Categories
ଆଜିର ଖବର ରାଜ୍ୟ ଖବର

ସୋଆ କ୍ୟାମ୍ପସ୍‌ରେ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପିତ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍‌ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ
ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍‌ରେ ଥିବା ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ୫ ମାଇଲ ପରିସୀମା ମଧ୍ୟରେ ଏହି ଷ୍ଟେସନ୍ ପାଣିପାଗ, ତାପମାତ୍ରା, ବାୟୁ ପ୍ରଦୂଷଣର ସ୍ତର, ଗୁଣବତା, ଆର୍ଦ୍ରତା ଏବଂ ସୌର
ବିକୀରଣ ଇତ୍ୟାଦି ନିରୀକ୍ଷଣ କରିବ।

ହାଇଦ୍ରାବାଦ ସ୍ଥିତ ୟୁଏସ୍ କନ୍‌ସଲେଟ୍ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ବ୍ରୋନକ୍ସ କମ୍ୟୁନିଟି କଲେଜର ରସାୟନ ବିଜ୍ଞାନ, ଭୂ ବିଜ୍ଞାନ ଓ ପରିବେଶ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ପ୍ରଫେସର ନୀଲ୍ ଫିଲିପ୍ ଓ ସେହି ବିଭାଗର ପ୍ରଫେସର ପାରମିତା ସେନ୍ ଏହାର ପ୍ରମୁଖ ନିରୀକ୍ଷକ ଅଛନ୍ତି।

ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ଏହି ପାଣିପାଗ କେନ୍ଦ୍ରକୁ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ପ୍ରଫେସର ଫିଲିପ୍‌, ପ୍ରଫେସର ସେନ୍ ଏବଂ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍ କନ୍‌ସଲ୍ ଜେନେରାଲଙ୍କ ପରାମର୍ଶଦାତା ଶ୍ରୀ ସଲ୍ଲିଳ କାଦେର ଉପସ୍ଥିତ ଥିଲେ। ଡକ୍ଟର ସାହୁ କହିଥିଲେ ଯେ ଏହି କେନ୍ଦ୍ର ଜଳବାୟୁ ଏବଂ ବାୟୁ ଗୁଣବତାର ପରୀକ୍ଷଣ କରିବ। ଏହାର ଉପଲ୨ ତଥ୍ୟକୁ ଜଳବାୟୁ ସମ୍ପର୍କିତ ଗବେଷଣା କରୁଥିବା ଫ୍ୟାକଲ୍ଟିମାନେ ଉପଯୋଗ କରିବା ସହ ଏହାକୁ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇ ପାରିବ।

ଏହି ଷ୍ଟେସନ୍‌ର ତଥ୍ୟକୁ ସମାଜର ହିତ ପାଇଁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତନ ଓ ବାୟୁର ଗୁଣବତା ଭଳି ଦୁଇଟି ପ୍ରମୁଖ ପ୍ରସଙ୍ଗ ମାନବ ସମାଜ ଉପରେ ପ୍ରଭାବ ପକାଉଥିବା ବେଳେ ଏ ଦିଗରେ
ପରିବର୍ତନ ଆଣିବା ନିମନ୍ତେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ କାର୍ଯ୍ୟ କରିବା ଆମର ଲକ୍ଷ୍ୟ ବୋଲି ପ୍ରଫେସର ଫିଲିପ୍ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫାୟାର୍ସ) ପ୍ରଫେସର ରେଣୁ ଶର୍ମା, ରସାୟନ ବିଭାଗର ପ୍ରଫେସର ମୀରା ଦାସ, ସୋଆ ସେଂଟର ଫର୍ ବାୟୋଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ପ୍ରଫେସର ଆଦିତ୍ୟ କିଶୋର ଦାସ ତଥା ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅକ୍ଷୟ କୁମାର ବର୍ମା, ପ୍ରଫେସର ବିଦ୍ୟାଧର ବାସା ଓ ପ୍ରଫେସର ଜଗନ୍ନାଥ ପ୍ରସାଦ ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପ୍ରଫେସର ଏମ୍‌ଆର୍‌ଏସ୍‌ଆଇ ବାର୍ଷିକ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ତଥା ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ଆଇଆଇଟି ଯୋଧପୁର ଠାରେ ନିକଟରେ ଚତୁର୍ଥ ଇଣ୍ଡିଆନ୍ କନ୍‌କ୍ଲେଭ୍ ଆଣ୍ଡ ଇଂଟରନ୍ୟାସ୍‌ନାଲ୍ ୟୁନିୟନ୍ ଅଫ୍ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି- ଇନ୍‌ଟରନ୍ୟାସ୍‌ନାଲ କନ୍‌ଫରେନ୍ସ ଇନ୍ ଏସିଆ କାର୍ଯ୍ୟକ୍ରମରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍‌ଆର୍‌ଏସ୍‌ଆଇ) ବାର୍ଷିକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତନ କରି ପଦାର୍ଥଗୁଡ଼ିକୁ ପ୍ରସ୍ତୁତ କରିବାରେ ପ୍ରଫେସର ପରିଡ଼ାଙ୍କ ପାରଦର୍ଶିତା ସହ ଶକ୍ତି ସଂଚୟ ଏବଂ ପରିବେଶ ଉପଚାର କ୍ଷେତ୍ରରେ ତାଙ୍କର ବିଚାରମତ ବିଶେଷ ଗୁରୁତ୍ୱ ବହନ କରେ।

ପ୍ରଫେସର ପରିଡାଙ୍କର ପଦାର୍ଥ ବିଜ୍ଞାନ କ୍ଷେତ୍ରର ବିକାଶରେ ଅନେକ ଅବଦାନ ରହିଥିବା ବେଳେ ଯୁବ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବାରେ ତାଙ୍କର ବେଶ ଭୂମିକା ରହିଛି। ବିଭିନ୍ନ ଗୁରୁତ୍ୱପୂର୍ଣର୍ ଜର୍ନାଲ୍‌ଗୁଡ଼ିକରେ ତାଙ୍କର ୫୦୦ ରୁ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇଥିବା ବେଳେ ତାଙ୍କର ୩୨ଟି ଭାରତୀୟ ପାଟେଂଟ ଗୃହୀତ ହୋଇସାରିଛି। ତାଙ୍କ ଅଧିନରେ ୫୨ ଜଣ ଗବେଷକ ପିଏଚ୍‌ଡି ଲାଭ କରିସାରିଛନ୍ତି।

ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିରେ ବର୍ତମାନ ୨୦ ଜଣ ସ୍କଲାର୍ ଆର୍ଟିଫିସିଆଲ୍ ଫଟୋସିନ୍‌ଥେସିସ୍ ଏବଂ ଇଲେକ୍ଟ୍ରୋକ୍ୟାଟାଲିସିସ୍ ସମ୍ବନ୍ଧୀୟ ଆପ୍ଲିକେସନ୍‌ରେ ଗବେଷଣାରତ ଅଛନ୍ତି। ୨୦୨୦ ମସିହାରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ବିଶିଷ୍ଟ ବୈଜ୍ଞାନିକଙ୍କ ତାଲିକାରେ ଗତ ୩ ବର୍ଷ ଧରି ପ୍ରଫେସର ପରିଡ଼ାଙ୍କୁ ସ୍ଥାନିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପଠାଣି ସାମନ୍ତ ପୁରସ୍କାର ଓ ବିଜ୍ଞାନରେ ଉତ୍କର୍ଷତା ନିମନ୍ତେ ବିଜୁ ପଟ୍ଟନାୟକ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ଦୂର ହୋଇ ପାରିବ: ସୋଲାର ମ୍ୟାନ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବଜାତି ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପଡୁଛି। ତେବେ ଜଳବାୟୁ ପରିବର୍ତ୍ତନ ନିମନ୍ତେ ମଣିଷ ନିଜେ ହିଁ ଦାୟୀ। ତେଣୁ ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହ ମୁକାବିଲା କରିହେବ ବୋଲି କହିଛନ୍ତି ସୋଲାର ମ୍ୟାନ ଭାବେ ପରିଚିତ ପ୍ରଫେସର ଚେତନ ସିଂ ସୋଲାଙ୍କି।

ଓଡ଼ିଶା ଗସ୍ତରେ ଆସିଥିବା ଆଇଆଇଟି ବମ୍ବେର ପ୍ରଫେସର ସୋଲାଙ୍କି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀମାନଙ୍କୁ ନିଜର ନିତ୍ୟ ଆବଶ୍ୟକତା ନିମନ୍ତେ ସୌରଶକ୍ତିର ବ୍ୟବହାର କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସାରା ଭାରତରେ ସୌରଶକ୍ତିର ପ୍ରଚଳନ କରିବା ଲକ୍ଷ୍ୟ ନେଇ ୨୦୨୦ ମସିହାରୁ ଭାରତ ପରିଭ୍ରମଣ ଆରମ୍ଭ କରିଛନ୍ତି ଏହି ସୋଲାର ମ୍ୟାନ।

୧୧ ବର୍ଷ ନିମନ୍ତେ ନିଜର ପରିବାରକୁ ପଛରେ ପକାଇ ଏହି ଜନ ଆନ୍ଦୋଳନ ନିମନ୍ତେ ଯାତ୍ରା ଆରମ୍ଭ କରିଥିବା ପ୍ରଫେସର ସୋଲାଙ୍କିଙ୍କର ଲକ୍ଷ ରହିଛି ୨୦୩୦ ସୁଦ୍ଧା ସମଗ୍ର ଭାରତ ବର୍ଷରେ ସୌରଶକ୍ତିକୁ ଉଜ୍ଜିବୀତ କରିବା।

ଖଣ୍ଡଗିରି ସ୍ଥିତ ସୋଆ ମୁଖ୍ୟ କାର୍ଯ୍ୟାଳୟରୁ ଏକ ର‌୍ୟାଲିରେ ଆଇଟିଇଆର ପରିସରରେ ପହଂଚିବା ପରେ “ଏନର୍ଜୀ” ସ୍ୱରାଜ ଫାଉଣ୍ଡେସନ’ର ପ୍ରତିଷ୍ଠାତା ପ୍ରଫେସର ସୋଲାଙ୍କି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ “କ୍ଲାଇମେଟ୍ ଚେଞ୍ଜ, ଏନର୍ଜୀ ସ୍ୱରାଜ ଆଣ୍ଡ ଆଇ” ଶୀର୍ଷକ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିବା ସହ ନିଜ ଆବଶ୍ୟକତାକୁ ସୀମିତ ରଖି ପରିବେଶକୁ ବଂଚାଇବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ବନ ଶକ୍ତି ମଣିଷକୁ ଧ୍ୱଂସ ଆଡକୁ ନେଉଥିବା ବେଳେ ସୌରଶକ୍ତି ହିଁ ଏ ସବୁରୁ ମାନବ ଜାତିକୁ ବଂଚାଇ ପାରିବ। ପ୍ରତ୍ୟେକ ବ୍ୟବହାରକୁ ୧୦୦ ପ୍ରତିଶତ ସୌରଶକ୍ତିରେ ପରିବର୍ତ୍ତନ କରିବା ନିମନ୍ତେ ଜନ ଆନ୍ଦୋଳନ କରିବା ଲକ୍ଷ୍ୟରେ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୫୪୭ ଦିନର ଯାତ୍ରା ମଧ୍ୟରେ ୨୧୦୦୦ କି.ମି ରୁ ଉର୍ଦ୍ଧ୍ୱ ଅତିକ୍ରମ କରିଥିବାବେଳେ ସେ ବର୍ତ୍ତମାନ ୧୧ ଟି ରାଜ୍ୟରେ ନିଜର ଯାତ୍ରା ସମ୍ପୂର୍ଣ୍ଣ କରିସାରିଲେଣି।

ଆଗାମୀ ଦିନରେ ସୌରଶକ୍ତି କିଭଳି ନୂତନ ଜୀବନ ଶୈଳୀରେ ପରିବର୍ତନ ଆଣିପାରିବ ଏବଂ ଏହା ଦ୍ୱାରା ମଣିଷ ସୁସ୍ଥ ଭାବେ ଜୀବନଯାପନ କରିପାରିବ ସେ ନେଇ ପ୍ରଫେସର ସୋଲାଙ୍କି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି। ତାଙ୍କୁ ସୌରଶକ୍ତିର ପ୍ରଚାର ପ୍ରସାର ନିମନ୍ତେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡର ଭାବେ ମଧ୍ୟ ଘୋଷଣା କରାଯାଇଛି।

୧୧ ବର୍ଷ ମଧ୍ୟରେ ଏକ କୋଟି ପରିବାରକୁ ସୌରଶକ୍ତି ବ୍ୟବହାର କ୍ଷେତ୍ରରେ ଜାଗୃତ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଫେସର ସୋଲାଙ୍କି।

ଆଇଟିଇଆରରେ ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରୋ ଭାଇସ୍ ଚାନସେଲର ପ୍ରଫେସର ପି.କେ.ନନ୍ଦ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।