୧ମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ

Published: Jan 28, 2024, 5:47 pm IST

ଭୁବନେଶ୍ୱର: ଆଜି ସୋଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ସୋଆ ଇଂଟରନ୍ୟାସନାଲ ଗ୍ରାଣ୍ଡ ମାଷ୍ଟର୍ସ ଚେସ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥିରେ ୧୨ଟି ଦେଶରୁ ଭାଗ ନେଉଥିବା ଚେସ ଖେଳାଳୀ ମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଂଟରନ୍ୟାସନାଲ ମାଷ୍ଟର ରହିଛନ୍ତି ।

ଏହି ପ୍ରତିଯୋଗିତାକୁ ଓଡ଼ିଶାର କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରି ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଉଦଘାଟନ ସମାରୋହରେ କ୍ରୀଡା, ଯୁବ ବ୍ୟାପାର, ଗୃହ, ଇଲେକ୍‌ଟ୍ରୋନିକ୍‌ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଜ୍ୟମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ ।

ଅଲ ଓଡ଼ିଶା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ନିମନ୍ତେ ସୋଆ ସହାୟତା ଯୋଗାଇଥିବା ବେଳେ ଏଥି ନିମନ୍ତେ ଇଂଟରନ୍ୟାସନାଲ ଚେସ ଫେଡେରସନ, ଅଲ ଇଣ୍ଡିଆ ଚେସ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି ।

ଶ୍ରୀ ସ୍ୱାଇଁ କହିଥିଲେ ଯେ ଓଡ଼ିଶା ସରକାର ଅଧିକ ଅର୍ଥ ବିନିଯୋଗ କରି କ୍ରୀଡା ନିମନ୍ତେ ଚମତ୍କାର ଭିତିଭୂମୀ ସୃଷ୍ଟି କରିପାରିଛନ୍ତି । ଫଳରେ ବିଭିନ୍ନ କ୍ରୀଡାରେ ଓଡ଼ିଶାର ପ୍ରତିଯୋଗୀ ମାନେ ଉନ୍ନତ ପ୍ରଦର୍ଶନ କରିପାରୁଛନ୍ତି । ସେ କହିଥିଲେ ଯେ ୨୦୦୦-୦୧ ରେ ଓଡ଼ିଶା ସରକାର କ୍ରୀଡା ନିମନ୍ତେ ମାତ୍ର ୪ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଗତ ବଜେଟରେ ସରକାର କ୍ରୀଡା ନିମନ୍ତେ ୧୨୧୭ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

କ୍ରୀଡା ନିମନ୍ତେ କେନ୍ଦ୍ର ସରକାର ଗତ ବଜେଟରେ ୩୩୯୭ କେଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦୃଷ୍ଟି ଆକର୍ଷଣ କରେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କ୍ରୀଡାର ବିକାଶ ନିମନ୍ତେ ଆନ୍ତରିକତାକୁ ପ୍ରକାଶ କରେ ବୋଲି ସେ କହିଥିଲେ ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶାର କ୍ରୀଡାବିତ ମାନେ ବିଭିନ୍ନ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରୁଥିବା ବେଳେ ରାଜ୍ୟରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଫୁଟବଲ ଓ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରୁଛି । ସେ ଏହି ଚେସ ପ୍ରତିଯୋଗିତାର ଆୟୋଜନ କରିଥିବାରୁ ସୋଆ ଓ ଅଲ ଓଡ଼ିଶା ଚେସ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଏନଆଇଆରଏଫ ର‌୍ୟାଙ୍କିଂରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ବହୁବିଧ ବିକାଶ ନିମନ୍ତେ ଉଦ୍ୟମ କରୁଛି । ଏହି ବିଶ୍ୱବିଦ୍ୟାଳୟ କ୍ରୀଡାର ଏକ ବିଶେଷ କେନ୍ଦ୍ର ଭାବେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ ।

ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳୀ ମାନଙ୍କୁ \”ଏ, \”ବି\’\’ ଓ \”ସି\’ ଭାବେ ତିନୋଟି ଶ୍ରେଣୀରେ ବିଭକ୍ତି କରାଯାଇଛି । ସମ୍ପୂର୍ଣ୍ଣ ପ୍ରତିଯୋଗିତା ନିମନ୍ତେ ମୋଟ୍ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ହୋଇଥିବା ବେଳେ \”ଏ\’ ଶ୍ରେଣୀର ଖେଳାଳୀ ମାନଙ୍କ ନିମନ୍ତେ ୨୦ ଲକ୍ଷ ଟଙ୍କା ରଖାଯାଇଛି । \”ବି\’ ଓ \”ସି\’ ଶ୍ରେଣୀ ନିମନ୍ତେ ୭.୫ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି ।

କାର୍ଯ୍ୟକ୍ରମରେ ଚିଫ ଆରବିଟର ଭାବେ ଯୋଗ ଦେଇଥିବା ଡ. ଆର. ଅନନ୍ତରମଣ ଆୟୋଜକ ମାନେ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ ସର୍ବନିମ୍ନ ଇଏଲଓ ପଏଂଟ ୧୯୦୦ ରଖିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏଥିରେ ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ସ୍ପୋର୍ଟସ ଅଫିସର ସୁନୀତା ବର୍ମା ଯୋଗ ଦେଇ ମନ୍ତବ୍ୟ ରଖିଥିଲେ।

Related posts