Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା
ବିଶେଷ ଖବର

ବାତ୍ୟା “ବିପର୍ଯ୍ୟୟ”ର ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

June 12, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ର୍ରିକ ବାତ୍ୟା ଭୀଷଣ ଆକାର ଧାରଣ କରି ଗୁଜରାଟ ଉପକୂଳ ଆଡେ ମୁହାଁଇଛି। ‘ବିପର୍ଯ୍ୟୟ’ ନାମକ ଏହି ସାମୁଦ୍ରିକ ବାତ୍ୟାର ମୁକାବିଲା କରି କ୍ଷୟକ୍ଷତିକୁ କିପରି ଯଥା ସାଧ୍ୟ କମ୍ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା  ଯୋଗ ଦେଇଥିଲେ।

ବାତ୍ୟା ଆସୁଥିବାରୁ ଗୁଜରାଟର ତଟବର୍ତ୍ତୀ ତଳିଆ ଅଞ୍ଚଳ ଓ ବିପଜ୍ଜନକ ଇଲାକାରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ପାନୀୟ ଜଳ ଯୋଗାଣ, ଟେଲିଫୋନ, ବିଜୁଳି ସମେତ ସବୁ ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବାକୁ ସେ ଗୁଜରାଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅଭାବ ନ ରହେ ତାହା ମଧ୍ୟ ନିଶ୍ଚିତ କରିବାକୁ ସେ କହିଛନ୍ତି।

ବାତ୍ୟାର ପ୍ରଭାବରେ କ୍ଷୟକ୍ଷତି ଯେତେ କମ୍ ହେବ ସେଥି ପାଇଁ ଆବଶ୍ୟକ ପ୍ରସ୍ତୁତି  କରିବା ସହିତ ତୋଫାନ ପରେ ହୋଇଥିବା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଯଥା ସମ୍ଭବ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ  ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ସଡକ ଯୋଗାଯୋଗ ବ୍ୟବସ୍ଥା ଆଦିକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଯୋଗୁଁ ଗୃହପାଳିତ ପଶୁ ପକ୍ଷୀ, ବିଶେଷକରି ପଶୁ ସମ୍ପଦର ଯେପରି ବିଶେଷକ କିଛି କ୍ଷତି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ବାତ୍ୟା ନିୟନ୍ତ୍ରଣ କକ୍ଷକୁ ରାଜ୍ୟ ସରକାର ୨୪ଘଣ୍ଟା ଚାଲୁ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ସମୀକ୍ଷା ବୈଠକ ଅବସରରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ କହିଥିଲେ ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ବିପର୍ଯ୍ୟୟ” ଜୁନ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ମାଣ୍ଡବୀରୁ ପାକିସ୍ତାନର କରାଚି ମଧ୍ୟରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟା ଗୁଜରାଟର ଏକ କ୍ଷୁଦ୍ର ବନ୍ଦର ଜଖାଉ ନିକଟରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହା ଏକ ଶକ୍ତିଶାଳୀ ବାତ୍ୟା ଏବଂ ଏହାର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫କିମି. ରହିବ। ମଝିରେ ମଝିରେ ଏହି ବେଗ ୧୪୫ କି.ମି. ଯାଏ ପହଂଚିପାରେ। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ସମେତ କଚ୍ଛ, ଦେବ ଭୂମି ଦ୍ୱାରିକା ଓ ଜାମନଗରରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ପୋରବନ୍ଦର, ରାଜକୋଟ, ମୋରବି ଓ ଜୁନାଗଡ ଜିଲ୍ଳାରେ ମଧ୍ୟ ପ୍ରବଳ ବର୍ଷା ହେବବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଜୁନ ୬ରୁ ଏହି ବାତ୍ୟାର ଉତ୍ପତ୍ତି କଥା ଜଣା ପଡିବା ପରେ ପାଣିପାଗ ବିଭାଗ ନିୟମିତ ବୁଲେଟିନ ଜରିଆରେ ଏହାର ଗତିପଥ ସମ୍ପର୍କରେ ସତର୍କ ସୂଚନା ଲୋକଙ୍କୁ ଦେଇ ଆସୁଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଗୁଜରାଟ ବାତ୍ୟା ସ୍ଥିତି ସମ୍ପର୍କରେ  ନିୟମିତ ସମୀକ୍ଷା କରିବା ସହିତ ରାଜ୍ୟ ସରକାରଙ୍କ ସହିତ ବରାବର ଯୋଗାଯୋଗରେ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଏନ୍‌ଡିଆରଏଫ ୧୨ଟି ଦଳ ଆଗୁଆ ପଠାଇ ସାରିଛି। ସେମାନେ ସାଙ୍ଗରେ, ବୋଟ୍‌, ଗଛକଟା ମେସିନ, ଟେଲିକମ୍ ଯନ୍ତ୍ରପାତି ଆଦି ନେଇଛନ୍ତି। ଏହାଛଡା ଆଉ ୧୫ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଓ ନୌବାହିନୀ ମଧ୍ୟ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକୋପ୍ଟର ଓ ଜାହାଜକୁ ମୁତୟନ କରିଛନ୍ତି। ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନା ଓ ସ୍ଥଳସେନାର ଯବାନମାନେ ପ୍ରସ୍ତୁତ ଅଛନ୍ତି। ବିପର୍ଯ୍ୟୟ ରିଲିଫ ଟିମ୍‌(ଡିଆର୍‌ଟି), ସେନାର ମେଡିକାଲ ଟିମ୍ ଆଦିକୁ ପ୍ରସ୍ତୁତ କରି ରଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଗୁଜରାଟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଯାଇଥିଲା। ସେଠାକାର ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳ ଓ ସାହାଯ୍ୟ ଉଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ନିରନ୍ତର ଯୋଗାଯୋଗ ରକ୍ଷା କରି ସବୁ କଥା ବୁଝୁଛନ୍ତି। ସମଗ୍ର  ରାଜ୍ୟ ପ୍ରଶାସନକୁ ବାତ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଛି। ଗୁଜରାଟର ମୁଖ୍ୟ ସଚିବଙ୍କ ସହିତ କେନ୍ଦ୍ର  କ୍ୟାବିନେଟ ଓ ସ୍ୱରାଷ୍ଟ୍ର ସଚିବ ନିୟମିତ ସମ୍ପର୍କରେ ରହି ପ୍ରସ୍ତୁତି କାର୍ଯ୍ୟ ବୁଝୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାକୁ  ମଧ୍ୟ ଏହି ବାତ୍ୟା ପାଇଁ ସତର୍କ ରଖାଯାଇଛି।

ଆରବ ସାଗର ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବିପର୍ଯ୍ୟୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

July 9, 2026
Latest News

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ମଦ୍ୟପ ଯୁବକର ଫାଉଡ଼ା ମାଡରେ ବୃଦ୍ଧଙ୍କ ମୃତ୍ୟୁ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.