Categories
ଆଜିର ଖବର ଖେଳ ରାଜ୍ୟ ଖବର

ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉଦ୍‌ଯାପିତ, ଜିଏମ୍ ସାୟନ୍ତନ ଚାମ୍ପିୟନ୍, ସମ୍ବିିିତ ତୃତୀୟ

ଭୁବନେଶ୍ୱର: ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡ ମାଷ୍ଟର ( ଜିଏମ୍‌) ସାୟନ୍ତନ ଦାସ (୨୫୨୪) ଚାମ୍ପିଅନ ହୋଇଛନ୍ତି। ସେ ସର୍ବାଧିକ ୮ ପଏଂଟ୍ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ। ଜିଏମ୍ ଦୀପ୍ତାୟନ ଘୋଷ (୨୫୬୮) ୭.୫ ପଏଂଟ୍ ସହ ରନର୍ସ ଅପ୍ ଏବଂ ସମାନ ପଏଂଟ୍ ସହ ଓଡିଆ ଆଇଏମ୍ ସମ୍ବିତ ପଣ୍ଡା (୨୪୦୪) ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ସି’ ବର୍ଗରେ ହରିଆନାର ବ୍ୟୋମ ମାଲହୋତ୍ରା ୯ ରାଉଣ୍ଡରୁ ସର୍ବାଧିକ ୮ ପଏଂଟ୍ ପାଇ ଚାମ୍ପିିଅନ୍‌, ସମାନ ପଏଂଟ୍ ରଖି ଇଶା ସିହ୍ନା ରନର୍ସଅପ୍‌, ଆରିତ କପିଲ ତୃତୀୟ ଏବଂ ଓଡିଶାର ସୃଜନ ପ୍ରଣୟୀ ରୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ ଅତିଥି ଏବଂ ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଘର ସଭାପତି ଜି.ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଶଙ୍କର ପ୍ରସାଦ ମିଶ୍ର ଏବଂ ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ସାୟନ୍ତନ ଓ ଦୀପ୍ତାୟାନ୍ ଅନ୍ତିମ ବାଜି ଡ୍ର’ ରଖି ପଏଂଟ୍ ଭାଗ କରିଥିଲେ । ସମ୍ବିିତ କିନ୍ତୁ ଶୁଭୟନ କୁଣ୍ଡୁ ସମେଦଙ୍କୁ ହରାଇଥିଲେ। ଓଡିଆ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ୫.୫ ପଏଂଟ୍ ସହ ୩୫ତମ ସ୍ଥାନରେ ରହିଥିଲେ। ଅନ୍ୟ ଓଡିଆଙ୍କ ମଧ୍ୟରେ ପ୍ରିଅଂଶ ଦାସ ୫ ପଏଂଟ୍‌, ନିଲସୁ ପଟ୍ଟନାୟକ ୫ ପଏଂଟ୍‌, ସାଇନା ସାଲୋନିକା ୨. ୫ ପଏଂଟ୍ ଓ ରାଜେଶ ନାୟକ ୦.୫ ପଏଂଟ୍ ପାଇଥିଲେ। ସି’ ବର୍ଗରେ ଶ୍ରେଷ୍ଠ ୧୦ସ୍ଥାନ ମଧ୍ୟରେ ଓଡିଶାର ଏସ୍‌,କେ ସୟଦ (୭ ପଏଂଟ୍‌, ନବମ ସ୍ଥାନ ) ରହିଥିଲେ।

ଏ’ବର୍ଗରେ ଶ୍ରେଷ୍ଠ ୪୦ତମ ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କ ସହ ବିଭିନ୍ନ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଚାମ୍ପିିଅନ୍ ସାୟନ୍ତନଙ୍କୁ ଟ୍ରଫି ସହ ୩ ଲକ୍ଷ, ରନର୍ସଅପ୍ ଦୀପ୍ତାୟନଙ୍କୁ ଟ୍ରଫି ସହ ୨ଲକ୍ଷ, ତୃତୀୟ ସ୍ଥାନ ହାସଲ କରିଥିବା ସମ୍ବିତଙ୍କୁ ଟ୍ରଫି ସହ ୧ଲକ୍ଷ ୫୦ ହଜାର ଏବଂ ଚତୁର୍ଥ ସ୍ଥାନ ହାସଲରେ ଥିବା ନୀଲାଶ ସାହାଙ୍କୁ ୯୦ ହଜାର ଟଙ୍କା ପୁରସ୍କାର ମିଳିଥିଲା।

ସେମିତି ସି’ବର୍ଗର ଚାମ୍ପିିଅନ୍‌ଙ୍କୁ ୭୫ ହଜାର ଟଙ୍କା ସହ ଟ୍ରଫି, ରନର୍ସଅପ୍ ଙ୍କୁ ୫୦ ହଜାର ସହ ଟ୍ରଫିଏବଂ ତୃତୀୟ ସ୍ଥାନ ହାସଳ କରିଥିବା ଆରିତଙ୍କୁ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ବର୍ଗରେ ଶ୍ରେଷ୍ଠ ୩୫ଜଣ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

୧ମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି ।

ଏହି ପ୍ରତିଯୋଗିତାକୁ ଓଡ଼ିଶାର କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଉଦଘାଟନ ସମାରୋହରେ କ୍ରୀଡା, ଯୁବ ବ୍ୟାପାର, ଗୃହ, ଇଲେକ୍‌ଟ୍ରୋନିକ୍‌ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଜ୍ୟମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ ।

ଅଲ ଓଡ଼ିଶା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ନିମନ୍ତେ ସୋଆ ସହାୟତା ଯୋଗାଇଥିବା ବେଳେ ଏଥି ନିମନ୍ତେ ଇଂଟରନ୍ୟାସନାଲ ଚେସ ଫେଡେରସନ, ଅଲ ଇଣ୍ଡିଆ ଚେସ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି ।

ଶ୍ରୀ ସ୍ୱାଇଁ କହିଥିଲେ ଯେ ଓଡ଼ିଶା ସରକାର ଅଧିକ ଅର୍ଥ ବିନିଯୋଗ କରି କ୍ରୀଡା ନିମନ୍ତେ ଚମତ୍କାର ଭିତିଭୂମୀ ସୃଷ୍ଟି କରିପାରିଛନ୍ତି । ଫଳରେ ବିଭିନ୍ନ କ୍ରୀଡାରେ ଓଡ଼ିଶାର ପ୍ରତିଯୋଗୀ ମାନେ ଉନ୍ନତ ପ୍ରଦର୍ଶନ କରିପାରୁଛନ୍ତି । ସେ କହିଥିଲେ ଯେ ୨୦୦୦-୦୧ ରେ ଓଡ଼ିଶା ସରକାର କ୍ରୀଡା ନିମନ୍ତେ ମାତ୍ର ୪ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଗତ ବଜେଟରେ ସରକାର କ୍ରୀଡା ନିମନ୍ତେ ୧୨୧୭ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

କ୍ରୀଡା ନିମନ୍ତେ କେନ୍ଦ୍ର ସରକାର ଗତ ବଜେଟରେ ୩୩୯୭ କେଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦୃଷ୍ଟି ଆକର୍ଷଣ କରେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କ୍ରୀଡାର ବିକାଶ ନିମନ୍ତେ ଆନ୍ତରିକତାକୁ ପ୍ରକାଶ କରେ ବୋଲି ସେ କହିଥିଲେ ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶାର କ୍ରୀଡାବିତ ମାନେ ବିଭିନ୍ନ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଫୁଟବଲ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରୁଛି । ସେ ଏହି ଚେସ ପ୍ରତିଯୋଗିତାର ଆୟୋଜନ କରିଥିବାରୁ ସୋଆ ଓ ଅଲ ଓଡ଼ିଶା ଚେସ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଏନଆଇଆରଏଫ ର‌୍ୟାଙ୍କିଂରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ବହୁବିଧ ବିକାଶ ନିମନ୍ତେ ଉଦ୍ୟମ କରୁଛି । ଏହି ବିଶ୍ୱବିଦ୍ୟାଳୟ କ୍ରୀଡାର ଏକ ବିଶେଷ କେନ୍ଦ୍ର ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ ।

ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳୀ ମାନଙ୍କୁ \”ଏ, \”ବି\’\’ ଓ \”ସି\’ ଭାବେ ତିନୋଟି ଶ୍ରେଣୀରେ ବିଭକ୍ତି କରାଯାଇଛି । ସମ୍ପୂର୍ଣ୍ଣ ପ୍ରତିଯୋଗିତା ନିମନ୍ତେ ମୋଟ୍ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ହୋଇଥିବା ବେଳେ \”ଏ\’ ଶ୍ରେଣୀର ଖେଳାଳୀ ମାନଙ୍କ ନିମନ୍ତେ ୨୦ ଲକ୍ଷ ଟଙ୍କା ରଖାଯାଇଛି । \”ବି\’ ଓ \”ସି\’ ଶ୍ରେଣୀ ନିମନ୍ତେ ୭.୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।

କାର୍ଯ୍ୟକ୍ରମରେ ଚିଫ ଆରବିଟର ଭାବେ ଯୋଗ ଦେଇଥିବା ଡ. ଆର. ଅନନ୍ତରମଣ ଆୟୋଜକ ମାନେ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ ସର୍ବନିମ୍ନ ଇଏଲଓ ପଏଂଟ ୧୯୦୦ ରଖିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏଥିରେ ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ସ୍ପୋର୍ଟସ ଅଫିସର ସୁନୀତା ବର୍ମା ଯୋଗ ଦେଇ ମନ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍- ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର

ଭୁବନେଶ୍ୱର: ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟର ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି। ଇନ୍‌ଟରନ୍ୟାସ୍‌ନାଲ୍ ଚେସ୍ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ ସହଯୋଗ ମିଳିଥିବା ଏଓସିଏର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୋଆକୁ ଏକ ଚେସ୍ ହବ୍ ଭାବେ ପରିଗଣିତ କରିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ଜାନୁଆରୀ ୨୮ ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୪ ଟି ବିଭିନ୍ନ ଦେଶରୁ ପ୍ରାୟ ୮୦୦ ଚେସ୍ ଖେଳାଳୀ ଭାଗ ନେବେ ବୋଲି ଶ୍ରୀ ମହାପାତ୍ର କହିବା ସହ ଏହି ଆୟୋଜନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସୋଆକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ଖେଳାଳୀମାନଙ୍କୁ ୩ଟି କ୍ୟାଟେଗୋରୀ ଯଥା-‘ଏ’, ‘ବି’ ଏବଂ ‘ସି’ ରେ ବିଭକ୍ତ କରାଯାଇଥିବା ବେଳେ ‘ଏ’ କ୍ୟାଟେଗୋରୀ ପାଇଁ ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା ରଖାଯାଇଛି। ‘ବି’ ଓ ‘ସି’ କ୍ୟାଟେଗୋରୀ ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି।

ଡେନ୍‌ମାର୍କ, ଇଣ୍ଡୋନେସିଆ, ବାଂଲାଦେଶ, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, କାଜାକସ୍ତାନ, ଜାମ୍ବିଆ, ନେପାଳ ଓ ଆୟୋଜକ ଭାରତର ଉଜ୍ଜଳ ଚେସ ତାରକାମାନେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ ବୋଲି ସେ କହିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ବିଭିନ୍ନ ଦେଶରୁ ୪ ଜଣ ଗ୍ରାଣ୍ଡ ମାଷ୍ଟର, ୮ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର ଓ ୩ ଜଣ ଇନଟରନ୍ୟାସ୍‌ନାଲ୍ ମାଷ୍ଟର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତରୁ ୫ ଜଣ ଗ୍ରାଣ୍ଡ ମାଷ୍ଟର, ୧୬ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ୬ ଜଣ ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଏଥିରେ ସାମିଲ ହୋଇଛନ୍ତି।

ଏହି ଟୁର୍ଣ୍ଣାମେଂଟର ୩ ଜଣ ଟପସିଡ ଖେଳାଳୀ ହେଲେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦୀପ୍ତାୟନ୍ ଘୋଷ (୨୫୬୮ ଇଏଲ୍‌ଓ ପଏଂଟ୍ସ), ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଆରୋଣ୍ୟକ୍ ଘୋଷ (୨୫୪୧ ଇଏଲ୍‌ଓ ପଏଂଟ୍ସ) ଏବଂ ଇଜିପ୍ଟର ଗ୍ରାଣ୍ଡ ମାଷ୍ଟର ଫଜି ଅଧମ୍ (୨୫୨୨ ଇଏଲ୍‌ଓ ପଏଂଟ୍ସ)।

ସେହିପରି ଏହି ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିବା ୩ ଜଣ ଟପ୍‌ସିଡ ମହିଳା ଖେଳାଳୀ ହେଲେ ଫିଲିପାଇନ୍ସର ୱିମେନ୍ ଗ୍ରାଣ୍ଡ ମାଷ୍ଟର ଫ୍ରେନା ଜେ. ମେ (୨୧୯୭ ଇଏଲ୍‌ଓ ପଏଂଟ୍ସ), ଭାରତର ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଅର୍ପିତା ମୁଖାର୍ଜୀ (୨୧୮୬ ଇଏଲ୍‌ଓ ପଏଂଟ୍ସ) ଏବଂ ଡେନ୍‌ମାର୍କର ୱିମେନ୍ ଫାଇଡ୍ ମାଷ୍ଟର ନିଲସେନ୍ ଇ. ଫେଡେରିକା (୨୧୮୪ ଇଏଲ୍‌ଓ ପଏଂଟ୍ସ)।

ଏହି ଟୁର୍ଣ୍ଣାମେଂଟଟି ସର୍ବଶେଷ ଫାଇଡ୍ ରୁଲ୍ସ ଅଫ୍ ଚେସ୍ ଏବଂ ଫାଇଡ୍ ସୁଇଜ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ କ୍ୟାଟେଗୋରୀ ‘ଏ’ ଏବଂ ‘ବି’ ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ ‘ସି’ରେ ୯ ରାଉଣ୍ଡ ଖେଳାଯିବ। ଯେଉଁ ଖେଳାଳୀମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌) ଦ୍ୱାରା ପଞ୍ଜୀକୃତ ହୋଇଥିବେ ଏବଂ ଯେଉଁମାନଙ୍କର ଇଏଲ୍‌ଓ ରେଟିଂ ୧୯୦୦ କିମ୍ବା ତା’ଠାରୁ ଅଧିକ ଥିବ ସେହିମାନେ ହିଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ। ସେହିପରି ବିଦେଶୀ ଖେଳାଳୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ଉପଯୁକ୍ତ ଫାଇଡ୍ ଆଇଡିର ଆବଶ୍ୟକତା ପଡ଼ିବ ବୋଲି ଏଓସିଏର ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ କହିଛନ୍ତି। ଟୁର୍ଣ୍ଣାମେଂଟଟି ଫେବୃଆରୀ ୪ ତାରିଖ ଦିନ ପୁରସ୍କାର ବିତରଣ ସହ ଉଦ୍‌ଯାପିତ ହେବ।

ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଏର କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ଫରେନ୍ ଲିଆସନିଂ ଅଫିସର ମୁକ୍ତିକାନ୍ତ ମହାପାତ୍ର ଏବଂ ଇନ୍‌ଟରନ୍ୟାସନାଲ ଡେପୁଟି ଆର୍ବିଟର ତପନ ମହାନ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ପରାସ୍ତ କଲେ ଆର ପ୍ରଗନାନନ୍ଦ: ହେଲେ ନମ୍ବର -୧ ଭାରତୀୟ ଗ୍ରାଣ୍ଡ ମାଷ୍ଟର

ନୂଆଦିଲ୍ଲୀ: ଇଣ୍ଡିଆନ ଗ୍ରାଣ୍ଡ ମାଷ୍ଟର ଆର ପ୍ରଗନାନନ୍ଦ ଚମତ୍କାର ପ୍ରଦର୍ଶନ କରି ଟାଟା ଷ୍ଟିଲ ମାଷ୍ଟର୍ସ ଇଭେଣ୍ଟରେ ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଡିଙ୍ଗ ଲିରେନ୍ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍। ସେ ଚତୁର୍ଥ ରାଉଣ୍ଡରେ ପ୍ରଗନାନନ୍ଦଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ଏହି ବିଜୟ ସହିତ ପ୍ରଗନାନନ୍ଦ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ନମ୍ବର -୧ ଭାରତୀୟ ଗ୍ରାଣ୍ଡ ମାଷ୍ଟର ହୋଇଛନ୍ତି। ଗତ ବର୍ଷ ମଧ୍ୟ ସମାନ ଇଭେଣ୍ଟରେ ପ୍ରଗନାନନ୍ଦ ଡିଙ୍ଗଙ୍କୁ ପରାସ୍ତ କରିଥିଲେ।

ଏହି ବିଜୟ ସହିତ ପ୍ରଗନାନନ୍ଦ ବିଶ୍ୱନାଥ ଆନନ୍ଦଙ୍କୁ ମୂଲ୍ୟାୟନ ଦୃଷ୍ଟିରୁ ପଛରେ ପକାଇ ଦେଇଛନ୍ତି। FIDE ର ଲାଇଭ୍ ରାଙ୍କିଙ୍ଗରେ ପ୍ରଗନାନନ୍ଦ ୧୧ ନମ୍ବରରେ ପହଞ୍ଚିଛି। ତାଙ୍କର ୨୭୪୮.୩ ପଏଣ୍ଟ ଅଛି। ବିଶ୍ୱନାଥ ଆନନ୍ଦ ଦ୍ୱାଦଶ ସ୍ଥାନରେ ଥିବାବେଳେ ସେ ଗୋଟିଏ ସ୍ଥାନ ହରାଇଛନ୍ତି। ଆନନ୍ଦଙ୍କର ୨୭୪୮.୦ ପଏଣ୍ଟ ଅଛି। ମାଗ୍ନୁସ୍ କାର୍ଲସେନ୍ ଏହି ତାଲିକାରେ ଶୀର୍ଷରେ ଅଛନ୍ତି। ଫାବିଆନୋ କାରୁଆନା ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଗନାନନ୍ଦଙ୍କ ନାମରେ ଅନେକ ରେକର୍ଡ ପଞ୍ଜିକୃତ ହୋଇଛି। ସେ ୨୦୧୬ ରେ ସର୍ବ କନିଷ୍ଠ ଆନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ। ପ୍ରଗନାନନ୍ଦ ମାତ୍ର ୧୦ ବର୍ଷ ୧୦ ମାସ ବୟସରେ ଏହି ସଫଳତା ହାସଲ କରିଥିଲେ। ସେ ୨୦୧୭ ରେ ପ୍ରଥମ ଥର ପାଇଁ ଗ୍ରାଣ୍ଡ ମାଷ୍ଟର ହୋଇଥିଲେ। ଏହା ପରେ ୨୦୧୮ ରେ ମଧ୍ୟ ଏହି ସଫଳତା ହାସଲ କରିଥିଲେ। ପ୍ରଗନାନନ୍ଦ ତାମିଲନାଡୁର ଚେନ୍ନାଇର। ସେ ୨୦୦୫ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରମେଶବାବୁ ଏକ ବ୍ୟାଙ୍କରେ ଶାଖା ପରିଚାଳକ ଭାବରେ କାର୍ଯ୍ୟ କରୁଛନ୍ତି।

ଆମେରିକାର ଗ୍ରାଣ୍ଡମାଷ୍ଟର ଫାବିଆନୋ କାରୁଆନାଙ୍କୁ ମଧ୍ୟ ପ୍ରଗନାନନ୍ଦ ପରାସ୍ତ କରିଛନ୍ତି। ଅଗଷ୍ଟ ୨୦୨୩ ରେ ଚେସ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜିତି ସେ ଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲ୍ ର ଟାଇବ୍ରେକ୍ ରେ ପ୍ରଗନାନନ୍ଦ କାରୁଆନାଙ୍କୁ ପରାସ୍ତ କରିଥିଲେ। ସେ ଚେସ ବିଶ୍ୱକପ ଇତିହାସରେ ଦ୍ୱିତୀୟ ଭାରତୀୟ ହୋଇ ଫାଇନାଲରେ ପ୍ରବେଶ କରିଥିଲେ। ଏହାପୂର୍ବରୁ ବିଶ୍ୱନାଥ ଆନନ୍ଦ ଏହି କୀର୍ତ୍ତିମାନ କରିଥିଲେ। ଫାଇନାଲ ମ୍ୟାଚରେ ମାଗ୍ନୁସ୍ କାର୍ଲସେନ୍ ଙ୍କ ଦ୍ୱାରା ପ୍ରଗନାନନ୍ଦ ପରାସ୍ତ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ହେବ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର, ଫିଡେ ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏହି ଅବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ ପାଇଁ ଆମେ ଫିଡେ ସହ ମିଶି କାମ କରିବାକୁ ଆଗ୍ରହୀ।

ବିଶ୍ୱ ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ପରିଚିତ ଶ୍ରୀମତୀ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।