ ମହାପାତ୍ର ଏବଂ ଇନ୍‌ଟରନ୍ୟାସନାଲ ଡେପୁଟି ଆର୍ବିଟର ତପନ ମହାନ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିଏନ୍‌ବି ପକ୍ଷରୁ ସମ୍ ହସ୍ପିଟାଲ୍‌କୁ ଭେଂଟିଲେଟର ଓ ଆଇସିୟୁ ଶଯ୍ୟା ପ୍ରଦାନ

ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଗୋଟିଏ ମଲ୍ଟିପର୍ପୋଜ ଭେଂଟିଲେଟର ଓ ୬ଟି ମୋଟୋରାଇଜ୍‌ଡ ଆଇସିୟୁ ଶଯ୍ୟା ପ୍ରଦାନ କରାଯାଇଛି। ବ୍ୟାଙ୍କର କର୍ପୋରେଟ ସୋସିଆଲ୍ ରେସପନ୍‌ସିବିଲିଟି (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଏହା ପ୍ରଦାନ କରାଯାଇଛି।

ଆଜି ବ୍ୟାଙ୍କର ମ୍ୟାନେଜିଂ ଡାଇରେକ୍ଟର ତଥା ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଅତୁଲ କୁମାର ଗୋଏଲ ଏହି ଉପକରଣ ଗୁଡ଼ିକ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକଙ୍କୁ ହସ୍ପିଟାଲ୍‌ ପରିସରରେ ଏହା ପ୍ରଦାନ କରିଥିଲେ।
ଶ୍ରୀ ଗୋଏଲ୍ ଡାକ୍ତରଖାନା ପରିଦର୍ଶନ କରିବା ସମୟରେ ତାଙ୍କ ସହିତ ବ୍ୟାଙ୍କର ଜୋନାଲ୍ ମ୍ୟାନେଜର ଏ. ଉଦୟ ଭାସ୍କର ରେଡ୍ଡି ଓ ଭୁବନେଶ୍ୱର ସର୍କଲ ହେଡ଼ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ଏହି ଅବସରରେ ହସ୍ପିଟାଲର ସୁପରିଟେଣ୍ଡେଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚାର୍ଟଡ ଆକାଉନ୍‌ଟାଂଟ ସରୋଜ କୁମାର ସାମଲ, ସିଟିଭିଏସ୍ ବିଭାଗୀୟ ମୁଖ୍ୟ ଡ. ଦେବାଶିଷ ସାହୁ, ଆନେସଥେସିଓଲୋଜିଷ୍ଟ ଡ. ସୁଶାନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କ୍ୟାମ୍ପସ୍‌ରେ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପିତ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍‌ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ
ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍‌ରେ ଥିବା ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ୫ ମାଇଲ ପରିସୀମା ମଧ୍ୟରେ ଏହି ଷ୍ଟେସନ୍ ପାଣିପାଗ, ତାପମାତ୍ରା, ବାୟୁ ପ୍ରଦୂଷଣର ସ୍ତର, ଗୁଣବତା, ଆର୍ଦ୍ରତା ଏବଂ ସୌର
ବିକୀରଣ ଇତ୍ୟାଦି ନିରୀକ୍ଷଣ କରିବ।

ହାଇଦ୍ରାବାଦ ସ୍ଥିତ ୟୁଏସ୍ କନ୍‌ସଲେଟ୍ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ବ୍ରୋନକ୍ସ କମ୍ୟୁନିଟି କଲେଜର ରସାୟନ ବିଜ୍ଞାନ, ଭୂ ବିଜ୍ଞାନ ଓ ପରିବେଶ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ପ୍ରଫେସର ନୀଲ୍ ଫିଲିପ୍ ଓ ସେହି ବିଭାଗର ପ୍ରଫେସର ପାରମିତା ସେନ୍ ଏହାର ପ୍ରମୁଖ ନିରୀକ୍ଷକ ଅଛନ୍ତି।

ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ଏହି ପାଣିପାଗ କେନ୍ଦ୍ରକୁ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ପ୍ରଫେସର ଫିଲିପ୍‌, ପ୍ରଫେସର ସେନ୍ ଏବଂ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍ କନ୍‌ସଲ୍ ଜେନେରାଲଙ୍କ ପରାମର୍ଶଦାତା ଶ୍ରୀ ସଲ୍ଲିଳ କାଦେର ଉପସ୍ଥିତ ଥିଲେ। ଡକ୍ଟର ସାହୁ କହିଥିଲେ ଯେ ଏହି କେନ୍ଦ୍ର ଜଳବାୟୁ ଏବଂ ବାୟୁ ଗୁଣବତାର ପରୀକ୍ଷଣ କରିବ। ଏହାର ଉପଲ୨ ତଥ୍ୟକୁ ଜଳବାୟୁ ସମ୍ପର୍କିତ ଗବେଷଣା କରୁଥିବା ଫ୍ୟାକଲ୍ଟିମାନେ ଉପଯୋଗ କରିବା ସହ ଏହାକୁ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇ ପାରିବ।

ଏହି ଷ୍ଟେସନ୍‌ର ତଥ୍ୟକୁ ସମାଜର ହିତ ପାଇଁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତନ ଓ ବାୟୁର ଗୁଣବତା ଭଳି ଦୁଇଟି ପ୍ରମୁଖ ପ୍ରସଙ୍ଗ ମାନବ ସମାଜ ଉପରେ ପ୍ରଭାବ ପକାଉଥିବା ବେଳେ ଏ ଦିଗରେ
ପରିବର୍ତନ ଆଣିବା ନିମନ୍ତେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ କାର୍ଯ୍ୟ କରିବା ଆମର ଲକ୍ଷ୍ୟ ବୋଲି ପ୍ରଫେସର ଫିଲିପ୍ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫାୟାର୍ସ) ପ୍ରଫେସର ରେଣୁ ଶର୍ମା, ରସାୟନ ବିଭାଗର ପ୍ରଫେସର ମୀରା ଦାସ, ସୋଆ ସେଂଟର ଫର୍ ବାୟୋଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ପ୍ରଫେସର ଆଦିତ୍ୟ କିଶୋର ଦାସ ତଥା ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅକ୍ଷୟ କୁମାର ବର୍ମା, ପ୍ରଫେସର ବିଦ୍ୟାଧର ବାସା ଓ ପ୍ରଫେସର ଜଗନ୍ନାଥ ପ୍ରସାଦ ବେହେରା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଏଗାର ବର୍ଷ

ଭୁବନେଶ୍ୱର: ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ। ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର। ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍‌ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪।

ଏଗାର ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ସୋଆ ରେଡିଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ଜାତୀୟ ସ୍ତରରେ ସଫଳତା ପାଇଥିବା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର କାର‌୍ୟ୍ୟଧାରା ଓ ଭୂମିକାକୁ ପ୍ରଫେସର ନନ୍ଦ ଉଚ୍ଚ ପ୍ରଶଂସା କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍‌, ଡାକ୍ତର, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ମତକୁ ଜନହିତରେ ପ୍ରଚାର କରିଛି। ଏହା ସାଧାରଣ ଲୋକମାନଙ୍କ ସହିତ ଜଡିତ ବିଷୟ ସହ ସଂପୃକ୍ତ।

ଏହି ଅବସରରେ ସୋଆର କଟ୍ରୋଂଲର୍ ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ନ୍ୟୁଜ ୭ର କାର‌୍ୟ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ମଞ୍ଜୁଳା ଦାସ ସୋଆ ରେଡ଼ିଓର କର୍ମଚାରୀମାନଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ସେହିପରି ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ସମାଜକୁ ଆଗେଇ ନେବାରେ ଏକ ମାଧ୍ୟମ ଭାବେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅନେକ ସ୍ଥାନରେ ଅନ୍ୟ ସୂଚନାକାରୀ ମାଧ୍ୟମ ପହଂଚିପାରୁ ନଥିବା ବେଳେ ରେଡ଼ିଓ ପହଂଚିଥାଏ ବୋଲି କହିବା ସହ ଉତ୍ତମମାନର କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ସୋଆ ରେଡିଓର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ନ୍ୟୁଜ ୭ର କାର‌୍ୟ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ଏହି ୧୧ବର୍ଷର ଯାତ୍ରା ବିଷୟରେ କହିବା ସହିତ ଏହାର ସଫଳତା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ରେ ପ୍ରସାରିତ ବିଭିନ୍ନ ବର୍ଗର କାର୍ଯ୍ୟକ୍ରମର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ସଦସ୍ୟ ଓ ୟଙ୍ଗିସ୍ତାନ୍‌ର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ରକ୍ତସ୍ନାତା’ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ନିର୍ଦ୍ଦେଶକ ଶ୍ରୀମତୀ ହନି ପଟ୍ଟନାୟକ ତତ୍ୱାବଧାନରେ ଏହି କାର‌୍ୟ୍ୟକ୍ରମ ପରିଚାଳିତ ହୋଇଥିଲା। ଆର୍‌ଜେ କୁମାରୀ ଶୁଭଶ୍ରୀ ରଥ, ଛାତ୍ର ଆର୍‌ଜେ ଓ ପ୍ରତିନିଧି ହୃଦୟରଂଜନ ପରିଡା ଏହି କାର୍ଯ୍ୟକ୍ରମରେ ଏକ ପିପିଟି ମଧ୍ୟ ଉପସ୍ଥାପନ କରିଥିଲେ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳ, ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡ଼ିଓର ପ୍ରୋଗ୍ରାମ୍‌ କୋର୍ଡିନେଟର ଶ୍ରୀମତୀ ଶୁଭ୍ରସୀମା ମହାନ୍ତି ପରିଚାଳନା କରିଥିଲେ। ଆର୍‌ଜେ ରମାବଲ୍ଳଭ ଧନ୍ୟବାଦ ଅର୍ପଣ କରିଥିଲେ।

Categories
Hockey Worldcup23 ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି: ସଂଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି।

ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ କରାଯିବା ସହ ସୋଆ କ୍ୟାମ୍ପସ୍ ର ନୂତନ ଷ୍ଟାଡିୟମ୍ ରେ ଏକ ସୁସଜ୍ଜିତ ପୋଡିୟମ୍ ରେ ଦୀର୍ଘ ୧ଘଂଟା ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ସୋଆର ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂଗୀତ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।

ଦେଶବ୍ୟାପୀ ପ୍ରଦର୍ଶିତ ହେବା ପରେ ଟ୍ରଫିଟି ରବିବାର ଦିନ ସକାଳେ ଭୁବନେଶ୍ୱର ପଂହଚିଥିଲା ଏବଂ ସହର ର ବିଭିନ୍ନ ସ୍ଥାନ ବୁଲିବା ପରେ ସୋଆ ର ନୂତନ ଷ୍ଟାଡିୟମ୍ କୁ ଅଣାଯାଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବରିଷ୍ଠ କର୍ମକର୍ତ୍ତା,ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଟ୍ରଫିକୁ ସ୍ୱାଗତ କରାଯାଇଥିଲା।
ଏନ୍‌ସିସି କ୍ୟାଡେଟ୍ ଓ ସୁମା ସିକ୍ୟୁରିଟି ଏଜେନ୍ସି ର ସୁରକ୍ଷା କର୍ମଚାରୀମାନଙ୍କ ପକ୍ଷରୁ ଟ୍ରଫିକୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ପୋଡିୟମ୍ ପର୍ଯ୍ୟନ୍ତ ନିଆଯାଇଥିଲା।

ଓଡିଶା ସରକାରଙ୍କ ସାମାଜିକ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ବିଜୟ ଅମ୍ରିତ୍ କୁଲାଙ୍ଗେ ଓ ବିଏମ୍‌ସି ର ବିଭିନ୍ନ ୱାର୍ଡର କପୋରେର୍ଟର ଓ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀ ପଣ୍ଡା ଟ୍ରଫିର ଏଭଳି ଅଭୁତପୂର୍ବ ସ୍ୱାଗତ ନିମନ୍ତେ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଦେବା ସହ ଓଡିଶା ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱ କପ୍ ର ଆୟୋଜନ କରିବା ରାଜ୍ୟର ସମ୍ମାନ ବଢାଇଛି ବୋଲି କହିଥିଲେ।

ମନ୍ତ୍ରୀ କହିଥିଲେ ଯେ, ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ର ଆୟୋଜନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ରୂପେ ପ୍ରତିଷ୍ଠା କରିବା ମୁଖ୍ୟମନ୍ତ୍ରୀ ଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ବିଶ୍ୱକପ୍ ପାଇଁ ଓଡିଶା ଆସୁଥିବା ଆର୍ନ୍ତଜାତିକ ଖେଳାଳି, ଗଣମାଧ୍ୟମ ପ୍ରତିିନିଧି, କର୍ମକତା ଓ ସମର୍ଥକ ଙ୍କୁ ଉପଯୁକ୍ତ ସମ୍ମାନ ଦେବା ଓଡିଶାବାସୀ ଙ୍କ କର୍ତବ୍ୟ ବୋଲି ସେ କହିଥିଲେ ।ମେୟର ଶ୍ରୀମତୀ ଦାଶ ମଧ୍ୟ କହିଥିଲେ ଯେ ଚାମ୍ପିଅନସିପ୍ ସମୟ ରେ ଓଡିଶା ଆସୁଥିବା ବିଦେଶୀ କ୍ରୀଡା ପ୍ରେମୀଙ୍କୁ ଉଚିତ୍ ସାହାଯ୍ୟ ଓ ସହଯୋଗ କରିବା ସମସ୍ତଙ୍କ ର ଦାୟିତ୍ୱ।ସୋଆ କୁଳପତି ପ୍ରଫେସର ମହାପାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ କୁ ଟ୍ରଫି ଆସିଥିବା ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଭାରତୀୟ ଦଳ ମଧ୍ୟ ଏହି ଚାମ୍ପିୟନସିପ୍ ରେ ଉତମ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ଆଶା କରିଥିଲେ।

ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ର ବିଶ୍ୱ ଚାମ୍ପିଅନ୍‌ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍‌ର ୧୫ ତମ ସଂସ୍କରଣର ମ୍ୟାଚଗୁଡ଼ିକ ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲା ସ୍ଥିତ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀକ ହକି ଷ୍ଟାଡିୟମ୍‌ରେ ଖେଳାଯିବ।

ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଟିଇଆର ର ଡିନ୍ ପ୍ରଫେସର ପି.କେ.ସାହୁ ,ଆଇଡିଏସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ନିର୍ଦ୍ଦେଶକ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା କେ. ଶର୍ମା, ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍‌ସ ଦେବପ୍ରସାଦ ଦାଶ ଓ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)। ବୁଧବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା  ପାଇଛି। ଗତବର୍ଷ ଏହି ର‌୍ୟାଙ୍କିଙ୍ଗ୍‌ରେ ସୋଆ ୪୦୧-୪୫୦ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ବେଳେ ଚଳିତବର୍ଷ ୩୫୧ -୪୦୦ ବ୍ରାକେଟ୍‌ରେ ସ୍ଥାନ ପାଇଛି।

ୟୁନାଇଟେଡ୍ କିଙ୍ଗଡମ୍‌ର କ୍ୱାକ୍‌କ୍ୟୁଆରେଲି ସାଇମଣ୍ଡସ୍ (କ୍ୟୁଏସ୍‌) ଏସିଆନ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ ପ୍ରତିବର୍ଷ ପ୍ରକାଶିତ ହୋଇଥାଏ।  ଏସିଆର ୬୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା।

ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫ୍ୟାକଲ୍ଟି ଛାତ୍ରଛାତ୍ରୀଙ୍କ ଅନୁପାତ, ଆନ୍ତର୍ଜାତିକ ଗବେଷଣା ନେଟୱର୍କ, ପିଏଚ୍‌ଡି ଲାଭ କରିଥିବା ଫ୍ୟାକଲ୍ଟି, ଫ୍ୟାକଲ୍ଟିଙ୍କ ଦ୍ୱାରା ସନ୍ଦର୍ଭ, ଆନ୍ତର୍ଜାତିକ ଫ୍ୟାକଲ୍ଟି, ଓ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଇତ୍ୟାଦି ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌)ରେ ବିଶ୍ୱବିଦ୍ୟାଳୟ ତାଲିକାରେ ଚଳିତବର୍ଷ ସୋଆ ଦେଶରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିସିନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୩ ତମ ସ୍ଥାନ ଓ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୪ ତମ ସ୍ଥାନ ହାସଲ କରିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଦେଶରେ ୧୨ତମ ସ୍ଥାନ ହାସଲ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬ % ବୃଦ୍ଧି ପାଇଛି: ଆଇସିଏଆର୍‌ ମହା ନିର୍ଦ୍ଦେଶକ

ଭୁବନେଶ୍ୱର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ
ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର।

ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରୋ କଲ୍‌ଚରାଲ୍ ସାଇନ୍‌ସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି।

କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ, ସୋଆର କୁଳପତି
ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏଏସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଫେସର ବିବୁଧ ପରାସର।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଏସ୍‌ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା ପାଇଛି ଆଇଟିଇଆର୍। ଏହି ର‌୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି। ସିଏସ୍‌ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍‌ସଲ୍‌ଟାନ୍‌ସି. ଆଡମିସନ୍‌, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ-୨୦୨୦ ରେ ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି ସୋଆ । ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ସୋଆ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ବିଶ୍ୱବିଦ୍ୟାଳୟ ଏହି ନୂତନ ତାଲିକାରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଦେଶରେ ୩୮ ତମ ସ୍ଥାନ ହାସଲ କରିଛି । ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ତାଲିକା ଘୋଷଣା କରିଥିଲେ ଡ. ପୋଖରିଆଲ । ୟୁନିଭର୍ସିଟି ଗ୍ରାଂଟସ୍ କମିଶନ ଦ୍ୱାରା ୨୦୧୭ ରେ ଡିମଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିବା ସୋଆ କ୍ରମାଗତ ଭାବେ ୫ମ ଥର ପାଇଁ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଚଳିତ ବର୍ଷ ୫୩.୧୦ ସ୍କୋର ହାସଲ କରି ଏହି ସ୍ଥାନରେ ରହିଛି । ୨୦୧୬ ରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ କରାଯାଇଥିବାବେଳେ ତୃତୀୟ ଥର ପାଇଁ ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ସୋଆ ।

ସେହିପରି ଇଞ୍ଜିନିୟରିଂ କ୍ୟାଟେଗୋରିରେ ଦେଶରେ ସୋଆ ୩୪ ତମ ସ୍ଥାନରେ ରହିଥିବା ବେଳେ ମେଡିକାଲ୍ କଲେଜ କ୍ୟାଟେଗୋରିରେ ୨୩ତମ ସ୍ଥାନ ହାସଲ କରିଛି । ସୋଆ ପରିଚାଳିତ ଡେଂଟାଲ ସାଇନସ୍‌ କଲେଜ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ରାଙ୍କିଙ୍ଗରେ ପ୍ରବେଶ କରି ଦେଶରେ ୧୨ତମ ସ୍ଥାନ ହାସଲ କରିଛି । ସୋଆର ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର । ଆମଗାମୀ ବର୍ଷ ମାନଙ୍କରେ ସୋଆ ଏହି ତାଲିକାରେ ଆହୁରି ଆଗକୁ ବଢିବ ବୋଲି ଶ୍ରୀ ମହାପାତ୍ର ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୬ ଟି ଦେଶର ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟିରେ ଶିକ୍ଷା ଗ୍ରହଣ କରୁଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ର ସଫଳତା : କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର : କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ ଜନୈକ ମହିଳା । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍‌କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃତସ୍ପନ୍ଦନ ଦ୍ରୁତ, ଶ୍ୱାସପ୍ରକ୍ରିୟା ଅଧିକ ଓ ରକ୍ତ ଚାପ କମ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍‌ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା ।

ତେବେ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଆପ୍ରାଣ ଚେଷ୍ଟା କରି ମହିଳା ଜଣଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଥମେ ଆଇ.ସି.ୟୁରେ ସ୍ଥିର କରିବାକୁ ଚେଷ୍ଟା କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମହିଳା ଜଣଙ୍କର କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେବାରେ ଲାଗିଥିଲେ । ତେବେ କରୋନା ନେଇ ଚିକିତ୍ସା ସମୟରେ ସେ ସିଷ୍ଟମିକ ଲୁପସ ଏରିଥେମାଟୋସସ ବା ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲର କ୍ଲିନିକାଲ ମୁଖ୍ୟ ଡାକ୍ତର ସମୀର ସାହୁ । ମହିଳା ଜଣଙ୍କ 3 ବର୍ଷ ଧରି ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥାଇ ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ମାତ୍ର ଏହି ରୋଗ ଚିହ୍ନଟ ହୋଇପାରିନଥିଲା । ତେବେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ହିଁ ଡାକ୍ତରମାନେ ଏହି ରୋଗ ଚିହ୍ନଟ କରିଥିଲେ । ଏହି ରୋଗୀଙ୍କର ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଏହି ମହିଳାଙ୍କ ଠାରେ ହାଇପୋଥାଇରଏଡ ସମସ୍ୟା ରହିଥିବା ବେଳେ ସେ ଦୀର୍ଘ ୩ ମାସ ଧରି ଜ୍ୱରରେ ପୀଡିତ ଥିଲେ । ତାଙ୍କର ଗଣ୍ଠି ବ୍ୟଥା ଓ ମୁହଁରେ ନାଲି ଦାଗ ରହିଥିଲା ତଥା ମୁଣ୍ଡର ଚୁଟି ଉପୁଡି ଯାଉଥିଲା ବୋଲି ସମ୍ ହସ୍ପିଟାଲର ର‌୍ୟୁମାଟୋଲୋଜିଷ୍ଟ ଓ କ୍ଲିନିକାଲ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି । ରୋଗୀ ଜଣକ ଆଇସିୟୁରେ ଥିବାବେଳେ ଉଭୟ ଲୁପସ ଏବଂ କରୋନାର ଚିକିତ୍ସା କରିବା ବେଶ୍ କଷ୍ଟସାଧ୍ୟ ଥିଲା । ଏହି କ୍ଷେତ୍ରରେ ଲୁପସ ଭଳି ରୋଗର ଚିକିତ୍ସା ଲାଗି ଆବଶ୍ୟକୀୟ ଷ୍ଟେରଏଡ ଓ ଇମ୍ୟୁନୋ ସପ୍ରେସାଂଟ ପ୍ରୟୋଗ କରିବା ସହଜସାଧ୍ୟ ନଥିଲା । କାରଣ ଷ୍ଟେରଏଡ ଦେବା ଦ୍ୱାରା କରୋନା ଅଧିକ ବଢ଼ିଯିବାର ଆଶଙ୍କା ରହିଥିଲା । ଦୀର୍ଘ 12 ଦିନର ଚିକିତ୍ସା ପରେ ମହିଳା ଜଣକ କରୋନାରୁ ସୁସ୍ଥ ହେବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା ।

ସମ୍ କୋଭିଡ ହସ୍ପିଟାଲର ଉପଦେଷ୍ଟା ତଥା ରେଡଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଏସ. ଏସ. ମହାପାତ୍ର ଏବଂ କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଓ ପଲମୋନାରୀ ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ବନାନୀ ଜେନା ମଧ୍ୟ ତାଙ୍କର ଚିକିତ୍ସା କରିଥିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତରୀ ଟିମ ତାଙ୍କ ପ୍ରଚେଷ୍ଟା ବଳରେ ନିକଟରେ ଜଣେ 85 ବର୍ଷିୟା ବୃଦ୍ଧା ଏବଂ 60 ବର୍ଷିୟ ଡାଇବେଟିସ ରୋଗୀଙ୍କୁ କରୋନା ସଂକ୍ରମଣରୁ ସୁସ୍ଥ କରିଛନ୍ତି । ଗତ ମେ ୧୩ ତାରିଖରେ ସେମାନେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ତାଳଚେରରେ 3ଟି କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି । 525 ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲ ଦେଶର ଦ୍ୱିତୀୟ ଓ ଓଡ଼ିଶାର ବୃହତମ କୋଭିଡ ହସ୍ପିଟାଲ ଅଟେ । ସେହିପରି କେନ୍ଦ୍ରାପଡାରେ 110 ଶଯ୍ୟା ଓ ତାଳଚେରରେ 156 ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି ସୋଆର 93ରୁ 98 ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ 93ରୁ 98ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୋଆ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ଅଧିକ ଯତ୍ନବାନ ହୋଇଛି ବିଶ୍ୱବିଦ୍ୟାଳୟ । ୟୁ.ଜି.ସି ଓ ଏ.ଆଇ.ସି.ଟି.ଇର ଗାଇଡ ଲାଇନ ଅନୁଯାୟୀ ବିଗତ 1 ମାସ ହେବ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ଲାସ ଯୋଗେ ପାଠ ପଢ଼ାଯାଉଛି ।

ଗୁଗୁଲ ମିଟ୍ ଏବଂ ୱେବେକ୍ସ ପ୍ଲାଟଫର୍ମର ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ପାଠ ପଢ଼ାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧିକ ସୁବିଧା ନିମନ୍ତେ ଭିଡିଓ ଲେକ୍‌ଚର ଗୁଡିକୁ ମଧ୍ୟ ୱେବସାଇଟ୍‌ରେ ଅପଲୋଡ କରାଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ 93ରୁ 98 ପ୍ରତିଶତ ଛାତ୍ରଛାତ୍ରୀ ଏହି ଅନଲାଇନ କ୍ଲାସରେ ଯୋଗ ଦେଉଛନ୍ତି ବୋଲି ସୋଆ ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବିଷୟରେ ଦିନକୁ 3-5 ଘଣ୍ଟା ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଶିକ୍ଷାଦାନ କରୁଥିବାବେଳେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ପାଠ୍ୟକ୍ରମ ସମ୍ପର୍କିତ ବିଭିନ୍ନ ଆଲୋଚନା ମଧ୍ୟ କରାଯାଉଛି । ଯଦି କୌଣସି ଛାତ୍ର କ୍ଲାସରେ ଉପସ୍ଥିତ ହୋଇପାରୁନାହିଁ ତେବେ ଭିଡିଓ ଲିଙ୍କ ଗୁଡିକ ଇ-ମେଲ୍ ମାଧ୍ୟମରେ ପଠାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ତାଳଚେରରେ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ-୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼।

ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ  ସମ ହସ୍ପିଟାଲ, ଏମସିଏଲ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ୧୫୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ. ଜି. ବ୍ରହ୍ମପୁରକର ଏହି ଚୁକ୍ତିନାମା ସ୍ଵାକ୍ଷରିତ କରିଥିଲେ।

୧୫୬ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିମନ୍ତେ ଏମସିଏଲ ଆର୍ଥିକ ସହାୟତା କରୁଥିବା ବେଳେ ଡାକ୍ତର, ନର୍ସ, ଏବଂ ଅନ୍ୟାନ୍ୟ ସମସ୍ତ  ଆନୁସଙ୍ଗିକ ଡାକ୍ତରୀ ବ୍ୟବସ୍ଥା ସମ ପକ୍ଷରୁ ଯୋଗାଇ ଦିଆଯିବ।

ଏହି ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର, ଏବଂ ମେଡିକାଲ ଷ୍ଟାଫ ମାନେ  କରୋନା ରୋଗୀମାନଙ୍କୁ ଚିକିତ୍ସା କରୁଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ। ହସ୍ପିଟାଲକୁ ନେଇ ଏମସିଏଲର ସହଯୋଗକୁ ପ୍ରଶଂସା କରିବା ସହ ସୋଆର ଉଦ୍ୟମ ଓ ଦାୟିତ୍ୱବୋଧତାକୁ ନେଇ ମଧ୍ୟ ଆନନ୍ଦବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାରାଦେଶରେ ୬୮୨ ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବ ବେଳେ ଓଡିଶା ଏ ଦିଗରେ ଅଗ୍ରଣୀ ଭୂମିକା ନେଇଛି। ତେବେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ଏହି ହସ୍ପିଟାଲଗୁଡିକୁ କେହି କରୋନା ରୋଗୀ ନ ଆସନ୍ତୁ ବୋଲି ସେ ଆଶା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଆମକୁ ବିଶ୍ୱରୁ କରୋନା ସମ୍ପୂର୍ଣ ହଟିବା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ ବୋଲିସେ କହିଥିଲେ।

ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ କୁମାର  ତ୍ରିପାଠୀ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କୋଭିଡ-୧୯ ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ।

ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା। ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି।

ସୋଆ ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ ଅଧିକାରୀ ଶ୍ରୀ ସୁଧାଂଶୁ ପଟ୍ଟନାୟକ ଓ ଏନଏସଏସ କୋଅରଡିନେଟର ଡକ୍ଟର ନଚିକେତା ଶର୍ମା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ବଣ୍ଟନ କାର୍ଯ୍ୟରେ 22 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ହରେକୃଷ୍ଣ ନାୟକ, 23 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଦିଲୀପ ମାଝୀ ଓ 49 ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଅଶ୍ୱିନୀ ସୁନ୍ଦରରାଏ ପ୍ରମୁଖ ସହଯୋଗ କରିଥିଲେ।