Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆରବ ସାଗରରେ ମାଲବାହୀ ଜାହାଜକୁ ଅପହରଣ ଉଦ୍ୟମ: କଡା ନଜର ରଖିଛି ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆରବ ସାଗରରେ ଆଉ ଏକ ମାଲବାହୀ ଜାହାଜକୁ ଅପହରଣ କରିବାକୁ ଉଦ୍ୟମ କରାଯାଇଛି। ୪ ଜାନୁଆରୀ ସନ୍ଧ୍ୟାରେ ୫-୬ ଅଜ୍ଞାତ ସଶସ୍ତ୍ର ଲୋକ ଜାହାଜରେ ଚଢିଥିବାର ସୂଚନା ମିଳିଥିଲା। ଏହି ଜାହାଜରେ ଲାଇବେରିଆର ପତାକା ଥିଲା। ଜାହାଜକୁ ସାହାଯ୍ୟ କରିବା ପାଇଁ ନୌସେନା ଏହାର ଯୁଦ୍ଧ ଜାହାଜ INS ଚେନ୍ନାଇ ପଠାଇଥିଲା।

ଜାନୁଆରୀ ୫ ତାରିଖରେ ନୌସେନା ବିମାନ ଜାହାଜ ଉପରେ ଉଡ଼ିଥିଲା ଏବଂ ଜାହାଜର କର୍ମଚାରୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ଜାହାଜର କାର୍ଯ୍ୟକଳାପ ଉପରେ ନୌସେନା ବାହିନୀ ନଜର ରଖିଛନ୍ତି। କୁହାଯାଉଛି ଯେ, INS ଚେନ୍ନାଇ ଜାହାଜ ନିକଟରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।

ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି। ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା  ଯୋଗ ଦେଇଥିଲେ।

ବାତ୍ୟା ଆସୁଥିବାରୁ ଗୁଜରାଟର ତଟବର୍ତ୍ତୀ ତଳିଆ ଅଞ୍ଚଳ ଓ ବିପଜ୍ଜନକ ଇଲାକାରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପାନୀୟ ଜଳ ଯୋଗାଣ, ଟେଲିଫୋନ, ବିଜୁଳି ସମେତ ସବୁ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସେ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅଭାବ ନ ରହେ ତାହା ମଧ୍ୟ ନିଶ୍ଚିତ କରିବାକୁ ସେ କହିଛନ୍ତି।

ବାତ୍ୟାର ପ୍ରଭାବରେ କ୍ଷୟକ୍ଷତି ଯେତେ କମ୍ ହେବ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି  କରିବା ସହିତ ତୋଫାନ ପରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଯଥା ସମ୍ଭବ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ  ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ସଡକ ଯୋଗାଯୋଗ ବ୍ୟବସ୍ଥା ଆଦିକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଯୋଗୁଁ ଗୃହପାଳିତ ପଶୁ ପକ୍ଷୀ, ବିଶେଷକରି ପଶୁ ସମ୍ପଦର ଯେପରି ବିଶେଷକ କିଛି କ୍ଷତି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ବାତ୍ୟା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ସରକାର ୨୪ଘଣ୍ଟା ଚାଲୁ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକ ଅବସରରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଥିଲେ ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ଜୁନ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ମାଣ୍ଡବୀରୁ ପାକିସ୍ତାନର କରାଚି ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଗୁଜରାଟର ଏକ କ୍ଷୁଦ୍ର ବନ୍ଦର ଜଖାଉ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହା ଏକ ଶକ୍ତିଶାଳୀ ବାତ୍ୟା ଏବଂ ଏହାର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫କିମି. ରହିବ। ମଝିରେ ମଝିରେ ଏହି ବେଗ ୧୪୫ କି.ମି. ଯାଏ ପହଂଚିପାରେ। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ସମେତ କଚ୍ଛ, ଦେବ ଭୂମି ଦ୍ୱାରିକା ଓ ଜାମନଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ପୋରବନ୍ଦର, ରାଜକୋଟ, ମୋରବି ଓ ଜୁନାଗଡ ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଜୁନ ୬ରୁ ଏହି ବାତ୍ୟାର ଉତ୍ପତ୍ତି କଥା ଜଣା ପଡିବା ପରେ ପାଣିପାଗ ବିଭାଗ ନିୟମିତ ବୁଲେଟିନ ଜରିଆରେ ଏହାର ଗତିପଥ ସମ୍ପର୍କରେ ସତର୍କ ସୂଚନା ଲୋକଙ୍କୁ ଦେଇ ଆସୁଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଗୁଜରାଟ ବାତ୍ୟା ସ୍ଥିତି ସମ୍ପର୍କରେ  ନିୟମିତ ସମୀକ୍ଷା କରିବା ସହିତ ରାଜ୍ୟ ସରକାରଙ୍କ ସହିତ ବରାବର ଯୋଗାଯୋଗରେ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଏନ୍‌ଡିଆରଏଫ ୧୨ଟି ଦଳ ଆଗୁଆ ପଠାଇ ସାରିଛି। ସେମାନେ ସାଙ୍ଗରେ, ବୋଟ୍‌, ଗଛକଟା ମେସିନ, ଟେଲିକମ୍ ଯନ୍ତ୍ରପାତି ଆଦି ନେଇଛନ୍ତି। ଏହାଛଡା ଆଉ ୧୫ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାହିନୀ ମଧ୍ୟ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକୋପ୍ଟର ଓ ଜାହାଜକୁ ମୁତୟନ କରିଛନ୍ତି। ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନା ଓ ସ୍ଥଳସେନାର ଯବାନମାନେ ପ୍ରସ୍ତୁତ ଅଛନ୍ତି। ବିପର୍ଯ୍ୟୟ ରିଲିଫ ଟିମ୍‌(ଡିଆର୍‌ଟି), ସେନାର ମେଡିକାଲ ଟିମ୍ ଆଦିକୁ ପ୍ରସ୍ତୁତ କରି ରଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା। ସେଠାକାର ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳ ଓ ସାହାଯ୍ୟ ଉଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରି ସବୁ କଥା ବୁଝୁଛନ୍ତି। ସମଗ୍ର  ରାଜ୍ୟ ପ୍ରଶାସନକୁ ବାତ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ଗୁଜରାଟର ମୁଖ୍ୟ ସଚିବଙ୍କ ସହିତ କେନ୍ଦ୍ର  କ୍ୟାବିନେଟ ଓ ସ୍ୱରାଷ୍ଟ୍ର ସଚିବ ନିୟମିତ ସମ୍ପର୍କରେ ରହି ପ୍ରସ୍ତୁତି କାର୍ଯ୍ୟ ବୁଝୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାକୁ  ମଧ୍ୟ ଏହି ବାତ୍ୟା ପାଇଁ ସତର୍କ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

ଭୁବନେଶ୍ୱର: ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ। ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୩ ପରେ ବୃଦ୍ଧି ପାଇପାରେ ଓଡ଼ିଶାର ଦିନ ତାପମାତ୍ରା: ସିଇସି

ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି।

କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ।

ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ।