Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

Breaking News: ପାରାଦ୍ବୀପ ବନ୍ଦରରୁ ଧରାପଡିଲା ୧୧୦୦ କୋଟି ଟଙ୍କାର କୋକେନ

ପାରାଦ୍ବୀପ: ଆଜି କଷ୍ଟମ୍ ବିଭାଗର ଏକ ବଡ ଧରଣର ଚଢାଉ କରି ନିଶାଦ୍ରବ୍ୟ କୋକେନ ଚାଲାଣ ହେଉଥିବା ବେଳେ ଧରିଛନ୍ତି। ଏକ ଜାହାଜରେ ଏହି ନାଶାଦ୍ରବ୍ୟ ବୋଝେଇ ହୋଇ ପାରାଦ୍ବୀପ ବନ୍ଦରରେ ଲାଗିଥିଲା। ଏହି ଖବର ପାଇବା ପରେ କଷ୍ଟମ ବିଭାଗ ତରଫରୁ ଏହି ଚଢାଉ କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜାହାଜରୁ ୨୦ ପ୍ୟାକେଟ ପରେ ୫୫ ପ୍ୟାକେଟ କୋକେନ ମିଳିଥିବାର ଜଣାପଡିଛି। ଯାହାର ଓଜନ ପ୍ରାୟ ୧ କ୍ବାଣ୍ଟାଲ ୧୦ କେଜି ହେବ ବୋଲି ଜଣାପଡିଛି। ଏହାର ବଜାର ମୂଲ୍ୟ ୧୧୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ଇଣ୍ଡୋନେସିଆରୁ ଏକ ଜାହାଜ ଗତକାଲି ପାରାଦ୍ବୀପ ବନ୍ଦରରେ ଲାଗିଥିଲା।ଏହା ଓଡିଶାରୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିବାର ଜଣାପଡିଛି। ହେଲେ ଖାଲି ଜାହାଜରୁ କେତେକ ପ୍ୟାକେଟ ଆଉ ଏକ ଜାହାଜକୁ ସ୍ଥାନାନ୍ତରିତ ହେଉ ଥିବାର ଖବର ମିଳିଥିଲା।

ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ ଏବଂ କଷ୍ଟମ୍ ବିଭାଗ ଚଢାଉ କରି ଏହି ପ୍ୟାକେଟ ଜବତ କରିଥିଲେ। ପରେ ଜଣାପଡିଥିଲା ଯେ ଏହା କୋକେନ ପ୍ୟାକେଟ। ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ ଏହା ଡେନମାର୍କ ଯିବାକୁ ଥିବା ଜାହାଜରେ ବୋଝେଇ କରାଯାଉଥିଲା। ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ପ୍ରକୃତରେ କେତେ ପ୍ୟାକେଟ କୋକେନ ରହିଛି ତାହାର ପୁରା ବିବରଣୀ ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

40 ଡିଗ୍ରୀ ଉପରେ 13 ସହର : ଟିଟିଲାଗଡ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ତତଲା କଡେଇ ଉପରେ ବସିଛି ରାଜ୍ୟ । ଶନିବାର ରାଜ୍ୟର 13ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଓଡିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 45.5 ଡିଗ୍ରୀ ରହିଛି । ଏହା ତଳକୁ ଭବାନୀପାଟଣା 44.2 ଡିଗ୍ରୀ, ତାଳଚେର 43.8 ଡିଗ୍ରୀ, ବଲାଙ୍ଗୀର 43.5 ଡିଗ୍ରୀ ଏବଂ ମାଲକାନଗିରିରେ 43 ଡିଗ୍ରୀ ତାପମାତ୍ରା ରହିଛି । କଟକ ଏବଂ ଭୁବନେଶ୍ବରରେ ତାପମାତ୍ରା 35.4 ଡିଗ୍ରୀ ରହିଥିବା ବେଳେ ପାରାଦୀପରେ ସର୍ବନିମ୍ନ ତାପମାତ୍ରା 32.5 ଡିଗ୍ରୀ ରେକର୍ଡ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆମ୍ଫାନ୍‌ ମୁକାବିଲା : 4 ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ

ଭୁବନେଶ୍ବର : ମାଡି ଆସୁଥିବା ବାତ୍ୟା ଆମ୍ଫାନର ମୁକାବିଲା ପାଇଁ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାମୁଦ୍ରିକ ଝଡ ଆମ୍ଫାନ୍‌ ବର୍ତ୍ତମାନ ପାରାଦ୍ବୀପରୁ 770 କିମି ଦୂରରେ ରହିଥିବା ବେଳେ 20 ତାରିଖ ଅପରାହ୍ନ ସୁଦ୍ଧା ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ।

Categories
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା କାଠ ମାଫିଆ : ପାରାଦ୍ବୀପ ବେଳାଭୂମିରୁ ଦିନ ଦ୍ବିପ୍ରହରରେ ଲୁଟ

ରଞ୍ଜିତ ପଣ୍ଡା
କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ କାଠ। କରୋନାକୁ ନେଇ ସମସ୍ତେ ଘରେ ଥିବାବେଳେ, ଏମାନେ ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଝାଉଁ ଜଙ୍ଗଲ। ଉପକୂଳର ସୁରକ୍ଷା କବଚ କ୍ଷତିଗ୍ରସ୍ତ ହେଉ ହେଉଥିବା ବେଳେ ପ୍ରଶାସନ ପାଖରେ ନାହିଁ ଖବର।

ଚୋରା କାଠ ମାଫିଆଙ୍କୁ ସୁହାଇଛି କରୋନା ଲକ୍ ଡାଉନ। ଦିନ ଦ୍ବିପ୍ରହରରେ ଲୁଟି ନେଉଛନ୍ତି ଶହ ଶହ ଝାଉଁ ଗଛ। ଏହି ଦୃଶ୍ୟ ହେଉଛି ପାରାଦ୍ବୀପ ସମୁଦ୍ର କୂଳର। ପାଖରେ ଥିବା ଷଣ୍ଢକୁଦ ବସ୍ତିର କିଛି ମହିଳାଙ୍କୁ ଲଗାଇ କାଠ ମାଫିଆ ଲୁଟ୍ କରୁଛନ୍ତି ଝାଉଁ ଜଙ୍ଗଲ। ରାସ୍ତା ଶୁନ ଶାନ ଥିବା ବେଳେ ଏମାନେ କିନ୍ତୁ ଲୁଟିବାରେ ବ୍ୟସ୍ତ। ପାଖାପାଖି ୬ ଏକରରୁ ଉର୍ଦ୍ଧ୍ବ ଝାଉଁ ଜଙ୍ଗଲ ଏବେ ସଫା ହୋଇ ଯାଇଛି। ସ୍ବଳ୍ପ ମୂଲ୍ୟରେ ଏହି କାଠ ଗୁଡିକୁ ସମ୍ପୃକ୍ତ ମହିଳାଙ୍କ ଠାରୁ କିଣି ଏହାକୁ ପରବର୍ତ୍ତୀ ସମୟରେ ଅଧିକ ଦରରେ ବିକ୍ରି କରୁଛନ୍ତି କାଠ ବ୍ୟବସାୟୀ। ତେବେ ଷଣ୍ଢକୁଦ ଠାରେ ଥିବା ଏକ ଫରେଷ୍ଟ ବିଟ୍ ହାଉସରେ କୌଣସି କର୍ମଚାରୀ ରହୁନଥିବା ବେଳେ ସେମାନଙ୍କ ଫୋନ ମଧ୍ୟ ଅଫ୍ ରହିଛି। ଫଳରେ ବେଧଡକ ଭାବେ ଲୁଟ୍ ହେଉଛି ଝାଉଁ ଜଙ୍ଗଲ।

୧୯୯୯ ମହାବାତ୍ୟା ପରେ ପାରାଦ୍ବୀପ ସମୁଦ୍ର କୂଳରେ ବହୁ ସଂଖ୍ୟାରେ ଝାଉଁ ଗଛ ପୋତାଯାଇ କୂତ୍ରିମ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ଜଙ୍ଗଲ ବର୍ତ୍ତମାନ ସୁରକ୍ଷା କବଚ ର କାର୍ଯ୍ୟ କରୁଛି। ମହାବାତ୍ୟା ପରେ ଯେତେ ବି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ଏହି ଝାଉଁ ଜଙ୍ଗଲ ପାରାଦ୍ବୀପ ବାସୀଙ୍କ ସୁରକ୍ଷା କବଚ ସାଜିଛି। ହେନ୍ତାଳ ବଣ ନଷ୍ଟ ହେବା ପରେ ଏହାହିଁ ବର୍ତ୍ତମାନ ସମସ୍ତଙ୍କ ପାଇଁ ସାହା ଭରସା। ଏଗୁଡିକ ବହୁଳ ପରିମାଣରେ କଟାଯିବା ଆଗାମୀ ଦିନରେ ପାରାଦ୍ବୀପ ପାଇଁ ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅନନ୍ୟ ଉପାୟରେ ଇତିଶ୍ରୀଙ୍କ କରୋନା ସଚେତନତା

ରଞ୍ଜିତ ପଣ୍ଡା

କୁଜଙ୍ଗ: କରୋନାକୁ ନେଇ ଦେଶବ୍ୟାପୀ ସଙ୍କଟ ଲାଗି ରହିଥିବା ବେଳେ ସମାଜ ପ୍ରତି ନିଜର କର୍ତ୍ତବ୍ୟ,ଦାୟିତ୍ୱବୋଧ ଭୁଲିନାହାନ୍ତି କିଛି ବ୍ୟକ୍ତି। ଏକ ସୁସ୍ଥ ସମାଜ ସମାଜ ଗଠନ ପାଇଁ ଗୁଣ୍ଡୁଚି ମୂଷା ଭଳି ଦୀର୍ଘ 15 ଦିନ ହେବ ପ୍ରୟାସ କରିଛନ୍ତି ଜଣେ ସ୍କାଉଟ୍‌ ଗାଇଡ୍‌ କ୍ୟାପ୍‌ଟେନ୍‌। ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା କୋଭିଡ -19 ର ଭୟାବହତା ବାବଦରେ ଛକ ବଜାର ବୁଲି କରୁଛନ୍ତି ସଚେତନ। ଭାରତୀୟ ସ୍କାଉଟ ଗାଇଡ଼ର ଗାଇଡ଼ କ୍ୟାପଟେନ ପାରାଦ୍ୱୀପର ଇତିଶ୍ରୀ ପୁହାଣ କରୋନା ମହାମାରୀକୁ ହରେଇବା ପାଇଁ ଚଳାଇଛନ୍ତି ପ୍ରୟାସ। ନିଜ ଉଦ୍ୟମରେ ଘରେ ମାସ୍କ ତିଆରି କରି ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସେମାନଙ୍କୁ ମାସ୍କ ପିନ୍ଧେଇ କରୋନା ରୋଗ ପ୍ରତି ସଚେତନ କରୁଛନ୍ତି।

ଇତିଶ୍ରୀଙ୍କର ଏହି ପଦକ୍ଷେପ ପାରାଦ୍ବୀପ ଅଞ୍ଚଳରେ ମାନଙ୍କ ପାଇଁ ଉଦାହରଣ ପାଲଟିଛି। ନିଜେ କପଡ଼ାରେ ମାସ୍କ ତିଆରି କରି ଛକ ବଜାର ଗଳି କନ୍ଦି ବୁଲି ଲୋକମାନଙ୍କୁ ମାସ୍କ ପିନ୍ଧେଇ ସଚେତନ କରୁଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଅଞ୍ଚଳରେ ମାସ୍କର ଅହେତୁକ କଳାବଜାରୀ କାରଣରୁ ଗରିବ ଶ୍ରେଣୀର ଲୋକମାନେ ବଜାରରୁ ମାସ୍କ କିଣି ପାରୁନଥିଲେ। ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟିବାର ନିଷ୍ପତ୍ତି ନେଇ ଇତିଶ୍ରୀ ନିଜେ ଘରେ ମାସ୍କ ତିଆରି କରି ବଣ୍ଟନ କରିବା ଆରମ୍ଭ କରିଥିଲେ।ଇତିଶ୍ରୀ ଦୈନିକ 200 ରୁ ଉର୍ଦ୍ଧ ମାସ୍କ ରାତିରେ ତିଆରି କରି ଦିନ ତମାମ ବିଭିନ୍ନ ଛକ ବଜାରରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକ ଏବଂ ବ୍ୟବସାୟୀ ମାନଙ୍କୁ ବଣ୍ଟନ କରୁଛନ୍ତି। ଏପରିକି ନିଜ ହାତରେ ପିନ୍ଧେଇ ଦେଇ କୋଭିଡ-19 ସମ୍ପର୍କରେ ସଚେତନ କରିଚାଲିଛନ୍ତି। କରୋନାର ସମୂଳ ବିନାଶ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରଖିବେ ବୋଲି କହିଛନ୍ତି ଇତିଶ୍ରୀ। ଇତିଶ୍ରୀଙ୍କର ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Categories
ଆଜିର ଖବର ଆଞ୍ଚଳିକ

ପାରାଦ୍ବୀପରେ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରୀପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର

ରମେଶ ମହାନ୍ତି

ଜଗତସିଂହପୁର: ବିଜୁ ଯାତ୍ରୀ ନିବାସ ପାରାଦ୍ବୀପ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର (Dedicated Covid Health Centre)ପାଇଁ ତ୍ରୀପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଛି। ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ବିଜୟ ପଣ୍ଡା ଏହି ତ୍ରୀପାକ୍ଷିକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

ଏହି ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ବହନ କରିବ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ପୋର୍ଟ ସଚିବ ସରୋଜ କୁମାର ଦାସ, ମୁଖ୍ୟ ଚିକିତ୍ସା ଅଧିକାରୀ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଡଃ ପ୍ରହଲ୍ଲାଦ ପଣ୍ଡା,ଏ.ଡି.ଏସ୍.ଓ ଡଃ ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡାଃ ଶଶାଙ୍କ ଶେଖର ଲେଙ୍କା, ସ୍ମୃତି ରଞ୍ଜନ ମିଶ୍ର, ପାରାଦ୍ୱୀପ ବନ୍ଦର ଚିଫ୍ ମ୍ୟାନେଜର, କର୍ପୋରେଟ୍ ରିଲେସନ୍ ଆଣ୍ଡ କମ୍ୟୁନିକେସନ ରତିକାନ୍ତ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଏପ୍ରିଲ୍ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ: ପାରାଦ୍ବୀପରେ ହେଲା କୋଭିଡ ହସ୍ପିଟାଲ୍

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି।

ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ ସେହି ଦୋକାନକୁ ସିଲ୍ କରାଯିବ। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ବିକ୍ରି କରୁଥିବା ଦୋକାନୀ ମାସ୍କ (Face Mask)ବ୍ୟବହାର କରିବେ।ସଂପୃକ୍ତ ଦୋକାନ ମାନଙ୍କୁ ଆସୁଥିବା ସମସ୍ତ ଗ୍ରାହକ (ମୁହଁରେ) ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ। ଅଯଥାରେ ବାହାରେ ବୁଲାବୁଲି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପୋଲିସ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ପୋର୍ଟ ହସପିଟାଲ ଏବଂ ଭାରତୀୟ ତୈଳ ନିଗମ (iocl)ହସପିଟାଲକୁ କୋଭିଡ୍ ହସପିଟାଲ୍ ଭାବେ ଘୋଷଣା କରିଛନ୍ତି। ଏହି ହସପିଟାଲରେ କୋଭିଡ୍ ଆଇସୋଲେସନ ସେଣ୍ଟର ,ସନ୍ଦିଗ୍ଧ ଏବଂ ପଜିଟିଭ୍ କୋଭିଡ୍-୧୯ ରୋଗୀ ଚିକିତ୍ସିତ ହୋଇପାରିବେ।ଏଥିସହିତ ଜଗତସିଂହପୁର ଜିଲ୍ଲାର ରାହାମା ହାଟରେ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ ଏହି ସାପ୍ତାହିକ ରାହାମା ହାଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି।

ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନେ ସାମଗ୍ରୀ ପରିବହନ ଯାନ,ଆମ୍ବୁଲାନ୍ସ, ପୋଲିସ୍ ଗାଡ଼ି,କୋଭିଡ୍-୧୯ ପାଇଁ ବ୍ୟବହୃତ ଜରୁରୀକାଳୀନ ଯାନ, ସରକାରୀ ଯାନ, ପାସ୍ ପାଇଥିବା ଯାନ, ଭାଲିଡ୍ ପରିଚୟପତ୍ର ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଚଳାଉଥିବା ଯାନକୁ ଅପରାହ୍ନ ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ୍, ଲୁବ୍ରିକାଣ୍ଟ ପ୍ରଦାନ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନଙ୍କ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ କଲେକଟୋରେଟ୍ କ୍ୟାମ୍ପସ୍ ୟୁକୋ ବ୍ୟାଙ୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦୀପରେ ରାତିଅଧିଆ ଚୋରାମଦ ଚାଲାଣ

ଋଞ୍ଜିତ ପଣ୍ଡା
କୁଜଙ୍ଗ : ଲକ୍‌ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍‌ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପାରାଦ୍ୱୀପରେ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲି ବାତିଲ

ରମେଶ ମହାନ୍ତି
ଜଗତସିଂହପୁର : ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ୍‌ଠାରେ ଆସନ୍ତା ଏପ୍ରିଲ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲିକୁ ବାତିଲ କରାଯାଇଛି । ରାଜ୍ୟ ସରକାର କୋରନା ଭୁତାଣୁ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କୋରନା ଭୂତାଣୁ କୋଭିଡ୍‌୧୯କୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଜନସମାବେଶ, ମେଳା, ଷ୍ଟେସନ, ମାର୍କେଟ ପ୍ଲେସ୍‌, ସାମାଜିକ ମିଳାମିଶା ଉପରେ ସଂପୂର୍ଣ୍ଣ ଭାବରେ କଟକଣା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଏପ୍ରିଲ ୫ରୁ ୧୬ ପର୍ଯ୍ୟନ୍ତ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ୍‌ରେ ଓଡିଶାର ୧୦ଟି ଉପକୂଳ ଜିଲ୍ଲା ପାଇଁ ଆୟୋଜନ ହେବାକୁ ଥିବା ସୈନ୍ୟ ବିଭାଗ ନିଯୁକ୍ତି ରାଲିକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁନଃ ଆଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ 2 କୋରୋନା ସନ୍ଦିଗ୍ଧ : ପାରାଦୀପରେ 144 ଧାରା ଜାରି

ରଞ୍ଜିତ ପଣ୍ଡା
ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ସାଉଦି ଆରବ ଗସ୍ତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ମିଳିଛି । ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହିତ ସମ୍ପର୍କ କରାଯିବା ପରେ ଏକ ସ୍ବତନ୍ତ୍ର ଗାଡି ଯୋଗେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ରୋଗୀଙ୍କ ପରିଚୟ ଗୋପନ ରଖିଛନ୍ତି । ଉଭୟ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର । କେନ୍ଦ୍ରାପଡାର ଗରଦପୁର ବ୍ଲକ୍‌ ଅନ୍ତର୍ଗତ ତେଣ୍ଟାକୁଡା ଅଞ୍ଚଳର ଯୁବକ ଜଣକ ଫେବୃୟାରୀ 24 ତାରିଖରେ ସାଉଦି ଆରବରୁ ଫେରିଥିଲେ । ସେହିପରି ଅନ୍ୟ ଜଣେ ସନ୍ଦିଗ୍ଧ ତିର୍ତ୍ତୋଲ କଟରା ହାଜିନଗର ଅଞ୍ଚଳର 35 ବର୍ଷୀୟ ଯୁବକ ଚଳିତ ମାର୍ଚ୍ଚ 11 ତାରିଖରେ ଦିଲ୍ଲୀରୁ ଫେରିଥିଲେ । ଏହି ଘଟଣା ପରେ ପାରାଦୀପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ 144 ଧାରା ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ୍‌ ଚାପାରେ ଯୁବକଙ୍କ ପ୍ରାଣହାନି

ରଞ୍ଜିତ ପଣ୍ଡା
କୁଜଙ୍ଗ: ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ପାରାଦୀପ ଲକ୍‌ ଥାନା ସମ୍ମୁଖରେ ଜଣେ ଯୁବକଙ୍କୁ ଟ୍ରକ୍‌ ଚାପି ଦେବାରୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। 5 ନମ୍ବର ଜାତୀୟ ରାଜପଥରେ ଚଣ୍ଡୀଖୋଲରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ସହିତ ଯୁବକଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଏରସମା ବ୍ଲକ୍‌ ଅନ୍ତର୍ଗତ ନେମାଳ ଗ୍ରାମର ଜଗୁ ମଲିକ୍‌ ନାମକ ଏହି ଯୁବକ ଜଣକ ନିଜ ମାଉସୀ ଘରକୁ ଯାଉଥିଲେ। ଟ୍ରକ୍‌ଟି ଯୁବକଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Categories
ଆଞ୍ଚଳିକ

ଜେଏସ୍‌ଡବ୍ଲୁ ଭଙ୍ଗାରୁଜା ଘଟଣା: ଘଟଣାରେ ସମ୍ପୃକ୍ତ ନ ଥିବା ନେଇ ବିଜ୍ଞପ୍ତି ଜାରି କଲା ବିଜେପି ଯୁବ ମୋର୍ଚ୍ଚା

ସମୀକ୍ଷା ବ୍ୟୁରୋ

ପାରାଦୀପ, ୨୫/୧୨: ଗତକାଲି ଜେଏସ୍‌ଡବ୍ଲୁ କାର୍ଯ୍ୟାଳୟ ମଧ୍ୟରେ ହୋଇଥିବା ଭଙ୍ଗାରୁଜାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ ତାରିଖ ଅର୍ଥାତ୍‌ ଗତକାଲି ଦିବା ୧୧ ଘଟିକା ସମୟରେ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନର ନାମ ନେଇ କିଛି ଯୁବକ ଜେ.ଏସ୍‌.ଡବ୍ଲୁ  ଇନ୍‌ଫ୍ରା ଷ୍ଟକଚର୍‌ ଲିମିଟେଡ କମ୍ପାନୀରେ ନିଯୁକ୍ତି ଦାବିରେ ଗଣ୍ଡଗୋଳ କରିବା ସହିତ କାର୍ଯ୍ୟାଳୟ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଫେଇ ଦେଇ ବିଜେପିର ଯୁବ ମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ବାଇଁ କହିଛନ୍ତି ଯେ, ଏହି ଘଟଣାରେ ଦଳର କୌଣସି ପ୍ରକାରର ସମ୍ପୃକ୍ତି ନାହିଁ। ବେରୋଜଗାର ଯୁବକମାନେ ନିଯୁକ୍ତି ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ସଂଗ୍ରାମ କରିବା ଉଚିତ୍‌। ନିଯୁକ୍ତି ନାମରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି। ପାରାଦୀପରେ ବିଭିନ୍ନ ସଙ୍ଗଠନ ତରଫରୁ ଏହି ଘଟଣାରେ ବିଜେପି ଦଳର ସମର୍ଥନ ରହିଥିବା ନେଇ ଅପପ୍ରଚାର କରାଯାଇଥିଲା।

 

Categories
ଆଜିର ଖବର

ଜେଏସ୍‌ଡବ୍ଲ୍ୟୁ କାର୍ଯ୍ୟାଳୟରେ ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା

ସମୀକ୍ଷା ବ୍ୟୁରୋ
ପାରାଦୀପ,୨୪/୧୨: ପାରାଦୀପରେ ରହିଥିବା ଜିନ୍ଦଲ ଷ୍ଟିଲର କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ନିଯୁକ୍ତି ଆଶାୟୀ ମାନେ ଏହି ଭଙ୍ଗାରୁଜା କରିଥିବା ଜଣାପଡିଛି। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ଏହି ଭଙ୍ଗାରୁଜାରେ ସାମିଲ ହୋଇଥିବା ଜଣାପଡିଛି। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଉନଥିବାରୁ ଏହି ଆନ୍ଦୋଳନ କରାଯାଇଥିବା ଜଣାପଡିଛି। ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଭଙ୍ଗାରୁଜା କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍‌ ଅଟକ ରଖିବା ପରେ ଛାତ୍ରଛାତ୍ରୀମାନେ ପାରାଦୀପ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ।