କରୋନା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ: ପାରାଦ୍ବୀପରେ ହେଲା କୋଭିଡ ହସ୍ପିଟାଲ୍

Published: Apr 8, 2020, 11:30 am IST

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି।

ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ ସେହି ଦୋକାନକୁ ସିଲ୍ କରାଯିବ। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ବିକ୍ରି କରୁଥିବା ଦୋକାନୀ ମାସ୍କ (Face Mask)ବ୍ୟବହାର କରିବେ।ସଂପୃକ୍ତ ଦୋକାନ ମାନଙ୍କୁ ଆସୁଥିବା ସମସ୍ତ ଗ୍ରାହକ (ମୁହଁରେ) ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ। ଅଯଥାରେ ବାହାରେ ବୁଲାବୁଲି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପୋଲିସ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ପୋର୍ଟ ହସପିଟାଲ ଏବଂ ଭାରତୀୟ ତୈଳ ନିଗମ (iocl)ହସପିଟାଲକୁ କୋଭିଡ୍ ହସପିଟାଲ୍ ଭାବେ ଘୋଷଣା କରିଛନ୍ତି। ଏହି ହସପିଟାଲରେ କୋଭିଡ୍ ଆଇସୋଲେସନ ସେଣ୍ଟର ,ସନ୍ଦିଗ୍ଧ ଏବଂ ପଜିଟିଭ୍ କୋଭିଡ୍-୧୯ ରୋଗୀ ଚିକିତ୍ସିତ ହୋଇପାରିବେ।ଏଥିସହିତ ଜଗତସିଂହପୁର ଜିଲ୍ଲାର ରାହାମା ହାଟରେ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ ଏହି ସାପ୍ତାହିକ ରାହାମା ହାଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି।

ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନେ ସାମଗ୍ରୀ ପରିବହନ ଯାନ,ଆମ୍ବୁଲାନ୍ସ, ପୋଲିସ୍ ଗାଡ଼ି,କୋଭିଡ୍-୧୯ ପାଇଁ ବ୍ୟବହୃତ ଜରୁରୀକାଳୀନ ଯାନ, ସରକାରୀ ଯାନ, ପାସ୍ ପାଇଥିବା ଯାନ, ଭାଲିଡ୍ ପରିଚୟପତ୍ର ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଚଳାଉଥିବା ଯାନକୁ ଅପରାହ୍ନ ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ୍, ଲୁବ୍ରିକାଣ୍ଟ ପ୍ରଦାନ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନଙ୍କ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ କଲେକଟୋରେଟ୍ କ୍ୟାମ୍ପସ୍ ୟୁକୋ ବ୍ୟାଙ୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related posts