Categories
ଆଜିର ଖବର ରାଜ୍ୟ ଖବର

ଆଜି ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ଵର: ପାରାଦୀପ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଆଜି ପାରାଦୀପଠାରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

ସାଗରମାଳା ଯୋଜନା ଅଧୀନରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସହଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ମୋଟ ୧୦୮.୯୧ କୋଟି ଟଙ୍କା ବ୍ୟୟରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ପୁରୁଷୋତ୍ତମ ରୁପାଲା ସୂଚନା ଦେଇଛନ୍ତି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଏହି ମାଛଧରା ବନ୍ଦର ପ୍ରକଳ୍ପ କୁ ୧୮ ମାସର ସମାପ୍ତି ଅବଧି ପରେ କାର୍ଯ୍ୟକାରୀ କରାଯିବ।

ବିଦ୍ୟମାନ ସୁବିଧାଗୁଡ଼ିକର ଉନ୍ନତିକରଣ, ନୂତନ, ଦକ୍ଷ ଏବଂ ଅତ୍ୟାବଶ୍ୟକ ଭିତ୍ତିଭୂମି ସୁବିଧା ପ୍ରଦାନ, ମତ୍ସ୍ୟ  ପ୍ରକ୍ରିୟାକୁ ଯାନ୍ତ୍ରିକ କରିବା ଏବଂ ଏକ ଦକ୍ଷ ପରିଚାଳନା ସଂସ୍ଥା ଦ୍ୱାରା ଉତ୍ତମ ପରିଚାଳନା ଅଭ୍ୟାସ ଦ୍ୱାରା ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଉନ୍ନତିକରଣ ଏହାର ପରିମଳ ସ୍ଥିତିରେ ଉନ୍ନତି ଆଣିବ ଏବଂ ବନ୍ଦରକୁ ସ୍ୱଚ୍ଛ, ପ୍ରଦୂଷଣ ମୁକ୍ତ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ଆନନ୍ଦଦାୟକ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଏଫ୍ଏଏଚଡି ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ମାଛଧରା ବନ୍ଦରର ଏହି ଆଧୁନିକୀକରଣ ହଜାର ହଜାର ମତ୍ସ୍ୟଜୀବୀ ଏବଂ ଆନୁଷଙ୍ଗିକ ଶ୍ରମିକଙ୍କ ଜୀବନରେ ଉନ୍ନତି ଆଣିବ ଯେଉଁମାନେ ଜୀବିକା ପାଇଁ ବନ୍ଦର ଉପରେ ନିର୍ଭର କରନ୍ତି। ଉପରୋକ୍ତ ପ୍ରକଳ୍ପ ଅଧୀନରେ ହୋଇଥିବା ଆଧୁନିକୀକରଣ ଏବଂ ମୂଲ୍ୟ ସଂଯୋଜନ କାର୍ଯ୍ୟକଳାପ ମଧ୍ୟ କୁଶଳୀ ଏବଂ ଅଣକୁଶଳୀ ପ୍ରକୃତିର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପରେ ଏକ ନୂତନ ନିଲାମ ହଲ୍, ନୂତନ ବାଣିଜ୍ୟିକ କମ୍ପ୍ଲେକ୍ସ, କ୍ବେ ପାଚେରିର ସମ୍ପ୍ରସାରଣ, ଉପକୂଳ ସୁରକ୍ଷା କାର୍ଯ୍ୟ, ବର୍ତ୍ତମାନର ନିଲାମ ହଲ୍ ର ନବୀକରଣ, ଗିଅର୍ ସେଡ୍, ମାଛ ପ୍ୟାକିଂ ସେଡ୍, ଆଇସ୍ କ୍ରସିଂ ହଲ୍, ପ୍ରାଥମିକ ଚିକିତ୍ସା କେନ୍ଦ୍ର, କମ୍ପାଉଣ୍ଡ ପାଚେରି ନିର୍ମାଣ, ବିଦ୍ୟୁତ୍ କାର୍ଯ୍ୟ, ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯିବ ବୋଲି ଶ୍ରୀ ପୁରୁଷୋତ୍ତମ ରୂପାଲା ସୂଚନା ଦେଇଥିଲେ। ସୌର ଶକ୍ତି ପ୍ଲାଣ୍ଟ, ସୋଲାର ଲାଇଟ୍, ନେଭିଗେସନ୍ ଏଡ୍ / ରେଡିଓ ଯୋଗାଯୋଗ ଉପକରଣ, ଇଟିପି, ଅଗ୍ନିଶମ ଉପକରଣ, ମାର୍କେଟ୍ କମ୍ପ୍ଲେକ୍ସ ଏବଂ ରାସ୍ତା ନିର୍ମାଣ, ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏବଂ ସେବା ସହିତ ଲ୍ୟାଣ୍ଡସ୍କେପିଂ ଇତ୍ୟାଦିର ମଧ୍ୟ ବ୍ୟବସ୍ଥା କରାଯିବ।

ପ୍ରାୟ ୪୩ ଏକର ପରିମିତ ପାରାଦୀପ ମାଛଧରା ବନ୍ଦର ଜଗତସିଂହପୁର ଜିଲ୍ଲାର ନଦୀ ମୁହାଣଠାରୁ ୨ କିଲୋମିଟର ଉପର ମୁଣ୍ଡରେ ମହାନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ ଓଡ଼ିଶାର ଅନ୍ୟତମ ବୃହତ୍ତମ ମାଛଧରା ବନ୍ଦର। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୭୦ ଟି ୧୦ ମିଟର ଜାହାଜ, ୮୦ ଟି ୧୩ ମିଟର ଜାହାଜ ଏବଂ ୫୦ ସଂଖ୍ୟାରେ ୧୫ ମିଟର ଜାହାଜ ଏବଂ ପାରମ୍ପରିକ ୱାଯରକ୍ରାଫ୍ଟର ତଦାରଖ ପାଇଁ ବନ୍ଦର ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ପ୍ରାୟ ୬୪୦ ଟି ୧୫ ମିଟର ଜାହାଜ ଏବଂ ୧୦୦ ଟି ୯ ମିଟର ଗିଲ ନେଟର (ଏଫଆରପି ଡଙ୍ଗା) ବନ୍ଦର ସୁବିଧା ବ୍ୟବହାର କରୁଛନ୍ତି।

ଜଗତସିଂହପୁର ଜିଲ୍ଲା ପାରାଦୀପ ମାଛଧରା ବନ୍ଦରରେ ଆଜି ସାଗର ପରିକ୍ରମା ଯାତ୍ରାର ଫେଜ୍-XI ଜାରି ରହିଛି। ସାଗର ପରିକ୍ରମା କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ରୂପାଲା ପିଏମ୍ଏମ୍ଏସୱାଇ ଯୋଜନାରେ ହିତାଧିକାରୀଙ୍କୁ ଜିଏଆଇଏସ୍ ଚେକ୍, ବୋଟ୍ ଆଣ୍ଡ ନେଟ୍ ସବସିଡି ଏବଂ ଲୁଣିପାଣି ପୋଖରୀ ଉନ୍ନୟନ ସବସିଡି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବା ଆଶଙ୍କା

ଭୁବନେଶ୍ୱର: ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧବାର ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାରମ୍ଭିକ ତଥ୍ୟାନୁଯାୟୀ ଶୁକ୍ରବାର ଏହା ଉତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତ୍ତୀ କାଳରେ ଗଭୀର ଅବପାତର ରୂପ ନେଇ ପାରେ ବୋଲି ସିଇସି ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ କହିଛି।

ପରେ ଏହାର ଗତିପଥରେ ପରିବର୍ତନ ହେବା ସହ ଉତର କିମ୍ବା ଉତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବା ସହ ନଭେମ୍ବର ୧୭ରେ ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ତେବେ ପୁରୀ, ଜଗତସିଂହପୁର ଏବଂ ଭଦ୍ରକ ଜିଲ୍ଲା ଉପକୂଳରେ ପବନର ବେଗ ଏହି ସମୟରେ ଘଂଟା ପ୍ରତି ୫୫ ରୁ ୭୦ କିଲୋମିଟର ରହିପାରେ ବୋଲି କୁହାଯାଇଛି।

ନଭେମ୍ବର ୧୮ତାରିଖ ସକାଳେ ବାଲେଶ୍ୱର ଉପକୂଳ ଠାରୁ କିଛି ଦୂରରେ ରହିବ ଯେଉଁ ସମୟରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୫ କିଲୋମିଟର ରହିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ପବନର ବେଗ କମ୍ ରହିବ।
ଏହାର ପ୍ରଭାବରେ ନଭେମ୍ବର ୧୫ ରାତିରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ମଧ୍ୟମରୁ ଭାରି ବର୍ଷା ଜାରି ରହିବ। ତେବେ ନଭେମ୍ବର ୧୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାରଣ ଏହି ସିଷ୍ଟମ ସାରାଦିନ ଭଦ୍ରକ ଉପକୂଳରେ ସ୍ଥ୍‌ିର ରହିବ । ନଭେମ୍ବର ୧୬ ଏବଂ ୧୭ ତାରିଖରେ ଭୁବନେଶ୍ୱରରେ ୪୦ ରୁ ୬୦ ମିଲିମିଟର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧାରେ ୩୦ ରୁ ୪୫ ମିମି ର ବର୍ଷା ହୋଇପାରେ।

ନଭେମ୍ବର ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର , ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ୨୪ ଘଂଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଞ୍ଚଳିକ

ଦୋଛକିରୁ ୮ ଫୁଟ ନାଗ ଉଦ୍ଧାର

କୁଜଙ୍ଗ: ପାରାଦୀପର ଉପକଣ୍ଠ ଦୋଛକିଠାରେ ଆଜି କୁଜଙ୍ଗ ଅଂଚଳର ସ୍ୱେଛାସେବୀ ସାପ ଧରାଳୀ ପ୍ରଭାତ ବେହେରା ଏକ ୮ ଫୁଟର ନାଗ ସାପ ଉଧାର କରିଥିବା ଜଣାପଡ଼ିଛି। ସ୍ଥାନୀୟ ଏକ ମୋଟର ଗ୍ୟାରେଜ ଘରେ ଏହି ଏହି ନାଗଟି ରହିଥିଲା। ଗ୍ୟାରେଜର କର୍ମଚାରୀମାନେ ସେଠାକୁ ଯିବାବେଳେ ସାପର ଗର୍ଜ୍ଜନ ଶୁଣା ଯାଇଥିଲା।

ଫଳରେ ସାଙ୍ଗେସାଙ୍ଗେ କୁଜଙ୍ଗ ଅଂଚଳର ସାପ ଧରାଳୀ ପ୍ରଭାତଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ପ୍ରଭାତ ତୁରନ୍ତ ସେଠାରେ ପହଂଚି ଏହି ସାପକୁ ଉଧାର କରିଥିଲେ। ପରେ ନିକଟସ୍ଥ ଜଙ୍ଗଲରେ ଏହି ସାପଟିକୁ ଛାଡି ଦିଆଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରମିକମାନଙ୍କ ଦାବୀ ମାନିଲେ ପିପିଏଲ କର୍ତ୍ତୃପକ୍ଷ, ଶ୍ରମିକ ନେତା ରାଜେନ୍ଦ୍ରଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

କୁଜଙ୍ଗ: ପିପିଏଲରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କ ମାସିକ ଦରମା ବୃଦ୍ଧି ନେଇ ପାରାଦୀପ ଫସଫେଟ୍ ମଜଦୂର ୟୁନିଅନ ଦିର୍ଘଦିନଧରି ଦାବି କରିଆସୁଥିଲା। ଏହି ୟୁନିୟନର ସ୍ୱର୍ଗତ ସଭାପତି ସର୍ବଭାରତୀୟ ଶ୍ରମିକ ନେତା ତଥା ହିନ୍ଦମଜଦୂର ସଭା ଡଡ଼ିଶା ରାଜ୍ୟ ସଭାପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାସ ସିଂହ ତାଙ୍କ ଜୀବନ ଦଶରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଅନେକ ସ୍ମରଣଈୟ କାର୍ଯ୍ୟ କରିଥିଲେ।

ତାଙ୍କୁ ଅନୁକରଣ କରି ହିନ୍ଦ ମଜଦୂର ସଭା ଅନୁବନ୍ଧିତ, ପାରାଦୀପ ଫସଫେଟ ୟୁନିଅନ ମଧ୍ୟ ତାଙ୍କର ଅବର୍ତମାନରେ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ସମେତ ଅନ୍ୟାନ୍ୟ ମୌଳିକ ଦାବିକୁ ନେଇ ସଙ୍ଗ୍ରାମ ଜାରି ରଖିଥିଲା। ଯାହା ଫଳରେ ପିପିଏଲ କର୍ତୃପକ୍ଷ ବାଧ୍ୟହୋଇ ଗତକାଲି ଆଲେଶଚନା କରିବା ପାଇଁ ଶ୍ରମିକ ସଭ୍‌ଘ ମାନଙ୍କରପ ପ୍ରତିନିଧି ମାନଙ୍କୁ ଡାକିଥିଲେ।

ଏନେଇ ବିଶଦ ଭାବେ ଆଲୋଚନା କରାଯିବାପରେ ଠିକା ଶ୍ରମିକ ମାନଙ୍କର ମାସିକ ଦରମାରେ ୮ ହଜାର ଟଙ୍କା ମାସିକ ବୃଦ୍ଧି କରିଛନ୍ତି। ଏହା ଫଳରେ କାର୍ଯ୍ୟରତ ୩୬୬ ଜଣ ଶ୍ରମିକ ଉପକୃତ ହେବା ସହିତ ପିଛିଲା ଭାବେ ଗତ ୨୦୨୧ ମସିହା ଅପ୍ରେଲ ମାସରୁ ପିଛିଲା ଭାବେ ପାଇବେ ବୋଲି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଅନ୍ୟାନ୍ୟ ଦାବିସମୂହ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ପିପିଏଲ କର୍ତୃପକ୍ଷ ଓ ଶ୍ରମିକ ସଙ୍ଘ ମଧ୍ୟରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପାରାଦୀପ ଫସଫେଟ ମଜଦୂର ୟୁନିଅନର ବରିଷ୍ଠ ଉପସଭାପତି ତଥା ହିନ୍ଦ ମଜଦୂର ସଭାର ରାଜ୍ୟ ସମ୍ପାଦକ ଓ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ଉପସଭାପତି ଆଇନଜିବୀ ଅମୃତ ଦାସ ଜଣାଇଛନ୍ତି।

ଶ୍ରମିକ ମାନଙ୍କର ଦରମା ବୃଦ୍ଧି ନେଇ ପାରାଦୀପ ଫସଫେଟ ମଜଦୂର ୟୁନିଅନର ସଭାପତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଉପସଭାପତି ତଥା ପାରାଦୀପ ପୌରପାଳ ବସନ୍ତ ବିଶ୍ୱାଳଙ୍କ ଅବଦାନକୁ ଶ୍ରମିକ ସମାଜ ମନେରଖିବ। ପିପିଏଲ କର୍ତୃପକ୍ଷ ଶ୍ରମିକ ମାନଙ୍କର ଦରମା ବୃଦ୍ଧି କରିଥିବାରୁ ୟୁନିଅନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯିବା ସହିତ ଏହା ଦିବଙ୍ଗତ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି କୁହାଯାଇଛି।

ଏହି ଚୂକ୍ତିପତ୍ର ସ୍ୱାକ୍ଷର ହେବା ସମୟରେ ଶ୍ରମିକ ନେତା ଅନନ୍ତ ଦାସ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଖଟୁଆ, ଯୁଗ୍ମ ସମ୍ପାଦକ ଅଜୟ ସ୍ୱାଇଁ, ପ୍ରତାପ ହଜାରୀ, ନୀଳକଣ୍ଠ ଦେ, ପ୍ରଫୁଲ୍ଲ ଦତ୍ତ, ଦୂର୍ଗଚରଣ ମଲ୍ଲିକ ଓ ପିପିଏଲ ପକ୍ଷରୁ ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ କାରବାର କ୍ଷେତ୍ରରେ ଦେଶରେ ସର୍ବାଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ପାରାଦୀପ: ବନ୍ଦର ଅଧ୍ୟକ୍ଷ

ପାରାଦୀପ/ଭୁବନେଶ୍ୱ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବନ୍ଦର ନଗରୀ ପାରାଦୀପ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବନ୍ଦର ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ହରନାଧ କହିଛନ୍ତି, ଯାହାର ଫଳସ୍ୱରୂପ ୨୦୩୦ ସୁଦ୍ଧା ପାରାଦୀପ ବନ୍ଦରର କ୍ଷମତା ୪୦୦ ମିଲିଅନ ଟନକୁ ବୃଦ୍ଧି ପାଇବ ବୋଲି ଶ୍ରୀ ହରନାଧ କହିଛନ୍ତି। ନିଜର ଉଦବୋଧନରେ ପାରାଦୀପ ବନ୍ଦରର ବିଭିନ୍ନ ଉପଲବ୍ଧି ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ପାରଦୀପ ବନ୍ଦର ବାର୍ଷିକ ଟ୍ରାଫିକ୍‌ କ୍ଷେତ୍ରରେ ୧୭.୫% ରୁ ଅଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ଯାହାକି ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ମଧ୍ୟରେ ସର୍ବାଧିକ। ୧୬ ଫେବୃଆରୀ ୨୦୨୩ ସୁଦ୍ଧା ୧୧୬.୫୯ ନିୟୁତ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର ହୋଇଛି, ଯାହାକି ପୂର୍ବ ବର୍ଷ ଠାରୁ ଅଧିକ। ବର୍ତ୍ତମାନ ସୁଦ୍ଧା ପାରାଦୀପ ବନ୍ଦର ୮୦ ପ୍ରତିଶତ ବର୍ଥକୁ ମେକାନାଇଜ୍‌ କରିସାରିଥିବା ବେଳେ ୨୦୩୦ ସୁଦ୍ଧା ଶତପ୍ରତିଶତ ମେକାନାଇଜଡ୍‌ ବନ୍ଦର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି । ବନ୍ଦର ଆଧୁନିକୀକରଣ କ୍ଷେତ୍ରରେ ଗତ ୭ ବର୍ଷ ମଧ୍ୟରେ ପାରାଦୀପରେ ୩୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସବୁଜ ଇନ୍ଧନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇ ଶ୍ରୀ ହରନାଧ କହିଥିଲେ ଯେ ଖୁବଶୀଘ୍ର ପାରାଦୀପ ବନ୍ଦର ଏକ ସବୁଜ ହାଇଡ୍ରୋଜେନ୍‌ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ଏଥିନିମନ୍ତେ ମନୋନୀତ ହୋଇଥିବା ଦେଶର ତିନୋଟି ବନ୍ଦର ମଧ୍ୟରୁ ପାରାଦୀପ ଅନ୍ୟତମ।

ସମ୍ମାନିତ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର କାହ୍ନୁ ଚରଣ ଧୀର ଯୋଗ ଦେଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁ ଉପରେ ସମ୍ମାନିତ ଅତିଥି ଡ ଧୀର ନିଜର ବକ୍ତବ୍ୟ ରଖିଥିଲେ। ସେ ମହାବାତ୍ୟା ଠାରୁ ଆରମ୍ଭ କରି ଫନି ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଅବତାରଣା କରି ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ।

ପାରାଦୀପରେ ଅବସ୍ଥାପିତ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ଡିଆଇଜି ଯଶୱନ୍ତ କୁମାର ସିଂ ‘‘ସାମୁଦ୍ରିକ/ଉପକୂଳ ସ୍ବଚ୍ଛତା ବଜାୟ ରଖିବା ଏବଂ ସ୍ବଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ଆଇସିଜିର ଭୂମିକା’’ ବିଷୟବସ୍ତୁ ଉପରେ ଅଭିଭାଷଣ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପାରାଦୀପର ବରିଷ୍ଠ ସାମ୍ବାଦିକ ସୁକଦେବ ଜେନା ଉଦବୋଧନ ଦେଇଥିଲେ। ଶ୍ରୀ ଜେନା ସାମ୍ବାଦିକମାନଙ୍କର ସୁରକ୍ଷା ଉପରେ ଜୋର ଦେଇଥିଲେ। ଏ ଦିଗରେ ଆଇନ ଆଣିବା ଲାଗି ସେ ସରକାରଙ୍କୁ ନିବେଦନ କରିଥିଲେ।

ପିଆଇବିର ଯୁଗ୍ମ ନିର୍ଦ୍ଦେଶକ ତଥା ଉପ ପ୍ରେସ ରେଜିଷ୍ଟ୍ରାର ଏବଂ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ବାର୍ତ୍ତାଳାପ ଏକ ମଞ୍ଚ ଯୋଗାଇ ଦେଇଥାଏ। ଭାରତର ସ୍ବାଧୀନତା ଆନ୍ଦୋଳନରେ ଗଣମାଧ୍ୟମ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବାଲ ଗଙ୍ଗାଧର ତିଲକଙ୍କ ପର୍ଯ୍ୟନ୍ତ ଦେଶର ମହାନ ସ୍ବାଧୀନତା ସଂଗ୍ରାମୀମାନେ ଦେଶ ସ୍ବାଧୀନତା ପାଇଁ ଜନ ଜାଗରଣ ସୃଷ୍ଟି କରିବା ଲାଗି ପତ୍ରପତ୍ରିକା ଓ ସମ୍ବାଦପତ୍ରକୁ ଉପଯୋଗ କରିଥିଲେ। ଆମ ସମସ୍ତଙ୍କୁ ଗଣମାଧ୍ୟମର ଉପଯୋଗ ବଢ଼ାଇବାକୁ ହେବ। ଏହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବ ବୋଲି ଡକ୍ଟର ଦାଶ କହିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଭୂମିକା ଏବଂ କାର୍ଯ୍ୟ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବୈଷୟିକ ଅଧିବେଶନରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ବିଶେଷ ଉଲ୍ଲେଖ ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା/ମତ୍ସ୍ୟପାଳନ ସହ ଜଡ଼ିତ ଅନ୍ୟ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲା ଉପ ମତ୍ସ୍ୟ ଅଧିକାରୀ ରେଶମା ସିଂ ଉପସ୍ଥିତ ରହି ନିଜର ମତ ରଖିଥିଲେ। ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ସେଠି ପିଏମ କିଷାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାରେ ଷ୍ଟାର୍ଟଅପ୍ସ ଓ ଏମଏସଏମଇ ପାଇଁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ବକ୍ତବ୍ୟ ରଖିଥିଲେ।  କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମ୍ବାଦିକ ମାନେ ଅଧିକାରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ। ଏହି ବର୍ତ୍ତାଳାପ କାର୍ଯ୍ୟକ୍ରମରେ  ପାରାଦୀପର ଅଶୀରୁ ଊର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ରେଳ ମାର୍ଗ ଯାଞ୍ଚ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପାରାଦୀପ ଗସ୍ତରେ ଯାଇ କଟକ-ପାରାଦୀପ ରେଳ ମାର୍ଗରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ଏହି ସମୟରେ ଟ୍ରାଫିକ ସୁବିଧା ତଥା ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିଛନ୍ତି।

ଶ୍ରୀ ସୁନକର ମଧ୍ୟ ପାରାଦୀପ ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ଓ ନୀରିକ୍ଷଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ସୁନକର ରେଳବାଇର ବିଭିନ୍ନ ଷ୍ଟେକ ହୋଲ୍ଡର (ସହଭାଗୀ) ମାନଙ୍କର ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ପଣ୍ୟ ବୋଝେଇ ଓ ପଣ୍ୟ ବୋଝ ଉତାରିବା (ଅନଲୋଡିଂ) ପାଇଁ ବିଭିନ୍ନ ରେଳ ସାଇଡିଙ୍ଗ ପରିଦର୍ଶନ କରିଥିଲେ। ପରିବହନ ଏବଂ ଟ୍ରାଫିକ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ସହଭାଗୀ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଶୀଘ୍ର ସମାପ୍ତ କରାଇବା ଓ ପରିବହନ ସୁବିଧା କରାଇ ଏହାର ବୃଦ୍ଧି ଘଟାଇବା ସହ ରାଜସ୍ୱ ବୃଦ୍ଧି ପାଇଁ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ: ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:

୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।

କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ

୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ

୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।

୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୧୦୬.୭୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ପାରାଦୀପ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଂଟ୍ କର୍ପୋରେସନ(ଇଡକୋ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ ସରକାର ସଂଘୀୟ ଢାଂଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ।

ସେହିପରି ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡିଶାରେ ଯୁବକ ଯୁବତୀଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ପାରାଦୀପ ବିଶୋଧନାଗରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା ରାଜ୍ୟରେ ବିଭିନ୍ନ ପେଟ୍ରୋକେମିକାଲ ଓ ଅନ୍ୟାନ୍ୟ ଶିଳ୍ପାୟନର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅପେକ୍ଷା ରଖିଛନ୍ତି। ପାରାଦୀପ ରିଫାଇନାରୀର କ୍ଷମତା ୧୫ରୁ ୨୫ ମିଲିୟନ ଟନ ବୃଦ୍ଧି କରିବା ତଥା ପାରାଦୀପରେ ବିଶୋଧନାଗାରର ସମ୍ପ୍ରସାରଣ ଏବଂ ନାପତା କ୍ରାକର ପ୍ରକଳ୍ପ ପାଇଁ ଜାଗା ଯୋଗାଇ ଦେବା, ବୟନ ଶିଳ୍ପର ପ୍ରତିଷ୍ଠା, ପେଟ୍ରୋକେମିକାଲ ଶିଳ୍ପର ଅଭିବୃଦ୍ଧି ଏବଂ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ସ୍ଥାପନା ପାଇଁ ରାଜ୍ୟ ସରକାର ସହଯୋଗୀ ହେବାକୁ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ପାରାଦୀପ ପ୍ଲାଷ୍ଟିକ୍ ପାର୍କ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପ ଠାରେ ୧୦୬.୭୮ କୋଟି ଟଙ୍କା ବ୍ୟୟରେ ୧୨୦ ଏକର ଜମିରେ ୮୦ଟି ଶିଳ୍ପଭିତିକ ୟୁନିଟ୍ ତଥା ଇଣ୍ଡିଆନ ଅଏଲ ଏବଂ ଇଡକୋର ମିଳିତ ଉଦ୍ୟୋଗରେ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ। ଏହା ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତରେ ପ୍ରଥମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ପାରାଦୀପ ପ୍ଲାଷ୍ଟିକ ପାର୍କ। ଏହା ପ୍ଲାଷ୍ଟିକର ଆମଦାନୀକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବ। ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସେହିପରି ଇଣ୍ଡିଆନ ଅଏଲ ୪୦ କୋଟି ଟଙ୍କା ଖର୍ଚ୍ଚ କରି ସେଠାରେ ଏକ ବିକାଶ ସଂସ୍ଥା ତିଆରି କରିଛି । ଯଦ୍ୱାରା ଏଠାରେ କାରଖାନା ପ୍ରତିଷ୍ଠା କରିବା ପାଇଁ ଆସୁଥିବା ଶିଳ୍ପସଂସ୍ଥାମାନେ ବୈଷୟିକ ଓ ଆନୁଷଙ୍ଗିକ ସହୟତା ପାଇପାରିବେ। ରାଜ୍ୟର ଶିଳ୍ପାୟନ ଓ ରାଜସ୍ୱ ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ଭଲ ଉଦ୍ୟମ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରଛନ୍ତି।
ପାରାଦୀପ ସମେତ ଓଡିଶାର ଖୋର୍ଦ୍ଧା ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲ୍ଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପ ସମୂହ ଗଢି ଉଠିଥିବା ବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନା ନିମନ୍ତେ ଇନସିଏଟିଭ୍ ଦେବା ପାଇଁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି। ଯଦ୍ୱାରା ପ୍ଲାଷ୍ଟିକ୍ ପାର୍କ ପାଇଁ ଶସ୍ତାରେ କଂଚାମାଲ ମିଳିଲେ ବିଶେଷ ଭାବରେ ଓଡିଆ ଯୁବକମାନେ ଉଦମୀ ହେବାର ପ୍ରଚେଷ୍ଟା କରିବେ। ତେଣୁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ୍ ଟନ୍ ପିଛା ୨ ହଜାର ଟଙ୍କାରେ କଂଚାମାଲ କିଣି ଓଡିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ। ଏହା ଦ୍ୱାରା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହେବ।

ବିଗତ ୪ ବର୍ଷ ହେଲା ପାରାଦୀପ ରିଫାଇନାରୀ ୧୫ ମିଲିୟନ ଟନ୍‌ର ଅତ୍ୟାଧୁନିକ ରିଫାଇନାରୀ ଭାବରେ କାର୍ଯ୍ୟକ୍ଷମ। ଏହି ୧୫ ମିଲିୟନ ଟନ୍‌କୁ ୨୫ ମିଲିୟନ ଟନ୍ କରିବାର ଇଣ୍ଡିଆନ ଅଏଲର ଲକ୍ଷ୍ୟ ରହିଛି। ଏଥିପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ ହେବ। ଓଡିଶାରେ ପ୍ଲାଷ୍ଟିକ୍ ଶିଳ୍ପ ଓ ବୟନ ଶିଳ୍ପ ପାଇଁ ଇସ୍ପାତ୍ ଶିଳ୍ପର ମିଡିଲ ହୁକ୍ ପାଇଁ ଏବେ ଇଣ୍ଡିଆନ ଇଏଲ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି। ପାରାଦୀପ ଓ ଭଦ୍ରକ ଅଂଚଳରେ ୨୬ ହଜାର ଟଙ୍କାର ପ୍ରକଳ୍ପ ଯଥା ପଲିପ୍ରପିଲିନ୍ ପ୍ଲାଂଟ୍ ସମେତ ଅନ୍ୟାନ୍ୟ କାମ ୨୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଆଗାମୀ ୨ ବର୍ଷ ଭିତରେ ସମାପ୍ତ ହେବ।

ଓଡିଶା ସରକାରଙ୍କ ନାପତା କ୍ରାକର ପାଇଁ ଦାବୀ ରହୁଥିଲା। ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇର ସିପିସିଏଲ, ହଳଦିଆ, ଏବଂ ପାରାଦୀପ ରିଫାଇନାରୀର ନାଫତାକୁ ଉପଯୋଗ କରିବା ନେଇ ଆଇସି ନୀତିଗତ ଭାବେ ସହମତି ହୋଇଛି। ନାପତା କ୍ରାକର ୟୁନିଟ୍ ଓ ପାରାଦୀପ ବିଶୋଧନାଗାର ସମ୍ପ୍ରସାରଣ ୨ଟି ପ୍ରକଳ୍ପ ଖୁବ ଶୀଘ୍ର ଭାରତଙ୍କ ଦ୍ୱାରା ନୀତିଗତ ଅନୁମୋଦନ ପ୍ରାପ୍ତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ଅଢେଇ ହଜାର ଏକର ଜାଗାର ଆବଶ୍ୟକତା ରହିଛି।

ଓଡିଶାରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପାଇଁ ଚଣ୍ଡିଖୋଲ ଅଂଚଳରେ ପାଖାପାଖି ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୪ ମିଲିୟନ ଟନର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ବନାଇବା ପାଇଁ ଭାରତ ସରକାର ନୀତିଗତ ନିଷ୍ପତି ନେଇଛନ୍ତି। ଏହା ବିଶ୍ୱ ବାଣିଜ୍ୟ ତଥା ତୈଳ ଅର୍ଥନୀତି ଓ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଞ୍ଚଳିକ

ଜେଏସ୍‌ଡବ୍ଲ୍ୟୁ କାର୍ଯ୍ୟାଳୟରେ ଇଞ୍ଜିନିୟରିଂ ଛାତ୍ରଙ୍କ ଭଙ୍ଗାରୁଜା ଘଟଣା: ୧୦ ଛାତ୍ର ଗିରଫ

ସମୀକ୍ଷା ବ୍ୟୁରୋ
ପାରାଦୀପ/କୁଜଙ୍ଗ, ୨୪/୧୨: ନିଯୁକ୍ତି ଆଶାୟୀଙ୍କ ଦ୍ଵାରା ଜେଏସ୍‌ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ୧୦ଜଣ ଛାତ୍ରକୁ ପୋଲିସ ଗିରଫ କରିଛି। ଆଦର୍ଶ ଥାନା ପୋଲିସ ଉକ୍ତ ଛାତ୍ରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ପାରାଦୀପରେ ରହିଥିବା ଜେଏସ୍‌ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ଏହି ଆନ୍ଦୋଳନ କରାଯାଇଥିଲା ବୋଲି ସୂଚନା ରହିଛି।  ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଆଇନ ବିରୋଧ କାର୍ଯ୍ୟ କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍‌ ଅଟକ ରଖିଥିଲା। ଏନେଇ ଅନ୍ୟ ଛାତ୍ରଛାତ୍ରୀମାନେ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ।

ସମ୍ପୃକ୍ତ ଘଟଣାରେ ପୋଲିସ ୧୦ ଜଣ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଆଦର୍ଶ ଥାନାର ଆଇଆଇସି ରଜନୀକାନ୍ତ ସାମଲ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।