Categories
ଆଜିର ଖବର ରାଜ୍ୟ ଖବର

ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ତାଳଚେରରେ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ-୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼।

ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ  ସମ ହସ୍ପିଟାଲ, ଏମସିଏଲ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ୧୫୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ. ଜି. ବ୍ରହ୍ମପୁରକର ଏହି ଚୁକ୍ତିନାମା ସ୍ଵାକ୍ଷରିତ କରିଥିଲେ।

୧୫୬ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିମନ୍ତେ ଏମସିଏଲ ଆର୍ଥିକ ସହାୟତା କରୁଥିବା ବେଳେ ଡାକ୍ତର, ନର୍ସ, ଏବଂ ଅନ୍ୟାନ୍ୟ ସମସ୍ତ  ଆନୁସଙ୍ଗିକ ଡାକ୍ତରୀ ବ୍ୟବସ୍ଥା ସମ ପକ୍ଷରୁ ଯୋଗାଇ ଦିଆଯିବ।

ଏହି ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର, ଏବଂ ମେଡିକାଲ ଷ୍ଟାଫ ମାନେ  କରୋନା ରୋଗୀମାନଙ୍କୁ ଚିକିତ୍ସା କରୁଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ। ହସ୍ପିଟାଲକୁ ନେଇ ଏମସିଏଲର ସହଯୋଗକୁ ପ୍ରଶଂସା କରିବା ସହ ସୋଆର ଉଦ୍ୟମ ଓ ଦାୟିତ୍ୱବୋଧତାକୁ ନେଇ ମଧ୍ୟ ଆନନ୍ଦବ୍ୟକ୍ତ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାରାଦେଶରେ ୬୮୨ ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବ ବେଳେ ଓଡିଶା ଏ ଦିଗରେ ଅଗ୍ରଣୀ ଭୂମିକା ନେଇଛି। ତେବେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ଏହି ହସ୍ପିଟାଲଗୁଡିକୁ କେହି କରୋନା ରୋଗୀ ନ ଆସନ୍ତୁ ବୋଲି ସେ ଆଶା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଆମକୁ ବିଶ୍ୱରୁ କରୋନା ସମ୍ପୂର୍ଣ ହଟିବା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ ବୋଲିସେ କହିଥିଲେ।

ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ କୁମାର  ତ୍ରିପାଠୀ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର ଓ କୋଭିଡ-୧୯ ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ପାରାଦ୍ବୀପରେ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରୀପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର

ରମେଶ ମହାନ୍ତି

ଜଗତସିଂହପୁର: ବିଜୁ ଯାତ୍ରୀ ନିବାସ ପାରାଦ୍ବୀପ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର (Dedicated Covid Health Centre)ପାଇଁ ତ୍ରୀପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଛି। ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ବିଜୟ ପଣ୍ଡା ଏହି ତ୍ରୀପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

ଏହି ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ବହନ କରିବ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୋର୍ଟ ସଚିବ ସରୋଜ କୁମାର ଦାସ, ମୁଖ୍ୟ ଚିକିତ୍ସା ଅଧିକାରୀ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଡଃ ପ୍ରହଲ୍ଲାଦ ପଣ୍ଡା,ଏ.ଡି.ଏସ୍.ଓ ଡଃ ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡାଃ ଶଶାଙ୍କ ଶେଖର ଲେଙ୍କା, ସ୍ମୃତି ରଞ୍ଜନ ମିଶ୍ର, ପାରାଦ୍ୱୀପ ବନ୍ଦର ଚିଫ୍ ମ୍ୟାନେଜର, କର୍ପୋରେଟ୍ ରିଲେସନ୍ ଆଣ୍ଡ କମ୍ୟୁନିକେସନ ରତିକାନ୍ତ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଏପ୍ରିଲ୍ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ଏହାପରେ ୪ ରୁ ୫ ଏପ୍ରିଲ୍‌ରେ ଭୁବନେଶ୍ବରସ୍ଥିତ ଏମସ୍‌ ହସ୍ପିଟାଲ୍‌ ଯାଇଥିଲେ। ପରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ ତାରିଖରେ ଏମାନଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଏପ୍ରିଲ୍‌ ୯ ତାରିଖରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ଏମାନଙ୍କୁ  କିମସ୍‌ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ: ପାରାଦ୍ବୀପରେ ହେଲା କୋଭିଡ ହସ୍ପିଟାଲ୍

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି।

ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ ସେହି ଦୋକାନକୁ ସିଲ୍ କରାଯିବ। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ବିକ୍ରି କରୁଥିବା ଦୋକାନୀ ମାସ୍କ (Face Mask)ବ୍ୟବହାର କରିବେ।ସଂପୃକ୍ତ ଦୋକାନ ମାନଙ୍କୁ ଆସୁଥିବା ସମସ୍ତ ଗ୍ରାହକ (ମୁହଁରେ) ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ। ଅଯଥାରେ ବାହାରେ ବୁଲାବୁଲି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପୋଲିସ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ପୋର୍ଟ ହସପିଟାଲ ଏବଂ ଭାରତୀୟ ତୈଳ ନିଗମ (iocl)ହସପିଟାଲକୁ କୋଭିଡ୍ ହସପିଟାଲ୍ ଭାବେ ଘୋଷଣା କରିଛନ୍ତି। ଏହି ହସପିଟାଲରେ କୋଭିଡ୍ ଆଇସୋଲେସନ ସେଣ୍ଟର ,ସନ୍ଦିଗ୍ଧ ଏବଂ ପଜିଟିଭ୍ କୋଭିଡ୍-୧୯ ରୋଗୀ ଚିକିତ୍ସିତ ହୋଇପାରିବେ।ଏଥିସହିତ ଜଗତସିଂହପୁର ଜିଲ୍ଲାର ରାହାମା ହାଟରେ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ ଏହି ସାପ୍ତାହିକ ରାହାମା ହାଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି।

ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନେ ସାମଗ୍ରୀ ପରିବହନ ଯାନ,ଆମ୍ବୁଲାନ୍ସ, ପୋଲିସ୍ ଗାଡ଼ି,କୋଭିଡ୍-୧୯ ପାଇଁ ବ୍ୟବହୃତ ଜରୁରୀକାଳୀନ ଯାନ, ସରକାରୀ ଯାନ, ପାସ୍ ପାଇଥିବା ଯାନ, ଭାଲିଡ୍ ପରିଚୟପତ୍ର ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଚଳାଉଥିବା ଯାନକୁ ଅପରାହ୍ନ ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ୍, ଲୁବ୍ରିକାଣ୍ଟ ପ୍ରଦାନ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନଙ୍କ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ କଲେକଟୋରେଟ୍ କ୍ୟାମ୍ପସ୍ ୟୁକୋ ବ୍ୟାଙ୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।