ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ 2 କୋରୋନା ସନ୍ଦିଗ୍ଧ : ପାରାଦୀପରେ 144 ଧାରା ଜାରି

Published: Mar 16, 2020, 7:14 pm IST

ରଞ୍ଜିତ ପଣ୍ଡା
ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ସାଉଦି ଆରବ ଗସ୍ତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ମିଳିଛି । ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହିତ ସମ୍ପର୍କ କରାଯିବା ପରେ ଏକ ସ୍ବତନ୍ତ୍ର ଗାଡି ଯୋଗେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ରୋଗୀଙ୍କ ପରିଚୟ ଗୋପନ ରଖିଛନ୍ତି । ଉଭୟ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର । କେନ୍ଦ୍ରାପଡାର ଗରଦପୁର ବ୍ଲକ୍‌ ଅନ୍ତର୍ଗତ ତେଣ୍ଟାକୁଡା ଅଞ୍ଚଳର ଯୁବକ ଜଣକ ଫେବୃୟାରୀ 24 ତାରିଖରେ ସାଉଦି ଆରବରୁ ଫେରିଥିଲେ । ସେହିପରି ଅନ୍ୟ ଜଣେ ସନ୍ଦିଗ୍ଧ ତିର୍ତ୍ତୋଲ କଟରା ହାଜିନଗର ଅଞ୍ଚଳର 35 ବର୍ଷୀୟ ଯୁବକ ଚଳିତ ମାର୍ଚ୍ଚ 11 ତାରିଖରେ ଦିଲ୍ଲୀରୁ ଫେରିଥିଲେ । ଏହି ଘଟଣା ପରେ ପାରାଦୀପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ 144 ଧାରା ଜାରି କରାଯାଇଛି ।

Related posts