Categories
ଆଜିର ଖବର ରାଜ୍ୟ ଖବର

ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ଦୂର ହୋଇ ପାରିବ: ସୋଲାର ମ୍ୟାନ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବଜାତି ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପଡୁଛି। ତେବେ ଜଳବାୟୁ ପରିବର୍ତ୍ତନ ନିମନ୍ତେ ମଣିଷ ନିଜେ ହିଁ ଦାୟୀ। ତେଣୁ ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହ ମୁକାବିଲା କରିହେବ ବୋଲି କହିଛନ୍ତି ସୋଲାର ମ୍ୟାନ ଭାବେ ପରିଚିତ ପ୍ରଫେସର ଚେତନ ସିଂ ସୋଲାଙ୍କି।

ଓଡ଼ିଶା ଗସ୍ତରେ ଆସିଥିବା ଆଇଆଇଟି ବମ୍ବେର ପ୍ରଫେସର ସୋଲାଙ୍କି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀମାନଙ୍କୁ ନିଜର ନିତ୍ୟ ଆବଶ୍ୟକତା ନିମନ୍ତେ ସୌରଶକ୍ତିର ବ୍ୟବହାର କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସାରା ଭାରତରେ ସୌରଶକ୍ତିର ପ୍ରଚଳନ କରିବା ଲକ୍ଷ୍ୟ ନେଇ ୨୦୨୦ ମସିହାରୁ ଭାରତ ପରିଭ୍ରମଣ ଆରମ୍ଭ କରିଛନ୍ତି ଏହି ସୋଲାର ମ୍ୟାନ।

୧୧ ବର୍ଷ ନିମନ୍ତେ ନିଜର ପରିବାରକୁ ପଛରେ ପକାଇ ଏହି ଜନ ଆନ୍ଦୋଳନ ନିମନ୍ତେ ଯାତ୍ରା ଆରମ୍ଭ କରିଥିବା ପ୍ରଫେସର ସୋଲାଙ୍କିଙ୍କର ଲକ୍ଷ ରହିଛି ୨୦୩୦ ସୁଦ୍ଧା ସମଗ୍ର ଭାରତ ବର୍ଷରେ ସୌରଶକ୍ତିକୁ ଉଜ୍ଜିବୀତ କରିବା।

ଖଣ୍ଡଗିରି ସ୍ଥିତ ସୋଆ ମୁଖ୍ୟ କାର୍ଯ୍ୟାଳୟରୁ ଏକ ର‌୍ୟାଲିରେ ଆଇଟିଇଆର ପରିସରରେ ପହଂଚିବା ପରେ “ଏନର୍ଜୀ” ସ୍ୱରାଜ ଫାଉଣ୍ଡେସନ’ର ପ୍ରତିଷ୍ଠାତା ପ୍ରଫେସର ସୋଲାଙ୍କି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ “କ୍ଲାଇମେଟ୍ ଚେଞ୍ଜ, ଏନର୍ଜୀ ସ୍ୱରାଜ ଆଣ୍ଡ ଆଇ” ଶୀର୍ଷକ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିବା ସହ ନିଜ ଆବଶ୍ୟକତାକୁ ସୀମିତ ରଖି ପରିବେଶକୁ ବଂଚାଇବା ପାଇଁ ଆହ୍ୱାନ ଦେଇଥିଲେ।

କାର୍ବନ ଶକ୍ତି ମଣିଷକୁ ଧ୍ୱଂସ ଆଡକୁ ନେଉଥିବା ବେଳେ ସୌରଶକ୍ତି ହିଁ ଏ ସବୁରୁ ମାନବ ଜାତିକୁ ବଂଚାଇ ପାରିବ। ପ୍ରତ୍ୟେକ ବ୍ୟବହାରକୁ ୧୦୦ ପ୍ରତିଶତ ସୌରଶକ୍ତିରେ ପରିବର୍ତ୍ତନ କରିବା ନିମନ୍ତେ ଜନ ଆନ୍ଦୋଳନ କରିବା ଲକ୍ଷ୍ୟରେ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୫୪୭ ଦିନର ଯାତ୍ରା ମଧ୍ୟରେ ୨୧୦୦୦ କି.ମି ରୁ ଉର୍ଦ୍ଧ୍ୱ ଅତିକ୍ରମ କରିଥିବାବେଳେ ସେ ବର୍ତ୍ତମାନ ୧୧ ଟି ରାଜ୍ୟରେ ନିଜର ଯାତ୍ରା ସମ୍ପୂର୍ଣ୍ଣ କରିସାରିଲେଣି।

ଆଗାମୀ ଦିନରେ ସୌରଶକ୍ତି କିଭଳି ନୂତନ ଜୀବନ ଶୈଳୀରେ ପରିବର୍ତନ ଆଣିପାରିବ ଏବଂ ଏହା ଦ୍ୱାରା ମଣିଷ ସୁସ୍ଥ ଭାବେ ଜୀବନଯାପନ କରିପାରିବ ସେ ନେଇ ପ୍ରଫେସର ସୋଲାଙ୍କି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି। ତାଙ୍କୁ ସୌରଶକ୍ତିର ପ୍ରଚାର ପ୍ରସାର ନିମନ୍ତେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡର ଭାବେ ମଧ୍ୟ ଘୋଷଣା କରାଯାଇଛି।

୧୧ ବର୍ଷ ମଧ୍ୟରେ ଏକ କୋଟି ପରିବାରକୁ ସୌରଶକ୍ତି ବ୍ୟବହାର କ୍ଷେତ୍ରରେ ଜାଗୃତ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଫେସର ସୋଲାଙ୍କି।

ଆଇଟିଇଆରରେ ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରୋ ଭାଇସ୍ ଚାନସେଲର ପ୍ରଫେସର ପି.କେ.ନନ୍ଦ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।