Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ: ସିଇସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୩୬ ଡିଗ୍ରୀ ସେଲ୍‌ସିଅସରୁ କମ୍ ରହିପାରେ ବୋଲି ସେ କହିଛନ୍ତି।

ତେବେ ଏପ୍ରିଲ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡ଼. ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବା ଆଶଙ୍କା

ଭୁବନେଶ୍ୱର: ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧବାର ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାରମ୍ଭିକ ତଥ୍ୟାନୁଯାୟୀ ଶୁକ୍ରବାର ଏହା ଉତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ କାଳରେ ଗଭୀର ଅବପାତର ରୂପ ନେଇ ପାରେ ବୋଲି ସିଇସି ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ କହିଛି।

ପରେ ଏହାର ଗତିପଥରେ ପରିବର୍ତନ ହେବା ସହ ଉତର କିମ୍ବା ଉତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବା ସହ ନଭେମ୍ବର ୧୭ରେ ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ତେବେ ପୁରୀ, ଜଗତସିଂହପୁର ଏବଂ ଭଦ୍ରକ ଜିଲ୍ଲା ଉପକୂଳରେ ପବନର ବେଗ ଏହି ସମୟରେ ଘଂଟା ପ୍ରତି ୫୫ ରୁ ୭୦ କିଲୋମିଟର ରହିପାରେ ବୋଲି କୁହାଯାଇଛି।

ନଭେମ୍ବର ୧୮ତାରିଖ ସକାଳେ ବାଲେଶ୍ୱର ଉପକୂଳ ଠାରୁ କିଛି ଦୂରରେ ରହିବ ଯେଉଁ ସମୟରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୫ କିଲୋମିଟର ରହିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ପବନର ବେଗ କମ୍ ରହିବ।
ଏହାର ପ୍ରଭାବରେ ନଭେମ୍ବର ୧୫ ରାତିରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ମଧ୍ୟମରୁ ଭାରି ବର୍ଷା ଜାରି ରହିବ। ତେବେ ନଭେମ୍ବର ୧୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାରଣ ଏହି ସିଷ୍ଟମ ସାରାଦିନ ଭଦ୍ରକ ଉପକୂଳରେ ସ୍ଥ୍‌ିର ରହିବ । ନଭେମ୍ବର ୧୬ ଏବଂ ୧୭ ତାରିଖରେ ଭୁବନେଶ୍ୱରରେ ୪୦ ରୁ ୬୦ ମିଲିମିଟର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧାରେ ୩୦ ରୁ ୪୫ ମିମି ର ବର୍ଷା ହୋଇପାରେ।

ନଭେମ୍ବର ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର , ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ୨୪ ଘଂଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ନଭେମ୍ବର ମଧ୍ୟ ଭାଗରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାୟୁ ମଣ୍ଡଳର ଉପର ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତା’ ପରବର୍ତ୍ତୀ ଦିନ ଏହା ଲଘୁଚାପର ରୂପ ନେଇପାରେ ବୋଲି ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି।

ମିଳିଥିବା ପ୍ରାରମ୍ଭିକ ତଥ୍ୟାନୁଯାୟୀ ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଥିବା ବେଳେ ଏହା ଦିଗ ପରିବର୍ତନ କରି ନଭମ୍ବେର ୧୬ ସୁଦ୍ଧା ଉତର ଦିଗ ଆଡ଼କୁ ମୁହାଁଇ ପାରେ ବୋଲି ସିଇସି ପକ୍ଷରୁ ଜାରୀ ହୋଇଥିବା ବୁଲେଟିନ୍ କହିଛି। ଏହାର ପ୍ରଭାବରେ ନଭେମ୍ବର ୧୫ ରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହାର ପରବର୍ତ୍ତୀ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗ ଆଡ଼କୁ ମୁହାଁଉଥିବାରୁ ଉପକୂଳ ଓ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ନଭେମ୍ବର ୧୬ ତାରିଖ ରାତିରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୧୬ ରୁ ୧୮ ମଧ୍ୟରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

କେନ୍ଦ୍ରୀୟ ଭାରତରେ ଆଂଟି ସାଇକ୍ଲୋନ୍ ପରିସ୍ଥିତି ରହିଥିବାରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ହ୍ରାସ ପାଇବ ଓ ଦିନର ତାପମାତ୍ରା ବୃଦ୍ଧି ପାଇବ। ନଭେମ୍ବର ୧୩ ତାରିଖରୁ ରାତିର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ। ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ଅଧିକ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହାର ଗୋଟିଏ ଦିନ ପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଘୁଚାପ ଅଗଷ୍ଟ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିର ରହିବା ସହ ଏହା ପରେ ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି। ଏହାର ପ୍ରଭାବରେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏଂହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ ଅନୁଗୁଳ ଭଳି ଜିଲ୍ଲା ଗୁଡ଼ିକରେ ଲଘୁଚାପର ପ୍ରଭାବ ରହିବ। ସେହିପରି ଅଗଷ୍ଟ ୧୯ ତାରିଖ ରାତିରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୋନ୍‌ପୁର, ବୌଦ୍ଦ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି।

ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏବଂ ମହାନଦୀର ଅପର ଏବଂ ଲୋୟର କ୍ୟାଚ୍‌ମେଂଟ, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଅଗଷ୍ଟ ୧୯ ତାରିଖ ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଛତିଶଗଡ଼ରେ ଅଗଷ୍ଟ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷାର ପରିମାଣ ଅଗଷ୍ଟ ୨୧ ତାରିଖରୁ କମିବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି

ଭୁବନେଶ୍ୱର: ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ନୂତନ ଲଘୁଚାପଟି ଅଗଷ୍ଟ ୧୪ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଉତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

ଅଗଷ୍ଟ ୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହାର ୨୪ ଘଂଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଦା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ଲଘୁଚାପର ପ୍ରଭାବ ରହିବ।

ଅଗଷ୍ଟ ୧୪ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନ୍‌ପୁର, ବୌଦ୍ଧ, ଦେବଗଡ଼, କନ୍ଧମାଳ, ନବରଙ୍ଗପୁର ଏବଂ ଅନୁଗୁଳରେ ପ୍ରଭାବ ପକାଇବ। ଅଗଷ୍ଟ ୧୫ ତାରିଖ ବେଳକୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ରାଜ୍ୟ ସାରା ଏହି ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।
ପୂର୍ବରୁ ଯେଉଁ ଅବପାତ ଲଘୁଚାପରେ ପରିଣତ ହୋଇଥିଲା ତାହା ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇ ଧୀରେ ଧୀରେ ଦୁର୍ବଳ ହୋଇଯିବ। ଏହାର ପ୍ରଭାବରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉତର ଏବଂ ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଅଗଷ୍ଟ ୧୮ କିମ୍ବା ୧୯ ତାରିଖ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଲଘୁଚାପ ସୃଷ୍ଟି ହେବାର କୌଣସି ସୂଚନା ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ ୭ ତାରିଖରେ ଓଡ଼ିଶା ଉପକୂଳରେ ଲଘୁଚାପ ସମ୍ଭାବନା: ସିଇସି

ଭୁବନେଶ୍ୱର: ବଙ୍ଗୋପ ସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇପାରେ। ଅଗଷ୍ଟ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରବର୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ଜାରୀ ରହିଥିବା ଶୁଖିଲା ପାଗ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରହିବାର ସୂଚନା ଥିବା ବେଳେ ଏହା ପରେ କେଉଁଠି କେଉଁଠି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଅଗଷ୍ଟ ୩ ତାରିଖରୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ସୂଚନା ଦେଇଛି। ପ୍ରବଳ ବର୍ଷା ସମୟରେ କୃଷକମାନେ ଧାନ ରୋପଣ କରିପାରିବେ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା
ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି।

ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ସିଇସି ସୂଚନା ଦେଇଛି।

ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତର-ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ ଲଘୁଚାପ ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ମୂଶଳ ଧାରାରେ (୨୦ ସେମି ରୁ ଅଧିକ) ବର୍ଷା ହେବାର ଆଶଙ୍କା ରହିଛି।

ବିଶେଷ କରି ମହାନଦୀ, ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଚ୍‌ମେଂଟ ଅଂଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା ଏହି ଅଭାବକୁ ପୂରଣ କରିଥିଲେ।

ଜୁଲାଇ ୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର

ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ଦିଲ୍ଲୀ: ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ ଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ଯ୍ୟ କରି ଆସୁଛନ୍ତି। ନିର୍ବାଚନ କମିଶନର ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ, ୨୦୨୦ରେ ବିହାର ରାଜ୍ୟ ବିଧାନସଭା ନିର୍ବାଚନ, କୋଭିଡର ସମସ୍ୟା ଭିତରେ ମାର୍ଚ୍ଚ – ଏପ୍ରିଲ୍ ୨୦୨୧ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ରାଜ୍ୟରେ ନିର୍ବାଚନ ଏବଂ ଏବେ ୨୦୨୨ର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଆ, ମଣିପୁର, ପଞ୍ଜାବ, ଉତରାଖଣ୍ଡ, ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି।

ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବ କୁମାର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ, ଯାହା ଆମ ଗଣତନ୍ତ୍ରକୁ ମଜଭୁତ କରିଥାଏ, ତାହା ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଉତମ ସଂସ୍ଥା ଗୁଡିକ ମଧ୍ୟରୁ ଗୋଟିଏର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆ ଯାଇଥିବାରୁ ମୁଁ ଗୌରବାନ୍ୱିତ ଅନୁଭବ କରୁଛି। ସେ କହିଥିଲେ ଯେ, ଗତ ସତୁରି ବର୍ଷ ମଧ୍ୟରେ ଆମ ଦେଶର ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ସୁବିଧା ଦେବା ପାଇଁ, ମତଦାତା ମାନଙ୍କର ତାଲିକାର ଶୁଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ, ଭ୍ରଷ୍ଟାଚାରକୁ ରୋକିବା ପାଇଁ ଏବଂ ଆମର ନିର୍ବାଚନର ଗୁଣବତ୍ତାକୁ ବୃଦ୍ଧି କରିବା ନିମନ୍ତେ କମିଶନ ଦ୍ୱାରା ବହୁତ କିଛି କରା ଯାଇଛି।

ସେ ଆହୁରି ମଧ୍ୟ କହିଥିଲେ ଯେ, “କମିଶନ ସମ୍ବିଧାନ ନିୟମ ଅନୁସାରେ କୌଣସି ବି ବୃହତ ସଂସ୍କାର ଆଣିବା ନିମନ୍ତେ ପରାମର୍ଶ ଏବଂ ସର୍ବସମ୍ମତି ଭିତିରେ ସମୟ – ପରୀକ୍ଷଣ ଏବଂ ଲୋକତାନ୍ତ୍ରିକ ମାଧ୍ୟମ ଗୁଡିକର ପାଳନ କରିବ, ଭାରତୀୟ ନିର୍ବାଚନ କମିଶନ (ଇସିଆଇ) କଡା ପଦକ୍ଷେପ ନେବା କ୍ଷେତ୍ରରେ ପଛଘୁଂଚା ଦେବ ନାହିଁ।”

ଶ୍ରୀ କୁମାର ଏହା ମଧ୍ୟ କହିଥିଲେ ଯେ, ଉନ୍ନତ ନିର୍ବାଚନ ପରିଚାଳନା ଏବଂ ସଂଚାଳନ ନିମନ୍ତେ ପାରଦର୍ଶିତା ଆଣିବା ଏବଂ ମତଦାତା ସେବାଗୁଡିକୁ ସହଜ କରିବା ନିମନ୍ତେ ପ୍ରକ୍ରିୟା ଗୁଡିକୁ ଏବଂ ପ୍ରଥା ଗୁଡିକୁ ସରଳୀକରଣ କରିବା ନିମନ୍ତେ ପ୍ରଯୁକ୍ତିକୁ ଭବିଷ୍ୟତରେ ପ୍ରମୁଖ ସାଧନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୪ ପରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା: ସିଇସି

ଭୁବେନେଶ୍ୱର: ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି।

ମୁଖ୍ୟତଃ ଉତର-ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ। ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମ୍ ରିହବାର ସମ୍ଭାବନା ଅଛି।

ଏହି ଆଂଟି-ସାଇକ୍ଲୋନ୍ ଓ ଉତର ଓଡ଼ିଶାରେ ଏକ ସାକ୍ଲୋନିକ୍ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ରୁ ଏହା ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୩ ପରେ ବୃଦ୍ଧି ପାଇପାରେ ଓଡ଼ିଶାର ଦିନ ତାପମାତ୍ରା: ସିଇସି

ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି।

କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ।

ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଫେବୃଆରୀ ମାସରେ ଦିନରେ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ଥଣ୍ଡା ରହିପାରେ ବୋଲି ସିଇସି ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ରାଜ୍ୟ ଉପରେ ପଡିବ। ଫେବୃଆରୀ ୩ ତାରିଖ ରାତିରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ କରକାପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ବରଗଡ, ସମ୍ବଲପୁର, ସୋନ୍‌ପୁର, ବଲାଙ୍ଗିର, ବୌଦ ଏବଂ ସୁନ୍ଦରଗଡ ଜିଲ୍ଲାରେ ଫେବୃଆରୀ ୩ ତାରିଖ ଅପରାହ୍ଣ ଓ ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଉତର ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ଫେବୃଆରୀ ୪ ତାରିଖରେ ସମାନ ପ୍ରକାର ପାଣିପାଗ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ବାତ୍ୟା ଅପଡେଟ୍: ଏହି ଜିଲ୍ଲାଗୁଡିକରେ ହେବ ୨୫୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହେବା ସହ ଏକ ଘୁର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ଥିବା ବେଳେ ପାଣିପାଗ ଅନୁକୂଳ ରହିଲେ ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୁର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଉଭୟ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମୁହାଁ ହୋଇଥିବା ଏହି ଲଘୁଚାପ ଡିସେମ୍ବର ୪ ତାରିଖରେ ଗଞ୍ଜାମ ଉପକୂଳ ଅତିକ୍ରମ କରିବା ପରେ ଏହାର ପ୍ରଭାବ କମିବ ଓ ସମାନ୍ତରାଳ ଭାବେ ଏହା ଓଡିଶା ଉପକୂଳ ଦେଇ ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଆସି ପଶ୍ଚିମବଙ୍ଗ ରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି।

ଏହାର ପ୍ରଭାବରେ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପ୍ରତି ୭୫ ରୁ ୮୫ କିଲୋମିଟର ରହିବ ଏବଂ ଧୀରେ ଧୀରେ ବେଗ କମିଯାଇ ବାଲେଶ୍ୱର ଉପକୂଳ ରେ ପହଂଚିବା ବେଳକୁ ଘଣ୍ଟା ପ୍ରତି ୪୫ ରୁ ୫୫ ହେବ। ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ପୂର୍ବାହ୍ନ ରୁ ଓଡିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଅନେକ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଡିସେମ୍ବର ତିନିରୁ ପାଞ୍ଚ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପୁରୀ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ବର୍ଷlର ପରିମାଣ ୨୫୦ ମିଲିମିଟର ବା ଅଧିକ ହେବାର ସମ୍ଭାବନା ଅଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲଘୁଚାପ ଘନୀଭୂତ ଯୋଗୁଁ ତାମିଲନାଡୁରେ ଅଧିକ ବର୍ଷା ସମ୍ଭାବନା, ଓଡ଼ିଶାରେ ମଧ୍ୟ ହେବ ବର୍ଷା

ଭୁବନେଶ୍ୱର: ଗତ ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ନଭେମ୍ବର ୧୧ ତାରିଖ ରାତିରେ ଏହି ଲଘୁଚାପ ତାମିଲନାଡୁ ସୀମା ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ପ୍ରଭାବରେ ମଙ୍ଗଳବାର ଅପରାହ୍ଣରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନଭେମ୍ବର ୧୬ରେ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଫସଲ ଧାନ ଅମଳ କରିବା ସମୟ ହୋଇଥିବାରୁ ଏହାକୁ ଏହି ଲଘୁଚାପଜନିତ ବର୍ଷାରୁ ରକ୍ଷା କରିବା ପାଇଁ କୃଷକମାନେ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଜରୁରୀ ଅଟେ ବୋଲି ସିଇସି କହିଛି। ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଉତରପଶ୍ଚିମ ଓ ଉତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ପବନ ନିମନ୍ତେ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବାର ସମ୍ଭାବନା ଥିବା ବେଳେ ମଙ୍ଗଳବାର ଠାରୁ ରାତିର ତାପମାତ୍ର କ୍ରମଶଃ ବଢ଼ିବାର ସମ୍ଭାବନା ଅଛି।

ନଭେମ୍ବର ୧୦ ତାରିଖ ଅପରାହ୍ଣରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ରହିବାର ସୂଚନା ଥିବା ବେଳେ ଥଣ୍ଡାର ପ୍ରକୋପ ମଧ୍ୟ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି।